Unknown

 

 

 

 

 

 

 

 

 

 

 

ଅନ୍ଧାର ଘର

ନରସିଂହ ସାହୁ

 

ଶ୍ରୀଧର,

ଲକ୍ଷପତି ହେଇ ବି ତୁ ଗରିବ, ପତର କୁଡ଼ିଆରେ ରହି ବି ତୋ ମନରେ ଲକ୍ଷ ଇନ୍ଦ୍ରର ସଂପତ୍ତି; ଚାଷୀ କୂଳରେ ଜନ୍ମ ହେଇ ବି ତୁ ବିଦ୍ୟା, ବୁଦ୍ଧି, ଅଧ୍ୟୟନ, ଶୁଚିରେ ବ୍ରାହ୍ମଣ, ଆଉ ବ୍ରାହ୍ମଣ ହେଇ ବି ଧରଣୀ କେମିତି ଶସ୍ୟଶ୍ୟାମଳ ହେବ, ଅନ୍ନକାରୀ କେମିତି ଉପବାସ ନ ରହିବ, ସେ ଚିନ୍ତାରେ ତୁ ଅହରହ ଚିନ୍ତିତ; ତୁ ଇଂଜିନିୟର, ଇଟା, ମାଟି, ଗୋଡ଼ି, ସିମେଣ୍ଟରେ ତୋ’ର କାରବାର, ଅଥଚ ତୁ ଭାବୁ ଦେଶକଥା; ମହାତ୍ମାଗାନ୍ଧୀ କଥା, ଅସହଯୋଗ କଥା; ଆମେ ଯେତେବେଳେ ପ୍ରତି ଜିଲ୍ଲାରେ ଏରୋଡ୍ରାମ ଗଢ଼ିବା କଥା ଭାବୁଛୁ, ତୁ ଭାବୁଛୁ ପିଲା କେମିତି ଗଢ଼ାହେବେ, ମଣିଷ ହେବେ, କେମିତି ହେବେ ଗାନ୍ଧୀର ଦାୟାଦ; ତୋ’ ମୁଣ୍ଡରେ ଗୋଟାଏ ଚାଣକ୍ୟର ବୁଦ୍ଧି, କିନ୍ତୁ ତୁ ନିପଟ ବୋକା, ତୁ ନନ୍ଦବଂଶ ଧ୍ୱଂସ କରି ଜାଣୁନା, ତୁ ଜାଣୁ କେମିତି କେଣ୍ଡାକ ଜାଗାରେ ଦି’କେଣ୍ଡା ଶସ୍ୟ ଉପୁଜିବ । ଧନ ତୋତେ ବାନ୍ଧି ପାରିନାହିଁ, ବିଦ୍ୟା ତୋତେ ଅନ୍ଧ କରିନାହିଁ, ବୁଦ୍ଧି ତୋତେ ଦୁର୍ବଳ ମାରଣର ଅସ୍ତ୍ର ଯୋଗାଇନାହିଁ । ତୁ ଏକାଧାରରେ ରାଜା ଓ ୠଷି, ଜନକମହର୍ଷି....ଶ୍ରୀଧର ।

ତୋର ସବୁକଥାରେ ମୁଁ ଏକମତ, ଖାଲି ଗୋଟିଏ କଥା, ମୋର ମନେହୁଏ, ବୋଧେ Patriotism is not enongh ଭାବିବୁ । ଆଉ ଏକ କଥା, ନିଆଁରେ ପଶି, ନିଆଁରୁ ବାହାରି ଆସିବା ଭଳି ସାହସ ମୋର ନାହିଁ । ମୁଁ ଭାବେ ନିଆଁ ପୋଡ଼ିଦିଏ, ପୋଡ଼ିଦେବ । ତୁ କହୁ–ନା । ତେଣୁ ତୋତେହିଁ ଦେଉଛି ଏ ଚରମ ଅଗ୍ନି ପରୀକ୍ଷାର କାହାଣୀ ।

ତୋର

ନରସିଂହ

ତା ୧୧ । ୯ । ୬୨

 

କହିବାର କଥା

 

କଥା କହିବା ଏବଂ କଥା ଶୁଣିବା ହେଉଛି ମଣିଷର ଚିରନ୍ତନ ପ୍ରକୃତି । ତେବେ ପୁରୁଣା କଥାକୁ ଉଖାରି ନିଖାରି ନୁହେଁ, ନୂଆ କାହାଣୀଟିଏ ଶୁଣିବା ପାଇଁ କାହାର ମନ ଅବା ଉତଳା ନ ହୁଏ । ସେଥିରେ ଅବଶ୍ୟ କହିବା ଲୋକର ବାହାଦୁରୀ ଥାଏ । କହି ଜାଣିଲେ କଥା ହୁଏ ସୁନ୍ଦର । ପୁରୁଣା କଥାକୁ ଘଷି ମାଜି କଳ୍ପନାର ବୋଳ ମଧ୍ୟରେ କେତେ ସୁନ୍ଦର ବିଚିତ୍ର କାହାଣୀ ପରିବେଷିତ ହୋଇଯାଏ । ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁ ଉପନ୍ୟାସର ସ୍ରଷ୍ଟା ଶ୍ରୀ ନରସିଂହ ସାହୁଙ୍କର ଉପନ୍ୟାସଗୁଡ଼ିକ ପାଠ କଲେ ଏହା ପ୍ରମାଣିତ ହେବ । ତେବେ ଆଲୋଚ୍ୟ ଅନ୍ଧାରଘର ଉପନ୍ୟାସଟି ତାଙ୍କ ପୂର୍ବ ପରମ୍ପରାର ଏକ ଉଜ୍ଜ୍ୱଳ ବ୍ୟତିକ୍ରମ ।

 

ଜୀବନ ହେଉଛି ନାନା ଦ୍ୱନ୍ଦ ଏବଂ ସଂଘର୍ଷର ସମାହାର । ଜୀବନର ଗତିପଥକୁ ସାବଲୀଳ କରିବା ପାଇଁ ମନୁଷ୍ୟର ଅହରହ ପ୍ରଚେଷ୍ଟା । ମାତ୍ର ଏ ପ୍ରଚେଷ୍ଟାର ବିରାମ ନାଇଁ । ଯେଉଁଦିନ ଜୀବନ ହେବ ସରଳ ଏବଂ ସଂଘର୍ଷଶୂନ୍ୟ ସେହିଦିନ ବୋଧହୁଏ ବଞ୍ଚିରହିବାର ମୋହ ମନୁଷ୍ୟର ରହିବ ନାହିଁ । ସଂଘର୍ଷ ଅଛି ବୋଲି ନାନା ଚାରିତ୍ରିକ ଦ୍ୱନ୍ଦ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରାଣର ବ୍ୟାକୁଳତା ଏବଂ ଉଦବେଗ ଏପରି ଆଲୋଡ଼ନ ସୃଷ୍ଟି କରିଥାଏ । ଏଇ ଆଲୋଡ଼ନ ଟିକକ ନଥିଲେ ଜୀବନ ହୁଅନ୍ତା ଅଥର୍ବ ଏବଂ ପ୍ରାଣହୀନ ।

 

ମନୁଷ୍ୟ ଏକ ଆଶାୟୀ ପ୍ରାଣୀ । ଆଶା କୁହୁକିନୀର ମାୟାଜାଲ ପଛରେ ସେ ସତତ ଧାବମାନ । ତଥାପି ତା’ ପକ୍ଷରେ ଏ ଯାତ୍ରାର ବିରାମ ନାଇଁ । ଏଇ ଅସରନ୍ତି ଯାତ୍ରାର ଅନ୍ତରାଳରେ ତାହାର ଅଛି ଅପୁରନ୍ତ ଆନନ୍ଦ ଏବଂ ଜୀବନଧର୍ମୀ ସାର୍ଥକତା । ଏକଥା ବୁଝୁହୁଏ, ଅନୁଭବ କରାଯାଏ, ମାତ୍ର ପ୍ରକାଶ କରିବା ସହଜସାଧ୍ୟ ନୁହେ । ସମ୍ପର୍କର ଅନୁରୋଧରେ ମନୁଷ୍ୟ କେତେ କଅଣ ପାଇବାକୁ ଆଶା ବାନ୍ଧିବସେ, ବର୍ଷମାସ, ଦିନ ଦଣ୍ଡ ଅପେକ୍ଷା କରି କରି ସରିଯାଏ, ତଥାପି ତାର ମନରେ ପାଇବାର ମୋହ ତୁଟେ ନାହିଁ । ନ ପାଇବାର ଅଶାନ୍ତି ମନରେ ସୃଷ୍ଟିକରେ ଭୀଷଣ ପ୍ରତିକ୍ରିୟା । ଏଇ ପ୍ରତିକ୍ରିୟା ହିଁ ମନୁଷ୍ୟ ମନକୁ ଚିହ୍ନିବା ପାଇଁ ଏକମାତ୍ର ଉପାୟ । ଏଇ ପ୍ରତିକ୍ରିୟାର ସନ୍ଧାନ ନପାଇ ମନୁଷ୍ୟ ହୁଏ ଦୁଃଖୀ; ଜୀବନ ହୁଏ ହଳାହଳମୟ । ପାରିବାରିକ ସାମାଜିକ ଜୀବନର କେତେକ ଅନିବାର୍ଯ୍ୟ ଦୁର୍ଘଟଣା କେବଳ ଏହି ଅବୁଝାମଣା ଭାବନା ପାଇଁ ହିଁ ଘଟେ । ମନକୁ ଖେଳେଇ ମରମତଳର ଢେଉ ଗଣିବାରେ ସମର୍ଥ ନହେଲେ ଜୀବନର ସ୍ୱାଦ ଉପଲବ୍‍ଧି କରିବା ସହଜ ହେବ ନାହିଁ ।

 

ଅତି ଆଧୁନିକ ଉପନ୍ୟାସରେ ଏହି ବିଶ୍ଲେଷଣାତ୍ମକ ମନୋଭାବର ବିଚାର ପାଇଁ ଅଧିକ ସୁଯୋଗ ଉପସ୍ଥିତ । ସାର୍ଥକ ଶିଳ୍ପୀ ନହେଲେ ମଣିଷ ମନର ଏହି ସଂଘର୍ଷର ବିଶ୍ଲେଷଣ କରିବା ସହଜ କଥା ନୁହେ । କଥାକାର ଶ୍ରୀ ନରସିଂହ ସାହୁଙ୍କ ଅନ୍ଧାରଘର ଉପନ୍ୟାସ ଏ ଦିଗରେ ଏକ ଉଜ୍ଜ୍ୱଳ ପଦକ୍ଷେପ ଏବଂ ଯୁଗଧର୍ମର ଆଙ୍ଗିକତାକୁ ବହନ କରି ସଫଳ ଏବଂ ରସୋତୀର୍ଣ୍ଣ ।

 

ବାହାର ଦୁନିଆର ଆଖିରେ ପାଜି, ଲମ୍ପଟ, ବଦମାସ ଓ ସଇତାନ ‘‘ଜୟନ୍ତ’’ ପ୍ରେମିକା ‘‘ମୁକ୍ତା’’ ନିକଟରେ ଯଦି ଅତ୍ୟନ୍ତ ଶାନ୍ତ, ସୁନ୍ଦର ଏବଂ ମହିମାନ୍ୱିତ ହୋଇପାରିଲା, ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ । ପ୍ରେମର ଦୁନିଆରେ ଯୁକ୍ତି ନୁହେ, ପ୍ରବଣତା, ମନ ନୁହେ, ହୃଦୟର ଘେନାଘେନୀ ଭାବହିଁ ଅଧିକ ପ୍ରଣିଧାନଯୋଗ୍ୟ । ତେଣୁ ‘‘ଜୟନ୍ତି’’ ଯଦି ସତୀ ସାଧ୍ୱୀ ନିର୍ମଳ ହୃଦୟା ସ୍ନେହ କାଙ୍ଗାଳିଣୀ ବିବାହିତା ପତ୍ନୀ ‘‘ତରୁ’’ ର ଅଞ୍ଚଳତଳେ ଅଟକି ନପାରି ମନର ଶାନ୍ତି ପାଇଁ ଖୋଜି ବୁଲିଲା ଗୋଟିକ ପରେ ଗୋଟିଏ, ନାୟିକା—ଯେଉଁ ଲମ୍ପଟତା ଏବଂ କାମୁକତାର ଅଗ୍ନିରେ ଶଶୀ, ଚପଳା, ନୀହାର, ସ୍ୱର୍ଣ୍ଣ, ମୁକ୍ତା ଭଳି ଝିଅମାନଙ୍କ ଆହୁତି ଜୟନ୍ତକୁ ବିଚଳିତ କରିପାରିଲା ନାହିଁ, ସେଭଳି ନାୟକକୁ ଭୁଲ ବୁଝି ଅଭିଯୋଗ କରି ନାୟିକା ‘‘ତରୁ’’ ଯଦି ଆପେ ଆପେ ହେଲା ପଳାୟନ ପନ୍ଥୀ, ତେବେ ଏ ଜୀବନ–ନାଟକର ପରିଣତି ଦୁଃଖାତ୍ମକ ନହୋଇ ଉପାୟ କଣ ଅଛି !! ‘‘ତରୁ’’ ଓ ‘‘ଜୟନ୍ତ’’ ର ଜୀବନକୁ ବୁଝି ପରଖିବା ପାଇଁ ନାଟ୍ୟାନୁମୋଦୀ ମାନସରଞ୍ଜନ, ଆଦର୍ଶପ୍ରାଣ ଦାର୍ଶନିକ ପରାଶର, ଚପଳମତି କଲ୍ୟାଣସେନ ଭଳି ଚରିତ୍ରଗୁଡ଼ିକ ବିଚରଣ କରିଛନ୍ତି । ନାନା ଘଟଣା ଏବଂ ଦୁର୍ଘଟଣା ମାଧ୍ୟମରେ କାହାଣୀ ହୋଇଛି ଗତିଶୀଳ । ଦୁଇଟି ବିପରୀତଧର୍ମ । ଏବଂ ପ୍ରତିକୂଳଗାମୀ ଚରିତ୍ର ‘ଜୟନ୍ତ’ ଏବଂ ‘ତରୁ’ର ପ୍ରାଣ ଓ ମନକୁ ପରୀକ୍ଷା କରି ବିଶ୍ଲେଷଣ କରିବାରେ ବର୍ଣ୍ଣନାକୌଣସି ଅତ୍ୟନ୍ତ ପ୍ରାଣବନ୍ତ ଏବଂ ଉପଭୋଗ୍ୟ ଜଣାପଡ଼େ । ବହୁ ନାରୀଙ୍କ ନିକଟରେ ଦୁର୍ଦ୍ଧର୍ଷ ଏବଂ ପୁରୁଷସିଂହ ରୂପେ ପରିଚିତ ଜୟନ୍ତ ଯେ କାହିଁକି ‘ତରୁ’ ନାମ୍ନୀ ନାରୀର ନାମ ଉଚ୍ଚାରଣରେ ହଠାତ ବିଚଳିତ ଏବଂ ଭୟ ବିହ୍ୱଳ ହୋଇପଡ଼େ, ଏକଥା ‘‘ମୁକ୍ତା’’ ଏବଂ ‘‘ପାରୁଲ’’ ଭଳି ନାୟିକା ହୁଏତ ବୁଝିପାରିନାହାନ୍ତି । ମାତ୍ର ଦୁର୍ଦ୍ଧର୍ଷ ଲମ୍ପଟ ଜୟନ୍ତା ପ୍ରାଣରେ ‘ତରୁ’ ପ୍ରତି ଐକାନ୍ତିକ ବ୍ୟାକୁଳତା, ପ୍ରାଣର ଆବେଗ, ସମ୍ମାନବୋଧ ଏବଂ ସମ୍ଭ୍ରମତା ଲକ୍ଷ୍ୟକଲେ ଏ କଥା ଅବୁଝା ରହିବ ନାହିଁ । ପଶୁ ଜୟନ୍ତର ହୃଦୟ ରାଜ୍ୟରେ ସହନଶୀଳା, ଉଦାରପ୍ରାଣା ମାତ୍ର ପଳାୟନ ପନ୍ଥୀ ‘‘ତରୁ’’ ହିଁ ଏକମାତ୍ର ହୃଦୟେଶ୍ୱରୀ । ସେ ମନରେ ବହୁ ନାରୀ ଅଭିନୟ କରିଛନ୍ତି, ମାତ୍ର କେହି ହୃଦୟକୁ ଅଧିକାର କରିପାରିନାହାନ୍ତି । ସେ ଗୌରବ ଏକମାତ୍ର ପ୍ରାପ୍ୟ ଅଭିମାନିନୀ ‘ତରୁ’ର । ହେଉପଛେ ଲମ୍ପଟ ଏବଂ ଅତ୍ୟାଚାରୀ, ନିଜର ନାରୀ ଉପରେ ଅଗାଧ ବିଶ୍ୱାସ ସ୍ଥାପନ ଯୋଗୁ ପତି ସୋହାଗ–ବଞ୍ଚିତା ‘ତରୁ’ର ହୃଦୟ–ସିଂହାସନରେ ଜୟନ୍ତହିଁ ଏକମାତ୍ର ପୁରୁଷ, ତାର ପ୍ରେମର ପ୍ରତିମୂର୍ତ୍ତି । ଅଥଚ ଏହା ଅତ୍ୟନ୍ତ ସ୍ୱାଭାବିକ ଯେ ଏଇ ଦୁଇଟି ପ୍ରାଣର ବୁଝାମଣା ହୋଇପାରେ ନାହିଁ । ଏହାହିଁ ହେଉଛି ସମାଜର ସମସ୍ୟା । ଏଥିରେ ସମାଧାନର ଇଙ୍ଗିତ ଅଛି । ଚରିତ୍ରର ବିରୋଧ ସତ୍ୱେ କରଛଡ଼ା ଦେଇ ନଥିଲେ ହୁଏତ ଜୟନ୍ତ ଏପରି ପତିତ ହୋଇ ନଥାନ୍ତା । ଅଥବା ଟିକିଏ ଆଡ଼ ଆଖିରେ ‘ଜୟନ୍ତ’ ଚାହିଁଥିଲେ ‘ତରୁ’ ପରି ସ୍ନେହକାଙ୍ଗାଳିଣୀ ନାରୀ ଖଳଖଳ ଛଳଛଳ ଏକ ପ୍ରଗଲ୍ଭା ନଦୀ ପରି ବହିଯାଇ ନଥାନ୍ତା । ଅନ୍ତର୍ଦାହରେ ସେ ଥିଲା ବିଚଳିତା । ତେଣୁ ମନର ପ୍ରତିକ୍ରିୟାରେ ସେ ଥିଲା ସବୁଠାରୁ ହସ ହସ, ଅନାଶକ୍ତି, ନିରଳସ । ଏହା କେବଳ ସମ୍ଭବ ଥିଲା ‘ଜୟନ୍ତ’ କୁ ଅଭିମାନ କରି, ‘ଜୟନ୍ତ’ ର ସ୍ୱପ୍ନକୁ କେନ୍ଦ୍ରକରି । ସେଥିପାଇଁ ‘ତରୁ’ ଥିଲା ବାସ୍ତବରେ ଶ୍ରେଷ୍ଠ ପ୍ରେମିକା । ଯେଉଁଦିନ ‘‘ଜୟନ୍ତ’’ ଇହ ସଂସାରରୁ ବିଦାୟ ନେଲା, ସଂସାରର ଚଲାପଥରୁ ‘‘ତରୁ’’ର ମଧ୍ୟ ସରାଗ ତୁଟିଗଲା । ତେଣୁ ସ୍ନେହ, ଆଦର୍ଶ ଓ କରୁଣାର ସାଗର ସଲିଳ ଯେପରି କ୍ଷଣକ ମଧ୍ୟରେ ଡହଡହ ମରୁବାଲିରେ ପରିଣତ ହେଲା । ସେଇଠି ଯଦି ପ୍ରେମ ଓ ପ୍ରଣୟର ଦେବୀ ‘‘ତରୁ’’ ନିର୍ମମ, କଠୋର, ଦାନବୀରେ ପରିଣତ ହେଲା, ତାହାହିଁ ବୋଧହୁଏ ମଣିଷର ପ୍ରକୃତ ପରିଚୟ ।

 

ଆଲୋଚ୍ୟ ଉପନ୍ୟାସରେ ବୌଦ୍ଧିକତାର ପ୍ରଲେପ ବେଳେ ବେଳେ ସାଧାରଣ ପାଠକକୁ ବିଚଳିତ କଲେହେଁ ଲେଖକଙ୍କର ସ୍ୱଭାବସୁଲଭ ବିଶ୍ଲେଷଣ ତାହାର ଆବେଗ ସଞ୍ଚାରରେ ସାହାସ୍ୟ କରିଥାଏ । ମୋଟ ଉପରେ ଅନ୍ଧାର–ଘର ଏକ ଆଧୁନିକ ଧର୍ମୀ ସାର୍ଥକ ଉପନ୍ୟାସ । ଏହି କାରଣରୁ ଲେଖକ ଯେ ଯଶସ୍ୱୀ ହେବେ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଅଧ୍ୟାପକ ଶ୍ରୀ ପଠାଣି ପଟ୍ଟନାୟକ

ତ୍ରାଏଷ୍ଟ କଲେଜ, କଟକ

୧୯ । ୮ । ୬୩

Image

 

–ଏକ–

 

A kiss and I die;

 

ଛିଃ—

 

ସତେ ମୁକ୍ତା ତମର ଏଇ ସୁନ୍ଦର ଗୋଲାପ ଓଠ......

 

ଯାଃ, ବଜାରୀ—

 

ଶୁଣିଛି ସ୍ୱର୍ଗରେ ରତି, କିନ୍ତୁ ଏତେ ରୂପ, ଏତେ ସୌନ୍ଦର୍ଯ୍ୟ, ମୁକ୍ତା !

 

ଆରେ ଏକାବେଳକେ ଯେ କବି ହେଇଗଲ । କୁଆଡ଼େ ଗମନ ହୋଇଥିଲା ଶୁଣେ ?

 

ବିଶ୍ୱର ଶ୍ରେଷ୍ଠ ସୁନ୍ଦରୀ ହେଲେନ୍, ପୋର୍ସିଆ, ଡେସଡିମୋନା ବା ସ୍ୱର୍ଗର ଅପରୂପା ଅପସରୀ ରମ୍ଭା, ମେନକା, ଉର୍ବଶୀ ସମସ୍ତେ ଆଜି ତୁଚ୍ଛ । ତମର ଏଇ ଭୁବନମୋହିନୀ ରୂପ, ଏଇ ରକ୍ତଚହଟା ଗାଲ...ମୁକ୍ତା !

 

ମୁକ୍ତା ଫେଁ ଫେଁ ହସିଉଠିଲା । କହିଲା—ମାତ୍ରା ଟିକିଏ ବେଶୀ ହୋଇଯାଇଛି ବୋଧେ । କ’ଣ ଇଷ୍ଟାର୍ଣ୍ଣ ନା ଏସିୟାନ୍ ?

 

ସତେ ମୁକ୍ତା, ମୁ ଆଜି ପାଗଳ ହେଇଯାଇଛି । ହେଲେ ସୁରା ମତେ ପାଗଳ କରିନି, ପାଗଳ କରିଛି ଏଇ...ଏଇ ରଙ୍ଗ ଅଧର..ଜୟନ୍ତ ମୁକ୍ତାର କଅଁଳ ଓଠ ଖୁବ ଜୋରରେ ହଲାଇ ଦେଲା,

 

ମୁକ୍ତା ଆହୁରି ଜୋରରେ ଠୋ ଠୋ ହସିଲା । କହିଲା—କବି କ’ଣ କହିଛନ୍ତି ଜାଣ ?

 

‘‘ଦେଖିଲେ ତରୁଣୀ ଅଞ୍ଚଳ,

ମୁଁ ଗୋ ଶିଶୁପରି ହୁଏ ଚଞ୍ଚଳ ।’’

 

...ଖାଲି କବି ନୁହଁନ୍ତି, ହୋଟେଲ ଫେରନ୍ତା ବା ଏମ୍ପୋରିୟମ୍‍ ଫେରନ୍ତା ସମସ୍ତଙ୍କ ପାଖରେ କଥାଟା ବାସ୍ତବିକ୍‍ ନିରୋଳ ସତ ।

 

ଜୟନ୍ତ ଆଖି ଟେକି ଥରେ ଚାହିଁଲା । କହିଲା—ମତେ ବିଶ୍ୱାସ କର ମୁକ୍ତା, ଗୋଟିଏ ଫୁଲ ଛଡ଼ା ଦ୍ୱିତୀୟ ଫୁଲର ସ୍ଥାନ ଏ ବୃନ୍ତରେ ନାହିଁ ।

 

ବାଃ, ଏକାବେଳକେ ଉପେନ୍ଦ୍ରଭଞ୍ଜ ! ବିଚ୍ଛନ୍ଦବାବୁ ଖବର ପାଇନାଁହାନ୍ତି ବୋଧେ, ତା’ ନହେଲେ....

 

ମତେ ଭୁଲ୍‍ ବୁଝନାହିଁ ମୁକ୍ତା । ନିଜ ଲେଖା ଆଉ ପର ସ୍ତ୍ରୀ ସବୁଦିନେ ଅଧିକ ଲୋଭନୀୟ, ଅଧିକ କମନୀୟ—ଏହା ଦିବାଲୋକ ଭଳି ସତ୍ୟ ।

 

ଓ ଏକାଥରକେ ରୀତିଯୁଗରୁ ବୈଷ୍ଣବ ଯୁଗକୁ ଲମ୍ଫ ! ତେବେ ହେଇଛିଲୋ ମା’ । ରାଧା, ବୃନ୍ଦା, ଲଳିତା, ବିଶାଖା, ଷୋଳସହସ୍ର ଗୋପନାରୀ....

 

ମୁକ୍ତା ! —ଅସହିଷ୍ଣୁ ହୋଇଉଠିଲା ଜୟନ୍ତ । କହିଲା ତମର ଚିନ୍ତାଧାରା ଅତି ପୁରାତନ ମୁକ୍ତା । ତମେ ସେହି ଅନ୍ଧାର ଯୁଗରେହଁ ରହି ଯାଇଛ ।

 

ଓ ଆଲୋକ ଯୁଗର ଯାତ୍ରୀ ! ବୁଝିଲି । ଏଠି ତା’ହେଲେ ନୂତନ ଚିନ୍ତା, ନୂତନ ବିଶ୍ଲେଷଣ ଖାଲି । ଯେମିତି—

 

‘ସବୁ ସୁନ୍ଦରୀଙ୍କ ଚିବୁକ ଧରି,

ବୁଲୁଥାନ୍ତି ମୁଁ ଯେ ରସିକ ପରି ।’

 

ନା ମୁକ୍ତା, ସବୁ ସୁନ୍ଦରୀ ନୁହେଁ, ଏଇ ସୁନ୍ଦରୀଙ୍କ ଚିବୁକ ଧରି ଦିନରାତି, ମାସବର୍ଷ, ଯୁଗଯୁଗ ଧରି ଚାହିଁ ରହିବାକୁ ଇଚ୍ଛା ହୁଏ । ଏଠି ଅଛି ମୋନାଲିସାର ହସ, ପଦ୍ମିନୀର ଲାବଣ୍ୟ, ରୋଜାଲିଣ୍ଡ୍‍ର ଦୀପ୍ତି...

 

ସତେ ? ଆଉ ତରୁ ?

 

ଜୟନ୍ତ ଟିକିଏ ଅପ୍ରତିଭ ହେଲା । କହିଲା—ତରୁ ମୋର ବିବାହିତା ସ୍ତ୍ରୀ । ତା ପ୍ରତି ମୋର କର୍ତ୍ତବ୍ୟ ଅଛି, ପ୍ରେମ ଅଛି, ମାନୁଛି । କିନ୍ତୁ ପଦ୍ମ ପାଖରେ ସ୍ଥଳପଦ୍ମ–କି ତୁଚ୍ଛ !

 

ତା’ଠୁଁ ଆହୁରି ତୁଚ୍ଛ ଥିର ପାଣିରେ ଗୋଟାଏ ଗଭୀର ଗାର—

 

ତା’ ମାନେ ?

 

ମାନେ ତମ କଥା ।

 

ଜୟନ୍ତ ସ୍ତବ୍‍ଧ ହୋଇ କ୍ଷଣେ ଚାହିଁଲା । କଥାଟା ଯେମିତି ମର୍ମସ୍ଥଳରେ ବାଜିଲା ତା’ର । କହିଲା—ମତେ ଅବିଶ୍ୱାସ କରୁଛ ମୁକ୍ତା ? ଘର ଛାଡ଼ି ଆସିଛି ବୋଲି ମୋ କଥାର ମୂଲ୍ୟ ନାହିଁ ?

 

ମୋର ଭୟ ହୁଏ, ଘର ଛାଡ଼ି ପର ପାଖରେ ଯିଏ ପ୍ରେମ ଖୋଜେ, ସିଏ ଘରକୁ ତ ଠକେ, ପର ଗଳାରେ ଶେଷରେ ଛୁରି ଦିଏ ।

 

କୋଉଠି କିଏ ଛୁରି ଦିଏ ମୁଁ ଜାଣେନା । କିନ୍ତୁ ବହୁସ୍ଥଳରେ ପୁରୁଷ ଯେ ହସିହସି ପ୍ରାଣ ଦିଏ, ୟା’ ତମେ ଅସ୍ୱୀକାର କରିପାରିବ ନାହିଁ ।

 

କିନ୍ତୁ କାହିଁକି ? ବିଚାରୀ ତରୁର କି ଅପରାଧ ? ତରୁ ସୁନ୍ଦରୀ, ସ୍ନେହମୟୀ, ସରଳା...

 

ଥାଉ—

 

ମୁଁ କାହାରି ନିନ୍ଦା କରୁ ନାହିଁ ।

 

ପ୍ରଶଂସା ଶୁଣିବାକୁ ବି ମୁଁ ଏଠିକି ଆସିନାହିଁ ।

 

ମୁକ୍ତା ହସିଲା । କହିଲା—ମୁଁ ଜାଣେ ପ୍ରଶଂସାହିଁ ତମକୁ ବେଶୀ ବାଧିବ । କାରଣ ସେ ଯେତେଯେତେ ଉଜ୍ଜ୍ୱଳ ଆଉ ଶୁଭ୍ର ହେବ ତମେ ହେବ ସେତେସେତେ କାଳିମାମୟ, କଳଙ୍କିତ ।

 

ହାଃ, ହାଃ, ହାଃ—ଗୋଟାଏ ଉତ୍‍ଶୃଙ୍ଖଳ ତୀବ୍ର ହସରେ ଘର ଫଟେଇ ଦେଲା ଜୟନ୍ତ । କହିଲା—ବୁଝିଲି, ଏଇ ବିଚାରହିଁ ତମର ସବୁ ଅବିଚାରର କାରଣ । କିନ୍ତୁ ଚତୁର୍ଥ ଶ୍ରେଣୀର ଏ ଧର୍ମଶିକ୍ଷା ଏଠି କାହିଁକି ? ମୁଁ ତ କଲେଜ ବି ଟପି ଗଲିଣି ।

 

ମୁକ୍ତା ସ୍ଥିର ହୋଇ ତା’କୁ ଦଣ୍ଡେ ଚାହିଁଲା । କହିଲା—କ’ଣ କହୁଛ ତମେ ? ଏ ତମର ଅନ୍ୟାୟ ନୁହେଁ ? ନିଜ ସ୍ତ୍ରୀର ସରଳ ମୁହଁରେ ଗରଳ ଢାଳି ଗୋପନରେ ଆଉ ଜଣକୁ ଧରି ଥେଇ ଥେଇ ନାଚିବା...ଏ ଯେ ଭୟଙ୍କର...ଭୟଙ୍କର ପାପ;

 

ପାପ ? ଅନ୍ୟାୟ ? ହାଃ, ହାଃ, ହାଃ, ହାଃ, ହାଃ, ହାଃ—ଜୟନ୍ତ ଖୁବ୍‍ ଜୋରରେ ଖୁବ୍‍ ଜୋରରେ ହସିବାକୁ ଲାଗିଲା । ମୁକ୍ତାର କୋମଳ ବାହୁ ଦୁଇଟି ଧରି ଆପଣା ଆଡ଼କୁ ଟାଣିଆଣି କହିଲା ଆଉ ସେଇଥିପାଇଁ ତମେ ମତେ ଘୃଣା କରୁଛ ?

 

ମୁକ୍ତା ପୁଣି ଦଣ୍ଡେ ଚାହିଁଲା । ନୀରବରେ ଗୋଟିଏ ମୁହୂର୍ତ୍ତ କଟିଲା । ତା‘ପରେ ଅଲକ୍ଷ୍ୟରେ ତା’ କଣ୍ଠରୁ ବାହାରିଗଲା—ନା ।

 

ଜୟନ୍ତ ଆଶ୍ଚର୍ଯ୍ୟ ହେଲା । କହିଲା—ନା ? ଘୃଣା କରନା ? ମୋଟେ ନୁହେଁ ।

 

କିନ୍ତୁ...ମୁଁ ଯେ ମଦ ଖାଏ ।

 

ଖାଅ ।

 

ମୁଁ ଯେ ବିବାହିତ,

 

ସେଥିରେ ମୋର କ୍ଷତି ?

 

ମୁଁ ସଇତାନ୍, ପାଜି, ବଦ୍‍ମାସ୍...

 

ଜୟନ୍ତ ମୁହଁରେ ହାତଦେଲା ମୁକ୍ତା—ଥାଉ, ତମେ ମୋ ପାଖରେ ଶାନ୍ତ, ସୁନ୍ଦର, ମହିମାନ୍ୱିତ ।

 

ମୁକ୍ତା !!

 

ଜୟନ୍ତ !!

 

ମୁକ୍ତାର ଓଠ ଥରିଲା । ଜୟନ୍ତର ଓଠ ଧୀରେ ଧୀରେ ନଇଁ ଆସିଲା ସେଇ ଗୋଲାପ ପାଖୁଡ଼ା ଉପରେ ।

 

ଅନ୍ଧାର ଘୋଟି ଆସୁଥିଲା । ନର୍ସହଷ୍ଟେଲ ପାଖ କୌଣସି ଏକ ଗୃହସ୍ଥର ଅଙ୍ଗନରୁ ଶୁଭିଲା ଶଙ୍ଖଧ୍ୱନି । ଦୂର ଦେବାଳୟର ଘଣ୍ଟ ଆଉ ମର୍ଦ୍ଦଳ ଧ୍ୱନି ସଞ୍ଜ ପବନରେ ତୁହାଇ ତୁହାଇ ଭାସିଆସିଲା । ଅଧ୍ୟାପକ ପରାଶର ପଦ୍ମାସନରେ ବସି ଉଦାତ୍ତ କଣ୍ଠରେ ଆରମ୍ଭ କଲେ ଉପନିଷଦର ସ୍ତୋତ୍ର—

 

‘ଅସତୋମା ସଦ୍‍ଗମୟ

ତମସୋମା ଜ୍ୟୋତିର୍ଗମୟ

ମୃତୋମାମୃତ୍‍ଗମୟ ।’

 

–ଦୁଇ–

 

କାନେଡିୟାନ୍ ଇଂଜିନ୍‍ ଛୁଟିଛି—ଝପ୍‍ଝପ୍ ଝପ୍‍, ଝପ୍‍ଝପ୍‍ ଝପ୍‍, ଝପ୍‍ଝପ୍ ଝପ୍‍ । ଟୁ ହଣ୍ଡ୍ରେଡ୍‍ ମାଇଲ୍‍ ସ୍ପୀଡ୍ । ଦିଗଭାଗ କଂପି ଉଠୁଛି ଗର୍ଜନର । ନୌପଡ଼ା, ଦୁସି, ପଲାଶା ପାର୍‍ ହୋଇ ଚିକାକୋଲ୍‍ ରୋଡ୍‍ ଧରିବା ଉପରେ । ମାଡ୍ରାସ୍‍ ମେଲ୍‍ର ଅବିଶ୍ରାନ୍ତ ଗତି—ଝପ୍‍ଝପ୍ ।

 

ସେକେଣ୍ଡ୍‍ କ୍ଲାସ୍‍ର ଗୋଟିଏ ଛୋଟ କମ୍ପାଟ୍‍ମେଣ୍ଟରେ ବସିଥିଲେ ଦୁଇଟି ତରୁଣୀ, ଜଣେ ତରୁଣ ଆଉ ଜଣେ ବୃଦ୍ଧ । ଗୋଟିଏ ତିନି ଚାରି ବର୍ଷର ଝିଅ ଦୁଗ୍‍ଧଫେନନିଭ ଶଯ୍ୟାଉପରେ ନିଦ୍ରା ଯାଇଥିଲା । ତରୁଣୀ ଦୁଇଟି ଆଧୁନିକା । ନିହାତି ଅପ୍‍ସରୀ ନହେଲେ ବି ଦୁହେଁ ସୁନ୍ଦରୀ ଯାହାଙ୍କୁ କୋଳରେ ଧରି ଅନ୍ଧାର ଘର ଆଲୋକର ସୁବର୍ଣ୍ଣ ବିଭାରେ ରଞ୍ଜିତ ହୋଇଯାଏ । ବୟସ ଜଣଙ୍କର ଏକୋଇଶ କି ବାଇଶ, ଆଉ ଜଣଙ୍କର ଷୋଳ କି ସତର । ଦୁହିଁଙ୍କ ମୁହଁରେ ଲାବଣ୍ୟର ଢେଉ । ରକ୍ତିମ ଗଣ୍ଡ ଦୁଇଟିରେ କୋକନଦର ରଙ୍ଗ ଓ କୋମଳତା ।

 

ତଫାତ ଭିତରେ କେବଳ ଦୁହିଁଙ୍କର ପରିପାଟୀ । ଜଣେ ବଙ୍ଗୀୟ ତରୁଣୀ ଭଳି ସରଳ ଓ ନିରାଡ଼ମ୍ବର । ପରିଧାନ ଖଣ୍ଡେ ଧରିତ୍ରୀ ରଙ୍ଗର ବିଶ୍ୱଭାରତୀ ଶାଢ଼ି । ପାଦରେ ଚପଲ୍, କାନରେ ଇୟାରଡ୍ରପ୍, ହାତରେ ଦୁଇ ଦୁଇ ପଟ ସୁନାକାଚ । ଆଉ ଜଣେ ତୈଲଙ୍ଗ ରମଣୀ ଭଳି ସର୍ବାଙ୍ଗ ବିଭୂଷିତା । ପରିଧାନ ଏକ ରୁଚିବନ୍ତ ମେଘମହ୍ଲାର ଶାଢ଼ି । ଗଳାରେ ସାତସରିଆ ବହୁମୂଲ୍ୟ ସୁନାହାର, କାନରେ ଇୟରିଂ, ନାକରେ ସୁନାମାଛି, ହାତରେ ଛ’ ଛ’ ପଟ ସୁନାକାଚ । ପୁଣି ପାଦରେ ଶକୁନ୍ତଳା, ଗଭାରେ ଜାଇ, ଜୁଈ, ମଲ୍ଲୀ ଆଉ ଦଅଣାର ବିଚିତ୍ର ହାଟ ।

 

ଆଉ ଏକ ତଫାତ ଏଇ ଦକ୍ଷିଣୀ ଝିଅଟିର ମଥାରେ ଓଢ଼ଣା ନାହିଁ । ଆଖିରେ ସରୁ କଳା ଧାରେ । ମଥାରେ ଅତି ଛୋଟ ଏକ କଳାବିନ୍ଦୁ । ଆର ଝିଅଟିର ମୁଣ୍ଡ ଅଧକୁ ଭଳି ଓଢ଼ଣା । ସୀମନ୍ତରେ ରକ୍ତଗାର ଭଳି ଗାରେ ସିନ୍ଦୂର ।

 

ଦୁହେଁ ଚପଳ ଆଉ ତରଳ—ଠିକ୍‍ ଯେମିତି ବନସ୍ତର ନଈ ବା ଦରିଆର ଢେଉ । ଦୁହିଁଙ୍କ ମୁହଁରେ କଥା କଥାକେ ହସ, ଆନନ୍ଦ, ଅଫୁରନ୍ତ ଝରଣା ।

 

କୁମାରୀ ସୁକୁମାରୀର କଅଁଳ ହାତ ଟିପି ପଚାରିଲା—ତୁମେ କାହିଁ ଯିବାର ?

 

ସୁକୁମାରୀ ମୃଦୁ ମୃଦୁ ହସିଲା । କହିଲା—କିସ କହିଲ ?

 

ତୁମେ କେତେ ବାଟ ଯିବ ହେ ?

 

ପୁଣି ହସିଲା ତରୁଣୀ । କହିଲା—ଭାଇଜାଗ୍ । ଆଉ ତମେ କେଇଟିକି ଯିବ ?

 

ପାର୍ବତୀପୁରମ୍ ।

 

ସିଏ କେଇଟି ?

 

ପାର୍ବତୀପୁରମ୍‍ ଜାଣିନା କି ହେ । ଏକ ବଡ୍‍ଡ଼ ଷ୍ଟେସନ ଥାଉଛି । ବିଜୟନଗରମରେ ଓହ୍ଲେଇ ଗାଡ଼ି ବଦଳି କରିବାର ଅଛି । ସେଠୁଁ ପଶ୍ଚିମରେ କେଇଟା ଷ୍ଟେସନ ଗଲେ ପାର୍ବତୀପୁରମ୍ ଆସିବାର ଏକା ।

 

ମୁକ୍ତା ଯେମିତି ଝର୍‍ଝର୍ ହେଇ ଝରିପଡ଼େ, ତରୁଣୀ ସେମିତି କିର୍‍କିର୍‍ ହେଇ ହସି ଉଠିଲା । ହସି ହସି ଲୋଟିଗଲା କୁମାରୀ କୋଳରେ । ତରୁଣ ଏକ ଧ୍ୟାନରେ ବସି ଆଧ୍ୟାତ୍ମ ରାମାୟଣ ପଢ଼ୁଥିଲେ । କୋଳାହଳ ଶୁଣି ନୟନ ଟେକି ଥରେ ଚାହିଲେ । ବୃଦ୍ଧ ନିର୍ଲିପ୍ତ । ସିଗାରେଟ୍‍ ପରେ ସିଗାରେଟ୍‍ ଟାଣି ଦାର୍ଶନିକଙ୍କ ଭଳି ଚାହିଁ ରହିଥିଲେ ବାହାରକୁ । ସେ ବି ଚମକି ପଡ଼ିଲେ । ଥରେ ମୁହଁ ଫେରେଇଲେ ସେହି କଳାନାଦିନୀ ଓ କୁଳାପ୍ଲାବିନୀ ଚିତ୍ରୋତ୍ପଳା ଆଡ଼େ ।

 

କୁମାରୀ ଅପ୍ରତିଭ ହେଲା । ଟିକିଏ ରୁଷ୍ଟ ହେଲା ବି । ମୁହଁ ହେଲା ଗମ୍ଭୀର । ଚଳଚଞ୍ଚଳା କ୍ଷଣପ୍ରଭା ତା’ ଚମ୍ପକକଳି ଆଙ୍ଗୁଳିଗୁଡ଼ିକ ଚିପି ଚିପି ହସି ହସି କହିଲା—ରାଗିଲ ?

 

ମାନିନୀ କଣ୍ଠରେ ଭାଷା ନାହିଁ । ମୂହଁରେ ଆଷାଢ଼ର ମେଘ ।

 

‘‘କେନେ ରାଗୁଛ ? ମୁଁ ତମ ଭାଷା ଯେ ବୁଝିଲି ନାହିଁ ।’’

 

ନାଇଁ ବୁଝିବାର ? ମିଛକଥା । ତମ କଟକୀ ଲୋକ ଭାରୀ ସିଆଣା । ଆମକୁ ସଦାବେଳେ ଥଟ୍ଟା କରିବାର, ଅପମାନ ଦେବାର ।

 

ତମ ଘର କେଇଟି ?

 

ପାରଳା ।

 

ଆମ ଘର କେଇଟି ଜାଣ ?

 

ନାଇଁ ଜାଣେ ।

 

ରାଇରଙ୍ଗପୁର ।

 

ସିଏ କୋଉ ଦେଶ ହେ ?

 

ପାରଳା ଯେମିତି ଓଡ଼ିଶାର ନିପଟ ଦକ୍ଷିଣରେ, ରାଇରଙ୍ଗପୁର ସେମିତି ନିପଟ ଉତ୍ତରରେ । କିସ ପାଇଁ ରାଇରଙ୍ଗପୁର ଲୋକ ପାରଳା ଲୋକଙ୍କୁ ଥଟ୍ଟା କରିବ ? ତା’ ପୁଣି ଜଣେ ନାରୀ ଆଉ ଜଣେ ନାରୀକି । ମୁଁ କିସ ଖବରକାଗଜ ସମ୍ପାଦକ ଯେ ତମକୁ ତେଲଙ୍ଗା ଭାବି ଅପମାନ ଦେବି ? ନା ମୁଁ କିସ ଛୋଟ ଇସ୍କୁଲ ପିଲା ଯେ ପାରଳାଖେମିଣ୍ଡିକି ତେଲଙ୍ଗାମାନେ ନେଇ ଯାଉଛନ୍ତି ଶୁଣି ତମକୁ ବିଚ୍‍ ବଜାରରେ ଗାଳି ଦେବି, ଥଟ୍ଟା କରିବି ?

 

କିନ୍ତୁ.....

 

କିସ କହ ।

 

ମୁଁ ଯେ ତେଲୁଗୁ;

 

ମୁଁ କିନ୍ତୁ ନିଆଁଖୁଣ୍ଟା ନୁହେଁ, ଡର କାହିଁକି ? ମୋର ମନେହୁଏ ତମେ ଆଗ ମଣିଷ, ତା‘ପରେ ତେଲୁଗୁ ।

 

କିନ୍ତୁ ଆମେ ଯେ ତମର ପରମ ଶତ୍ରୁ ।

 

ସତେ ? —ପୁଣି ହସି ଉଠିଲା ତରୁଣୀ । ଖଳ ଖଳ ହସରେ କୋଠରୀ ପୂରିଲା । ତା’ ଲହୁଣୀ କୋମଳ ଗାଲଟିକି ଚିପିଦେଇ କହିଲା—ସତରେ, ମୋର ଭାରି ଲୋଭ ହୁଏ ତମକୁ ଶତ୍ରୁ କରିବାକୁ । କିନ୍ତୁ ତମେ କ’ଣ ରାଜି ହେବ ?

 

ନିର୍ବୋଧଙ୍କ ପରି ଚାହିଁ ରହିଲା ଲାଳନା । ବିନ୍ଦୁବିସର୍ଗ କିଛି ବୁଝିଲା ନାହିଁ । ସୁନ୍ଦରୀ ପୁଣି ଟିପି ଟିପି ହସିଲା । କହିଲା—ଭାରି ମଜା ହୁଅନ୍ତା । ତମେ ହୁଅନ୍ତ ମୋର ଚିର ଶତ୍ରୁ । ଆଉ ମୁଁ ତମକୁ ଯାଉଁଣୁ ଆସୁଣୁ ଉଠୁଣୁ ବସୁଣୁ ଦିନରାତି ଥଟ୍ଟା କରୁଥାନ୍ତି । ଥଟ୍ଟା ଶୁଣି ଶୁଣି ତମ ମୁହଁ ରଙ୍ଗା ପଡ଼ନ୍ତା । ଉପରେ ହୁଅନ୍ତ ଚିଡ଼୍‍ଚିଡ଼୍, ଆଉ ଭିତରେ ମନ ହେଉଥାନ୍ତା । ଆହୁରି ଆହୁରି ଶୁଣିବାକୁ ।

 

ତମେ କ’ଣ କହିବାର ଯେ । ମୁଁ କିଛି ବୁଝିଲି ନାହିଁ ।

 

ହଁ, ତମେ କିଛି ବୁଝନ୍ତ ନାଇଁ, ପୁଣି ସବୁ ବୁଝନ୍ତ । ଉପରେ କହନ୍ତ ବିଷିପିତା, ଭିତରେ ଅମୃତ ।

 

ସତେ ?

 

ହଁ, ଏଣେ ମୋ କାନ ମୋଡ଼ନ୍ତ, ଆଉ ତେଣେ ଭିତରେ ଭିତରେ ମୋ ଗୋଡ଼ତଳେ ପଡ଼ନ୍ତ ଶହେବାର—ଲକ୍ଷେବାର ।

 

କିସ କଥା ?

 

କଥା କିନ୍ତୁ ସେଇଠି ଅଟକିଲା । ଗାଡ଼ିର ଗତି ହେଲା ମନ୍ଥର । ଆଗରେ ଚିକାକୋଲ ରୋଡ୍‍ ଷ୍ଟେସନ ।

 

କୁମାରୀ ଉଠିଲା । ଛନ୍‍ଛନ୍‍ ତାର ଗତି । କନ୍‍କନ୍‍ ତାର ମନ । ବନହରିଣୀ ଭଳି ଫକ୍‍ଫକ୍‍ ଡେଇଁ ଡେଇଁ ଅସ୍ତବ୍ୟସ୍ତ ହେଇ ବାହାର କଲା ଗୋଟାଏ ଧଳା ବ୍ୟାଗ୍ । ତା ଭିତରୁ କାଢ଼ିଲା ଷ୍ଟେନଲେସ୍‍ ଷ୍ଟିଲ୍‍ର ଚିକ୍ ଚିକ୍‍ କରା ଏକ ଟିଫିନ୍‍ କ୍ୟାରିଅର । ଅନ୍ୟ ଏକ ସ୍ଥାନରୁ ଆଣିଲା ସେମିତିକା ଚିକ୍‍ ଚିକ୍ ଓ୍ୟାଟର୍‍ କ୍ୟାରିଅର୍ । ଗୋଟିଏ ସୁନ୍ଦର ରୂପା ପ୍ଲେଟ୍‍ ଓ କେତେଗୁଡ଼ିଏ ରୂପା ଡ଼ିବା କାଢ଼ିଲା ଟ୍ରଙ୍କରୁ ଆଉ ସେଥିରେ ବାଢ଼ିବସିଲା ଚାରୁ, ସମ୍ବର, ଅନ୍ନମ୍, ପାଚିଡ଼ି, ମାମିଡ଼ିପାଲ୍ଲୁ, ମିରିପିକାଇଲୁ, ପେରୁଗୁ, ଆାଟିପାଲ୍ଲୁ, ନୀଲୁ—ଦୁନିଆ ଯାକର ଖାଦ୍ୟ । ବଡ଼ ସନ୍ତର୍ପଣରେ ଥାଳିଟି ଧରି ତରୁଣଙ୍କୁ ଦେବାକୁ ଯାଉଥିଲା, ତରୁଣୀ ଧରିଲା ହାତ ନା, ତାଙ୍କର ଆଜି ଏକାଦଶୀ । ସନ୍ଧ୍ୟା ନହେଲେ ଜଳସ୍ପର୍ଶ କରିବେ ନାଇଁ ।

 

ଏଇ ସାମାନ୍ୟ ଫଳ.....

 

ନା, ସୃଷ୍ଟି ପ୍ରଳୟ ହେଲେ ବି ଛୁଇଁବେ ନାଇଁ । ବଳେଇ ଲାଭ ନାଇଁ ।

 

ନିରାଶ ହୋଇ କୁମାରୀ ଫେରିଲା । ଅନ୍ୟ ଏକ ଥାଳିରେ ବାଢ଼ିଦେଲା ବୃଦ୍ଧଙ୍କୁ । ବୃଦ୍ଧ ତାର ଜନକ । ସେ ତାଙ୍କର ଏକମାତ୍ର ଅଲିଅଳୀ ଦୁଲଣା ।

 

ମ୍ୟାଙ୍ଗ୍‍ନାପଲୀ ଆମ୍ବ । ଚମ୍ପାଫୁଲର ରଙ୍ଗ ଫାଟିପଡ଼ୁଛି । ମହକରେ ପରୁଛି ଘର । ଦେଖିଲେ ଦେବତା ଲୋଭେଇବ । ଖଣ୍ଡ ଖଣ୍ଡ ଆମ୍ବ ଧରି ଅତି ଆଦରରେ କୁମାରୀ ଖୋଇଦେଲା ତରୁଣୀକି । ତା’ ପରେ ଅମୃତଭଣ୍ଡା, କଦଳି, କମଳା, ଦୁଧସର, ପାଏସ୍, କ୍ଷୀରଗଜା—

 

‘ମଲିଗୋ ମଲି’—ତରୁଣୀ ଅଣନିଃଶ୍ୱାସୀ ହୋଇ ଆସିଲା । ତଥାପି କୁମାରୀ ଛାଡ଼ିବ ନାଇଁ—‘ମୋ ରାଣ, ମୋ ମୁଣ୍ଡ ଖାଅ । ଏଇ ଗୋଟାକ, ଏଇ ଫାଳେ, ଏଇ କ୍ଷୀରତକ ପିଇଦିଅ, କିଛି କ୍ଷତି ହେବ ନାଇଁ । ତରୁଣୀ ଆଖିରୁ ଝରି ଆସିଲା ଅଶ୍ରୁ । ଦୁଃଖର ନୁହେଁ, ଆନନ୍ଦର ଅଶ୍ରୁ, ପ୍ରେମର ଅଶ୍ରୁ । କୁମାରୀ ବୁଝିଲା । କହିଲା–ତମେ ମୋର ଆଜିଠଉଁ ଆକାୟା ହେଲ । ଆକାୟା ମାନେ ନାନୀ । ...ତରୁଣୀ ଗୋଟିପଣେ କୁଣ୍ଡେଇ ଧରିଲା ତାକୁ । ଧାର ଧାର ଲୁହ ତା’ ମଥା ଉପରେ ବହିଗଲା ।

 

ଗାଡ଼ି ଛାଡ଼ିଦେଲା । ଦୁହେଁ ନୀରବରେ ବସିଲେ । ଦଣ୍ଡେ ଗଲା । କୁମାରୀ ଖିଲ୍ ଖିଲ୍ ହସି କହିଲା—କ’ଣ ରାଗିଲ ଆକାୟା । କଥା କହୁନା ଯେ ।

 

ତରୁଣୀ ହସିଲା—ଓ, ସେଇକଥା ଶୁଣିବାକୁ ମନ । କହୁଛି—

 

....ତାର ଆହୁରି ପାଖକୁ ଘୁଞ୍ଚି ଆସି ତା’ କାନପାଖରେ ମୁହଁ ରଖି ଚୁପି ଚୁପି କହିଲା—ତମର ଏଇ ଫୁଲ କଅଁଳ...

 

ଉହୁଁ ସାନଭଉଣୀକି କ’ଣ ତମେ କହନ୍ତି ? ମତେ ତୁ କହିବ ।

 

ହେଲା, ଏଇ କଅଁଳ ଫୁଲ ପାଇଁ ସେତେବେଳେ ସିଏ ଧାଇଁ ଆସିବ....

 

କିଏ ?

 

ଯିଏ ହବ ଏଇ ଫୁଟନ୍ତା ପଦ୍ମଫୁଲର ଲାଖି ।

 

ଯାଃ, ତମେ ବଡ଼ ଫାଜିଲ୍ । ଏମିତି କହିବତ ଆଉ ତମ ସାଙ୍ଗରେ ମୋଟେ କଥା କହିବି ନାଇଁ—

 

ସରମରେ ଝାଉଁଳି ପଡ଼ିଲା କୁମାରୀ । ତରୁଣୀର ସେ ଆଡ଼କୁ ଲକ୍ଷ୍ୟ ନାହିଁ । ସେ କହି ଚାଲିଛି—ସୁନ୍ଦର । ଭାରୀ ସୁନ୍ଦର ସିଏ । ରଜାପୁଅ ଭଳି ରୂପ । ଗୋରା ତକ୍‍ ତକ୍‍ ଚେହେରା । ଏମ୍.ଏସ. ସି. ପଢ଼ୁଛି....

 

ପଢ଼ୁଥାଉ । ପଢ଼ିସାରି ପୁଣି ଥରେ ବାହାହଉ ଆକରୟାକୁ । ମୁଁ ଗଲି..କୁମାରୀ ଉଠି ଯାଉଥିଲା । ଟାଣି ଧରିଲା ତରୁଣୀ । ହସି ହସି ଗଡ଼ିଗଲା । କହିଲା—ପୁଣି ଥରେ ବାହା ହବ ଆକାୟାକୁ । ବାଃରେ ମୋର ତ ଭାରୀ ଶୁଭ ମନାସୁଛୁ । କୁମାରୀ ହସିଲା । ଦୁହେଁ ହସି ହସି ଲୋଟିଗଲେ ।

 

ଆହୁରି କେତେକଥା ପଡ଼ିଲା । କେତେ ଦୁଃଖସୁଖ, ହସଖେଳ, ମାନଅଭିମାନ—ଅସରନ୍ତି ସୁଅର ଧାରା । ଷ୍ଟେସନ ପରେ ଷ୍ଟେସନ ଗଲା । ସେ ଆଡ଼କୁ ଦୃଷ୍ଟି ନାଇଁ । ଖାଲି ଗପ ଆଉ ଗପ । ଆଉ ମଝିରେ ବର୍ଷାକାଳର କୂଳ ଉଛୁଳା ନଈ ଭଳି ହସର ଉଦ୍ଦାମ ଲହରୀ—ଅବାରିତ ଛନ୍ଦ । ଦୁଇଟି ତରୁଣୀର ହସ—ସ୍ୱର୍ଗର ଦେବତା ବି ଯାହାର ପ୍ରଲୋଭନ ଏଡ଼ି ପାରନ୍ତି ନାହିଁ ।

ହଠାତ୍‍ କ’ଣ ହେଲା, କୁମାରୀ ଗମ୍ଭୀର ହୋଇଗଲା । ତରୁଣୀ ବୁଝି ପାରିଲା ନାହିଁ । ଜୋର କରି ହଲେଇ ଦେଲା—କିସ ହେଲା ?

ନା ।

ନା ? ଆଉ ଶରତ ଆକାଶରେ ହଠାତ୍ ଏ କଳାମେଘ କାହିଁକି ?

କୁମାରୀ ନୀରବ ।

ଆରେ କ’ଣ ହେଲା କହ । ମୁଁ କିସ ତୋତେ କଷ୍ଟ ଦେଲି ? ମୁଁ ଜାଣେ ପରା କଥା କହିବାକୁ ମୁଁ ଅଯୋଗ୍ୟ.....

କୁମାରୀ ହାତ ଦେଲା ତା ମୁହଁରେ—ଥାଉ, ଏ କୋଉ ଷ୍ଟେସନ ଗଲା ଜାଣ ?

ଜାଣେ ନା ତ ।

ଏ ଗଲା ନେଲିମର୍ଲା । ଆଉ ପାଞ୍ଚମିନିଟ୍‍ ପରେ ବିଜୟନଗର୍‍ମ୍‍ ।

ଓ—ହସି ଉଠିଲା ତରୁଣୀ—ସେଇଥିପାଇଁ ଏ ଅଦିନ ମେଘ ?

କିନ୍ତୁ ଅକାରଣ ନୁହେଁ ।

କାରଣ ବି ସେତେ ବଳବତ୍ତର ନୁହେଁ ।

କିନ୍ତୁ ମୋର ଭୟ ହୁଏ, ହୁଏତ ସାରା ଜୀବନରେ...

ଦେଖା ହବ ନାଇଁ, ନା ?

ଖାଲି ତ ସେତିକି ନୁହେଁ.....

ଭୁଲିଯିବି, ଏଇ ତ ?

କ’ଣ ମିଛ ? ୟେ ତ ଦୁନିଆର ନୀତି ଥାଉଛି ।

ହଁ ଥାଉଛି, ମାତ୍ର ବ୍ୟତିକ୍ରମ ବି ଥାଉଛି ।

ମାନେ ?

ମାନେ ଦ୍ୱିତୀୟାର ଚାନ୍ଦ ଭୁଲି ହୁଏ । ଭୁଲିହୁଏ ବି ସପ୍ତମୀର ଚନ୍ଦ୍ର । କିନ୍ତୁ ଲକ୍ଷ ହାବେଳିର ଆଲୋକ ଛୁଟେଇ ଆକାଶ ପରିପୂର୍ଣ୍ଣ କରି ଉଠିଆସେ ଯୋଉ ପୂନେଇଁର ଚାନ୍ଦ....

 

କୁମାରୀ ହସିଲା, କହିଲା—ଥାଉ, ତମେ ସଭ୍ୟ ବୋଲି ମୁଁ ସ୍ୱୀକାର କରୁଛି । ଆଉ ମିଛ କୁହ ନାହିଁ ।

 

କେନେ, ପୂନେଇର ଚାନ୍ଦ କ’ଣ ଏଇ ଅକଳଙ୍କ ଚାନ୍ଦ ମୁହଁ ପାଖରେ...

 

ସତେ, ନିଜ ପ୍ରଶଂସା ଶୁଣିବାପାଇଁ ସଭ୍ୟ ଦେଶର ଲୋକଙ୍କର କି ଚାତୁରୀ—

 

ମାନେ ?

 

ମାନେ ‘ପ୍ରତିବେଶୀ ପତ୍ରେ ଦେବାପାଇଁ କହି’

 

ଇସ୍, ବୁଦ୍ଧି ଦେଖ ।

 

ହଁ ସତ କହୁଛି । ଚାନ୍ଦମୁହଁ କାହାର, ଗୋଲାପ ମୁହଁ କାହାର ଥରେ ଅଇନାରେ ଦେଖିବାର ଅଛି । ସେଇଥିପାଇଁ ତ ଦଣ୍ଡେ ଛାଡ଼ି ପାରୁନାଁହାନ୍ତି । ଯେଣେ ଯାଉଛନ୍ତି କାନିପଣତରେ ବାନ୍ଧିଛନ୍ତି ସ୍ୱାମୀ !

 

ଆଃ—ଚିତ୍କାର କରିଉଠିଲା ତରୁଣୀ । ଶହେଟା ସର୍ପ ଯେମିତି ଏକାବେଳକେ ଦଂଶନ କଲେ ତା’କୁ । ମୁଣ୍ଡ ପିଟି ହେଇଗଲା ବାଡ଼ାରେ । ଗୋଟାଏ ପଲକରେ ଚକ୍ଷୁରୁ ଝରି ପଡ଼ିଲା ଅଶ୍ରୁ ।

 

କିସ ହେବାର ? କିସ ହେବାର ? —ବିବ୍ରତ ହେଇପଡ଼ିଲା କୁମାରୀ । ଧାଇଁ ଆସିଲେ ବୃଦ୍ଧ—ଏନ୍ଦୁକୁ ? ଏମିତି ସାଙ୍ଗାତି ? ତୁ କିସ ଝଗଡ଼ା କଲୁ ? ଗାଳିଦେଲୁ ?

 

ଲେଦୁ । ଲେଦୁ—ଉତ୍ତର ଦେଲା କୁମାରୀ ।

 

ଆମ୍ମାଇ ଏନ୍ଦୁକୁ ଏଡ଼ୁସ୍ତୋନ୍ଦି ? କାହାଁକି ତେବେ କାନ୍ଦ ?

 

ତରୁଣ ସେତେବେଳକୁ ଉଚ୍ଚ ଓଁକାର ତୋଳି ନିମ୍ମିଳିତ ନେତ୍ରରେ ବସି ଗାଉଥିଲେ ୠଷିକଣ୍ଠର ବାଣୀ—

 

‘ଶ୍ଳୋକାର୍ଦ୍ଧେ ନ ପ୍ରବକ୍ଷାମି ଯଦୁକ୍ତଂ ଗ୍ରନ୍ଥ କୋଟିଭିଃ, ।

ବ୍ରହ୍ମସତ୍ୟଂ ଜଗନ୍ନିଥ୍ୟା ଜୀବୋ ବ୍ରହ୍ମୈବ ନାପରଃ’ ।।

 

ଚିତ୍କାର ଶୁଣି ତାଙ୍କର ଧ୍ୟାନ ଭାଙ୍ଗିଲା, କ୍ଷଣେ ନୀରବରେ ଚାହିଁଲେ । ତା’ପରେ ଆସନ ପରିତ୍ୟାଗ କରି ଧୀରେ ଧୀରେ ଆସିଲେ ପାଖକୁ । ତରୁଣୀର ସ୍ୱର୍ଣ୍ଣକପାଳରେ ବିନ୍ଦୁବିନ୍ଦୁ ଝାଳ । ଆପଣା ପିନ୍ଧା ବସନରେ ତା ପୋଛି ଦେଇ କପାଳ ଆଉଁସିଆଉଁସି ଶାନ୍ତ କଣ୍ଠରେ ପଚାରିଲେ–‘କ’ଣ ହେଲାରେ ମା ?’

 

ସ୍ତବ୍ଧ ହୋଇ ଚାହିଁରହିଲେ କୁମାରୀ ଆଉ ବୃଦ୍ଧ । କିଏ ଏଇ ତରୁଣ ଆଉ କିଏ ଏଇ ଅଦ୍ଭୂତ ରହସ୍ୟମୟୀ ତରୁଣୀ ? ତରୁଣୀ ତା’ହେଲେ କ’ଣ ତାଙ୍କର ବିବାହିତା ପତ୍ନୀ ନୁହେଁ ? ତରୁଣୀର ବୟସ ଏକୋଇଶ ଆଉ ତରୁଣର ବୟସ ତିରିଶ କି ବତିଶ । ଅଥଚ ତରୁଣ କଣ୍ଠରେ ଅପୂର୍ବ ସ୍ୱର୍ଗୀୟ ଡାକ—ମା’ !!!

 

ଆଶ୍ଚର୍ଯ୍ୟ, ଏମାନେ କ’ଣ ବିଧାତାର ସୃଷ୍ଟି ନା ଯାଦୁକରର ଦୃଷ୍ଟି ନା ସଭ୍ୟତାର କୃଷ୍ଟି ? ବୃଦ୍ଧ ଆଉ କୁମାରୀ କିଛି ଭାବିପାରିଲେ ନାହିଁ, ତରୁଣ ତା’ହେଲେ କ’ଣ ଭଣ୍ଡ ? ପ୍ରତାରକ ? ଏ ସବୁ ଖାଲି ଗୋଟାଏ ଛଳନାର ମାୟାଜାଲ ? ନିରୀହ ଆଉ ସରଳ ପକ୍ଷୀ ଧରିବା ପାଇଁ ବ୍ୟାଜର ଏ କୁଟିଳ ପକ୍ଷ ବିସ୍ତାର ? ...ଉନ୍ନତ ବକ୍ଷ, ଉଚ୍ଚ ନାସା, ଆଜାନୁଲମ୍ବିତ ବାହୁ, ସର୍ବାଙ୍ଗରେ ସାତ୍ତ୍ୱିକଭାବରେ ଶୁଦ୍ଧ ପ୍ରକାଶ, ମୁହଁରେ ଦେବୋପମ ଦୀପ୍ତି, ଆଖିରେ ଅଗ୍ନିର ଔଜ୍ଜଲ୍ୟ—ନା, ଏ ତରୁଣ ସେ ତରୁଣ ହୋଇପାରେନା । ଯାଜ୍ଞାବଳ୍‍କ୍ୟ ହସି ହସି ମରଣକୁ ଆଲିଙ୍ଗନ କରିପାରେ, କିନ୍ତୁ ସଜ୍ଞାନରେ କେବେ ସ୍ୱର୍ଶ କରିପାରେନା ଗୋମାଂସ !!

 

ଆଉ ଏ ନାରୀ ? ଯାହାକୁ ଦେଖିଲେ ପେଟ ପୂରୀଯାଏ, ଯାହା ମୁହଁକୁ ଚାହିଁଲେ ଲୁହ ଆସେ ଆଖିରେ—ଭିତରର ସବୁ ମଳିଧୂଳି, ଅଳିଆ ଆବର୍ଜନା ଘଡ଼ିକେ ପୋଡ଼ି ହୁଏ ପାଉଁଶ, ନିଆଁ ଭଳି ଯିଏ ସୁନାର ସବୁ ଖାଦ ଖାଇଯାଏ କ୍ଷଣକେ–ସୁନାକୁ କରେ ଚିକ୍‍ଚିକ୍, ଝିକ୍‍ଝିକ୍, ସିଏ ମାଟିର ମଣିଷ ନୁହେଁ, ସରଗର ଦେବକନ୍ୟା । ଗଙ୍ଗାଠାରୁ ସେ ପବିତ୍—, ସିନ୍ଧୁ ଠାରୁ ସେ ଅଥଳ । ସେଠି ପଙ୍କ ଥାଇ ପାରେନା, ସେଠି ଖାଲି ପଙ୍କଜ—ପଙ୍କଜର ବିପୁଳ ସମାରୋହ ତା’ ପଦ୍ମଚରଣ ପାଖରେ ।

 

ତେବେ କିଏ ଏଇ ଯୁବକ ଆଉ ଯୁବତୀ ? କ’ଣ ସଂପର୍କ ଏମାନଙ୍କ ଭିତରେ ? କେମିତି ଏମାନେ ଏକତ୍ର ଯାଉଛନ୍ତି ବିଦେଶ ଭ୍ରମଣରେ ?

 

ଲକ୍ଷେ ପ୍ରଶ୍ନ ଉଠିଲା ମନରେ । ଭ୍ରୂ ବରମ୍ବାର କୁଞ୍ଚିତ ହେଲା । କିନ୍ତୁ ଉତ୍ତର ମିଳିଲା ନାହିଁ-। ହଠାତ୍...ତଡ଼ିତ୍ର ଗୋଟାଏ ସ୍ପନ୍ଦନ ଖେଳିଗଲା । ଗୋଟାଏ ଶବ୍ଦ ଆସି ଧକ୍କା ମାଇଲା ଦୁଆରେ...ଭଉଣୀ ?

 

କୁମାରୀ ହଠାତ୍‍ ସ୍ଥିର ହୋଇଗଲା । ଥକ୍କା ହୋଇ କ୍ଷଣେ ଚାହିଁଲା । ସବୁ ଅନ୍ଧାର ପାତଳ ହୋଇ ଆସିଲା ଧୀରେ ଧୀରେ । ...ହୋଇଥିବ । ପାଦରୁ ମସ୍ତକ ଯାଏ ସୁନ୍ଦର ସାମଞ୍ଜସ୍ୟ ଅଛି । ଏକା ଛାଞ୍ଚ, ଏକା ମାଟି, ଏକା ଲାବଣ୍ୟ । ହଁ ସବୁ ଏକା । ଏକା ମା’ ପେଟର ଦୁଇଟି ପୁଅ ଆଉ ଝିଅ, ଭାଇ ଓ ଭଉଣୀ । କଳାଛାଇ କ୍ରମେକ୍ରମେ ଅପସରି ଗଲା । ବରଂ ନିଜର ନିର୍ବୋଧତା ପାଇଁ ଲଜ୍ଜିତ ହେଲା ସେ ମନେମନେ ।

ଡିଷ୍ଟାଣ୍ଟ୍‍ ସିଗ୍‍ନାଲ୍‍ ଆସିଯାଇଛି । ଗାଡ଼ିର ଗତି କମି ଆସୁଛି ଆସ୍ତେଆସ୍ତେ । ମିନିଟ୍ଏ, ଆଉ ଗୋଟିଏ ମିନିଟ୍ର ବ୍ୟବଧାନ ମାତ୍ର । ତା’ପରେ ସାରା ଜୀବନ ଲାଗି ଏ ନାଟକର ଯବନିକା ପତନ ।

କୁମାରୀ ତରୁଣୀର ହାତ ଧରିଲା—ମତେ କ୍ଷମା କରିବ ଭଉଣୀ ! ମୁଁ ତୁମକୁ ଭୁଲ୍‍ ବୁଝିବାର—

ବୃଦ୍ଧ କହିଲେ—ହଁ ମା, ସିଏ ବୁଝିଲା, ତମେ ଦୁହେଁ ସ୍ୱାମୀ ସ୍ତ୍ରୀ ।

ତରୁଣୀ ସାମାନ୍ୟ ଟିକିଏ ହସିଲା । କହିଲା—ନା, ତା’ ନୁହେଁ । ମୁଁ ଜାଣେ ସିଏ କ’ଣ ବୁଝିଲା ।

କୁମାରୀ ପୁଣି ଯୋଡ଼ହସ୍ତରେ କହିଲା—ତମେ ବୁଦ୍ଧିମତୀ, ତମେ ପବିତ୍ର, ତମେ ଦେବତାର ପୂଜା ପୁଷ୍ପ । ମାଟିର ଜୀବ ମୁଁ । ନ ଜାଣି ତମ ଶୁଭ୍ର ଅଙ୍ଗରେ ପଙ୍କ ବୋଳିଥିଲି, ମତେ କ’ଣ କ୍ଷମା...

ତା’ କଥା ତା’ ତୁଣ୍ଡରେ ଅଛି, ନିଦ ମଳମଳ ଆଖିରେ ଉଠି ଆସିଲା ଟିକି ଝିଅଟି । ତା’ ଦରୋଟି କଣ୍ଠରେ ଖନଖନ ହୋଇ କହିଲା—ମା,’ ତୁ କେଇତି ଅଥୁ ? ବାବା କ’ନ ଆମକୁ ଛାଲି ଚାଲିଗଲା ?

 

ନା’ରେ, ହେଇ ତ ବାବା ତୋ’ ଆଗରେ । ଆମକୁ ଛାଡ଼ି ଚାଲିଯିବ କେମିତି ?

 

ହିମାଳୟର ଉଚ୍ଚତମ ଗିରିଶୃଙ୍ଗରୁ ଗିରିତଳର ଅତଳ ଗହ୍ୱରକୁ ଆଖି ପିଞ୍ଛଡ଼ାକେ ଗଡ଼ଗଡ଼ ହୋଇ ଖସିପଡ଼ିଲା କୁମାରୀ । ...ଗାଡ଼ି ସେତେବେଳକୁ ଠିକ୍‍ ପ୍ଲାଟ୍‍ଫର୍ମରେ ପହଞ୍ଚୁଥିଲା । ଗୋଟାଏ ଚଳନ୍ତା ଟ୍ରେନ୍‍ ଖୁବ୍‍ ଜୋରେ ଘର୍ଘର ଶବ୍ଦ କରି ମେଲ୍‍ ସାଙ୍ଗରେ ଘସି ହେଲା ଭଳି ତା’ ବିପରୀତ ଦିଗକୁ ପାସ୍‍ କଲା । କାନ ଝାଇଁଝାଇଁ ହେଇଗଲା । ତା’ ଆଗରୁ ମୁଣ୍ଡ ହେଲା ଝାଇଁଝାଇଁ-। କୁମାରୀ ବସିପଡ଼ିଲା । ସବୁ ହେଲା ଅନ୍ଧାର, ଶୂନ୍ୟ, ମିଥ୍ୟା ।

 

ତରୁଣୀ ତୀକ୍ଷ୍‍ଣ ଦୃଷ୍ଟିରେ ତା’କୁ ଚାହିଁ ରହିଥିଲା । କ’ଣ ଭାବିଲା ହସିଦେଲା । କିନ୍ତୁ ଏ ହସ କଳକଳ ନୁହେଁ, ଛଳଛଳ ନୁହେଁ । ଏଥିରେ ଉଦ୍ଦାମତା, ଉତ୍‍ଶୃଙ୍ଖଳତାର ଲେଶ୍ ବି ନାହିଁ । ସେ ଅସ୍ୱାଭାବିକ ଭାବେ ଶାନ୍ତ ଆଉ ଥିର । ବାହାର ଅପେକ୍ଷା ଭିତର ଆହୁରି ଥିର । ସାମାନ୍ୟ କମ୍ପନଟିଏ ବି ନାହିଁ । ମୁହଁରେ ଖାଲି ସରୁ ହସର କ୍ଷୀଣ ରେଖାଟିଏ ।

 

ମୁହୂର୍ତ୍ତ ପରେ ମୁହୂର୍ତ୍ତ କଟିଲା । କାହାରି ମୁହଁରେ ଭାଷା ନାହିଁ । ଷ୍ଟେସନର କୋଳାହଳ ବଢ଼ିଛି । ଦୁଇଜଣ ନୂତନ ଯାତ୍ରୀ କୋଠରୀକି ଉଠିଛନ୍ତି । ଅଥଚ ଏ ଦୁଇଜଣଙ୍କର କୁଆଡ଼କୁ ଲକ୍ଷ୍ୟ ନାହିଁ । ମୂଳ, ନିର୍ଜୀବ, ପଥର ପ୍ରତିମା । ଉତ୍ସବ ସରିଯାଇଛି । ଆଜି ଶୂନ୍ୟ ହୃଦୟର ଅନନ୍ତ ନୀରବତା । କହିବାକୁ କିଛି ନାହିଁ । କରିବାକୁ କିଛି ନାହିଁ । ଖାଲି ଯୁଗଯୁଗ ଧରି ଏମିତି ବସି ରହିବାକୁ, ଚାହିଁ ରହିବାକୁ ଅଖଣ୍ଡ କାମନା ।

 

ବୃଦ୍ଧହିଁ ନୀରବତା ଭଙ୍ଗ କଲେ । ଝିଅକୁ କହିଲେ ଆମ୍ମା, ମାନମ୍ ଏଲ୍‍ତାଉଁ । ଦକ୍ଷିଣଓେଲେ ଓଣ୍ଡି ଏଲିପୋତେନ୍ଦି । ଆମେ ଯିବାର ଅଛି । ଦକ୍ଷିଣଗାଡ଼ି ଚାଲିଯିବ ଯେ ।

 

କୁମାରୀ ଉଠିଲା । ତରୁଣୀ ବି ଉଠି ଠିଆ ହେଲା । ବିଦାୟ ଦେବା ପାଇଁ ଆବେଗ ନାଇଁ, ଅଶ୍ରୁବି ନାଇଁ । ସବୁ ନିଃଶେଷ ହୋଇ ଯାଇଛି ମୁହୂର୍ତ୍ତକ ଆଗରୁ । ଦୁହେଁ ଖାଲି ପରସ୍ପର ମୁହଁକୁ ଚାହିଁ ରହିଲେ । ପଦେ ବି କଥା ବାହାରିଲା ନାହିଁ ।

 

ବୃଦ୍ଧ ହାତ ଯୋଡ଼ି ପ୍ରମାଣ କଲେ ତରୁଣକୁ । ତରୁଣ ଉଠି ପଡ଼ି ତାଙ୍କ ହାତ ଧରିଲେ । ଇଂରେଜୀରେ କହିଲେ—ମୁଁ ଆପଣଙ୍କ ପୁତ୍ର ସମାନ । ମୋତେ ପ୍ରଣାମ କରି ଲଜ୍ଜା ଦିଅନ୍ତୁ ନାଇଁ । ...ତରୁଣ ମୁଣ୍ଡ ନୋଇଁ ତାଙ୍କୁ ପ୍ରଣାମ କଲେ । ବୃଦ୍ଧ ପଚାରିଲେ—ଆପଣଙ୍କ ପରିଚୟ ପାଇ ପାରିଲି ନାହିଁ ।

 

ମୁଁ ପରାଶର ମିଶ୍ର । ସାମାନ୍ୟ ଏକ ଲେକ୍‍ଚରର୍ । ଆଉ ଆପଣ ?

 

ଜଣେ ନଗଣ୍ୟ ବ୍ୟବସାୟୀ । ପି.ଭି. ନରସିଂ ରାଓ ।

 

ଯେତେ ଥିର ହେଲେ ବି ଆଖି ବୋଲ ମାନିଲା ନାହିଁ । ଗୋଟିଏ ଧାର ଥରି ଥରି ଝରି ଆସିଲା ଗାଲ ଉପରେ । ତରୁଣୀ ମୁହଁ ବୁଲାଇଲା । କୁମାରୀ ତଥାପି ଅଚଳ । ମେଘ ଘୁଞ୍ଚିନାଇଁ । ଘୁଞ୍ଚିବାର ଅବକାଶ ନାଇଁ । ବରଂ କଳାବାଦଲ ବେଳୁବେଳ ବେଶୀ ବେଶୀ ଜମାଟ ବାନ୍ଧୁଛି ।

 

ଗାଡ଼ିର ଘଣ୍ଟି ହେଇଗଲା । ବୃଦ୍ଧ ଉଚ୍ଛନ୍ନ ହେଲେ ଯିବାକୁ । କୁମାରୀ ବୁଲି ପଡ଼ି ଧୀରେ ଧୀରେ ଗୋଟିଏ ପାଦ ଆଗେଇଲା । ତରୁଣୀ ଧରିଲା କୁମାରୀର ହାତ । ଖୁବ୍‍ ଜୋରେ ଜାବୁଡ଼ି ଧରିଲା । ଆଖିରୁ ବେଶୀ ବେଶୀ ବୋହିଲା ଧାର । କହିଲା—ନାଁ ବି କହିବୁ ନାଇଁ ? ଏତେ ଘୃଣା-?

 

କୁମାରୀ ଆଉ ସମ୍ଭାଳି ପାରିଲା ନାଇଁ । କଇଁ କଇଁ ହେଇ କାନ୍ଦି ଉଠିଲା । କିନ୍ତୁ କିଛି କହିଲା ନାଇଁ । ଖାଲି ଗୋଟିଏ ପଦ ରାଜଲକ୍ଷ୍ମୀ ।

 

ଦ୍ୱିତୀୟ ଘଣ୍ଟି ହୋଇଗଲା । ଦୂରରୁ ଶୁଭିଲା ଗାଡ଼ିର ଘନ ଘନ ହୁଇସିଲ୍ । କୁମାରୀ ତଳକୁ ଓହ୍ଲାଇଗଲା । ଦୁହିଁଙ୍କ ଆଖିରୁ ବେଶୀ ବେଶୀ ବୋହିଲା ଧାର । ଦୁହେଁ ଦୁହିଁଙ୍କୁ ଅପଲକ ଆଖିରେ ଚାହିଁ ରହିଲେ । ଗାଡ଼ିର ହୁଇସିଲ୍‍ ଶୁଭିଲା । ଗାଡ଼ି ଧୀରେ ଧୀରେ ଚାଲିବାକୁ ଲାଗିଲା । କୁମାରୀ ଆକୁଳ ହୋଇ ପଚାରିଲା—ତମେ କିଏ ? ତମ ନାଁ ?

 

ତରୁଣୀ ଆଖିରେ ଅଶ୍ରୁର ପାରାବାର । ଦେହ, ମନ, ପ୍ରାଣ ଉଦବେଳ ହେଇ ଉଠୁଛି । ମନେ ହେଉଛି ସତେ କି ସେ ଭାଙ୍ଗି ପଡ଼ିବ । ବହୁ କଷ୍ଟରେ ଲୁହ ଚାପି କୋହ ଚାପି ଉତ୍ତର ଦେବାକୁ ଚେଷ୍ଟା କଲା । କିନ୍ତୁ ପାରିଲା ନାଇଁ । କେବଳ ଗୋଟିଏ ପଦ ବାହାରିଲା—ତରୁ ।

 

ଗାଡ଼ିର ଗତି ବଢ଼ିଥିଲା । ଆଉ ରାଜଲକ୍ଷ୍ମୀ ଦିଶିଲା ନାଇଁ । ଷ୍ଟେସନ ଦିଶିଲା ନାଇଁ । ଲୋକେ ଦିଶିଲେ ନାଇଁ । ଅନ୍ଧାର । ସବୁ ଖାଲି ଅନ୍ଧାର । ଘନ ଅନ୍ଧକାର ଭିତରେ ଅନ୍ଧ ହୋଇଗଲା ତରୁ । କାନ୍ଦି କାନ୍ଦି ଖୋଜି ଖୋଜି ଲୋଟି ପଡ଼ିଲା ଆସି ଶେଯ ଉପରେ । ସେଇ ଟିକି ଝିଅଟିକି ଛାତି ଉପରେ ଜାକିଧରି କହିଲା ହଁ, ମୁଁ ତୋ’ ମା’ । ସିଏ ତୋ’ ବାବା । ସିଏ ତୋ ବାବା ।

 

–ତିନି–

 

‘ରସ ଯା’ ଚାଲି ଯା’ ଧୀରେ ଧୀରେ ଛନ୍‍କା ଛପାଇ ଛାତିରେ’..ବାବ୍‍ବାରେ ଆଲୁଅ..ହାଇ, ହାଇ, ହାଇ—ଫଟା ଜାମା, ଫେଟା କରିଆ, କାନରେ ଫୁଲ, ବେକରେ ମାଳେ ଛିଣ୍ଡା କନା, ଗୋଟେ ହାତରେ ସଢ଼େଇ, ଆର ହାତରେ ଗୋଟାଏ ବାଇଜା ହାଣ୍ଡି, ମୁଣ୍ଡବାଳ ଫୁରୁଫୁରୁ, ପାଦରେ ଦି’ହଳ ଘୁଙ୍ଗୁର ନାଚି ନାଚି, ଡେଇଁ ଡେଇଁ, ହସି ହସି, ଗୀତ ଗାଇ ଗାଇ ବାଇଆ ଧାଇଁଛି । ପଛରେ ଗୋଡ଼େଇଛନ୍ତି ମାଳେ ପିଲା । ଠୋ ଠୋ ହସରେ ରାସ୍ତା ଫାଟୁଛି ।

 

ବାଇଆ ପୁଣି ଗାଇଲା—

 

‘ଯା’ ଯା’ ଯା’ ରସିଆରଜା ! ଫୁଲେ ଫୁଲେ ଯା’ ଯା’ ଯା’ ଯା’

 

ଫୁଲେଇ ଯା’ ଯା’

 

ଯା’ ରସିଆରଜା ।’

 

ଖାଲି ଗୀତ ନୁହେଁ ତ, ତା’ ସାଙ୍ଗରେ ନାଚ, ଆକ୍ଟିଂ, ଆଖିଠାର, ଅଶ୍ଳୀଳ ଇଙ୍ଗିତ...ବେହିଆ ପଣରେ ସରିଯାଇଛି । ବାଇଆ ଆଗେଇଛି । ତା’ ସାଙ୍ଗେ ସାଙ୍ଗେ ପିଲାଏ ବି ଆଗେଇଛନ୍ତି । କିଏ ହସୁଛି, କିଏ ସୁସୁରି କାଟୁଛି, କିଏ କହୁଛି—ଭେଲାରେ ଭେଲାରେ ଭେଲାରେ ଭେଲା । ବାଇଆର ଗତି ପୁଣି ବଦଳିଲା । ଏଥର ପଦ୍ୟରୁ ଗଦ୍ୟକୁ ଗତି । କେତେ ମୁଖ ବିକୃତି, ସ୍ୱର ବିକୃତି । ସହରଟା ଯାକର ଲକ୍ଷେ ଲୋକର ଲକ୍ଷେ କଥା ତା’ କାନରେ ପଡ଼ୁଛି । ଯେତେବେଳେ ଯାହା ମନକୁ ଆସିଲା, ତାହା ଅଲକ୍ଷ୍ୟରେ ସ୍ୱତଃ ବାହାରି ଆସୁଛି ମୁହଁରୁ ।

 

....ଜୟ ବୀର ଉତ୍କଳ ଓଡ଼ିଶା...

 

...କୂଅରୁ କଢ଼େଇବ ଲୋଟା...

 

ପୁଣି ଟିକିଏ ରହି—‘କାଛୁ, କୁଣ୍ଡିଆ, ଯାଦୁ, ବିଇଁଚି, ମଚଳା, କନ୍ଦା, ଚମଦଳାର ଅବ୍ୟର୍ଥ ଔଷଧ ‘ବିଜୁଳି ମଲମ’ ।

 

ଆଉ ଟିକିକ ପରେ—

 

‘ଖାଇଯା’, ମନ ମୋହିଯା’

ଦେଇଯା’, ସଙ୍ଗେ ନେଇଯା’

ରଖିଯା’, ଖଣ୍ଟକୁ ଖୋଇଯା’ ।

 

କେତେବେଳେ ପେଡ଼ାବାଲାର କଥା, କେତେବେଳେ କୂଅ ବୁଡ଼ାଳିର କୌତୁକ ଧ୍ୱନି, କେତେବେଳେ ଅବା ପାଞ୍ଜିବିକାଳିର କର୍କଶ ଶବ୍ଦ—‘କୋହିନୂର ପ୍ରେସ୍‍ ପାଞ୍ଜି ।

 

ନୂଆ ଡାଏରୀ

 

ନୂଆ କାଲେଣ୍ଡର’ ।

 

(ଅବିକଳ ଯେମିତି ସେ ଭଦ୍ରଲୋକ ଜଣକ କଚିରୀ ଆଉ ଷ୍ଟେଟ୍‍ ବ୍ୟାଙ୍କରେ କହି କହି ବୁଲନ୍ତି, ଯାହା ଶୁଣିଲେ ମଣିଷ ଠୋ’ କିନା ଚମକି ପଡ଼େ ଏବଂ ମନେହୁଏ ଯେମିତି ସିଏ ମାରିବେ-!!)

 

ପୁଣି ସବୁ ଗଲା ପାସୋର । ଘୁଙ୍ଗୁର ବାଜିଲା ରୁଣୁଝୁଣୁ । ନାଚ ଖଣ୍ଡେ ଆରମ୍ଭ ହୋଇଗଲା । ତାଳରେ, ବେତାଳରେ, ସପ୍ତତାଳରେ ଯୁଆଡ଼େ ମନ ଗଲା, ଯାହା ମନକୁ ଆସିଲା । ତା’ ସାଙ୍ଗେ ସାଙ୍ଗେ ଚାଲିଲା ଗଣ ସାହିତ୍ୟ–ପାଣି କବିଙ୍କ ବାଣୀ—

 

‘ମୁଁ ଭାଟ କାମ ଛାଡ଼ି ନାଟ କରିବିରେ,

ବୋଲି ତାକିଟି ତାକିଟି

ଡୁବି ତାବଲାକୁ ପିଟି

ହାରାମନିଆରେ ହାତ ମାରିବିରେ ।

ମୁହେଁ ବୋଳି କଳାଖଡ଼ି

ଆନନ୍ଦରେ ଯିବି ଗଡ଼ି....

 

ସାଙ୍ଗେ ସାଙ୍ଗେ ନିପଟ ଦାଣ୍ଡଧୂଳିରେ ଗଡ଼ିଗଲା ପରସ୍ତେ । ଦେହ, ହାତ, ମୁଣ୍ଡ ସବୁ ହେଲା ଧୂଳି ଧୂସର । ଆଉ ଉଠିଲା ବେଳକୁ ଗୀତ ମନେ ନାଇଁ । ସେ ଗଲା ଚୁଲୀକି । ପୁଣି ଚାଲିଲା ନୂଆ ଗୀତ, ନୂଆ ରସ । ଏକାବେଳକେ ପ୍ରେମ ସଙ୍ଗୀତ—

 

‘ଶୀତ ରାତି ପ୍ରୀତିସାଥୀ ଡାକେ ଖିଡ଼ିକି ଫାଙ୍କେ’ ।

 

ତା ସାଙ୍ଗେ ସାଙ୍ଗେ ଅଭିସାରିକାର କଣ୍ଠ, ଅଭିସାରିକାର ଗତି, ଆଖିଠାର, ମୃଦୁହସ, ତେରେଛ ଚାହାଣୀ...ପୁଣି ଗୋଟାଏ ଢଗ—

 

କଣ୍ଟା ଫିରିକି

ଏତେ କଥା ବୋଲି ଜାଣି ଥିଲିକି.......

କାନିରେ ବାନ୍ଧିଲି ଲୁଣ

ଏଇ ନଈ ଖଣ୍ଡି ପାରି ହୋଇଲେ ଲୋ

ବୋଉ କହିବି ସବୁରି ଗୁଣ.......

 

ଲୋକେ ହସି ହସି ବେଦମ୍ । ଲୋଚାକୋଚା ହୋଇଗଲେଣି । ପିଲାଗୁଡ଼ାକ ହୋ ହୋ ଘୋ ଘୋ କମ୍ପାଉଛନ୍ତି । ଘର ବାହାର କରତାଳିରେ ଫାଟି ପଡ଼ିଛି । ଟଂକିନା ଘଣ୍ଟା ବାଜିଲା । ପରଦା ପଡ଼ିଲା ।

 

ପ୍ରେକ୍ଷାଳୟ ହେଲା ଆଲୋକିତ । ଦର୍ଶକଙ୍କ ମୁହଁରେ ଏତେବେଳ ଯାଏଁ ହସ ଲାଖି ରହିଛି । ଜଣେ ନୂଆ ଭୁଆସୁଣୀ ସ୍ଥାନ କାଳ ଭୁଲି ତା ସଙ୍ଗିନୀର ହାତ ଚୁମୁଟି ଦେଇ କିଲ୍‍ କିଲ୍‍ ହୋଇ ହସୁଛି । ଆଉ ଜଣେ ସମବୟସୀ ସେଇ ଭୁଆସୁଣୀ ଉପରକୁ ଢଳିପଡ଼ି ନରମ ଗଳାରେ କହୁଛି—‘ଡାକେ ଖିଡ଼ିକି ଫାଙ୍କେ’,...ତିନିହେଁ ହସି ହସି ଗଡ଼ି ଯାଉଛନ୍ତି ।

 

ରଙ୍ଗମଞ୍ଚ ପୁଣି ଆଲୋକିତ ହେଲା । ପରଦା ଉଠିଲା । କିନ୍ତୁ ଯିଏ ଦେଖାଦେଲେ, ସେ ଅଭିନେତା ନୁହଁନ୍ତି, ସେହି ରଙ୍ଗମଞ୍ଚର ଜଣେ ବିଶିଷ୍ଟ ପୃଷ୍ଠପୋଷକ ଓ କଳାପ୍ରେମୀ ଶ୍ରୀ ଜୟନ୍ତ ରାୟ-। ସେ ଅତି ବିନୟ ଓ ନମ୍ରତା ସହ କୃତାଞ୍ଜଳି ପୁଟରେ କହିଲେ—ଆପଣମାନେ ବର୍ତ୍ତମାନ ଯାହାଙ୍କର ଅଭିନୟ କଳାରେ ମୁଗ୍ଧ ହେଇ ଘନ ଘନ କରତାଳି ଦ୍ୱାରା ତାଙ୍କୁ ଅଭିନନ୍ଦନ କଲେ, ତାଙ୍କର ସାମାନ୍ୟ ଟିକିଏ ପରିଚୟ ଦେବାକୁ ମୁଁ ଏଠି ଠିଆ ହୋଇଛି । ସେ ହେଉଛନ୍ତି ଶ୍ରୀ ମାନସରଞ୍ଜନ ପ୍ରତିହାରୀ, ଯିଏ କେବଳ ଜଣେ ଦକ୍ଷ ଓ ସାର୍ଥକ କଳାକାର, ତା’ ନୁହେଁ, ଧନ ଜନ ମନ ବୁଦ୍ଧି ସମସ୍ତ କଳାର ସେବାରେ ଅର୍ପଣ କରି ସିଏ ଏକାବେଳକେ କଳା ପାଇଁ ପାଗଳ, ତନ୍ମୟ, ବିଭୋର । ସେ ଆମର ଏଇ ‘ଜନଶକ୍ତି’ ରଙ୍ଗମଞ୍ଚକୁ ଆକୁଣ୍ଠିତ ଚିତ୍ତରେ ବିପୁଳ ଅର୍ଥ ଦାନ କରି ଆମର ତଥା ଜନସାଧାରଣଙ୍କର ସ୍ନେହ, ଶ୍ରଦ୍ଧା, ଭକ୍ତି ଓ ପ୍ରୀତିର ଭାଜନ ହୋଇଛନ୍ତି-। ଏ ଅନୁଷ୍ଠାନ ତରଫରୁ ମୁଁ ତାଙ୍କୁ ପୁଣି ଥରେ ଗଭୀର କୃତଜ୍ଞତା ଓ ସ୍ନେହ ଜଣାଉଛି ।

 

ଟିକିଏ ରହି—

 

....ଆଜିର ଏହି ଅଭିନୟରେ ଆପଣମାନେ ଯେପରି ପ୍ରୀତ ହୋଇଛନ୍ତି, ଏଇ ରଙ୍ଗମଞ୍ଚର ବୋର୍ଡଅଫ୍ ଡିରେକ୍ଟର ସେହିପରି ଗଭୀର ପ୍ରୀତି ଓ ସନ୍ତୋଷ ଲାଭ କରିଛନ୍ତି । ତା’ର ନିଦର୍ଶନ ସ୍ୱରୂପ ଏଇ ସାମାନ୍ୟ ସ୍ୱର୍ଣ୍ଣପଦକ ବୋର୍ଡ ତରଫରୁ...ଆସନ୍ତୁ ମାନସ ବାବୁ !

 

ସ୍ୱନାମଧନ୍ୟ ଦାନୀ ଓ ଅଭିନେତା ମାନସରଞ୍ଜନ ପୁଣି ଥରେ ମଞ୍ଚରେ ଦେଖାଦେଲେ । ସେଇ ବେଶ, ସେଇ ଘୁଙ୍ଗୁର, ବାଇଜା ହାଣ୍ଡି...ତାଙ୍କୁ ଦେଖୁଁ ଦେଖୁଁ ପ୍ରେକ୍ଷାଳୟରେ ପୁଣି ଏକ ବିପୁଳ କଳଧ୍ୱନି ଖେଳିଗଲା । ତରୁଣୀଗୁଡ଼ାକ ଫେଁ ଫେ ହସି ଉଠିଲେ । ପଛ ବେଞ୍ଚରୁ ଶୁଭିଲା ଘନ ଘନ ସୁସୁରି ।

 

ଜୟନ୍ତ ରାୟ ତାଙ୍କ ଚିତ୍ରବିଚିତ୍ର ଛିଣ୍ଡାକନାର ମାଳରେ ପିନ୍ଧେଇ ଦେଲେ ସ୍ୱର୍ଣ୍ଣପଦକ । ବେକରେ ଲମ୍ବାଇଲେ ଦୁଇଟା ମୋଟା ଗଜରା ଫୁଲର ହାର ଆଉ ହାତରେ ଦେଲେ ଏକ ବିରାଟ ଗୋଲାପ ଫୁଲର ତୋଡ଼ା । କରତାଳିରେ କାନଅତଡ଼ା ପଡ଼ିଲା । ବିଶିଷ୍ଟ ଅଭିନେତ୍ରୀ ସଂଧ୍ୟାରାଣୀ ତାଙ୍କ ନିଜ ପକ୍ଷରୁ ଏକ ଦାମୀ କର୍ପୂରମାଳା ଅର୍ପଣ କଲେ ମାନସବାବୁଙ୍କୁ ଓ ତାଙ୍କୁ ଚାହିଁଚାହିଁ ଏପରି ମନଚହଲା, ମାନସଦୋହଲା ମୁଲାଏମ ହସ ଖଣ୍ଡିଏ ହସିଲେ, ଯୋଉଥିରେ ବିଶ୍ୱାମିତ୍ର କ’ଣ ତାଙ୍କ ପିତା ମଧ୍ୟ ଚହଲି ପାଣି ହୋଇଯିବେ । ପୁଣି ପଡ଼ିଲା କରତାଳି । ଘର ବାହାର ଛାତ ଚଟାଣ ଦୁଲ୍‍ଦୁଲ୍‍ କମ୍ପିଲା । ଲୋକେ ଏକାବେଳକେ ମନ୍ତ୍ରମୁଗ୍ଧ, ବିହ୍ୱଳ । ଇଲେକ୍‍ଟ୍ରିକ୍‍ କ୍ୟାମେରାର ଫ୍ଲାସ୍‍ଲାଇଟ୍‍ ମାନସରଂଜନଙ୍କ ମୁହଁରେ ଘନଘନ ପଡ଼ୁଛି, ଫଟୋ ନିଆ ଚାଲିଛି ।

 

ହଠାତ୍‍ କ’ଣ ହେଲା, ପଛରୁ ଶୁଭିଲା ଏକ ବିରାଟ ଚିତ୍କାର । ଜଣେ ତରୁଣ ପ୍ରେକ୍ଷାଳୟର ମଧ୍ୟଭାଗରୁ ଉଠି ଚଉକି ଉପରେ ଠିଆ ହୋଇଯାଇଁ ଚିତ୍କାର କହିଲେ—ମୁଁ ଏ ସଂପର୍କରେ ଜୟନ୍ତବାବୁଙ୍କୁ କିଛି ପଚାରି ପାରେ କି ?

 

କୋଳାହଳ ହଠାତ୍‍ ବନ୍ଦ ହୋଇଗଲା । ଲୋକେ ସ୍ତବ୍ଧ ହୋଇ ତାଙ୍କୁ ଚାହିଁଲେ । ଜୟନ୍ତ ସଙ୍ଗେସଙ୍ଗେ ଉତ୍ତର ଦେଲ—ନା ନା, ଏଇଟା ବକ୍ତୃତା ରଙ୍ଗମଞ୍ଚ ନୁହେଁ । ଏଠି ପ୍ରଶ୍ନୋତ୍ତରର ସ୍ଥାନ ନାହିଁ । ଆପଣ ବସନ୍ତୁ, ବସନ୍ତୁ । ...ତରୁଣ ଆଉ କ’ଣ କହିବାକୁ ଯାଉଥିଲେ, ଜୟନ୍ତ ଚଟ୍‍ପଟ୍‍ ଘୋଷଣା କଲେ ପରବର୍ତ୍ତୀ ପ୍ରୋଗାମ୍ । ....ଶୁଣନ୍ତୁ, ଏହାପରେ ଏକ ଚମତ୍କାର ନୃତ୍ୟ—‘‘ପୁଷ୍ପର ଜନ୍ମ’’ । ଦେଖୁଦେଖୁ ଆପଣ ପାଗଳ ହୋଇଯିବେ । ରୋମାଞ୍ଚ ଖେଳିଯିବ ସାରା ଅଙ୍ଗରେ । ବିଭିନ୍ନ ଭୂମିକାରେ ଅଭିନୟ କରିବେ ସଂଧ୍ୟା, ସୁଧା, ମାଧୁରୀ ଓ ତିଳୋତ୍ତମା । ଅବଶ୍ୟ ଏ ନୃତ୍ୟ ଆମ ନାଟକ ଅଙ୍ଗ ନୁହେଁ । ଏହା କେବଳ ଆଜି ସଂଧ୍ୟାର ଶ୍ରେଷ୍ଠ କଳାକାର ଶ୍ରୀ ମାନସରଞ୍ଜନ ପ୍ରତିହାରୀଙ୍କ ସମ୍ମାନ ଉପଲକ୍ଷେ । ଆସେ । ନମସ୍କାର ।

 

ଡ୍ରପ୍ ପଡ଼ିଲା ।

 

ଅପରିଚିତ ତରୁଣ ଜଣକ ଉଠି ଚାଲିଗଲେ । ସେ ପ୍ରତି କାହାରି ଦୃଷ୍ଟି ନାଇଁ । ଅଳ୍ପ ଟିକିଏ କୋଳାହଳ ପରେ ପୁଣି ମଞ୍ଚ ଆଲୋକିତ ହେଲା, ଆରମ୍ଭ ହେଲା ନୃତ୍ୟ ।

 

‘ପୁଷ୍ପର ଜନ୍ମ’—ଏକ ଅଭିନବ କଳ୍ପନା ।

 

ଡ୍ରପ୍‍ ଉଠିଲା ପରେ ଦେଖାଗଲା ମଞ୍ଚର ମଧ୍ୟସ୍ଥଳିରେ ଜଣେ ଲାବଣ୍ୟମୟୀ କିଶୋରୀ ନୟନ ମୁଦ୍ରିତ କରି ଦର୍ଶକଙ୍କ ପ୍ରତି ଆଭୂମ ପ୍ରଣାମ କରିଛନ୍ତି—ଠିକ୍‍ ଯେମିତି ପଲ୍ଲୀବାଳା ଚଉରାମୂଳେ ସଂଧ୍ୟାଦୀପ ଜାଳି ଦେଇ ମଥା ନୋଇଁ ପ୍ରାଣର ପ୍ରଣତି ବାଢ଼ିଦିଏ । ବସନ୍ତର ରୂପକ ଅନ୍ୟ ଏକ ଅପରୂପା ତନ୍ୱୀ ଢଳି ଢଳି ନୃତ୍ୟ କରିକରି ଧୀରେଧୀରେ ଆସିଛି ମଞ୍ଚକୁ ଏବଂ ସେହି କିଶୋରୀର ଚଉଦିଗରେ ମୋହନ ନୃତ୍ୟ କରି ତା’ ପ୍ରାଣରେ ଜଗାଇଛି ପୁଲକ । ତନ୍ୱୀ ପରେପରେ ଆସିଛନ୍ତି ଏକ ଦିଗରୁ ମଳୟ, ଅପର ଦିଗରୁ ଜ୍ୟୋସ୍ନୀ—ସେହିପରି ଦୁଇଟି କୋଟି ସୁଷମାମୟୀ ଅପ୍‍ସରୀ ରୂପରେ । ନୃତ୍ୟର ତାଳେତାଳେ, ଛନ୍ଦର ଅପୂର୍ବ ଭଙ୍ଗୀରେ ଜଣକ ପରେ ଜଣେ କିଶୋରୀକି ସ୍ପର୍ଶ କରିଛନ୍ତି । ତା’ର ପ୍ରତି ଅଙ୍ଗରେ ବୋଳିଛନ୍ତି ମଦୁଆ ମଦୁଆ ନିଶା । ତା’ପ୍ରତି ଅସ୍ଥିମଜ୍ଜା, ଶିରାପ୍ରଶିରା ଭିତରେ ଆଣିଛନ୍ତି ତଡ଼ିତ୍ର ସ୍ପନ୍ଦନ । ସେ ଥରି ଉଠିଛି । ଏକ ଅପୂର୍ବ କମ୍ପନ ଖେଳିଯାଇଛି ତା’ ଅନ୍ତରର ନିଭୃତତମ କୋଣରେ । ‘କ୍ରମେ ଜନ୍ମକନ୍ଦରେ ଅଦଭୁତ ହୃନ୍ଦରେ ପଶିଲା ଡାକ ଜଗତର’ । ତା’ ମର୍ମସ୍ଥଳରେ ପୂର୍ଣ୍ଣମାର ଜୁଆର ଉଠିଛି ସାରା ସୃଷ୍ଟିକି ପ୍ଲାବନ କରି । ସେ ଥରିଛି । ଥରିଥରି ଧୀରେଧୀରେ—ଧୀରେଧୀରେ ଟେକିଛି ଟିକିଏ ମଥା, ତା’ପରେ ଆଉ ଟିକେ, ତା’ପରେ ଆଉ ଟିକେ....

 

ଘନଘନ ଘନଘନ ନୃତ୍ୟ କରିଛନ୍ତି ମଳୟ ଆଉ ଜ୍ୟୋସ୍ନା । ଆଉ ଯେତେଯେତେ ନୃତ୍ୟ ହେଇଛି ଉଦ୍ଦାମ, ଉଲ୍ଲୋଳ, ସେତେସେତେ ଶିହରଣ ଆସିଛି ବୁକୁରେ–ରଙ୍ଗୀନ୍‍ ସୁରାର ସ୍ରୋତ ବହିଯାଇଛି ନଖରୁ କେଶ ପର୍ଯ୍ୟନ୍ତ । କମ୍ପନ ବଢ଼ିଛି । ଥରିଥରି ଆହୁରି ଉପରକୁ ଆହୁରି ଉପରକୁ ଟେକିଛି ମଥା । ଶେଷରେ ଅପୂର୍ବ ଲାସ୍ୟର ଭଙ୍ଗୀ ଯେତେବେଳେ ଚୁଡ଼ାନ୍ତ ସ୍ପର୍ଶ କରିଛି, କିଶୋରୀ ଉଦବେଳ ହୋଇ ଉତ୍‍ଥଳ ହୋଇ ଫିଙ୍ଗିଦେଇଛି ସବୁ ଆବରଣ, ଭୁଲି ଯାଇଛି ସବୁ ଲାଜ, ସରମ, ସଙ୍କୋଚ । ଏକାବେଳକେ ମଥା ଟେକି ଦେଇଛି ଉର୍ଦ୍ଧ୍ୱକୁ, ଧୀରେଧୀରେ ଅତିଧୀରେ ଖୋଲିଆସିଛି ନିମ୍ମିଳିତ ନେତ୍ରର ପତା । ସ୍ୱର୍ଗର ଅମୃତ ଭଳି ହାସ୍ୟରେଖା ଝରିପଡ଼ିଛି କମନୀୟ ଅଧର କୋଣରେ । ସେ ଆଜି ପୂର୍ଣ୍ଣ ବିକଶିତ । କିଶୋରୀ ଆଜି ତରୁଣୀ । କଳି ଆଜି ପୁଷ୍ପ । ମଳୟ ଆଉ ଜ୍ୟୋସ୍ନା ମତ୍ତ ଗଜ ଭଳି ଢଳିଢଳି ହସିହସି ଆସି ଗାଢ଼ଭାବେ ଚୁମ୍ବନ କଲେ ପୁଷ୍ପର ଅଧର...

 

ଘନଘନ କରତାଳିରେ ଆକାଶ ପବନ ମୁଖରିତ ହେଲା । ପରଦା ପଡ଼ିଲା । ଆଉ କେତୋଟି ଦୃଶ୍ୟ ଓ ଅଙ୍କ ପରେ ନାଟକର ହେଲା ପରିସମାପ୍ତି । ସେଦିନ ନାଟକର ବିଷୟବସ୍ତୁ ଥିଲା ‘ଶୋଷକର ଅତ୍ୟାଚାର’ । ଶୋଷିତ ‘ଭୋଳାନାଥ’ ଭୂମିକାରେ ଅବତରଣ କରିଥିଲେ ମାନସରଞ୍ଜନ । ଧନିକର ଶୋଷଣ, ପେଷଣ, କଷଣ ନିର୍ଯ୍ୟାତନ ଫଳରେ ସର୍ବସ୍ୱାନ୍ତ ହୋଇ ପଡ଼ିଲେ ମଧ୍ୟବିତ୍ତ ଭୋଳାନାଥ । ଶେଷରେ ସେ ହେଲେ ଉନ୍ମାଦ, ଯାହାର ଅଭିନୟ ଅତି ନିପୁଣଭାବେ ସଂପାଦନ କରି ପ୍ରଶଂସାଭାଜନ ହୋଇଥିଲେ ମାନସ ବାବୁ ।

 

ଅଭିନୟ ଶେଷରେ ହସିହସି ପୁଣି ଥରେ ତାଙ୍କ କରମର୍ଦ୍ଦନ କଲେ ଜୟନ୍ତ ରାୟ । କହିଲେ—ସାବାସ୍ । ତମେ କଳାର ଉପଯୁକ୍ତ ପୂଜାରୀ । ଯଥାର୍ଥ ରସଗ୍ରାହୀ । ମୁଁ ତମର ପ୍ରଶଂସା କରୁ ନାହିଁ । ସୂର୍ଯ୍ୟ ଭଳି ତମେ ନିଜେ ନିଜର ଆଲୋକରେ ଦୀପ୍ତିମନ୍ତ । ଶତ ପ୍ରଶଂସା ତା’ ନିକଟରେ ତୁଚ୍ଛ । ଆସ ଟିକିଏ ନଦୀକୂଳରୁ ବୁଲି ଆସିବା । ଆସ ସଂଧ୍ୟା....

 

ଷ୍ଟଡିବେକରର ଦ୍ୱାର ନିଜ ହାତରେ ଉନ୍ମୁକ୍ତ କରିଦେଲେ ଜୟନ୍ତ । ଫ୍ରଣ୍ଟ ସିଟରେ ଗୋଟିଏ ପାଖକୁ ବସିଲେ ମାନସ, ମଝିରେ ସଂଧ୍ୟା, ଏପଟେ ବସି ଡ୍ରାଇଭ୍‍ କଲେ ଜୟନ୍ତ । ନୟନ ପଲକରେ ଷ୍ଟୁଡିବେକର ଛୁଟିଗଲା ନିର୍ଜନ ସହରର ଛାତି ଉପରେ ।

 

ଦର୍ଶକ ଅନେକବେଳୁ ଚାଲିଯାଇଥିଲେ । ପ୍ରେକ୍ଷାଳୟ ତଥା ପାରିପାର୍ଶ୍ୱିକ ଅଗଣା ଶୂନ୍ୟ-। କେବଳ ଜଣେ ଭଦ୍ରଲୋକ ପାଖ ପାନଦୋକାନ ନିକଟରେ ଠିଆ ହୋଇ ସିଗାରେଟ୍ ଟାଣିଟାଣି ତୀବ୍ର ଦୃଷ୍ଟିରେ ଚାହିଁ ରହିଥିଲେ କାର୍‍କୁ । ତାଙ୍କ ପ୍ରତି କାହାରି ଲକ୍ଷ୍ୟ ନାହିଁ । କାର୍‍ ଚାଲିଯିବା ପରେ ସେ ମଧ୍ୟ ରାଜରାସ୍ତାରେ ପାଦ ଦେଲେ । ପାନ ଦୋକାନୀ ପଛରୁ ଡାକିଲା–ବାବୁ-! ସିଗରେଟ୍‍ ଛାଡ଼ିଗଲେ ଯେ । ...ଭଦ୍ରଲୋକ ଫେରିଲେ । ସିଗାରେଟ୍‍ ପ୍ୟାକେଟଟି ଉଠେଇ ନେଇ କହିଲେ—ହଁ, ପଇସା ଦେବାକୁ ବି ଭୁଲିଯାଇଛି ।

 

ଦୋକାନୀ ହସିଲା । କହିଲା—କିଛି ନାଇଁ, ମୁଁ ପରେ ମାଗି ନେଇଥାନ୍ତି ।

 

ତମେ କ’ଣ ମତେ ଚିହ୍ନିଛ ?

 

ଆପଣ ଏମ୍.ଏସସି ପଢ଼ନ୍ତି ନା ?

 

ଭଦ୍ରଲୋକ ଟିକିଏ ଚାହିଲେ—କେମିତି ଜାଣିଲ ?

 

ଆପଣ ଆଗେ ଆମ ବସ୍ତିରେ ରହୁଥିଲେ । ଭୁଲି ଯିବେଣି । ଯାଆନ୍ତୁ ।

 

ଭଦ୍ରଲୋକ ଚାଲିଲେ । ଭଦ୍ରଲୋକ ଅନ୍ୟ କେହି ନୁହଁନ୍ତି ସେହି ତରୁଣ, ଯିଏ ଅପମାନିତ ହୋଇ ଘଣ୍ଟାକ ଆଗରୁ ପ୍ରକ୍ଷାଳୟ ଛାଡ଼ି ଚାଲିଆସିଥିଲେ । ବଡ଼ ଅନ୍ୟମନସ୍କ, ବିବ୍ରତ । ଦୁଃଖ,ଲଜ୍ଜା, ଯନ୍ତ୍ରଣାରେ ସେ ମ୍ରିୟମାଣ ହେଲାଭଳି ମନେ ଯେଉଥିଲା । ହଷ୍ଟେଲରେ ପହଞ୍ଚି ସେ ପ୍ରଥମେ ଚେୟାର ଟାଣି ଆଣି ଟେବୁଲ ପାଖରେ ବସିଲେ । ପୂଝାରୀ ଡାକି ଡାକି ଫାଟିଫୁଟି ଗଲା । ଉଠିଲେନି । ଜଳସ୍ପର୍ଶ ବି କଲେନି । ଭିତରୁ କବାଟ ବନ୍ଦ କରି ରାଇଟିଂ ପ୍ୟାଡ୍‍ ବାହାର କରି ଲେଖିବସିଲେ ଚିଠି—ବୋଉଦି ! ...

 

ହଷ୍ଟେଲ ଘଣ୍ଟାରେ ଟଂ ଟଂ ହୋଇ ବାର ବାଜିଲା ।

 

–ଚାରି–

 

ବିଭାବରୀ ପାହିପାହି ଆସୁଛି । ଉଷାର ପ୍ରଥମ ଆଲୋକ ଧରିତ୍ରୀର ବକ୍ଷ ସ୍ପର୍ଶ କରି କରି ନାଇଁ । ପକ୍ଷୀର କଳଗୁଞ୍ଜନ ଗଛଲତା ଅନ୍ତରାଳରୁ ରହିରହି ଭାସିଆସୁଛି । ବାରିଧି କୋଳରେ ମୃଦୁ କମ୍ପନ ଖେଳେଇ ସମୀର ବହୁଛି ଶିର୍‍ଶିର୍ ଶିର୍‍ଶିର୍‍ । ଲହରୀମାଳା ବେଳାଭୂମିରେ ମଥା ପିଟୁଛି ଝିର୍‍ଝିର୍‍ ଝିର୍‍ଝିର୍‍ । ସତେକି ଅନନ୍ତ ଭୂମାଙ୍କୁ ପ୍ରଣାମ କରୁଛି ବାରବାର–ଲକ୍ଷେ ବାର । ଆଉ ବିନିମୟରେ ଦେବତାର ଶତ ଆଶୀଷଧାରା ଅନ୍ତରୀକ୍ଷରୁ ଝରିପଡ଼ୁଛି ବିନ୍ଦୁବିନ୍ଦୁ ଶିଶିର ବିନ୍ଦୁରେ-। କୁକ୍‍କୁଟଟିଏ ଡାକ ଛାଡ଼ିଛି—ଚକ୍‍କଧର ! ଚକ୍‍କଧର !

 

ପ୍ରଥମେ ଶୁଭିଲା ଶୁଭ ଶଙ୍ଖର ଧ୍ୱନି । ତା’ପରେ ଘଣ୍ଟା, ଘଣ୍ଟ, ମର୍ଦ୍ଦଳ । ପୁଣି ସବୁ ସ୍ଥିର ହୋଇଗଲା । ଅନ୍ତର ଆଉ ଅନ୍ତରୀକ୍ଷକୁ ଭେଦ କରି ଉଠିଲା ଆର୍ଯ୍ୟଋଷି କଣ୍ଠର ଶାନ୍ତ ପୂତ ଉଦାର ବାଣୀ—

 

ପୂର୍ଣ୍ଣମଦଃ ପୂର୍ଣ୍ଣମିଦ୍ୟ ପୂର୍ଣ୍ଣାତ୍‍ ପୂର୍ଣ୍ଣମୁଦଚ୍ୟତେ

ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ।

ଓଁ ମଧୁବାତା ଋତାୟନ୍ତେ

ମଧୁ କ୍ଷରନ୍ତୁ ସିନ୍ଧବାଃ

ମାଧ୍ୱୀର୍ନ ସନ୍ତ୍ୱୋଷଧୀଃ

 

ତା’ପରେ ସମୂହ ପ୍ରାର୍ଥନା—

 

‘‘ସୁନ୍ଦର ପ୍ରଭାତ କୋଳେ

ଅରୁଣ କିରଣ ଭରି

ଆସ ଜୋତିର୍ମ୍ମୟ ରଥେ

ବ୍ୟୋମେ ପଥେ ଅବତରି ।

ବିହଙ୍ଗମ କଳଗୀରେ

ମଧୁପ ଗୁଂଜନ ଧୀରେ

ଆସ ତରଙ୍ଗିତ ହୋଇ

ମୃଦୁ କମ୍ପେ ଥରିଥରି ।

ଶୀତଳ ସମୀର ଦୋଳେ

ଶତ ଶ୍ୱେତଦଳ କୋଳେ

ଆସ ଶୁଭ୍ର ପାଖୁଡ଼ାରେ

ତରଳ ଜ୍ୟୋତିରେ ଭରି ।’’

 

ରାମକୃଷ୍ଣ ଆଶ୍ରମ । ସ୍ନାନ ସାରି ବିହ୍ୱଳ କଣ୍ଠରେ ଅନ୍ୟାନ୍ୟ ସନ୍ନ୍ୟାସୀମାନଙ୍କ ସହ ପ୍ରାର୍ଥନା ଗାଉଥିଲେ ତରୁ ଓ ପରାଶର । ସାରା ଅଙ୍ଗରେ ସଂଚରି ଯାଉଥିଲା ଅମୀୟ ପୁଲକର ପ୍ରବାହ । ରାତ୍ରି ତୃତୀୟ ପ୍ରହରରୁ ସ୍ନାନ ସରିଛି । କୃଷ୍ଣ କେଶ ସହସ୍ର ସର୍ପ ପରି ଫଣା ବିସ୍ତାର କରି ଲମ୍ବିଯାଇଛି ତଳକୁ । ଦେହରେ ଗୌରିକ ବସନ । ତରୁ ଆଜି ସନ୍ନ୍ୟାସିନୀ । ଆଉ ପରାଶର ? ଶିକ୍ଷାର ଆଡ଼ମ୍ବର ନାଇଁ । ପ୍ରତିଭାର ଅହଙ୍କାର ନାଇଁ । ଧନର ଦାମ୍ଭିକତା ନାଇଁ । ସେ ଏକ ସରଳ, ନିରୀହ, ନିଷ୍ପାପ ଶିଶୁ । ସବୁଦିନ ଭଳି ଆଜି ମଧ୍ୟ ସେ ଅନନ୍ତ ମଙ୍ଗଳମୟ ବିଭୁଙ୍କ ଶ୍ରୀଚରଣାରବିନ୍ଦରେ କାୟମନୋବାକ୍ୟରେ ନିଜକୁ ସମର୍ପି ଦେଇଛି । କୂଳଉଛୁଳା ବନ୍ୟାର ପ୍ରବଳ ସ୍ରୋତରେ ସାମାନ୍ୟ କୁଟାଖିଏ ଯେମିତି ଭାସିଭାସି କାହିଁ କେଉଁ ଅନନ୍ତ ସମୁଦ୍ର ଗର୍ଭକୁ ଚାଲିଯାଏ ନିଜକୁ ରକ୍ଷା କରିବା ପାଇଁ ସାମାନ୍ୟ ପ୍ରଚେଷ୍ଟା ବି କରେ ନାଇଁ, ପରାଶର ଠିକ ସେହିଭଳି ହେବାକୁ ଚାହେଁ । ଛ’ବର୍ଷ କାଳ ଦର୍ଶନ ଅଧ୍ୟୟନ କରି ତା’ ପୂଜ୍ୟ ଦର୍ଶନ-ଅଧ୍ୟାପକଙ୍କ ଠାରୁ ସେ କେବଳ ଏତିକିହିଁ ଶିଖିଥିଲା—

 

ସର୍ବଧର୍ମ୍ମାନ୍‍ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ ।

ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଶ୍ୟାମି ମା ଶୁଚଃ ।।

 

ପ୍ରାର୍ଥନା ସାଙ୍ଗ ହୋଇଛି । ସମସ୍ତେ ନିଜ ନିଜ କର୍ମରେ ଗଲେଣି । କଅଁଳ ସୂର୍ଯ୍ୟର ନାଲି ମୁରୁଯ ଉକୁଟି ଉଠୁଛି ପ୍ରାଚୀ ଗଗନ ପଟରେ । ମାଳମାଳ ବିହଙ୍ଗମ କଳକଳ ରବ କରି ଆକାଶ କୋଳରେ ଭାସି ଭାସି ସତେକି ମିଳେଇ ଯାଉଛନ୍ତି ସିନ୍ଧୁ କୋଳରେ । ସିନ୍ଧୁର ଉତ୍ତାଳ ଲହରୀ ବାର ବାର ଶିର ପିଟି ସହସ୍ର ପ୍ରଣାମ ଜଣାଉଛି ଉଦ୍ଦୀୟମାନ ସହସ୍ରାଂଶୁଙ୍କୁ । ପ୍ରଥମ ସକାଳର ସ୍ୱର୍ଣ୍ଣ ଅଶୁଂରେ ରଞ୍ଜିତ ହୋଇ ପୁଷ୍ପ ହସିଲାଣି, ଭ୍ରମର ଆସିଲାଣି, ବିଶାଖାପତ୍ତନର ବେଳାଭୂମିରେ ଆରମ୍ଭ ହେଲାଣି ଦରିଦ୍ର କୈବର୍ତ୍ତଙ୍କ କର୍ମଜୀବନର ଧାରା ।

 

କେବଳ ସ୍ୱପ୍ନ ଭାଙ୍ଗି ନାଇଁ ଜଣଙ୍କର । ତନ୍ମୟତା ବେଳୁବେଳ ବଢ଼ୁଛି । ଏଇ ଧରଣୀର ଧୂଳି ଆଉ କର୍ଦ୍ଦମ କାହିଁ କେତେ ଲକ୍ଷ ଯୁଣ ପଛରେ ରହିଲାଣି । ପୃଥିବୀ ଛାଡ଼ି, ବିଶ୍ୱର ପ୍ରତି କୋଣ ଅନୁକୋଣ ଭେଦ କରି, ଶଚୀପତି ଇନ୍ଦ୍ରଙ୍କର ଅମରଧାମ ସ୍ୱର୍ଗପୁରୀ ଭେଦ କରି, ଜୟାବିଜୟାଙ୍କୁ ପ୍ରଣାମ ଜଣାଇ, ମା’ ପଦ୍ମାଳୟାଙ୍କ ପଦ୍ମଚରଣରେ କୋଟି ପ୍ରଣତି ଢାଳି ଶେଷରେ ବୈକୁଣ୍ଠପତି, ବିଶ୍ୱପିତା, ସର୍ବ ଶୁଭମୟ, ସର୍ବ କଲ୍ୟାଣମୟ, ପରାପୁର, ପରମେଶ୍ୱର, ପରମ ପିତା, ପରଂବ୍ରହ୍ମଙ୍କ ଶ୍ରୀ ଚରଣରେ ପ୍ରଣତି ନୁହେଁ, ଖାଲି ଅଶ୍ରୁ–ଧାର ଧାର ଅଶ୍ରୁ, ଅଶ୍ରୁର ପ୍ରବାହ, ଅଶ୍ରୁର ମହାସମୁଦ୍ର ଢାଳି ଦେଉଛି ସିଏ । ତନ୍ମୟ, ମୂକ, ଜଡ଼, ଅଥର୍ବ । ଭଗବାନ ଶ୍ରୀ ରାମକୃଷ୍ଣଙ୍କ ସମ୍ମୁଖରେ ପଦ୍ମାସନରେ ବସିଛନ୍ତି ପରାଶର । ଆଖିରୁ ଅହରହ ଝରୁଛି ଅଶ୍ରୁର ଧାରା । ଚେତା ନାହିଁ, ଚୈତନ୍ୟ ନାହିଁ । ନୀରବ, ନୀଥର, ନିଶ୍ଚଳ ।

 

ପାଖରେ ଋଷି ଆଶ୍ରମର ତପସ୍ୱିନୀ ଜାନକୀ ଭଳି ଗୈରିକ ବସନା ତରୁ । କେବଳ ନୀରବ ଦର୍ଶକ ଭଳି ଦଣ୍ଡାୟମାନ ହେବ ସାର ହୋଇଛି । ତୁଣ୍ଡ ଖୋଲିବାକୁ ସାହାସ ହେଉ ନାଇଁ । ଆଶ୍ରମର ଦୁଇଜଣ ସନ୍ୟାସୀ ଆସି ଦେଖି ଦେଖି ଫେରି ଗଲେଣି । କେତେ ସମୟ ଏମିତି ନୀରବରେ କଟିଛି ଜଣାନାଇଁ, ହଠାତ୍ମନ୍ଦିର ଭିତରେ ଏକ ଗୁଞ୍ଜନ ଖେଳିଗଲା । ମୁହଁରେ ହସ, ଆଖିରେ ଅଶ୍ରୁ, କଣ୍ଠରେ ସଙ୍ଗୀତ । ଥର ଥର ଗଳାରେ ଭକ୍ତ ଗାଇ ଉଠିଲେ—

 

‘‘ପ୍ରଭୁ ଦୂର ପ୍ରବାସୀ

ଆସିଛି ଭାସି

ଦୁଃଖେ ହୋଇ ଉଦାସୀ

ଶୁଣି କରୁଣାରାଶି ।’’

 

ତରୁ ମଧ୍ୟ ବିଚଳିତ ହୋଇ ପଡ଼ିଲା । ନୟନ ହେଲା ଲୋତକାପୁତ । ଯାହା ଠିଆ ହୋଇଥିଲା, ଆଉ ଠିଆ ନହୋଇ ଆଣ୍ଠୁ ମାଡ଼ି କରି ଯୋଡ଼ି ବସି ପଡ଼ିଲା ସେଠି । ମୃଦୁ ହିଲ୍ଲୋଳରେ ଶ୍ରୀ ରାମକୃଷ୍ଣଙ୍କ ଶିରୋଦେଶରେ ଦୋଳାୟମାନ ହେଉଥିଲା ଏକ ଅଶୋକ ସ୍ତବକ । ତା’ ବେଳୁବେଳ ବେଶୀ ବେଶୀ ତରଙ୍ଗାୟିତ ହେବାକୁ ଲାଗିଲା । ଭକ୍ତ କଣ୍ଠରୁ ପୁଣି ବାହାରିଲା ଅନର୍ଗଳ ପ୍ରେମର ଧାରା । ତରୁର ଚକ୍ଷୁ ମୁଦି ହୋଇ ଆସିଲା—

 

‘‘କେତେ ଜାଣ ତମେ ସପନ ହୁନ୍ଦର

କେତେ ଜାଣ ତମେ କୁହୁକ ଛଳ,

ଏତେ ବାଗେ ଆସି ପରଖୁ ଅଛକି

ମନ ମୋର ସୁନା କିବା ପିତ୍ତଳ ।

ମୁଁ ନ ଡାକୁ ଆସି ଡାକିଯାଅ ତମେ

ଏ ଦୁଃଖୀ ଦୁଆରେ ପରାଣ ପ୍ରିୟ,

ତୁଣ୍ଡ ବାରି ଘରୁ ବାହାରି ପଡ଼ିଲେ

କେଣେ ଯାଅ ପୁଣି ଦେଖା ନଦିଅ ।’’

 

ପୁଣି ନୀରବତା । ଅଖଣ୍ଡ ନୀରବତା । ପ୍ରାୟ ଅଧଘଣ୍ଟା କଟିଗଲା । ଦୁହେଁ ସେହିଭଳି ସ୍ଥିର ନିଶ୍ଚଳ ହୋଇ ବସି ଥାଆନ୍ତି । ଚକ୍ଷୁ ଅର୍ଦ୍ଧ ନିମିଳିତ । ଧାର ବହି ବହି ଶୁଖି ଗଲାଣି । ଆଉ ଆବେଗ ନାହିଁ, ପ୍ରବଣତା ନାହିଁ । ମନଟି ଗୋଟିଏ ବିନ୍ଦୁରେ କେବଳ ନିବିଷ୍ଟ । ଅନେକ କ୍ଷଣ ପରେ ପ୍ରଥମେ ତରୁହିଁ ଆଖି ଖୋଲିଲା । ଖୋଲି ଧୀରେ ଧୀରେ ଡାକିଲା—ଭାଇ ।

 

ପରାଶର ତଥାପି ତନ୍ମୟ । ଶୁଣି ପାରିଲେ ନାହିଁ । ତରୁ ଟିକିଏ ଜୋରରେ ପୁଣି ଥରେ ଡାକିଲା—ଭାଇ !

 

ପରାଶର ଆଖି ମେଲିଲେ । କହିଲେ—ମା’ !

ବେଳ ଅନେକ ହେଲାଣି, ଉଠ । ତଳେ ରାନୁ ଉଠି ମତେ ନଦେଖି କାନ୍ଦୁଥିବ, ଅଥୟ କରୁଥିବ ନାକାମ୍ମାକୁ । ଚାଲ ।

ପରାଶର କିଛି ନ କହି ଦୋ ମହାଲା ଉପରୁ ଧୀରେ ଧୀରେ ତଳକୁ ଓହ୍ଲେଇଗଲେ । ତାଙ୍କ ପଛେ ପଛେ ଗଲା ତରୁ ।

ସେଇଦିନର ଅପରାହ୍ନ—

ମେଡିକାଲ କଲେଜର ତିନିମହଲା ଉପରେ ଠିଆ ହୋଇ ନିର୍ନିମେଷ ଚାହିଁ ରହିଥିଲା ସିଏ । ଏଇ ଭାଇଜାଗ୍—ଏପଟେ ନୀଳ ପର୍ବତମାଳା; ସେ ପଟେ ସୀମାଚଳମ୍‍ର ଦିଗନ୍ତ ବିସ୍ତୃତ ଘନ ତରୁଶ୍ରେଣୀ—ଏତେ ଘଞ୍ଚ, ଏତେ ନିବିଡ଼ ଏତେ ଶ୍ୟାମଳ, ଏତେ ଶାବ୍ଦଳ ଯେ ତା ସାମାନ୍ୟ ବାନାନୀ ଭଳି ଦିଶେନା, ଚିତ୍ରପଟରେ ଛବି ଆଙ୍କିଲା ଭଳି ଦିଶେ । ଉତ୍ତର, ପଶ୍ଚିମ ଆଉ ଦକ୍ଷିଣ ଯୁଆଡ଼କୁ ଆଖିଯାଏ, ଯେତେଦୂର ନୟନ ପ୍ରସାରିତ ହୁଲ ଖାଲି ବୃକ୍ଷ ଆଉ ବୃକ୍ଷ–ସହସ୍ର, ଲକ୍ଷ, ଅଗଣିତ, ଅଗଣନ, ଅସଂଖ୍ୟ । ଶେଷରେ ଆଉ ବୃକ୍ଷ ଦିଶେନା, ମନେହୁଏ ଯେମିତି ସବୁଜିମାର ସମସ୍ତ ରଙ୍ଗ ଆଉଟି ବିଧାତା ଏଇଠି ଏକତ୍ର ଢାଳି ଦେଇଛି ଅଜସ୍ରଧାରାରେ ।

ଆଉ ଏ ପଟେ ? ପ୍ରାଣ ସ୍ତବ୍‍ଧ ହୋଇଯାଏ । ଚିତ୍ତ ହୁଏ ସ୍ଥିର । ବିଶାଳ ଅମ୍ବୁଧିର ଅନନ୍ତ ବାରିରାଶି ଗଗନ ଚୁମ୍ବିଛି । ଅହରହ ଗର୍ଜନ ଶୁଭୁଛି ତରଙ୍ଗର । ଦୂର ଦିଗ୍‍ବଳୟ କୋଳରେ ଯୋଉଠି ବାରିଧି ଆଉ ବାରିବାହ ମିଶି ଏକାକାର ହୋଇଛନ୍ତି, ସେଇଠୁ ଭାସି ଆସୁଛି ମଙ୍ଗଳମୟ ଭୂମାଙ୍କର ଅନନ୍ତ ସଙ୍ଗୀତ । ତା’ର ପ୍ରତିଧ୍ୱନି ଶୁଭୁଛି ସହସ୍ର ଊର୍ମିରେ । ସବୁ ଚିତ୍ତ ଆଉ ବିତ୍ତ ନେଇ ଅଜାଡ଼ତ ଦେବାକୁ ମନ ହେଉଛି ସେହି ସଙ୍ଗୀତର ଚରଣତଳେ । ସତେକି ସେହି ସଙ୍ଗୀତର ଆହ୍ୱାନ ଶୁଣି ନଗଣ୍ୟ କୈବର୍ତ୍ତ ସହସ୍ର ସଂଖ୍ୟାରେ ପ୍ରବେଶ କରୁଛି ସମୁଦ୍ର ଗର୍ଭରେ । ଦୂରକୁ ଦିଶୁଛି ସାମାନ୍ୟ ବୁଦ୍‍ବୁଦ୍‍ ଭଳି । କେତେବେଳେ ବା ସେଇ ବୁଦ୍‍ବୁଦ୍‍ ମିଳେଇ ଯାଉଛି ଅନନ୍ତତା ଭିତରେ ।

ଭାଇଜାଗ୍‍ର ସୁଷମା ଏତିକିରେ ଶେଷ ହୋଇନି । ଭାଇଜାଗ୍ ଅପ୍‍ସରାର ଦେଶ । ଉପରେ ନୀଳ ନଭ, ଉପକଣ୍ଠରେ ନୀଳ ସାଗର ଆଉ ନୀଳ ପର୍ବତ, ଅଦୂରରେ ନିଘଞ୍ଚ ନୀଳ ବନାନୀ ଆଉ ସର୍ବତ୍ର ଶୁଭ୍ର ସୁମନ ବିମଣ୍ଡିତ ନୀଳବେଣୀମାଳା । ସହରରେ, ଡକ୍‍ୟାର୍ଡରେ, ସିନେମାରେ, ଷ୍ଟେସନରେ, ସୀମାଚଳମ୍‍ ମନ୍ଦିରରେ, ବେଳାଭୂମିରେ ଯୋଉଠି ଯେତେବେଳେ ଯୁଆଡ଼କୁ ଆଖିଯାଏ, ସେତେବେଳେ ଦିଶନ୍ତି ଦଳ ଦଳ ମାଳ ମାଳ ସୁନ୍ଦରୀ ନାଗରୀ, ଯାହାଙ୍କର ସ୍ୱର୍ଣ୍ଣ ଅଙ୍ଗ ବେଳେବେଳେ ଧିକ୍କାର କରେ ପରିହିତ ସ୍ୱର୍ଣ୍ଣହାରକୁ । ଆଉ ସନ୍ଧ୍ୟାକାଳରେ ଅସ୍ତାୟମାନ ସୂର୍ଯ୍ୟରଶ୍ମୀରେ ସ୍ନାନ କରି ଏଇ ବେଳାଭୂମିରେ ଫୁଟେ ପଦ୍ମ ! ଏକ ନୁହେଁ ଅସଂଖ୍ୟ । ପାଦ ଚଞ୍ଚଳ, ମନ ଚଞ୍ଚଳ, ଆଖି ଚଞ୍ଚଳ । ଗଭାରେ ଫୁଲ ଖୋସି, ବେଣୀରେ ଫୁଲର ପେନ୍ଥା ଝୁଲେଇ କିଲ୍‍କିଲ୍‍ ହସି ହସି ଯେତେବେଳେ ବାଲି ଉପରେ ଧାଇଁ ଯାଏ ସେ ପଦ୍ମଗନ୍ଧା ପଦ୍ମିନୀ ନାୟିକା, ମନେହୁଏ ସତେକି ସ୍ୱର୍ଗରୁ ଖଣ୍ଡେ ଛିଡ଼ିପଡ଼ିଛି ମାଟିର ମର୍ତ୍ତ୍ୟରେ ଆଉ ଅପ୍‍ସରୀମାନେ ଧାଇଁଛନ୍ତି ଅସ୍ତବ୍ୟସ୍ତ ହେଇ । ଆନ୍ଧ୍ର ତରୁଣୀର ରୂପ ଅନିନ୍ଦ୍ୟ, ଅନବଦ୍ୟ । ବିଶେଷତଃ କୃଷ୍ଣ କେଶର ଗଭାରେ ସେଇ ଶୁଭ୍ରକୁସୁମର ସଜ୍ଜା ବେଳେବେଳେ ଉର୍ବଶୀର ପରିପାଟୀକି ତୁଚ୍ଛ କରେ ।

ବାରଣ୍ଡାରେ ଠିଆ ହୋଇ ନିବିଷ୍ଟ ଚିତ୍ତରେ ଚାହିଁ ରହିଥିଲା ସିଏ । ପ୍ରକୋଷ୍ଠ ମଧ୍ୟରୁ ଡାକ ଛାଡ଼ିଲେ ଡକ୍ଟର ସାହାଣି—ଆସନ୍ତୁ ତରୁଦେବି ! ଏକାବେଳକେ ମନ୍ତ୍ରମୁଗ୍‍ଧ ହେଇ ରହିଗଲା ଯେ ।

ତରୁ ମୁହଁ ବୁଲାଇଲା । ସାମାନ୍ୟ ଟିକିଏ ହସ ଖେଳିଲା ଓଠରେ । ଘର ଭିତରକୁ ଫେରିଆସିଲା ।

ଡକ୍ଟର ସାହାଣୀ ଭାଇଜାଗ ମେଡିକାଲ କଲେଜର ଆସିଷ୍ଟାଣ୍ଟ ସର୍ଜରି ପ୍ରେଫେସର । ପରାଶରର ବନ୍ଧୁ । ଦୁହେଁ ବେନାରସ ହିନ୍ଦୁ ଇଉନିଭରସିଟିରେ ଏକତ୍ର ପଢ଼ୁଥିଲେ । ପରାଶର ଓ ତରୁ ଭାଇଜାଗରେ ସାହାଣି ଘରେ ଅତିଥି ।

 

ସାହାଣି ତରୁକୁ ଲକ୍ଷ୍ୟ କରି ହସିହସି କହିଲେ—ଦୂରୁପୁ କୋଣ୍ଡୋଲୁ ନୁଣୁୟା ଦୂର ପର୍ବତ ସୁନ୍ଦର ଦିଶେ । ପାଖକୁ ଗଲେ ଭାରୀ କଣ୍ଟାଖଣ୍ଟା, ଅରମା ଅସନା, ବାଘ ଭାଲୁ...

 

ତା ମାନେ ?

 

ମାନେ ଆପଣ ବୁଝିପାରିବେ ନାଇଁ । ଆପଣ ଓଡ଼ିଶାର ଲୋକ । ଆନ୍ଧ୍ର ଆପଣଙ୍କୁ ଭୁସ୍ୱର୍ଗ ଭଳି ମନେ ହେଉଥିବ । କିନ୍ତୁ ଆମେ ଏଇ ଦେଶର ଅଧିବାସୀ । ଆନ୍ଧ୍ରଙ୍କ ଦ୍ୱାରା ପ୍ରତି କ୍ଷେତ୍ରରେ ଆମେ ପଳେପଳେ ନିଷ୍ପେଷିତ ।

 

ତରୁ ହସିଲା ।

 

ହସିଲେ ଯେ, ବିଶ୍ୱାସ ହେଉନି ?

 

ତରୁ କିଛି ଉତ୍ତର ଦେଲାନି । ଜାତୀୟତାରେ ଉଦ୍‍ବୁଦ୍ଧ ହୋଇ ବଡ଼ ଗମ୍ଭୀର କଣ୍ଠରେ ଡକ୍ଟର କହିଲେ—ମନେଥିବ ଏଇ ବିଶାଖାପତ୍ତନ, ଏଇ ଥିଲା ଦିନେ ରାଜମହେନ୍ଦ୍ରିର ଶାସକ ରାୟ ରାମାନନ୍ଦଙ୍କ ଅଧୀନରେ । ଗର୍ବ ଗୌରବର ସାମଗ୍ରୀ ଥିଲା ଉତ୍କଳର ।

 

‘ଅତ୍ୟାଚାରର ପୀଠଭୂମି ଥିଲା ବି ।’

 

ତରୁଦେବି ! —ଆଶ୍ଚର୍ଯ୍ୟ ହେଇ ଡକ୍ଟର ତାଙ୍କୁ ଚାହିଁଲେ ।

 

ତରୁ ହସିଲା । କହିଲା—ଶୁଣନ୍ତୁ । ସେଦିନ ବମ୍ବେମେଲରେ ନାଗପୁର ଯାଉଥିଲି । ସାଙ୍ଗରେ ଭାଇ ଥିଲେ ବି । ବାଟରେ ଦେଖାହୁଏ ମିଷ୍ଟର ଶାଠେଙ୍କ ସହ—ଜଣେ ଉଦ୍ଦୀୟମାନ ମହାରାଷ୍ଟ୍ରୀୟ ଯୁବକ । କଥାକଥାକେ ସେ ଯେମିତି ଓଡ଼ିଶା—ବିଜୟର କାହାଣୀ ଗାଇଲେ, ମୁଁ ତ ପ୍ରଶଂସା ନକରି ରହି ପାରିଲି ନାଇଁ ।

 

ଡକ୍ଟର ସାହାଣୀ ଟିକିଏ କ୍ଷୁବ୍‍ଧ ହେଲେ । କହିଲେ—କିନ୍ତୁ ତାଙ୍କ ଓଡ଼ିଶା ବିଜୟ ଆଉ ଆମ ଦାକ୍ଷିଣାତ୍ୟ ବିଜୟ ଭିତରେ କ’ଣ ତଫାତ ନାଇଁ ?

 

ହଁ ଯଥେଷ୍ଟ ତଫାତ । କାରଣ ତାଙ୍କ ଇତିହାସ ଲେଖିଛୁ ଆମେ ଆଉ ଆମ ଇତିହାସ ବି ଲେଖିଛୁ ଆମେ ।

 

ଏଥର ଡକ୍ଟର ସାହାଣି ଏକାବେଳକେ ହୋ ହୋ ହସି ଉଠିଲେ । କହିଲେ—ଇଏ ଏକାବେଳକେ ପିଲାକଥା । ଇତିହାସ କାହାରି ବ୍ୟକ୍ତିଗତ ନୁହେଁ । ଇତିହାସ ଖାଣ୍ଟି ନିରୋଳ ସତ୍ୟର ଜୀବନ୍ତ ପ୍ରକାଶ ।

 

କିନ୍ତୁ ସେ ଇତିହାସ ପଢ଼ିବାକୁ ଆମର ବେଳ କାହି ? ଧୈର୍ଯ୍ୟ କାହିଁ ? ଆମେ କ’ଣ ବେଶୀ ଅନୁପ୍ରାଣିତ ହେଉନାହୁଁ ଇତିହାସ ଅପେକ୍ଷା ସାହିତ୍ୟରେ ?

 

ସାହିତ୍ୟ ?

 

ଫକୀରମୋହନଙ୍କ ‘ଲଛମା’ ଆଉ କାଳୀଚରଣଙ୍କ ‘ଅଭିଯାନ’ ବଜ୍ରଗମ୍ଭୀର ସ୍ୱରରେ କହେ, ତାଙ୍କ ଶାସନ ଖାଲି ଶୋଷଣ ଆଉ ଆମ ଶାସନ ଏକ ସ୍ୱର୍ଣ୍ଣଯୁଗର ଅୟମାରମ୍ଭ !!

 

ତା’ହେଲେ କ’ଣ ଆପଣ କହନ୍ତି ଏଥିରେ ତିଳେ ବି ସତ୍ୟ ନାଇଁ ? ଏ ଖାଲି ଏକ କପୋଳକଳ୍ପିତ ଗାଥା ?

 

ନା ମୁଁ ତା’ କହେନା । କୌଣସି ରଙ୍ଗ ନଦେଇ ମଣିଷକୁ ମଣିଷ ବୋଲି ଦେଖିବାକୁ ଖାଲି ମୁଁ କହେ । ମଣିଷର ପ୍ରକୃତି ସର୍ବତ୍ର ସମାନ । ଜେତା ମାତ୍ରେହିଁ ଶୋଷକ, ଅତ୍ୟାଚାରୀ, ପରାଂପୁଷ୍ଟ । ଖାଲି ମରହଟ୍ଟା ଅତ୍ୟାଚାରୀ ଆଉ ଓଡ଼ିଆ ଦୟାପରାୟଣ ସୁଶାସକ, ଯୁକ୍ତି କରି ଏହା ପ୍ରମାଣ କରାଯାଇପାରେ, କିନ୍ତୁ ହୃଦୟ ସ୍ପର୍ଶ କଲା ଭଳି ସତ୍ୟ ଏଥିରେ ନାହିଁ ।

 

କିନ୍ତୁ ମହାମହିମ ସମ୍ରାଟ କପିଳେନ୍ଦ୍ରଦେବ, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଗୌଡ଼େଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷାତ୍ତମଦେବ ବା ପ୍ରଥମ ଓଡ଼ିଆ ରାଜଚକ୍ରବର୍ତ୍ତୀ ମହାମେଘବାହନ ସମ୍ରାଟ ଖାରବେଳଙ୍କ କଥା ଶୁଣିଲେ କ’ଣ ଆପଣଙ୍କ ପ୍ରାଣ ଉଦବେଳ ହେଇଉଠେନା ?

 

ଆପଣ କେବେ ଅଫିମ ଖାଇଛନ୍ତି ?

 

ହଠାତ୍ ଏ ପ୍ରଶ୍ନ ?

 

ଅଫିମ ଯେମିତି ଏକ ନିଶା, ଧର୍ମ ସେମିତି ଆଉ ଏକ ନିଶା ଆଉ ଏ ଜାତୀୟତା, ଦେଶପ୍ରୀତି, ରାଜାପାଇଁ ଗର୍ବ ଅଭିମାନ ଠିକ୍‍ ସେମିତି ଅନ୍ୟ ଏକ ପ୍ରକାର ନିଶା ।

 

ଡକ୍ଟର ସାହାଣୀ ପୁଣି ଜୋରେ ହସିଲେ । କହିଲେ—ଆପଣ ତା’ହେଲେ ବୀରତ୍ୱର ପ୍ରାଣଧର୍ମକୁହିଁ ଅସ୍ୱୀକାର କରୁଛନ୍ତି ?

 

କିଲ୍‍ଖାନାର ବୁଚରିଂରେ କ’ଣ ବୀରତ୍ୱ ଥାଏ, ତା’ ମୁଁ ବହୁବାର ଚେଷ୍ଟାକରିଛି ବୁଝିବାକୁ, କିନ୍ତୁ ଆଜିଯାଏ ବୁଝିପାରିନାହିଁ ।

 

କ୍ଷୁବ୍‍ଧ ହେଲେ ଡକ୍ଟର । କହିଲେ—ଯୁଦ୍ଧଟା ଖାଲି ଗୋଟାଏ ବୁଚରିଂ ?

 

ସେଣ୍ଟ୍‍ ପରସେଣ୍ଟ୍ ।

 

ହେଇପାରେ, ଶାନ୍ତ ନିରୀହ ଜନତା ଉପରେ ହିଟ୍‍ଲର ଭଳି ଲୋକ ଯୋଉଠି ରକ୍ତର ତାଣ୍ଡବ ଚଳାଏ, ସେଠି ହୁଏତ ଏହା ହେଇପାରେ ସତ୍ୟ, କିନ୍ତୁ ସବୁ କ୍ଷେତ୍ରରେ କାହିଁକି ?

 

ତରୁ ହସିଲା । କହିଲା—ପୃଷ୍ପମିତ୍ର ବିରୁଦ୍ଧରେ ଅଭିଯାନ ଚଳେଇଥିଲେ ଯେତେବେଳେ ଉତ୍କଳରାଜା ଖାରବେଳ ବା ଗୋଲକୁଣ୍ଡା, ବେରାର ଭେଦ କରି କୀର୍ତ୍ତିର ଜୟସ୍ତମ୍ଭ ତୋଳିଥିଲେ ଯେତେବେଳେ ଲାଙ୍ଗୁଳା ନରସିଂହଦେବ, କହିପାରିବେ, ସେତେବେଳେ କ’ଣ ମଗଧ ଆଉ ଗୋଲକୁଣ୍ଡାର ଜନତା କେହି ଶାନ୍ତ ନଥିଲେ ? ନିରୀହ ନଥିଲେ ?

 

କିନ୍ତୁ ସେମାନେ ବିଦ୍ରୋହୀ ।

 

ଆପଣ ଧନ ବଳରେ, ଜନ ବଳରେ, କ୍ଷମତା ବଳରେ ଅନ୍ଧ ହୋଇ ଧରାକୁ ସରା ଜ୍ଞାନ କରି ମୋ ଉପରେ ଅତ୍ୟାଚାର କରିବେ ଆଉ ମୁଁ ତା’ର ସାମାନ୍ୟ ପ୍ରତିରୋଧ କଲେ ମୁଁ ହେବି ବିଦ୍ରୋହୀ ? ବିପ୍ଳବୀ ? ଏ କ’ଣ ଯୁକ୍ତି ?

 

ଡକ୍ଟର ସାହାଣି ଟିକିଏ ସ୍ଥିର ହୋଇଗଲେ । କହିଲେ—ଆପଣ ବଡ଼ ଥିଓରିଟିକାଲ୍ । ଖାଲି ବହି ପଢ଼ା କଥା କହୁଛନ୍ତି । ଜାତିର ସମ୍ମାନ ପାଇଁ, ଦେଶର ଗୌରବ ପାଇଁ, ଅତ୍ୟାଚାରୀ ଶାସକର ଅତ୍ୟାଚାର ଦମନ ପାଇଁ ଅନେକ ସମୟରେ ଯେ ଯୁଦ୍ଧ ଏକାନ୍ତ ପ୍ରୟୋଜନ ଏବଂ ଉଚିତ, ଏହା ଯେ କୌଣସି ଶାନ୍ତିକାମୀ ବି ସ୍ୱୀକାର କରିବ ।

 

ଏ ଯୁଗର ଶ୍ରେଷ୍ଠ ଚିନ୍ତାନାୟକ ଶ’ କ’ଣ କହିଛନ୍ତି ଜାଣନ୍ତି ? ‘Wars, if you must, but for god’s sake, never war songs’. ଆପଣ ପ୍ରଥମ କଥାଟି କୁହନ୍ତୁ ମାନିବି । କିନ୍ତୁ ଦ୍ୱିତୀୟ କଥା ଏକ ନିରର୍ଥକ ଦୁହା—ନିଜର ହୀନ ସ୍ୱର୍ଥସାଧନ ପାଇଁ ପୁଂଜିପତି ଶାସକର ଏକ ଧୂର୍ତ୍ତ ଛଳନା !

 

ତା’ର ଅର୍ଥ ?

 

ଅତ୍ୟାଚାର ଦମନ ପାଇଁ ହୁଏତ ଯୁଦ୍ଧ ଆବଶ୍ୟକ ହୋଇପାରେ, କିନ୍ତୁ ଏଇ ଦେଶପ୍ରୀତି, ଜାତୀୟତା ଏ କଥା ଶୁଣିଲେ ବୁଦ୍ଧିମାନ୍‍ ଲୋକ ହସିବ !

 

ଠୋ ଠୋ ହସି ଉଠିଲେ ଡକ୍ଟର ସାହାଣି । କହିଲେ—ତା’ ଆଗରୁ ଆପଣ ହସେଇଲେ ମୋତେ । ଦେଶପ୍ରୀତି ନଥିଲେ ଉଦ୍ଦାମସିଂ ଝୁଲି ନଥାନ୍ତା ଫାଶି କାଠରେ କି ସ୍ୱାଧୀନତାର ଶୁଭ୍ର ଆଲୋକରେ ଅବଗାହନ କରି ଆପଣ ଦିଶୁ ନଥାନ୍ତେ ଏତେ ଉଜ୍ଜ୍ୱଳ ଆଉ ଉତ୍‍ଫୁଲ୍ଲ ।

 

ଉଦ୍ଦାମସିଂକି ଶତବାର ପ୍ରଣାମ କରେ ମୁଁ । କିନ୍ତୁ ମେଦିନୀପୁରର ଯୋଉ ଏସ୍. ପି ଆଉ ଡ୍ରିଷ୍ଟିକ୍ଟ୍‍ ମାଜିଷ୍ଟେଟ୍‍ ସଂତ୍ରାସବାଦୀଙ୍କ ହାତରୁ ଗୁଳି ଖାଇ ମଲେ, ତାଙ୍କ ପାଇଁ ଏବେ ବି ମୋ ପ୍ରାଣ ବେଳେବେଳେ ଥରି ଉଠେ ।

 

ଏଁ !! —ଡାକ୍ତର ତଟସ୍ଥ ହେଇ ତାଙ୍କୁ ଚାହିଁଲେ । କହିଲେ—ଭାରତୀୟ ହେଇ ଆପଣ କଥା କହୁଛନ୍ତି ?

 

ଅଷ୍ଟ୍ରେଲିୟାନ୍‍ ହୋଇଥିଲେ ମୁଁ ବୋଧେ ଆହୁରି ନିରପେକ୍ଷ ଭାବରେ ରୋକଠୋକ୍‍ କହି ପାରନ୍ତି । କିନ୍ତୁ ମୁଁ ଭାରତୀୟ । ମୁଁ ସେଇ ଏସ୍. ପି ବା ମାଜିଷ୍ଟ୍ରେଟ୍‍ଙ୍କ ସ୍ତ୍ରୀର ଆଖି ଲୁହ ବା ଛାତିଫଟା କ୍ରନ୍ଦନ ଦେଖି ପାରିବି ନାହିଁ । ଦେଖିବା ଏକ ମସ୍ତ ଅପରାଧ !!

 

କିନ୍ତୁ ସେମାନେ ଯେ ଅତ୍ୟାଚାରର ଚୁଡ଼ାନ୍ତ ସ୍ପର୍ଶ କରିଥିଲେ ? ସେମାନେ ନା ଶାସନକଳ ?

 

ସେମାନେ ବି ବ୍ୟକ୍ତିଗତ ଭାବରେ କମ୍ ଅତ୍ୟାଚାର କରୁ ନଥିଲେ ।

 

ଠିକ୍‍ ସେମିତି ଅତ୍ୟାଚାର ବି କରୁଥିଲେ ଏଇ ଦେଶର କଳା ହାକିମ ହୁକୁମା, ଏସ୍. ପି–ଯିଏ ଥିଲେ କ୍ଷମତାର ଶୀର୍ଷରେ । ଆପଣ କେତେଜଣ କଳା ଏସ୍. ପିଙ୍କୁ ଗୁଳି କରିଛନ୍ତି ? ପରନ୍ତୁ ଯିଏ ସେଦିନ ଲାଲକିଲ୍ଲାରେ ରକ୍ତର ସୁଅ ବୁହାଇଦେଲେ, ତାଙ୍କୁ ଦେଲେ ରାଜ୍ୟପାଳର ସମ୍ମାନ ! ଏଇ ତ ଦେଶପ୍ରୀତି !!

 

ଡକ୍ଟର ସାହାଣି ହଠାତ୍‍ କିଛି କହି ପାରିଲେ ନାହିଁ । ଟିକିଏ ରହି କହିଲେ—ତଥାପି ଉଦ୍ଦାମସିଂ, ଖୁଦିରାମ, ବାଘାଯତୀନ୍, ଲକ୍ଷ୍ମଣ ନାୟକଙ୍କର କ’ଣ କିଛି ମୂଲ୍ୟ ନାହିଁ ? ସବୁ ବୃଥା ? ନିଷ୍ଫଳ ?

 

ତରୁ ଟିକିଏ ହସିଲା । ସେହିପରି ଅବିଚଳିତ କଣ୍ଠରେ କହିଲା—ନା, ସେକଥା ମୁଁ କହୁନାହିଁ । ଅତ୍ୟାଚାରୀ ଇଂରେଜୀ ଶାସନର ଧ୍ୱଂସ ପାଇଁ ଯେଉଁମାନେ ହସିହସି ପ୍ରାଣପାତ କରିଛନ୍ତି, ସେମାନେ ଚିରକାଳ ନମସ୍ୟ । ସେତେବେଳେ ହୁଏତ ତା’ର ଆବଶ୍ୟକତା ଥିଲା । କିନ୍ତୁ ବର୍ତ୍ତମାନ ଆଉ ତା’ର ଜୟଜୟକାର ଗାଇ ଲାଭ ନାହିଁ । ଖାଲି ଜାତି ଜାତି ଭିତରେ ତିକ୍ତତା ବଢ଼ିବାହିଁ ସାର ହେବ ।

 

ତା’ହେଲେ ଆପଣ ଦେଶପ୍ରୀତିର ଯଥାର୍ଥତା ସ୍ୱୀକାର କରୁଛନ୍ତି ?

 

ଦେଶପ୍ରୀତି ନୁହେଁ, ଦେଶ ପାଇଁ କର୍ତ୍ତବ୍ୟ ।

 

ଏକା କଥା । ତା’ ଭିତରେ ତଫାତ କ’ଣ ?

 

ଅପର ଦେଶ ଆକ୍ରମଣ କରିବା ଆଉ ନିଜ ଦେଶ ରକ୍ଷା କରିବା ଭିତରେ ଯାହା ତଫାତ-

 

ତା’ମାନେ ?

 

ଦେଶପ୍ରୀତି ଆମକୁ ଅନ୍ଧ କରିଦିଏ । ଅନ୍ୟଦେଶ ଲୁଣ୍ଠନ କରି ଅନ୍ୟ ଜାତିର ଛାତି ଉପରେ ରକ୍ତର ସୁଅ ବୁହାଇ ଦେବାକୁ ଦିଏ ଶକ୍ତି ଆଉ ପ୍ରେରଣା । ଆଉ ଦେଶ ପାଇଁ କର୍ତ୍ତବ୍ୟ ଆମକୁ କରେ ଶାନ୍ତ, ଦୃଢ଼, ଅଟଳ । ଅପରର ଧ୍ୱଂସ ପାଇଁ ନୁହେଁ, ଅପରର ଧ୍ୱଂସ ମୁଖରୁ ନିଜକୁ ରକ୍ଷା କରିବା ପାଇଁ ଆମେ ନିଆଁକୁ ଡେଉଁ, ଫାଶୀଖୁଣ୍ଟ ଧରି ନାଚୁ । ସେ ବିଜୟ ଅପେକ୍ଷା ଏ ପରାଜୟରେ ମିଳେ ଅଧିକ ଆନନ୍ଦ, ମୃତ୍ୟୁରେ ମିଳେ ସ୍ୱର୍ଗୀୟ ତୃପ୍ତି !

 

ଡକ୍ଟର ସାହାଣି ନୀରବ ହେଲେ । କହିବାକୁ ବୋଧେ ହଠାତ୍‍ କିଛି ପାଇଲେ ନାହିଁ । ଚା’ କପ୍‍ଟି ନିଃଶେଷ କରି ସିଗାରେଟରେ ନିଆ ଲଗେଇ କହିଲେ—ବୁଝିଛି, ଇଏ ଆପଣଙ୍କ କଥା ନୁହେଁ, ‘ଯାହା ଶିଖେଇଛି ଜଟାଧାରୀରେ ବରାଙ୍ଗୀ’ । ପରାଶରର ଅନ୍ତରର ବାଣୀ ଅହରହ ପ୍ରତିଧ୍ୱନିତ ହେଉଛି ଖାଲି ଆପଣଙ୍କ କଣ୍ଠରେ । ....କିନ୍ତୁ ତୋ’ର କ’ଣ ହେଲା ପରାଶର ! ତୁ ଏକାବେଳକେ ସ୍ଥାଣୁ ପାଲଟିଲୁ ଯେ ?

 

ଗଭୀର ଅଭିନିବେଶ ସହକାରେ ଥିଓସୋଫିକାଲ ସୋସାଇଟିର ଗୋଟିଏ ମାଗାଜିନ ପଢ଼ୁଥିଲେ ପରାଶର । ଏତେ କଥା ଯେ ତାଙ୍କ କର୍ଣ୍ଣରେ ପ୍ରବେଶ କରି ନାହିଁ ଏପରି ନୁହେଁ । କାରଣ ସେ ସେହି କୋଠରୀରେ ଟିକିଏ ଦୂରରେ ଏକ ଇଜି ଚେୟାରରେ ବସବସି ନିବିଷ୍ଟ ମନରେ ବେଳେବେଳେ ମାଗାଜିନ୍ ପଢ଼ୁଥିଲେ ଆଉ ବେଳେବେଳେ ସେହିପରି ଚିନ୍ତାକୁଳ ନୟନରେ ଚାହିଁ ରହୁଥିଲେ ଶୂନ୍ୟକୁ । ଏତିକିବେଳେ ମନେ ହେଉଥିଲା ସେ ଯେପରି ଉଦ୍‍ଗ୍ରୀବ ହୋଇ ଏମାନଙ୍କ କଥୋପକଥନ ଶୁଣୁଛନ୍ତି, ଯଦିଓ ସେ ଆଦୌ ଯୋଗ ଦେଉ ନଥିଲେ କଥାରେ ।

 

ସାହାଣି ଡାକିଲେ—ପରାଶର !

 

ପରାଶରଙ୍କ ତନ୍ଦ୍ରା ଭାଙ୍ଗିଲା, କହିଲେ—ହଁ ।

 

ତୋ’ର କ’ଣ ମତ ?

 

ଆରିଷ୍ଟଟଲ୍, କନ୍‍ଫୁସିୟସ୍ ଆଉ ମାଡାମ୍‍ ବ୍ଲାଭାଟାସ୍କିଙ୍କ ଚିନ୍ତାଧାରା ପ୍ରାୟ ସମାନ । ଆତ୍ମାର ଅନନ୍ତତା ଓ ଅଖଣ୍ଡତା ସମ୍ପର୍କରେ ଅଢ଼େଇହଜାର ବର୍ଷ ତଳେ ଆରିଷ୍ଟଟଲ ଯାହା କହିଥିଲେ, ତିନି ହଜାର ବର୍ଷ ତଳେ ଚାଇନାରେ କନ୍‍ଫୁସିୟସ କହିଲେ ସେହି କଥା ଆଉ ଏ ଯୁଗରେ ମାଡାମ ବ୍ଲାଭାଟାସ୍କି, ଶ୍ରୀଅରବିନ୍ଦ, ରାଧାକ୍ରିଷ୍ଣନ୍‍ ବା ସି.ଇ.ଏମ୍. ଜୋଡ୍...

 

ଥାଉ, ଥାଉ ବାବା, ଦର୍ଶନର ନିଗୂଢ଼ ତତ୍ତ୍ୱ ଶୁଣିବାକୁ ଆଉ ମୋର ମୁଣ୍ଡ ନାହିଁ । ମୋ ମୁଣ୍ଡ କେତେବେଳୁ ଖାଇ ସାରିଲେଣି ତରୁଦେବୀ ।

 

କିନ୍ତୁ ଜାଣୁ ତ, ଏ ସମସ୍ତର ମୂଳ ବୀଜ ନିହିତ ଥିଲା ଆର୍ଯ୍ୟଭୂମି ଭାରତର ଶ୍ରେଷ୍ଠ ଗ୍ରନ୍ଥ ବେଦାନ୍ତରେ । ଶ୍ରୁତି କହୁଥିଲା–‘ଦେହ ନାନାସ୍ଥି କିଞ୍ଚନମ୍’, ‘ସର୍ବମ୍‍ ଖଳୁ ଇଦଂ ବ୍ରହ୍ମଂ । ସେଇଥିପାଇଁ ଶଙ୍କର ଗିରିକନ୍ଦର ପ୍ରକଂପିତ କରି ବ୍ରଜ ଗମ୍ଭୀର କଣ୍ଠରେ କହିଲେ ‘ଅହଂ ବ୍ରହ୍ମାସ୍ମି’, ‘ସୋ ଅହମ୍’ । ଶ୍ରବଣ, ମନନ, ନିଦିଧ୍ୟାସନ ଦ୍ୱାରା....

 

ବନ୍ଦ କରିବାବୁ, ତୋତେ ହାତ ଯୋଡ଼ୁଛି—ସାହାଣି ବ୍ୟସ୍ତ ହୋଇ ପଡ଼ିଲେ ।

 

ପରାଶର ସେହିପରି କହି ଚାଲିଛନ୍ତି—ଶ୍ରୀମଦ୍‍ଭଗବତଗୀତା ବି ଠିକ୍‍ ସେହିକଥା କହେ-। ଆତ୍ମା ଅନନ୍ତ, ଅବ୍ୟୟ, ଅକ୍ଷୟ,...

 

‘ନ ଜାୟତେ ମ୍ରିୟତେ ବା କଦାଚିତ୍

ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ

ଅଜୋ ନିତ୍ୟଃ ଶାଶ୍ୱତୋୟଂ ପୁରାଣୋ

ନ ହନ୍ୟତେ ହନ୍ୟମାନେ ଶରୀରେ ।’

 

ପରାଶର ! ପରାଶର ! ତୁ ଏତିକିରେ ବନ୍ଦକର ଭଲା । ତୋତେ ନମସ୍କାର, ତୋ’ ଦର୍ଶନଶାସ୍ତ୍ରକୁ ନମସ୍କାର ।

 

‘ନମସ୍କାର ଆଜ୍ଞା’

 

ମୁଣ୍ଡ ଟେକି ସାହାଣି ଚାହିଁଲେ । ବାହାରେ ପୋଷ୍ଟମ୍ୟାନ୍ । ପୋଷ୍ଟମ୍ୟାନ କହିଲା—ଏଠି ତରୁଲତା ରାୟ କିଏ ଅଛନ୍ତି ?

 

ତରୁ ଧଡ଼ପଡ଼ ଉଠି ଠିଆ ହେଲା । କହିଲା—ହଁ, କ’ଣ ଚିଠି ଅଛି ?

 

ନା, ରେଜଷ୍ଟ୍ରି ଆଉ ଏମ୍‍. ଓ ।

ତରୁ ଦସ୍ତଖତ କରି ଦୁଇଟିଯାକ ରଖିଲା । ପୋଷ୍ଟମ୍ୟାନ ଚାଲିଗଲା ।

ପରାଶର ଏତେବେଳଯାଏ ବି ସ୍ୱପ୍ନବିଭୋର ହୋଇ ରହିଥିଲେ ଏମ୍. ଓ ନାଁ ଶୁଣି ତାଙ୍କର ଚେତନା ଆସିଲା । ବିସ୍ମିତ ହୋଇ ତରୁକୁ ଥରେ ଚାହିଁଲେ ।

ଆସିଲାବେଳେ କେତେ ଟଙ୍କା ଆଣିଥିଲେ, କେତେ ଟଙ୍କା ଖର୍ଚ୍ଚ ହେଲାଣି ବା ଆଉ କେତେ ଟଙ୍କା ଦରକାର, ଏସମସ୍ତ ବିଷୟରେ ପରାଶର ସଂପୂର୍ଣ୍ଣ ଅଜ୍ଞ । ଏ ସମସ୍ତ ତରୁର କାମ ତରୁର ଦାୟୀତ୍ୱ । ନିଜକୁ ସେ ପୂରାପୂରି ସମର୍ପି ଦେଇଛନ୍ତି ତରୁ ହାତରେ । ସେଇଥିପାଇଁ ରିକ୍ସାରେ ବସିଲାବେଳେ ଗୃହିଣୀ ଅରୁଣା ମନିବ୍ୟାଗ୍‍ଟି ତରୁ ହାତରେ ବଢ଼େଇ ଦେଇଥିଲେ, ପରାଶର ହାତକୁ ନୁହେଁ ।

କିନ୍ତୁ ହଠାତ୍ ଆଜି ମନିଅର୍ଡର ଆସିବା ଦେଖି ସେ ଆଶ୍ଚର୍ଯ୍ୟ ହେଲେ । କହିଲେ—କ’ଣ ଟଙ୍କା ସରିଗଲା ?

ନା ।

ତା’ ହେଲେ ହଠାତ୍ ଏ ଟଙ୍କା ?

ମୁଁ କହି ନଥିଲି ତ, ତାଙ୍କ ମନକୁ ପଠେଇଛନ୍ତି ।

କିଏ ପଠେଇଛି ? ଭାଉଜ ?

ନା, ତମ ଭାଇ ।

ଜୟନ୍ତ ?

ହଁ ।

ଆହୁରି ବସ୍ମିତ ହେଲେ ପରାଶର । ସ୍ତବ୍‍ଧ ହୋଇ କ୍ଷଣେ ଚାହିଁଲେ । କିଛି କହିଲେ ନାହିଁ ।

ଟଙ୍କା ଦୁଇଶ’ ଗଣିସାରି ବ୍ୟାଗରେ ରଖି ତରୁ ଖୋଲି ବସିଲା ଚିଠି । କିନ୍ତୁ..ହଠାତ୍ ଏ କ’ଣ ହେଲା ? ପ୍ରଥମ କେଇଟି ଲାଇନ୍‍ ପଢ଼ୁପଢ଼ୁ ତା ମୁହଁର ଭାବ ଯେମିତି ବଦଳିଗଲା । ଗୋଟାଏ ଅଜଣା ଆଶଙ୍କାରେ ଯେମିତି ଥରିଉଠିଲା ଛାତି । ହାତରୁ ଚିଠି ଖସି ପଡ଼ିଲା । ପରାଶର ତାହା ଦେଖି ମଧ୍ୟ ଦେଖି ପାରିଲେ ନାହିଁ । ଆନମନା ହୋଇ ସେ ଆକାଶପାତାଳ କେତେ କ’ଣ ଭାବୁଥିଲେ । କହିଲେ ଆଚ୍ଛା ମା’, ଜୟନ୍ତ କ’ଣ ମତେ ଏତେ ଛୋଟ ଭାବିଲା ଯେ ତୁ ଆସିଛୁ ବୋଲି ଟଙ୍କା ପଠେଇଛି ?

ତରୁ ଚିଠିଟି ଉଠେଇ ଆଣି ପୁଣି ପଢ଼ିଲା, କିଛି ଉତ୍ତର ଦେଲାନି ।

ପରାଶର ଗମ୍ଭୀର ହୋଇ କହିଲେ—ତୁ ମୋର ମା’ ପେଟର ଭଉଣୀ ନୋହୁଁ । ନୋହୁଁ ବି କେହୀ ଆତ୍ମୀୟା । —ଜୟନ୍ତ ମୋର ବନ୍ଧୁ ଆଉ ତୁ ପତ୍ନୀ । —କିନ୍ତୁ ଆମ ଭିତରେ ଯେଉଁ ସ୍ନେହ, ଶ୍ରଦ୍ଧା, ପ୍ରେମ ଆଉ ପ୍ରୀତିର ଫଲ୍ଗୁ....

ଭାଇ !! —ଶିହରି ଉଠିଲା ତରୁ ।

 

ନା ଭାଇ ନୁହେଁ, ମୁଁ ଏକ ଅଜ୍ଞାନ ଅବୋଧ ଶିଶୁ । ତୁ ମୋର ମା’, ଜନନୀ—କଲ୍ୟାଣମୟୀ, କରୁଣାମୟୀ, ମଙ୍ଗଳମୟୀ ଜନନୀ ମୋର । ତୋ’ରି କଅଁଳ ପରଶରେ ମଲାଦେହରେ ଜୀବନ ସଞ୍ଚରି ଯାଏ ସ୍ୱର୍ଗରୁ ଝରେ ଅମୃତ । ଏଇ ଅନ୍ତରର ଗୋପନତମ କୋଣେ ତୋ ପାଇଁ ଯେଉଁ କୋମଳ ସ୍ଥାନ...ଆଉ କେହି ବୁଝନ୍ତୁ, ଜୟନ୍ତ କ’ଣ ବୁଝିଲା ନାହିଁ ? ଜୟନ୍ତ ମୋତେ ଅପମାନ ଦେଇ ନାହିଁ, ଆଘାତ ଦେଇଛି ।

 

ଦୁଇଟି ବିନ୍ଦୁ ଢଳଢଳ ହେଲା ପରାଶର ନୟନରେ । ତରୁ ପଲକହୀନ ଆଖିରେ ଖାଲି ଚାହିଁଥିଲା । କିଛି କହିଲା ନାହିଁ ।

 

ଡକ୍ଟର ସାହାଣି ଆଉ ସ୍ଥିର ହୋଇ ପାରିଲେ ନାହିଁ । କହିଲେ—ପରାଶର ! ବାସ୍ତବିକ୍‍ ତୁ ଏକ ଅଦ୍ଭୁତ ଜୀବ । ଏଇ ସାମାନ୍ୟ କଥାରେ ତୋ’ ଆଖିରେ ଲୁହ । ଯେତେହେଲେ ତୁ ବିଦେଶରେ ଅଛୁ । ତୋ’ର ଅଭାବ ଥିବ ଜାଣି ହୁଏତ ଟିକିଏ ସାହାଯ୍ୟ...

 

ସାହାଯ୍ୟ ନୁହେଁ ପ୍ରଲୋଭନ ! ...ବ୍ରାଇବ୍ !! ଉତ୍‍କ୍ଷିପ୍ତ ହେଇ କହିଲା ତରୁ । ତା’ ଆଖିରେ ଯେମିତି ଅଗ୍ନିର ତେଜ ।

 

ବ୍ରାଇବ୍ ?? —ପରାଶର କି ସାହାଣି କେହି କିଛି ବୁଝିଲେ ନାହିଁ । ଉଦ୍‍ଗ୍ରୀବ ହେଇ ଚାହିଁଲେ ।

 

ଯିଏ ଲମ୍ପଟ, ସିଏ ଭାବେ ଦୁନିଆଟା ଲମ୍ପଟ । ତେଣୁ ସେହି ଉପାୟରେ ସିଏ ବଶ କରିବାକୁ ଚାହେଁ ସାରାସୃଷ୍ଟିକି.....

 

କ’ଣ ତୁ କହୁଛୁ ମା’ ? —ପରାଶର ବାଧା ଦେଲେ କଥାରେ ।

 

ଯା’ ତମେ ବୁଝି ପାରିବ ନାଇଁ । ତମେ ଜାଣି ପାରିବ ନାଇଁ ଏ ହୀନ, ନୀଚ, ନିର୍ଲଜ୍ଜ ଚକ୍ରାନ୍ତ ।

 

ଚକ୍ରାନ୍ତ ? କିଏ କରିଛି ଚକ୍ରାନ୍ତ ? କାହା ବିରୁଦ୍ଧରେ ?

 

ନା ତମେ ବୁଝିବ ନାଇଁ । କହି ଲାଭ ନାଇଁ । ଯିଏ ଶଠ, ଲମ୍ପଟ, ପ୍ରତାରକ....

 

ତୁ ସ୍ଥିର ହୋ ମା’, ହଠାତ ଏମିତି ଉତ୍ତେଜିତ କିଆଁ ? ଟଙ୍କା ରଖିଲାବେଳେ ମୁଁ ଦେଖିଛି ତୋ’ ମୁହଁରେ ହସ ଥିଲା । ଚିଠି ପଢ଼ି କ’ଣ ତୋର ଏ ପରିବର୍ତ୍ତନ ? କ’ଣ ଲେଖିଛି ଜୟନ୍ତ ?

 

ନା, ଚିଠି ସେ ଦେଇ ନାହାଁନ୍ତି ।

 

ସିଏ ନୁହେଁ ? ତେବେ କିଏ ଦେଲା ଚିଠି ?

 

ଖୋକନ୍ ।

 

ଖୋକନ୍ ?

 

କଲ୍ୟାଣ ସେନ୍ ।

 

ଓ ଆମ କଲ୍ୟାଣ । କ’ଣ ଲେଖିଛି ?

 

ନିଅ, ଚିଠି ପଢ଼—ଚିଠିଟି ତରୁ ବଢ଼େଇ ଦେଲା ପରାଶର ହାତକୁ । ପରାଶର ପଢ଼ିଲେ–

 

ବୋଉଦି !

 

ତମେ ଗଲାଦିନୁ ଅନେକ ପାଣି ବହିଗଲାଣି ମହାନଦୀରେ । ପୂର୍ବ ଆକାଶରେ ରଙ୍ଗର ଝଲମଲ ବୋଳି କେତେ ସୂର୍ଯ୍ୟ ଉଠିଲାଣି ପୁଣି ବୁଡ଼ିଲାଣି ପଶ୍ଚିମର ସାତକୋଶିଆ ଗଣ୍ଡରେ । ମଳୟ ବହିଲାଣି, ପୁଷ୍ପର ସୁରଭି ପ୍ରସରି ଗଲାଣି ଦିଗ ଦିଗନ୍ତକୁ । ହେଇ ବାରଣ୍ଠର କୁଣ୍ଡ ଭିତରେ ଠୋ ଠୋ ହସୁଛି ଗଜଦନ୍ତ । ଆକାଶରେ ଜ୍ୟୋସ୍ନା ଫାଟି ପଡ଼ୁଛି । କିନ୍ତୁ ବୋଉଦି ! ମଣିଷର ଏତେଟିକିଏ ବି ପରିବର୍ତ୍ତନ ହେଲାନି । ମଣିଷ ଯୋଉ କଳାକୁ ସେଇ କଳା । ଏ କଳାର କ’ଣ ଶେଷ ନାହିଁ ? ସୀମା ନାହିଁ ? ଏ ଅନ୍ଧକାର ଭିତରେ କ’ଣ ଚନ୍ଦ୍ର ଉଦୟ ହେବ ନାହିଁ । ବୋଉଦି ??

 

ଏବେ ଗୋଟିଏ ଗୀତ ଶୁଣୁଥିଲି, ପ୍ରେମିକା ପ୍ରେମିକର ବିରହରେ ଅଶ୍ରୁସଜଳ ନୟନରେ ଗାଉଛି—‘‘ନିଛାଟିଆ ବଣେ ପ୍ରିୟା ହେଲି ମୁଁ ଏକା, କହି ତ ନପାରେ ଲୋକେ ସହି ପାରେନା’’ । ଆଜି ମୋର ଠିକ୍‍ ସେହି ଅବସ୍ଥା । ମୁଁ ତମକୁ କହି ପାରୁନି କି ନକହି ରହି ବି ପାରୁନି । ମୁଁ ଜାଣେ ତମେ ଶୁଣିଲେ ତମ ଆଖିରୁ ରକ୍ତ ଝରିବ । ତଥାପି ମୁଁ ତମକୁ ଲେଖୁଛି, କାରଣ ମୁଁ ତମକୁ ଭଲପାଏ !!

 

ମଦ୍ରଦେଶର ରାଜନନ୍ଦିନୀ ସାବିତ୍ରୀଙ୍କି ମୁଁ ଦେଖି ନାଇଁ । ପୁରାଣର କଥା । ବିଶ୍ୱାସ ହୁଏନା । କିନ୍ତୁ ଏ ଯୁଗରେ ସାବିତ୍ରୀଙ୍କି ମୁଁ ବହୁବାର ଦେଖିଛି । ନୀରବରେ ମନେ ମନେ ପ୍ରଣାମ କରିଛି ଅନେକଥର । ସତ୍ୟବାନ୍‍ଙ୍କର ଗୁଣଗାରିମା ଆଜି ତାଙ୍କରି ଆଗରେ ଗାଇବାକୁ ଯାଉଛି । ଏ ଖାଲି ଧୃଷ୍ଟତା ନୁହେଁ, ଏକ ଅକଥନୀୟ ଔଦ୍ଧତ୍ୟ । କୃତଘ୍ନ ନହେଲେ ଏକଥା କିଏ କରିବ ? ତମେ ରାଗିବ ନିଶ୍ଚୟ । କିନ୍ତୁ ଚିକ୍‍ଚିକ୍‍ ଶାଣୁଆ ଛୁରୀରେ ବଥ କାଟି ପଚା ପୂଜ ଓ ରକ୍ତ ବାହାର କରିଦେବା ଯେ ରୋଗୀ ପକ୍ଷରେ ହିତକର, ୟା’ ତମେ ଅସ୍ୱୀକାର କରି ପାରିବ ନାହିଁ ବୋଉଦି !

 

ଜୟନ୍ତଦାଦାଙ୍କୁ ମୁଁ ଜାଣେ, ତମେ ବି ଜାଣ, ନୂଆ କଥା କିଛି ନାହିଁ । କିନ୍ତୁ ତମେ ଜାଣନା ଯାହାଙ୍କୁ, ତାଙ୍କ ବେକରେ ଏଗାରଟି ପ୍ରାଣୀ ବନ୍ଧା ! ବାପ ବୃଦ୍ଧ, ଶଯ୍ୟାଶାୟୀ; ସ୍ତ୍ରୀ ଆସନ୍ନପ୍ରସବା, ଝିଅ ଯୁବତୀ—ବିବାହଯୋଗ୍ୟ; ଶାସନସାହିର ପାହାଚ ଭଳି ଘରେ ପିଲାଛୁଆ ମାଳେ । ବୈକୁଣ୍ଠନାଥଙ୍କ ‘ଉମା’ ପଢ଼ି ତମ ଆଖିରୁ ଲୋତକ ଝରିଥିଲା, ଏ ‘ଉମା’ କୁ ଦେଖିଲେ କିନ୍ତୁ ତମ ଆଖିରୁ ଲୋତକ ଶୁଖିଯିବ !

 

ଉଦ୍ରଲୋକ କିରାଣୀ । ଦୁଃଖ, ଦୈନ୍ୟ, ଅନାଟନରେ ଜର୍ଜରିତ ହେଇ, ଅର୍ଦ୍ଧନଗ୍ନ ଅର୍ଦ୍ଧ ଉପବାସରେ ରହି ରହି ଭଦ୍ର ଲୋକଙ୍କର କ’ଣ ହେଲା କେଜାଣି, ସେ ଆଜି ଉନ୍ମାଦ କୁରଙ୍ଗ ଭଳି ଆପେ ଆପେ ଧରା ଦେଇଛନ୍ତି ବ୍ୟାଧ ହସ୍ତରେ । ଆଜିର ରଙ୍ଗମଞ୍ଚରେ ସେ ସ୍କେପଗୋଟ୍ ! ବେକ ରହିଲାଣି ଯୂପକାଠରେ । ଗଳାରେ ଲମ୍ବିଲାଣି ପୁଷ୍ପର ହାର । ତୀକ୍ଷ୍‍ଣ କଟୁରି ଶିରାଳ ଗ୍ରୀବା ଉପରେ ଦାଉଁକିନା ପଡ଼ିବାକୁ.....ଆଃ ବୋଉଦି !

 

କଟୁରି ତମେ ଦେଖିନା । ଏ କଟୁରିର ବିଶେଷତ୍ୱ କ’ଣ ଜାଣ ? ଗୋଟାଏ ଚୋଟରେ ଗୋଟାଏ ବେକ ନୁହେଁ, ଏକାବେଳକେ ଏଗାରଟା ବେକ ପିଚ୍‍ପିଚ୍‍ କଟିଯିବ !! ପିଚ୍‍ପିଚ୍‍ ବୋହି ପଡ଼ିବ ରକ୍ତ !! ଆଃ.....

 

ସେ ମାନସରଞ୍ଜନ ପ୍ରତିହାରୀ, ଯେ ଦିନ ନିର୍ମଳ ପ୍ରଭାତରେ ନିର୍ମଳ ମାନସପଟରେ ଅବଲୋକନ କଲେ ଯେ ତାଙ୍କର ବାଇଶି ବର୍ଷର ସଞ୍ଚିତ ଜି.ପି. ଫଣ୍ଡ୍‍ର ଚାରିହଜାର ଟଙ୍କା ତାଙ୍କ ପିଲାଛୁଆଙ୍କ ମୁଖରେ ଗ୍ରାସ ବା ଦେହର ବାସ ପାଇଁ ଉଦ୍ଦିଷ୍ଟ ନୁହେଁ, ଦେଶର କଳା, ସାହିତ୍ୟ, ସଂସ୍କୃତିର ପୁନର୍ଜୀବନ ପାଇଁ ଏକାନ୍ତ ପ୍ରୟୋଜନ । ତେଣୁ ସେ ମୁହୂର୍ତ୍ତେ କାଳ ବିଳମ୍ବ ନକରି ଅକୁଣ୍ଠିତ ଚିତ୍ତରେ ସମସ୍ତ ବିତ୍ତ ଆଣି ବଢ଼େଇ ଦେଲେ ଜୟନ୍ତ ଦାଦାଙ୍କ ହାତରେ ।

 

ତାପରେ ଆଉ ଲେଖିବା ବୋଧେ ପ୍ରୟୋଜନ ନାହିଁ । ଏଇମାତ୍ର ଦେଖି ଆସିଲି ‘ଜନଶକ୍ତି’ର ଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀ ସଂଧ୍ୟାରାଣୀଙ୍କୁ ସଙ୍ଗରେ ଧରି ଦାନୀ ମାନସରଞ୍ଜନ ଆଉ ଜୟନ୍ତ ଦାଦା....ନା ବୋଉଦି ! ମୋ ମୁଣ୍ଡ ଛିଡ଼ିପଡ଼ୁଛି ଲଜ୍ଜାରେ । ମାନସ ରଞ୍ଜନ ଭଳି ମୁଁ ବି ଆଜି ଉନ୍ମାଦ ହୋଇ ପଡ଼ିଛି, ଉତ୍‍କ୍ଷିପ୍ତ ହୋଇ ପଡ଼ିଛି । ତା’ ନହେଲେ ଯାହାକୁ ଚିରକାଳ ଦେଇ ଆସିଲି ଜନନୀର ଶ୍ରଦ୍ଧା ଆଉ ସମ୍ମାନ, ତା’ସମ୍ମାନ, ତା’ଆଗରେ ଏମିତି ନିର୍ଲଜ୍ଜ ଭାବେ...ବୋଉଦି, ତମେ କ’ଣ ମତେ କ୍ଷମା କରିବ ?

 

ମୋର ଗୋଟିଏ ଅନୁରୋଧ, ତମେ ଶୀଘ୍ର ଆସ । ତମେ ନ ଆସିଲେ ସନ୍ଧିପୂଜାର ଏ କରାଜ ନରବଳିରୁ ଏଇ ଏଗାରଟି ମହାପ୍ରାଣୀଙ୍କୁ ସ୍ୱୟଂ ଭଗବାନ ବି ରକ୍ଷା କରିପାରିବେ ନାହିଁ !

 

ଡର ମାଡ଼ୁଛି ପ୍ରଣାମ ଘେନିବ କି ନାହିଁ, ତଥାପି ଚରଣ ତଳେ ଭୁମିଷ୍ଠ ପ୍ରଣାମ—ତମର ଓ ସାର୍‍ଙ୍କର ବି ।

 

ସ୍ନେହର

ଖୋକନ୍

 

ତରୁର ମୁହଁ କଳା ପଡ଼ିସାରିଥିଲା । ପରାଶର ହେଲେ ବେଳୁବେଳ ବେଶୀ ବେଶୀ ଗମ୍ଭୀର । ତୁଣ୍ଡରୁ ବଚନ ସ୍ଫୁରିଲା ନାହିଁ । କେତେବେଳକେ—ତରୁ ମୁହଁରୁ ଖାଲି ଗୋଟିଏ ପଦ ବାହାରିଲା ଏ ଭିଲେନ୍ ।

 

ସାମାନ୍ୟ ହସ ଟିକିଏ ଦେଖାଦେଲା ପରାଶର ମୁହଁରେ । କହିଲେ—ନା, ଜୟନ୍ତ ଭିଲେନ ନୁହେଁ, ଭିଲେନ୍ ହୋଇପାରେନା । ଏବେ ବି ମୁଁ କହିବି, ତା’ ହୃଦୟ ବିଶାଳ—ଠିକ୍ ଏଇ ସାଗର ଭଳି, ସାଗର ଭଳି ।

 

–ପାଞ୍ଚ–

 

ଗୋଟିଏ ଯୁବକ ଆଉ ଯୁବତୀ ଏକ ବୃକ୍ଷର ଅନ୍ତରାଳରେ ଝାପ୍‍ସା ଚନ୍ଦ୍ରଆଲୋକରେ ଠିଆ ହୋଇ କଥା ହେଉଥିଲେ । ଅସ୍ପଷ୍ଟ କଳଧ୍ୱନି ବେଳେବେଳେ ସ୍ପଷ୍ଟ ହେଉଥିଲା । ବେଳେବେଳେ ଝରଝର ହୋଇ ଫାଟି ପଡ଼ୁଥିଲା ହସ । ପଥଧାରରେ ଚାଲି ଯାଉଥିବା ପଥିକ ସେ ଦିଗକୁ ମୁଖ ଟେକି ଚାହୁଁଥିଲେ । ତରୁଣୀଏ ପରସ୍ପର ହାତ ଚିପି ମୃଦୁ ହସିହସି ଯେତିକି ଆଗେଇ ଯାଉଥିଲେ, ତାଙ୍କ କଅଁଳ ମନ ସେତିକି ଟାଣି ହୋଇ ଆସୁଥିଲା ସେ ନାଗର ଓ ନାଗରୀଙ୍କ ଆଡ଼କୁ-। କିଏ ଜଣେ ଦୂରରେ ବଂଶୀରେ ସ୍ୱର ଧରିଥିଲା—‘ଶ୍ୟାମ ନୋହିଲେ ଘନରାତିକି ଗୋ ।’

 

ନାଗର ନାଗରୀର ଛାତିରେ ମୃଦୁ ଆଘାତ କରି କହିଲେ କ’ଣ ରାତି କଟେ ନା ? ମନ ଖାଲି ଛଟପଟ ହୁଏ ଭୋକରେ ?

 

ଯାଃ, ଫାଜିଲ୍—

 

ନାଇ, ଶ୍ୟାମ ନଥିଲେ ତମର ହୁଏ କ’ଣ ? ମନ ହୁଏ ଉତ୍ତାଲା ? ରକ୍ତ ଟକ୍‍ମକ୍‍ ହୋଇ ଫୁଟେ ? ଗୋଟାଏ କଞ୍ଚା ଦେହକୁ ଗୋଟିପଣେ କୁଣ୍ଡେଇ ଧରି ତା’ଭିତରେ ଏକାବେଳକେ ମିଶିଯିବାକୁ, ମିଳେଇଯିବାକୁ...

 

ଛିଃ ଅସଭ୍ୟ, ଅନାର୍ଯ୍ୟ, ଫାଜିଲ୍, ବଜାରୀ, ଲଫଙ୍ଗା—ତିନିହାତ ଦୂରକୁ ଘୁଞ୍ଚିଗଲା ଯୁବତୀ । ଯୁବକ ଖାଲି ହସୁଥାଏ । ହସିହସି କହିଲା—ତମେ ରାଗୁଛ ? ମନକଥା କହିଲେ ମଣିଷ ରାଗେ କିଆଁ ?

 

ମୁଣ୍ଡ କଥା କହୁଛ ।

 

କାହିଁକି, ଏକ ନିରୋଳା ନିର୍ଜନ ରାତିରେ ଯେତେବେଳେ ଜଣେ ତମକୁ ବଳିଷ୍ଠ ବାହୁଯୁଗଳରେ ଛନ୍ଦି ତମର ଏ ଗୋଲାପ ଓଠରେ ଦିଏ ସହସ୍ର ଚୁମା—ରାକ୍ଷସ ଭଳି ମୁଖ ବ୍ୟାଦାନ କରି ଧାଇଁ ଆସେ ତମର ଏ କଅଁଳ ଗାଲକୁ ଗୋଟାପଣେ ଖାଇ ଦବାକୁ, ଗିଳିଦବାକୁ....

 

ମା’ଗୋ କି ଅସଭ୍ୟ । ତମେ ଏକାବେଳକେ ପଚିଗଲଣି । ଏ ମରାଲ୍‍ ଲେପର୍ ।

 

ସତେ ? ତା’ହେଲେ ମୋ କଥା ଏତିକିରେ ଥାଉ ।

 

ଖାଲି ଥାଉ ନୁହେଁ ଯଦି ଆଉ ପଦେ କହିବନା, ମୁଁ ଚିତ୍କାର କରି ତମକୁ ଆଜି ଧରା ପକେଇଦେବି । ତମ କଥା ଶୁଣିଶୁଣି ଘୃଣାରେ ମୋ ଅପାଦମସ୍ତକ ଥରି ଉଠୁଛି ।

 

ବେଶ୍, ମୋ କଥା ଏତିକିରେ ସଇଲା । ଫୁଲ ଗଛଟି ମଲା । ମୁଁ ଚାଲିଲି ।

 

ହଁ ଯାଅ । ଶୀଘ୍ର ଯାଅ । ତମେ ଗଲେହିଁ ମୋର ନିସ୍ତାର । ତମେ ମୋ ଜୀବନର ଏକ ମୂର୍ତ୍ତିମନ୍ତ କଳଙ୍କ ।

 

ଖୁବ୍‍ ଭାବିଚନ୍ତି କହୁଛ ତ ?

 

ଯଥେଷ୍ଟ ଭାବିଛି । ଗୋଟାଏ ଚରିତ୍ରହୀନ, ମଦ୍ୟପ, ଲମ୍ପଟ ମୂହଁରୁ ଯା’ତା’ ଶୁଣିବା ଅପେକ୍ଷା ତା’ଠାଣୁ ଦୂରରେ ରହିବା ବରଂ ଶତଗୁଣେ ଶ୍ରେୟଃ ।

 

ହତଭମ୍ଭ ହୋଇ ଯୁବକ ଥରେ ତା’କୁ ଚାହିଁଲା । କହିଲା ଏ କ’ଣ ତମ ମନର କଥା ?

 

ମନର କଥା ନୁହେଁ, ପ୍ରାଣର କଥା । ଅନ୍ତରର କଥା । ତମ ଭଳି ଅସଭ୍ୟ, ନିର୍ଲଜ୍ଜ ଯେତେଶୀଘ୍ର ଦୂରେଇ ଯିବ ସେତେ ମଙ୍ଗଳ ।

 

ଯୁବକ ପ୍ରାଣରେ ଆଘାତ ଲାଗିଲା ଖୁବ୍ । ସେ ସ୍ତବ୍ଧ ହୋଇ ରହିଗଲା । କିଛି କହିପାରିଲା ନାହିଁ । କେତେକ୍ଷଣ ନୀରବରେ କଟିଲା । ଶେଷରେ ତୁଣ୍ଡ ଖୋଲିଲା ଯୁବକ—ବେଶ୍ ଏତେ ଯଦି ଘୃଣା, ମୁଁ ଯାଉଛି । ନ ଜାଣି ତମ ପ୍ରାଣରେ ଆଘାତ ଦେଲି । ହାତ ଯୋଡ଼ୁଛି, କ୍ଷମା କରିବ ।

 

ଯୁବତୀ ରାମ କି ବିଷ୍ଣକି ଛି କହିଲା ନାହଁ । ଦାରୁଭୂତୋ ମୁରାରୀ ଭଳି ଖାଲି ଠିଆ ହୋଇ ରହିଲା । ଯୁବକ ପାଦ ବଢ଼େଇଲା ଆଗକୁ—ପାଦେ, ଦି’ପାଦ, ତିନିପାଦ, ଚାରିପାଦ..କିନ୍ତୁ ଏ କ’ଣ ? ହଳାହାଳର ସାଗର ଭିତରେ ପୁଣି ଅମୃତ କଣିକା କାହିଁକି ? ଘୃଣା ପାଖରେ ତ ସ୍ନେହର ସ୍ଥାନ ନାହିଁ । ଭିକାରୀ ପ୍ରତି ଦରଦ ନଥିଲେ ତ କେହି ଭିକ ଦିଏନା । ତମେ ଏଣେ ଭିକାରୀକି ତତଲା ପେଜ ଫିଙ୍ଗିବ, ତେଣେ କହିବ ଆହା ! ପିଠି ଆଉଁସିବ କଅଁଳ ହାତରେ !! ଏ କେମିତି କଥା ? ଅଦ୍ଭୁତ ! ଆଶ୍ଚର୍ଯ୍ୟ ! ଇନ୍‍ସ୍କୃଟେବଲ୍ ! —ଯୁବତୀ ଧରିଲା ଯୁବକର ହାତ । ମୁହଁରେ ଭାଷା ନାହିଁ, ଆଖିରେ ଦରଦର ଅଶ୍ରୁ !!

 

ପଲକହୀନ ଆଖିରେ ଯୁବକ ତା‘କୁ ଚାହିଁଲା । ପ୍ରାଣର ସବୁ ସ୍ନେହ ଆଉ ସବୁଜିମା ବୋଳି ଥରଥର ଗଳାରେ ଡାକିଲା—ମୁକ୍ତା !

 

ଯୁବତୀ ତଳକୁ ମୁହଁ ପୋତି ସଲଜ୍ଜ କଣ୍ଠରେ ଉତ୍ତର ଦେଲା—ଜୟନ୍ତ !

 

ଜୟନ୍ତ କହିଲା—ରବୀନ୍ଦ୍ରନାଥ କହିଥିଲେ ‘ଅର୍ଦ୍ଧେକ ମାନବୀ ତୁମି ଅର୍ଦ୍ଧେକ କଳ୍ପନା ।’ ମୋର କିନ୍ତୁ ମନେହୁଏ ତମେ ସମୁଦାୟହିଁ କଳ୍ପନା । ତମକୁ ଚିହ୍ନିବାକୁ ପଦ୍ମଯୋନିଙ୍କି ବି ସହସ୍ର ଯୁଗ ଲାଗିଯିବ ।

 

ଘୃଣା ହେଉଛି ବୋଧେ, ନାରୀ ଖୁବ୍‍ ଛଳନାମୟୀ ନା ?

 

ମୁକ୍ତା କହିଲା ।

 

ଛଳନାମୟୀ ନୁହେଁ ରହସ୍ୟମୟୀ । ପରସ୍ତ ପରସ୍ତ ହୋଇ କେତେ ମାୟା ଆଉ ରହସ୍ୟ ତମ ଚଉପାଶରେ ଘେରା ହୋଇଛି, ତା ବୁଝିବା ଏକ ଦୁରୂହ ବ୍ୟାପାର । ଅଗନାଅଗନି ବନସ୍ତରେ ଘୋର ତପସ୍ୟା କରି ଭଗବାନଙ୍କୁ ପାଇବା ବରଂ ସହଜ, କିନ୍ତୁ ଏହି ମାୟାର ଅଭେଦ୍ୟ ଆଉ ଦୁର୍ଭେଦ୍ୟ ବ୍ୟୁହେ ଭେଦ କରି ତମର ଅସଲ ରୂପ ଦେଖିବା, ତେ କ୍ଷମା କରିବ ମୁକ୍ତା, ମୁଁ କହିବି, ଏହା ସେ ତପସ୍ୟା ଠାରୁ ଆହୁରି କଠିନ, କଠୋର, ଅସାଧ୍ୟ ।

 

ମୁକ୍ତା ହସିଲା । କହିଲା—କାହିଁକି କୋଉଠି ଏମିତି ମାୟା କଲି ମୁଁ ? ତମ ପାଖରେ ଅନ୍ତତଃ କେବେ ତ ମୁଁ ଲୁଚେଇ ନାଇଁ ନିଜକୁ ।

 

ନା, ତମେ ଲୁଚେଇ ନାହିଁ । ପଥଟା ଆଜି ମୋ ଆଗରେ ପରିଷ୍କାର ହୋଇଗଲା ।

 

ମାନେ ?

 

ମାନେ ତମେ ଯେତେବେଳେ କହିବ ‘ହଁ, ମୁଁ ବୁଝିବି ‘ନା’, ଆଉ ଯେତେବେଳେ କହିବ ‘ନା’, ମୁଁ ବୁଝିବି ‘ହଁ’ ।

 

ହସି ଉଠିଲା ମୁକ୍ତା । କହିଲା—ତା’ ମାନେ ?

 

ଅତି ସହଜ । ସାମାନ୍ୟ ଅଂଚଳ ସ୍ପର୍ଶରେ ତମେ ଯେତେବେଳେ ହେବ ଅଗ୍ନିଶର୍ମା, ସେତେବେଳେ ବୁଝିବି ତମ ଦେହ ମନ ପ୍ରାଣ ସବୁ ଉନ୍ମାଦ, ଉଦବେଳ ହୋଇ ପଡ଼ିଲାଣି ମଦନର ପଂଚବାଣରେ । ଆଉ କିଛି ନକହି ନୀରବ ହେଲେ ‘ମୌନ ସମ୍ମତି ଲକ୍ଷଣଂ’ ଭାବି ମୁଁ ଯଦି ଆଗେଇ ଯିବି, ତା’ହେଲେ ବୁଝିବି ତମ ଚପଲ ଆଉ ମୋ ଗାଲ ଭିତରେ ଏକ ମଧୁର ସଂପର୍କ ସ୍ଥାପିତ ହୋଇଯିବ ସେହି ପବିତ୍ର ଆଉ ମଙ୍ଗଳ ମୂହୂର୍ତ୍ତରେ !

 

କିର୍‍କିର୍‍ ହୋଇ ହସିଉଠିଲା ମୁକ୍ତା । ହସିହସି ଲୋଚାକୋଚା ହୋଇଗଲା ସତେ କି । କହିଲା—ଫାଜିଲଙ୍କ ଓସ୍ତାଦ୍ । କୁଆଡ଼ୁ ଏ ବୁଦ୍ଧି ଆସୁଛି ମୁଣ୍ଡକୁ ? ଏ ବୁଦ୍ଧି ଆସୁଛି ମୁଣ୍ଡକୁ ?

 

ଜୟନ୍ତ ସେମିତି ନିଶ୍ଚଳ ହୋଇ କହିଲା—କଥାଟା ଓଲଟା ଶୁଭୁଛି କିନ୍ତୁ ସତ । ଯେମିତି ଏଇଟା ସତ ଯେ ଝିଅମାନଙ୍କୁ କେହି ଚାହିଁଲେ ସେମାନେ ବିରକ୍ତ ହୁଅନ୍ତି, ରାଗରେ ଜଳିଯାଆନ୍ତି ଅଥଚ ତାଙ୍କ ପ୍ରାଣର ଏକାନ୍ତ ଇଚ୍ଛା ଯେ ଜଣେ କାହିଁକି ଦୁନିଆର ସହସ୍ର ପୁରୁଷ ତାଙ୍କୁ ଅପଲକ ଆଖିରେ ଯୁଗଯୁଗ ଧରି ଚାହାଁନ୍ତୁ—ଆକଣ୍ଠ ଉପଭୋଗ କରନ୍ତୁ ତାଙ୍କ ରୂପ, ରଙ୍ଗ, ଯୌବନ !

 

ଯାଃ ବାଜେକଥା, ମୁଁ ଏଥିରେ ଏକମତ ହୋଇ ପାରେନା ।

 

କହିଛି ତ ତମର ନା ମାନେ ହଁ । ତମେ ଏକମତ ହୋଇପାରନା ମାନେ ତମେ ଭିତରେ ଶତଜିହ୍ୱ ହୋଇ ସମର୍ଥନ କର ମୋ କଥା, କାରଣ ଏହା ସତ୍ୟ ।

 

କ’ଣ ତମେ କହୁଛ ? ନିଜେ ଅଭଦ୍ର ବୋଲି ତମେ ଭାବୁଛ ଦୁନିଆଟା ଅଭଦ୍ର ? ତମ ପୁଅମାନେ ଝିଅଟିଏ ଦେଖିଲେ ସ୍ଥାନକାଳ ପାତ୍ର ଭୁଲି ହିଂସ୍ର ଜାନୁଆର ଭଳି ତା’କୁ ଗିଳିଦବାକୁ ଧାଇଁ ଆସନ୍ତି, କିନ୍ତୁ ଜାଣ, ସୃଷ୍ଟି ପ୍ରଳୟ ହେଲେ ବି କୌଣସି ଝିଅ କେବେ ନୟନ ଟେକି ଥରେ ଚାହେଁନି ପୁଅକୁ ।

 

ହୋ ହୋ ହସିଉଠିଲା ଜୟନ୍ତ । ଉଦ୍ଦାମ ହସର ଉତ୍ତାଳ ଲହରୀରେ ରାସ୍ତା କମ୍ପିଗଲା । ମୁକ୍ତା ଅପ୍ରସ୍ତୁତ ହେଲା । କହିଲା କ’ଣ ବିଶ୍ୱାସ ହେଉନି ?

 

ଦଣ୍ଡେ ଆଗରୁ ହୋଇଥିଲେ ହୁଏତ ବିଶ୍ୱାସ ହବା ନ ହବାର ପ୍ରଶ୍ନ ଉଠନ୍ତା । କିନ୍ତୁ ବର୍ତ୍ତମାନ ପଥ ଅତି ସରଳ । ସେଇ ଗୋଟିଏ ଫର୍ମୁଲା—‘ନା ମାନେ ହଁ’ । ତମେ ପୁଅଙ୍କୁ ମୋଟେ ଚାହଁନା ମାନେ ତମେ ଦେଖିବାକୁ ପାଗଳ ହୋଇଯାଅ । ଖାଲି ତଫାତ ଏତିକି ଆମେ ଖୋଲାଖୋଲି, ଡାକି ବଜେଇ, ତମ ଆଖି ଉପରେ ଆଖି ରଖି ଦେଖୁ ଆଉ ତମେ ଲୁଚିଲୁଚି ଗୋପନରେ ଅତି ସଙ୍କୋଚ ଓ ସନ୍ତର୍ପଣରେ ଆମ ମୁହଁକୁ ଚାହିଁ—ଆମ ରୂପର ସମ୍ଭୋଗ ପାଇଁ ଉନ୍ମାଦ ହୁଅ ।

 

ଇସ୍, ସର୍ବଜ୍ଞ ପୁରୁଷ ! ଆମର ଖାଲି ଭାତ ହଜମ ହଉନି ତମକୁ ନ ଚାହିଁଲେ—

 

ହଁ, ଖାଲି ତମ ଭଳି ନର୍ସଦଳ ନୁହେଁ, ବିବାହିତା ଅବିବାହିତା, ସତୀ ଅସତୀ, କୁଳକାମିନୀ ବରବଧୂ କାହାରି ଭାତ ହଜମ ହୁଏନି ଆମକୁ ନ ଚାହିଁଲେ । ପୁରୁଷ ଯେମିତି ମନେମନେ ବହୁ ନାରୀ ଉପଭୋଗ କରେ, ନାରୀ ସେମିତି କାର୍ଯ୍ୟରେ ନହେଲେ ବି ମନରେ ଚିନ୍ତାରେ ଅନ୍ତରରେ ସହସ୍ର ପୁରୁଷର ସଙ୍ଗିନୀ ହୁଏ । ହେଲେ ସେଇ ଗୋଟିଏ ପାର୍ଥକ୍ୟ—ପୁରୁଷ ହସିହସି ବରଣ କରେ ନାରୀକି, କିନ୍ତୁ ନାରୀର ଭିତରେ ଭୋଗ କରିବାର ଅଦମ୍ୟ ଲାଳସା, ଅଥଚ ବାହାରେ ତୀବ୍ର ହତାଦର, ଉପେକ୍ଷା, ଘୃଣା ! କହିଛି ତ ଏଠି ସବୁ ଓଲଟା ।

 

ତମ ମୁଣ୍ଡ ବି ଓଲଟି ଗଲାଣି, ଭୂତ ଚଢ଼ିଛି ତମ ମୁଣ୍ଡରେ । ତା’ନହେଲେ ନିର୍ଲଜ୍ଜ ଭଳି ଏ ଅଜବ କାହାଣୀ ଗାଇ ଯାଉ ନଥାନ୍ତା । —ରାଗିଗଲା ମୁକ୍ତା । କହିଲା—ନୀଳ ଚଷମା ପିନ୍ଧିଲେ ସାରା ଦୁନିଆ ନୀଳ ଦିଶେ । ଯିଏ ବଜାରୀ, ଛତରା, ଲଫଙ୍ଗା, ସିଏ ନାରୀ ପୁରୁଷ ଭିତରେ ଖାଲି ଭୋଗ ଉପଭୋଗ ଛଡ଼ା ଆଉ କ’ଣ ଦେଖିବ ? ନାରୀ ତା’ ପାଖରେ ଖାଲି ଗୋଟାଏ ରାତିର ଭୋଜୀ ! ମଦ ସାଙ୍ଗକୁ ଚାଟ୍ !!

 

ଜୟନ୍ତ ହସିଲା । ମୁକ୍ତାର ରକ୍ତ ନୟନ ପ୍ରତି ତିଳେ ମାତ୍ର ଭ୍ରୁକ୍ଷେପ ନକରି ହସିହସି କହିଲା—କିନ୍ତୁ ମଜା ଏଇଠି ଯୋଉମାନେ ନାରୀକି ଏହି ଦୃଷ୍ଟିରେ ଦେଖନ୍ତି—ନାହିଁ କରୁକରୁ ନିବିଡ଼ଭାବେ ଭିଡ଼ିଧରନ୍ତି ଛାତିରେ, ଗାଲ କରନ୍ତି ମନ୍ଦାର ଫୁଲ ଭଳି ରଙ୍ଗା ସେମାନେ ବୀର, ସାହାସୀ, adventurous, great heroes !! ଆଉ ଯୋଉମା ନେଅତି ସୂକ୍ଷ୍ମରୁଚିରେ ନାରୀକି ରକନ୍ତି ଶ୍ରଦ୍ଧା ଆଉ ସମ୍ମାନ—ମା, ଭଉଣୀର ଆସନରେ ବସେଇ ପୂଜା କରନ୍ତି ପୁଷ୍ପ ଆଉ ଚନ୍ଦନରେ, ସେମାନେ ଭୀରୁ, ଦୁର୍ବଳ କାପୁରୁଷ !! ସେମାନେ ଅଯୋଗ୍ୟ, ଅପଦାର୍ଥ, ଅଧମ ! ନାରୀ ବାହାରେ ତାଙ୍କୁ ସମ୍ମାନ ଦେଇ ତାଙ୍କ ଚରଣରେ ଭୂମିଷ୍ଠ ପ୍ରଣାମ କରେ, କିନ୍ତୁ ଭିତରେ ଖାଲି ଠୋ ଠୋ ଠୋ ଠୋ ହସ । କହେ—ଛିଃ, ମାଇଚିଆ ! ନିର୍ବୋଧ !! ମୂର୍ଖ !!

 

ଜୟନ୍ତ ?? —ଚିକ୍ତାର କରି ଉଠିଲା ମୁକ୍ତା ।

 

Unknown

ଭୁଲ୍‍ କହିଲି ?

 

ଜୟନ୍ତ ? ସ୍ତବ୍ଧ ହୋଇ ଚାହିଁଲା ମୁକ୍ତା । ତା’ ତୁଣ୍ଡରେ ଅନ୍ୟକଥା ନାହିଁ । ଖାଲି ଗୋଟିଏ ପଦ ବାରମ୍ବାର ବାହାରୁଛି ଜୟନ୍ତ !

 

ଜୟନ୍ତ କହି ଚାଲିଛି—ବହୁ ଦିଗରୁ ବହୁଦୃଷ୍ଟିରୁ ତମକୁ ଦେଖିଛି । କିନ୍ତୁ ଯେତେ ବେଶୀ ବେଶୀ ନିରୀକ୍ଷଣ କରିଛି ସେତେ ବେଶୀ ବେଶୀ କରିଛି ଭ୍ରମ । ତମେ ଯାହା କୁହ ତା’ କୁହନା, ଯାହା କୁହନାଇଁ ତାହାହିଁ କୁହ । ଯାହା କର ସେଥିରେ ତମର ପ୍ରାଣ ନଥାଏ, ଯାହା ନକର ସେଇଥିରେହିଁ ତମ ପ୍ରାଣର ସବୁ ଆଶା, ପୁଲକ, ଉଦ୍ଦୀପନା । ପାଇଲା ଜିନିଷ ତମ ପାଖରେ ତୁଚ୍ଛ, ନପାଇଲା ଜିନିଷ ପାଇଁ ତମ ପ୍ରାଣରେ ଅନନ୍ତ ବ୍ୟାକୁଳତା । ଆଶ୍ଚର୍ଯ୍ୟ—ଆଶ୍ଚର୍ଯ୍ୟ ତମେ ନାରୀ । ଶତ ଆଶ୍ଚର୍ଯ୍ୟ ତମ କାମ, କଥା, ଚାଲି ଆଉ ଚରିତ୍ର !

 

ସେତେବେଳକୁ ଖୁବ୍‍ ଗମ୍ଭୀର ହେଇ ଆସିଥିଲା ମୁକ୍ତା । ମନ ହୋଇଥିଲା ସ୍ଥିର ଆଉ ନିଶ୍ଚଳ । କହିଲା—ମୋ ଅପେକ୍ଷା ଆହୁରି ଆଶ୍ଚର୍ଯ୍ୟ ତମେ—ଜୟନ୍ତ । ତମେ ନାରୀର ଏତେ କଥା ଜାଣି ବି ନାରୀକି ଘୃଣା କରନା । ନାରୀର ସବୁ ଛଳନା ପ୍ରତାରଣା କ୍ଷମାକର ହସିହସି । ମୁଁ ଭାବିପାରୁ ନାହିଁ ତମେ ମଣିଷ ନା ଦେବତା । ନା ନା ତମେ ଆହୁରି ଆଶ୍ଚର୍ଯ୍ୟ—ଆହୁରି ଆଶ୍ଚର୍ଯ୍ୟ...‘ନା ଆଶ୍ଚର୍ଯ୍ୟ ମୁକ୍ତା ନୁହେଁ, ଆଶ୍ଚର୍ଯ୍ୟ ଜୟନ୍ତ ନୁହଁନ୍ତି, ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ମାନସରଞ୍ଜନ ପ୍ରତିହାରୀଙ୍କ ଅଭିଆଡ଼ୀ ଯୁବତୀ କନ୍ୟା !!!’ —କହି କହି ଯାନରୁ ଅବତରଣ କଲେ ଯିଏ ସିଏ ଭାଇଜାଗର ସେଇ ଗୌରିକବସନା ତରୁ, ଯାହାଙ୍କ ଦର୍ଶନ ମାତ୍ରେ ମୁକ୍ତା ଆଉ ଜୟନ୍ତ ଉଭୟଙ୍କ ଅନ୍ତରରେ ଲିସ୍‍ବନ୍‍ର ଭୂମିକଂପ ଖେଳିଗଲା । ମୁକ୍ତାର ରକ୍ତ ସେତିକି ହିମ ହୋଇଆସିଲା । ସାମାନ୍ୟ ଶିଶୁ ଭଳି ଗୋଟିପଣେ ଥରିବାକୁ ଲାଗିଲା ସିଏ । ଥରିଥରି ଆଉଜିଗଲା ଏକ ବୃକ୍ଷରେ କ୍ରୋଡ଼ରେ । ଆଉ ଦୁର୍ଦ୍ଦନ୍ତ ଜୟନ୍ତ—ତା’ର ତେଜ, ବୀର୍ଯ୍ୟ, ଗାମ୍ଭୀର୍ଯ୍ୟ, ବାକ୍‍ଚାତୁରୀ ସବୁ ଯେମିତି ମିଳେଇଗଲା କ୍ଷଣକେ । କିନ୍ତୁ ସେ ମୁହୂର୍ତ୍ତେ—ମୁହୂର୍ତ୍ତେ ମାତ୍ରେ । ତା’ପର ସେ ସମ୍ଭାଳିନେଲା ନିଜକୁ । ନିଜର ସବୁ ଦୁର୍ବଳତାକୁ ଚାପିରଖି ମୁହଁରେ ଫୁଟେଇଲା ଅମୀୟଝରା ହସର ଢେଉ ।

 

‘ନା, ଖାଲି ଚାରିହଜାର ଟଙ୍କା ତମ ଆଖିରେ ନାହିଁ, ତମ ଆଖିରେ ଅଛି ସେହି ଯୁବତୀ କନ୍ୟା । କିନ୍ତୁ ମୁଁ ପଚାରେ ସେହି ଯୁବତୀ ଝିଅଟି ଭିତରେ କେଉଁ ଉର୍ବଶୀର ସୌନ୍ଦର୍ଯ୍ୟ ଫାଟିପଡ଼ୁଛି ଯେ ତାରି ଲୋଭରେ ତମେ ଏଗାରଟି ପ୍ରାଣୀଙ୍କ ତଣ୍ଟିରେ ଖୁର ଦେଇଦେଲ ?’ —ପ୍ରଶ୍ନ କଲା ତରୁ-

 

କିନ୍ତୁ ଯାହାଙ୍କୁ ପ୍ରଶ୍ନ ହେଲା ସେ ନୀରବ, ସ୍ଥାଣୁ । ମୁଖରେ କଥା ନାହିଁ, ଖାଲି ଟିପିଟିପି ହସ ।

 

‘ଜାଣେ ସେହି ଝିଅଟିର ମା’ ଗର୍ଭବତୀ । ସେହି ଗର୍ଭିଣୀର ପେଟର ଚମଡ଼ାରେ ଟମକ ତିଆରି ହେଇ ଯେତେବେଳେ ତମର ଏଇ ନୂଆ ବାହାଘରରେ ବାଜିବ....

 

ଆଃ—ଥରିଉଠିଲା ଜୟନ୍ତ । ତା’ର ଅସ୍ଥିମଜ୍ଜା ଦୋହଲି ଗଲା ସତେକି । ନିଜର ଦୁଇଟି ହାତରେ ଘୋଡ଼େଇ ପକେଇଲା ମୁହଁ । କିଛି କହିଲା ନାହିଁ ।

 

‘ବାହାଘରରେ ରୋଷଣି ହୁଏ । ରୋଷଣିରେ ଜଳେ ତେଲ, କିନ୍ତୁ ତମର ଏ ବାହାଘରରେ ତେଲ ଜଳିବ ନାହିଁ, ଜଳିବ ଆଠଟି ଛୋଟ ଛୋଟ ଭାଇଭଉଣୀଙ୍କର କଲିକାତଳର ପୋଷପୋଷ ତତଲା ରକ୍ତା !!’

 

ତରୁ !! —ସୃଷ୍ଟି ଫଟାଇ ଚିତ୍କାର କରିଉଠିଲା ଜୟନ୍ତ । ଗୋଟିପଣେ କୁଣ୍ଡେଇ ଧରିଲା ତା’କୁ । —ସ୍ଥିର ହୁଅ ତରୁ, ମୁଁ ମଣିଷ, ରାକ୍ଷସ ନୁହେଁ । ତମେ ସ୍ଥିର ହୁଅ, ମୁଁ ସବୁ କହିବି ।

 

କ’ଣ ଆଉ କହିବ ତମେ ? ବୁଦ୍ଧିର କଥା କହିବ ସିନା ହୃଦୟର କଥା ତ ଆଉ କିଛି ନାହିଁ ।

 

କଥାଟା ଆଗ ଶୁଣ ।

 

ପାଠୁଆ ଲୋକ, ବୁଦ୍ଧିଆ ଲୋକ ସାଙ୍ଗେସାଙ୍ଗେ ମଣିଷ ମାରି ଆସି ଏମିତି ସୁନ୍ଦର କଥା କହେ ଯେ ତା’କୁ ଦେବତା ଭଳି ପୂଜା କରିବାକୁ ଇଚ୍ଛା ହୁଏ କିଂବା ତା’ ପ୍ରେମରେ ପଡ଼ି ତା’ କୋଳରେ ମଥା ଗୁଞ୍ଜି ଦେବାକୁ ମନ ଡାକେ । କଥାରେ ଚାତୁରୀ ତମେ ଆଉ କାହାକୁ କହିବ ପଛେ ତ ମତେ କୁହ ନାଇଁ । ମୁଁ ତମର କୌଣସି କଥା ଶୁଣିବାକୁ ରାଜି ନୁହେଁ ।

 

କିନ୍ତୁ ଜାଣ ତ....

 

ବହୁତ ଜାଣିଛି । ଜାଣିଛି ଶଶୀକି, ଜାଣିଛି ଚପଳାକୁ, ନୀହାରକୁ, ସ୍ୱର୍ଣ୍ଣକୁ । ମଉ ହେଇ ଆଖି ଆଗରେ ମୁକ୍ତା, ଯିଏ ନର୍ସର ଶୁଭ୍ର ପୋଷାକ ପିନ୍ଧି ରୋଗୀର ଜ୍ୱାଳା ଉପଶମ ନକରି ଆସି ଉପଶମ କରୁଛି ତମ ବିରହର ଜ୍ୱାଳା !

 

କିନ୍ତୁ ରୋଗୀ ଯେ ଟିକିଏ ନିଦ୍ରା ଯାଇଛି ତରୁ ।

 

ସେ ନିଦ୍ରା ମହାନିଦ୍ରା ହେଉ । ମୁକ୍ତାର ସେବା ପାଇ ଲକ୍ଷ ରୋଗୀ ଏଇଠି ଚିରକାଳ ଆଖି ବୁଜି ଦେଇଛନ୍ତି । ମୁକ୍ତା ଖାଲି ତମକୁ ଶାନ୍ତି ଦିଏନାଇଁ, ରୋଗୀଙ୍କି ବି ଦିଏ ଶାନ୍ତି—ଚିରଶାନ୍ତି, ଚିରନିଦ୍ରା ।

 

ନା ସେପରି କଥା କହ ନାହିଁ । ସେପରି କଥା ଶୁଣିଲେ ରୋଗୀର ଛାତି ଫାଟିଯିବ । କଲିଜା ଦୁହିଁ ହୋଇ ଆସିବ ଭିତରୁ । ବହୁଦୂରରୁ ଆସିଛି ବିଚାରା । କାହିଁ ସମ୍ବଲପୁରର ଅଜ୍ଞାତ ଅଖ୍ୟାତ ପଲ୍ଲୀ..

 

ସ–ମ୍ବ–ଲ–ପୁ–ର ? —ମୁଖ ଟେକି ତରୁ ଚାହିଁଲା । କହିଲା କାହା କଥା କହୁଛ ତମେ-?

ଠିକ୍‍ ଯାହା କଥା ତମେ ଏଇ ମୁହୂର୍ତ୍ତକ ଆଗରୁ ପଚାରୁଥିଲ ।

ମାନସରଞ୍ଜନ ପ୍ରତିହାରୀଙ୍କ ଯୁବତୀ କନ୍ୟା ??

ହଁ ।

ଆଃ—ଶିହରି ଉଠିଲା ତରୁ । ଜୟନ୍ତ ମୁହଁକୁ କଟମଟ ଚାହିଁ କହିଲା—କ’ଣ ମୃତ୍ୟୁ ହୋଇଯାଇଛି ୟା’ଭିତରେ ?

ହଁ ମୃତ୍ୟୁ ପ୍ରାୟ ହୋଇଯାଇଛି, ଖାଲି ଆତ୍ମାଟା ପିଣ୍ଡ ଛାଡ଼ି ବାହାରି ଯାଇ ନାହିଁ ।

ଇସ୍‍ ତମେ ଏକଥା କହିପାରୁଛ ? ଲଜ୍ଜାରେ ତମ ମୁଣ୍ଠ ଛିଡ଼ି ପଡ଼ୁନାଇଁ ? ତାର ମୃତ୍ୟୁ ହେବା ଆଗରୁ ତମର....ହଁ ହଁ ତମର..... ନା ନା ତମେ ପଶୁ, ପାଷଣ୍ଡ, ସଇତାନ୍—ଶ୍ୱାସରୁଦ୍ଧ ହୋଇଆସିଲା ତା’ର । ଜୟନ୍ତର ହାତ ଦୁଇଟି ଧରି ଖୁବ୍‍ଜୋରେ ଖୁବ୍‍ଜୋରେ ହଲେଇ ଦେଲା ।

ଏତେବେଳଯାଏ ବି ପରାଶର ନୀରବ ଥିଲେ । ଟାକ୍ସିର ସାମ୍ନା ସିଟରେ ବସି ଖାଲି ଶୁଣୁଥିଲେ ତା’କଥା । ତୁଣ୍ଡ ଖୋଲି କିଛି କହୁ ନଥିଲେ । ବର୍ତ୍ତମାନର ଏ ଭୈରବୀ ମୂର୍ତ୍ତି ଦେଖି ତାଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା । ସେ ଧୀରେ ଧୀରେ ଗାଡ଼ିରୁ ତଳକୁ ଓହ୍ଲେଇ ଆସି ପ୍ରଶାନ୍ତ କଣ୍ଠରେ ଡାକିଲେ—ଜୟନ୍ତ !

 

ଜୟନ୍ତ ହାତ ଟେକି ତାଙ୍କୁ ନମସ୍କାର କଲା । କହିଲା–ଆ ପରାଶର, ତରୁ ଆଜି ଉନ୍ମାଦିନୀ । ଜାଣେନା ଏଥିପାଇଁ କିଏ ଦାୟୀ ।

 

ଥାଉ, ସେ କଥା ପରେ, ଆଗ କହ ଘଟଣା କ’ଣ ସତ ?

 

ନିରୋଳ ସତ, ମିଛର ଲେଶ୍‍ ବି ନାହିଁ । ତା’ଛଡ଼ା ତୋତେ ମିଛ କହି ମୋର ଲାଭ ?

 

ତା’ହେଲେ ତୋ’ ନିଜ ହାତରେ ହତ୍ୟା କରିଛୁ ସେ ଝିଅଟିକି ?

 

ଠିକ୍‍ ନିଜ ହାତରେ ନକଲେ ବି ହତ୍ୟା ପାଇଁ ମୁଁ ଦାୟୀ ।

 

ତୁ ଅପରାଧୀ ଅଥଚ ତୁ ସେଇଥିପାଇଁ ମୋଟେ ଲଜ୍ଜିତ ନୋହୁଁ । ନିଃସଙ୍କୋଚରେ ନିଷ୍ପାପ ଶିଶୁ ଭଳି କହି ଯାଉଛୁ !

 

ମୁଁ କଣ କରିବି ପରାଶର ଆଦୌ ଉପାୟ ନଥିଲା । ମୋ’ରି ଲାଗି ସେ ଝିଅଟିର ଚିତା ଜଳିବା ପର୍ବ ଆରମ୍ଭ ହେଲା ।

 

ଆଉ ସେଇକଥା ତମେ ଗର୍ବର ସହିତ କହି ବୁଲୁଛ ! ନିର୍ଲଜ ମୂଢ଼ ! ଗୋଟାଏ ବାଳିକାର ଉଷ୍ମ ରକ୍ତରେ ଅବଗାହନ କରି ତମେ ଆହୁରି ମୁହଁ ଦେଖାଉଛ ? ଛି, ଛି, ଛି—କଇଁକଇଁ ହୋଇ କାନ୍ଦିଉଠିଲା ତରୁ ।

 

ଜୟନ୍ତ ହସିଲା । କୁଟୀଳ ନୁହେଁ ସରଳ ସୁନାହସର ଢେଉ । କହିଲା—ମୁଁ କ’ଣ କରିଥାନ୍ତି ? ଟେଲିଗ୍ରାମ୍‍ ପାଇଲା ମାତ୍ରେ ମୁଁ କାର୍‍ ଧରି ସମ୍ବଲପୁର ଛୁଟିଲି । ଦୁର୍ଯ୍ୟୋଗ । ଅନୁଗୋଳରେ କାର୍‍ ହେଲା ଖରାପ । ସେଠୁଁ ରେଢ଼ାଖାଲ ଗଲି ଗୋଟାଏ ଟ୍ରକରେ । ସେଠୁଁ ଧରିଲି ବସ୍ । ସେଇଠି ମୁଁ କଲି ଏକ ମସ୍ତ ଭୁଲ୍ । ଧରଣୀର ମଟର ସାଇକେଲ ନେଇ ଯାଇଥିଲେ ମୁଁ ବୋଧେ ଦୁର୍ଘଟଣା ଆଗରୁ ପହଞ୍ଚି ଯାଇ ପାରିଥାନ୍ତି ।

 

ଦୁର୍ଘଟଣା ? —ପରାଶର ଜିଜ୍ଞାସୁ ଆଖିରେ ଚାହିଁଲେ ।

 

ଅତି ରୋମାଞ୍ଚକର ଦୁର୍ଘଟଣା ସେ । ସମ୍ବଲପୁରର ଗାଁ ଆମ କଟକ ପୁରୀ ଗାଁ ଭଳି ସବୁବେଳେ ବିଶାଳ ଆଉ ସ୍ୱଚ୍ଛଳ ନୁହେଁ । ପର୍ବତ ତଳେ ଜଙ୍ଗଳ ମଝିରେ ପାଞ୍ଚ ଘର ତିନି ଘର ହେଲେ ବେଳେବେଳେ ଗୋଟାଏ ଗାଁ ହେଲା ।

 

ଚିଡ଼ି ଉଠିଲା ତରୁ । କହିଲା—ଦେଖ, ଆମେ ପିଲା ନୋହୁ ଯେ ତମ ଧୂର୍ତ୍ତାମିରେ ଭୁଲିଯିବୁ । ସମ୍ବଲପୁର ଗାଁର ଇତିହାସ ଶୁଣିବାକୁ ଆମର ବେଳ ନାହିଁ, ଦରକାର ବି ନାହିଁ ।

 

ଶୁଣ, ଏତେ ଭାବପ୍ରବଣ ହୁଅ ନାହିଁ । ଭାବପ୍ରବଣ ଲୋକ ଅନେକ ସମୟରେ ସତ୍ୟକୁ ଡେଇଁ ଦୂରକୁ ଚାଲିଯାଏ ।

 

ତରୁ ନୀରବ ହେଲା । ହେଲେ କପାଳରେ ବିରକ୍ତିର ରେଖା ସ୍ପଷ୍ଟ ।

 

ଜୟନ୍ତ ଆରମ୍ଭ କଲା—ପାହାଡ଼ ତଳେ ଏହି ଭଳି ଏକ ନିଛାଟିଆ ନିର୍ଜନ ସ୍ଥାନରେ ମାନସବାବୁଙ୍କ ଘର । ସମ୍ବଲପୁର ଦେବଗଡ଼ ରାସ୍ତାର ଟିକିଏ ଅଦୂରରେ । ପାଖରେ ଦୁଇଚାରି ଘର ହରିଜନ, ପାଞ୍ଚ ଘର କନ୍ଧ । କେବଳ ୟାଙ୍କରି ଘରଟି ଟିକିଏ ସ୍ୱଚ୍ଛଳ ।

 

ପରାଶର କହିଲେ—ତୁ ଇତିହାସ କହନାହିଁ, ଘଟଣାଟା ଆଗ କହ ।

 

କହୁଛି । ମାନସବାବୁ ସେତେବେଳେ ରଙ୍ଗମଞ୍ଚ କାର୍ଯ୍ୟରେ କଲିକତାରେ । ଘରେ କେବଳ ବୃଦ୍ଧ ପିତା, ଯିଏ ଚିରରୁଗ୍‍ଣ, ଶଯ୍ୟାଶାୟୀ । ଆଉ ମାନସବାବୁଙ୍କ ଆସନ୍ନପ୍ରସବା ପତ୍ନୀ, ଯୁବତୀ ଝିଅ ଆଉ ତା’ର ଟିକିଟିକି ଭାଇଭଉଣୀ । ଦିନେ ସକାଳେ ଦେଖାଗଲା ତାଙ୍କରି ଘର ସାମ୍ନାରେ ରାସ୍ତାଉପରେ ତିନିଜଣ ଲୋକ ବାରବାର ଟହଲ ମାରୁଛନ୍ତି । ବେଳେବେଳେ ଏକ ଦୃଷ୍ଟିରେ ଚାହୁଁରହୁଛନ୍ତି ଘରକୁ । ପାଖରେ ରହିଛି ଏକ ଖାଲି ଟ୍ରକ୍ ।

 

ତା’ପରେ ?

 

ତାଙ୍କ ଝିଅ ଇଣ୍ଟରମିଡ଼ିଏଟ୍‍ ଯାଏ ପଢ଼ିଥିଲା । ବୁଦ୍ଧିମତୀ । ଘଟଣା ବୁଝିବାକୁ ସେ ତାଙ୍କ କନ୍ଧ ମୂଲିଆଟିକି ଦଉଡ଼େଇ ଦେଲା ରାସ୍ତା ଉପରକୁ । ସେମାନେ କହିଲେ—ନା, ଏମିତି ଖୁସିରେ ଠିଆ ହୋଇଗଲେ । ବାଉଁଶ ଆଣିବାକୁ ବଡ଼ରମା ଯାଉଛନ୍ତି । ....ଟ୍ରକ୍‍ ସଙ୍ଗେ ସଙ୍ଗେ ଚାଲିଗଲା । କିନ୍ତୁ ବୁଦ୍ଧିମତୀ କ’ଣ ବୁଝିଲା କେଜାଣି ତା’ମନ ପାପ ଛୁଇଁଲା । ସଙ୍ଗେସଙ୍ଗେ ଏକ ଚିଠି ଲେଖି ମୂଲିଆ ପଠେଇଦେଲା ଗୌରପାଲୀ ଥାନାକୁ ଆଉ ଗୋଟାଏ ଟେଲିଗ୍ରାମ୍‍ ବାଲା ମୋ ପାଖକୁ ।

 

ତା’ପରେ ?

 

ତା’ପରେ ବାଘଗୋଳ ଯୋଉଠି, ସଞ୍ଜ ହେଲା ସେଇଠି । ରାତି ପ୍ରାୟ ବାର । ନିଶା ସାଇଁସାଇଁ ଗର୍ଜୁଛି । ହଠାତ୍‍ ବାହାରୁ ଶୁଭିଲା ଭୟଙ୍କର ଶବ୍ଦ । କବାଟରେ ଧକ୍କା ବାଜିଲା—ଦୁମ୍‍ଦୁମ୍, ଦୁମ୍‍ଦୁମ୍ ।

 

ପରାଶର ଥରି ଉଠିଲେ । କହିଲେ—କ’ଣ ପର୍ବତର ବାଘ ?

 

ଜୟନ୍ତ ହସିଲା । କହିଲା—ନା ପର୍ବତର ବାଘ ନୁହେଁ, ଧରିତ୍ରୀର ଶ୍ରେଷ୍ଠ ସନ୍ତାନ ମଣିଷ-। ଏକାବେଳକେ ଆଠ ଦଶ ଜଣ ଦୁର୍ବୃତ୍ତ ପାଚେରୀ ଟପି ଦୁଲ୍‍ଦାଲ୍‍ ଖଂଜା ଭିତରକୁ ଡେଇଁଲେ-!

 

ଚିହିଁକି ଉଠିଲା ତରୁ । କହିଲା—ନା, ମୁଁ କେବେ ବିଶ୍ୱାସ କରିବି ନାହିଁ । ନିଜକୁ ରକ୍ଷା କରିବା ପାଇଁ ଏ ତମର ଏକ ମନଗଢ଼ା ଗାଲୁଗପ ।

 

ପୁଣି ହସିଲା ଜୟନ୍ତ । କହିଲା—ଆଉ ଟିକଏ ଧୈର୍ଯ୍ୟ ଧର । ତମେ ନିଜେହିଁ କହିବ ଏହା ସତ୍ୟ ନା ପ୍ରହେଳିକା ।

 

ତା’ପରେ କ’ଣ ହେଲା ? —ପରାଶର ପଚାରିଲେ ।

 

ଘରେ ହାଲହୁଲୋଳି ପଡ଼ିଗଲା । ମା’, ଝିଅ, ଛୁଆ ଭୋ ଭୋ କାନ୍ଦିଉଠିଲେ । ବୃଦ୍ଧ ପିତା ହାଉଳି ଖାଇ ଖଟଉପରୁ ଉଠୁଉଠୁ ପୁଣି କଚାଡ଼ି ହେଇ ପଡ଼ିଲେ ସେଇଠି । ଦୁର୍ବୃତ୍ତମାନେ ପ୍ରଥମେ ବୃଦ୍ଧଙ୍କୁ ଖଟ ଦେହରେ ବାନ୍ଧିଦେଲେ । ବାକି ରହିଲେ ଯିଏ ସିଏ ପଲେ ମେଣ୍ଡାଠୁଁ ହୀନ । ସୁତରାଂ କାହାକୁ ବାନ୍ଧିବାକୁ ହେଲାନି କି ପାଟିରେ ଲୁଗା ଦେବାକୁ ପଡ଼ିଲାନି । ଗୋଟାଏ ଗୋଟାଏ ବିଧା ଚାପୁଡ଼ା ଗୋଇଠାରୁ ସମସ୍ତେ ହେଲେ ସାବାଡ଼ ।

 

ପଡ଼ିଶା ଘର କ’ଣ କେହି ଧାଇଁ ଆସିଲେନି ଏତେବେଳେ ?

 

ଆସିଥିଲେ, କିନ୍ତୁ ଡକେଇତ ଦଳର ଢୋ ଢୋ ବନ୍ଧୁକ ଆଓ୍ୟାଜରେ କେହି ଭରସି ପଶିପାରିଲେ ନାହିଁ । ନିଜ ଜୀବନକୁ ପାଣି ପରପାଇଁ ।

 

ଏକ ଗଭୀର ଦୀର୍ଘଶ୍ୱାସ ପକେଇ ପରାଶର କହିଲେ ତା’ ହେଲେ ଘଡ଼ିକେ କଳାକନା ବୁଲିଗଲା ବିଚାରା ମାନସରଞ୍ଜନଙ୍କ ଘରେ ?

 

ହଁ, ଟଙ୍କାସୁନା, ବାସନକୁଶନ, ପେଡ଼ିପେଟରା ଏପରିକି ଚାଉଳ ମୁଗ ଯାହାପାରିଲେ ଡକେଇତମାନେ କାଢ଼ିଆଣିଲେ ବାହାରକୁ । ସବୁ ନେଇ ଚାଲିଯାଇଥିଲେ କ୍ଷତି ନଥାନ୍ତା, କିନ୍ତୁ.... କିନ୍ତୁ ?

 

ମାନସବାବୁଙ୍କୁ ଶ୍ରେଷ୍ଠ ସମ୍ପତ୍ତି, କୋଟିଇନ୍ଦ୍ରର ଐଶ୍ୱର୍ଯ୍ୟ, କନ୍ୟା ରତ୍ନକୁ ନନେଲେ ତାଙ୍କ ଉତ୍ସବ ପୂର୍ଣ୍ଣ ହେଲାନି । ତେଣୁ ସେମାନେ ସଦର ଦରଜା ଖୋଲୁଖୋଲୁ ରହିଗଲେ । କାଞ୍ଚନ ଅପେକ୍ଷା କାମିନୀର ମୋହ ତାଙ୍କୁ ପ୍ରବଳଭାବେ ପଛକୁ ଟାଣିଲା ।

 

ଓଃ ଭଗବାନ ! ୟା’ ପୁଣି ଭାଗ୍ୟରେ ଥିଲା ତା’ର ।

 

ତା’ ଭାଗ୍ୟ ଭାରୀ ଉଜ୍ଜ୍ୱଳ, ଭାରୀ ତୋଫା । ବାଘ ଯେମତି ଗୋଟାଏ ଝାମ୍ପରେ ମିରିଗଛୁଆକୁ ମାଡ଼ିବସେ, ଦଶଟା ବାଘ ସେମିତି ଭୀଷଣ ଗର୍ଜନ କରି ଏକାବେଳକେ କୁଦି ପଡ଼ିଲେ ତା’ଉପରକୁ । ସମସ୍ତେ ବଛାବଛା ଗୁଣ୍ଡା, ସମସ୍ତେ ମଦରେ ଚୁର୍ ।

 

ଥାଉ ବନ୍ଦ କର ଜୟନ୍ତ । ମୋ ଆଖି ଅନ୍ଧ ହୋଇ ଯାଉଛି । ମୁଁ କଳ୍ପନା କରି ପାରୁନି ସେ ବୀଭତ୍ସ ଲୀଳା । କାଲି ତରୁକୁ କହୁଥଲି—ଭଗବାନ କ’ଣ ନାହାଁନ୍ତି ? ତରୁ କହିଲା—କାହାଁନ୍ତି ? ...ପ୍ରକୃତରେ ଭଗବାନ କାହାଁନ୍ତି ? କାହିଁନ୍ତି ? ସେ କହିଥିଲେ—

 

‘ପରିତ୍ରାଣାୟ ସାଧନାଂ ବିନାଶାୟାଚ ଦୁଷ୍କୃତାମ୍

ଧର୍ମସଂସ୍ଥାପନାର୍ଥାୟମ୍‍ ସମ୍ଭବାମି ଯୁଗେଯୁଗେ ।’

 

ସବୁ ମିଛ, ସବୁ ଭ୍ରାନ୍ତି । ଚିରିଦିଅ ଗୀତା । ପୋଡ଼ିଜାଳି ପାଉଶଁ କରିଦିଅ । ଭଗବାନ ନାହାଁନ୍ତି, ନାହାଁନ୍ତି ।

 

ପରାଶର ! ଭାରୀ ଭାବପ୍ରବଣ ତୁ । ଠିକ୍‍ ଭଉଣୀ ଭଳି ଭାଇ । ଟିକିଏ ରହ । କଥାଟା ମୁଁ କହି ସାରେ ।

 

ନା ଆଉ କହି ଲାଭ ନାହିଁ । ମୁଁ ସବୁ ବୁଝି ପାରୁଛି । ସବୁ ଜଳଜଳ ଦିଶୁଛି ମୋ ଆଖିରେ ।

 

କିନ୍ତୁ କଥା ତ ମୁଁ ମୋଟେ କହିନାହିଁ ।

 

କହିନାହୁଁ ??

 

ଏ ଖାଲି କଥାର ଆରମ୍ଭ ମାତ୍ର । ମୂଳ କଥା ଯାଇଁ କାହିଁ କୋଉ ଗହନରେ ।

 

ଜୟନ୍ତ ! —ଆଶ୍ଚର୍ଯ୍ୟ ହୋଇ ପରାଶର ତା’କୁ ଚାହିଁଲେ ।

 

ତରୁ କହିଲା—ମଲା ଉପରେ ଶଗଡ଼ ଯାଇଁ ଲାଭ ନାହିଁ । ତମ କଥା ଯଦି ସତ ହୋଇଥାଏ, ବିଚାରୀର ମରଣ ପାଇଁ ଦାୟୀ ତମେ ନୁହଁ, ଦାୟୀ ଭଗବାନ ।

 

ଜୟନ୍ତ କହିଲା—ହଁ ଭଗବାନ । ବିଚାରୀର କଥା ଭାବିଲେ ମୋର ଖାଲି ଭଗବାନଙ୍କ କଥା ମନେପଡ଼େ । ମନେ ଅଛିନା ପରାଶର, ସେଦିନ ତୁ ସେ ଶ୍ଳୋକ କହୁଥିଲୁ—

 

‘ଅଗ୍ରେ ବ୍ୟାଧ କରଧୃତ ଶର, ପୃଷ୍ଠତୋ ଜାଲମାଳା,

ପାର୍ଶ୍ୱେ ବହ୍ନି ଦହତି ବିପିନୈ, ସନ୍ନିଧେ ଶ୍ୱାନମେଳା ।

ଏଣୀଗର୍ଭା ଅଳସଗମନା, ବାଳକାଃ କ୍ରୋଡ଼ଲୀଳା

ଶ୍ଚିନ୍ତାଯୁକ୍ତା ବିଳପତି ମୃଗୀ କିଂ କରୋମି କ୍ୱଯାମି ।’

 

ପରାଶର ଆହୁରି ବିସ୍ମିତ ହୋଇ ତା’କୁ ଚାହିଁଲେ । କହିଲେ ତା’ ସହିତ ୟା’ର ସଂପର୍କ-?

 

ଧରଣୀ ସହିତ ଆକାଶର ଯାହା ସଂପର୍କ ।

 

ମାନେ ?

 

ନିଦାଘର ପ୍ରଚଣ୍ଡ ରୌଦ୍ରରେ ଧରଣୀ ଯେତେବେଳେ ଅଗ୍ନିପିଣ୍ଡ ଭଳି ଉତ୍ତପ୍ତ ହୁଏ—ତ୍ରାହିତ୍ରାହି ଡାକ ଛାଡ଼େ ଯନ୍ତ୍ରଣାରେ, ଆକାଶ ଅକୁଣ୍ଠିତ ଚିତ୍ତରେ ଢାଳିଦିଏ ବର୍ଷାର ଅମୃତଝର ।

 

ତୁ କ’ଣ ବାଚାଳ ହେଲୁ ଜୟନ୍ତ ? କାହା ସାଙ୍ଗରେ କାହା କଥା କହୁଛୁ ?

 

ବାଚାଳ ମୁଁ ହୋଇନି, ବାଚାଳ ହେଇଥିଲା ଯେଉଁ ଅସହାୟା ଯୁବତୀ ନାରୀ, ଭଗବାନ ତା’ ପାଖକୁ ପଠେଇଦେଲେ ସୁଦର୍ଶନ ଚକ୍ର ତା’କୁ କରିଦେଲେ ଜୋନ୍ ଅଫ୍ ଆର୍କ । ଅନନ୍ତ ବିଜୟର ଗୌରବରେ ସେ ମଣ୍ଡିଦେଲା ସମଗ୍ର ଧରଣୀ ।

 

ଜୟନ୍ତର ଦୁଇହାତ ଧରି ତରୁ ଜୋରେ ହଲେଇଦେଲା । କହିଲା—ସତରେ ତମେ ପାଗଳ ହେଇ ଯାଇଛ । କୁହ କ’ଣ ହେଲା ? କଥାଟା ଖୋଲିଖୋଲି କୁହ ।

 

ନାଟ ଦେଖିଛ ? ଯେତେବେଳେ ମଞ୍ଚ ଉପରେ କୌଣସି ସରଳା ନିରୀହା ନାରୀ ଉପରେ ଅତ୍ୟାଚାର ହୁଏ ବା କୌଣସି ଅବୋଧ ଅଜ୍ଞାନ ବାଳକକୁ ନେଇ ବଳି ଦିଆଯାଏ ଦେବୀଙ୍କ ପାଖରେ, ସେତେବେଳେ ମଞ୍ଚ ହୁଏ ଥରହର । ଗାଉଁଲି ଲୋକେ ଆଖି ବୁଜି ଦିଅନ୍ତି ଭୟରେ । କିନ୍ତୁ ଠିକ୍‍ ଖଡ୍‍ଗଟା ବେକ ଉପରେ ପଡ଼ିବା ଆଗରୁ ନେପଥ୍ୟରୁ ଧାଇଁଆସେ ଜଣେ ଅଦୃଶ୍ୟ ପୁରୁଷ—ଅତ୍ୟାଚାରୀର ରକ୍ତ ଶୋଷଣ କରେ, ନିରୀହକୁ ଦିଏ ମୁକ୍ତି । ଲୋକେ ବାହାବା କରନ୍ତି । ଆମେ ଶିକ୍ଷିତ ଲୋକେ ଖାଲି ଠୋ ଠୋ ହସୁ ।

 

କ’ଣ ତମେ କହୁଛ ? ମୁଁ ତ ବିନ୍ଦୁବିସର୍ଗ କିଛି ବୁଝି ପାରୁ ନାହିଁ ।

 

ବୁଝି ପାରୁନା ? ଆମେ ଭାବୁ ଏ ଖାଲି ଏକ ନିଛକ ପିଲାଖେଳ, କାରଣ ଆମ ଜୀବନଯୁଦ୍ଧରେ ଏଭଳି ସାହାଯ୍ୟ ଏକାନ୍ତ ଅସମ୍ଭବ—ଗୋଟାଏ ସ୍ୱପ୍ନ । କିନ୍ତୁ ସେଦିନ ଯା’ହେଲା କେହି ବିଶ୍ୱାସ କରିବେ ନାହିଁ । ସେଇ ଅଦୃଶ୍ୟ ପୁରୁଷ ହୀନିମାନୀର ଚରମ ବିପତ୍ତିବେଳେ ଓହ୍ଲେଇ ଆସିଲେ ସ୍ୱର୍ଗରୁ ।

 

ଓ ବୁଝିଲି, ଗୌରପାଲି ଥାନାର ପୋଲିସ ସବ୍ଇନ୍‍ସପେକ୍ଟର ବୋଧେ ସେତିକିବେଳେ ଆସି ପହଞ୍ଚିଗଲେ ?

 

ନା ସାମାନ୍ୟ ଏକ ଗାଉଁଲୀ ମଫସଲୀ ଝିଅର ଆକୁଳ ମିନତି ସବ୍ଇନ୍‍ସପେକ୍ଟରଙ୍କ କାନରେ ପ୍ରବେଶ କରି ପାରିଲା ନାହିଁ । କିନ୍ତୁ ଭଗବାନଙ୍କର ରତ୍ନସିଂହାସନ ଟଳମଳ ହେଲା ଦୁଖିଃନୀର ବିକଳ କରୁଣ ଆର୍ତ୍ତନାଦରେ ।

 

ତମେ ବି ଏକ ପିଲାଖେଳ କଥା କହୁଛ । ଭଗବାନ ତ ଆଉ ଦ୍ରୌପଦୀଙ୍କି ସାହାଯ୍ୟ ଦେଲା ଭଳି ସିଧାସଳଖ ବସ୍ତ୍ର ବଢ଼େଇ ଦେଲେନି ଆକାଶରୁ । କେହି ତ ପୁଣି ନିମିତ୍ତ ହୋଇଥିବ ।

 

ନିମିତ୍ତ ସେ ନିଜେ । କରୁଣାମୟଙ୍କର ଅନନ୍ତ ଆଶୀଷଧାରା ଝରିପଡ଼ିଲା ତା’ ମସ୍ତକରେ-। ତଡ଼ିତ୍‍ର ସ୍ପନ୍ଦନ ଭଳି ଗୋଟିଏ ତୀକ୍ଷ୍ନ ବୁଦ୍ଧି ଚିକ୍‍କିନା ଖେଳିଗଲା ମୁଣ୍ଡରେ । ଟିକିଏ ବି ଛାଟିପିଟି ନହୋଇ ମୁହଁରେ ଅପୂର୍ବ ହସର ଢେଉ ଖେଳେଇ ସେ ତାଙ୍କୁ ପାଛୋଟି ନେଲା ଘର ଭିତରକୁ-

 

ଏଁ ପାଛୋଟି ନେଲା ?

 

ଖାଲି ପାଛୋଟି ନେଲା ନୁହେଁ, ଜାଣିଜାଣି ଢଳିପଡ଼ିଲା କୋଳକୁ । କିନ୍ତୁ ସେ ବିଜୁଳି ଭଳି ଗତି । ଲକ୍ଷ ଚେଷ୍ଟା କଲେ ବି ମେଘ ତା’କୁ ଧରି ପାରିବ ନାହିଁ, ଯଦିଓ ମେଘ କୋଳରେ ତା’ର ଅବାଧ ସଂଚାର ।

 

ତରୁ କହିଲା—ଏ ଖାଲି ପୋଥିବାଇଗଣ ହେଇଗଲା । ନିଆଁ ଧରି ଖେଳିବା କଥା କହିବା ଆଉ ନିଆଁ ଧରି ସତସତ ଖେଳିବା ଦୁଇଟା ପୂରା ଅଲଗା ଜିନିଷ । ନିଆଁ ଯେ ସୁବିଧା ପାଇଲାମାତ୍ରେ ଜଳେ ଏବଂ ଜାଳେ ଏହା ସ୍ୱୟଂ ଭଗବାନ ହେଲେ ବି ଅସ୍ୱୀକାର କରି ପାରିବେ ନାହିଁ ।

 

ମାନୁଛି, ହୁଏତ ଧାସ କେତେ ଜାଗାରେ ଲାଗିଲା । କିଏ କଲା ଚୁମ୍ୱନ, କିଏ ହାତ ଧରି ଟାଣିନେଲା କୋଳକୁ । କିନ୍ତୁ ବୁଦ୍ଧିମତୀ ବିଦ୍ୟୁତଠାରୁ ଆହୁରି କ୍ଷିପ୍ର, ଆହୁରି ଚଞ୍ଚଳ । ସେ ସମସ୍ତଙ୍କୁ ଛୁଇଁଲା, କିନ୍ତୁ କାହାରିକୁ ପୁରାପୁରି ଧରା ଦେଲାନି । ଧରୁଧରୁ ଖସିଗଲା ହାତରୁ । ସେମାନେ ମଦରେ ଚୁର୍‍ ଥିଲେ । ଲକ୍ଷ୍ୟ ସ୍ଥିର ରଖି ପାରିଲେ ନାହିଁ ।

 

ତା’ ପରେ ? —ଉଦ୍‍ବିଗ୍ନ ହେଇ ପଚାରିଲେ ପରାଶର ।

 

ଓଠରେ ବିଶ୍ୱବିମୋହିନୀ ହସ ଖେଳେଇ ସୁନ୍ଦରୀ କହିଲା—ଏତେ ତରତର କିଆଁ ? ମୁଁ ତ’ ତମମାନଙ୍କର କିଣା କିଙ୍କର । ତମ ଗୋଡ଼ତଳରୁ କ’ଣ ବାହାରି ଯାଉଛି ? ଆଗେ ଟିକେ ଖାଇବାପିଇବା ହଉ । ତା’ପରେ ସିନା ମଜ୍‍ଲିସ୍... ସେହି ଡକେଇତଙ୍କ ପାଖରେ ମଦ ଥିଲା । ନିଜ ହାତରେ ଆଣି କେତେ ସ୍ନେହସରାଗ ବୋଳି ପରଶିଗଲା ସଭିଙ୍କି । ଭାଗ୍ୟକୁ ସେଦିନ ତାଙ୍କ ଘରେ ହରିଣମାଂସ ଥିଲା । ଆଣି ଗୋଟିଏ ଚୂଲୀରେ ଭାଜି ବସିଲା । କହିଲା—ହାତ ଯୋଡ଼ୁଛି, ମିନିଟିଏ ରହନ୍ତୁ, ମଦ ସାଙ୍ଗକୁ ମାଂସ ନହେଲେ ଚାଟ୍ ଉଠିବ ନାହିଁ । ତା’ ପରେ ତ ମୁଁ ଅଛି....

 

ତା’ପରେ ? ତା’ପରେ ??

 

କୋଉ ଯୁଗର କୋଉ ଦେଶର ପଲେ ରକ୍ତମୁଖା ସିଂହ ଏକ କ୍ଷୁଦ୍ରାଦପି କ୍ଷୁଦ୍ର ତୁଚ୍ଛ ଠେକୁଆକୁ ଖାତିର୍‍ କରି ନାହାନ୍ତି, ତେଣୁ ଆଜି ନକରିବାର କଥା । ଡକେଇତଦଳ—ଯା’ ଭିତରେ ଅଧେକରୁ ବେଶୀ ଥିଲେ ସର୍‍ଦାର୍‍ଜୀ–ମନଇଚ୍ଛା ପେଟେପେଟେ ମଦ ପିଇ ଆରାମରେ ଅଳସ ଭାଙ୍ଗିବାକୁ ଲାଗିଲେ । କେତେ ମଧ୍ୟ ନିଶାରେ ବିଭୋର ହୋଇ ଟିକିଏ ଟିକିଏ ଢୁଳେଇବାକୁ ଆରମ୍ଭ କଲେ । ଗୋଟିଏ ଘରେ ସେମାନେ ବସିଥିଲେ । ସେହି ଘରେ ମାଂସ ଭଜା ହେଉଥିଲା । ପାଞ୍ଚ ମିନିଟ୍‍ କଟିଗଲା । ...‘ମଲା ଯା’, ନିଆଁ ଲଗା ଲୁଣଟା ଆଣିବାକୁ ତ ଭୁଲିଗଲି’... –ଚଟ୍‍କିନି କଥାଟା କହି ପଦାକୁ ବାହାରିଗଲା ଝିଅଟି—ଆଉ ଆଖିର ଗୋଟାଏ ପଲକ ପଡ଼ିବା ଭିତରେ ଧଡ଼ାସ୍‍କିନା ଟାଣିଆଣିଲା କବାଟକୁ । ବାହାରପଟୁ ଲଗେଇ ଦେଲା ଲୁହାର ଝଂଜିର !!

 

ଜୟନ୍ତ !! —ଚିତ୍କାର କରି ଉଠିଲେ ପରାଶର ।

 

ତା’ପରେ ? ତା’ପରେ ? —ପାଟି କରି ଉଠିଲା ତରୁ ।

 

କେତେ ସମୟ ଜାଣେନା, ଦୁଇତିନି ମିନିଟ୍‍ରୁ ବୋଧେ ବେଶୀ ନୁହେଁ, ମା ଭାଇ ଭଉଣୀ ବୁଢ଼ାବାପା ସମସ୍ତଙ୍କୁ ଟାଣିଟାଣି ଖଂଜା ଭିତରୁ ବାହାରକୁ ବାହାର କରି ଆଣିଲା । ସେତେବେଳକୁ ସେ ଘର ଭୟଙ୍କର ଚିତ୍କାରରେ ଫାଟି ପଡ଼ୁଥାଏ । ହେଲେ ସେ ଘର ଅତି ମଜଭୁତ୍‍ ଘର । ତା’ର ଗୋଟିଏ ମାତ୍ର କବାଟ !

 

ତା’ପରେ ??

 

ତା’ପରେ ? ତା’ପରେ କ’ଣ ହେଲା ଜାଣ ? ନିଜ ହାତରେ ସେ ଚାରିପାଖ ବୁଲିବୁଲି ଦିଆସିଲି ମାରି ଲଗେଇ ଦେଇଗଲା ନିଆଁ—ନିଆଁ—ପ୍ରଳୟଙ୍କରଅଗ୍ନି—ବିଶ୍ୱଗ୍ରାସୀ ଅଗ୍ନି—ସର୍ବଭୁକ୍ଅଗ୍ନି !! ହାଃ, ହାଃ, ହାଃ; ହାଃ, ହାଃ, ହାଃ; ହାଃ, ହାଃ, ହାଃ ।

 

ଜୟନ୍ତ ! —ଗୋଟାପଣେ କୁଣ୍ଢେଇ ପକେଇଲା ତା’କୁ ପରାଶର । ତରୁ ଆଖିରୂ ଠସ୍‍ଠସ୍‍ ଲୁହ ଗଡ଼ିପଡ଼ିଲା । ଜୟନ୍ତ ତରୁକୁ ହଲେଇଦେଇ କହିଲା—ତମେ ଅବିଶ୍ୱାସ କରୁଥିଲ ପରା, ଚାଲ ଦେଖିବ ସେଇ ଝିଅ ଶୋଇଛି ।—ପିଠି, ଗୋଡ଼, ହାତରୁ ଚମଡ଼ା ଉତୁରି ଯାଇଛି ପରସ୍ତେ । ପ୍ରେତପୁରରୁ ଉଠି ଆସିଲା ଭଳିଆ ଦିଶୁଛି ।

 

ଏ କ’ଣ କହୁଛ ତମେ ? —ଆଶ୍ଚର୍ଯ୍ୟ ହେଇ ଚାହିଁଲା ତରୁ ।

 

ଜୟନ୍ତ କହିଲା—ହଁ, ନିଆଁ ଯେତେବେଳେ ଚାରିପାଖ ବୁଲି ହୁତୁହୁତୁ ହୋଇ ଜଳି ଉଠିଲା, ଯେତେବେଳେ ରସିକ ପ୍ରେମିକ ନାଗରମାନେ ପରସ୍ପର ହାତ, ଛାତି, ମୁହଁ କାମୁଡ଼ି କାମୁଡ଼ି ଖାଉଥିବେ ଆଉ ତା’ ସାଙ୍ଗରେ ମୁଣ୍ଡାମୁଣ୍ଡା ରଢ ନିଆଁ, ସେତିକିବେଳେ ଆଉ ଏକ ଦୁର୍ଯୋଗ ଘଟିଲା-। ତା’ର ସବା ସାନଭାଇଟି କେଜାଣି କେମିତି ପଶିଯାଉଥିଲା ନିଆଁ ପାଖକୁ । ସେ ଝଡ଼ବେଗରେ ଛୁଟିଗଲା ତା’ ପାଖକୁ । ପେଟତଳେ ପୂରେଇ ତା’କୁ ଧରି ଚାଲି ଆସୁଥିଲା, ହଠାତ୍‍ ଖଣ୍ଡେ ଜଳନ୍ତା କାଠ ଛିଡ଼ିପଡ଼ିଲା ତା’ ପିଠି ଉପରେ ! ପିଠିରୁ ସାଙ୍ଗେସାଙ୍ଗେ ପରସ୍ତେ ଚମଡ଼ା ଉତୁରିଗଲା-

 

ଆଃ ଜୟନ୍ତ ! ପରାଶର ଚିତ୍କାର କରି ଉଠିଲେ ।

 

ତରୁ ବ୍ୟସ୍ତ ହୋଇ କହିଲା—ଆରେ ତମେ ତ ବଡ଼ ଆଶ୍ଚର୍ଯ୍ୟ ଲୋକ । ଏତେବେଳଯାଏ ସେ କଥା କହିନା । ସେ କୋଉଠି ଅଛି ? ତମେ ଚାଲ । ଆମକୁ ଶୀଘ୍ର ନେଇ ଚାଲ ତା’ପାଖକୁ ।

 

ତମେ ଏ ଖବର ପାଇ ନଥିଲ ?

 

ନା, ମେଲ୍‍ରୁ ଓହ୍ଲେଇ ଆମେ ସିଧା ଆସୁଛୁ ଏଠିକି । ରାନୁ ଏତେବେଳଯାଏ ବି ମଟରରେ ଶୋଇଛି ।

 

କଥାର ଅବସରରେ ମୁକ୍ତା କେତେବେଳେ ଖସି ଭିତରକୁ ଚାଲି ଯାଇଥିଲା । ବର୍ତ୍ତମାନ ବାହାରି ଆସି କହିଲା—ରୋଗୀର ଅବସ୍ଥା ଅତି ସାଙ୍ଘାତିକ । —ଆପଣମାନେ ଶୀଘ୍ର ଆସନ୍ତୁ ।

 

ପରାଶର କହିଲେ—ଜୟନ୍ତ ! ଠାକୁରେ କରନ୍ତୁ, ରୋଗୀ ଠାକିଯାଉ । କିନ୍ତୁ ନ ଠାକିଲେ ବି ଦୁଃଖ ନାଇଁ । ମୋ ଛାତି ଆଜି ଗର୍ବରେ ଫାଟିପଡ଼ୁଛି, ଓଡ଼ିଶାରେ ଏଭଳି ଝିଅ ଅଛନ୍ତି । ସେ ମଣିଷ ନୁହେଁ, ସ୍ୱର୍ଗର ଦୂତ । ସେ ମୋର ନମସ୍ୟା । ସମଗ୍ର ଜାତିର ନମସ୍ୟା । ମୁଁ ତା’ର ଚରଣରେ ଏଇଠି ପ୍ରଣିପାତ କରୁଛି ।

 

ସମସ୍ତେ ଉଚ୍ଛନ୍ନ ହୋଇ କନିକା କଟେଜ୍‍ ଭିତରକୁ ପଶିଲେ । ତରୁ ପଚାରିଲା—ଝିଅଟି ନାଁ ?

 

ଜୟନ୍ତ କହିଲା—ରାଜଲକ୍ଷ୍ମୀ ।

 

ଏଁ ରାଜଲକ୍ଷ୍ମୀ ?

 

ଶିହରି ଉଠିଲ ଯେ, ତମେ ତାଙ୍କୁ ଚିହ୍ନ ?

 

ହଁ ଚିହ୍ନେ, ହେଲେ ସେ ଆଉ ଜଣେ ରାଜଲକ୍ଷ୍ମୀ, ତାଙ୍କ ଘର ପାରଳା ।

 

–ଛଅ–

 

ପାରଳା—

 

‘ତମାଳତାଳିବନରାଜିନୀଳା’ । ନୀଳ ଆକାଶର ବୁକୁ ଛୁଇଁ ଲମ୍ୱିଯାଇଛି ଯୋଉ ବିଶାଳ ବିସ୍ତୃତ ବନଭୂଇଁ, ତା’ର ଶୋଭା ଆଉ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଇ ମହାକବି କାଳିଦାସ ଦିନେ ସ୍ୱପ୍ନ ଦେଖିଥିଲେ ରାମଗିରିର । ରାମଗିରି ଏଠାରୁ ବହୁଦୂର । ହେଲେ ରାମଗିରିର ସେଇ ଶ୍ରୀ ଆଉ ସଂପଦ, ସେଇ ଅପୂର୍ବ ସୁନ୍ଦରମହୀରୁହମାଳା, ଘଂଚ ଅରଣ୍ୟାନୀ, ଢେଉଢେଉକା ପାହାଡ଼ ଆଉ ପର୍ବତ, ସର୍ବୋପରି ମଳୟର ହିଲ୍ଲୋଳ ପରେ ହିଲ୍ଲୋଳ—ସବୁ ଏକାଧାରରେ ଫାଟିପଡ଼ୁଛି ଏ ଭୂଇଁରେ । ଗିରିମାଳା ଆକାଶ ଚୁମ୍ୱିଛି । ତାଳ, ତମାଳ, ବକୁଳ, ପୁନ୍ନଗ, ପନସ, ସହକାର, ଶାଳ, ପିଆଶାଳ, ଅଶ୍ୱତ୍ଥ—ସୃଷ୍ଟିର ସବୁ ବୃକ୍ଷ ଯେମିତି ମାଳମାଳ ହେଇ, ଦଳଦଳ ହେଇ, ପଲପଲ ହେଇ ଠିଆ ହେଇଛନ୍ତି ଏକ ବିଚିତ୍ର ଭଙ୍ଗୀରେ । ଚଉଦିଗରେ ବିଛେଇ ହେଇଯାଇଛି ଏକ ସବୁଜ ଶ୍ୟାମ ଆସ୍ତରଣ । ଏ ଧୂଳିର ଧରଣୀ ଏ ନୁହେଁ । ଏଠି ନଗ୍ନକଠୋର ଜୀବନ ନାହିଁ । ଏ ଏକ କଳ୍ପନାଘେରା ସ୍ୱପ୍ନାଲୋକ—ମାୟାପୁରୀ—ଯୋଉଠି ଖାଲି ପ୍ରେମ, ପ୍ରୀତି, ରୋମାଞ୍ଚ ଆଉ ସ୍ୱପ୍ନ ! ଛନ୍ଦ ତୋଳି ବହି ଯାଉଛି ମହେନ୍ଦ୍ରତନୟା । ଦୂରରୁ ଭାସିଆସୁଛି ଗୋପାଳକୃଷ୍ଣଙ୍କ ଅମୃତ ନିର୍ଝର— ‘ଯେବେ ନବଘନ ଶ୍ୟାମ ବଂଶୀସ୍ୱନ ନିଶୀଥରେ ଥରେ ଶୁଣାଯିବ ।’

 

ଏଇ ପାରଳା–

 

ପାରଳାର ‘ସୀତାସାଗର’ରେ ପଦ୍ମ ଫୁଟିଥିଲା । ଉପରେ ଉଡ଼ୁଥିଲା ବକ, ହଂସରାଳି, ମାଛରଙ୍କା । ଥିର ଜଳରେ କଂପନ ଖେଳେଇ ଗଗରି ଭସେଇ ନୀର ନେଇଥିଲେ ପାରଳାର ନିତମ୍ୱିନୀ ।

 

ପାରଳାର ନିତମ୍ୱିନୀ ବିଶ୍ୱର ସୁନ୍ଦରୀ । ବଙ୍ଗ ତରୁଣୀର ଲାବଣ୍ୟ, ସମ୍ୱଲପୁର ଲଳନାର ରୂପ, ଆନ୍ଧ୍ରରମଣୀର ବେଣୀ ଆଉ ଫୁଲ, ତାମିଲ୍‍ ଯୋଷାର ପରିପାଟୀ, କାଶ୍ମୀର ବାଳାର ଦୁଧଅଳତା ଗୋଳା ରଙ୍ଗ ପୁଣି ଓଡ଼ିଆଣୀର ଲାଜ, ବଙ୍ଗାଳୁଣୀର କୋମଳତା, ତେଲେଙ୍ଗାଣୀର ଚଙ୍ଗଚଙ୍ଗ ଢଙ୍ଗ ଓ ଫୁର୍ତ୍ତି ସବୁ ଏକାଧାରରେ ଠୁଳ ହୋଇଛି ପାରଳା ରୂପସୀର ତନୁ, ମନ, ଅଙ୍ଗ ଆଉ ଅବୟବରେ । କଟକ ଆଉ ବାଲେଶ୍ୱର ଝିଅଙ୍କ ବେଶଭୂଷା ବଙ୍ଗଠାଣିରେ, କିନ୍ତୁ ତା’ ବେଶ ପୂରା ତୈଲଙ୍ଗ । ତଥାପି ତା’ର ବୈଶିଷ୍ଟ୍ୟ ଅଛି । ପୂରାପୂରି ନିଜତ୍ୱ ହରେଇ ଦେଇନି ସେ ଅନ୍ଧଭାବରେ । ତା’ କୋମଳ ରଙ୍ଗାଚରଣର ଦୁଇପଟି ଶକୁନ୍ତଳା ଓ ନାନା ଆଭରଣ ଭିତରେ ତା ସୁବର୍ଣ୍ଣ ନାସାର ସ୍ୱର୍ଣ୍ଣ ମାଛି ତା’କୁ କରିଛି ଏକ ସ୍ୱତନ୍ତ୍ର ଜୀବ—ଖାଣ୍ଟି ଓଡ଼ିଆଣୀ । ତା’ ମୁଖ ନିକଟରେ ‘ସୀତାସାଗର’ର ଅରବିନ୍ଦ ମ୍ଳାନ ଦିଶେ । ତା’ ହସ ତୁଚ୍ଛ କରେ ସୁନାଶୀର ଇନ୍ଦ୍ରଙ୍କ ଘରଣୀ ଶଚୀର ହସକୁ । ସେ ମାନମୟୀ, ହାସମୟୀ, ଲାଜକୁଳୀ, ମଉନୀ—ମଉନାବତୀ ।

 

କଲ୍ୟାଣର ବିହ୍ୱଳ ଆଖି ଲାଖି ରହିଥିଲା ସେହି ସୁରସୁନ୍ଦରୀଙ୍କ କୋମଳ ଚିବୁକରେ । କଳସୀରେ ଜଳ ଭରି ଅଳସ ଗୁଂଜନ କରି ମରାଳଗତିରେ ଫେରୁଥିଲେ ସେମାନେ । ସଂଧ୍ୟା ନଇଁ ଆସୁଥିଲା । କାମିନୀକୁଳର ହସ, ରସ ଆଉ ବାସରେ ମହକି ଉଠୁଥିଲା ସଂଧ୍ୟାର ଆକାଶ ।

 

ମହକି ଉଠିଲା ତରୁଣର ମନ । ଏତେ ରୂପ, ଏତେ ଆଭା, ଏତେ ଯୌବନ ସେ କଳ୍ପନା କରିପାରିଲା ନାହିଁ । ଜୀବନରେ ବହୁ ଝିଅଙ୍କ ସଂସ୍ପର୍ଶରେ ସେ ଆସିଛି । ଘନିଷ୍ଠ ଭାବରେ ମିଶିଛି ବି ଅନେକଙ୍କ ସାଙ୍ଗରେ । ଆଉ ଏଇ ପାରଳା—ଗତ ତିନି ବର୍ଷ ଧରି ପାରଳାରେ ସେ ଏକ ପ୍ରକାର ବାସିନ୍ଦା । ମା’ ଓ ଦାଦି ସବୁଦିନେ ଏଇଠି ଥାଆନ୍ତି । ବିଶ୍ରାମ ପାଇଁ ପକ୍ଷୀ ନୀଡ଼କୁ ବାହୁଡ଼ିଲା ଭଳି ସେ ସବୁ ଛୁଟୀରେ ଏଠାକୁ ଆସେ ପୁଣି ଛୁଟୀ ଶେଷରେ ପକ୍ଷ ପିଟି ଆକାଶକୁ ଉଡ଼ିଯାଏ । କିନ୍ତୁ କି ବିଚିତ୍ର ବେଳାରେ ଆଜି ରାତି ପାହିଥିଲା, ମନେହେଉଛି, ସେ ଯେମିତି ଆଜିଯାଏ ନାରୀ ଦେଖି ନଥିଲା, ଆଜି ନୂଆ କରି ଦେଖୁଛି ନାରୀ—ଆବିଷ୍କାର କରୁଛି ନାରୀର ଶୋଭା ଆଉ ସୌନ୍ଦର୍ଯ୍ୟ !!

 

ଭାଇଜାଗରୁ ତରୁର ଚିଠି ପାଇ ପ୍ରଥମେ ସେ ହସିଥିଲା, ତା’ପରେ ଚମକି ପଡ଼ିଥିଲା ପାରଳା ନାଁ ଶୁଣି । ଢାକ୍‍କା, କଲିକତା, ଜାମସେଦ୍‍ପୁର, କଟକ—ବହୁ ସହରରେ ସେ ଚଳି ଆସିଛି, କିନ୍ତୁ ଚିଠିରେ ବର୍ଣ୍ଣିତ ରୂପ, ଗୁଣ, ଶୋଭା, ସୁଷମା କେଉଁଠି ଦେଖିଛି ବୋଲି ମନେ ହେଲାନି । ପୁଣି ଏତେ ଶୋଭା ଏଇ ପାରଳାରେ ? ପାରଳା–ଯାହାର ସଂସ୍କୃତି ଏକ ବିଚିତ୍ର ଖେଚେଡ଼ି, ଯୋଉଠି ଓଡ଼ିଆଘରେ ଦାଣ୍ଡପଟେ ତେଲୁଗୁ, ବାଡ଼ିପଟେ ଓଡ଼ିଆ,’ ତେଲୁଗୁ ଘରେ ବାହାରେ ଅକଟି, ରୁଣ୍ଡ, ମୁଡ଼୍, ନାଲୁଗୁ ଆଉ ଭିତରେ ଓଡ଼ିଆଘରର ସେଇ ମୁରୁଜଚିତା, ସେଇ ଶିକା, ମାଣବସା ଗୁରୁବାର, ଏଣ୍ଡୁରିପିଠା—ସେଠି ଏତେ ସ୍ୱର୍ଗୀୟ ରୂପ, ଅପୂର୍ବ ବିଭୂତି, ବିଶ୍ୱାସ କରି ପାରିଲା ନାହିଁ କଲ୍ୟାଣ । ଚିଠିର କଥାକୁ ମୁହଁର କଥାରେ ପରଖିନବାକୁ ଅପେକ୍ଷା କରିଥିଲା ସିଏ, କିନ୍ତୁ ସେ ସୁଯୋଗ ଆସିବା ଆଗରୁ ତା’କୁ ଦୁର୍ଯୋଗର ସମ୍ମୁଖୀନ ହେବାକୁ ପଡ଼ିଲା । ତରୁ କଟକ ପହଞ୍ଚିବା ପୂର୍ବରୁ ହଠାତ୍ ଏକ ଟେଲିଗ୍ରାମ୍‍ ପାଇ ତାକୁ ଛାଡ଼ିବାକୁ ପଡ଼ିଲା କଟକ ।

 

ଅଟକିଗଲା ତା’ ପାଦ । ତୁହାଇ ତୁହାଇ ମନେପଡ଼ିଲା ଦମୟନ୍ତୀଙ୍କ ସ୍ୱୟମ୍ୱର କଥା । ଦମୟନ୍ତୀଙ୍କ ଅଲୋକସାମାନ୍ୟ ରୂପରେ ମୁଗ୍‍ଧ ହୋଇ ସ୍ୱର୍ଗରୁ ଓହ୍ଲେଇ ଆସିଥିଲେ ଦେବତାଗଣ । ପ୍ରତ୍ୟେକ ଜଣେ ଜଣେ ନଳ ରୂପ ଧରି ବସିଥିଲେ ସ୍ୱୟମ୍ୱର ସଭାରେ । ସମସ୍ତଙ୍କର ରୂପ, ଠାଣି, ଐଶ୍ୱର୍ଯ୍ୟ ଏକ—ଅଭିନ୍ନ ତେଣୁ ଦମୟନ୍ତୀଙ୍କ ପକ୍ଷରେ ପ୍ରକୃତ ନଳଙ୍କୁ ବାଛିବା ହେଇପଡ଼ିଲା ଏକ ବିଷମ ସମସ୍ୟା । ଠିକ୍‍ ସେହି ଅବସ୍ଥା ଆଜି କଲ୍ୟାଣର । ଅବଶ୍ୟ ତରୁଣ ଗଣ ଅଭିନ୍ନ ନୁହଁନ୍ତି—ବିଭିନ୍ନ । ହେଲେ ରୂପରେ, ରଙ୍ଗରେ, ଯୌବନରେ ଏକୁ ଆରେକ ବଳୀୟାର । ତେଣୁ ଏଇ ପରୀଙ୍କ ହାଟ ଭିତରେ କୋଉଠି ଅଛି ତା’ ସ୍ୱପ୍ନର ଧନ, ସରଗର ଦେବୀ, ସେ ଖୋଜିଖୋଜି ନିରସ୍ତ ହେଲା, ପାଇଲା ନାହିଁ ।

 

‘ଆରେ କଲ୍ୟାଣ ଯେ’—ଡାକିଡାକି ପଛରୁ ଆସି ପହଞ୍ଚିଲା ଭେଙ୍କ୍‍ଟାୟା । ଫେରି ଚାହିଁଲା କଲ୍ୟାଣ ସେନ୍ । କହିଲା—ଆ, ନମସ୍କାର । ...ଦୁହେଁ ପରମ ବଂଧୁ । ଉଭୟେ ପଢ଼ନ୍ତି ସିକ୍‍ସଥ୍‍ ଇୟରରେ । ହେଲେ ଜଣେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ତିରୁପତି ଇଉନିଭରସିଟିରେ । ଜଣେ ବଙ୍ଗୀୟ, ଜଣେ ଆନ୍ଧ୍ର । ଉଭୟଙ୍କ ବାସ ଉତ୍କଳରେ ।

 

କେମିତିରେ, ମା’ ଦେହ ଭଲ ? —ଭେଙ୍କ୍‍ଟାୟା ପଚାରିଲା ।

 

ହଁ ଟିକିଏ ଭଲ । ବୁଢ଼ୀଲୋକ । ତହିଁରେ ପୁଣି ଶ୍ୱାସ । ବେଳେବେଳେ ଅବସ୍ଥା ଭାରୀ ସାଂଘାତିକ ହୋଇଯାଏ । କାକାବାବୁ ଏଥରକ ଡରିଗଲେ । ସେଇଥିପାଇଁ ତ ଟେଲିଗ୍ରାମ୍ ।

 

ଗୋଟିଏ କଥା କହିବି କଲ୍ୟାଣ ?

 

କହ ।

 

ଆଖିର ଲୁହ ଆଉ ମୁହଁର ହସ ଭିତରେ ଯାହା ପାର୍ଥକ୍ୟ ତା’ ବୁଝିବାର ବେଳ ଆଉ ବୟସ କ’ଣ ତୋ’ର ଆସିନାହିଁ ?

 

ତା’ ମାନେ ?

 

ମା’ ଚିରଦୁଃଖିନୀ । ଝରଝର ହୋଇ ରକ୍ତ ଝରୁଛି ତାଙ୍କ ଆଖିରୁ । ଚଉଦିଗରେ ଅମାନିଶିର ଅନ୍ଧକାର । ଏ ଅନ୍ଧାର ଭିତରେ ଲକ୍ଷ ପ୍ରଦୀପର ଆଲୋକ ଜାଳି ତାଙ୍କ କୋଳ ପୂର୍ଣ୍ଣ କରି କେବେ ଆସିବେ ଲକ୍ଷ୍ମୀ, ଅନ୍ନପୂର୍ଣ୍ଣା, ଜଗଦ୍ଧାତ୍ରୀ ??

 

ବାବ୍‍ବା, ତୁ ତ ଏକାବେଳକେ କବି ପାଲଟିଗଲୁ । ଜଗଦ୍ଧାତ୍ରୀ ଜନନୀଙ୍କ ଆରାଧନା ପାଇଁ ତୋ’ର ଦରଦ ତ ଭାରୀ ଦେଖୁଛି ।

 

ମୋର ନୁହେଁ, ଆପଣଙ୍କର....

 

ମୋ–ର ? ଚମକି ପଡ଼ିଲା କଲ୍ୟାଣ ।

 

ଭେଙ୍କ୍‍ଟାୟା କହିଲା—କାହିଁକି, ହେଇ ଦେଖିଲିତ ଦେବୀଙ୍କ ଆଡ଼େ ତୁକି ଆକୁଳବିକଳ ହେଇ ଘଣ୍ଟାଘଣ୍ଟା ଧରି ଚାହିଁରହିଛୁ ।

 

ମତେ ଭୁଲ୍‍ ବୁଝ ନାଇଁ ଭାଇ ।

 

ତୁ ବୋଧେ ମୋତେ ଭୁଲ୍‍ ବୁଝୁଛୁ । ଚାହିଁବାରେ ତ ମୋଟେ ହିଁ ଅପରାଧ ନାହିଁ । ବଂର ମୋର ମନେହୁଏ ନ ଚାହିଁବାହିଁ ଏକ ଗୁରୁତର ତ୍ରୁଟୀ । ତରୁଣୀର ସୁନ୍ଦର ମୁଖକୁ ଆକଣ୍ଠ ପାନ କରିବା ତରୁଣର ଧର୍ମ । ଯୋଉଠି ଏହାର ବ୍ୟତିକ୍ରମ, ସେଠି ବରଂ ଅସ୍ୱାଭାବିକତା, ଅନ୍ୟାୟ, ଅପରାଧ ।

 

କିନ୍ତୁ ତୁ କ’ଣ ବିଶ୍ୱାସ କରିବୁ ମୋର ଏ ଦୁର୍ବଳତା କେବେ ନଥିଲା....

 

ଆଜି ବୋଧେ ନୂତନ ଆବିଷ୍କାର ?

 

ହଁ ଠିକ୍‍ ସେଇଆ, ଏଇ କେଇଦିନ ହେଲା ଏ ଦୁର୍ବଳତାର ସଂଧାନ....

 

ଦୁର୍ବଳତାର ନୁହେ ଜୀବନର ସଂଧାନ କହ । ପ୍ରେମ, ପ୍ରୀତି, ପ୍ରାଣପ୍ରାଚୁର୍ଯ୍ୟ ଭିତରେ ଜୀବନର ପ୍ରତିଷ୍ଠା ହୁଏ, ନଷ୍ଟ ହୁଏ ନାହିଁ ।

 

କିନ୍ତୁ ନାରୀ ଯେ ନରକ ପଥର ଯାତ୍ରୀ....

 

ଯୋଉମାନେ ଜୀବନ ପଥରେ ପାଦଟିଏ ଆଗେଇବାକୁ ଅକ୍ଷମ, ସେହିମାନେ କେବଳ ଏ କଥା କହନ୍ତି । ନାରୀ କେଉଁ ବାଟରେ ନରକ ଦ୍ୱାରକୁ ଟାଣିନିଏ ଜାଣେନା, କିନ୍ତୁ ନାରୀ ଯେ ପୁରୁଷର ରୁକ୍ଷ ଟାଙ୍ଗର ପ୍ରାଣରେ ଅମୃତର ଝର ବୁହାଇଦିଏ ତା’ ପୃଥିବୀର ଶ୍ରେଷ୍ଠ ନାରୀନିନ୍ଦୁକ ବି ସ୍ୱୀକାର କରିବେ । ଥାଉ ସେ କଥା । ମୁଁ ଜାଣେ ତୁ ନାରୀ—ନିନ୍ଦୁକ ନୋହୁଁ ବରଂ ତୁ ନାରୀର ଏକ ପରମ ଭକ୍ତ ।

 

ଭକ୍ତ ? ମୁଁ ??

 

ହଁ ତୁ, କଲ୍ୟାଣ ସେନ ।

 

ମିଛକଥା । ବାଜେକଥା । ମୁଁ ଚିରକାଳ ନାରୀକି ଘୃଣା କରି ଆସିଛି । ନାରୀ ଦେଖିଲେ ମୋ ହାଡ଼ ଜଳିଯାଏ । ବରଂ ମୁଁ ତୁଳସୀଦାସଙ୍କ ସହିତ କଣ୍ଠ ମିଳାଇ କହେ— ‘ନାରୀ ଦିନ୍‍କା ମୋହିନୀ ରାତ୍କା ବାଘୁଣୀ ପଲକେ ପଲକେ ଲହୁ ଚୋଷେ... ।

 

ସତେ, ମୁଁ ତା’ହେଲେ ତୋତେ ଭୁଲ୍‍ ବୁଝିଥିଲି । ନାରୀକି ତୁ ଘୃଣା କରୁ ? ନାରୀ ତା’ ହେଲେ ବାଘୁଣୀ ? ବାଘୁଣୀ ତେବେ ତରୁ ? ତରୁ ପଲକେ ପଲକେ ଲହୁ ଚୋଷେ ?? ରକ୍ତ ଖାଏ-??

 

ଭେଙ୍କ୍‍ଟାୟା ! ଭେଙ୍କ୍‍ଟାୟା —ଚିତ୍କାର କରି ଉଠିଲା କଲ୍ୟାଣ—ତୋତେ ହାତ ଯୋଡ଼ୁଛି, ଆଉ କହନା । ତୁ କ’ଣ କହୁଛୁ ତୁ ଜାଣୁନା । ତୁ ଜାଣୁନା ତରୁ କିଏ ।

 

ସ୍ତବ୍‍ଧ ହୋଇ କଲ୍ୟାଣ ବସିପଡ଼ିଲା । କଣ୍ଠରୁ ଆଉ ପଦଟିଏ ବାହାରିଲା ନାହିଁ । ଆଖି ହେଲା ଛଳଛଳ ।

 

ଭେଙ୍କ୍‍ଟାୟା ମୁହଁରେ ବି ଭାଷା ନାହିଁ । ବହୁ ସମୟ ନୀରବରେ କଟିଲା । ଶେଷରେ ଭେଙ୍କ୍‍ଟାୟା କହିଲା—ତୋର କେଉଁ ତନ୍ତ୍ରୀରେ ଆଘାତ କରିଛି ମୁଁ ଜାଣେ, କିନ୍ତୁ ମତେ ବିଶ୍ୱାସ କର ମୁଁ ଖାଲି ଯୁକ୍ତିଛଳରେ କହୁଥିଲି, ମୋର କୌଣସି ଉଦ୍ଦେଶ୍ୟ ନାହିଁ କି ନଥିଲା । ତା’ଛଡ଼ା ମୁଁ ଜାଣେ ତରୁ ସ୍ୱର୍ଗର ଦେବୀ । ଧରଣୀର ପଙ୍କ ତାଙ୍କୁ ଛୁଇଁ ନାଇଁ, ଛୁଇଁ ପାରେନା ।

 

କଲ୍ୟାଣର ମୁହଁ ଟିକିଏ ଉଜ୍ଜ୍ୱଳ ହେଲା । କହିଲା—ତୁ ତା’ଙ୍କୁ ଜାଣୁ ?

 

ଜାଣେ ।

 

ଅବଶ୍ୟ ସିଏ ନାରୀ । କିନ୍ତୁ କେଜାଣି କାହିଁକି ନାରୀ ବୋଲି କହିବାକୁ ତାଙ୍କୁ ସାହସ ହୁଏନି । ମୁଁ ଚିରକାଳ ଦେଖିଆସିଛି ତାଙ୍କୁ ଜନନୀ ରୂପରେ । ଚିରକାଳ ପୁଷ୍ପ ଆଉ ଚନ୍ଦନରେ ପୂଜା କରିଛି ସେଇ କନକ ଚରଣ ଦୁଇଟିକି ।

 

ବୁଝିଲି । ତେବେ କୋଉ ନାରୀ ପ୍ରତି ତୋ’ର ଘୃଣା ? ପାରଳା ନାରୀ ?

 

ପାରଳା ?? —କଲ୍ୟାଣର ସାରା ଅଙ୍ଗରେ ଯେମିତି ଗୋଟାଏ ଶିହରଣ ଖେଳିଗଲା । ହଠାତ୍‍ କଥା ଆସିଲାନାଇଁ ତୁଣ୍ଡରେ । ଛେପ ଢୋକିଢୋକି କହିଲା—ଆଚ୍ଛା ଭେଙ୍କ୍‍ଟାୟା, ଗୋଟାଏ କଥା ପଚାରିବି ?

 

ଗୋଟାଏ କାହିଁକି ସହସ୍ର ।

 

ତୁ.....

 

ହଁ, ମୁଁ....

 

ତୁ ତାକୁ ଚିହ୍ନୁ ?

 

ପ୍ରଥମେ ସର୍ବନାମ ନକହି ବିଶେଷ୍ୟ କୁହାଯାଏ । ତା’ ନହେଲେ ମୁଁ କାହିଁକି ସ୍ୱୟଂ ବ୍ରହ୍ମା ବି ଚିହ୍ନିବେ ନାହିଁ ।

 

ଫାଇଁକିନା ହସିଉଠିଲା କଲ୍ୟାଣ । କହିଲା—ଆଚ୍ଛା ବିଶେଷ୍ୟହିଁ କୁହାଯିବ, କିନ୍ତୁ ବିଶେଷ କରି ଚିହ୍ନେଇ ଦେବାକୁ ହେବ ତାଙ୍କୁ ।

 

ପୁଣି ତ ସର୍ବନାମ କହିଲୁ ।

 

ନା, କହୁଛି । ତା’ ନା..ତା’ ନାଁ ରାଜଲକ୍ଷ୍ମୀ ।

 

କିଶୋରୀ ନା ତରୁଣୀ ?

 

ତରୁଣୀ ।

 

ଓଡ଼ିଆ ନା ତେଲୁଗୁ ?

 

ତେଲୁଗୁ ।

 

ଶିକ୍ଷିତା ନା ଅଶିକ୍ଷିତା ?

 

ଶିକ୍ଷିତା ।

 

ଗୋରା ନା କଳା ?

 

ତୋ’ ମୁଣ୍ଡ ଆଉ ଗଣ୍ଡି ! ଇଡିଅଟ୍ । ଖାଲି ପ୍ରଶ୍ନ ଆଉ ପ୍ରଶ୍ନ । ତୁ ଯଦି ନ ଚିହ୍ନିଛୁ ମନା କରି ଦେଇଥିଲେ ତ ପ୍ରଣବ ଅଶୁଦ୍ଧ ହେଇ ଯାଇ ନଥାନ୍ତା । ପରିହାସ କରି ଏପରି ଆଘାତ ଦେବାକୁ....

 

ଆଚ୍ଛା ତୁ ଜି. ଦଳେଇକି ଚିହ୍ନୁ ?

 

ଜି. ଦଳେଇ ?

 

ଚିହ୍ନିନାହୁଁଟି ? ଅଥଚ ରାତି ପାହିଲେ ତା’ ମୁହଁ ଦେଖୁଛୁ । ସକାଳ ହେଲାକ୍ଷଣି ସେ ଆସି ତୋ’ ଦୁଆରେ ଠିଆ । ଚା’, କଫି, ଲସି, ସରବତ୍, ପାନ, ସିଗାରେଟ୍—ହଜାର ଜିନିଷର ବରାଦ ତା’ ଉପରେ......

 

ଓ ତୁ ଆମ ହଷ୍ଟେଲ୍‍ ସର୍‍ଭାଣ୍ଟ ଗଙ୍ଗାଧର କଥା କହୁଛୁ ? ପରିଚୟ ନଦେଲେ ଚିହ୍ନିବି କେମିତି ?

 

ତୋ’ ବେଳକୁ ପରିଚୟ ଲୋଡ଼ା । ଆଉ ମୁଁ ପରିଚୟ ମାଗିଲେ ହେଲି ଇଡିଅଟ୍ !! —ଭେଙ୍କ୍‍ଟାୟା ହସି ଉଠିଲା ।

 

ହସିହସି କଲ୍ୟାଣ କହିଲା—ନା, ତୁ ତ ପରିଚୟ ମାଗୁ ନାହୁଁ । ଗୁଡ଼ାଏ ଏଣୁତେଣୁ ପ୍ରଶ୍ନ ପଚାରି ମୋ କଥାଟାକୁ ଖାଲି ପରିହାସରେ ଉଡ଼େଇ ଦେଉଛୁ ।

 

ବିଶ୍ୱାସ କର ମୁଁ ପରିହାସ କରୁନାହିଁ ।

 

ତେବେ ତୁଣୀର ନିଃଶେଷ କରି ଏ ଲକ୍ଷେ ପ୍ରଶ୍ନର ତୀର ଫିଙ୍ଗିବାର ଉଦ୍ଦେଶ୍ୟ ?

 

ପ୍ରତ୍ୟେକ ପ୍ରଶ୍ନଟିର ଉତ୍ତର ଯଦି ଭୁଲ୍‍ ମିଳେ, ତେବେ ସତ୍ୟର ସଂଧାନ ପାଇଁ ଆହୁରି ଆହୁରି ପ୍ରଶ୍ନ କରିବା ଯେ ଆବଶ୍ୟକ ତା’ ତୋ’ ଭଳି ବିବେକୀ ଲୋକ ନିଶ୍ଚୟ ସ୍ୱୀକାର କରିବ ।

 

ଭୁଲ ??

 

ନିଶ୍ଚୟ ଭୁଲ୍ । ଆଚ୍ଛା ତୋର ତାଙ୍କ ସହିତ ପରିଚୟ ହେଲା କେଉଁଠି ?

 

ପରିଚୟ ? କାହିଁ ହେଇ ନାହିଁତ ।

 

କ’ଣ କହୁଛୁ ତୁ ? ରାଜଲକ୍ଷ୍ମୀ ସହିତ ତୋ’ର ପରିଚୟ ନାହିଁ ? —ଉଦ୍‍ଗ୍ରୀବ ହୋଇ ପଚାରିଲା ଭେଙ୍କ୍‍ଟାୟା ।

 

କଲ୍ୟାଣ ସେମିତି ସ୍ଥିରଭାବରେ କହିଲା—ନା, ମୁଁ ମୋଟେ ତାଙ୍କୁ ଚିହ୍ନି ନାହିଁ । ସେ ଗୋରା କି କଳା, ସୁନ୍ଦରୀ କି ଅସୁନ୍ଦରୀ, ଦୁଇ ଚକ୍ଷୁରେ ଦିନେ ଦେଖିବାର ଅବକାଶ ବି ନାହିଁ ମୋର-

 

ତୁ ସତ କହୁଛୁ ?

 

ଭଗବାନଙ୍କ ଦ୍ୱାହି ଦେଇ ।

 

ବଡ଼ ଅଦ୍ଭୁତ ଲୋକ ତୁ କଲ୍ୟାଣ ।

 

ଅଦ୍ଭୁତ ?

 

ନୁହେଁ ? ଏଣେ କହୁଛୁ ମୁଁ ନାରୀକି ଘୃଣା କରେ—‘ନାରୀ, ଦିନ୍‍କା ମୋହିନୀ ରାତ୍‍କା ବାଘୁଣୀ’, ଆଉ ତେଣେ ତରୁ ନାଁ କହିଲାବେଳକୁ ତୋ’ ମୁଣ୍ଡରେ ବଜ୍ର ଛିଡ଼ି ପଡ଼ୁଛି; ଏଣେ ରାଜଲକ୍ଷ୍ମୀ ସହିତ ତୋ’ର ସାମାନ୍ୟ ପରିଚୟ ବି ନାହିଁ, ଅଥଚ ନିର୍ବୋଧଙ୍କ ଭଳି ବାଚାଳଙ୍କ ଭଳି ଜଳନ୍ତା ଅଗ୍ନିକୁଣ୍ଡକୁ ତୁ ଡେଇଁ ପଡ଼ିଲୁ !!

 

ଅଗ୍ନିକୁଣ୍ଡ ? —ଆଶ୍ଚର୍ଯ୍ୟ ହେଇ କଲ୍ୟାଣ ତାକୁ ଚାହିଁଲା ।

 

ସର୍ପବିଳରେ ଯିଏ ହାତ ଦିଏ ସିଏ ସର୍ପର ଦଂଶନ ସହିବାକୁ ପ୍ରସ୍ତୁତ ହେବା ଉଚିତ୍ ।

 

କ’ଣ ତୁ କହୁଛୁ ? ତୋ’ କଥାରେ ବିନ୍ଦୁବିସର୍ଗ ମୁଁ କିଛି ବୁଝୁନାହିଁ ।

 

ଖାଲି ଏତିକି ବୁଝ୍, ଏତେବେଳଯାଏ ତୁ ଯାହା ବୁଝିଛୁ ସବୁ ଗୋଟାଏ ଚରମ ଭ୍ରାନ୍ତି—

 

ଭ୍ରାନ୍ତି ? କେମିତି ?

 

ଯୋଉ ରାଜଲକ୍ଷ୍ମୀ ପାଇଁ ତୁ ଉଦ୍ଭ୍ରାନ୍ତ ହୋଇ ପାରଳାର ପଥେପଥେ ଖୋଜି ବୁଲୁଛୁ, ସେ ଅନେକଦିନୁ ଏଠୁ ଚାଲିଯାଇଛି । ସେ ଆଜି କଟକ ଡାକ୍ତରଖାନାରେ ପଡ଼ିଛି । ମରିବ କି ବଞ୍ଚିବ ଠିକ୍‍ ନାହିଁ । ଯୋଉ ଜୟନ୍ତକୁ ନରକ ପଥରୁ ଉଦ୍ଧାର କରିବାପାଇଁ ତୁ କାଳିକଲମର ଆଶ୍ରୟ ନେଇ ଅଶ୍ରୁବୋଳା ପତ୍ରଟିଏ ଲେଖିଲୁ, ସେ ନରକ ପଥରୁ ଫେରିଲା ନାହିଁତ, ବରଂ ଦିନକୁ ଦିନ ହେଲା ଆହୁରି ଆହୁରି ହିଂସ୍ର—ହିଁସ୍ରତର । ଯାହାର ମଥାର ସିନ୍ଦୂର, ହାତର ବଳୟକୁ ଉଜ୍ଜ୍ୱଳ କରିବାପାଇଁ ତୋ’ର ଏତେ ନିଷ୍ଠା ଆଉ ଆନ୍ତରିକତା, ତାହାରି ମୁଣ୍ଡରେ ଶେଷକୁ ଛିଡ଼ିଲା ବଜ୍ର । ସେଇ ହେଲା ଶେଷରେ ହିଂସ୍ର ବ୍ୟାଧର ଶିକାର !!

 

ଏଁ ଭେଙ୍କ୍‍ଟାୟା ! ଚିତ୍କାର କରିଉଠିଲା କଲ୍ୟାଣ । କ’ଣ କହୁଛୁ ତୁ ? କାହା କଥା କହୁଛୁ ? କ’ଣ ହେଇଛି ବୋଉଦୀଙ୍କର ? କ’ଣ ? କ’ଣ ?

 

ଏଇମାତ୍ର ମୁଁ କଟକରୁ ଆସୁଛି । ନିଜ କାନକୁ ମୁଁ ଅବିଶ୍ୱାସ କରି ପାରିବି ନାହିଁ । ଯୋଉ ନିଆଁ ତୁ ନିଜ ହାତରେ ଜଳେଇ ଦେଇଥିଲୁ, ମୁଁ ଖୁସୀ ହେଇଥାନ୍ତି, ଯଦି ତୁ ନିଜେ ସେଥିରେ ଜଳିପୋଡ଼ି ମରିଥାନ୍ତୁ । କିନ୍ତୁ କଲ୍ୟାଣ, ତୁ ଶୁଣିଲେ ତୋ’ ଛାତି ଫାଟିଯିବ, ସେଇ ନିଆଁରେ ଆଜି ତରୁଦେବୀ ହୁ ହୁ ଜଳୁଛନ୍ତି । ଆଜି ତରୁଦେବୀ ଦୁନିଆ ଆଖିରେ କଳଙ୍କିନୀ ! କୁଳଟା !! ବେଶ୍ୟା !!!

 

ଓଃ ବେଶ୍ୟା !! ଭଗବାନ !! —ଅନ୍ଧ ହେଇ ବସି ପଡ଼ିଲା କଲ୍ୟାଣ । ସାରା ସୃଷ୍ଟି ହେଲା ଅନ୍ଧାର । ବିଶ୍ୱ ବ୍ରହ୍ମାଣ୍ଡ ଯେମିତି ପ୍ରଳୟ ହୋଇଆସିଲା ଘଡ଼ିକେ ।

 

ଭେଙ୍କ୍‍ଟାୟା ଆହୁରି କ’ଣ କହି ଆସୁଥିଲା । କଲ୍ୟାଣର ଅବସ୍ଥା ଦେଖି ତା’ ତୁଣ୍ଡର କଥା ତୁଣ୍ଡରେ ହିଁ ରହିଲା । ଖାଲି ପଦଟିଏ ଶୁଭିଲା—ନା, ଦୁନିଆର ସହସ୍ର ଲୋକ ବିଦ୍ରୂପ କଲେ ବି ମୁଁ କହିବି—ତରୁ ନିର୍ମଳ, ପରାଶର ନିର୍ମଳ ।

 

–ସାତ–

 

ଶାନ୍ତ ଆକାଶ । ଉଜ୍ଜ୍ୱଳ ତାରାପୁଂଜ ସାରା ଆକାଶରେ ବିଛେଇ ହୋଇ ପଡ଼ିଥିଲେ । ଅନନ୍ତ ସଙ୍ଗୀତ ଗାଇ ବହିଯାଉଥିଲା ମହାନଦୀର ସ୍ୱଚ୍ଛ ସଲିଳ । ଏକମହାଲା କୋଠାଟିର ଛାତିଉପରେ ଗୋଟିଏ ସପ ଉପରେ ବସିଥିଲେ ପରାଶର । ଟିକିଏ ଦୂରରେ ଆଉ ଗୋଟିଏ ସପରେ ତରୁ । ଚଉଦିଗ ନୀରବ, ନିର୍ଜନ । ପ୍ରଦୀପଟିଏ ଜଳୁଥିଲା ।

 

ପରାଶରଙ୍କ ମୁହଁରେ ଆତ୍ମୀୟ ହସର ଲହରୀ । ସେ ଏଇମାତ୍ର ବୋଧେ ସ୍ନାନ ସାରି ଆସିଛନ୍ତି । ମୁହଁର ଆଭା ଓ ଦୀପ୍ତି ଚିତ୍ତର ପ୍ରସନ୍ନତାକୁ ସହସ୍ର ଗୁଣରେ ଫୁଟାଇ ଦେଉଛି । କମଳ ବର୍ଷା ଜଳରେ ସ୍ନାନ କଲେ ଯେମିତି ଆହୁରି ନିର୍ମଳ ଦିଶେ, ମୁହଁଟି ସେମିତି ନିର୍ମଳ, ପୂତ, ସ୍ନିଗ୍‍ଧ ।

 

ସେଇ ପୂତ ପ୍ରାଣରୁ କ୍ଷରି ଆସିଲା ଅମୃତର ବାଣୀ—ମା’ !

 

ମା’ର ହୃଦକନ୍ଦରରେ ସହସ୍ର କଣ୍ଠରେ ପ୍ରତିଧ୍ୱନି ଉଠିଲା—ମା’ ! ସେ ତଳକୁ ମଥା ନୋଇଁଥିଲେ । ଆଉ ଥିର ହୋଇ ପାରିଲେ ନାହିଁ । ମଥା ଟେକି ପଲକହୀନ ଆଖିରେ ତାଙ୍କୁ ଚାହିଁଲେ ।

 

ଋଷି ଆରମ୍ଭ କଲେ—ତୋତେ ସେଦିନ କହୁଥିଲି ନା ମା’ ତପସ୍ୱୀନିର କଥା । ତପସ୍ୱୀନୀର ଆରମ୍ଭ ଏକ ନାଟକୀୟ ରାତିରେ । ପୂର୍ବ ଆକାଶକୁ ଚାହିଁ ଭାଗିରଥୀ ତୀରରେ ଠିଆ ହୋଇଥିଲେ ପତି–ବିରହ–ବିଧୁରା ଶୋକାଚୁରା କ୍ରନ୍ଦନରତା ଜାନକୀ । ଆଖିରୁ ଝରୁଥିଲା ଶ୍ରାବଣର ଧାରା । ବିଶ୍ୱଭୁବନ ଦିଶୁଥିଲା ଅନ୍ଧକାର । ଭାଗିରଥୀ ତାଙ୍କୁ କି ସାନ୍ତ୍ୱନା ଦେଲା କେଜାଣି କିନ୍ତୁ ବାଲ୍ମିକୀ ଆଶ୍ରମର କ୍ଷୁଦ୍ର ସ୍ରୋତସ୍ୱତୀ ତମସା ଯାହା କହିଥିଲା, ତା’ କେବଳ ଜନକନନ୍ଦିନୀଙ୍କି ନୁହେଁ, ସାରା ବିଶ୍ୱକୁ ଏକ ଗଭୀର ଆଶ୍ୱାସନାର ବାଣୀ—ଜୀବନର ବିକାଶ ପଥରେ ଏକ ସୁମହାନ୍‍ ଶିକ୍ଷା-

 

‘ବନେବନେ ଭ୍ରମିଭ୍ରମି ଗଣ୍ଡକୁହୁକେ ନ ଭ୍ରମି

ବହୁବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,

ଅନ୍ଧାର ଦୁଃଖ ନ ଗଣି ଆଲୋକ ସୁଖ ନ ମଣି

ଚାଲିଛି ଦୂର ସରଣୀ ନତ ବଦନେ,

ଜୀବନ କରୁଛି ସଫଳ,

ତୋୟ ଦାନେ ତୋଷି ତୀରବାସୀ ସକଳ ।’

 

ମା’, ନଦୀ ସହିତ ଜୀବନର ଯେ କି ନିବିଡ଼ ସାମଂଜସ୍ୟ ଏଇ ଗୋଟିଏ ପଦରୁ ହୃଦୟଙ୍ଗମ କରିବୁ । ନଦୀ ଭଳି ଜୀବନରେ ବହୁ ଉତ୍‍ଥାନପତନ, ଘାତପ୍ରତିଘାତ, ଆଲୋକଅନ୍ଧାର ଲାଗିରହିଛି । କିନ୍ତୁ ସେଇଟା ବଡ଼କଥା ନୁହେଁ । ତମସାର ଦୁଇଟି କଥା ଏଠି ପ୍ରଣିଧାନ ଯୋଗ୍ୟ । ପ୍ରଥମ—’ସ୍ୱଚ୍ଛଜୀବନେ’ । ଜୀବନରେ ଗଣ୍ଡ ଅଛି । କୁହୁକ ଅଛି । ତା’କୁ ଖାଲି ଅତିକ୍ରମ କରିଗଲେ ହେବ ନାହିଁ, ସେହି ପଥରେ ଗଲାବେଳେ ଜୀବନ ସ୍ୱଚ୍ଛ ହେବା ଚାହି, ନିର୍ମଳ ହେବା ଚାହି, ପବିତ୍ର ହେବା ଚାହି । ଦ୍ୱତୀୟତଃ—‘ଜୀବନ କରୁଛି ସଫଳ’ । ଖାଲି ବଞ୍ଚି ରହିଲେ ହେବ ନାହିଁ ମା’, ଜୀବନକୁ ସଫଳ କରିବାକୁ ହେବ, ସାର୍ଥକ କରିବାକୁ ହେବ । ତୋୟ ଦାନରେ ତୀରବାସୀଙ୍କି ତୋଷି ନପାରିଲେ ଏ ଜୀବନ ବୃଥା ମା’—ଏ ବଂଚି ରହିବା ପଶୁର ବଂଚି ରହିବା ସଙ୍ଗେ ସମାନ । ମୁଁ ଜାଣେନା ତୁ ଏହାର ଅର୍ଥ ବୁଝଛୁ କି ନାହିଁ, କିନ୍ତୁ ମୁଁ ଚାହେଁ ତୋ ଜୀବନ ସଫଳ ହେବ, ତୋ’ ଜୀବନ ହେବ ସ୍ୱଚ୍ଛ, ସ୍ୱଚ୍ଛ, ସ୍ୱଚ୍ଛ ।

 

ଭାଇ !!

 

ସରସ୍ୱତୀଙ୍କ ସ୍ତୋତ୍ର ଜାଣୁ ତ ମା’—

 

‘ଯା’ କୁନ୍ଦେନ୍ଦୁ ତୁଷାର ହାରଧବଳା

ଯା’ ଶୁଭ୍ରବସ୍ତ୍ରାନ୍ୱିତା,

ଯା’ ବୀଣା ବରଦଣ୍ଡମଣ୍ଡିତକରା

ଯା’ ଶ୍ୱେତ ପଦ୍ମାସନା ।’

 

ସବୁ ସେଠି ଶ୍ୱେତ, ସବୁ ସେଠି ଶୁଭ୍ର, ଧବଳ, ତୁଷାରମୟ । ତାହାହିଁ ନାରୀର ଆଦର୍ଶ । ଟିକିଏ କୋଉଠି କଳା ରହିଗଲେ ସାରା ଦେହ କଳା ହୋଇଯାଏ । ଜୀବନ ହୋଇଯାଏ ଅଙ୍ଗାର । ତୁ ଫୁଲ ଭଳି କୋମଳ ମା’ । ଫୁଲ ଭଳି ତୁ ପୂତ ହେବୁ । ଫୁଲ ଭଳି ହେବୁ ଅମୃତମୟ ।

 

ଭାଇ !

 

ମା’ !

 

ମା’ ! —ଖନିଖନି ଡାକି ଠୁକ୍‍ଠୁକ୍‍ ପାଦରେ କୋଠା ଉପରକୁ ଉଠି ଆସିଲା ରାନୁ । ତରୁ ତା’କୁ କୋଳକୁ ଟାଣି ନେଇ ତା’ ଟିକି ମୁହଁରେ ଚୁମା ଦେଲା । କହିଲା—କ’ଣରେ ?

 

କିଏ ଗୋତାଏ ଦାଲିଆ ପଠାନ ଆମ ଘତିକି ଆସି ତତେ ଖୋଦୁଥି ।

 

ଦାଲିଆ ପଠାନ ? —ହଠାତ୍‍ ସେ ଚିନ୍ତା କରି ପାରିଲା ନାହିଁ କିଏ ହେଇପାରେ ଦାଢ଼ିଆ ପଠାଣ । କ’ଣ କାମ ତା’ର ତା’ ପାଖରେ । କିନ୍ତୁ ସେ ମୁହୂର୍ତ୍ତେ । ପର ମୁହୂର୍ତ୍ତରେ ହସ ଖେଳିଲା ଓଠରେ । କହିଲା—ତୁ ଯା’, ତା’କୁ ଏଇଠିକି ଡାକି ଆଣିବୁ ।

 

ରାନୁ ଗୋଟାପଣେ କୁଣ୍ଢେଇ ଧରିଲା ତରୁକୁ । କହିଲା—ଉ, ସେ ପଠାନ ହାତରେ ଛୁଲି ଅଛି । ମତେ କାତିଦବ ।

 

ତରୁ ଓ ପରାଶର ଦୁହେଁ ଠୋ ଠୋ ହସିଉଠିଲେ । ତରୁ କହିଲା—ସେ କାତି ଦେଲେ ତୁ ବାତି ଦବୁ, ଯା’ ।

 

‘ସଶ୍ରି କାଲଜି !’

 

‘ସଶ୍ରିକାଲ୍‍ ସର୍‍ଦାର୍‍ଜି ! ଆଇୟେ, ଆଇୟେ’—

 

ରାନୁର ‘ଦାଲିଆ ପଠାନ’ ଜୀଅଁନ୍ତା ଦେହରେ ଗୋଟାପଣେ ଆସି କୋଠା ଉପରେ ଠିଆ । ପରାଶର ତାଙ୍କୁ ପାଛୋଟି ଆଣିବାକୁ ଠିଆହୋଇ ପଡ଼ିଲେ । କିନ୍ତୁ ଠିଆହୋଇ ପାରିଲା ନାହିଁ ତରୁ । ରାନୁ ଜୀବନ ବିକଳରେ ପ୍ରାଣମୂର୍ଚ୍ଛା ତା’କୁ ଜାବୁଡ଼ି ଧରିଛି । ତା’ ସୁନା ମୁହଁଟି ତରୁର ଛାତିଭିତରେ ହଜିଯାଇଛି ଏକାବେଳକେ । ଖାଲି ନାଲି ରିବନଟି ରହି ରହି ଦିଶି ଯାଉଛି ଧଳାବସନର ଫାଙ୍କରେ ।

 

ତରୁ ହସିଲା । ସର୍‍ଦାର୍‍ଜୀ ବୋଧେ କିଛି ଫଳ ଆଣିଥିଲେ ଏକ ଠୁଙ୍ଗାରେ । କହିଲେ–ଆଇୟେ ମାଇଜୀ, ଦେଖିଏ ଆପକେ ଲିୟେ କ୍ୟା ଚୀଜ୍‍ ଲେଆୟାହୁଁ । ...ରାନୁ ଶୁଣିଲା ନାହିଁ, ସେମିତି ମୁହଁ ଲୁଚେଇ ବସି ରହିଲା । ସର୍‍ଦାର୍‍ଜୀ ପୁଣି କହିଲେ—ଆଚ୍ଛା, ଦେଖିଏ, ହମାରେ ପାସ୍‍ ଛୁରୀ ହୈ, କାଟ୍‍ ଦେତାହୂଁ ।

 

ଛୁରି ଓ କାଟିଦେବା ନାଁ ଶୁଣି ରାନୁ ଭେଁକିନା କାନ୍ଦି ଉଠିଲା । ଫେଁକିନା ହସି ଉଠିଲେ ତରୁ ଓ ପରାଶର । ହସିହସି ବେଦମ୍‍ ହେଲେ ସେମାନେ । କିନ୍ତୁ ରାନୁର କାନ୍ଦ ବନ୍ଦ ହେଲାନି । ବରଂ ଏମାନେ ଯେତେ ବେଶୀ ବେଶୀ ହସିବାକୁ ଲାଗିଲେ, ସେତେ ବେଶୀ ବେଶୀ କାନ୍ଦିବାକୁ ଲାଗିଲା ସିଏ ।

 

ହସର ଲହର କମିନି ସିଡ଼ିର ପାହାଚ ଉପରେ ଦେଖାଦେଲେ ଅରୁଣା—ପରାଶରଙ୍କ ସହଧର୍ମିଣୀ । ମାମୁଲି ଶାଢ଼ି, ମୁହଁରେ ହସ, ହାତ ଦୁଇଟି କଳା ବଲବଲ । ବୋଧେ ଡେକ୍‍ଚି କି କଡ଼େଇ ମାଜୁଥିଲେ । ଧୋଇବାକୁ ତର ହେଇନି । ସାପଫଣା ଭଳି ହାତ ଦୁଇଟିକି ଟେକି ସେମିତି ଉଠିଆସିଛନ୍ତି ଉପରକୁ । କହିଲେ—ଭାଇ ପାଗଳକୁ ଭଉଣୀ ପାଗଳୀ । ତେଣିକି ଘର ରହୁ କି ଭାସିଯାଉ ସେଆଡ଼କୁ ନଜର କାହିଁ ? କିଲୋ ତରୁ, ମରୁ ନାହୁଁ । ଏତେ ହସୁଛୁ କାହିଁକି ମ’ । ଦେଖିଲୁ କିଏ ଆସିଛନ୍ତି ।

 

କିଏ ଭାଉଜ ?

 

ତରୁ ଆଶ୍ଚର୍ଯ୍ୟ ହେଇ ଚାହିଁଲା ଆଗରେ ଡକ୍ଟର ସାହାଣି । ପରାଶର ଏତେ ଉଦବେଗ ହେଇ ପଡ଼ିଲେ ଯେ ଏକାବେଳକେ ତେଲୁଗୁରେ ଆରମ୍ଭ କରିଦେଲେ—ରଣ୍ଡି ରଣ୍ଡି ସାହାଣିଗାରୁ, ବାଗୁନାରା ? ଏପୁଡ଼ୁ ଅଚ୍ୟାରୁ ?

 

ସାହାଣି କହିଲା—ହାଁ ହାଁ, ମି ଦୟାଓ୍ୟାଲା । ଇପୁଡ଼େ ବଣ୍ଡିଦିଗି ମି ଇଣ୍ଟିକେ ଓସ୍ତୁନାନୁ । ମି ଉରୁ ସାଙ୍ଗାତି ଏମିଟି ?

 

ରାନୁ ଯାହା ଟିକିଏ ଟିକିଏ କାନ୍ଦୁଥିଲା ଚିର୍‍ଚିରେଇ ଉଠିଲା ଏକାବେଳକେ । ରାମ୍ପୁଡ଼ିକାମୁଡ଼ି କରି ଧରିଲା ତରୁକୁ । ହଠାତ୍ ଏ ପରିବର୍ତ୍ତନ ତରୁ ବୁଝିପାରିଲା ନାହିଁ । ତା’କୁ ଜୋରେ ହଲେଇ ଦେଇ ପଚାରିଲା—କ’ଣରେ, କ’ଣରେ ରାନୁ ? କିସ ହେଲା ତୋର ? ...ରାନୁ ଖୁବ୍‍ ଜୋରେ ଚିତ୍କାର କରି କହିଲା—ଇଲୋ ମୁଁ ଯିବିଲୋ, ଇଲୋ ମତେ କାତି ଦବଲୋ, ଇଲୋ ସବାଖିଆ କେଲା ଆଇତିଲୋ ।

 

ତରୁ, ପରାଶର, ଡକ୍ଟର ସାହାଣି, ଅରୁଣା, ସର୍‍ଦାର୍‍ଜୀ ସମସ୍ତେ ଅବାକ୍‍ ହୋଇ ଚାହିଁଲେ, କିଛି ବୁଝିପାରିଲେ ନାହିଁ । ହଠାତ୍‍ ତରୁ ମୁଣ୍ଡରେ ବୁଦ୍ଧି ଖେଳିଗଲା । କିର୍‍କିର୍‍ ହସି କହିଲା—ଇଲୋ ନାଇଁ ସିଏ ସବାଖିଆ ନୁହେଁଲୋ । ଇଲୋ ସିଏ ଡାକ୍ତରବାବୁ ଆଇଛି ଲୋ । ଇଲୋ ତା’ ଘର ତେଲେଙ୍ଗା ଦେଶରେ ଲୋ ।

 

ସମସ୍ତେ ଠୋ ଠୋ ହସିଉଠିଲେ । ଛାତ ଉପରେ ଦୁଲ୍‍ଦୁଲ୍‍ କମ୍ପିଲା ସେ ହସରେ । ଅରୁଣା ଧରିଲା ତରୁର କାନ । କହିଲା—ମରୁନାଉଁଲୋ ଚଣ୍ଡି ! ଛୁଆଟା ସାଙ୍ଗରେ ଖେଳୁଛୁ । ତତେ ଠିଆଁ ମରଣ ହଉଲୋ, ଠିଆଁ ମରଣ ହଉ ।

 

ହଉ ମରଣ ହେଲେ ମୁଁ କ’ଣ ତମକୁ ଛାଡ଼ିବି, ଏଇଠି ପ୍ରେତ ହେଇ ଆସି ତମକୁ ରାଡ଼ୁମାଡ଼ୁ ଚୋବେଇବି ।

 

ମୋ ମା’ ଲୋ—

 

ଅରୁଣା ହସିହସି ଆଗେ ତଳକୁ ଓହ୍ଲେଇଲା । ତା’ ପଛରେ ଛୁଆଟିକି କୋଳରେ ଧରି ଧୀରେଧୀରେ ଗଲା ତରୁ ।

 

ପାଞ୍ଚ ମିନିଟ୍‍ ପରେ—

 

ତରୁ ଫେରି ଆସିଛି । ହାତରେ ଖଣ୍ଡିଏ ବଡ଼ ସତରଂଜି, ଆର ହାତରେ ସିଗାରେଟ ଓ ପାନର ଥାଳିଆ । ସତରଂଜି ବିଛେଇ ଦେଇ ସମସ୍ତେ ବସିଲେ । ପୁଣି ହେଲା ବାୟୁମଣ୍ଡଳ ଶାନ୍ତ, ସ୍ଥିର ।

 

ପ୍ରଥମେ ତରୁହିଁ ଆରମ୍ଭ କଲା । ହାତ ଯୋଡ଼ି ଅତି ନମ୍ର କଣ୍ଠରେ କହିଲା—ଫର୍ମାଇୟେ ସର୍‍ଦାର୍‍ଜୀ, ଆପକୀ କ୍ୟା ସେବା କର ସକ୍‍ତାହୂଁ ?

 

ଜୀ ନହୀଁ, ମେଂ ଆପ୍‍କୀ ସେବା କରନେକୋ ଆୟାହୂଁ ।

 

ମେରୀ ସେବା ?

 

ଆପକେ ପାଶ୍‍ କୃତଜ୍ଞତା ଜ୍ଞାପନ କରନେକୋ ହମାରୀ ଭାଷା ନହୀଁ । ସିର୍ଫ୍ ଆଁଖ୍‍ ମେ ଯୋକୁଛ୍ ପାନୀ ହୈ, ମେଂ ଉସେ ଆପକେ ଚରନ୍‍ପର ଦେନେକୋ ଆୟାହୂଁ । ବୃଦ୍ଧ କହୁଁକହୁଁ ବିଗଳିତ ହୋଇପଡ଼ିଲେ । କଣ୍ଠ ରୁଦ୍ଧ ହୋଇ ଆସିଲା ।

 

ବ୍ୟତିବ୍ୟସ୍ତ ହେଇ ପଡ଼ିଲା ତରୁ । ଉଠିଆସି ତାଙ୍କ ହାତ ଧରି କହିଲା—ୟେ ଆପ୍‍ କ୍ୟା ବୋଲତେ ହେଁ ? ଆପକୋ ୟାଦ୍‍ ହୈ ନ ଜିସରୋଜ୍‍ ମୈନେ ପହେଲେ ପହଲେ ଆପସେ ମୁଲାକାତ୍‍ କି ଥୀ । ପିତାଜୀ ସମଝ୍‍କର ବୋଲୀଥୀ । ପିତାଜୀକା ଏସା ବୋଲ୍‍ନା କ୍ୟା ଠିକ୍‍ ହେ ?

 

ବୃଦ୍ଧ ସରଦାର ସେମିତି ବିଚଳିତ କଣ୍ଠରେ କହିଲେ—ନହୀଁ, ଆପ୍‍ ହମାରୀ ଲଡ୍‍କା ନହୀଁ, ଆପ୍‍ ହମାରୀ ମାତାଜୀ ହୈ । ମାତାଜୀ ନ ହୋନେସେ କୋନ୍‍ ହମକୋ ମୌତକେ ଅନ୍ଧେରେ କୁଏଁସେ ରକ୍ଷା କରତେ ? ମେଂ ଅନୁନୟ କର୍ତାହୂଁ ହମକୋ ଆପ୍‍ ମୁକ୍ତ କୀଜିୟେ—କହୁଁ କହୁଁ ବୃଦ୍ଧ ପକେଟରୁ ଦଶ ଟଙ୍କିଆ ନୋଟ୍‍ ବିଡ଼ାଏ କାଢ଼ି ତରୁର ପାଦ ଉପରେ ଥୋଇଦେଲେ ।

 

ଚାଉଁକିନା ଚମକି ପଡ଼ିଲା ତରୁ । କହିଲା—ମାଫ୍‍ କୀଜିୟେ । ମୁଝେ ମାଫ୍‍ କୀଜିୟେ, ସର୍‍ଦାର୍‍ଜୀ ! ମେଂ ହାତ୍‍ ଜୋଡ୍‍ତା ହୂଁ । ଏସା ମତ୍‍ କୀଜିୟେ । ଏକ ଛଦାମ୍‍ଭୀ ନହୀ ଲେ ସକତେ । ଆପ୍‍ ପକଡ଼ିଏ ଅପନା ରୁପେୟା । ଏ ଆପ୍‍କା ହୈ । ଏ ଖୁଦାକା ହୈ । ଆପ୍‍ ଜାଇୟେ–ଜାଇୟେ ୟହାଁସେ ।

ବୃଦ୍ଧ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଲେ । କ’ଣ କରିବେ କ’ଣ ନ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ପୁଣି ଥରେ ଆକୁଳ କଣ୍ଠରେ କହିଲେ—ଲେକିନ୍‍ ବେଟି !

ତାଙ୍କ କଥା ତାଙ୍କ ତୁଣ୍ଡରେ ରହିଲା । ଆଡ଼ ପଦଟିଏ କୁହାଇ ଦେଲାନି ତରୁ । ତାଙ୍କ ହାତ ଉପରେ ନୋଟବିଡ଼ାକ ରଖି ବ୍ୟସ୍ତ ବିକଳ ହେଇ କହିଲା—ନେଇଁ ନେଇଁ ହାମ୍‍ କୁଛ୍‍ ନେଇଁ ଶୋନେଙ୍ଗେ, ଆପ୍‍ ଯାଇୟେ । ଯାଇୟେ ଜଲ୍‍ଦି । ମେଂ ଆପକୋ ହାତ୍‍ ଯୋଡ୍‍ତା ହୁଁ । ମେ ଆପକୋ ପୟର୍‍ ଧର୍‍ତା ହୁଁ । ଆପ୍ ରୂପୟା ଲେକର ଚଲା ଯାଇୟେ ।

ବୃଦ୍ଧଙ୍କ ତୁଣ୍ଡରେ କହିବାକୁ ଆଉ ଭାଷା ନଥିଲା । ଅଶ୍ରୁପୂର୍ଣ୍ଣ ନୟନରେ ନୋଟବିଡ଼ାକ ଧରି ସେ ଧୀରେଧୀରେ ତଳକୁ ଓହ୍ଲାଇ ଗଲେ ।

ଡକ୍ଟର ସାହାଣି ଗମ୍ଭୀର ହୋଇଯାଇଥିଲେ । କହିଲେ—ଆପଣ ମହାନୁଭବ ।

ମଥା ନୋଇଁ ତରୁ କହିଲା—ଥାଉ । ସର୍‍ଦାର୍‍ ବଚନସିଂ ଯଥେଷ୍ଟ ଲଜ୍ଜା ଦେଲେଣି । ଆଉ ଆପଣ ଅଧିକ ଲଜ୍ଜା ଦିଅନ୍ତୁ ନାହିଁ ।

କାହିଁକି ଏଥିରେ ଲଜ୍ଜା କ’ଣ ହେଲା ? ଆପଣ ଧନ ଓ ଜୀବନ ଦେଇ ଜଣକୁ ମରଣ ମୁଖରୁ ରକ୍ଷା କଲେ ଆଉ ସେ ଆପଣଙ୍କୁ କୃତଜ୍ଞତା ଜଣାଇଲେ ହେଲା ଲଜ୍ଜା ?

ମୋତେ ପରୀକ୍ଷା କରନ୍ତୁ ନାହିଁ । ଜଣଙ୍କର ଦୁର୍ଦ୍ଦିନରେ ସାହା ନହେବା ବରଂ ଭଲ, କିନ୍ତୁ ସାହା ହୋଇ ପାଞ୍ଚଜଣରେ ସେଥିପାଇଁ ସାବାସ୍‍ ପାଇବା, ୟା’ଠାରୁ ବଳି ନିର୍ଲଜତା ଦୁନିଆରେ ବୋଧେ ଆଉ କିଛି ନାହିଁ ।

କିନ୍ତୁ ସାବାସି ତ ଆପଣ ମାଗିଯାଇ ନଥିଲେ, ଦୁଃଖ କାହିଁକି ?

ନିଆଁର ଧର୍ମ ପୋଡ଼ିବା । ଆପଣ ତାକୁ ଆଦରରେ ବରଣ କରନ୍ତୁ ବା ଅତର୍କିତ ଭାବେ ସେ ଆପଣଙ୍କ ଉପରେ ପଡ଼ୁ, ତା’ର ଦାହିକା ଶକ୍ତି ଆପଣଙ୍କ ଅଙ୍ଗରେ ବିସ୍ଫୋରଣ ଆଣିବ ହିଁ ଆଣିବ ।

କିନ୍ତୁ...

କ’ଣ କିନ୍ତୁ ?

ମୋତେ ଯଦି ଆପଣ କ୍ଷମା କରିବେ, ଗୋଟିଏ କଥା କହିବି—

କୁହନ୍ତୁ ।

ହୁଏତ ମୁଁ ଟିକିଏ ରୁକ୍ଷ ହେବି, କିଛି ମନେ କରିବେ ନାହିଁତ ?

ନା ଆଦୌ ନୁହେଁ । କୌଣସି ଫର୍ମାଲିଟି ନରଖି ମନ ଖୋଲି କୁହନ୍ତୁ । ମୁଁ ଆଦୌ ଦୁଃଖିତ ହେବିନି ।

ନୀରବରେ ଲୋକଲୋଚନ ଅନ୍ତରାଳରେ ରହି ଆପଣ କର୍ମ କରିଯିବାକୁ ଚାହାନ୍ତି । ଉତ୍ତମ । ଅତି ଉଚ୍ଚକୋଟୀର ଆଦର୍ଶ । କିନ୍ତୁ ଘର ଛାଡ଼ି ପରପାଇଁ ଆପଣଙ୍କର ଏ ସ୍ନେହ ଓ କୋମଳତା ଏ ଦୀନ, ଦଳିତ ଓ ନିଷ୍ପେଷିତ ଓଡ଼ିଆଜାତି କେମିତି ଗ୍ରହଣ କରିବ, ଆପଣ ବିଜ୍ଞ, ଆପଣ ତା ବିଚାର କରନ୍ତୁ । ମୋର କହିବାକୁ ସାହସ ହେଉନି ।

ତରୁ ଖାଲି ହସିଲା । କିଛି ଉତ୍ତର ଦେଲାନି ।

ମୁଁ ସଂକୀର୍ଣ୍ଣ, ସ୍ୱାର୍ଥପର ମାନୁଛି । ମୁଁ ଖାଲି ଗୋଟିଏ ଅବୟବ କଥା କହୁଛି, ସମଗ୍ର ଅଙ୍ଗ କଥା କହୁନାହିଁ । କିନ୍ତୁ ସମଗ୍ର ଅଙ୍ଗର ପୃଷ୍ଟି ଓ ସମୃଦ୍ଧି ପାଇଁ ପ୍ରତ୍ୟେକଟି ଅବୟବର ସାମନ୍ତରାଳ ବିକାଶ ଯେ ଏକାନ୍ତ ଆବଶ୍ୟକ, ୟା’ କ’ଣ ଆପଣ ଅସ୍ୱୀକାର କରିବେ ?

ତଥାପି ତରୁ ନୀରବ । ମୁହଁରେ ଖାଲି ହସ । ଉତ୍ତର ନାହିଁ ।

ଆପଣ ଜାଣନ୍ତି ଆମ ଘରେ ଆମେ ପରବାସୀ । ଆମର ଏ ଭରାଭୂଇଁକି ଚରାଭୂଇଁ କରନ୍ତି ପଡ଼ିଶା ଲୋକେ । ସେମାନେ ମୋଟ ହୁଅନ୍ତି, ଆମେ ମୋଟ ବୋହୁ; ସେମାନେ ଜୋତା ମାଡ଼ନ୍ତି, ଆମେ ଜୋତାଖାଉ; ସେମାନେ ଆମ ଦେଶରେ ଜମିଦାର, ଆମେ ତାଙ୍କ ଦେଶରେ ଚଟକଳର କୁଲି !!!

ତରୁ ଆଉ ସ୍ଥିର ହୋଇ ପାରିଲା ନାହିଁ । ଚିତ୍କାର କରି ଉଠିଲା ଏକାବେଳକେ—ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ଡକ୍ଟର ସାହାଣି । ଭାବପ୍ରବଣ ହେଇ ଆପଣ ନିଜେ ଯାହା କହୁଛନ୍ତି, ନିଜେ ହୁଏତ ତା’ର ଅର୍ଥ ଜାଣନ୍ତି ନାହିଁ । ଜାତିର ଟେକ ରଖିବାକୁ ଯାଇଁ ଜାତିର ଇଜ୍ଜତକୁ ଯେପରି ପାଦତଳର ଧୂଳି ମୁଠାଏରେ ଅଜାଡ଼ି ଦେଉଛନ୍ତି, ତା’ ଦେଖିଲେ ଯେକୌଣସି ବିବେକୀର ଚକ୍ଷୁ ଆର୍ଦ୍ର ହେବ ।

ସାହାଣି ହସିଲେ । କହିଲେ—କିନ୍ତୁ ଏଥିରେ ଅସତ୍ୟ ବା ଅତିରଞ୍ଜନ ଅଛି ବୋଲିତ କହି ହେବନି । ଆମର ସରଳତାର ସୁଯୋଗ ନେଇ, ଅଜ୍ଞତାର ସୁଯୋଗ ନେଇ ସେମାନେ ଚିରକାଳ ଯେ ଆମକୁ ଶୋଷଣ କରି ଆସିଛନ୍ତି, ଏହାତ ଦିବାଲୋକ ଭଳି ସତ୍ୟ ।

ଆପଣ କେଉଁମାନଙ୍କ କଥା କହୁଛନ୍ତି ?

କାହିଁକି ଆମର ପ୍ରତିବେଶୀ ବଙ୍ଗାଳି, ବିହାରୀ, ଆନ୍ଧ୍ର, ମରହଟ୍ଟା..

କ୍ଷମା କରିବେ, ଆପଣଙ୍କର ଏଇ କଥାରେ ଅନ୍ତତଃ ମୁଁ ଏକମତ ହେଇ ପାରୁନି । ଶୋଷକ ଆଉ ଶୋଷିତ, ଧନୀ ଆଉ ଦରିଦ୍ର, ମାଲିକ ଆଉ ମଜୁରିଆ—ଏ ସଂପୂର୍ଣ୍ଣ ଦୁଇଟି ଅଲଗା ଅଲଗା ଶ୍ରେଣୀ—ଅଲଗା ଅଲଗା ଗୋଷ୍ଠୀ, ଏଥିରେ ବଙ୍ଗାଳି ଓଡ଼ିଆ ଆନ୍ଧ୍ର ବିହାରୀର ଭେଦ କେବେ ନଥଲା କି ନାହିଁ । ଓଡ଼ିଆଙ୍କ ଭିତରେ ବି ଲକ୍ଷପତି ଅଛନ୍ତି, ଶୋଷକ ଅଛନ୍ତି । ଠିକ୍‍ ସେମିତି ବଙ୍ଗାଳିଙ୍କ ଭିତରେ ବି ନିଃସ୍ୱ ଅଛନ୍ତି, ନିରନ୍ନ ଅଛନ୍ତି । ଲକ୍ଷପତି ଓଡ଼ିଆ ଲକ୍ଷପତି ବଙ୍ଗାଳିର ବନ୍ଧୁ—ଅନ୍ତରଙ୍ଗ । ଆଉ ଚଟକଳର କୁଲି—ବଙ୍ଗାଳି, ବିହାରୀ, ଆସାମି, ଓଡ଼ିଆ ମୁସଲମାନ, ଖିରସ୍ଥାନ—ସମସ୍ତେ ଗୋଟିଏ ଶ୍ରେଣୀର । ଅଶ୍ରୁ ତାଙ୍କର ଫୁଲହାର । ଲାଞ୍ଛନା ତାଙ୍କର ଚନ୍ଦନ ।

ଏ ଖାଲି ଗୋଟାଏ କଥାର କଥା—ଯୁକ୍ତି । କିନ୍ତୁ ସେମାନେ ଯେ ଅତ୍ୟାଚାର କରି କରି ଆମ ଜାତିର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି, ଇତିହାସରେ ଯକୌଣସି ପୃଷ୍ଠା ଓଲଟାଇଲେ ଏହାର ଭୂରିଭୂରି ପ୍ରମାଣ ମିଳିବ । ଆଉ କଥା ଥାଉ ।

କଲିକତାରେ ବସିବସି ଶାଗମାଛ ମୂଲରେ ସୁନାର ଜମିଦାରୀ ମାରିନେବା—ଏହାଠାରୁ ବଳି ହୀନ ଶୋଷଣ ପୃଥିବୀ ପୃଷ୍ଟରେ ଆଉ କିଛି ଥାଇପାରେ ?

 

ଦେଖନ୍ତୁ, ଗୋଟିଏ କଥା ଅଛି—if you believe in god, no explanation is necessary; if you do not believe, no explanation is possible, ଆପଣ ଯଦି ଯିଦ୍ ଛାଡ଼ି, ଭାବପ୍ରବଣତା ଛାଡ଼ି ହୃଦୟର ସହିତ ବିଚାର ନକରନ୍ତି’ ତା’ ହେଲେ ଏ ଜଟିଳ ପ୍ରଶ୍ନର ସମାଧାନ କସ୍ମିନ୍‍ କାଳେ ହୋଇପାରିବ ନାହିଁ । ଜମିଦାରୀ ଯାଇଛି, ଶୋଷଣ ହେଇଛି, ସତ୍ୟ, କିନ୍ତୁ ସେଥିପାଇଁ ଗୋଟିଏ ଜାତିକି କଳଙ୍କିତ ନକରି ବ୍ୟକ୍ତିବିଶେଷ ପ୍ରତି ଦୋଷାରୋପ କରିବା କ’ଣ ଅଧିକ ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ ନୁହେଁ ? ବରଂ ମୋର ମନେହୁଏ, ତାହାହିଁ ବାସ୍ତବିକ୍‍ ସତ୍ୟ । କୌଣସି ଓଡ଼ିଆ କିରାଣୀ, ଓଡ଼ିଆ ଚପରାସୀ ସେହି ସ୍ଥଳରେ ଥିଲେ, ଆପଣ କ’ଣ ଭାବୁଛନ୍ତି, ସେମାନେ ଅନ୍ୟଥା କରିଥାନ୍ତେ ?

 

ଆପଣ ଉଦାର ମହାଭାରତୀୟ । ଆପଣଙ୍କୁ ସୁହାଇଲା ଭଳି ସବୁ କଥାକୁ ଭିନ୍ନ ରଙ୍ଗ ଦେବେ । ଦିଅନ୍ତୁ । ତେଣିକି ଜାତି ରହୁ ବା ରସାତଳକୁ ଯାଉ । କ୍ଷତି କ’ଣ ?

 

କ୍ଷୁନ୍ନ ହୁଅନ୍ତୁ ନାହିଁ । ଯାହା ହେବାର ହୋଇଛି । ପଛକଥାକୁ ଧରି ବସିଲେ ଖାଲି ତିକ୍ତତା ବଢ଼ିବ ସିନା, ଲାଭ ନାହିଁ । ବରଂ ସମସ୍ତଙ୍କ ସହିତ ସମାସ୍କନ୍ଧ ହୋଇ କେମିତି ଆଗକୁ ଚାଲିବାକୁ ହେବ, ତା’ ଦେଖିବା ବୁଦ୍ଧିମାନ୍‍ର ପନ୍ଥା ସିନା ।

 

କିନ୍ତୁ ତା’ ହବ କେମିତି ? ଆପଣମାନଙ୍କ ଭଳି ଲୋକ ଯଦି ମା’ର ଖୁଦକୁଣ୍ଡା ଛାଡ଼ି ସାବତମା’ର ଖିରଖିରିସା ଦେଖି ଭୋଳ ହୁଅନ୍ତି, ତା’ ହେଲେ ତ ଆମେ ଯୋଉ ତିମିରେ ସେଇ ତିମିରେ ପଡ଼ିଥିବା, ଉଠିବାର ପ୍ରଶ୍ନ କାହିଁ ?

 

ତରୁ କହିଲା । କହିଲା—ମା’ ପାଇଁ ଆପଣଙ୍କ ଦରଦ ଯଥେଷ୍ଟ ବେଶୀ ମାନୁଛି । କିନ୍ତୁ ହଠାତ୍ ଏ ଗୁରୁତର ଅଭିଯୋଗ ?

 

ମନେଥିବ ଉଣେଇଶ ପଚାଶ ଏକାବନ କଥା । ଆସାମରେ ଭୀଷଣ ଭୂମିକମ୍ପ ହୋଇଥାଏ । ଶହଶହ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ହଜାର ହଜାର ଲୋକ ଗୃହଶୂନ୍ୟ, ନିରନ୍ନ, ପଥର ଭିକାରୀ, ଖବରକାଗଜର ପୃଷ୍ଠା ଫାଟି ପଡ଼ୁଥାଏ ଆସାମ ଲୋକଙ୍କ କରୁଣ ବିକଳ ଆର୍ତ୍ତନାଦରେ ।

 

ଇଏ ଆପଣ କ’ଣ କହୁଛନ୍ତି ? ଢିଙ୍କିଶାଳରୁ ଯାଇଁ ଢେଙ୍କାନାଳରେ...

 

ଧୈର୍ଯ୍ୟ ଧରନ୍ତୁ । କଥାଟା ଶେଷ କରିବାକୁ ଦିଅନ୍ତୁ । ଆସାମର ଦୁଃସ୍ଥ ଅର୍ଦ୍ଧମୃତ ଲୋକଙ୍କ ପାଇଁ କିଛି ଭିକ୍ଷା ସଂଗ୍ରହ କରୁଥାଏ ମୁଁ । ଏକ ନିର୍ମଳ ପ୍ରଭାତରେ ଯାଇଁ ପହଞ୍ଚିଲି ଏକ ବିଶିଷ୍ଟ ଅଫିସରଙ୍କ ଘରେ । ଭଦ୍ରଲୋକ ଭାଇଜାଗ ଡକ୍‍ୟାର୍ଡରେ ଜଣେ ଟପ୍‍ରାଙ୍କିଙ୍ଗ୍ ଅଫିସିଆଲ୍ । ଦରମା ମାସକୁ ବାର ଶହ କି ପନ୍ଦର ଶହ ହେବ । ଭଦ୍ରଲୋକ ବଙ୍ଗୀୟ । ଖାଲି ଆସାମର ନାଁ ଶୁଣୁ ଶୁଣୁ ସେ ଯେମିତି ଚିତ୍କାର କରି ଉଠିଲେ, ମୋର ମନେହୁଏ, ତାଙ୍କ ବଙ୍ଗଲୋର ଆଲ୍‍ସେସିୟାନ୍‍ ଡଗ୍‍ ବୋଧେ ସେତେ ଜୋରେ ଚିତ୍କାର କରି ପାରିବ ନାହିଁ । ଆସାମିଙ୍କର ଚୌଦ ପୁରୁଷ ଶ୍ରାଦ୍ଧ ପଡ଼ିଲା । ମୁଁ ଖାଲି ଡାକ୍ତର ବୋଲି ବୋଧେ ବ୍ଲଡ଼ି, ଫୁଲରେ ଭୂଷିତ ହୋଇପାରିଲି ନାହିଁ, କିନ୍ତୁ ଯେଉଁ ନିର୍ମମ ଓ କର୍କଶ ବ୍ୟବହାର ପାଇଲି, ତାହା ବ୍ଲଡ଼ି, ଫୁଲରୁ ଶତଗୁଣ ବଳିଗଲା ।

 

ହଠାତ୍ ଏକଥା କହିବାର ତାତ୍ପର୍ଯ୍ୟ ?

 

ତାତ୍ପର୍ଯ୍ୟ ଆପଣଙ୍କର ମହାଭାରତୀୟ ପ୍ରୀତି ଓ ଉଦାରତା ।

 

ଓ ! —ତରୁ ହସିଲା । ସରୁହସର ରେଖାଟିଏ ଖେଳିଗଲା ସୁନ୍ଦର ଲପନରେ । କହିଲା–ଆପଣ ମତେ ହିଁ ଲକ୍ଷ୍ୟ କରି କହୁଛନ୍ତି ? କିନ୍ତୁ ମୋର ତ ଯଥେଷ୍ଟ ସଂକୀର୍ଣ୍ଣତା ଅଛି, ଦୁର୍ବଳତା ଅଛି ।

 

ହଁ ସଂକୀର୍ଣ୍ଣତା ଅଛି । ପନ୍ଦର ଶହ ଟଙ୍କା ବେତନର ଉଚ୍ଚ ରାଜକର୍ମଚାରୀ ଆସାମର ଦୁର୍ଗତ ଲୋକଙ୍କ ପାଇଁ ଗୋଟିଏ ଟଙ୍କା ବଢ଼ାଇ ଦେଇ ପାରଇଲେ ନାହିଁ, ଆଉ ଆପଣ ଶହଶହ ଟଙ୍କା ନେଇ ଅଜାଡ଼ି ଦେଲେ କେଉଁ ଏକ ଅନାମଧେୟ ଅଜ୍ଞାତ ଶିଖ୍‍ ବୃଦ୍ଧ ହାତରେ, ଆଞ୍ଜୁଳା ଆଞ୍ଜୁଳା ଟଙ୍କା ବିଞ୍ଚି ଦେଇ ଏମ୍. ଏସ୍‍ସି. ପଢ଼େଇଲେ କଲ୍ୟାଣ ସେନକୁ....

 

ଆଃ ଡକ୍ଟର ସାହାଣି ! ଡକ୍ଟର ସାହାଣି, ଆପଣ କ’ଣ ଶପଥ କରି ଆସିଛନ୍ତି ମୋତେ ଆଘାତ ଦେବାକୁ ? କଷ୍ଟ ଦେବାକୁ ? ମୁଁ ଆପଣଙ୍କର କି ଅପରାଧ କରିଛି ? ଆପଣଙ୍କୁ ହାତ ଯୋଡ଼ୁଛି, ବନ୍ଦ କରନ୍ତୁ, ଦୟାକରି ବନ୍ଦ କରନ୍ତୁ ସେ କଥା—ତରୁର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସିଲା । ନୟନ ହେଲା ଛଳଛଳ । ଗମ୍ଭୀର ହେଇ ସେ ଉଠି ଠିଆ ହେଲା । ଅରୁଣା ଚା ଟ୍ରେ ଧରି ଉପରକୁ ଉଠି ଆସିଥିଲେ । ତରୁ ଯାଇଁ ଟ୍ରେ ଆଣି ଚା ତିଆରି କଲା । ପରାଶର ଓ ସାହାଣି ହାତକୁ ଚା’କପ୍‍ଟିମାନ ବଢ଼ାଇ ଦେଇ ଅରୁଣାର ହାତ ଧରି ଧୀରେଧୀରେ ଓହ୍ଲାଇ ଗଲା ତଳକୁ । କାହାକୁ ଉଁ କି ଚୁଁ ପଦେ କହିଲା ନାହିଁ, ସାହାଣି ସ୍ତବ୍‍ଧ ହେଇ ଖାଲି ଚାହିଁ ରହିଥିଲେ ।

 

କେତେବେଳେକେ, ସାହାଣି କହିଲେ—ବଡ଼ ସେଣ୍ଟିମେଣ୍ଟାଲ୍‍ । ...ପରାଶର ଏତେବେଳଯାଏ ରାମ କି ବିଷ୍ଣୁ ପଦେହେଲେ କଥା କହିନାହାନ୍ତି । ସେ ବସିବସି ଯେ ଖୁବ୍‍ ଗୋଟିଏ ଗହନ ତଥ୍ୟ ଆଲୋଚନା କରୁଥିଲେ ତା’ନୁହେଁ । ବଡ଼ ହାଲୁକା ଭାବରେ ଖେଳଉଥିଲେ ବାର୍ଟାଣ୍ଡ୍‍ ରସେଲ୍‍ଙ୍କ ଖଣ୍ଡେ ବହି । ବହି ଅପେକ୍ଷା ମନ ବୋଧେ ଏମାନଙ୍କ କଥାଆଡ଼କୁ ବେଶୀ ଥିଲା, କାରଣ କଥା ଯେତେ ପଞ୍ଚମକୁ ଉଠୁଥିଲା, ତାଙ୍କ ମୁହଁରେ ଫୁଠୁଥିଲା ସେତେ ସ୍ମିତ ହସ । ଏତେବେଳେକେ ତୁଣ୍ଡ ଖୋଲିଲେ ସିଏ । ହସି ହସି କହିଲେ—ଆଚ୍ଛା ସାହାଣି ! ତୁ ତ ଭାଇ ଡାକ୍ତର । ମଡ଼ା କାଟିବା ତୋ’ର କାମ । ଏବେ ମଣିଷର ପେଟ, ପିଠି, ହାତ ଚିରୁଛୁ । ତୁ ଏସବୁ ବଡ଼ ବଡ଼ କଥା ନେଇ ମୁଣ୍ଡ ଖେଳଉ କିଆଁ ?

 

କାହିଁକି ସେଥିପାଇଁ କ’ଣ ମୋର ଅଧିକାର ନାହିଁ ?

 

ନିଶ୍ଚୟ ଅଛି, ନାହିଁ କାହିଁକି ? ଶୁଣିଲି ସେଦିନ ଭାଇଜାଗରେ ଉତ୍କଳର ମହାମହିମ ଗଜପତି ସମ୍ରାଟଙ୍କ ଶୌର୍ଯ୍ୟ, ବୀର୍ଯ୍ୟ, କୀର୍ତ୍ତିକଳାପ ଉପରେ ତୁ ଗୋଟାଏ ଓଜସ୍ୱିନୀ ବକ୍ତୃତା ଦେଲୁ । କଥା କଥାକେ ଓଡ଼ିଶାର ଗର୍ବ ଗୌରବର ଛବି ତୋ’ ମୁହଁରେ ଫୁଟି ଉଠିଲା । ଆଜି ଦେଖୁଛି ଓଡ଼ିଆଙ୍କ ପାଇଁ ତୋ ପ୍ରାଣରେ କି ଗଭୀର ଦୁଃଖ, ବନ୍ୟା, ଅଶ୍ରୁ ! ବାସ୍ତବିକ୍ତୁ ଏକ ଅମର ସନ୍ତାନ । ତୋତେ ପ୍ରଣାମ ନକରି ରହି ହୁଏନା ।

 

କ୍ଷୁବ୍‍ଧ ହେଲେ ସାହାଣି । କହିଲେ—ତୁ ମୋତେ ଉପହାସ କରୁଛୁ ? ଜନନୀ ଓ ଜନ୍ମଭୂମି ପାଇଁ ଟିକିଏ ଚିନ୍ତା କରିବା କ’ଣ ଗୋଟାଏ ଅପରାଧ ??

 

ହସିଉଠିଲେ ପରାଶର । କହିଲେ—ତୋତେ କ୍ଷମା ମାଗିବି ନାହିଁରେ ସାହାଣି ତୋର ପ୍ରଶ୍ନ ତୋତେହିଁ ପଚାରିବି, କହି—ଜନନୀ ଓ ଜନ୍ମଭୂମି ପାଇଁ ଟିକିଏ ଚିନ୍ତା କରିବା କ’ଣ ଅପରାଧ-?

 

ତା ମାନେ ?

 

ସେହି ବଙ୍ଗୀୟ ଭଦ୍ରଲୋକ ଜଣକ ଯଦି ତାଙ୍କ ମା’ ପାଇଁ ଗଭୀର ଶ୍ରଦ୍ଧା ହେତୁ ସାବତମା’ର ଅଶ୍ରୁ ପୋଛିଦେବାକୁ କୁଣ୍ଠିତ ହେଲେ, ତା ହେଲେ କହ ଡାକ୍ତର, କେଉଁ ଦୋଷରେ ତୁ ତାଙ୍କୁ ଅଭିଯୁକ୍ତ କରି ବିଶ୍ୱ ଦରବାରରେ ବିଚାର ପାଇଁ ଠିଆ କରାଇବୁ ?

 

ନା, ତୁ ବୋଧେ ମୋତେ ଭୁଲ୍‍ ବୁଝିଲୁ । ମୁଁ ଠିକ୍‍ ତାଙ୍କୁ ଦୋଷ ଦେଉନି । ମୁଁ ଖାଲି କହେ ମା’ ପାଇଁ ତାଙ୍କର ଯେଉଁ ଶ୍ରଦ୍ଧା, ନିଷ୍ଠା, ସମ୍ମାନ, ତାର ଶତାଂଶରୁ ଏକାଂଶ ଆମର ରହୁନାହିଁ କାହିଁକି ? ଆମ ମା’ ପୁଣି କାଙ୍ଗାଳିନୀ । ଆମ ମା’ର ହାତ ଛିଣ୍ଡିଯାଉଛି, ପାଦ ଛିଣ୍ଡିଯାଉଛି, ଧାର ଧାର ବହିଯାଉଛି ରୁଧିର.....

 

ଭାବପ୍ରବଣ ହେଇ ତୁ ବଡ଼ କରୁଣ କରି ଦେଉଛୁ କଥାଟିକି । ତୋ’ କଥା ଶୁଣି, ବିଶ୍ୱାସ କର, ମୋ ଆଖିରେ ବି ଅଶ୍ରୁ ଆସିଯାଉଛି । ମା’ ପାଇଁ ଗଭୀର ଶ୍ରଦ୍ଧା ପୋଷଣ କରିବା ଅନ୍ୟାୟ ନୁହେଁ, କିଂତୁ ଏପରି ଅନ୍ଧଭାବରେ ମା’ ମା’ ହେବା—ମା’ ପାଇଁ ମାନବ ତଣ୍ଟିରେ ଖୁର ଦେବା—ଖାଲି ଅସଙ୍ଗତ ନୁହେଁ, ଏକ ବର୍ବରତା, ଅସଭ୍ୟତା, ପାଷଣ୍ଡୋଚିତ କର୍ମ ।

 

ତା ଅର୍ଥ ?

 

ସେହି ବଙ୍ଗୀୟ ଭଦ୍ରଲୋକଙ୍କର ଆସାମ ଭୂମିକମ୍ପ ପାଇଁ କପର୍ଦ୍ଦକଟିଏ ନଦେବା ବା ସେହି ବୃଦ୍ଧ ଶିଖ୍ ଓ ତରୁଣ ବଙ୍ଗୀୟ ପ୍ରତି ତରୁର ସହାନୁଭୂତି ଦେଖି ତୋ’ର ଗାତ୍ରଦାହ ହେବା, ମତେ କ୍ଷମା କରିବୁ ଡାକ୍ତର, ଏହା ନିଚ୍ଛକ ସଂକୀର୍ଣ୍ଣତା, ନୀଚ ମନର ପରିଚୟ । ଏଥିରେ ଦେଶପ୍ରୀତି ଲେଶ ବି ନାହିଁ, କାରଣ ଆଗେ ମାନବ ପଛେ ମାଟି, ମୋର ତ କାହିଁକି ଏମିତି ମନେହୁଏ । ଖାଲି ଜଣେ ଓଡ଼ିଶାର ସୀମା ସରହଦ ଭିତରେ ଜନ୍ମ ହେଲେ ସିଏ ମଣିଷ । ଖାଲି ଜଣେ ଓଡ଼ିଶାର ସୀମା ସରହଦ ଭିତରେ ଜନ୍ମ ହେଲେ ସିଏ ମଣିଷ ଆଉଜଣେ ଉତ୍ତରସୀମାନ୍ତ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ଜନ୍ମ ହେଲେ ବା ଆଫ୍ରିକାର କଙ୍ଗୋ ଉପତ୍ୟକାରେ ନିବିଡ଼ ଅରଣ୍ୟାନି କୋଳରେ ଜନ୍ମ ହେଲେ ମଣିଷ ନୁହେଁ, ଏପରି ଭାବିଲେ ଆମେ ଓଡ଼ିଆ ହେଇପାରିବା, କିନ୍ତୁ ମଣିଷ ହେଇ ପାରିବା କି ?

 

କିନ୍ତୁ ମଣିଷତ ଆଉ ନିଜ ଘର ଛାଡ଼ି ପର ଘର ପାଇଁ ଅନ୍ନସଂସ୍ଥାନ କରୁନାହିଁ । ତୁ ଉଚ୍ଚଶିକ୍ଷା ପାଇଁ ତୋ ପୁଅକୁ ଆମେରିକା ନ ପଠାଇ ମୋ ପୁଅକୁ ପଠାଇବୁ କି ?

 

ପଠେଇ ପାରିଲେତ କ୍ଷତି ନାହିଁ । ବରଂ ତା ଅତି ଉଦାର ମାନବିକତା, ୟା ଯେ କେହି ସ୍ୱୀକାର କରିବ ।

 

କିନ୍ତୁ ତୋ ପୁଅ ପାଇଁ ତୋ’ର କ’ଣ କର୍ତ୍ତବ୍ୟ ନାହିଁ ?

 

କର୍ତ୍ତବ୍ୟ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ପ୍ରଥମ କର୍ତ୍ତବ୍ୟ ଦୀନର ସେବା, ଦୁଃସ୍ଥର ସେବା, ଅସହାୟର ସେବା—ତେଣିକି ସେ ଆରବର ହେଉ ବା ଆତ୍ମୀୟ ସ୍ୱଜନ ହେଉ ବା ମଙ୍ଗଳଗ୍ରହର ମନୁଷ୍ୟ ହେଉ ।

 

କିନ୍ତୁ ତୁ କ’ଣ ଜାଣୁ, ଏ ଦେଶର ଶହ ଶହ ବୃଦ୍ଧ, ଶହଶହ ତରୁଣ ଆହୁରି ଦୁଃସ୍ଥ, ଆହୁରି ଅସହାୟ, ରୁଗ୍‍ଣ ।

 

ମାନୁଛି ତୋ’ କଥା ଅକ୍ଷରେ ଅକ୍ଷରେ ସତ୍ୟ । କିନ୍ତୁ ତୁ ତ ଜାଣୁନା ଏ ବୃଦ୍ଧ କିଏ ? ଏ ତରୁଣ କିଏ ? କି ରକ୍ତବୋଳା କରୁଣ ଇତିହାସ ଲୁଚିରହିଛି ଏମାନଙ୍କ ପଛରେ । ଦେଶମାତୃକା ପାଇଁ ଏମାନଙ୍କର କି ବିପୁଳ ତ୍ୟାଗ ।

 

ତ୍ୟାଗ ?

 

ହଁ ତ୍ୟାଗ । ଜନନୀ ପାଇଁ ଏମାନଙ୍କର ତ୍ୟାଗ ଅସୀମ—ଅନନ୍ୟ ସାଧାରଣ ।

 

କେମିତି ? —ଆଶ୍ଚର୍ଯ୍ୟହେଇ ଡକ୍ଟର ସାହାଣି ଚାହିଁଲେ ।

 

ପରାଶର କହିଲେ—ଆଖିରେ ଦେଖିଲୁତ ସର୍‍ଦାର୍‍ଜୀ ଖୁବ୍‍ ବୃଦ୍ଧ । ବୟସ ବୋଧେ ସତୁରି ଟପିଲାଣି । ନିଶ, ଦାଢ଼ି ପାଚି ଝୋଟ । ଆଖି କୋରଡ଼ । ଚମ ଝଲିପଡ଼ିଲାଣି ତଳକୁ । ୟାଙ୍କ ଘର କୋଉଠି ଜାଣୁ ? ଓ୍ୱେଷ୍ଟପଞ୍ଜାବ । କେମିତି, କୋଉ ପରିସ୍ଥତିରେ କୋଉ ଦାୟରେ ପଡ଼ି ସେ ଏ ବୟସରେ ସୁଦୂର ପଞ୍ଜାବ ଛାଡ଼ି କଟକ ସହରର ଆବର୍ଜନାମୟ ଗଳିକନ୍ଦିରେ କାଠଢ଼ବଲର ଗାଡ଼ି ଠେଲି ଠେଲି ଫୁଲ୍‍କା ବିକୁଥିଲେ, ତା ଜାଣି ଲାଭ ନାହିଁ । ହଠାତ୍‍ ଦିନେ ତରୁ ଆଖିରେ ପଡ଼ନ୍ତି ବୃଦ୍ଧ । କାଠର ଖଣ୍ଡେ ଉଠା ଦୋକାନ ତରୁ ତାଙ୍କୁ କରି ଦେଇଥିଲା ମଙ୍ଗଳାବାଗରେ, ଆଉ ଶହେଟି ଟଙ୍କା ବଢ଼େଇ ଦେଇଥିଲା ହାତକୁ— ‘‘ପିତାଜି, ମେ ଆପ୍‍କା ଲଡ଼୍‍କା ହୁଁ । ହାମାରା ବାତ୍‍ ରଖିଏ । ଆପ୍ ଇଧର ଦୋକାନ୍‍ ଲେକର୍‍ ବେଠ୍‍ ଯାଇୟେ’’ । ବୃଦ୍ଧ ସ୍ତବ୍‍ଧ ହେଇ ଘଡ଼ିଏ ରହିଯାଇଥିଲେ । କିଛି ନକହି କେବଳ ଆକାଶକୁ ଚାହିଁଥିଲେ ନିର୍ବୋଧ ଭଳି ।

 

ସାହାଣି ମଧ୍ୟ ଖାଲି ନିର୍ବୋଧଭଳି ଚାହିଁଲେ । କିଛି କହିଲେ ନାହିଁ ।

 

ପରାଶର କହି ଚାଲିଛନ୍ତି—ଆଉ ଏ ତରୁଣ ? ଲକ୍ଷପତିର ସନ୍ତାନ, ଆଜି ଦାଣ୍ଡର ଭିକାରୀ । ଅଶୀ ବର୍ଷର ମା’ ମରଣ ଶେଯରେ । ଫାଳେ ଟାଣୁଛି ଯମ, ଫାଳେ ଟାଣୁଛି ମାଟିର ମାୟା—ଜୀବନର ମୋହ । କାକା ପାରଳାରେ କବିରାଜି କରି କ’ଣ ଦି’ପଇସା କମାଏ, ତା’ ପେଟକୁ ଅଣ୍ଟେନାଇଁ, ପିଠିକି ଅଣ୍ଟେନାଇଁ ।

 

ୟାଙ୍କ ଘର ପାରଳାରେ ?

 

ପାରଳା ନୁହେଁ ଯଶୋର—ପୂର୍ବବଙ୍ଗ ଯୋଉଠି ଦିନେ ତାଙ୍କର ଜମି ଥିଲା, ଜମିଦାରୀ ଥିଲା, କୋଠା ଥିଲା, ହଜାର ହଜାର ଟଙ୍କା ମହାଜନୀ ଲାଗିଥିଲା, ହଜାର ହଜାର ଭରଣ ଧାନ ଅଠିଲ ହେଇଥିଲା ଅମାରରେ । ଭାଇ ପୁଣି ତାର ହାଇଲି ଏଜୁକେଟେଡ୍—ବିଲାତ ଫେରନ୍ତା ।

 

କ’ଣ କରୁଥିଲେ ଭାଇ ?

 

ଭାଇ ଥିଲେ ଢାକା ଇଉନିଭର୍ସିଟିରେ ବଟାନି ପ୍ରଫେସର ।

 

ସତେ ? ତା’ ପରେ କ’ଣ ହେଲା ?

 

ଯା’ ହବାର ହେଲା । ତମ ଉଗ୍ର ଜାତୀୟତାବାଦ ନିକଟରେ ତ ଦ୍ୱିତୀୟ ପନ୍ଥା ନାହିଁ । ରକ୍ତର ଚାଲିଲା ହୋରିଖେଳ । ରକ୍ତର ହେଲା ତାଣ୍ଡବ । ସମସ୍ତେ ଗଲେ । ସିଏ ବି ଗଲେ ।

ବିଚାରା ପ୍ରଫେସରଙ୍କୁ ଛାତ୍ରମାନେ ରଖି ପାରିଲେ ନାହିଁ ?

ଗ୍ରାମନାସ୍ତି, କୁତଃ ସୀମା ? ମୋଟେ ଛାତ୍ର ହିଁ ନାହାଁନ୍ତି, ରକ୍ଷା କରିବେ କ’ଣ ?

ତା ମାନେ ? ଛାତ୍ର ନ ଥାଇଁ ପ୍ରଫେସର ? —ଆଶ୍ଚର୍ଯ୍ୟହେଇ ସାହାଣି ଚାହିଁଲେ !

ପ୍ରାୟ ସେୟା । ଯୋଉମାନେ ଥିଲେ, ସେମାନେ ଛାତ୍ର ନୁହଁନ୍ତି, ମୁସଲମାନ !

ଡକ୍ଟର ସାହାଣି ହସିଉଠିଲେ । କହିଲେ—ୟେ ତ ‘ଓଭରଲାଫ ଅଫ୍‍ ଡିଭିଜନ୍’ ହେଇଗଲା । ଯେଉଁମାନେ ମୁସଲମାନ ସେମାନେ କ’ଣ ଛାତ୍ର ନୁହଁନ୍ତି ?

ନା, ତା ହେଇଥିଲେ ସେମାନେ ପ୍ରଫେସରଙ୍କୁ ନିଜ ହାତରେ ଛେଳି ହାଣିଲା ଭଳି ହାଣି ନଥାନ୍ତେ, ତାଙ୍କ ସ୍ତ୍ରୀଙ୍କୁ ଘରଭିତରୁ ଟାଣି ଆଣି ବିଚ୍‍ ଦାଣ୍ଡରେ, ବିଚ୍‍ ବଜାରରେ ଶହ ଶହ ଲୋକଙ୍କ ଆଗରେ...ଇସ୍‍ ଭଗବାନ !

ଥାଉ, ସେ କରୁଣ କଥା କହି ଲାଭନାହିଁ ।

କରୁଣ ନୁହେଁ, ରକ୍ତରେ ଲେଖା ଏକ କଳଙ୍କମୟ ଇତିହାସ । ଖାଲି ସ୍ୱାମୀ ସ୍ତ୍ରୀ ଗଲେନାହିଁ, ତାଙ୍କ ସାଙ୍ଗରେ ଗଲେ ତାଙ୍କର ଷୋଳ ବର୍ଷର ଭଉଣୀ, ତାଙ୍କ କାକାଙ୍କର ତିନି ପୁଅ, ତିନି ବୋହୂ, ନାତି ନାତୁଣୀ ଛଅ !

କିନ୍ତୁ ମତେ କ୍ଷମାକରିବୁ ପରାଶର, ତଥାପି କହିବି, ସେମାନେ ବିଦେଶୀ.....

ବିଦେଶୀ ନୁହେଁ ମଣିଷ । ମଣିଷ ପାଇଁ ମଣିଷର ଅଶ୍ରୁ ନ ବହିଲେ ଆମେ ପଶୁ ହେଇଯିବାରେ ପଶୁ ହେଇଯିବା ।

କିନ୍ତୁ ଦେଖିବୁ ତୁ ଦିନେ ଠକିଯିବୁ । ଯେତେ କ୍ଷୀର ଦେଇ ପାଳିଲେ ହେଁ ସାପ ସାପ । ସେ ନିଶ୍ଚେ ଦିନେ ଦଂଶନ କରିବ ।

ଭାଇ ! ଭାଇ ! —ଚିତ୍କାର କରି କୋଠା ଉପରକୁ ଦଉଡ଼ିଆସିଲା ତରୁ—ତମେ ଶୀଘ୍ର ଆସ ଭାଇ, ଖୋକନର ଅବସ୍ଥା ସାଂଘାତିକ ।

କିଏ ? କଲ୍ୟାଣ ? କ’ଣ ହେଇଛି ତାର ? ସେତ ପାରଳାଖେମିଣ୍ଡି ଯାଇଥିଲା ?

ପାରଳାଖେମିଣ୍ଡିରୁ ଫେରିଆସିଛି । ବାସ୍‍ରୁ ଓହ୍ଲେଇ ଘରକୁ ଆସୁଥିଲା । ମୋ ବିଷୟରେ କ’ଣ କ’ଣ ଶୁଣି ତା’ ମୁଣ୍ଡ ଆଗରୁ ହେଇଥିଲା ଖରାପ । ବାଟରେ ଦେଖାହେଲା ଜନଶକ୍ତି ରଙ୍ଗମଞ୍ଚର ଅନ୍ୟତମ ଡିରେକ୍ଟର ମାନଗୋବିନ୍ଦଙ୍କ ସହ । ସେ କ’ଣ ଟିଟ୍ଟିକାର କରି ଆଉ ପଦେ କହିଦେଲେ । ସମ୍ଭାଳି ହେଇ ପାରିଲାନି ଖୋକନ । ରାଗରେ ଅଗ୍ନିଶର୍ମା ହୋଇ ଠାଇକିନା ଗୋଟାଏ ଚଟକଣା ବସେଇଦେଲେ ଗାଲରେ । ଜଣେ ଡିରେକ୍ଟର । ଏତେ ବଡ଼ ସମ୍ମାନାସ୍ପଦ ବ୍ୟକ୍ତି-। ସେ କେମିତି ସହନ୍ତେ ଏକଥା ? ବିଚ୍‍ ବଜାରରେ ସପାସପ ସପାସପ କଷି ଦେଇଗଲେ ଚଟକଣା । ମଥା ଘାଉଁରେଇ ଦେଲା । ତିନିକଚଡ଼ା ଦେଇ ପଡ଼ିଲା ଖୋକନ୍ । ମୁଣ୍ଡ ଢାଇକିନି ପିଟି ହେଇଗଲା ପଥରରେ । ଗଳ ଗଳ ହେଇ ଗଳିପଡ଼ିଲା ରକ୍ତ !

ଏଁ ରକ୍ତ ? କାହିଁ କାହିଁ କଲ୍ୟାଣ ? —ପରାଶର, ତରୁ, ସାହାଣି ତିନିହେଁ ଚକ୍ଷୁର ପଲକରେ ଝପାଝପ ଓହ୍ଲେଇଗଲେ ତଳକୁ ।

କଲ୍ୟାଣର ମୁଣ୍ଡ ଫାଟିଛି । ରକ୍ତ ଝରିଯାଉଛି । କିନ୍ତୁ ତା’ ଅପେକ୍ଷା ଅଶ୍ରୁ ଝରୁଛି ଅଧିକ । ଲୁହ ସିଂହାଣିରେ ଫାଟି ପଡ଼ୁଛି ମୁହଁ । ତରୁକୁ ଦେଖିଲାମାତ୍ରେ ଆହୁରି ବେଶୀ ବେଶୀ କାନ୍ଦିଉଠିଲା–‘ବୋଉଦି’ ! ବୋଉଦି ! ତମେ ନୀରବ କାହିଁକି ବୋଉଦି ? କୁହ, କୁହ, ମୁଁ ଯା’ ଶୁଣିଲି ତା’ କ’ଣ ସତ୍ୟ ? ତମର ସର୍ବନାସ ପାଇଁ ମୁଁ କ’ଣ ଦାୟୀ ?

ତା’ ଲୁହଧୁଆ ମୁହଁଟିକି ଆଉଁସି ଆଉଁସି ଦେଉଁ ଦେଉଁ ଅତି କଅଁଳ ଗଳାରେ ତରୁ କହିଲା—କେହି ଦାୟୀ ନୁହଁନ୍ତି । ଦାୟୀ ମୋ ଭାଗ୍ୟ । ତମେ ସ୍ଥିରହୁଅ ।

କିନ୍ତୁ ସେ ବଦ୍‍ମାସ୍‍ଟା ମୋତେ ଏମିତି କହିଲା କାହିଁକି ?

ସେ ଭୁଲ୍‍ କହିନାହିଁ । ମୁଁ ଆଉ ତମର ସରଗର ବୋଉଦୀ ନୁହେଁ, ମୁଁ ଆଜି ନରକ ପଥର ଯାତ୍ରୀ !!

ଆଃ ବୋଉଦି ! —ଖଟବାଡ଼ାରେ ଢୁ’କିନା ମୁଣ୍ଡ ପିଟିଦେଲା କଲ୍ୟାଣ, ମୁଣ୍ଡରୁ ଆହୁରି ଝର ଝର ହେଇ ଝରିପଡ଼ିଲା ରକ୍ତ । ସଂଜ୍ଞାହୀନ ହୋଇ ଲୋଟିପଡ଼ିଲା ସେ ବିଛଣା ଉପରେ ।

ସମସ୍ତଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । ପରାଶର ସାହାଣିକି ହଲେଇ ଦେଇ କହିଲେ—କ’ଣ ତୁ କହୁଥିଲୁରେ, ‘ଯେତେ କ୍ଷୀର ଦେଇ ପାଳିଲେ ହେଁ ସାପ ସାପ । ସେ ନିଶ୍ଚେ ଦିନେ ଦଂଶନ କରିବ’—ନା ??

 

–ଆଠ–

 

ରାଜରାସ୍ତା । ଲୋଫାର୍‍ଙ୍କଭଳି ଗୀତ ଗାଇ ଗାଇ ଜୟନ୍ତ ପଶିଆସିଛି । ଦେହରେ ଲୁଜ୍ ପାଇଜାମା, ରଙ୍ଗିନ୍ ହାଓ୍ୟାଇନ୍‍ ଫେଲ୍‍ଟକ୍ୟାପ୍ । ମୁହଁରେ ସିଗାରେଟ୍ । କଣ୍ଠରେ ଗୋଟାଏ ମଡାର୍ଣ୍ଣ ଟିଉନିଂ—

 

‘ବୟସର କୃଷ୍ଣଚୂଡା ରଙ୍ଗ ତମର ମନ୍ଦନୁହେଁ

ଅୟସର ନନ୍ଦିନୀ ଗୋ ଅଙ୍ଗ ତମର ମନ୍ଦନୁହେଁ ।’

 

ଟଳ ଟଳ ଗୀତ ଗାଇ ଗାଇ ଚାଲିଯାଉଥିଲା, ହଠାତ୍‍ କ’ଣ ଭାବିଲା, ଅଟକିଗଲା । ଚକ୍ଷୁ ହେଲା ସ୍ଥିର । ମୁହଁ ଗମ୍ଭୀର । ସିଗାରେଟ୍‍ଟାକୁ ଜୋରେ ଫିଙ୍ଗିଦେଲା ଦୂରକୁ । କହିଲା—ନା, ସମସ୍ତେ ନିମକହାରାମ, ସମସ୍ତେ ବଦ୍‍ମାସ୍ । କାହାରି ଟିକିଏ ଆନ୍ତରିକତା ନାହିଁ । ଯାହାକୁ ପଠେଇଲି, ସେ ଆସି କହୁଛି—ନା ।

 

‘ନା, ଅସମ୍ଭବ, ଯା’ ହବାର ନୁହେଁ, ତା କଦାପି ହୋଇ ପାରେନା’—ଘରଭିତରୁ ବାହାରି ଆସିଲା ସନ୍ଧ୍ୟା । ମୁହଁରେ ନିରାଶାର ବାଣୀ—ମତେ କ୍ଷମାକରନ୍ତୁ, ୟା’ ହେଇପାରେନା ।

 

ହେଇ ପାରେନା ?? ହାଃ, ହାଃ, ହାଃ; ହାଃ, ହାଃ, ହାଃ—ସୟତାନ୍‍ ଭଳି ଠୋ ଠୋ ହସିଉଠିଲା ଜୟନ୍ତ । କହିଲା—ତମେ କ’ଣ କହୁଛ ସଂଧ୍ୟା ? କ’ଣ କହୁଛ ତା’ର ଅର୍ଥ ବୁଝୁଛ ତ ?

 

ସଂଧ୍ୟା ବୋଧେ ଡରିଗଲା । ହଠାତ୍‍ କିଛି କହି ପାରିଲା ନାହିଁ । ପୁଣି କର୍କଶ କଣ୍ଠର ଆଓ୍ୟାଜ୍‍ ଶୁଭିଲା—କୁହ ସଂଧ୍ୟା, ଏ ‘ହେଇପାରେ ନା’ର ଅର୍ଥ ତମେ ଜାଣ ?

 

ଜାଣେ, ନିଜ ଭାତଥାଳି ଉପରେ ନିଜେ ଧୂଳି ମୁଠାଏ ବିଞ୍ଚିଦେବା ।

 

ତଥାପି ତମର ସ୍ପର୍ଦ୍ଧା, ମୋ ସମ୍ମୁଖରେ ଠିଆ ହୋଇ ଦୃପ୍ତ କଣ୍ଠରେ କହୁଛ—‘ନା, ହେଇପାରେନା’ ?

 

କିନ୍ତୁ କ’ଣ କରିବି ମୁଁ ? କ’ଣ କରିପାରେ ? ଅଶୋକବନର ସୀତାଙ୍କୁ ସହସ୍ର ରାକ୍ଷସୀ ବି ଟଳାଇ ପାରିଲେ ନାହିଁ, ମୁଁ ତ ଅତି କ୍ଷୁଦ୍ର ।

 

ଟଳାଇ ନ ପାରିଲେ ନିଜକୁ ଟଳି ପଡ଼ିବାକୁ ହେବ, ଏକଥା ଯେମିତି ମନେଥାଏ । ତମର ଚାକିରିକି ଭୟ ନ ଥାଇପାରେ । କିନ୍ତୁ ଜୀବନକୁ ? ଇଜ୍ଜତକୁ ? କ୍ରୋଧରେ ଅନ୍ଧ ହେଲେ ଜୟନ୍ତରାୟ କି ଦୁର୍ଦ୍ଦାନ୍ତ ହେଇପାରେ ଜାଣ ତ ?

 

ଜନଶକ୍ତି ରଙ୍ଗମଞ୍ଚର ଜଣେ ଡିରେକ୍ଟର ହିସାବରେ ଆପଣ ମୋର ଅନ୍ନଦାତା । ଆପଣ ଚାହିଁଲେ ମୋର ସର୍ବସ୍ୱ ଲୁଟି ନେଇପାରନ୍ତି । ମୋତେ ପଥଧାରରେ ନେଇ ଠିଆ କରେଇ ଦେଇପାରନ୍ତି । କିନ୍ତୁ ଯାହା ନହେବ, ତାହା କରିବାକୁ କହିଲେ ମୁଁ କେମିତି କରିବି ? କାଉଁରିଆ ଦୁଇଖଣ୍ଡ ହୋଇ ଭାଙ୍ଗିଯାଏ, କିନ୍ତୁ କେବେ ନଏଁ ନାହିଁ, ନଇଁବ ନାହିଁ, ଏହା ମୃତ୍ୟୁଠାରୁ ଅଧିକ ସତ୍ୟ-

 

କିନ୍ତୁ ମୁଁ ଯା ଶୁଣିଲି......

 

ଆପଣ ଭୁଲ୍ ଶୁଣିଛନ୍ତି । ସେ ସେଭଳି ଝିଅ ନୁହେଁ । ସୃଷ୍ଟି ପ୍ରଳୟ ହେଇ ଯାଇପାରେ, କିନ୍ତୁ ସାମାନ୍ୟ ହସ ଟିକିଏ ଫୁଟିବନାହିଁ ତା’ ଓଠରେ, ମଥା ନୋଇଁ ତଳ ପାହାରକୁ ଖସି ଆସିବାତ ଦୂରରକଥା ।

 

କିନ୍ତୁ ସଂଧ୍ୟା ! —ଜୟନ୍ତର କଣ୍ଠ ନରମ ହୋଇଆସିଲା ।

 

କୁହନ୍ତୁ ।

 

ମୁଁ କିନ୍ତୁ ଅନେକ ଆଶା ରଖିଥିଲି ତମ ଉପରେ.....

 

ମୁଁ କେବେ ଆପଣଙ୍କୁ ନିରାଶ କରିନାହିଁ । ଗଣ୍ଡା ଗଣ୍ଡା ଝିଅ ଆଣି ଦେଇଛି ଆପଣଙ୍କ ଚରଣ ତଳକୁ ।

 

ଗଣ୍ଡା ଗଣ୍ଡା ଝିଅ ଆଉ ଏ ଝିଅ ! —ଶୁଖିଲା ଘାସ ଭିତରେ ସକାଳ ଫୁଟା ଗୋଲାପ !! ନା, ନା, ମୁଁ ଅନୁନୟ କରୁଛି ସଂଧ୍ୟା, ତମେ ଚେଷ୍ଟା କର, ଆହୁରି ଚେଷ୍ଟା କର । ଧନ ରତ୍ନ ମଣି ମୁକ୍ତା ଯାହା ତମେ ଚାହିଁବ, ମୁଁ ତମ ପାଦ ଉପରେ ଅଜାଡ଼ି ଦେବି ।

 

ସଂଧ୍ୟା ଟିକିଏ ହସିଲା । କହିଲା—ବେଶ୍, ମୁଁ ମୁକ୍ତାକୁ ଖବର ଦେଉଛି, ସେଇ ଆପଣଙ୍କର ମନସ୍କାମନା ପୂର୍ଣ୍ଣକରିବ ।

 

ନା, ସେ ପାରିବ ନାହିଁ । ସାପ ଯେତିକି ଉଚ୍ଚକୋଟୀର ହେବ, କେଳା ସେତିକି କୌଶଳୀ ହେବା ଚାହି । ତା’ ନହେଲେ ଚୋଟଖାଇ ପ୍ରାଣ ହରେଇବା ଖାଲି ସାର ହେବ, ସାପ ଧରାହେବନି ।

 

କିନ୍ତୁ ମୁକ୍ତା ଯେ କୌଶଳି ନୁହେଁ, ଏକଥା କିଏ କହିଲା ? ବରଂ ସେ ବୃଦ୍ଧିମତୀ, ସୁନ୍ଦରୀ, ଆପଣଙ୍କର ପ୍ରାଣର ପ୍ରତିମା । ସେ ଯଦି ପଛଘୁଞ୍ଚା ଦିଏ, ମୁଁ ଆଗେଇବି କୋଉ ସାହସରେ ? ତା’ ନିକଟରେ ମୁଁ କି ଛାର । ମୁଁ ଆପଣଙ୍କର କିଣା କିଙ୍କର—ଆପଣଙ୍କ ପାଦତଳର ଦାସୀଠାରୁ ହୀନ ।

 

ଜୟନ୍ତ ଆଖି ଟେକି ତାକୁ ଦଣ୍ଡେ ଚାହିଁଲା । କହିଲା—ଓ ଏଇ କଥାରେ ଅଭିମାନ ? ତମେ କ’ଣ ଜୟନ୍ତ ରାୟକୁ ଚିହ୍ନନା ? ଚିହ୍ନିଛି । ଚାକିରି କରିଛି ଯେତେବେଳେ ପାଦତଳେ......

 

ପାଦତଳେ ନୁହେଁ, ଏଇ ହୃଦୟର ସିଂହାସନ ଉପରେ ତମର ସ୍ଥାନ । ତମର ସୁନ୍ଦର ମୁହଁ ଉପରେ ମୁହଁ ରଖି ମୁଁ ଜୀବନର କେତେ ଦୁଃଖ ଭୁଲିଛି ।

 

ମୁହଁ ଉପରେ ଯିଏ ମୁହଁ ରଖେ, ଦରକାର ପଡ଼ିଲେ ସିଏ ତଣ୍ଟି ଉପରେ ପାଦ ରଖିବାକୁ ଭୁଲିବ ନାହିଁ, ମୁଁ ଜାଣେ ।

 

ସଂଧ୍ୟା ! ତମେ ମତେ ଏଇଆ ଚିହ୍ନିଲ ? ଜୟନ୍ତି ରାୟ ମଣିଷର ଜୀବନ ନେଇ ଖେଳେ, ବିଶେଷତଃ ନାରୀର ଜୀବନ । କିନ୍ତୁ କହି ପାରିବ, କେତୋଟି ନାରୀ ସେ ହତ୍ୟା କରିଛି ୟା’ ଭିତରେ-?

 

କିନ୍ତୁ ଏଇ ଯେ କହିଲେ, ‘ଜୀବନକୁ ଯଦି ଭୟ ନଥାଏ’..

 

ମତେ କ୍ଷମା କର ସଂଧ୍ୟା, ଏଇ କେତେଦିନ ହେଲା ମୋର କ’ଣ ହେଇଛି ଜାଣେନା, ମୁଁ ଜୀବନର ଭାର-କେନ୍ଦ୍ର ସ୍ଥିର ରଖି ପାରୁନି । କେତେବେଳେ କାହାକୁ କ’ଣ କହି ଦେଉଛି, ତା’ର ଠିକଠିକଣା ନାହିଁ । ମତେ କ୍ଷମାକର, ମୁଁ ହାତ ଯୋଡ଼ୁଛି ।

 

ଆରେ ଛି, ଏ କ’ଣ କହୁଛନ୍ତି ଆପଣ ?

 

ନା, ମୋତେ ‘ଆପଣ’ କହନାହିଁ, ‘ତମେ’ କହ । ତମର ‘ତମ’ ଡାକ ମୋ ପ୍ରାଣରେ କେତେ ଆନନ୍ଦ ଦିଏ ।

 

କିନ୍ତୁ କ’ଣ ହେଲା ତମର ?

 

ଜାଣେନା କ’ଣ ହେଇଛି ମୋର, ଜୀବନରେ ବହୁ ନାରୀଙ୍କି ଭଲ ପାଇଛି । ଆଲିଙ୍ଗନ କରିଛି ନିର୍ଲଜ ଭାବରେ । ମଦ ଖାଇ ମାତାଲ ହେଇ କେତେ ଉଦ୍ଧତା ନାରୀର ଦର୍ପ ଚୂର୍ଣ୍ଣ କରି ଦେଇଛି ଘଡ଼ିକେ । କିନ୍ତୁ ଜାଣେନା ଆଜି ମୋର କ’ଣ ହେଲା । କାହିଁକି ମୁଁ ଆଜି ଏତେ ନିଃସ୍ୱ—ଦରିଦ୍ର ।

 

ସଂଧ୍ୟା ହସିଲା । କହିଲା—ସିଂହ ଆଜି ଶୃଗାଳ ହେଇଛି । କିନ୍ତୁ କିଏ ସେଥିପାଇଁ ଦାୟୀ-? କିଏ ତା’କୁ କରିଛି ଶୃଗାଳ ?

 

ସଂଧ୍ୟା !

 

କୁହ କିଏ ସେହି ଅଦ୍ଭୁତ ଯାଦୁକର ?

 

ଯାଦୁକର ? ଯାଦୁକର ସେଇ—ସେଇ ଅଗନାଅଗନି ବନସ୍ତ କୋଳର ଅଲିଅଳି ରାଜଦୁଲଣା ‘ରାଜଲକ୍ଷ୍ମୀ ’ ।

 

କିନ୍ତୁ କାହିଁ ସିଏ ? ସିଏ ତ ଲକ୍ଷ ସୋପାନ ଯୋଜନର ଦୂରରେ—

 

କୋଟି ଯୁଗ ଦୂରରେ ଥିଲେ ବି ସିଏ ମୋର—ଚିରକାଳ ମୋର । ମୁଁ ତା’କୁ ମୁହୂର୍ତ୍ତକ ପାଇଁ ଭୁଲି ପାରୁନି ।

 

କିନ୍ତୁ ନ ଭୁଲି ତ ଉପାୟ ନାହିଁ । ପାଷାଣ ଦେହର ମଥା ପିଟିଲେ ଖାଲି ମଥାରୁ ଝରିବ ସିନା, ପାଷାଣରୁ ନୀର ଝରିବ ନାହିଁ ।

 

କିନ୍ତୁ ସେଥିପାଇଁ ତମେ କ’ଣ କରିଛ ? ଗୋଟାଏ ସାମାନ୍ୟ ପ୍ରସ୍ତାବରେ ତମେ ଯଦି ତାକୁ ରାଜି ନକରି ପାରିଲ.....

 

ସଂଧ୍ୟା ପୁଣି ହସିଲା । କହିଲା—ସାମାନ୍ୟ ନୁହେଁ ଗୁରୁତର ପ୍ରସ୍ତାବ । ତା’ ଭଳି ଝିଅ ତମ ସହିତ ଆସି ରଙ୍ଗମଞ୍ଚରେ ଅଭିନୟ କରିବ, ଏଟା କ’ଣ ଏତେ ସହଜ ? ପରାଶର ଓ ତରୁଦେବୀଙ୍କ ଆଖିରେ ଧୂଳି ଦେଇ ପାରିଲ ବୋଲି ଯେ ତମେ ସାରା ଦୁନିଆଁ ଆଖିରେ ଧୂଳି ଦେବ, ୟା’ର ତ କିଛି ମାନେ ନାହିଁ । ତମ ପ୍ରସ୍ତାବ ଶୁଣିଲା ମାତ୍ରେ ସେ କ’ଣ କହିଲା ଜାଣ ?

 

କ‘ଣ କହିଲା ?

 

ପ୍ରଥମେ ଠୋ ଠୋ ହସି ଉଠିଲା । ତା’ପରେ କେଜାଣି କାହିଁକି ଗମ୍ଭୀର ହୋଇଗଲା । କହିଲା—ଧୂର୍ତ୍ତାମିର ଗୋଟାଏ ସୀମା ଅଛି । ସୀମା ଟପିଗଲେ ତା’ ଆଉ ଧୂର୍ତ୍ତାମି ହୁଏନା, ତା’ ହୁଏ ଏକ ଗରମ ନିର୍ବୋଧତା ! ....ମୁଁ କହିଲି—ମୋତେ ବିଶ୍ୱାସ କର । ଭଗବାନଙ୍କ ଦ୍ୱାହି ଦେଇ କହୁଛି-। ...ବାଧାଦେଲା ସେ କଥାରେ । କହିଲା—ଥାଉ, ମଦଠାରୁ ଭଗବାନ ଆହୁରି ଶସ୍ତା ତମ ପାଖରେ-। ତାଙ୍କ ନାଁ ଧରି ଲାଭନାହିଁ । ଖାଲି ଏତିକି ମନେରଖ—ମୁଁ ଅଭିନେତ୍ରୀ ନୁହେଁ କି ରଙ୍ଗମଞ୍ଚରେ ଜୟନ୍ତବାବୁଙ୍କ ସାଙ୍ଗରେ ଅଭିନୟ କରିବା ଭଳି ନିର୍ଲଜତା ମୋର ନାହିଁ ।

 

ଜୟନ୍ତି ସ୍ଥିରହୋଇ ରହିଗଲା । କେତେ ମୁହୂର୍ତ୍ତ ଯାଏ କଣ୍ଠରୁ ବଚନ ସ୍ଫୁରିଲା ନାହିଁ । ତା’ପରେ ଅତି ନରମ କଣ୍ଠରେ ଡାକିଲା—ସଂଧ୍ୟା ।

 

ସଂଧ୍ୟା କହିଲା—ତଥାପି ତମେ ଆଶା କରୁଛି ପାଷାଣରେ ପଦ୍ମ ଫୁଟିବ ? ଉଆଁଶରେ ଦେଖାଯିବ ଚନ୍ଦ୍ର ?

 

‘‘ଆଶା କରିବା ନିହାତି ଦୁରାଶା ନୁହେ ସଂଧ୍ୟା ! ଜଣକର ମରଣ ବ୍ୟବସ୍ଥା ଯେତେବେଳେ ହୋଇସାରିଛି, ଆଉ ଜଣଙ୍କର ଜନ୍ମ ହେବା ତ ଅତି ସ୍ୱାଭାବିକ’’

 

ଚାଉଁକିନା ଚମକି ପଡ଼ିଲା ଜୟନ୍ତି । ଫେରି ଚାହିଁଲା—ପଛରେ ତରୁ !!

 

ତରୁ କାହାକୁ ଅପେକ୍ଷା ନକରି ପୁଣି କହି ଚାଲିଲା—ଜଣେ କେହି ନୂତନ ହୋଇ ରଙ୍ଗମଞ୍ଚରେ ଦେଖାଦେଲେ ପୁରାତନକୁ ମଥା ପାତି ଦେବାକୁ ହୁଏ ଶାଣିତ କଟୁରି ଆଗରେ । ଏଥରକ କିନ୍ତୁ ମୁଁ ଆନନ୍ଦିତ ଯେ ଆଉ କାହାକୁ ଯୂପ କାଠରେ ବେକ ରଖିବାକୁ ହେଲାନି । ଏଥରକ ବଳି ମୁଁ ନିଜେ । ମୋରି ରକ୍ତ ପିଇ ଜୟନ୍ତ ବାବୁଙ୍କ ଚିରଦିନ ପାଇଁ ତୃପ୍ତ ହୋଇଯିବ ।

 

ତରୁ !! —ଚିତ୍କାର କରି ଉଠିଲା ଜୟନ୍ତି—କ’ଣ କହୁଛ ତମେ ?

 

କିଛି ନାହିଁ । ଜୀବନରେ କେବେହେଲେ ମୋର ଅଭିଯୋଗ ନଥିଲା । ଆଜି ବି ନାହିଁ । ତମର ଆନନ୍ଦ ହିଁ ମୋର ଆନନ୍ଦ । ତମେ ଯଦି ଚାହିଁଲ ମୋତେ ନିଜ ହାତରେ ନିଜ କଟୁରିରେ ଅଷ୍ଟଭୁଜା ଦୁର୍ଗାଙ୍କ ଆଗରେ ବଳି ଦେବାକୁ......

 

ତରୁ ! ତରୁ ! —ଗୋଟିପଣେ କୁଣ୍ଡେଇ ପକେଇଲା ଜୟନ୍ତି—ବନ୍ଦକର ତରୁ, ତମକୁ ହାତ ଯୋଡ଼ୁଛି । ତମେ ଯାହା ଶୁଣିଛ ସବୁ ମିଛ ।

 

ନା ମିଛ ନୁହେଁ ସବୁ ସତ । ମୁଁ ବ୍ୟଭିଚାରଣ ବୋଲି ସହରସାରା ପ୍ରଚାର କରିଛି ତମେ–ମୋର ସ୍ୱାମୀ । ନା, ମୁଁ ଅଶ୍ରୁ ଢାଳିବି ନାହିଁ । ହୁଏତ ମୁଁ କଳଙ୍କିନୀ—କଳଙ୍କ ପ୍ରତିମା । କିନ୍ତୁ ପରାଶର ? କେତେ ନିର୍ଦ୍ଦୋଷ, କେତେ ନିରୀହ, କେତେ ନିଷ୍ପାପ ସିଏ । ଶେଷରେ ତାଙ୍କୁ ହିଁ କଳା କରିଦେଲ ? କଳା କରିଦେଲ ?

 

ତମେ ସ୍ଥିର ହୁଅ ତରୁ ? ମୁଁ ସବୁକଥା କହିବି ।

 

ବୁଝେଇ କହିବା ଆଉ କିଛି ଦରକାର ନାହିଁ । ତମର ଲକ୍ଷ୍ୟ ବ୍ୟର୍ଥ ହେବାର ନୁହେଁ । ତମର ବୁଲେଟ୍‍ଟା ଛାତିରେ ଗାଡ଼ କରି ସାରିଛି । କଲିଜା ଫାଟି ଯାଇଛି ସହସ୍ର ଖଣ୍ଡ ହେଇ । ଦୁଃଖ ନାହିଁ, ମୁଁ ଯିବି । ମୋତେ ଜୁଇରେ ଶୁଆଇ ଦେଇ ମୁଖାଗ୍ନି ଦେଲାବେଳେ ତମେ ଖୁସୀ ହେବ ମୁଁ ଜାଣେ । ସେଇ ମୋର ଆନନ୍ଦ—ସେଇ ମୋର ଆନନ୍ଦ......

 

ଜୟନ୍ତକୁ ଖୁବଜୋରେ ଠେଲିଦେଇ ତରୁ ଚାଲିଗଲା । ଲକ୍ଷ ଡାକରେ ବି ଥରେହେଲେ ଫେରି ଚାହିଁଲା ନାହିଁ । ପାଷାଣ ପ୍ରତିମା ଭଳି ଠିଆହୋଇ ରହିଲେ ଜୟନ୍ତି ଆଉ ସଂଧ୍ୟା ।

 

କେତେବେଳେ—

 

ଦୀର୍ଘନିଃଶ୍ୱାସ ପକେଇ ସଂଧ୍ୟା କହିଲା—ଏଥରକ ଉପାୟ ?

 

ଜୟନ୍ତି ତଟସ୍ଥ ହେଇ ଖାଲି ଚାହିଁଥିଲା । କିଛି ଉତ୍ତର ଦେଲାନି । ସଂଧ୍ୟା କହିଲା—ମୋର ତ ମନେହୁଏ ତମେ ଏଥରକ ରାଜଲକ୍ଷ୍ମୀ ପାଇଁ ପାଦେ ଆଗେଇଲେ ତରୁଦେବୀ ଆତ୍ମହତ୍ୟା କରିଦେବେ ।

 

ତଥାପି ଜୟନ୍ତି ନୀରବ ।

 

ଆରେ ଚୁପ୍‍ ରହିଲ ଯେ, କ’ଣ ଭାବୁଛ ? ରାଜଲକ୍ଷ୍ମୀ କଥା ?

 

ନା—

ତେବେ ତରୁଦେବୀ ?

ନା—

ତା’ ହେଲେ ?

ଆତ୍ମହତ୍ୟା କଥା ।

କହିଛି ତ ରାଜଲକ୍ଷ୍ମୀକି ଗ୍ରହଣ କଲେ ତରୁଦେବୀଙ୍କର ଆତ୍ମହତ୍ୟା ଛଡ଼ା ଅନ୍ୟ ପନ୍ଥା ନାହିଁ ।

ନା ।

ନା । ମାନେ ?

ମାନେ ତରୁ ଆତ୍ମହତ୍ୟା କରିବ କିନ୍ତୁ ରାଜଲକ୍ଷ୍ମୀ ପାଇଁ ନୁହେଁ ।

ତେବେ ?

ନିଜ ପାଇଁ । ନିଜ ଉପରେ ଅଭିମାନ କରି । ଦୁନିଆ ଉପରେ ଅଭିମାନ କରି ।

ତା’ଅର୍ଥ ?

ନିର୍ମମ ଦୁନିଆ ଯଦି ତା’ ଦୁଃଖ ନବୁଝିଲା—ତା’ ତୁହି ନଧବଳ ଅଙ୍ଗରେ ବୋଳିଲା କର୍ଦ୍ଦମର ଛିଟା, ତେବେ ତା’ର ଅଗ୍ନିକୁଣ୍ଡକୁ ଡେଇଁବା ଛଡ଼ା ଆଉ କ’ଣ ଉପାୟ ଅଛି କୁହ ?

କିନ୍ତୁ ଅଭିଯୋଗଟା ନିଜ ଉପରେ ଖସେଇ ଆଣି ଦୁନିଆ ଉପରେ ଢାଳିବାର ଅର୍ଥ ? ତରୁଦେବୀଙ୍କର ସିଧା ସଳଖ ଅଭିଯୋଗ ତମରି ଉପରେ—

ଆଚ୍ଛା ସଂଧ୍ୟା ! ଗୋଟିଏ ପ୍ରଶ୍ନ ପଚାରିବି ?

ପଚାରନ୍ତୁ !

ଜଳନ୍ତା ନିଆଁ ଭିତରକୁ ତମେ ଆଙ୍ଗୁଳି ପୂରେଇ ପାରିବ ? ଜଳିଯିବ ଯେ । ଜାଣୁ ଜାଣୁ ଏଡ଼େ ନିର୍ବୋଧ ହେବି କେମିତି ?

ତମେ ନିର୍ବୋଧ ନୁହଁ । ଦୁନିଆ ନିର୍ବୋଧ ନୁହେଁ । ସାରା ବିଶ୍ୱ ଭିତରେ ଏକା ନିର୍ବୋଧ ଜୟନ୍ତ ?

ତା ମାନେ ?

ନିହାତି ବାଚାଳ ନହେଲେ ନିଜ କପାଳରେ ବନ୍ଧୁକ ରଖି କେହି ଢାଇ ଢାଇ ଗୁଳି ଛୁଟେଇ ଦିଏନା । ମୁଁ ସାରା ସୃଷ୍ଟିର ଘୃଣା କରିପାରେ । କିନ୍ତୁ ନିଜକୁ ତ କେବେ ଘୃଣା କରିବି ନାହିଁ-। ମଣିଷ ପରା ସବୁ ଚାହିଁ ବେଶୀ ଭଲପାଏ ନିଜକୁ ।

 

କିନ୍ତୁ ଏଠି ନିଜର ପ୍ରଶ୍ନ କାହୁଁ ଆସିଲା ? କଳଙ୍କ ତ ରଟିଛି । ତରୁଦେବୀଙ୍କ ନାଁରେ ।

 

ମୁଁ ଆଉ ତରୁ ଏହା ଭିତରେ ତଫାତ୍‍ ତମେ ଦେଖିପାର, କିନ୍ତୁ କାହିଁ, ମୁଁ ତ ଜୀବନରେ ମୁହୂର୍ତ୍ତକ ପାଇଁ....

 

କିନ୍ତୁ ?

 

ସୁରା ଆଉ ନାରୀ ନେଇ ଯିଏ ସାରା ଜୀବନ ବିଭୋର—ଯିଏ ନାରୀକି କରିଛି ବିପଣିର ପଣ୍ୟ, ରାତିର ଭୋଜୀ, ତା’ ନିକଟରେ ପ୍ରେମର ସ୍ଥାନ ନାହିଁ ଏ ଧାରଣ ତମର ଯଥାର୍ଥ । କିନ୍ତୁ କଂସେଇ ସବୁ ଛେଳିଙ୍କି କାଟି ମାଂସ ବିକେ ବୋଲି ସେ ଯେ ତା’ କଅଁଳିଆ ପୁଅକୁ ଆଣି ଟିକି ଟିକି କାଟି ତମକୁ ତା ମାଂସ ବିକିବି ଧାରଣା ତମର ହେଲା କେମିତି ?

 

ଆଃ ମତେ କ୍ଷମା କର, ମୁଁ ଏତେ କଥା ଭାବୁ ନାହିଁ ।

 

ମୁଁ ସହସ୍ର ନାରୀ ଉପଭୋଗ କରିଛି । ମଦ ଖାଇ ମଦ ବୋଳି ହେଇଛି ସାରା ଅଙ୍ଗରେ-। କିନ୍ତୁ ତା’ ବୋଲି ମୋର ହୃଦୟ ନାହିଁ, ସେଠି ଆଘାତ ଲାଗେନା, ସେ ପୋଡ଼ି ଉଠେନା ହୁ ହୁ ହେଇ, ମୋ ଜୀବନଟା ନାରଖାର ହେଇ ଯାଏନା, ଆଖିରୁ ଠସ୍ ଠସ୍‍ ଖସି ପଡ଼େନା ରକ୍ତର ବୁନ୍ଦା–ଏକଥା ତମକୁ କିଏ କହିଲା ? କିଏ କହିଲା ?

 

ତମ ସ୍ଥିର ହୁଅ ? ତରୁ ଦେବୀ ତମକୁ ଭୁଲ୍‍ ବୁଝିଛନ୍ତି ।

 

ତରୁ ମୋର କ’ଣ ହୁଏ ତ ସିଏ ନିଜେ ଜାଣେନା । ମନୁଷ୍ୟ ଶତସହସ୍ର ପାପ କରେ କିନ୍ତୁ ଆଖି ଅହରହ ଥାଏ ନୀଳଚକ୍ର ପତାକା ଉପରେ । ସହସ୍ର ପତିତଙ୍କୁ ଉଦ୍ଧାର କରିବାକୁ ଦରକାର ହୁଏ କଣିକାର କୈବଲ୍ୟର ଧାରା । ତରୁ ମୋର ପତ୍ନୀ ନୁହେଁ, ତରୁ ମୋର ଗଙ୍ଗା, ଯାହାକୁ ମସ୍ତକରେ ଧାରଣକରି ମଶାଣିର ଶିବ ଆଜି ସ୍ୱଚ୍ଛ ଓ ଅମଳିନ ।

 

କହିଛି ତ ତରୁଦେବୀ ଭୁଲ କରୁଛନ୍ତି । ତାଙ୍କର ଯେମିତି ଧାରଣା ହେଇଛି, ଏ ଅପବାଦର ନାଗରା ପଛରେ ତମରି ହାତର କରଣି ସ୍ପଷ୍ଟ ।

 

ନା ଭୁଲ୍‍ ତା’ର ନୁହେଁ, ଭୁଲ ମୋର । ମୋ’ରି ଲାଗି ଆଜି ସେ କାଙ୍ଗାଳିନୀ । ମୁଁ ତାକୁ ଫିଙ୍ଗି ଦେଇଛି ଦୂରକୁ । ମୁଁ ତା’ ଛାତିରେ ମୁଦ୍‍ଗର ପିଟିଛି । ମୋରିଲାଗି ତରୁ ଆଜି କୁଳଟା ! —ବେଶ୍ୟା !!

 

ଏଁ ତମରି ଲାଗି ? ତମେ ଛୁଟେଇଛ ଏ କଳଙ୍କର ସୁଅ ?

 

ପାଗଳ ଭଳି ଖୁବ୍‍ ଜୋରେ ହସି ଉଠିଲା ଜୟନ୍ତ । କହିଲା—ହଁ, ହଁ, ମୋ’ରିଲାଗି । ମୋ’ରିଲାଗି । ତମେ ହସ । ହସ ତରୁ । ମୁଁ ତମକୁ ହତ୍ୟା କରିଛି । ମୁଁ ଆକଣ୍ଠ ପାନ କରିଛି ତମରି ଛାତିର ରକ୍ତ ! ହାଃ, ହାଃ, ହାଃ, ହାଃ, ହାଃ, ହାଃ ।

 

ଜୟନ୍ତି ଠୋ ଠୋ ହସି ହସି ରାସ୍ତା ଉପରେ ଟଳି ଟଳି ଚାଲିଗଲା । ଭକୁଆଙ୍କ ଭଳି ପଛକୁ ଚାହିଁ ରହିଲା ଖାଲି ସଂଧ୍ୟା ।

 

–ନଅ–

 

ନିର୍ବୋଧଙ୍କ ଭଳି ସେ ଖାଲି ଚାହିଁ ରହିଥିଲା, ଆଉ ଆର ଜଣକ ଠୋ ଠୋ ହସି କିର୍‍କିର୍‍ ହସି ଲୋଟିଯାଉଥିଲା ଭୂଇଁରେ । କଥା ନାଇଁ, ବାର୍ତ୍ତା ନାଇଁ, ବାଧା ନାଇଁ, ବନ୍ଧନ ନାଇଁ, ଖାଲି ହସ ଆଉ ହସ । ସଞ୍ଜ ନଇଁ ଆସିଥିଲା । ଆକାଶରେ ଫୁଟିଥିଲା ପେନ୍ଥି ପେନ୍ଥି ତରାଫୁଲ, ଆଉ ଧରଣୀରେ ହସୁଥିଲା ନେନ୍ଥି ନେନ୍ଥି ମଲ୍ଲୀ କଳିକା । ମଳୟ ବହୁଥିଲା । ଧୀର ପବନରେ ପ୍ରସରି ଆସୁଥିଲା କିଶଳୟ ଆଉ ବଉଳର ଗନ୍ଧ ।

 

ତଥାପି ତା’ ହସ ବନ୍ଦ ହେଲାନି । ସେଠି ଆଶ୍ଚର୍ଯ୍ୟ ହେଇ ଚାହିଁଥିଲା ତରୁଣୀ ଆଉ ଏଠି ସ୍ତବ୍‍ଧ ହେଇ ଅନେଇ ରହିଲା ତରୁଣ । ଛଇଳି ବାଳା ଝରଣା ଭଳି ଛଳ ଛଳ ହେଇ ଝରି ପଡ଼ୁଥିଲା ଗିରି କନ୍ଦରରୁ । ସହସ୍ର ମୁକ୍ତା ଯେମିତି ଛିଞ୍ଚାଡ଼ି ହେଇ ପଡ଼ୁଥିଲା ପ୍ରତି ପଲକରେ । ତରୁଣ ଆଉ ସ୍ଥିର ହୋଇ ପାରିଲା ନାହିଁ । ତୁଣ୍ଡ ଖୋଲିଲା—କ୍ଷମା କରିଦେ ଅରୁଣାଦେବୀ । ଆପଣଙ୍କର ଏ ହସ ମୋ ପ୍ରାଣରେ ଶାନ୍ତି ଆଣି ପାରୁ ନାହିଁ, ବରଂ ସଂଚାର କରୁଛି ଭୀତି ଆଉ ପ୍ରଳୟ ।

 

ପ୍ରଳୟ ? ଏ ମଳୟବେଳେ ପ୍ରଳୟର ସ୍ୱପ୍ନ କାହିଁକି କଲ୍ୟାଣ ? ବିଜ୍ଞାନ ଆଜି ଖାଲି ଧ୍ୱଂସ ମୁଖରେ ଚାଲିଛି କିନା, ତମେ ସୃଷ୍ଟି ବେଳେ ଧ୍ୱଂସର କଳ୍ପନା କରିବା ସ୍ୱାଭାବିକ ।

 

କିନ୍ତୁ ଧ୍ୱଂସ କ’ଣ ତା’ର ହେଇ ନାଇଁ ? ଏତେବଡ଼ ସୁକୁମାର କଅଁଳ ଜୀବନ, ଫୁଲର ପରଶ ଯିଏ ସହି ନଥିଲା......

 

ପଥରର ଭାରା ତା’ ଛାତି ଉପରେ ନଦି ଦିଆଗଲା, ଏଇତ ? କିନ୍ତୁ ପଥର ଠେଲି ଯିଏ ଉପରକୁ ଉଠି ନପାରେ, ପଥର ତଳେ ଚପା ଖାଇ ତା’ର ଯେ ମରିଯିବା ଉଚିତ ୟା’ କ’ଣ ତମେ ଅସ୍ୱୀକାର କରିବ ?

 

କିନ୍ତୁ ସେ ନିରୀହା, ନିରପରାଧିନୀ । ଆପଣ ଜାଣି ଜାଣି ତା’ ଛାତିରେ ପଥର ନଦି ଦେବେ ଆଉ ସେ ଉଠି ନପାରିଲେ କହିବେ ଭୀରୁ !

 

ଦେଖ ମଦଦୋକାନର ସାକ୍ଷୀ ଅନ୍ୟ କିଏ ଦିଏ ସିନା, ଶୁଣ୍ଢି ଦେଲେ ଚଳିବ କେମିତି ?

 

ଏଁ ! —ଚିତ୍କାର କରି ଉଠିଲା ତରୁଣ । କହିଲା—ତା’ ମାନେ ? ତା’ ମାନେ ଆପଣ କହୁଛନ୍ତି ଏଠି ସତେ ସତେ ମଦ ଅଛି ? କଳଙ୍କ ଅଛି ?

 

ପୁଣି ଠୋ ଠୋ ହସି ଉଠିଲା ତରୁଣୀ । କହିଲା—ନିଶ୍ଚେ ଅଛି । ଅଉଲରୁ ଆଖର ଯାଏ କଳଙ୍କ । ମୂଳରୁ ଚୂଳ ଯାଏ ମଦ । ତା’ ନ ହେଲେ ଦିନ ନାଇଁ ରାତି ନାଇଁ, ବେଳ ନାଇଁ ଅବେଳ ନାଇଁ ସବୁବେଳେ ଖାଲି ବେଗ୍‍ଟା ହଲେଇ ଭାଇ ପଛେ ପଛେ ଫଟ ଫଟ ଫଟ ଫଟ.....

 

ଅରୁଣା ! ଅରୁଣା ! —ଡାକି ଡାକି କୋଠା ଉପରକୁ ଉଠି ଆସିଲେ ପରାଶର । ପଛରେ ତରୁ । ଅତି ମନୋରମ ବେଶରେ ସଜ୍ଜିତ । ହାତରେ ଭ୍ୟାନଟି ବ୍ୟାଗ୍ । ପରାଶର କହିଲେ–ଆରେ ତମେ ଏଇଠି ଅଛି, ମୁଁ ତେଣେ ଖୋଜି ଖୋଜି ଥକିଲିଣି । କିରେ କଲ୍ୟାଣ, ତୁ ଏଇଠି-?

 

ହଁ ସାର୍, ଏମିତି ଟିକିଏ......

 

ବେଶ୍ ବେଶ୍‍, ବସି ବସି ଗପକର । ମୁଁ ଟିକିଏ ଆସେ ଅରୁଣା, ଟାଉନରୁ । ଆଜି କେରଳ ଆସୋସିଏସନ୍‍ର ଗୋଟାଏ ଆନୁଆଲ୍‍ ଫଙ୍କ୍‍ସନ୍, ମୋର ଖିଆଲ ନଥିଲା । ମନେ ପକେଇ ଦେଲା ତରୁ । ଆମେ ଆସୁ । ବେଶୀ ରାତି ହବନି ବୋଧେ ।

 

ନା ବେଶୀ ରାତି କରିବନି । ମୁଣ୍ଡ ଧରିବ ପୁଣି । କିଲୋ ତରୁ, ଏଇ ଶାଢ଼ି ପିନ୍ଧି ଯିବୁ ? ନା, ନା, ମୋ ରାଣ, ମୋ ମୁଣ୍ଡ ଖାଉ, ଯା’ ମୋ ଗ୍ରୀନ କର୍ଜ୍ଜେଟ୍ଟା ପିନ୍ଧି ଯିବୁ । କେତେ ଲୋକ ଆସିଥିବେ, କ’ଣ କହିବେ ?

 

ମତେ ପରୀକ୍ଷା କରୁଛ ଭାଉଜ ? ସମ୍ବଲପୁରୀ ଛାଡ଼ି ପିନ୍ଧିବି ଜରଜେଟ୍ ? ତା’ହେଲେ ତ ତମେ ମଲେ ଆଉ ଓଡ଼ିଆଣୀ ଭଳି କାନ୍ଦିବି ନାହିଁ, କାନ୍ଦିବି ମେମ୍‍ଭଳି ।

 

ହସି ଉଠିଲା ଅରୁଣା । କହିଲା—ମଲା, ତୁ ଖାଲି ମୋ ମରଣକୁ ଚାହିଁଛୁ ?

Unknown

 

ସତେଲୋ ଭାଉଜ, ତମେ ମଲେନା ମୁଁ କାନ୍ଦିବି—oh my dear, my darling, my beloved ଭାଉଜ , what a fine lady you were…

 

ସମସ୍ତେ ହୋ ହୋ ହସି ଉଠିଲେ । ଅରୁଣା ଦୁଲ୍‍ଦୁଲ୍‍ କଷିଲା ବିଧା—ତୁ ଆଗ ମରିବୁଲୋ, ତୁ ଆଗ ମରିବୁ । ....ହସି ହସି ପରାଶର ଓହ୍ଲେଇଗଲେ ତଳକୁ । ଫେଁ ଫେଁ ହସି ପଛେ ପଛେ ଗଲା ତରୁ ।

 

ହସର ଲୁହର ବହୁବେଳଯାଏ ଛୁଟିଗଲା ଅରୁଣା ମୁହଁରେ । କ୍ରମେ ବନ୍ଦ ହୋଇଆସିଲା, ତଥାପି ବେଳେବେଳେ ଆପେ ଆପେ ଓଠ କଣରେ ଫୁଟି ଉଠିଲା ମୁରୁକି ହସ । ଯେମିତି ଶାନ୍ତି ଆଉ ତୃପ୍ତିରେ ତା’ ପ୍ରାଣ ଭରପୁର ହେଇଉଠିଛି । କଲ୍ୟାଣ କିନ୍ତୁ ଗମ୍ଭୀର । ସେ ସ୍ତମ୍ଭୀଭୂତ ହେଇ ଖାଲି ଅରୁଣାକୁ ଚାହିଁଲା । ଆଶ୍ଚର୍ଯ୍ୟ ଏ ନାରୀ । ଏଇ ବର୍ତ୍ତମାନ କହୁଥିଲା— ‘ଅଉଳରୁ ଆଖର ଯାଏ କଳଙ୍କ’ ଆଉ ବର୍ତ୍ତମାନ ହସି ହସି ଗଡ଼ି ଯାଉଛି । ବ୍ୟାଗ୍‍ ହଲେଇ ଚପଲ ପିନ୍ଧି ବେଣୀ ଝୁଲେଇ ଫଟ ଫଟ ଚାଲିଗଲେ ଯା’ ଛାତିରେ କୁନ୍ତ ବିଦ୍ଧ ହେଲା ଭଳି ଲାଗୁଥିଲା, ସେ ପୁଣି ଏତେ ସ୍ନେହରେ ଏତେ ଅଲିଅଳରେ ପିଠି ଥାପୁଡ଼େଇ କହୁଛି ତା’ର ଦାମିକା ଶାଢ଼ି ପିନ୍ଧି ଯିବାକୁ । ନା ସେ ଭୁଲ କରିଛି, ଭୁଲ୍‍ ବୁଝିଛି । ସାରା ସୃଷ୍ଟି ତରୁକୁ କଳଙ୍କିନୀ କହିଲେ ସୁଦ୍ଧା ଅରୁଣା କେବେ ତା’କହିବ ନାହିଁ । ଅରୁଣା ଜାଣେ ତରୁ ଶୁଭ୍ର । ଅରୁଣା ତରକୁ ବୁକୁ ତଳରେ କଲିଜାଠାରୁ ବେଶୀ ଭଲପାଏ—ଭଲପାଏ ଯଶୋମତୀ ଯେମିତି ଭଲ ପାଇଥିଲେ କୃଷ୍ଣଙ୍କୁ ।

 

ତଥାପି ମୁଁ କହିବି କଲ୍ୟାଣି, ଆମ୍ବଗଛ ରୋପିଲେ ସେଥିରେ କେବେ ଶିମ୍ବ ଫଳେ ନାହିଁ-

 

ତା’ମାନେ ?

 

ମାନେ ଜାନକୀ ଲଙ୍କା ପୁରୀରେ ଥାଇଁ ବି ଅସତୀ ହୁଏନା, ଆଶ୍ରମରେ; ଏକାକୀ ଥାଇଁ ଅହଲ୍ୟା ଦୋଚାରୁଣୀ ।

 

ଏଁ, ଆପଣ ପୁଣି ୟା’ କହୁଛନ୍ତି ? —ଆଶ୍ଚର୍ଯ୍ୟ ହେଇ କଲ୍ୟାଣ ଚାହିଁଲା ।

 

କିଛି ଭୁଲ କହୁନାହିଁ ତ । ମଣି ମଣି, କାଚ କାଚ । ଯେତେ ମାଜିମୁଜି ଚିକ୍‍ଣ କଲେ କାଚ ଆଉ ମଣି ହବ ? ଅଙ୍ଗାର ଚିରଦିନ ଅଙ୍ଗାର ?

 

ଏଁ, ଆପଣ ତା’ ବିଶ୍ୱାସ କରନ୍ତି ?

 

ଅବିଶ୍ୱାସ କରିବାରେ କାରଣ ତ କିଛି ନାହିଁ । ନିର୍ଜନରେ ନିରୋଳାରେ, ଅବାଧରେ ତରୁଣ ତରୁଣୀ । ଘଣ୍ଟା ଘଣ୍ଟାଧରି ଯୁଗ ଯୁଗ ଧରି କଥାଭାଷା, ହସ ଖେଳ, ଆଳାପ ଆଲୋଚନା, ସ୍ନେହପ୍ରୀତି । ଜଣେ ଭାଇ ଭାଇ ହେଇ ପାଗଳିନୀ, ଆଉ ଜଣେ ତରୁ ତରୁ ଚିତ୍କାର କରି ସୃଷ୍ଟି ଫଟଉଛି । ଆଜି ଭାଇଜାଗ୍, କାଲି ସୁନ୍ଦରଗଡ଼, ପହର ଦିନ ଶାନ୍ତିନିକେତନ—ଏକା ସାଙ୍ଗେ ଏକା ଗାଡ଼ିରେ ଭ୍ରମଣ, ଭୋଜନ, ହସ, ଆନନ୍ଦ, ପ୍ରୀତି—ଏଥିରେ ଯଦି କିଏ ସନ୍ଦେହ କଲା, କିଏ ଯୋଡ଼ିଲା କାୟା ଆଉ ଧବର ସଂପର୍କ ବା କିଏ କଳ୍ପନା କଲା ପ୍ରେମିକ ଆଉ ପ୍ରେମିକାର ବାସର ରାତ୍ରି—ଅଭିସାର ରଜନୀ......

 

ଅରୁଣାଦେବୀ !! —ଚିତ୍କାର କରି ଉଠିଲା କଲ୍ୟାଣ—ବନ୍ଦ କରନ୍ତୁ ଆପଣ ! ମୁଁ ଆଉ ଶୁଣିବି ନାହିଁ, ଶୁଣି ପାରିବି ନାହିଁ । ମୁଁ କେବେ ବିଶ୍ୱାସ କରିବି ନାହିଁ, ଏଥିରେ ସତ୍ୟ ଅଛି ।

 

ଟାଉନ୍‍ର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ଯାଏ ଆବାଳବୃଦ୍ଧବନିତା ସବୁରି ମୁଖରେ ଯୋଉ କଥା, ଯୋଉ ନିନ୍ଦା, ଯୋଉ ଅପବାଦ ଆଉ କଳଙ୍କର ଡିବି ଡିବି ନାଗରୀ, ତା’କୁ ଯଦି ତମେ ଶୁଣିବ ନାହିଁ ବୋଲି କାନ ଉପରେ ହାତ ଦେଇ ବନ୍ଦ କର ଏବଂ ନିର୍ଜନ ଘର ଭିତରେ କବାଟ କିଳି କଣ୍ଠ ଫଟାଇ ଚିତ୍କାର କର—ନା ସବୁ ମିଥ୍ୟା ସବୁ ମିଥ୍ୟା, ତା’ହେଲେ ମୁଁ ତମକୁ କାଙ୍କେ ଟିକେଟ କାଟିବାକୁ ଉପଦେଶ ଦେବି ସିନା, ସଭା ଆଉ ପ୍ରକୃତିସ୍ଥ ମଣିଷ ଭିତରେ ଗଣିବି କେମିତି ?

 

ତଥାପି ମୁଁ କହିବି ବୋଉଜୀଙ୍କ ବିରୁଦ୍ଧରେ ଏ ଗୋଟାଏ ବିରାଟ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ।

 

କାହିଁକି, ବୋଉଦି କାହାର ଶତ୍ରୁ ?

 

ଜୟନ୍ତ ଦାଦାଙ୍କର ।

 

ମୋଟେ ନୁହେଁ । ଜୟନ୍ତି ଯୋଉ ବାଟରେ ଯାଏ, ତରୁ କେବେ ଭୁଲରେ ଦିନେ ସେ ବାଟରେ କଣ୍ଟା ପୋତି ନାହିଁ । ଜୟନ୍ତି ମଦ ଖାଏ; ବେଶ୍ୟା ଘରକୁ ଯାଏ; ନାରୀ ନେଈ ଦିନ ଦିପହରେ ଥେଇ ଥେଇ ନାଚେ । କିନ୍ତୁ ତରୁ କ’ଣ କେବେ ସେଥିରେ ବାଧା ଦେଇଛି । ? ନିର୍ମମ ହେଇଛି ?

 

କିନ୍ତୁ ତଥାପି ଜୟନ୍ତ ଦାଦା ଭୟ କରନ୍ତି ।

 

ହଁ ଭୟ କରନ୍ତି । ତରୁର ଯେଉଁ ବ୍ୟକ୍ତିତ୍ୱ—ତା’ ମୁହଁରେ ଯେଉଁ ଆଲୌକିକ ଦୀପ୍ତି, ଅମୃତମୟ ମାଧୁରିମା—ସେଥିରେ ଯେ କୌଣସି ଲୋକ ତା’କୁ ଭୟ କରିବ । ତା’କୁ ତ ଭୟକରେ ମୁଁ । ଭୟକରନ୍ତି ଇଭନ୍ତମ ସାର । କିନ୍ତୁ ତା ବୋଲି ସେ ତ ଜୟନ୍ତର କିଛି କ୍ଷତି କରିନି । ଜୟନ୍ତ ଶତ୍ରୁ ହେବ କାହିଁକି ?

 

ଜୟନ୍ତ ଦାଦାଙ୍କର ସେ ଉପକାର କରିଛନ୍ତି, ସେଥିପାଇଁ ଶତ୍ରୁ ?

 

ତା’ଅର୍ଥ ?

 

ଅର୍ଥ ମୂଷା ଆଉ ଋଷିଙ୍କ କଥା । ମୂଷା ସିଂହ ହେଇ ଯେତେ ଦୁର୍ଦ୍ଦାନ୍ତ ହେଲେ ବି ଋଷିଥିବା ପର୍ଯ୍ୟନ୍ତ ସେ ମୁଣ୍ଡ ଟେକି ପାରିବ ନାହିଁ, ସେଥିପାଇଁ ଋଷିଙ୍କୁ ଆଗ ଶେଷ କରିଦେବା ଦରକାର ।

 

ସତେ ?

 

ହଁ ଠିକ୍‍ ସେଇଆ । ଏ ଜଗତରେ ଭଲର ସ୍ଥାନ ନାହିଁ । ଯାହାଙ୍କର ନିର୍ମଳ ମନ ଓ ଉଦାର ହୃଦୟର ସୁଯୋଗ ନେଇ ଜୟନ୍ତ ବାବୁ ଆଗେଇ ଗଲେ ଏତେଦୂର, ଶେଷରେ ଭସ୍ମାସୁର ଭଳି ଆସିଲେ ତା’କୁ ହିଁ ଧ୍ୱଂସ କରିବାକୁ ।

 

ଭସ୍ମାସୁର ! ହେଁ ହେଁ ହେଁ.....

 

ହସିଲେ ଯେ—କଲ୍ୟାଣୀ ମଥା ଟେକି ଚାହିଁଲା ।

 

ଅରୁଣା ସେମିତି ଫେଁ ଫେଁ ହସି କହିଲା—କିଏ କାହାର ସୁଯୋଗ ନେଲା କିଏ କହିବ-? ତରୁର ଉଦାର ହୃଦୟରେ ସୁଯୋଗ ନେଲା କିଏ କହିବ ? ତରୁର ଉଦାର ହୃଦୟର ସୁଯୋଗ ନେଇ ଜୟନ୍ତି ସାଜିଲା ବିଶ୍ୱପ୍ରେମିକ—ଉନ୍ମତ୍ତ ହେଲା ସୁରା ଓ ସାକୀରେ ନା ଜୟନ୍ତିର ଉଦାସୀନତା ଓ ଅତି ବିଶ୍ୱାସର ସୁଯୋଗ ନେଇ ତରୁ ହେଲା ଉତ୍‍ଶୃଙ୍ଖଳ—ଜୟନ୍ତର ସର୍ବନାଶ କରି, ଜୟନ୍ତ ମୁହଁରେ ଗରଳ ଢାଳି ଏଣେ ହେଲା ଅପରର ଅଙ୍କଶାୟନୀ......

 

ଆଃ ଅରୁଣା ଦେବି ! ଅରୁଣା ଦେବି ! ଆପଣ ଏହା କହୁଛନ୍ତି ? ଏହା କହି ପାରୁଛନ୍ତି ? ଚିତ୍କାର କରି ଉଠିଲା କଲ୍ୟାଣ ।

 

ଭୁଲ୍‍ ମୁଁ ମୋଟେ କହୁ ନାହିଁ । ବରଂ ତମ ଭଳି ଭାବପ୍ରବଣ ଲୋକ ଆମରେ କୋହଳେଇ କହୁଛି କଥାଟା । ଜୟନ୍ତି ବିଚ୍‍ ବଜାରରେ, ବିଚ୍‍ ଦାଣ୍ଡରେ ଡାକି ବଜେଇ ମଦ ଖାଇଲା, ମାତାଲ ହେଲା, ଗଣ୍ଡା ଗଣ୍ଡା ନାରୀ ନେଇ ଗଡ଼ିଲା—ସେଇଟା ବେଶୀ ମାରାତ୍ମକ ନା ତରୁ ଲୁଚି ଲୁଚି ଛପି ଛପି ପରଦା ଅନ୍ତରାଳରରେ ଲୋକଲୋଚନ ଅଗୋଚରରେ ଏକ ନିର୍ଦ୍ଦିଷ୍ଟ ତରୁଣ କୋଳରେ ଢଳି ପଡ଼ିଲା....

 

ଇସ୍‍ ଭଗବାନ ! ଭଗବାନ ! ୟା’ ପୁଣି ଶୁଣିବାକୁ ହେଲା ? .... ମତେ କ୍ଷମା କରିବେ ଅରୁଣା ଦେବି, ମୁଁ ଭାବିଥିଲି ଆପଣ ବୋଉଦିଙ୍କୁ ଚିହ୍ନିଛନ୍ତି, ଆପଣ ବୋଉଦିଙ୍କୁ ଭଲ ପାଆନ୍ତି ମା’ ପେଟର ଭଉଣୀ ଭଳି, ନିଜ ପେଟର ଝିଅ ଭଳି, କିନ୍ତୁ ଦେଖୁଛି ଆପଣ ତା’ଙ୍କୁ ମୋଟେ ଚୀହ୍ନିଇ ନାହାନ୍ତି । ଦୁନିଆରେ ଶହ ଶହ ଅଗା ବଗା ଖଗାଙ୍କର ଭଳି ଆପଣ ବି ତାଙ୍କୁ ଭାବନ୍ତି ଏକ ସାମାନ୍ୟ ନାରୀ—ରକ୍ତ ମାଂସର ନାରୀ । ଆପଣ ଭାବନ୍ତି ବୋଉଦି ମୋର କଳା ! ବୋଉଦି ଦୁର୍ବଳ-! ବୋଉଦି ମୋର ଚରିତ୍ରହୀନ !! ଇସ୍......

 

କଲ୍ୟାଣ !

 

ନା ମୁଁ ଆଉ କିଛି ଶୁଣିବି ନାହିଁ । ମୁଁ ଆଉ ମୁହୂର୍ତ୍ତେ ରହିପାରିବି ନାଇଁ ଏଠି । ଯୋଉଠି ମାଆ ଲକ୍ଷ୍ମୀ ମାଆ ସରସ୍ୱତୀ ମାଆ ଅନ୍ନପୂର୍ଣ୍ଣାଙ୍କ ଦେହରେ ସମସ୍ତେ ବୋଳନ୍ତି କାଦୁଅର ଛିଟା, କଳୁଷର ପଙ୍କ, ଯୋଉଠି ସମସ୍ତେ ମିଳି ତଣ୍ଟି ଚିପି ଦିଅନ୍ତି ସତର, ନ୍ୟାୟର ସୌନ୍ଦର୍ଯ୍ୟର, ଯୋଉଠି ତପସ୍ୟାରତ ସମାଧିମଗ୍ନା ଗୌରୀଙ୍କୁ ସମସ୍ତେ କହନ୍ତି ହୀନ ବ୍ୟଭିଚାରିଣୀ, ସେଠି ମଣିଷ ନାହାନ୍ତିଁ, ସେଠି ସମସ୍ତେ ପଶୁ ! ପଶୁ ! ରାକ୍ଷସ !! ସେଠି ମୁହୂର୍ତ୍ତେ ରହିବାର ନୁହେଁ, ମୁହୂର୍ତ୍ତେ ରହିବାର ନୁହେଁ–କଲ୍ୟାଣ ଉଠି ଦ୍ରୁତ ବେଗରେ ଚାଲି ଯାଇଥିଲା, ଅରୁଣା ଆସି ଧଇଲା ହାତ–ଶୁଣ, ବସ, ଅସ୍ଥିର ହୁଅ ନାହିଁ ।

 

କଲ୍ୟାଣ ଅରୁଣା ମୁହଁକୁ ଚାହିଁଲା—ଏଁ ! ....ବିଶ୍ୱାସ ହେଲାନାହିଁ, ପୁଣି ଥରେ ଚାହିଁଲା, ଆହୁରି ଥରେ ଚାହିଁଲା—ଏଁ ଆପଣଙ୍କ ଆଖିରେ ଲୁହ ? ଆପଣ କାନ୍ଦୁଛନ୍ତି ?

 

କଲ୍ୟାଣ !

 

ଆରେ ବଡ଼ ଅଦ୍ଭୁତ ଆପଣ । ଅନ୍ୟକୁ ଆଘାତ ଦେଇ ଆପଣ କାନ୍ଦିବେ ? ଓ ବୁଝିଲି ଆପଣଙ୍କ ସ୍ୱାମୀଙ୍କ ପବିତ୍ର ଅଙ୍ଗରେ ଯେତେବେଳେ କାଳିମା ଲେପିଛି ଏଇ ଦୁଶ୍ଚରିତ୍ରା.....

 

ଆଃ କଲ୍ୟାଣ, କଟା ଘା’ରେ ଚୂନ ବୋଳନାଇଁ !

 

କାହିଁକି ସେ କ’ଣ ଦୁଶ୍ଚରିତ୍ରା ନୁହେଁ ? ଦୂଷିତା ନୁହେଁ ? ଆଶୀର୍ବାଦ କର, ଇଶ୍ୱରଙ୍କୁ ଡାକ, ସେ ମରୁ । ସେ ସଢ଼ୁ, ପଚୁ, ମିଳେଇଯାଉ, ଖିନ୍‍ଖିନ୍ ହୋଇଯାଉ ତା’ ଶବ....

 

ଆଃ କଲ୍ୟାଣ ! କଲ୍ୟାଣ । ଚୁପକର କଲ୍ୟାଣ । ତମେ ଜାଣନା ତମେ କ’ଣ କହୁଛ । ତମେ ଜାଣନା ତରୁ ମୋର କିଏ ? ତରୁ ମୋର କ’ଣ ? ତରୁ ମୋର କେଉଁ ଆକାଶର ଚାନ୍ଦ ?

 

କଳ୍ୟାଣ ସ୍ତବ୍‍ଧ ହେଇ ଚାହିଁଲା ।

 

କେବେ ଭାବନାହିଁ ଯେ ତମେ ଏକା ତରୁକୁ ଭଲପାଏ ଆଉ କେହି ତରୁକୁ ଭଲପାଏନା-। ତରୁ କେବଳ ତମର ନୁହେଁ, ତରୁ ମାଟିର ନୁହେଁ, ତରୁ ଧରଣୀର ନୁହେଁ, ତରୁ ବିଶ୍ୱର-!!

 

ଅରୁଣା ଦେବି !

 

ତମେ ତା’ ପାଇଁ ବ୍ୟସ୍ତ ଆଉ ବିକଳ, କାରଣ ତମେ ତରୁକୁ ଭଲପାଏ । ଆଉ ମୁଁ ତା’ପାଇଁ ଉଦବେଳ ଆଉ ଉତ୍‍ଫୁଲ୍ଲ, କାରଣ ମୁଁ ତରୁକୁ ଭଲପାଏ । ତମେ ଚାହିଁ ଡାଆଣୀ ଡରେ ମା’ ଛୁଆାକୁ ଲୁଚେଇ ରଖିଲା ଭଳି କାନି ପଣତରେ ତା’କୁ ଅହରହ ଲୁଚେଇ ରଖିବ । ଆଉ ମୁଁ ଚାହେଁ କୁମ୍ଭୀର ତୋଡ଼ ମୁହଁରେ ନେଇ ନିଜ ଛୁଆଙ୍କୁ ଫିଙ୍ଗି ଦେଲା ଭଳି ମୁଁ ତା’କୁ ବିପଦର ଗଭୀର ଆବର୍ତ୍ତ ଭିତରକୁ ଠେଲିନେବି ଏବଂ ଦୂରରେ ବସି ବସି ହସି ହସି ଦେଖିବି ସେ କେମିତି କି କୌଶଳରେ କି ବୁଦ୍ଧିମତ୍ତାରେ କି ଧୈର୍ଯ୍ୟର ସହ ସେ ଆବର୍ତ୍ତର କରାଳ ଗହ୍ୱରରୁ ଉଦ୍ଧରି ଆସିବ ।

 

ଅରୁଣା ଦେବି !!

 

ମୁଁ ଜାଣେ କାଦୁଅ ମେଞ୍ଚାଏ ନୁହେଁ । ସେ ଗୋଟାଏ ହୀନ ପଶୁ ନୁହେଁ । ସେ ଏକ ଆଲୋକଶିଖା, ସେ ଗୋଟାଏ ଘୁର୍ଣ୍ଣିବାୟୁ, ସେ ଆକାଶର ଦାମିନୀ, ସେ ଅନନ୍ତ ମଙ୍ଗଳମୟ ଭଗବାନଙ୍କର ଏକ କ୍ଷୁଦ୍ରଦୀପ୍ତି, ଜ୍ୟୋତି, ଝଲକ । ମାଟିର କୌଣସି ପଙ୍କ ତା’କୁ ଛୁଇଁନାଇଁ, ଛୁଇଁ ପାରିବ ନାଇଁ ।

 

କିନ୍ତୁ ଆପଣ ଯେ ବର୍ତ୍ତମାନ କହିଲେ ସେ କଳଙ୍କିନୀ......

 

ମୁଁ କହିଲି ନୁହେଁ, ଦୁନିଆ ଯାହା କହୁଛି, ସେଇଆ ଖାଲି ମୁଁ ପ୍ରକାଶ କଲି । ଏ ହୋ ହୋ ଧୋ ଧୋ ଦୁନିଆ । ଏଠି ସୁଷ୍ମ ଭାବର ବିଚାର ନାହିଁ, ବିକାଶ ନାହିଁ । ଜଣେ ତରୁଣ ଆଉ ତରୁଣୀ ଭିତରେ ଯେ ଏକ ନିର୍ମଳ ଓ ପୁଣ୍ୟ ପ୍ରେମର ସଂଚାର ହେଇପାରେ, ଏକ ଅନନ୍ତ ଅନ୍ତଃସଲିଳା ଫଲ୍‍ଗୁର ଧାରା ବହିପାରେ, ଦେହକୁ ଛାଡ଼ି ଦୁଇଟା ଆତ୍ମା ଯେ ଏକ ଓ ଅଭିନ୍ନ, ଦୁହେଁ ଯେ ଏକ ପରମାତ୍ମାଙ୍କର ସନ୍ତାନ, ପିତାଙ୍କ ଚରଣ ତଳେ ବସି ଏକ ସଙ୍ଗରେ ନିଶ୍ଚୟ ଅଛି ଏବଂ ତାହା ଅସୁନ୍ଦର ନୁହେଁ, ବରଂ ସୁନ୍ଦର ଓ ସୁଷମାମୟ—ଏହା କାହିଁକି ଏ ନିଷ୍ଠୁର ଦୁନିଆ, ଅନ୍ଧ ଦୁନିଆ ବୁଝେନା, ମୁଁ କହିପାରିବି ନାହିଁ ।

 

କାରଣ ମଣିଷର ସବୁବେଳେ ଭୟହୁଏ ପାଦ ଖସିଯିବ ।

 

ପାଦ ଖସେ ପଶୁର, ଦେବତାର ନୁହେଁ । ଏଇ ମଣିଷ ଯୋଉ ସ୍ତରରେ ପଶୁ, ସିଏ ଅଲଗା କଥା । କିନ୍ତୁ ଯେତେବେଳେ ସେ ପଶୁରୁ ଉଠି, ମନୁଷ୍ୟରୁ ଉଠି, ଏଇ ଧୂଳିମାଟିର ଦୁନିଆ ଛାଡ଼ି ଆକାଶର ବହୁ ଉଚ୍ଚରେ, ଯେତେବେଳେ ସିଏ ମନୁଷ୍ୟ, କୀଟ, ପତଙ୍ଗ, କାଷ୍ଠ, ପାଷାଣ ସବୁରି ଭିତରେ ଇଶ୍ୱରଙ୍କ ସତ୍ତା ଅନୁଭବ କରୁଛି, ଯେତେବେଳେ ତା’ଆଖିରେ ସାରା ବିଶ୍ୱ ଇଶ୍ୱରମୟ, ସେ ନିଜେ ଇଶ୍ୱର, ସେତେବେଳେ ପତନର ଭୟ କାହିଁ ?

 

ସେତେବେଳେ ଚତୁର୍ଦ୍ଦିଗରେ ଖାଲି ଅନନ୍ତ ପ୍ରେମର ପ୍ରବାହ, ପ୍ରେମର ଧାରା, ପ୍ରେମର ଉତ୍‍ଥଳ ଉତ୍ତରଳ ଗତି, କାମର ନାମଗଦ୍ଧ ନାହିଁ ।

 

ହଁ ତା ସତ । ନିଶ୍ଚୟ ସତ ।

 

ତା’ ଛଡ଼ା ଏ ଅନ୍ଧ ଦୁନିଆ ବୁଝେନା, ଖରାପ ସଂପର୍କ ହୁଏ କାହା ଭିତରେ ? ଯୋଉମାନେ ପରସ୍ପରକୁ ଭଲ ପାଆନ୍ତି ନାଇଁ ସେଇମାନେ କେବଳ ଆବଦ୍ଧ ହୁଅନ୍ତି କାମପାଶରେ । କଳାକାର ସୁନ୍ଦର କିଶଳୟର ଶୋଭା ଓ ସୁଷମା ଉପଭୋଗ କରେ । କବି ଭୀରୁ ଯୂଥିକାର ଭୀରୁ ଚାହାଁଣୀ ଦେଖି ବିଭୋର ହୁଏ—ଛିଣ୍ଡେଇ ଆଣି ପାଷଣ୍ଡ ଭଳି ପାଦରେ ଦଳିଦିଏନା । ସତ୍ୟ ଶିବ ସୁନ୍ଦରର ପୂଜାରୀ ସିଏ—କବି, କଳାକାର, ଶିଳ୍ପୀ, ପ୍ରେମିକ, ଭକ୍ତ, ସନ୍ୟାସୀ ସମସ୍ତେ । ସିଏ କ’ଣ ଅନ୍ୟର ଅମଙ୍ଗଳ ଅକଲ୍ୟାଣ କେବେ କରିପାରେ ? ବିଶେଷତଃ ତାହାର ଅମଙ୍ଗଳ ଯାହାକୁ ସିଏ ଅନ୍ତରର ଅଶ୍ରୁ ଦେଇ ଭଲ ପାଏ, ଯାହା ସହିତ ସିଏ ଅଚ୍ଛେଦ୍ୟ ନାଡ଼ିବନ୍ଧନରେ ବନ୍ଧା ।

 

ହାତ ଯୋଡ଼ୁଛି, ମୋତେ କ୍ଷମା କରିବେ, ମୋର ଧାରଣା ଥିଲା ଆପଣ ତରୁ ଦେବୀଙ୍କୁ.....

 

ପଶୁବୋଲି ଭାବୁଥିଲି ନା ? ନା ତରୁ ପଶୁ ନୁହେଁ । ତରୁ କଳଙ୍କିନୀ ନୁହେଁ । ମହାସତୀ ବୃନ୍ଦାଠାରୁ ଆହୁରି ସତୀ ତରୁ । ତରୁ ଶୁଭ୍ର, ସୁନ୍ଦର, ଉଜ୍ଜ୍ୱଳ, କୋମଳ, ପଦ୍ମଫୁଲ ।

 

–ଦଶ–

 

ପତିହାରୀ ପାଠାଗାର । ଡକ୍ଟର ସାହାଣି ମାନଗୋବିନ୍ଦଙ୍କ ସହିତ ବସି କଥା ହେଉଥିଲେ-। ମାନଗୋବିନ୍ଦ କହିଲେ—ସୁନ୍ଦର ! ଚମତ୍କାର !

 

ସାହାଣି କହିଲା—ମାନେ ?

 

ମାନେ ଏକ୍ସଲେଣ୍ଟ୍ !

 

ତା’ ମାନେ ?

 

ତା’ ମାନେ ? ........ହେଁ ହେଁ ହେଁ ।

 

ହସିଲେ ଯେ ?

 

ଆଚ୍ଛା, ଆପଣ କେବେ ବିଜିନେସ୍‍ କରିଛନ୍ତି ?

 

ବିଜିନେସ୍‍ ? କାହିଁକି ? —ସାହାଣି ପଚାରିଲା ।

 

ଆଚ୍ଛା ବିଜିନେସରେ ଯେ ଆଡ୍‍ଭଟାଇଜମେଣ୍ଟ କରାଯାଏ କାହିଁକି କୁହନ୍ତୁତ ?

 

କୌଣସି ପଦାର୍ଥର ପ୍ରକୃତ ରୂପ ଉନ୍ମୋଚନ କରିବା ତା’ର ଅନ୍ତର୍ନିହିତ ଶକ୍ତି ଓ ସୌନ୍ଦର୍ଯ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଦେବା ପାଇଁ ।

 

ସତେ, ଏଇ ଆପଣଙ୍କର ଧାରଣା ? ହାଃ, ହାଃ, ହାଃ ।

 

ଡକ୍ଟର ସାହାଣି ଟିକିଏ କ୍ଷୁବ୍‍ଧ ହେଲେ । କହିଲେ—ଆରେ ତଥାପି ହସୁଛନ୍ତି । କ’ଣ ଭୁଲ କହିଲି ?

 

ଭୁଲ୍ ? ନିଶ୍ଚୟ ଭୁଲ୍ ? ଯାହାର କିଛିମାତ୍ର ଅନ୍ତର୍ନିହିତ ଶକ୍ତି ଓ ସୌନ୍ଦର୍ଯ୍ୟ ନଥାଏ, କେବଳ ତାରି ହୁଏ ଆଡଭାଟାଇଜମେଣ୍ଟ—ତା’ରି ହୁଏ ଘରେ ଘରେ ଯଚେଇ । ପଚାମାଛକୁ ବିକିବାକୁ ତଣ୍ଟି ଫାଟିଯାଏ ଦୋକାନୀର, ତାଜା ମାଛ ପାଇଁ ପଦଟିଏ ବଚନ ଲୋଡ଼ା ହୁଏନା ।

 

କିନ୍ତୁ ସବୁ କ୍ଷେତ୍ରରେ କ’ଣ ଏଇଆ ?

 

ହଁ ସବୁ କ୍ଷେତ୍ରରେ କ’ଣ ଏଇଆ ?

 

ହଁ ସବୁ କ୍ଷେତ୍ରରେ । ଏଇ ଇଲେକ୍‍ସନ ଚାଲିଛି । ଏଥିରେ ଯୋଉ କର୍ମୀ ଯେତେ ଅପଦାର୍ଥ, ଅଯୋଗ୍ୟ ତା’ର ଜୟଜୟକାର ସେତେ ବେଶୀ । ସେ ସାଧୁ, ସଚୋଟ, ତ୍ୟାଗୀ, କର୍ମୀ, ବାଗ୍ନୀ—ବହୁ ବିଶେଷଣ ଦେଇ ଡାକବାଜି ଯନ୍ତ୍ର ଯାଇଁ ଘର ଘର କମ୍ପାଏ; ଯୋଉ ବହି ଭିତର ଫମ୍ପା, ଥରେ ବି ପଢ଼ିବାକୁ ଇଚ୍ଛା ହବନି, ତା’ର ଗେଟ୍ଅପ୍, ଡିଜାଇନ୍ ଅତି ସୁନ୍ଦର—ଚକ୍‍ଚକ୍; ଯୋଉ ପବ୍ଲିସର୍ସ ବେଶୀ ଠକ, ବେଶୀ ଲେଖକଙ୍କ ତଣ୍ଟି ଚିପେ, ତା କଥା ଭାରୀ କଅଁଳ—ଭାରୀ ମିଠା; ଯୋଉ ପ୍ରଫେସରଙ୍କର ଭିତରକୁ ଗହୀର ଚାଷ ନାହିଁ, ଖାଲି ଉପରେ ଉପରେ ଭାସୁଛନ୍ତି, ତାଙ୍କର ସୁଟ୍‍ ପେଣ୍ଟ୍, ଟା’ଇ ଭାରୀ କଡ଼ା—ସବୁବେଳେ ଟିପ୍‍ଟପ୍; ଯୋଉ ତରୁଣୀର ରୂପ ବୋଲି କିଛି ନାହିଁ, ଯାହାକୁ କେହି ଏ ଯାଏ କଣେଇ ଚାହିଁ ମୁରୁକି ହସା ଦେଲେ ନାହିଁ, ତା ମୁହଁରେ ବେଶୀ ପରସ୍ତ ପାଉଡ଼ର—ତା’ କେଶରେ ବେଶୀ ଚମ୍ପାଫୁଲ; ଯୋଉ ଅଫିସର ବେଶୀ ଲାଞ୍ଚ ନିଏ, ଚୋରିକରେ, ପକେଟ ଉଛୁଳାଏ, ସିଏ ଭାରି କଡ଼ା, ଭାରି ଷ୍ଟ୍ରିକ୍‍ଟ, ତା’ ଅଫିସରେ ମାଛି ପଡ଼ିଲେ ନବଖଣ୍ଡ ।

 

କିନ୍ତୁ........କିନ୍ତୁ...... ଅହସିଷ୍ଣୁ ହେଇ ଉଠିଲେ ଡକ୍ଟର ସାହାଣି—ଏ ଆପଣ କ’ଣ କହୁଛନ୍ତି ? କାହିଁକି କହୁଛନ୍ତି ? କ’ଣ ଆପଣଙ୍କର ଉଦ୍ଦେଶ୍ୟ ?

 

ବୁଝିଲେ ନାହିଁ ? ବୁଝି ପାରିଲେ ନାହିଁ ତଥାପି ? ସେହି ଫର୍ମୁଲାରେ ପକାନ୍ତୁ, ତା’ପରେ ନିଜେ ନିଜେ ବୁଝିପାରିବେ ।

 

ତା’ମାନେ ? —ଆଶ୍ଚର୍ଯ୍ୟ ହେଇ ବନ୍ଧୁ ଚାହିଁଲା ।

 

ତା’ମାନେ ? ଆହୁରି ତା’ ମାନେ ? ହେଁ ହେଁ ହେଁ, ହେଁ ହେଁ ହେଁ ।

 

ଓଃ, ବଡ଼ ଆଶ୍ଚର୍ଯ୍ୟ ଲୋକ ଆପଣ, କଥାଟା ଖୋଲା ଖୋଲି ନ କହି......

 

ମାନଗୋବିନ୍ଦ ଗମ୍ଭୀର ହେଇ ଆସିଲେ । କହିଲେ—ଖୋଲା ଖୋଲି କହିବାକୁ ମୋତେ ଡର ଲାଗୁଛି । କିନ୍ତୁ ଦୁଇରେ ଦୁଇ ମିଶେଇଲେ ଚାରି ହୁଏ, ତିନି ନୁହେଁ କି ପାଞ୍ଚ ନୁହେଁ ।

 

ତା’ଅର୍ଥ ?

 

ଅର୍ଥ କଥାଟା ଏକାବେଳେ ଖାଣ୍ଟି ନିରୋଳ ସତ । ଟିକିଏ ବୋଲି ମିଥ୍ୟା ନାହିଁ, ଅତିରଂଜନ ନାହିଁ ।

 

କ’ଣ ସେ କଥାଟା ? କ’ଣ ସେ ବିରାଟ ତଥ୍ୟ ?

 

A paradox. A strange contradiction.

 

ଓଡ଼ିଶାରୁ ପୁଣି ଇଂରେଜୀ ? ବଙ୍କେଇ ବଙ୍କେଇ କଥା କହିବାକୁ ଆପଣଙ୍କର କ’ଣ ଭଲ ଲାଗେ ?

 

ଆପଣ ଶୁଣି ‘କ୍ଷୁବ୍‍ଧ ହେବେ, ସେଇଥିପାଇଁ ମୁଁ ଇତସ୍ତତଃ ହେଉଛି, ତଥାପି ମୁଁ କହିବି । ମୁଁ ରଙ୍ଗ ଦେଇ କଥା କହିବା ଲୋକ ନୁହେଁ ।

 

I will call a spade a spade.

 

ବେଶ୍ କହନ୍ତୁ । ମୁଁ ଆଉ ପଦେ ବାଜେକଥା ଶୁଣିବି ନାହିଁ ।

 

କହିଛିତ—a great paraox ଉପରେ ସାଧୁ, ସୁନ୍ଦର, ନିର୍ମଳ ଆଉ ଭିତରେ ସହସ୍ର ମଳି, ଧୂଳି, ଅଳିଆ, ଆର୍ବଜନା........

 

ଏପରି ଔପନ୍ୟାସିକ ଠାଣିରେ ମଝିରୁ ଆରମ୍ଭ କରନ୍ତୁ ନାହିଁ । ପ୍ରଥମେ କହନ୍ତୁ ସେ ଲୋକଟା କିଏ ? କିଏ ଏପରି ଠକ—ବିରାଡ଼ି ବୈଷ୍ଣବ ?

 

ଯିଏ ଉପରେ କଅଁଳ କଥା କହି ଭିତରେ ଚେର କାଟେ, ଯିଏ ସମସ୍ତଙ୍କ ଆଖିରେ ଧୂଳି ଦିଏ ଦିନ ଦି’ପହରେ, ଯିଏ ଉପରେ ଗୈରିକବସନା ସନ୍ନ୍ୟାସିନୀ.....

 

ଠା’ଇକିନା ଚମକି ପଡ଼ିଲେ ଡକ୍ତର ସାହାଣି । କହିଲେ—ଆଃ ବନ୍ଦ କରନ୍ତୁ, ବନ୍ଦ କରନ୍ତୁ-। ମୁଁ ଜାଣେ ଆପଣ କାହା କଥା କହୁଛନ୍ତି ।

 

ତା’ କଥା ଆପଣ ସହି ପାରିବେ ନାହିଁ ମୁଁ ବି ଜାଣେ, କାରଣ ସହସ୍ରକଣା ମାଠିଆକୁ ଆପଣ ଆଜିଯାଏ ଟେକି ଧରିଛନ୍ତି ଦଢ଼ୁ ଆଉ ସୁନ୍ଦର କହି କହି ।

 

ସେ କ’ଣ ?

 

ସେଇ ଯଚେଇ ହବା—ଆଡ୍‍ଭାଟାଇଜମେଣ୍ଟ୍ । ଆପଣମାନେ ଗୋଟାଏ ଦଳ କରି ଧେଣ୍ଡୁରା ପିଟିଛନ୍ତି ସେ ସତୀ, ସାବିତ୍ରୀ, ଦମୟନ୍ତୀ, ଯଦିଓ ପ୍ରକୃତରେ ସେ.........

 

ଥାଉ, ବନ୍ଦ କରନ୍ତୁ, ଆପଣଙ୍କୁ ହାତ ଯୋଡ଼ୁଛି ।

 

ତଥାପି କହିବି ସେ ମାୟାବିନୀ, କୁହୁକିନୀ, କଳଙ୍କିନୀ, ଭ୍ରଷ୍ଟା !!

 

ଇସ୍‍ ବନ୍ଦ କରନ୍ତୁ, ବନ୍ଦ କରନ୍ତୁ, ସ୍ୱୟଂ ଭଗବାନ ଆସି କହିଲେ ବି ମୁଁ ତା’ ବିଶ୍ୱାସ କରିବି ନାହିଁ । ସେ ତା’ କେବେ ନୁହେଁ—କେବେ ନୁହେଁ ।

 

‘‘ସେ ନିଶ୍ଚୟ ସେଇଆ । ଏଥିରେ ତିଳେମାତ୍ର ଭୁଲ ନାହିଁ । ଭ୍ରଷ୍ଟା ! ଭ୍ରଷ୍ଟା !!’’ —କହି କହି ଘର ଭିତରକୁ ପଶି ଆସିଲା ତରୁ । ପଛରେ ଆଉ ଜଣେ ନାରୀ । ତରୁ କହିଲା—ଆପଣ ଏତିକି ବୁଝି ନାହାଁନ୍ତି କାହିଁକି ଡକ୍ଟର ସାହାଣି, ମାନଗୋବିନ୍ଦ ବାବୁ ସ୍ଥାନୀୟ ଲୋକ । ଜୟନ୍ତୀ ବାବୁଙ୍କ ବନ୍ଧୁ ଆଉ ସେଇ ସୁତ୍ରରେ ମୋର ଶୁଭକାଙ୍‍କ୍ଷୀ, ଶୁଭାନୁଧ୍ୟାୟୀ । ତାଙ୍କର ମୋ ବିଷୟରେ ଧାରଣ ଯେ ଯଥେଷ୍ଟ ନିର୍ଭୁଲ ଓ ଭ୍ରମଶୂନ୍ୟ ହେବ, ଏଥିରେ ତ ଅଣୁମାତ୍ର ସନ୍ଦେହ ନାହିଁ ।

 

ଆକାଶର ଗୋଟାଏ ବଜ୍ର ଯେମିତି ରଡ଼ ରଡ଼ ହେଇ ଛିଣ୍ଡି ପଡ଼ିଲା ମାନଗୋବିନ୍ଦ ମୁଣ୍ଡ ଉପରେ । ତଥାପି ସେ ନିଜକୁ ବଞ୍ଚାଇ ନେଇଥାନ୍ତି, ଯଦି ଗୋଟା ପରେ ଗୋଟା ନିଆଁ ହାନ୍ଦୋଳା ବୃଷ୍ଟି କରି ଲମ୍ପି ଦେଇ ନଥାନ୍ତେ କରାଳକାଳେ ମୂର୍ତ୍ତି ସୃଷ୍ଟି ସହାରିଣୀ ଭୈରବୀ କାଳୀ । ତରୁକୁ ପଛକୁ ଠେଲିଦେଇ ଅନ୍ୟ ନାରୀ ମୂର୍ତ୍ତିଟି ଡେଇଁ ପଡ଼ିଲା ଆଗକୁ । ଦୃପ୍ତ କଣ୍ଠରେ କହିଲା—କ୍ଷମା କରିବେ କୁରୁ କୁଳଶ୍ରେଷ୍ଠ ମାନଗୋବିନ୍ଦ ! ସହସ୍ର ଚକ୍ଷୁ ସମ୍ମୁଖରେ ଦ୍ରୌପଦୀଙ୍କି ଆଣି ଉଲଗ୍ନ କରିବାରେ ଆପଣଙ୍କର କି ଆନନ୍ଦ ।

 

ମାନଗୋବିନ୍ଦ ବାବୁ ରାମ କି ବିଷ୍ଣୁ କିଛି କହିଲେ ନାହିଁ ଚାହିଁ ରହିଲେ ଖାଲି ।

 

ମୋ କଥା ବୁଝିପାରିଲେ ନାହିଁ, ବୋଧେ ? ଘର କୋଣର କୂଳବୋହୂ, କୂଳର ଆଲୋକ ବଂଶର ଗୌରବ, ଜାତିର ସଂଭ୍ରମ ସୈରିନ୍ଧ୍ରୀ—ତାକୁ ଯଦି ରାଜ ଦରବାରରେ, ବିଶ୍ୱ ଦରାବରରେ ଲକ୍ଷ ଲୋକଙ୍କ ଆଖି ଆଗରେ ଆଣି ଦୁଃଶାସନ ହାତରେ ଉଲଗ୍ନ ନ କରାନ୍ତି—ନ ଦେଖାନ୍ତି ତାର ନଗ୍ନ ରୂପ, ନଗ୍ନ ଅଙ୍ଗ, ନଗ୍ନ ସୌନ୍ଦର୍ଯ୍ୟ, ତା’ ହେଲେ କେମିତି—କେମିତି ହେବେ ଆପଣ ବଡ଼—ଆପଣ ବିରାଟ—ଆପଣ ରାଜଚକ୍ରବର୍ତ୍ତୀ ?

 

ତଥାପି ମାନ ଗୋବିନ୍ଦ ନୀରବ ।

 

ତଥାପି ବୋଧେ ବୁଝିବେ ନାହିଁ ? କୋଉ ଯୁଗରେ କୋଉ କାଳରେ ପାଞ୍ଚାଳିକି ଦୁଃଶାସନ ଘଞ୍ଚୀକ ଥିଲା କେଜାଣି, କିନ୍ତୁ ଏ ଯୁଗରେ ଆପଣଙ୍କ ଭଳି ପୁରୁଷ—ଯୁବକମାନେ ଯେମିତି ହାଟରେ, ବାଟରେ, ଘାଟରେ, ସିନେମାରେ, ଟାଉନ୍‍ହଲରେ, ରଙ୍ଗମଞ୍ଚରେ ଖବର କାଗଜରେ, ପଦ ପଦକରେ, କଥା କଥାକରେ ପାଞ୍ଚାଳୀକି ଆଣି ଧର୍ଷଣ କରୁଛନ୍ତି, କର୍ଷଣ କରୁଛନ୍ତି, ନିର୍ଯ୍ୟାତନ କରୁଛନ୍ତି, ତା’ ବାସ୍ତାବିକ୍‍ କି ତୋଫା ! କି ଚମତ୍କାର ! କି ବୀରତ୍ୱର ପରିଚାୟକ !!

 

ମାନଗୋବିନ୍ଦଙ୍କ ମୁଣ୍ଡ ବୋଧେ ଛିଡ଼ି ପଡ଼ୁଥିଲା ଲଜ୍ଜାରେ । ତଥାପି ମୁଣ୍ଡ ଟେକି ଥରେ ଚାହିଁଲେ । ତା’ପରେ ଛାଏଁ ଛାଏଁ ନୋଇଁଲେ ମୁଣ୍ଡ ।

 

ଦୃପ୍ତା ଫଣିନୀ ଫୁତ୍କାର ତୋଳ ଦଂଶନ କରି ଚାଲିଛି—ବାସ୍ତବିକ୍ ଆପଣଙ୍କ ଚରଣରେ ଲକ୍ଷେବାର ପ୍ରଣାମ କରିବାକୁ ଇଚ୍ଛା ହୁଏ । ଆପଣ କି ବୀର ! ଗୋଟାଏ ନାରୀର ଅନୁପସ୍ଥିତିରେ, ଗୋଟାଏ ସରଳା କୋମଳା ଅବଳାର ଅବର୍ତ୍ତମାନରେ ଆପଣ ଯେପରି ତାର ଚୌଦ ପୁରୁଷ ଶ୍ରାଦ୍ଧ କରିଯାନ୍ତି—ତା’ର ନିନ୍ଦା, ତା’ର ଚର୍ଚ୍ଚା, ତା’ର କୁତ୍ସାରଟନା କରି କରି ବାୟୁମଣ୍ଡଳକୁ ଯେପରି ଭାରାକ୍ରାନ୍ତ କରି ଦିଅନ୍ତି, ଭାବିଲେ ଗର୍ବ ଗୌରବରେ ଛାତି ଫାଟିପଡ଼େ । ବାସ୍ତବିକ୍ ଆପଣଙ୍କର କି ଶୌର୍ଯ୍ୟ ! କି ବୀର୍ଯ୍ୟ ! କି ନିର୍ଲଜ ବାହାଦୁରି !!

 

ବୃକୋଦରର ତିନୋଟି ଗର୍ଜନ ସହି ପାରିଥିଲେ ମାନଗୋବିନ୍ଦଙ୍କର ମାନ ଚିରକାଳ ଅକ୍ଷୁର୍ଣ୍ଣ ରହିଥାନ୍ତା । କିନ୍ତୁ ସେ ସହି ପାରିଲେ ନାହିଁ, ଲମ୍ପ ଦେଲେ ମାନସରୋବରରୁ, ବତ୍ର ଆଖିରେ ଚାହିଁ ଚିତ୍କାର ଛାଡ଼ିଲେ ମାନଗୋବିନ୍ଦ—ତମ ନାଁ ?

 

ମୋ ନାଁ ? ମୋ ନାଁ ଶୁଣିବାକୁ ତମର ଶକ୍ତି ଅଛି ? ନୈତିକ ସାହସ ଅଛି ? ମୋ ନାଁ ଶୁଣିଲେ ତମ ରକ୍ତ ପାଣି ଫାଟିଯିବ ।

 

ଏଡ଼େ ଗର୍ବିଣୀ ବାଳିକା ।

 

ବାଳିକା ନୁହେଁ କାଳିକା ! ଦୁଃଶାସନର ରକ୍ତ, ମାଂସ, ହାଡ଼ ରାଡ଼ୁ ରାଡ଼ୁ ଚୋବେଇବା ଯା’ର କାମ ଆଉ କର୍ତ୍ତବ୍ୟ ।

 

ତମେ ରାକ୍ଷସୀ ?

 

ମୁଁ ପିଶାଚୀ, ଯୋଗିନୀ, ଡାକିନୀ, । ଦଶଜଣ ବଛା ବଛା ଗୁଣ୍ଡା ସର୍‍ଦାର୍‍ଙ୍କ ଛାତି ଉପରକୁ ଡେଇଁପଡ଼ି ତଣ୍ଟି କଣା କରି ଯିଏ ଢକ ଢକ ପିଇଯାଇଛି ରକ୍ତ ! ରକ୍ତ !!

 

ଓ ତମେ ତା’ ହେଲେ ସେଇ.....

 

ହଁ ମୁଁ ସେଇ—ମୁଁ ସେଇ । ଚିହ୍ନିଛି ? ଶୁଣିଛ ? ଶୁଣିଛ କେବେ ନାଁ ?—ରାଜଲକ୍ଷ୍ମୀ !!

 

ତମ ଘର ସମ୍ୱଲପୁର, ନାଁ ?

 

ଖାଲି ସମ୍ବଲପୁର ନୁହେଁ, ମୋ ଘର ପାରଳା, ମୋର ଘର ପାର୍ବତୀପୁରମ୍‍ ବି । ମୁଁ ଏପଟେ ହାସ୍ୟମୟୀ, ଲାସ୍ୟମୟୀ, ଆନନ୍ଦମୟୀ, ଦୁର୍ଗା ଆଉ ସେପଟେ ନୃମୁଣ୍ଡମାଳିନୀ କାଳୀ, ଚଣ୍ଡୀ, ଭୈରବୀ, ଛିନ୍ନମସ୍ତା ! ଚିହ୍ନିଛ ? ଚିହ୍ନି ପାରୁଛ ? ମୋର ଦୁଃଖ ହୁଏ ତମ ସାଙ୍ଗରେ କଥା କହି-। ତମର ନିଜତ୍ୱ କିଛି ନାହିଁ । ତମେ ଖାଲି ବସି ବସି ଗାଉଛ ଇଓର ମାଷ୍ଟରସ୍‍ ଭଏସ୍ ।

 

ସତେ ?

 

ହଁ ତମର ମାଷ୍ଟର, ତମର ବଂଧୁ ଏତେ ଧୂର୍ତ୍ତ ଏଡ଼େ କୌଶଳୀ ଯେ ଏ ଅଭିନୟରେ ତାଙ୍କୁ ଚିହ୍ନିବା ସ୍ୱୟଂ ନାରାୟଣଙ୍କ ପକ୍ଷରେ ବି ଅସାଧ୍ୟ । ତମ ମୁହଁରେ, ତା’ ମୁହଁରେ, ସହସ୍ର ଲୋକଙ୍କ ମୁହଁରେ ସେ ବିଛେଇ ଦେଇଛନ୍ତି ତରୁ ଦେବୀଙ୍କର ନିନ୍ଦା, ଅପବାଦ, କଳଙ୍କ । ଆଉ ନିଜେ ବସିଛନ୍ତି ସାଧୁ ସନ୍ଥ ହେଇ । ପଚାରିଲେ କରୁଛନ୍ତି କୁମ୍ଭାର କ୍ରନ୍ଦନ । ତା’ଙ୍କୁ କହିବି ନିର୍ବୋଧତାର ବି ଗୋଟାଏ ସୀମା ଅଛି । ନିଜର କଳଙ୍କ ଲୁଚେଇବାକୁ ଯାଇଁ ଯିଏ ନିଜ ସ୍ତ୍ରୀକି କରେ କଳଙ୍କିନୀ, ତା’ ଭଳି ପାଷଣ୍ଡ....

 

ଲକ୍ଷ୍ମି !! —ଚିତ୍କାର କରି ଉଠିଲା ତରୁ । —ତୁନିହୋ, ତୁନିହୋ, ଲକ୍ଷ୍ମି ! ମୋ ମୁଣ୍ଡ ଖାଉ, ତୁନିହୋ ତୁ । ତାଙ୍କ ଅପେକ୍ଷା ମୋର ମନେହୁଏ ତୁ ବୋଧେ ବେଶୀ ନିର୍ବୋଧ, ତା’ ନହେଲେ ଜାଣି ଜାଣି ଏ ଜଳନ୍ତା ନିଆଁରେ ଧସେଇ ପଶନ୍ତୁ ନାହିଁ ।

 

ନିଆଁ ମୋତେ ଛୁଇଁ ପାରିବ ନାଇଁ ଆକାୟା । କଂସର ବିଜୁଳି କନ୍ୟା ମୁଁ । ମୋତେ ଧରୁ ଧରୁ ଛୁଟିଯିବି ଅମ୍ବରକୁ । ଅମ୍ବରରୁ ଓଲଟା ବୃଷ୍ଟି କରିବି ଅଗ୍ନିକଣା ! ସହସ୍ର ଅଗ୍ନିକଣା !

 

କିନ୍ତୁ ମୁଁ ତ ପାରିବି ନାହିଁ । ମୋତେ ଜଳି ପୋଡ଼ି ମରିବାକୁ ହେବ ଏଇ ନିଆଁରେ, କାରଣ ତୁ ଗୋଟିପଣେ ସୁନା ଆଉ ମୁଁ ଗୋଟିପଣେ ଖାଦ—କଳଙ୍କ—ତରୁର କଣ୍ଠ ରୁଦ୍ଧ ହେଇ ଆସିଲା ।

 

ପ୍ରଗଲ୍‍ଭା ରାଜଲଷ୍ମୀ ହେଲା ସ୍ଥିର । କରୁଣ ଆଖିରେ ଥରେ ତରୁକୁ ଚାହିଁଲା । କହିଲା–ତୁମେ ଏତେକଥା ଭାବନାହିଁ ଆକାୟା । ପଦ୍ମଫୁଲରେ କେବେ ପଙ୍କ ଲାଗିପାରେନା ।

 

ବାଜେକଥା, ମିଛକଥା, a stupid analogy, ମୁଁ ପଦ୍ମ ନୁହେଁ, ଫୁଲ ବି ନୁହେଁ । ବରଂ ମୁଁ କହିବି ମୁଁ ଗୋଟାଏ ମୂର୍ତ୍ତିମନ୍ତ କଳଙ୍କ—ବ୍ୟଭିଚାର !

 

ଆକାୟା !

 

ହଁ, କାଲି ଶ୍ରୀଚନ୍ଦନ ବାବୁ କହୁଥିଲେ, ସେଇକଥା, ଆଜି କହୁଥିଲେ ମିଷ୍ଟର ନାଏକ । ଆଉ ହେଇ ମାନଗୋବିନ୍ଦ ବାବୁ କହୁଛନ୍ତି । ସମସ୍ତେ ମୋର ଶତ୍ରୁ ନୁହଁନ୍ତି । ମୁଁ ବି ନୁହେଁ ଗୋଟାଏ ଚିଫ୍‍ ମିନିଷ୍ଟର, ଚିଫ୍‍ ସେକ୍ରେଟେରୀ ବା ସମାଜର ଗୋଟାଏ ମାନ୍ୟଗଣ୍ୟ ବ୍ୟକ୍ତି ଯାହାକୁ ଦବେଇ ଦେବାପାଇଁ ଚାଲିବି ଗୋଟାଏ ଚକ୍ରାନ୍ତ—ଚାରିଆଡ଼େ ସୃଷ୍ଟି ହେବ ଗୋଟାଏ ଇନ୍ଦ୍ରଜାଲ ମିଥ୍ୟାରେ । ନିଆଁ ନଥାଇ ଧୂଆଁ କୋଉଠି ବାହାରିଛି ନା ବାହାରିବ ?

 

ଏଁ ଆକାୟା, ଏ ସବୁ ତମେ କ’ଣ କହୁଛ ?

 

ମୁଁ ଯାହା କହୁଛି ଠିକ୍‍ କହୁଛି । ନିଆଁକୁ ସତର ପରସ୍ତ ଲୁଗାରେ ଗୁଡ଼େଇଲେ ବି ସେ କେବେ ଲୁଚି ରହେନା । ଦିନେ ନା ଦିନେ ଫୁଟି ବାହାରେ । ମୁଁ ପାପୀ । ମୁଁ ଅପରାଧୀ, କଳଙ୍କିନୀ । ମୋ କଳଙ୍କ ଆଜି ଚଉଦିଗରେ ବ୍ୟାପି ଯାଇଛି । ଯୁଆଡ଼େ ଶୁଣିବ ତା’ ମୁହଁରେ ମୋ’ରି କଥା, ତା ମୁହଁରେ ଛି । ସତରେ ମୁଁ ଆଜି ଛି ହୋଇସାରିଛି । ମୁଁ ଆଜି ଦୋଷ କରିଛି । ମୁଁ ପାପ କରିଛି ଲୋ ଲକ୍ଷ୍ମି ପାପ କରିଛି । ମୋ ପାଦ ଖ–ସି–ଯା–ଇ–ଛି !!! ଆଃ—ସେ ଗୋଟିପଣେ ରାଜଲକ୍ଷ୍ମୀଙ୍କୁ କୁଣ୍ଢେଇ ପକେଇଲା ।

 

ଆକାୟା ! ଆକାୟା ! —ଚିତ୍କାର ଛାଡ଼ିଲା ପୁଣି ରାଜଲକ୍ଷ୍ମୀ । ତରୁ ଆଖିରୁ ବହିଲା ଧାର ଧାର ଲୁହ ।

 

ମୁଁ ଖାଲି ଭାବପ୍ରବଣ ହେଇ କହୁନାହିଁଲୋ ମତେ ବିଶ୍ୱାସ କର, ମୁଁ ମରିଯାଇଛି । ମୋ ଆତ୍ମା ମରିଯାଇଛି । ତା’ ନହେଲେ ମୁଁ ଆଜି ଠିଆ ହୋଇ ନଥାନ୍ତି ଏ ହୀନ କାଙ୍ଗାଳିନୀ ବେଶରେ । ପୁଣ୍ୟାତ୍ମା ଲୋକ ପାଖରେ ଯମଦୂତ ଆସନ୍ତି ନାହିଁ । କିନ୍ତୁ ଦେଖ୍‍ ମୋର ଚାରିପାଖରେ ଆଜି ଲକ୍ଷ ଲକ୍ଷ ଯମଦୂତ । ସମସ୍ତେ ମୋତେ ଜଳେଇ ପୋଡ଼େଇ କେଳେଇ କାଟି ଖାଉଛନ୍ତି । ଏତିକି କ’ଣ ଯଥେଷ୍ଟ ପ୍ରମାଣ ନୁହେଁ ମୋ ପାପର ? ମୋ ପତନର ? —ସେ ବେଶୀ ବେଶୀ କାନ୍ଦିବାକୁ ଲାଗିଲା ।

 

ତମେ ତୁନି ହୁଅ ଆକାୟା । ଏ କୃତଘ୍ନ ଦୁନିଆ । ଏଠି ମନୁଷ୍ୟତାକୁ କେହି ଚିହ୍ନେନାଇଁ, ଚିହ୍ନି ପାରେ ନାହିଁ ।

 

ଦୁନିଆ କୃତଘ୍ନ ନୁହେଁ, କୃତଘ୍ନ ମୁଁ । ତୁ ଦେଖିନଉଁ, ଜାଣିନଉଁ, ରାମକୃଷ୍ଣ ଆଶ୍ରମ, ରାତ୍ରି ତୃତୀୟ ପ୍ରହରରୁ ସ୍ନାନ ସାରି କେଶ ମୁକୁଳା କରି ଗୌରିକ ବସନ ପିନ୍ଧି ଠିଆ ହେଇଥିଲି ମୁଁ । କଣ୍ଠରେ ସ୍ତୋତ୍ର, ବେଦ ଉପନିଷଦର ବାଣୀ । ମୁଁ ହେଇଥିଲି ସନ୍ନ୍ୟାସିନୀ ! ସନ୍ନ୍ୟାସୀନି ! ଆଉ ମୋତେ ଯିଏ ସନ୍ନ୍ୟାସିନୀ କରିଥିଲେ, ମୁଁ ତାଙ୍କର କ’ଣ ଜାଣୁ ? ଜାଣୁ ଲକ୍ଷ୍ମି ? ମୁଁ ତାଙ୍କୁ ଦୁନିଆ ଆଖିରେ କରିଦେଲି ହୀନ ! ପାଷଣ୍ଡ !! ଅଧମ !! ଇସ୍—

 

ଡକ୍ଟର ସାହାଣି ଆଉ ସ୍ଥିର ହୋଇ ପାରିଲେ ନାହିଁ । କହିଲେ—ଏ କ’ଣ କହୁଛନ୍ତି ଆପଣ ? କାହିଁକି କହୁଛନ୍ତି ଏ କଥା ? ମୁଁ ଜାଣେ ଆପଣ ସୁନାମୁଣ୍ଡାଏ । ଆପଣଙ୍କୁ ହଜାର ଥର ନିଆଁରେ ପକେଇଲେ ବି ଆପଣ ପୋଡ଼ି ଯିବେନି, ଜଳିଯିବେନି । ତେବେ କାହିଁକି ଏ ଛଳନା ? ଆପଣ ଯାହା ନୁହଁନ୍ତି, ତାହା କାହିଁକି ବାରମ୍ବାର କହୁଛନ୍ତି ଦୁନିଆକୁ ?

 

ମୁଁ ଠିକ୍ ସେଇଆ, ଠିକ୍ ସେଇଆ । ତା’ ନ ହେଇଥିଲେ ଦୁନିଆସାରା ମୁଁ ବୁଣି ଦେଇ ନଥାନ୍ତି ଏତେ ଗରଳ । ଆଉ ସେଇ ଗରଳରେ, ତୀବ୍ର ହଳାହଳରେ ଛଟଛଟ ହେଇ କଲବଲ ହେଇ ଦିନ ଦି’ପହରରେ ମରୁ ନଥାନ୍ତେ ତପୋବନର ଋଷି ପରାଶର !

 

ମାନୁଛି, ପରାଶରର ନିନ୍ଦା ହୋଇଛି । ଲଜ୍ଜା ଅପମାନରେ ତା’ ମୁଣ୍ଡ ଛିଡ଼ି ପଡ଼ିଛି । କିନ୍ତୁ ସେଥିପାଇଁ କ’ଣ ଏକା ଆପଣ ଦାୟୀ ?

 

ଏକା ମୁଁ, ମୁଁ । ଆଉ କେହି ନୁହେଁ । ସାରା ଦୁନିଆରେ କେହି ନୁହେଁ । ନାରୀ, ମୁଁ । ମୁଁ ଯଦି ଏତିକି ବୁଝି ନପାରିବି, ଜାଣି ନପାରିଲି, ମୁଁ ଯଦି ହେଲି ଏମିତି ଅପରିଣାମଦର୍ଶୀ, ଦାୟୀତ୍ୱହୀନ, କାଣ୍ଡଜ୍ଞାନବିହୀନ, ତା’ ହେଲେ ଆପଣ କୁହନ୍ତୁ ଦାୟୀ କିଏ ? ଦାୟୀ କିଏ ? ଏଇ ମୋର ଭଲପାଇବା ? ଏଇ ମୋର ପ୍ରେମ ? ସେବା ? ଉଦାରତା ? ପ୍ରୀତିର ଫଲ୍‍ଗୁ ? ଗୋଟାଏ ଅସହାୟ କୋମଳ ଶିଶୁ ଭଳି ସେ ନିଜକୁ ସମର୍ପି ଦେଇଥିଲେ ମୋ ହାତରେ । ମୋତେ ଡାକୁଥିଲେ ମା’ ବୋଲି । ଆଉ ମୁଁ ଯଶ, ଖ୍ୟାତି, ସମ୍ମାନ, ସୌରଭକୁ କରିଦେଲି ମୁଠାଏ ପାଉଁଶ ! ସେ ଆଜି ସମାଜରେ ହୀନ, ଘୃଣ୍ୟ । ମୁଣ୍ଡ ଆଜି ତାଙ୍କର ଦାଣ୍ଡ ଧୂଳିରେ ଲୋଟିଯାଇଛି । ଲୋକେ ତା’ ଉପରେ ପକଉଚନ୍ତି ଥୁ ଥୁ ଛେପ !! ଗବାନ୍, ତା ଆଗରୁ ମୁଁ ନ ମଲି କାହିଁକି ? ନ ମଲି କାହିଁକି ?

 

ସେ କହି କହି କାନ୍ଦି କାନ୍ଦି ଟଳି ଟଳୀ ଯାଉଥିଲା, ରାଜଲକ୍ଷ୍ମୀ ଧଇଲା ତା‘ ହାତ । କହିଲା–ଆଉ ସେଇଥିପାଇଁ ତୁମେ କ’ଣ କଟକ ଛାଡ଼ି ଚାଲିଯାଉଛ ଆକାୟା ?

 

କଟକ ପୁଣ୍ୟପୀଠରେ ମୋ ଭଳି କଳଙ୍କିନୀର ସ୍ଥାନ ନାହିଁ ।

 

କିନ୍ତୁ ଯାହାକୁ ବଞ୍ଚେଇବାକୁ ଯାଉଛି, ତା’ ଛାତି ଯେ ସହସ୍ର ଖଣ୍ଡ ହେଇଯିବ ତମକୁ ନପାଇ କେବେ ଭାବିଛ ? କି. ଉଦୟଗିରିରେ ବସି ବସି ତମେ କେମିତି ଭୁଲିବ ତା’ କଥା ? କେମିତି ଭୁଲିବି ତା’ର ଦିନକୁ ଲକ୍ଷେବାର ଅଲିଅଳି ଅଝଟ ମା’ ଡାକ ?

 

ଆଃ ଲକ୍ଷ୍ମି, ମୋତେ ଦୁର୍ବଳ କରି ଦେ’ନା ଲକ୍ଷ୍ମି । ମୁଁ ସବୁ ଭୁଲିଯିବି । ମୋତେ ଆଶୀର୍ବାଦ କର, ମୁଁ ସବୁ ଭୁଲିଯାଏ । କୁଷ୍ଠରୋଗୀ ସାଙ୍ଗରେ ମୁଁ କୁଷ୍ଠରୋଗୀ ହେଇଯାଏଲୋ କୃଷ୍ଠରୋଗୀ ହେଇଯାଏ—ଆହୁରି ଜୋରେ ଆହୁରି ବେଶୀ ଜୋରେ କାନ୍ଦି ଉଠିଲା ତରୁ । ରାଜଲକ୍ଷ୍ମୀ, ସାହାଣି ସମସ୍ତଙ୍କ ଆଖିରେ ଠପ୍‍ ଠପ୍‍ ଲୁହ ଗଡ଼ିପଡ଼ିଲା । ସମସ୍ତେ ଧୀରେ ଧୀରେ ଆଗେଇଲେ ରାଜରାସ୍ତା ଉପରକୁ ।

 

ପାଠାଗାର ଆଗରେ ଗୋଟିଏ କାର୍‍ ଠିଆ ହୋଇଥିଲା । ତରୁ, ରାଜଲକ୍ଷ୍ମୀ, ସାହାଣି ଯାଇଁ ସେଇଥିରେ ବସିଲେ । କାର୍‍ ଷ୍ଟାର୍ଟ ହେଲା କି, ଉଦୟଗିରି । କାଲି saint francis of assissi ଙ୍କ ଜନ୍ମଦିନ । କାଲି କି. ଉଦୟଗିରିରେ କୁଷ୍ଠାଶ୍ରମର ଭିତ୍ତିସ୍ଥାପନ ।

 

–ଏଗାର–

 

ମୁକ୍ତା ! ମୁକ୍ତା ! ମୁକ୍ତା ! ତମେ ଅଛ ମୁକ୍ତା ? ତମେ କୋଉଠି ? କୋଉଠି ?—ରାସ୍ତା ଉପରେ ଚିତ୍କାର କରି କରି ଟଳି ଟଳି ଝୁଲି ଝୁଲି ଆସି ପହଞ୍ଚିଲା ଜୟନ୍ତ । ଆଗରେ ନର୍ସ ହଷ୍ଟେଲ୍‍ର ଗେଟ୍ । ଭାଗ୍ୟେ ରାସ୍ତାରେ କେହି ଲୋକ ନଥିଲେ । ମୁକ୍ତାର ହସି ଉଠିଲେ । ମୁକ୍ତା ଛାତି କିନ୍ତୁ ଥରି ଉଠିଲେ । ମୁକ୍ତା ଛାତି କିନ୍ତୁ ଥରି ଉଠିଲା ଭୟରେ । ସେ ସୁନ୍ଦର ଶାଢ଼ୀ ଖଣ୍ଡିଏ ପିନ୍ଧି ଗଭା ସଜେଇ ପାଉଡ଼ର ମାଖି ବାହାରିଥିଲା । ଜଣେ ବନ୍ଧୁଘରକୁ । ଜୟନ୍ତକୁ ଦେଖୁ ଦେଖୁ ତା’ମୁହଁ କଳା ପଡ଼ିଗଲା-। ହଠାତ୍‍ ରାଗି ବି ପାରିଲା ନାହିଁ । ନିଉନ ହେଇ ପଚାରିଲା—କ’ଣ ହେଇଛି ତମର ? ଏ କି ରୂପ-? ଆଖି ଏମିତି ମନ୍ଦାରଫୁଲ ଭଳି ଲାଲ ? ....ଜୟନ୍ତି କହିଲା—ନା, ତମେ ଦେଖ ନାଇଁ-। ମୁଁ ତମକୁ ଦେଖିବାକୁ ଆସିଛି । ମୁଁ ଦେଖେ ତମର ସୁନ୍ଦର ଗୋଲାପ ମୁଖ....

 

ଇସ୍‍ ଜୟନ୍ତ, ଚୁପ୍‍କର ତମେ, ଏଇଟା ଯେ ବିଚ୍‍ ରାସ୍ତା....

 

ରାସ୍ତା ? ବେଶ୍‍ ଚାଲ ତେବେ, ଚାଲ ଆଜି ସିନେମା ନଇଲେ ନଇକୂଳ ନଇଲେ ଇଷ୍ଟାର୍ଣ୍ଣ ହୋଟେଲ । ଆଜି ମୋର ପୂର୍ଣ୍ଣାହୁତ । ଆଜି ମୁଁ ଜୀବନକୁ ନିଃଶେଷ କରି ଦବାକୁ ଚାହେଁ ମୁକ୍ତା । ଏ ଜୀବନରେ ଆଉ ଲାଭ ନାଇଁ । ଆଜି ମୁଁ ଜାଳିପୋଡ଼ି ପାଉଁଶ କରିଦେବି ଏ ଜୀବନ । ଆଉ ସେଇ ପାଉଁଶ ଉପରେ, ମଶାଣୀ ଉପରେ ଜନ୍ମ ହେବ ନୂଆ ଜୟନ୍ତି । ଜୟନ୍ତି ହେବ କଂସାସୁର । ଜୟନ୍ତି ହେବ ପ୍ରଳୟଙ୍କରୀ ଝଂଜା । ହାଃ, ହାଃ, ହାଃ, ହାଃ, ହାଃ—ମୁକ୍ତା କିଛି କହିବା ଆଗରୁ ଜୟନ୍ତ ତା’କୁ ଠେଲି ଠେଲି ନେଇ ମଟରରେ ବସେଇଲା । ମୁହୂର୍ତ୍ତକେ ମଟର ଛୁଟିଗଲା ତୀର ବେଗରେ ।

 

ଜଗତପୁର ଡାକବଙ୍ଗଳା । ଆଗରେ ବହିଯାଉଛି ସ୍ୱଚ୍ଛତୋୟା ବିରୂପା । ଉପରୁ ଝରି ପଡ଼ୁଛି ଅଷ୍ଟମୀ ଚନ୍ଦ୍ରର ଆଲୋକ । କାଶତଣ୍ଡୀ ବଣ ଭିତରେ ପବନ ଖେଳୁଛି ସନ୍‍ ସନ୍‍ ହେଇ । ରାତି ନଅ । ମୁକ୍ତା ଗାଲରେ ଖୁବ୍‍ ଜୋରେ ଚୁମ୍ବନ କଲା ଜୟନ୍ତ । ମୁକ୍ତା ଛାଟିପିଟି ହେଇ ବାହାରକୁ ପଳେଇ ଆସିଲା । କହିଲା—ଅସଭ୍ୟ ।

 

ନା, ମୁଁ ଜାନୁଆର—କହି କହି ପଛେ ପଛେ ଆସିଲା ଜୟନ୍ତି । –ମୁଁ ବଦ୍‍ମାସ୍, ପାକି, ସୟତାନ୍‍ ସବୁ ମୁଁ । କିନ୍ତୁ ମୁଁ ତମକୁ ଆଜି ଛାଡ଼ୁନି । ଛାଡ଼ି ପାରୁନି ମୁକ୍ତା । ମୁଁ ତମକୁ ଆଜି ଆକଣ୍ଠ.......

 

ଶୁଣି, ମାତାଲ ହୁଅନାଇଁ । ଆମେ ବଣ ଜଙ୍ଗଲର ପଶୁ ନୋହୁଁ । ସବୁବେଳେ ଏମିତି ଲଙ୍ଗଳା ହେଲେ......

 

କିନ୍ତୁ ମୁଁ ତମକୁ ଛାଡ଼ିବି ନାଇଁ ।

 

ମୁଁ ବି ଚାଲି ଯିବାକୁ ଆସିନି । ତା’ ଛଡ଼ା ଯିବାକୁ ଚାହିଁଲେ ବି କେମିତି ଯିବ ? ଏ ନିର୍ଜନ ନିକାଞ୍ଚନ ରାତିରେ ଏକୁଟିଆ......

 

ଏକୁଟିଆ ? ହାଃ, ହାଃ, ହାଃ, ହାଃ, ହାଃ, ହାଃ । ଏକୁଟିଆ ଯିବାକୁ ଡର ଲାଗୁଛି ନା ? ଆସ ମୁଁ ତମକୁ ଆଜି ଚେପା କରି ଫିଙ୍ଗିଦେବି ନଇ ମଝିକି । ଆଉ ତମ ସାଙ୍ଗରେ ଦେବି ମୋର ଏଇ ଆଲସେସିଆନ୍—‘ଟାଇଗର୍’ । ଦୁହେଁ ଭାସି ଭାସି ଚାଲିଯିବ ଜମ୍ବୁ, ହୁକିଟୋଲା, ବତୀଘର—ବଙ୍ଗୋପସାଗର !

 

ତମେ ପାଗଳ ହେଲ ଜୟନ୍ତ ? ଏ ତମେ କ’ଣ କହୁଛ ?

 

ଏକା ତମେ ନୁହଁ ମୁକ୍ତା, ସଂଧ୍ୟା, ଚପଳା, ନୀହାର, ସ୍ୱର୍ଣ୍ଣ କେହି ବାଦ ଯିବେନି । ସମସ୍ତଙ୍କ ଛାତିରେ ବସି ସମସ୍ତଙ୍କ ରକ୍ତ ଝୁଣିବ ଆଜି ଜୟନ୍ତ ରାୟ ।

 

ତମେ ଉନ୍ମାଦ ହେଇପଡ଼ିଛ ଜୟନ୍ତ । ସ୍ଥିର ହୁଅ । ମୁଁ ତମର କୌଣସି କଥାରେ ଅରାଜି ନୁହେଁ । ତମେ କୁହ, ତମର କ’ଣ ହେଇଛି, କ’ଣ ହେଇଛି ।

 

ନା, ମୁଁ କେବେ ଆତ୍ମହତ୍ୟା କରିବି ନାହିଁ । ମୁଁ ଏଡ଼େ ଦୁର୍ବଳ ନୁହେଁ । ମୁଁ ଗୋଟି ଗୋଟି କରି ଖୁନ୍‍ କରିବି ତମକୁ । ତମରି ରକ୍ତରେ ଅବଗାହନ କରି ମୁଁ ହେବି ଶୁଦ୍ଧ, ପୂତ, ନିର୍ମଳ । ତା’ ହେଲେ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେବ । ସେ ହସି ଉଠିବ କିର୍‍ କିର୍ ହେଇ—କିର୍‍ କିର୍‍ ହୋଇ ।

 

ଏଁ, କାହାକଥା କହୁଛି ତମେ ?

 

ବୁଝି ପାରୁନି ? ଜାଣି ପାରୁନି ? ଦେଖି ପାରୁନି ? ନା’ ସେ ସାଧାରଣ ଲୋକ ନୁହେଁ । ତା’ର କୌଶଳ ଦେବତା ବି ବୁଝିପାରିବେ ନାହିଁ । ସେ ଖାଲି ପିଠି ଆଉଁସି ଦବ, ଆଉ ଏଣେ ଚୋପା, ଛାଡ଼ି ରକ୍ତ ବୋହିଯିବ ତମର ।

 

ସେ କିଏ ? କିଏ ଏତେ ବଡ଼ କୌଶଳୀ ?

 

ଯିଏ ନାଗ ସାପ ସାଙ୍ଗରେ ଖେଳିପାରେ, ନାଗ ସାପର ଆହାର ଛଡ଼େଇ ନେଇପାରେ ମୁହଁରୁ । ସେ ଖାଲି କୌଶଳୀ ନୁହେଁତ, ତା’ର ଦୁଃସାହାସ ସୃଷ୍ଟି ଛଡ଼ା । ତା’ ନହେଲେ ସାରା ଟାଉନ୍‍ର ଲୋକ ଯା’ର ସମ୍ମୁଖକୁ ଆସିବାକୁ ସାହସ କରନ୍ତି ନାହିଁ, ତା’ ସାଙ୍ଗରେ ପୁଣି ଏ ଧୂର୍ତ୍ତ ଖେଳ ଖେଳିଥାନ୍ତା ଜଣେ ନାରୀ !

 

ନାରୀ ?

 

ହଁ ନାରୀ, ଦୁର୍ଗାବତୀ ଭଳି ସେ ଖଣ୍ଡାଧରି ଯୁଦ୍ଧ କରେନା କି ଝାନ୍‍ସିରାଣୀ ଭଳି ଘୋଡ଼ାରେ ଚଢ଼ି ଝପ୍‍ଟିଯାଏନା ବଙ୍ଗୋପସାଗରରୁ ଆରବ ସାଗର ଯାଏ । ଅଦ୍ଭୁତ ସେ ନାରୀ । ସେ ନାରୀ ସୀତା, ଅହଲ୍ୟା, ବୃନ୍ଦାବତୀ । ତା’ର ଗୋଟାଏ ନୟନର ଜ୍ୟୋତିରେ ବିଶ୍ୱଜ୍ୟୋତି ଭଗବାନ ବି ମ୍ଳାନ ପଡ଼ିଯାଆନ୍ତି । ମୁଁ ତା’ର ପ୍ରଶଂସା କରିବି ନାହିଁ । କାରଣ ବର୍ତ୍ତମାନ ମୁହୂର୍ତ୍ତରେ ତା’ଠାରୁ ମୋର ବଡ଼ ଶତ୍ରୁ ଆଉ କେହି ନାହିଁ । ମୁଁ ଯାହାକୁ ଗୋଟାଏ ଶକୁନିର ବୁଦ୍ଧି ଆଉ କୌଶଳ ଦେଇ ଆଣିଥିଲି, ଗୋଟାଏ ଶ୍ରୀକୃଷ୍ଣର ଚକ୍ରାନ୍ତ ଆଉ ଷଡ଼ଯନ୍ତ୍ର ଦେଇ ସେ ତାହା ଛଡ଼େଇ ନେଇ ଯାଇଛି । ମୁଁ ରିକ୍ତ—ରିକ୍ତ । ମୋ ମୁହଁରେ ସତରପଟା ଚୂନ କଳା ସେ ବୋଳି ଦେଇଛି ।

 

ମୁକ୍ତା ଆଉ ସମ୍ଭାଳି ହେଇ ପାରିଲା ନାହିଁ । ଫେଁ ଫେଁ ହସି ଉଠିଲା । କହିଲା—ଓ, ଏଇ କଥା.....

 

‘ସୀତୟାକୁ ଭୁତେଇ ନେଲା ରାବଣ

ହାୟ ରାମ, କାନ୍ଦୁଥା ବସି ତୁ ବଣରେ ।’

 

ମୁକ୍ତା ! —ଗର୍ଜନ କରି ଉଠିଲେ ଜୟନ୍ତ । ଜଳନ୍ତା ନିଆଁରେ ତମେ କୁଟା ପକେଇବାକୁ ଚାହଁ ? ତମେ ଜୟନ୍ତି କେଡ଼େ ଦୁର୍ଦ୍ଦାନ୍ତ । କ୍ରୋଧରେ ଅନ୍ଧ ହେଲେ ଜୟନ୍ତ କ’ଣ ନ କରିପାରେ କହିବାରିବ ?

 

ନା ଆପଣ ସବୁ କରି ପାରନ୍ତି । ଖାଲି ମୁକ୍ତା, ନିହାର, ସ୍ୱର୍ଣ୍ଣ କାହିଁକି ଟାଉନ୍‍ର ଆହୁରି ଡଜନେ ଝିଅଙ୍କୁ ବି ଆପଣ ଛୁରି ଧରି ଟିକି ଟିକି କରି ବାଟି ଦେଇପାରନ୍ତି, ଆପଣ ପୋଲିସ୍ ଆଖିରେ ଧୂଳି ଦେଇପାରନ୍ତି, ମନ୍ତ୍ରୀଙ୍କୁ ଦିନ ଦି’ପହରେ ଭୁଆ ବୁଲେଇ ଦେଇ ପାରନ୍ତି, ପରାଶର ଭଳି ଗଣ୍ଡା ଗଣ୍ଡା ଜୀବଙ୍କୁ ଦଳି ଦେଇପାରନ୍ତି ଗୋଡ଼ରେ, କିନ୍ତୁ ଗୋଟାଏ ଠିଆ ହେଇ ପାରିବେ ନାହିଁ ତରୁ ଆଗରେ, କଥା କହିବା ତ ଦୂରର କଥା । ତା’ର ଗୋଟିଏ ନୀରବ ଚାହାଁଣୀ ଆପଣଙ୍କର ସବୁ ଫୁତ୍‍କାରକୁ ଧୂଳିରେ ମିଶେଇଦେବେ । ଏତେ ବଡ଼ ସିଂହ ହବ ସେଠି ଗୋଟିଏ ନିର୍ଜିବ ମୂଷା–ମୂଷା !

 

ମୁକ୍ତା ! –ଜୟନ୍ତର କଣ୍ଠ ଶାନ୍ତ । ସ୍ୱର ବଦଳି ଯାଇଛି । କହିଲା—ତମେ ମନ୍ତ୍ର ଜାଣ ମୁକ୍ତା ? ତମ ସମସ୍ତ ନାରୀଜାତି କ‘ଣ କଳାନାଗ ଧରିବାକୁ ଏଡ଼େ ବିଚିତ୍ର ଖଳିକାର ? ତମେ ହଠାତ୍‍ ମତେ ଏମିତି ଦୁର୍ବଳ କରି ଦେଉଛି କାହିଁକି ?

 

ନା, ମୁଁ ଦୁର୍ବଳ କରୁନାହିଁ, ତମେ ଚିରଦିନ ଏମିତି ଦୁର୍ବଳ ଥିଲ । ସେଇଥିପାଇଁ ଉପରେ ଏତେ ଗର୍ଜନ ! ଏତେ ଲମ୍ପ ଝମ୍ପ !

 

ମୁକ୍ତା !

 

ହଁ ଦେଖିବା ଯୋଉମାନେ ଭିତରେ ଭୀରୁ, ତାଙ୍କର ବାହାରେ ଏମିତି ଗୋଟାଏ ଶକ୍ତ ଆବରଣ, ଗର୍ଜନରେ ସୃଷ୍ଟି ଫାଟୁଛି । ହୁଏତ ବେଳେବେଳେ ବୁଲେଟରେ ହତ୍ୟା କରୁଛନ୍ତି ଲୋକ । ରକ୍ତରେ ରଞ୍ଚିତ ହେଉଛି କଳେବର ! ନିଶ ଫୁଲି ଉଠୁଛି ଦାଉଁ ଦାଉଁ । କିନ୍ତୁ ତେଣେ ଭିତରେ ? ଲିସ୍‍ବନ୍‍ର ଭୂମିକଂପ ଖେଳୁଛି । କଲିଜା ହେଉଛି କପ୍ କପ୍ । ଥରିଉଠିଛି ଝଡ଼ରେ କଦଳିପତ୍ର ପରି-

 

ମୁକ୍ତା ! —ସ୍ତମ୍ଭିତ ହେଇ ଜୟନ୍ତି ଚାହିଁଲା ।

 

ଆଉ କଥା ଥାଉ, ତରୁ ଆଉ ତମ କଥା ଦେଖ । ତରୁ କଥା, କହେ ଅଳ୍ପ । ଘରେ ରହେ ଅଳ୍ପ ସମୟ । ତମେ ମଦ ଖାଅ, ମାତାଲ ହୁଅ । ନାରୀ ନେଇ ନାଚ, ସେଥିରେ ବାଧା ଦିଏ ଅଳ୍ପ । ତା’ର ଧର୍ମ କର୍ମ ଆଲୋଚନା ଦେଶସେବା ନେଇ ପରାଶର ସାଙ୍ଗରେ ସେ ଦିନ ରାତି ବ୍ୟସ୍ତ । ଦେହରେ ଖଣ୍ଡେ ମାମୁଲି ଶାଢ଼ି । ଗୋଟାଏ ନିପଟ ମଫସଲୀ ତଳଘଟି ଚଷାଝୁଅ ଭଳି ଦିଶେ । ଆଉ ତମେ ? ମଟର, ବନ୍ଧୁକ ଆଉ ଆଲସେସିୟାନ୍‍ ଡଗ୍‍ ଧରି ଦିନରାତି ଘୁରୁଛ । ସବୁବେଳେ ମଦରେ ଚୁର୍‍ । ମୁହଁକୁ ଚରୁଟ୍‍ର ଛାଡ଼ି ନାହିଁକି ପାଟିରୁ ବାଡ଼ି ଫୁଲ, ନନସେନ୍‍ସର ଛୁଟଣ ନାହିଁ । ହଜାର ହଜାର ଟଙ୍କାର ବ୍ୟାଙ୍କ ବାଲାନ୍‍ସ । ଏ ଧରାଟା ତମ ପାଖରେ ଏକ ନଗଣ୍ୟ ସରା ! କିନ୍ତୁ କୁହ, ବାହାରେ ସିନା ଏଇ ରୂପ, ଭିତରେ ସିଏ କ’ଣ ଆଉ ତମେ କ’ଣ ? ଏଡ଼େ ଗାଉଁଲି ମଫସଲି ଚଷାଝିଅ ଭିତରେ କି ଅଦମ୍ୟ ସାହସ, ଦୁର୍ନିବାର ଅଗ୍ନି ଆଉ ତମ ଭଳି ବଂଧୁକଧାରୀ ପୁରୁଷପୁଙ୍ଗବ ଭିତରେ କି ନିର୍ଜୀବ ବଣିଛୁଆର କଲିଜା । ଠିଆ ହେଇ ପଦେ କଥା କହିଲା ବେଳକୁ ଗୋଡ଼ ଥରୁଛି-। ପାଟି ହଉଛି ଆଫା ଆଫା ।

 

ମୁଁ ମାନୁଛି ମୁକ୍ତା ଦୁର୍ବଳତା ମୋର ଅନ୍ତର୍ନିହିତ, କିନ୍ତୁ ଜନ୍ମଗତ ନୁହେଁ । ମୁଁ ପିଲାଦିନୁ ମୋଟେ ଦୁର୍ବଳ ନଥିଲି କି ଅନ୍ୟ କାହାପାଖରେ ଆଦୌ ଦୁର୍ବଳ ନୁହେଁ । କୁହ ମୁଁ ବର୍ତ୍ତମାନ ଯାଇଁ ମଣିଷ ମାରି ହସି ହସି ଫେରିଆସିବି । ତମରି ଆଖି ଆଗରେ ଦେଖୁଛି ତ ଗଣ୍ଡା ଗଣ୍ଡା ତରୁଣୀର ରୂପ ଯୌବନକୁ ମୁଁ ନିର୍ମମ ଦେଖୁଛି ତ ଗଣ୍ଡା ଗଣ୍ଡା ତରୁଣୀର ରୂପ ଯୌବନକୁ ମୁଁ ନିର୍ମମ ରାକ୍ଷସ ଭଳି ଦଳି ପେଷି ଚୁର୍‍ମାର୍‍ କରି ଦେଇଛି । କେବେ ସେଥିପାଇଁ ଭାବିଛି ? ଚିନ୍ତା କରିଛି ? ଅନୁତାପ କରିଛି ? ଆଉ ଏଇ ତରୁ—ତରୁକୁ ମୁଁ କାହିଁକି ଭୟ କରେ ଜାଣ ? ଭୟକରେ ସେ ବାଧା ଦିଏ ନୁହେଁ, ସେ ବାଧା ନଦିଏ ବୋଲି । ମୁଁ ଯେତେ ମଦ ଖାଏ, ଯେତେ ବେଶ୍ୟା ଘରକୁ ଯାଏ, ଯେତେ ନାରୀ ଆଣି ? ଶୋଇଲେ ପଲଙ୍କରେ ନାଚେ, ସେ ରାମ କି ବିଷ୍ଣୁ ପାଟି ଫିଟାଏ ନାହିଁ । ପାଟି ଫିଟଉଥିଲେ, ବାଧା ଦଉଥିଲେ ମୁଁ ଆଦୌ ଭୟ କରନ୍ତି ନାହିଁ । ନିଆଁ ସାଙ୍ଗରେ ଖେଳି, ନିଆଁରେ ପଶି, ନିଆଁକୁ ପାଦତଳେ ଚାପି ଦେଇ କେମିତି ଆରପାରିକି ଯିବାକୁ ହୁଏ, ମୁଁ ଜାଣେ ଜୟନ୍ତି ରାୟ ଭଳି ଖେଳୁଆଡ଼କୁ କିଛି ଅମାଲୁମ ନାହିଁ । କିନ୍ତୁ ଯିଏ ନିଆଁ ନହେଇ ନିରୀହ କୁଟାଖଣ୍ଡିଏ ହେଇ ନିଜେ ନିଆଁରେ ଖାଲି ହୁ ହୁ ଜଳି ଯିବାକୁ ଚାହିଁବ, ତା’କୁ କେମିତି—କେମିତି ମୁଁ ପ୍ରତିରୋଧ କରିବି ମୁକ୍ତା ? ମହାତ୍ମା ଗାନ୍ଧିଙ୍କି ମୁଁ ପ୍ରତିଶୋଧ କରିବି ମୁକ୍ତା ? ମହାତ୍ମା ଗାନ୍ଧିଙ୍କି ମୁଁ ଦେଖିନାହିଁ । ତାଙ୍କୁ ଦେଖିଲେ ପଚାରନ୍ତି ସେ ଏଡ଼େ ଆଗରେ କମାଣ ଆଗରେ ସେ ସାମାନ୍ୟ ଲାଠି ଖଣ୍ଡିଏ ବି ଧରିବେ ନାହିଁ, ଠୁଙ୍ଗା ଠୁଙ୍ଗା ପଞ୍ଜରାହାଡ଼ ଦି’ଖଣ୍ଡ ଧରି ନିଜେ ଆସି ଠିଆ ହୋଇ ପଡ଼ିବେ । ଏଥିରେ କେମିତି—କେମିତି ମୁଁ ବନ୍ଧୁକ ଚଳେଇବି ? କେମିତି ମୋ ହାତ ଯିବ ?

 

ବେଶ୍, ତା’ ହେଲେ ଗୋଟିଏ ପନ୍ଥା ବାକି—ଆତ୍ମ ସମର୍ପଣ ଯାହା କରିଥିଲା ହାଡ଼ କେଇଖଣ୍ଡ ଆଗରେ ଦୁର୍ଦ୍ଦାନ୍ତ ବ୍ରିଟିଶ୍‍ ସରକାର ।

 

ଆତ୍ମ ସମର୍ପଣ ମୁଁ କରନ୍ତି । ମୋତେ ଲାଜମାଡ଼ନ୍ତା ନାହିଁ । ବରଂ ଶିର ମୋର ଉନ୍ନତ ହୁଅନ୍ତା ସେ ମୋ ସହଧର୍ମିଣୀ ଏତେ ଉଚ୍ଚ, ଏତେ ନଭଶ୍ଚମ୍ବୀ । ତରୁ ପାଖରେ ମୋର ପରାଜୟ ମୋ ଜୀବନରେ ଶ୍ରେଷ୍ଠ ବିଜୟ । କିନ୍ତୁ ଦୁଃଖ ସେଠି ନାହିଁ । ଦୁଃଖ ସେଇଠି ଯେ ଯୋଉ ଉଦ୍ଧତା ଗର୍ବିଣୀ ବାଳିକାର ଗର୍ବ ଚୂର୍ଣ୍ଣ କରି ଦେବାକୁ ମୁଁ ବିଛେଇଲି ଏ ମାହାଜାଲ—ମେଲି ଦେଲି ଏ ବିରାଟ ଚକ୍ରାନ୍ତ, ସେ ତାକୁ ପଣ୍ଡ କରି ଦେଇ ଛୁଟିଗଲା ଲକ୍ଷ ଯୁଣ ଦୂରକୁ । ସାମାନ୍ୟ ଗୋଟାଏ ଭେକ ସାପବିଳରୁ ଖସିଆସି ସାପ ମୁଣ୍ଡରେ ପଦାଘାତ କରି ଯାଇଁ ଲୁଚିଲା ଗରୁଡ଼ର ଆଶ୍ରୟରେ । ସାପ ଖାଲି ଫଣା ତୋଳି, ସୁ ସୁ ଗର୍ଜନ କରି ଭୂଇଁ ଉପରେ ଚୋଟ ପରେ ଚୋଟ ମାରିବ ସିନା, ସେଠିକି ଯାଇ ପାରିବ ନାହିଁ—ପାରିବ ନାହିଁ । ଗଲେ ସାପରହିଁ ମରଣ ! ବେଙ୍ଗ ଖାଲି ଠୋ ଠୋ ହସିବ ।

 

ମୁକ୍ତା ହସିଲା । କହିଲା—ଭାଗବତ ପଢ଼ିଛି ? ‘‘ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।’’ ଯୋଉ କୁଟୀଳ ଚକ୍ରାନ୍ତ କରି ତମେ ତା’କୁ ଧରିଥିଲ, ସେଥିରେ ସେ ତମର ହୋଇ ରହନ୍ତା । କିପରି ? କି କୁଷଣରେ ତମେ ଏଥର ପାରଳାଖେମେଣ୍ଡି ଯାଇଥିଲ । ପାରଳାଖେମିଣ୍ଡିର ‘ସୀତା ସାଗର’ରେ ବସି ବନ୍‍ସି ଖେଳୁଥିଲ ତମେ । ଭରାକଳସୀ ମଥାରେ ରଖି ରାଜଲକ୍ଷ୍ମୀ ଫେରୁଥିଲା ସଦ୍ୟସ୍ୱାତା ହୋଇ । ଦିଶୁଥିଲା ଶରତୠତୁର କାକର ଧୁଆ ଶୁଭ୍ର ଟଗର ଫୁଲ ଭଳି । ଦେଖୁ ଦେଖୁ ତମେ ବିହ୍ୱଳ ହେଇ ଉଠିଲ । ଧାଇଁଗଲା ପାଖକୁ । ଅଶ୍ଳୀଳ ଇଙ୍ଗିତ କରି ଗୋଟାଏ କଟାକ୍ଷ ହାଣିଲ । ଆଉ ସେତିକିରେ ବାରୁଦଘରେ ନିଆଁ ଲାଗିଗଲା । କଳସୀଟା ଢୁ’କିନା କଚାଡ଼ି ଦେଇ ଚିତ୍କାର କରି ଉଠିଲା ରାଜଲକ୍ଷ୍ମୀ । ଶହ ଶହ ଲୋକ ଜମା ହେଇ ପଡ଼ିଲେ । ସେ ଦିନ ତମର ହାଡ଼ ମାଂସ ଛତୁ ହେଇ ଯାଇଥାନ୍ତା, ଯଦି ଭାଗ୍ୟେ ନ ପହଞ୍ଚିଥାନ୍ତା ଭେଙ୍କ୍‍ଟାୟା । ତମେ ବଞ୍ଚିଗଲା । କିନ୍ତୁ ରାଜଲକ୍ଷ୍ମୀ ତମକୁ ପାଁଶହ ଲୋକ ଆଗରେ କହିଲା—କୁକୁର ! କୁକୁର !!

 

ମୁକ୍ତା ! ମୁକ୍ତା ! ତମେ କୁହ, ଏ ଅପମାନର ପ୍ରତିଶୋଧ ନେବା କ’ଣ ଅନୁଚିତ ହେଇଛି-?

 

ଅପମାନର ପ୍ରତିଶୋଧ ନେବାପାଇଁ ତମେ ପେଶିଲ ଓଲଟା ଶର । ମାନସରଂଜନ ପ୍ରତିହାରୀଙ୍କୁ ହାତ କଲ ପ୍ରଥମେ । ଲୋକେ ବୁଝିବାକୁ ମାନସ ବାବୁ ତାଙ୍କ ଜି.ପି. ଫଣ୍ଡ୍‍ର ଚାରିହଜାର ଟଙ୍କା ତମ ହାତକୁ ବଢ଼େଇ ଦେଲେ, କିନ୍ତୁ ଅସଲରେ ସେ ତ ଅଧୁଲାଟିଏ ଦେଲେନାହିଁ, ବରଂ ତମେ ଯେ ତାଙ୍କୁ କେତେ ଅଜସ୍ର ଟଙ୍କା ଦେଲ ଭଗବାନ ଜାଣନ୍ତି । ସେ ତମର ହେଇ ତମ ପାଖେ ପାଖେ ରହିଲେ । ତମର କୌଶଳ ବୁଝି ନପାରି ମାନସ ବାବୁ ଟେଲିଗ୍ରାମ୍ କଲେ ପାରଳା । ପାରଳରୁ ରାଜଲକ୍ଷ୍ମୀ ଆସି ସମ୍ବଲପୁରେ—ମାନସ ବାବୁଙ୍କ ସେହି ପାହାଡ଼ ତଳି ଗାଁରେ ରହିଲା । ଆଉ ସେଦିନ ରାତିରେ ଡକେଇତ ନାଁରେ ଗୁଣ୍ଡା ପୁରେଇଲ ତମେ । ତମ କାର୍ ରାସ୍ତା ଉପରେ ଅପେକ୍ଷା କରୁଥିଲା । ସେମାନେ ତା’କୁ ଟେକିଆଣି କାରରେ ରଖିଲାମାତ୍ରେ ତମେ କାର୍ ଛୁଟେଇ ଦେଇଥାନ୍ତ ରାଉରକେଲା, ଆଉ ରାଉରକେଲାରେ ଯାଇ ହନିମୁନ୍ ପାଳିଥାନ୍ତ ଲକ୍ଷ ଦୀପାବଳୀର ଆଲୋକ ଭିତରେ । କିନ୍ତୁ ଲକ୍ଷ ଦୀପାବଳୀ ସେଇଠି ଜଳି ଉଠିଲା । ହନିମୁନ୍ ହାଲୋଳ ହେଇଉଠିଲା । ଘର ଶେଷ, ବୁଦ୍ଧି ଶେଷ, ପ୍ରେମ ଶେଷ । ରାଜଲକ୍ଷ୍ମୀ ପିଠିରୁ ଚମଡ଼ା ଉତୁରିଗଲା ।

 

ମୁକ୍ତା !!

 

ତମ ପିଠିରୁ ବି ଚମଡ଼ା ଉତୁରି ଯାଇଥାନ୍ତା, ଯଦି କେହି ଏହାର ତିଳାର୍ଦ୍ଧେ ସନ୍ଧାନ ପାଇଥାନ୍ତେ । ତମେ କଥାଟାକୁ ଓଲଟେଇ ଅତି ଚତୁରତାର ସହ ତରୁକୁ ବୁଝେଇ ଦେଲ । ଭାବପ୍ରବଣ ନିର୍ବୋଧ ପରାଶର ଭିତରକୁ ନଯାଇଁ ଖାଲି ଉପରେ ଉପରେ ଭାସି ହୋ ହୋ ହେଇ ଉଠିଲେ । ରାଜଲକ୍ଷ୍ମୀର ଦଶା ଦେଖି ତରୁ ଏତେ ମ୍ରିୟମାଣ ହେଇପଡ଼ିଥିଲା ଯେ ଆଉ ବେଶୀ କିଛି ଚିନ୍ତା କରିବାକୁ ଅବସର ପାଇଲା ନାହିଁ । ଆଉ ରାଜଲକ୍ଷ୍ମୀ ତ ସହଜେ ଅଚେତ ।

 

ମୁକ୍ତା ! ତମେ ଏତେ କଥା ଲକ୍ଷ୍ୟ କରିଛ ?

 

କରିବି ନାହିଁ ? ଗଛର ମଂଜି ପୋତିଲା ଯିଏ, ସିଏ ଲକ୍ଷ୍ୟ କରିବ ନାଇଁ ଗଛର ଚେର ଗଲା କେତେ ଭିତରକୁ—ଗଛ ଶାଖା ମେଲେଇ କେନା ମେଲେଇ କୁଆଡ଼େ କୁଆଡ଼େ ମାଡ଼ି ମାଡ଼ି ଯାଉଛି । ଅବଶ୍ୟ ପ୍ରଥମେ କେହି ଏ ଚକ୍ରାନ୍ତ ବୁଝି ପାରି ନଥିଲେ । କଥାଟା ତମ ଆଉ ମୋ ଭିତରେ ଏପରି ଗୁପ୍ତ ଯେ ସ୍ୱୟଂ ଭଗବାନ ବି ତା’ର ସନ୍ଧାନ ପାଇବା ମୁସ୍କିଲ । କିନ୍ତୁ ଦିନ ଯେତେ ଗଡ଼ି ଗଡ଼ି ଯାଉଛି, ସମସ୍ତଙ୍କ କୁଟୀଳ ଆଖି ସେତେ ନିବଦ୍ଧ ହେଉଛି ତମରି ଉପରେ । ତରୁ କଥାଟାକୁ ଠିକ୍ ଧରି ନପାରିଲେ ବି ବୁଝିପାରିଛି ୟା’ ଭିତରେ କିଛି ନା କିଛି ଗୋଟାଏ ଚକ୍ରାନ୍ତ ଅଛି-। ସେଇଥିପାଇଁ ସେଇ ପ୍ରଥମ ଦେଖାଦିନୁ ସେ ରାଜଲକ୍ଷ୍ମୀକି ବାନ୍ଧିଛି କାନିପଣତରେ ।

 

ମୁଁ ବୁଝୁନି ମୁକ୍ତା ତରୁ କାହିଁକି କଥାଟା ଉପରେ ଏତେ ଗୁରୁତ୍ୱ ଦେଇଛି । ଏତ ନୂଆ ନୁହେଁ । କେତେ ନାରୀ ଆସି ଦେଖା ଦେଇଛନ୍ତି । ଜୟନ୍ତ ରାୟର ଜୀବନରେ । ତରୁର ଆଖି ଆଗରେ ତରୁର ପଲଙ୍କ ଉପରେ ଆସି ବସିଛନ୍ତି, ହସିଛନ୍ତି, ଘର ଫଟେଇଛନ୍ତି । ତରୁ ରାମ କି ବିଷ୍ଣୁ ପଦେ ପାଟିଫିଟେଇ ନାହିଁ । ଆଡ଼ ଆଖିରେ ଥରେ ଚାହିଁ ନାହିଁ । ଅଥଚ ଆଜି ହେଲା କ’ଣ, ସେ ମୁହୂର୍ତ୍ତକ ପାଇଁ ତା’କୁ କରଛଡ଼ା କରୁନାହିଁ । ବରଂ କୋଳରେ ପୂରେଇ ରଖିଛି ଯେମିତି ରଙ୍କୁଣୀ ମା’ ଲୁଚେଇ ରଖେ ତା’ ରଙ୍କୁଣୀ ପସରା ପୁଅକୁ ।

 

ତରୁ କହିଲା—ବୁଝିଲି । କିନ୍ତୁ ଭୁଲଟା ସେପଟୁ ନୁହେଁ, ଭୁଲଟା ଏପଟୁ । ଲକ୍ଷ୍ୟଟା ଆମର ବ୍ୟର୍ଥ ହେଇଗଲା ।

 

ବ୍ୟର୍ଥ ?

 

ବୁଝିପାରୁନା ? ସେ ଦିନ ‘ଜନଶକ୍ତି’ ପ୍ରେକ୍ଷାଳୟରୁ ଅଶୋକ ବାହାରିଗଲା ପରେ ମୁଁ ଠିକ୍ ବୁଝି ପାରିଥିଲି ସେ ମାନସ ରଂଜନ ପ୍ରତିହାରୀଙ୍କ ସମ୍ବନ୍ଧରେ ସମସ୍ତ କଥା ଲେଖି ତରୁକୁ ଜଣାଇଦେବ ଆଉ ତରୁ ଚିଠି ପାଇଲାମାତ୍ରେ କ୍ରୁଦ୍ଧିତା ଫଣିନୀ ଭଳି ଛୁଟି ଆସିବ କଟକ, ଆଉ ଯାହାକୁ ପାଇବ ତାକୁ ଦଂଶନ କରିବ । ତେଣୁ ଗୋଟାଏ ନୂଆ ପନ୍ଥା ଉଦ୍‍ଭାବନ କରିଥିଲି ମୁଁ । ତମର ସବୁ ବାରଣ ସତ୍ତ୍ୱେ, ପ୍ରତିବାଦ ସତ୍ତ୍ୱେ ମୁଁ ଗୋଟାଏ କଳଙ୍କର ଜାଲ ବିଛେଇ ଦେଇଥିଲି ଟାଉନର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ଯାଏ । ଯଦିଓ ତମରିଭଳି ମୋର ବି ଦୃଢ଼ ବିଶ୍ୱାସ ଥିଲା ତରୁ ଆଉ ପରାଶର ନିର୍ମଳ, ଶୁଦ୍ଧ, ଦେବୋପମ ।

 

ସେଇଠି ବୋଧେ ଆମେ ଭୁଲ୍ କଲେ । ମୁଁ ବାରମ୍ବାର ପ୍ରତିବାଦ କରିଛି—ପରାଶର ଋଷିପ୍ରତିମ, ତରୁ ସ୍ୱର୍ଗର ଦେବୀ ।

 

ନା ସେମାନଙ୍କୁ କାଳିମାଲିପ୍ତ କରି ସମାଜରେ ହୀନ, ଘୃଣ୍ୟ କରିଦେବା ମୋର ଉବ୍ଦେଶ୍ୟ ନଥିଲା । ମୋର ଉବ୍ଦେଶ୍ୟ ଥିଲା ଏହିପରି ଅହରହ ନିନ୍ଦା, ଅପବାଦ, ଦୁର୍ଗନ୍ଧରେ ସେମାନେ ମୁହ୍ୟମାନ ହେଇପଡ଼ିଲେ ନିଜକୁ ମୁକ୍ତ ଓ ନିର୍ମଳ କରିବାକୁ ସତତ ଚେଷ୍ଟା କରିବେ ଆଉ ଫଳରେ ହେଇଯିବେ ଦିନକୁ ଦିନ ଆତ୍ମକୈନ୍ଦ୍ରିକ, ଏଆଡ଼କୁ ଦୃଷ୍ଟି ଦେଇ ପାରିବେ ନାହିଁ । ଆଉ ଦୃଷ୍ଟି ନଦେଲେ ଆମେ ଅନାୟାସରେ ଆମ କାର୍ଯ୍ୟରେ ଅଗ୍ରସର ହେଇ ପାରିବା—ରାଜଲକ୍ଷ୍ମୀ କି କୌଶଳରେ ଖସାଇ ନିଆଯିବ ଦୂରକୁ ।

 

କିନ୍ତୁ ହେଲା କ’ଣ ? ଫଳ ଯେ ଠିକ୍ ଓଲଟା ଫଳିଲା ?

 

ମୁକ୍ତା କହିଲା—ହଁ, ପରାଶର ଲଙ୍ଗଳା ମହାଦେବ । ତାଙ୍କ ଦେହରେ ସାପ ରହୁ କି ତାଙ୍କ ଉପରକୁ ପଙ୍କ ଫୋପାଡ଼ ସେ ଜାଣି ପାରିବେ ନାହିଁ । କୌଣସି ନିନ୍ଦା ବା ଅପମାନ ତାଙ୍କୁ ଟଳାଇ ପାରିଲା ନାହିଁ । କିନ୍ତୁ ତରୁ ? ବୁଦ୍ଧିମତୀ । ଭଲମନ୍ଦ ବୁଝିବାର ଜ୍ଞାନ ଅଛି । ତା’ଛଡ଼ା ପରାଶର ପାଇଁ ତା’ ହୃଦୟରେ ଏତେ ଗଭୀର ନିଷ୍ଠା ଆଉ ଭକ୍ତି ଯେ ପରାଶରର ନିନ୍ଦା ସେ ମୁହୂର୍ତ୍ତେ ସହିପାରିଲା ନାହିଁ । ନାରୀ ସେ, ଏଭଳି ଅପବାଦରେ ତା’ ମୁଣ୍ଡ ମାଟିରେ ମିଶିଯିବା କଥା-। କିନ୍ତୁ ସେ ନିଜପାଇଁ ଆଦୌ ଭାବିଲା ନାହିଁ । ବରଂ ପରାଶରକୁ କଳଙ୍କରୁ ମୁକ୍ତ କରିବା ପାଇଁ ସବୁ ନିନ୍ଦା ଅପବାଦକୁ ମୁଣ୍ଡରେ ମୁଣ୍ଡେଇ, ସବୁ ଦୁଃଖ କଷ୍ଟକୁ କାନିରେ ବାନ୍ଧି ବାହାରିଗଲା ସୁଦୂର ଜି. ଉଦୟଗିରି । ବସିଲା ଯାଇ କୁଷ୍ଠରୋଗୀ ମେଳରେ ।

 

ଜୟନ୍ତ ବ୍ୟସ୍ତ ହେଇ ଉଠିଲା—ନା, ମୁଁ ଭୁଲ୍ କରିଛି ମୁକ୍ତା, ଏଭଳି ନିରୀହା, ନିରପରାଧିନୀ, ସତୀ ସ୍ତ୍ରୀ ଅଙ୍ଗରେ ମୁଁ କଳଙ୍କ ବୋଳିଛି ।

 

ତମେ ତ କିଛି କରିନା, ଯାହା କରିଛି ମୁଁ । ପ୍ରତ୍ୟକ୍ଷରେ ନୁହେଁ, ପରୋକ୍ଷରେ ନୁହେଁ, କାର୍ଯ୍ୟରେ ନୁହେଁ, କଥାରେ ନୁହେଁ, କୋଉଠି ତୁଣ୍ଡ ଖୋଲିନା ତମେ । ଖାଲି ଯୋଉଠି ଯାହା ଶୁଣିଛ, କାନରେ ହାତ ଦେଇ ଦେଇଛ, ପ୍ରତିବାଦ କରିନା କିଛି, ଏତିକି ଯାହା ।

 

କିନ୍ତୁ ସେତିକିରେ ମୁଁ କି ସର୍ବନାଶ କରିଛି ଜାଣ ମୁକ୍ତା ? ମୋ ଆଖି ଦି’ଟା ମୁଁ ଯେ ନିଜ ହାତରେ ଖୋଲି ଦେଇଛି । ଆଃ ଭଗବାନ !

 

ମୁକ୍ତା ତଟସ୍ଥ ହେଇ ଚାହିଁଲା । କହିଲା—ଏଁ ତମେ ଦୁଃଖ କରୁଛ ? ତରୁ ତମକୁ ଏକୁଟିଆ ଛାଡ଼ି ଚାଲିଗଲା ବୋଲି ତମ ଅନ୍ତରରେ ଆଜି ଅଶ୍ରୁ ?

 

ନା ସେ ଦୁର୍ବଳତା ମୋର ନାହିଁ । ତରୁ ପାଇଁ ମୋ ଅନ୍ତରରେ ଏକ ବିଶିଷ୍ଟ ସ୍ଥାନ, ଶୀର୍ଷତମ ସ୍ଥାନ ରହିଛି । ତରୁକୁ ମୁଁ ଖାଲି ଭଲ ପାଏ ନାହିଁ, ଭକ୍ତି କରେ ବି । କିନ୍ତୁ ତା ବୋଲି ମୁଁ ତା ପାଇଁ ଚିନ୍ତା କରିବି—ତା’ପାଇଁ ଘଣ୍ଟା ଘଣ୍ଟା ଧରି କାନ୍ଦିବି—ଏକଥା ମୋ ଜାତକରେ ନାହିଁ ।

 

ତାହେଲେ ଏଭଳି କହିବା ଉବ୍ଦେଶ୍ୟ ? ନିଜ ହାତରେ ନିଜ ଆଖି ଖୋଲିଛି ମାନେ ?

 

ବୁଝିଲି ନାହିଁ ? ମୁଁ ବ୍ୟର୍ଥ ହେଲି ସମ୍ବଲପୁରରେ, ସେ ଧରା ଦେଲାନି । ତମେ ବ୍ୟର୍ଥ ହେଲ କଟକରେ, ସେ ଧରା ଦେଲାନି । ଥରେ ନୁହେଁ, ବାରବାର ମତେ ଅପମାନ ଦେଇ ସେ ଏମିତି ଲୁଚକାଳି ଖେଳି ଚାଲିଲା । ପାରଳାଖେମୁଣ୍ଡିରେ ସେ କ’ଣ କହିଥିଲା ଜାଣ । ଆଉ ସେଦିନ ହସ୍ପିଟାଲରେ ଚେତା ଫେରିବା ସାଙ୍ଗେ ସାଙ୍ଗେ ମତେ ଚିହ୍ନି ପାରିଲା ବୋଧେ । ଚିତ୍କାର କରି ଉଠିଲା–ତମେ ପୁଣି ଏଠି ? ମୁଁ ସ୍ୱପ୍ନ ଦେଖିନାଇଁ ତ ? ମତେ କ’ଣ ଦଣ୍ଡକାରଣ୍ୟରୁ ଧରି ଆଣିଛ ଲଙ୍କାର ରାଜା ରାବଣ—ରାକ୍ଷସ ? ଇସ୍...ସେ ପୁଣି ଅଚେତ ହୋଇ ପଡ଼ିଗଲା । ମୋ ମୁହଁ ଜଳିଗଲା-। ତରୁ ପରାଶର କଟମଟ ହେଇ ମୋ ମୁହଁକୁ ଚାହିଁଲେ । ତମେ ଭାବୁଛ ମୁକ୍ତା ମୁଁ ଅପମାନସବୁ ଗୋଟିକ ପରେ ଗୋଟିଏ ସହିଯିବି ନିର୍ବିକାର ଚିତ୍ତରେ ? ମୁଁ ସହଜରେ କ୍ଷମା ଦେବି ତାକୁ-? ମୁଁ ସହଜରେ ଭୁଲିଯିବି ଏ ପରାଜୟର ତୀବ୍ର ଗ୍ଳାନି ??

 

କିନ୍ତୁ ଉପାୟ ? ବିରାଡ଼ି ବେକରେ ଘଣ୍ଟି ବାନ୍ଧିବାକୁ କହିବା ଆଉ ବାନ୍ଧିବା ଭିତରେ ସ୍ୱର୍ଗ ମର୍ତ୍ତ୍ୟ ପ୍ରଭେଦ । ବର୍ତ୍ତମାନ ସେହି ଗର୍ବିତା କୋଉଠି ଅଛି ଜାଣତ ? ବାଘୁଣୀ ମୁହଁରୁ ଛୁଆ ଛଡ଼େଇ ଆଣିବା ବରଂ ସହଜ, କିନ୍ତୁ ତରୁ ହାତରୁ ରାଜଲକ୍ଷ୍ମୀକି ? ଆଉ ସେ ପୁଣି ତମଭଳି ଲୋକ ??

 

ଜୟନ୍ତ କ୍ଷୁବ୍‍ଧ ହେଇ କହିଲା—ତମେ ଜୟନ୍ତରାୟର ଗୋଟିଏ ପାଖ ଦେଖିଚ ମୁକ୍ତା, ଆରପାଖ ଦେଖିନା । ଆର ପାଖ ଦେଖିଲେ ତମ ତରୁ ବି ଭୀତତ୍ରସ୍ତ ହେଇ ତ୍ରାହି ତ୍ରାହି ଡାକ ଛାଡ଼ିବ ।

 

ମୁକ୍ତା ହସି ଉଠିଲା । କହିଲା—ହଁ, କଟକରୁ ଆସିଲା ବେଳେ ଶୁଣିଲି ତମେ ତ୍ରାହିତ୍ରାହି ଡାକ ଛାଡ଼ୁଛ ଆତ୍ମହତ୍ୟାର ବିକଳ ବନ୍ଧନରେ—ଜୀବନକୁ ନିଃଶେଷ କରିଦେବା ତମ ଇଚ୍ଛା; ଡାକବଙ୍ଗଳାରେ ଆସି ଶୁଣିଲି, ମୁକ୍ତା, ନିହାର, ସ୍ୱର୍ଣ୍ଣକୁ ତ୍ରାହିତ୍ରାହି ଡାକ ଛାଡ଼ିବାକୁ ପଡ଼ିବ । କାରଣ ତମେ ବନ୍ଧୁକ ରେଡି କରି ରଖିଛ ତାଙ୍କ ଛାତିରେ ଢା’ଇ ଢା’ଇ ଫୁଟେଇ ଦବାକୁ; ଆଉ ମଝିରେ ତରୁ ଭୟରେ ତମ ଆତ୍ମା କେମିତି ତ୍ରାହିତ୍ରାହି ରାବ କଲା, ଶୁଣି ଶୁଣି ଏ ଗଗନପବନ ଥିର ହେଇ ଗଲେଣି; ଆଉ ବର୍ତ୍ତମାନ କହୁଛ—ତରୁ ଗ୍ରସ୍ତା ହରିଣୀ ଭଳି ଚିତ୍କାର ଛାଡ଼ିବ—ତ୍ରାହି ମାଂ, ତ୍ରାହି ମାଂ-। .....କୁହ କେଉଁଟା ମୁଁ ବିଶ୍ୱାସ କରିବି ? ବରଂ ଗୋଟିଏ କଥାରେ ମୋର ପୂର୍ଣ୍ଣ ବିଶ୍ୱାସ, ଖଣ୍ଡାୟତ ତମେ, ପାଇକ ପିଲା । ଗୋଟିଏ କଥା ଅଛିନା—ମାଇପ ଆଗରେ ପାଇକ ପଣ । କଥାଟା ବାସ୍ତବରେ ସତ ।

 

ବାଘୁଣୀର ମୁଣ୍ଡକୁ ଲକ୍ଷ କରି ଯେମିତି ଗୁଳି କଲା କିଏ । ଗୁଳି ମୁଣ୍ଡରେ ନବାଜି ପେଟରେ ବାଜିଲା । ଗର୍ଜନରେ ବିଶ୍ୱ ବ୍ରହ୍ମାଣ୍ଡ ଫଟେଇ ସୃଷ୍ଟି ଅନ୍ଧକାର କରି ଡେଇଁ ପଡ଼ିଲା ବାଘୁଣୀ-। ଠିକ୍ ସେମିତି ମସ୍ତ ଏକ ଫୁତ୍‍କାର ତୋଳି ଲମ୍ଫ ଦେଲେ ଜୟନ୍ତରାୟ । କହିଲେ–ସତେ-? ଏତେ ଦୂର ? ତମେ ମୋତେ ଉପହାସ କରୁଛ ? ମୋ ଘର କେଉଁଠି ଜାଣ ? ତାଳଚେର–ଯୋଉଠି ବିଦ୍ରୋହୀ ପବିତ୍ର ପ୍ରଧାନର ଜୀଅଁନ୍ତା ମୁଣ୍ଡ ନଇଲେ ମଲା ମୁଣ୍ଡ ଆଣି ଦେବାକୁ ଦଶ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ପୂର୍ବତନ ରାଜା । ମୁଁ ରାଜଲକ୍ଷ୍ମୀ ରାଓର ଜୀଅନ୍ତା ମୁଣ୍ଡ ଆଣି ଦେଇପାରିଲି ନାହିଁ । ବେଶ୍ ଏଇ ଛୁରୀ—ଏଇ ଛୁରୀରେ ମୁଁ ଆଜି ହାତ କାଟି ରକ୍ତରେ ଲେଖି ଦଉଛି, ଯଦି ରାଜଲକ୍ଷ୍ମୀର ମଲା ମୁଣ୍ଡ ବୀର ବିକ୍ରମସିଂହ ମହେନ୍ଦ୍ର ନାରାୟଣ ରାୟର ପୁଅ ନୁହେଁ । ମୁଁ ହାଡ଼ିଆ ଘାସିର ପୁଅ ! ଘାସିର ପୁଅ !!

 

ଜୟନ୍ତ ତାକୁ ଗୋଟିପଣେ କୁଣ୍ଢେଇ ପକେଇଲା । ମୁକ୍ତାସ୍ତିର ହୁଅ । ଶାନ୍ତ ହୁଅ । ମୋର ଭୁଲ ହେଇଛି । ମୁଁ ଖାଲି ପରିହାସରେ କହୁଥିଲି ।

 

ପରିହାସ, ଉପହାସ, ଅବହାସ, ଦରହାସ—ସବୁ ହାସ ତମର ରଖିଦିଅ ମୁକ୍ତା । ରାଜବଂଶର ସନ୍ତାନ ମୁଁ । ମୋ କଥା ହିଁ କଥା । ଜୀଅନ୍ତା ହଉ, ମଲା ହଉ, ମୁଁ ଚାହେଁ ରାଜଲକ୍ଷ୍ମୀ—ରାଜଲକ୍ଷ୍ମୀ—ରାଜଲକ୍ଷ୍ମୀ, ଆସ, ମୁଁ ମଟରେ ଷ୍ଟାଟ୍ ଦଉଛି ।

 

ରୁହ, ଶୁଣ, ତମ ହାତ ଧରୁଛି, ତମ ଗୋଡ଼ ଧରୁଛି, ଟିକିଏ ଶୁଣ ।—ମୁକ୍ତା କୁଣ୍ଢେଇ ଧରିଥାଏ । ଜୟନ୍ତର ଛାତି ଉପରେ ଖାଲି ମୁଣ୍ଡ ପିଟି ପିଟି କହୁଥାଏ—ମୋ’ରି ଲାଗି ତା’ହେଲେ ଗୋଯାଏ ନିରୀହା ବାଳିକା ବଳି ପଡ଼ିବ ଚଣ୍ଡୀଙ୍କ ଆଗରେ ?

 

ସୟତାନ୍ ଭଳି ଠୋ ଠୋ ହସି ଉଠିଲା ଜୟନ୍ତ । କହିଲା—ରୋଗିଙ୍କ ପାଟିରେ ନାଲି ପାଣି ଢାଳିବା ଲୋକ ତମେ । ତମେ କ’ଣ ଜାଣିବ ଚଣ୍ଡୀ କିଏ, ଜନନୀ କିଏ, ଯିଏ ଚାହୁଁ ଚାହୁଁ ଜିଭ ଲହ ଲହ କରି ଖାଇଗଲା ଦଶ ଦଶଟା ମୁଣ୍ଡ—ସେ ପୁଣି ଯେ ସେ ମୁଣ୍ଡ ନୁହେଁ, ନରମୁଣ୍ଡ, ନରବଳି–ସିଏ ନିଜେହିଁ ତ ଚଣ୍ଡୀ । ତାକୁ ବଳି ଦେଲେ ପୁଣି ଦୁଃଖ ? ପୁଣି ଅଶ୍ରୁ ? ହାଃ, ହାଃ, ହାଃ, ହାଃ, ହାଃ, ହାଃ,

 

ମୁକ୍ତା ଦବି ନଯାଇ ସାହସ କରି କହିଲା—ହଁ ତମେ ବଳି ଦେଇଛ, କିନ୍ତୁ ସେ ଖାଇଲା ବୋଲି କହୁଛ କାହିଁକି ? ତମେ ଯଦି ମନଇଛା ଦଶଟା ମୁଣ୍ଡ ନେଇ ଗୋଟାଏ ଗଛ ଆଗରେ ହାଣ, ସେଥିପାଇଁ ତ ଗଛ ଦାୟୀ ନୁହେଁ ।

 

ମୁକ୍ତାକୁ ଶୂନେ ଶୂନେ ଟେକି ନେଇ କାରରେ ବସେଇ ଜୟନ୍ତ ସେତେବେଳକୁ କାର୍ ଷ୍ଟାର୍ଟ କରିଥିଲା । ଗୋଟାଏ ତାଚ୍ଛଲ୍ୟ ହସ ହସି କହିଲା–ମାଇକିନିଆ ବୁଦ୍ଧିରେ ଯେ ଦୁନିଆଁ ଚାଲେ ନାହିଁ, ଏପରି ନୁହେଁ । କିନ୍ତୁ ଶ୍ରୀମତୀ ବନ୍ଦର ନାୟକ ହେବାକୁ ତମକୁ ଅନେକ ଜନ୍ମ ଲାଗିବ । ତା ଅପେକ୍ଷା ବରଂ ତୁନି ହେଇ ବସ । ହେଇ ଜଗତପୁର ବଜାର ଆସିଲାଣି ।

 

କିନ୍ତୁ ଥରେ ଭାବି ଦେଖ, ସିଏ କ’ଣ ପ୍ରକୃତରେ ଦାୟୀ ?

 

ଗୋଟାଏ ହଣ୍ଟର ଥିଲେ ତମ ପିଠିରେ ସଟାଙ୍ଗକିନି ଗୋଟାଏ ପାହାର କଷି ପଚାରନ୍ତି କିଏ ଦାୟୀ ? ଯାହାପାଇଁ ମୁଁ ଏତେ କଷ୍ଟ କଲି, ଏତେ ଅପମାନ ସହିଲି, ଲଜ୍ଜାରେ ମୋ ମୁଣ୍ଡ ମାଟିରେ ମିଶିଲା, ଯାହାପାଇଁ ଶହଶହ ଟଙ୍କା ଗଲା ମାନସରଞ୍ଜନ ହାତକୁ, ଦଶ ଦଶଟା ଲୋକ ଜଳନ୍ତା ନିଆଁରେ ହୁହୁ ଜଳିଲେ, ଆଉ ସବୁ ଚାହିଁ ବଡ଼ କଥା ଯାହାପାଇଁ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ମୁଁ ସମର୍ଥନ କଲି ମୋ ଦେବୀ ପ୍ରତିମା ସ୍ତ୍ରୀର ଚରିତ୍ରରେ କଳଙ୍କ ଯୋଉ ନିନ୍ଦାରେ, ଯୋଉ ଅପମାନରେ ତା ମୁଣ୍ଡ ଛତୁ ହୋଇଗଲା, କଟକ ଛାଡ଼ି ପଳେଇବାକୁ ବାଟ ପାଇଲା ନାହିଁ, ତମେ କ’ଣ ଭାବୁଛ ସେ ବାଳିକା ନିରୀହା ? ସେ ନିଷ୍ପାପ ? ସେ ମୋର ଏତେବଡ଼ ବିପର୍ଯ୍ୟୟ ପାଇଁ ଦାୟୀ ନୁହେଁ ??

 

ମୁକ୍ତା ଦୃଢ଼ କଣ୍ଠରେ କହିଲା—ନା, ଦାୟୀ ନୁହେଁ । ଏଇ ମହାନଦୀ ବକ୍ଷରେ କାର୍ ଚାଲିଛି । ଉପରେ ଚନ୍ଦ୍ର, ତଳେ ଝର୍ ଝର୍ ନୀଳ ଜଳ । ଏଇ ମୁକ୍ତ ଆକାଶ ଆଉ ବିଶାଳ ପୃଥିବୀକି ଚାହିଁ, ମୁକ୍ତ ହୃଦୟରେ, ସ୍ୱଚ୍ଛ ହୃଦୟରେ, ମହାପ୍ରାଣତାରେ ଉଦ୍‍ବୁଦ୍ଧ ହେଇ ଥରେ ଭାବ, ଦେଖିବ, ସେ ଦାୟୀ ନୁହେଁ । ତମେ ଅପମାନ ସହିଛ, ସତ; ଶହ ଶହ ଟଙ୍କା ଯାଇଛି, ସତ; ମଣିଷ ଜୀଅଁନ୍ତା ମରିଛନ୍ତି, ସତ; ତରୁର ତୁଷାରଧବଳ ଅଙ୍ଗରେ କାଳିମା ବୋଳା ହେଇଛି, ସତ । ଆଉ ଏ ସବୁ ତାହାରି ପାଇଁ, ସବୁରି ମୂଳରେ ସିଏ, ୟା ମଧ୍ୟ ଲକ୍ଷେ ବାର ସତ । କିନ୍ତୁ କୁହ ଦେଖି ସେ କ’ଣ ତମକୁ କହିଥିଲା ଏସବୁ କରିବାକୁ ? ସେ ବାଧ୍ୟ କରିଥିଲା ? ତା’ର ଗରଜ ଥିଲା ଏଥିରେ ନା ଗରଜଥିଲା ତମର—ଜୟନ୍ତ ରାୟଙ୍କର ? ଲୋକ ମାରିଲା କିଏ ? ସିଏ ନା ତମେ ? କିଏ ତାକୁ ବାଧ୍ୟ କଲା ନିଆଁ ଜାଳିବାକୁ ? ମଣିଷ ମାରିବାକୁ ? ସୃଷ୍ଟି ସଂହାର କରିବାକୁ ? କିଏ ? କିଏ ? କିଏ ?

 

Shut up Nonsense ! ମୁଁ ଆଉ କିଛି ଶୁଣିବାକୁ ଚାହେଁନା । ରକ୍ତରେ ହୋରିଖେଳ ଆରମ୍ଭ ହେଇଛି, ସେ ସେଇ ରକ୍ତରେ ଶେଷ ହେଉ । ତଣ୍ଟି ମୋର ଶୁଖି ଯାଇଛି ମୁକ୍ତା-। ମୁଁ ଚାହେଁ ରକ୍ତ ! ରକ୍ତ ! ରାଜଲକ୍ଷ୍ମୀର ରକ୍ତ !! ହାଃ, ହାଃ, ହାଃ, ହାଃ, ହାଃ, ହାଃ ।

 

ମୁକ୍ତା କହିଲା—ତେବେ ଶୁଣ ମୋର ଶେଷ କଥା । ଯଦି ତମେ ରକ୍ତ ଚାହଁ, ଖାଲି ରାଜଲକ୍ଷ୍ମୀ ରକ୍ତରେ ସନ୍ତୁଷ୍ଟ ହେଲେ ଚଳିବ ନାହିଁ । ତମକୁ ଆହୁରି ରକ୍ତ ପିଇବାକୁ ହେବ । ସେ ରକ୍ତ ଛାଏଁ ଛାଏଁ ଖସିବ । ସେ ରକ୍ତ କାହାର ଜାଣ ? ଜାଣ ? ସେ ତରୁର ରକ୍ତ—ତରୁର ରକ୍ତ ! ତମେ ରାଜଲକ୍ଷ୍ମୀ କି ଯୋଉଦିନ ମାରିବ, ସେହିଦିନ ଆତ୍ମହତ୍ୟା କରିବ ତରୁ—ତରୁ—ତରୁ !

 

Damn it, stop it, let the whole world go to dogs, ବୀର ବିକ୍ରମ ସିଂହ ମହେନ୍ଦ୍ର ନାରାୟଣ ରାୟର ପୁଅ ଗୋଟାଏ କଥା କହେ । ଦ୍ୱିତୀୟ କଥା ସେ ଜାଣେନା । ତରୁ ମରିବ ? ମରୁ ତରୁ । ମୁଁ ଚାହେଁ ରାଜଲକ୍ଷ୍ମୀକି । ମୁଁ ଚାହେଁ ରାଜଲକ୍ଷ୍ମୀର ଜୀଅଁନ୍ତା ମୁଣ୍ଡ ନଇଲେ ମଲାମୁଣ୍ଡ ! ହାଃ, ହାଃ, ହାଃ, ହାଃ, ହାଃ, ହାଃ, ହାଃ, ହାଃ, ହାଃ ।

 

ମୁକ୍ତା ସ୍ତବ୍‍ଧ ହେଲା । ଗାଡ଼ି କଟକ ଛୁଇଁଲା ।

 

–ବାର–

 

‘ଗୋବର ଆଟିକା ଗୋଳି ଥୋଇଲି ଲୋ ବସନ୍ତ ଗୁରୁବାରକୁ

ମାଳି ଘରଫୁଲ ଗୁନ୍ଥି ଥୋଇଲି ଲୋ ଭାଇଙ୍କ ଲମ୍ବ ବାଳକୁ ।

ବାଳ ହୋଇଗଲା କୁଞ୍ଚୁକୁଞ୍ଚିଆ ଲୋ ଫୁଲ ହୋଇଗଲା ବାସୀ,

ସକାଳ ଗାଧୁଆ ପଖାଳଖିଆ ଲୋ, ଭାଇ ସବୁଦିନେ ପରବାସୀ ।’

 

କିଲୋ, କିଲୋ, କିଲୋ, ତୁ ତ ପକ୍କା ଓଡ଼ିଆଣୀ ହେଇ ଗଲୁଣି ? କୋଉଦିନ ଏମିତି ଗୀତ ଶିଖିଲୁ ମ ? କିଏ ତତେ ଶିଖେଇଲା ଗୀତ ? —ହସି ହସି ପଚାରିଲା ତରୁ ।

 

ରାଜଲକ୍ଷ୍ମୀ ସେମିତି ହସି ହସି କହିଲା—ହଁ ଆକାୟା, ମୁଁ ତ କେତେ ଗୀତ ଶିଖିଲିଣି, ଆଉ ଶୁଣିବ ?

 

‘ମେଘ ତ ଅଇଲା କଳାହାଣ୍ଡିଆ ଲୋ ହିର ଡେଇଁଗଲା ପାଣି,

ବୋହୂ ବାପଘର କନ୍ଦରାପାରିଲୋ କୋଉ ପୁଅ ଯିବ ଆଣି ।

ବୋହୂ ତ ଆଇଲା ମଙ୍ଗଳବାର ଲୋ ପୁଅକୁ ବୋହୂ ଯାଉ ବାପଘର ।’

 

ଉହୁଁ, ଉହୁଁ, ବୋହୂ ବାପଘର ଯାଇ ପାରିବ ନାହିଁ । କେତେ କଷ୍ଟରେ ତା’କୁ ଦେଶରୁ ବୋହୂ କରି ଆଣିଛି । ଏତେ ଚଞ୍ଚଳ ସେ ବାପଘରକୁ ଚାଲିଯିବ ?

 

ଛି ଆକାୟା, ସେମିତି କହିବ ତ ମୁଁ ଏଠାରୁ ଚାଲିଯିବି ।

 

କାହିଁକି ମ, ପୁଅ କ’ଣ ଆମର ଅଯୋଗ୍ୟ ? ଅସୁନ୍ଦର ? ଅଶୋକ ଭଳି ପୁଅ–କନ୍ଦର୍ପ-। ଆଉ ତା’ ସାଙ୍ଗକୁ ଏଇ ବୋହୂ... ତରୁ ରାଜଲକ୍ଷ୍ମୀର ଗାଲ ଚିପିଦେଲା ।

 

ଆକାୟା !! —ଚିତ୍କାର କରି ଉଠିଲା ରାଜଲକ୍ଷ୍ମୀ । ଛାଟିପିଟି ହେଇ ପଳେଇ ଯାଉଥିଲା, ତରୁ କାନି ଧରି ଟାଣି ଆଣିଲା କୋଳକୁ । କୋଳରେ ବସେଇ ମୁହଁରେ ବୋକ ଦେଇ କହିଲା—ସତେଲୋ, ଚନ୍ଦ୍ରଉଦିଆ ବୋହୂ ମୋର । ଏ ତ ବୋହୂ ନୁହେଁ, ସରଗର ପରୀ.......

 

ଆଉ ଏ ସରଗର ପରୀର ମନ କଥା କ’ଣ ଜାଣ ଆକାୟା ? ସେ ଅଶୋକକୁ ବାହା ହବ ନାହିଁ, ବାହା ହବ ତମକୁ—ତମକୁ !

 

ମତେ ?? —ଠୋ ଠୋ ଠୋ ଠୋ ହେଇ ହସି ଉଠିଲା ତରୁ । ରାଜଲକ୍ଷ୍ମୀ ବି କିର୍ କିର୍ ହେଇ ହସିଲା । ହସ କୋଳାହଳରେ ଘର ଫାଟିଲା ।

 

କେତେବେଳେ—

 

ରାଜଲକ୍ଷ୍ମୀ ବିହ୍ୱଳ ହେଇ କହିଲା—ଆକାୟା, କହିବ ଦେଖି, ତମେ ମତେ ଏତେ ସ୍ନେହ କର କାହିଁକି ?

 

ତରୁ କହିଲା—ତୁ ଆଗ କହିବୁ ଦେଖି, ତୁ ମତେ ଏତେ ପର ବୋଲି ଭାବୁ କାହିଁକି ?

 

ପର ?? ତମକୁ ?? —ରାଜଲକ୍ଷ୍ମୀ ସତେକି ସ୍ୱର୍ଗରୁ ଖସି ପଡ଼ିଲା ।

ନିଶ୍ଚୟ । ତା’ ନହେଲେ ମୁଁ ଲକ୍ଷେବାର ମନାକଲେ ବି ସେଇ ତମେ, ତମେ...

ରାଜଲକ୍ଷ୍ମୀ ହସିଲା । କହିଲା—କିନ୍ତୁ କାହିଁକି ? ବଡ଼ ଭଉଣୀକି କ’ଣ ତମେ କହନ୍ତି ନାହିଁ ?

ହଁ, ମା’କୁ ବି ତମେ କହନ୍ତି, ବୁଢ଼ୀମା’କୁ ଆପଣ କହନ୍ତି... ଆକାୟା !

ଇଂରାଜୀରେ ଗୋଟିଏ କଥା ଅଛି—Where heart is dry, tongue is brisk. ଯୋଉଠି ? ଏତେ ଆଜ୍ଞା, ଆପଣ, ତମେ, ସେଠି ଭିତରେ ଶୁଖିଲା ଠକ୍ ଠକ୍ । କହିଲୁ ମୁଁ ତୋ’ର ଖାଲି ଜଣେ ଫ୍ରେଣ୍ଡ ନା ତୋ’ର ଆକାୟା, ଅପା, ନାନୀ, ନାନା, ଦିଦି ତରୁ ??

କିନ୍ତୁ ?

କିନ୍ତୁ କିଛି ନୁହେଁ, ଆମେ ଠାକୁରଙ୍କୁ ବି ତୁ କହୁ, ଆପଣ କହୁ ନା । —‘ହେ ବଳିଆର ଭୂଜ, ତୁ ରଖିଲେ ରଖ ମାରିଲେ ମାର’ । ହୃଦୟ ବଡ଼ କଥା ଲକ୍ଷ୍ମି, ସ୍ନେହ ବଡ଼ ଜିନିଷ । ଏ ଆଜ୍ଞା, ଆପଣ, ମାନନୀୟ ପୂଜନୀୟ, ବନ୍ଦନୀୟ, ସବୁ ଖାଲି ଉପର ଦେଖାଣିଆ ।

ଆଚ୍ଛା ହେଲା, ତୁ କହିଲୁ ଆକାୟା, ତୁ ମତେ ଏତେ ଭଲପାଉ କାହିଁକି ?

ତୋ ଠେଇଁ ସେମିତି କିଛି ‘ଭଲ ’ ପାଇଛି ବୋଲି ।

ଭଲ ?

ବର୍ଷାଦିନେ କଳା ଆକାଶରେ ଜଳି ଉଠେ ବିଜୁଳି, ଦେଖିଛୁ ?

ବିଜୁଳି ? ହଠାତ୍ ସେ କଥା ?

ନୈଋତ କୋଣରେ ଦେଖା ଦେଇ ଚଟ୍‍କିନି ଲିଭି ଦେଖାଦିଏ ଐଶାନ୍ୟ କୋଣରେ । ଆଖିର ପଲକ ନ ପଡ଼ୁଣୁ ଏ ମୁଣ୍ଡରୁ ଖେଦିଯାଏ ସେ ମୁଣ୍ଡକୁ ।

ହଁ ହେଲା ଯେ, କିନ୍ତୁ ସେ କଥାର ଏଠି ଅବତାରଣା ?

ଆକାଶ ଗୋଟା ଚମକି ଯାଏ ସେ ଆଲୁଅରେ । ମନେ ହୁଏ ଯେମିତି ତୃତୀୟ ପାଣ୍ଡବ ଫାଲଗୁନିଙ୍କର ଅଗ୍ନିଶର ଫୁତ୍କାର ତୋଳି ଛୁଟି ଯାଉଛି କର୍ଣ୍ଣଙ୍କର ଅଙ୍କପେଟୀ ଭିତରକୁ ।

ଆରେ ତୁ ତ ବଡ଼ ଆଶ୍ଚର୍ଯ୍ୟ ଆକାୟା, ତୁ କ’ଣ କହୁଛୁ ? କାହା କଥା କହୁଛୁ ?

କହୁଛି ବିଦ୍ୟୁତର କଥା, ଚପଳାର କଥା, କ୍ଷଣପ୍ରଭାର କଥା, ଯାହାର ସ୍ୱର୍ଣ୍ଣମୟ କାନ୍ତି ମୋ ଆଖିରେ ଅଞ୍ଜନ ବୋଳି ଦେଇଛି, ଯିଏ ଗୋଟାଏ ମୁହୂର୍ତ୍ତରେ ଛୁଟି ଆସିଛି ପାର୍ବତୀପୁରମରୁ ପାରଳା, ପାରଳାରୁ ସମ୍ବଲପୁର ଆଉ ସମ୍ବଲପୁରେ ଆକାଶରୁ ଝଣ ଝଣ ହେଇ ଛିଡ଼ି ପଡ଼ିଛି ମାଟିରେ—ପୋଡ଼ି ପାଉଁଶ କରି ଦେଇଛି ଗଛଲତା, ଘରଦ୍ୱାର ଜନମାନବ ଯାହା ପଡ଼ିଲା ଆଗରେ-

ଆକାୟା !!

 

ମୁଁ ବୁଝି ନାହିଁଲୋ ସେ ରହସ୍ୟ । ସେ ପାରଳାର କି ସମ୍ବଲପୁର ସେ ତେଲେଙ୍ଗାଣୀ କି ଓଡ଼ିଆଣୀ ମୁଁ ଜାଣି ନାହିଁ । ଜାଣିବା ଦରକାର ନାହିଁ । ଫୁଲର ସୁବାସ ଯଦି ମଣିଷକୁ ମୁଗ୍‍ଧ କଲା, ଫୁଲର ନାଁ ଜାଣି, ନାଁ ଚିହ୍ନି ତ କିଛି ଲାଭ ନାହିଁ ।

 

ଲଜ୍ଜିତ ହେଲା ରାଜଲକ୍ଷ୍ମୀ, କହିଲା—ମୋର ଭୁଲ୍ ହେଇଛି ଆକାୟା, ମୁଁ ଏ ଯାଏ ତୋତେ ମୋର ପରିଚୟ ଦେଇନାହିଁ । କିନ୍ତୁ ତୁ ମୋତେ ଯାହା ଭାବୁଛୁ, ମୁଁ ତା’ର କାଣିଚାଏ ନୁହେଁ ଲୋ । ବିପଦରେ ପଡ଼ିଲେ ମଣିଷ ହୃଦସ୍ତ କ’ଣ ଗୋଟାଏ କରି ଦିଏ ।

 

ତରୁ କହିଲା—ଥାଉ; ତୋ’ କଥା ତୁ କହନା, ଆମେ କହୁ । ଭାଇଙ୍କି ଜାଣୁ ତ ? କେଡ଼େ ପଣ୍ଡିତ, କେଡ଼େ ଧର୍ମପ୍ରାଣ । ସେ କହିଲେ—ରାଜଲକ୍ଷ୍ମୀ ଭାରତୀୟ ସଂସ୍କୃତିର ଶ୍ରେଷ୍ଠ ପ୍ରତୀକ । ସେ ଜନନୀ ଭଳି ଭଗିନୀ, ଦୟାମୟୀ, କରୁଣାମୟୀ, ସ୍ନେହମୟୀ । ପୁଣି ଅନ୍ୟାୟ ବିରୁଦ୍ଧରେ ଅତ୍ୟାଚାର ବିରୁଦ୍ଧରେ କାତ୍ୟାୟନୀ ଭଳି ଖଡ଼ଗ ଧାରିଣୀ, ଖର୍ପର ଧାରିଣୀ, ସୃଷ୍ଟି ସଂହାରିଣୀ ଚଣ୍ଡୀ । ....ସେଥିପାଇଁ ତୁ ଯେତେବେଳେ ଡାକ୍ତରଖାନାରେ ଅଚେତ ହେଇ ପଡ଼ିଥିଲୁ, ଜୟନ୍ତ ବାବୁ, ମୁକ୍ତା ଧାଁ ଦଉଡ଼ କରୁଥିଲେ ଡାକ୍ତର ଡାକିବାକୁ, ସେତେବେଳେ ଭାଇ ତୋ’ ରୋଗଶଯ୍ୟା ପାଖରେ ଠିଆ ହେଇ ନୟନ ମୁଦ୍ରିତ କରି ଗାଉଥିଲେ–

 

‘ଯା’ଦେବୀ ସର୍ବଭୂତ୍ତେଷୁ ଶାନ୍ତି ରୂପେଣ ସଂସ୍ଥିତା,

ନମସ୍ତସ୍ତୈ ନମସ୍ତସ୍ତୈ ନମସ୍ତସ୍ତୈ ନମୋ ନମଃ ।

ଯା’ ଦେବୀ ସର୍ବଭୁତ୍ତେଷୁ ଶକ୍ତି ରୂପେଣ ସଂସ୍ଥିତା

ନମସ୍ତସ୍ତୈ ନମସ୍ତସ୍ତୈ ନମସ୍ତସ୍ତୈ ନମୋ ନମଃ ।’

 

ଆଁ ଆକାୟା ! —କିର୍ କିର୍ ହେଇ ହସି ଉଠିଲା ରାଜଲକ୍ଷ୍ମୀ । କହିଲା—ଏକାବେଳକେ ଚଣ୍ଡୀପୀଠ ! ଭଗବାନ, ଏଡ଼େ ପାଗଳ ପୁଣି ଥାଆନ୍ତି ?

 

ହଁ ଭାରୀ ଭାବପ୍ରବଣ ସିଏ । ଏଣେ ଚଣ୍ଡୀପୀଠ ଚାଲିଥାଏ । ତେଣେ ଦରଦର ଲୋତକ ବହି ଯାଉଥାଏ ଆଖିରୁ । ମୁଁ ହଲେଇ ଦେଇ କହିଲି—ଭାଇ, ଏଇଟା ଡାକ୍ତରଖାନା, ଲୋକେ କ’ଣ ଧୀର କଣ୍ଠରେ ଆରମ୍ଭ ହେଲା ପୁଣି ଗୀତାର ବିଶ୍ୱରୂପ—

 

‘ଅଦୃଷ୍ଟ ପୂର୍ବଂ ହୃଷିତୋସ୍ମି ଦୃଷ୍ଟ୍ୱା,

ଭୟେନ ଚ ପ୍ରବ୍ୟଥିତଂ ମନୋମେ ।

ତଦେବ ମେ ଦର୍ଶୟ ଦେବ ରୂପଂ

ପ୍ରସୀଦ ଦେବେଶ ଜଗନ୍ନି ଦାସ ।’

 

ପୁଣି ହସିଲା ରାଜଲକ୍ଷ୍ମୀ । କହିଲା—ତା’ ମାନେ ?

 

ବୁଝିଲୁ ନାହିଁ ? ତୁ ଯେତେବେଳେ ଧ୍ୱଂସ କଲୁ ଏତେ ଗୁଡ଼ାଏ ଲୋକ, ତୋ ଭିତରେ ଭଗବାନଙ୍କର ବିଶ୍ୱରୂପ ପ୍ରକଟିତ ହୋଇଥିଲା । ତେଣୁ ତୋତେ ଶାନ୍ତ କରିବା ପାଇଁ ଏ ବିନୀତ ପ୍ରାର୍ଥନା ।

 

ରାଜଲକ୍ଷ୍ମୀ ହସି ହସି ଗଡ଼ିଲା । କହିଲା—ହାୟ ଭଗବାନ, ହାୟ ପ୍ରଭୋ, ଏମିତି ଲୋକ ପୁଣି ଅଛନ୍ତି ? ଏ ତ ପୂରାପୂରି ଜଙ୍ଗଲର ଜୀବ ।

 

ତରୁ କହିଲା—ନା, ଜଙ୍ଗଲର ଜୀବ ନୁହେଁ । ହିମାଳୟର ଲୋକ—ସାଧୁ, ମହାପୁରୁଷ । ଦୁନିଆର ପ୍ରତ୍ୟେକ କଥାରେ ପ୍ରତ୍ୟେକ କାର୍ଯ୍ୟରେ ସେ ଉପଲବ୍‍ଧି କରନ୍ତି ଇଶ୍ୱରଙ୍କ ସତ୍ତା । ବାଇବେଲର କଥା ସେ ବରାବର କହନ୍ତି—Not a blade of grass moves without His will. —ତାଙ୍କର ଇଛା ନହେଲେ ଦୁବଟିଏ ବି ହଲେ ନାହିଁ । ସେଦିନ ସେ ଆହୁରି କେତେ କଥା କହିଥାନ୍ତେ, ଯଦି ଏପଟୁ ନନ୍ଦ ସେପଟୁ ବସୁଦେବ ଆସି ପହଞ୍ଚି ଯାଇ ନଥାନ୍ତେ ହଠାତ୍ ।

 

ରାଜଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଇ ଚାହିଁଲା । କହିଲା—ନନ୍ଦ, ବସୁଦେବ ?

 

ହଁ ନନ୍ଦ, ବସୁଦେବ । ଆସୁ ଆସୁ ଆରମ୍ଭ କରିଦେଲେ କଳି । ଇଏ କହିଲା ମୋର, ସିଏ କହିଲା ମୋର । ଇଏ କହିଲା—କାହିଁପାଇଁ କଳି କର ହୋ, ସିଏ ଆଉ ପାରଳା ନାଇଁ ଯାଏ । ... ଆଉ ସିଏ କହିଲା—ଏଣ୍ଟି, ଏଣ୍ଟି ନିନୁ ଦିନକି ପେଚାନ୍ତୁ । ଆଦି ନା କାନୁ, ଆଦି ନା ଧନ, ଆଦି ଗୁଡ଼ିଆଡ଼ୁ ଚେତିଲୁକାରା ।

 

ରାଜଲକ୍ଷ୍ମୀ ଫେଁ ଫେଁ ହସି ଲୋଟି ପଡ଼ିଲା ତରୁ ଛାତିରେ । କହିଲା—ତୁ ତେଲଗୁ କୋଉଠୁ ଶିଖିଲୁମ ଆକାୟା ? କେଡ଼େ ସୁନ୍ଦର କହୁଛୁ ।

 

କି, ତୁ ତେଲେଙ୍ଗାଣୀ ହେଇ ଦିନ ଦି’ଟା କଟକରେ ରହି ଏଡ଼େ କଅଁଳ ଗୀତ ବୋଲୁଛୁ, ଆଉ ମୁଁ ତେଲୁଗୁ ପଦେ କହିଲେ ହେଲା ଭୁଲ୍ ?

 

ନାଇଁ ଭୁଲ୍‍ ନାଇଁ ଯେ ସାହାବ ଓଡ଼ିଆ କହିଲା ଭଳିଆ ହେଲା–‘ ଟମ ନାଁ ଶାଣ୍ଟି ରାଉଟ-? ଟମ ପିଟା କ’ଣ କଡ଼ଣ୍ଟି ?’

 

ସତେ—ତରୁ ହସି ଉଠିଲା ।

 

ରାଜଲକ୍ଷ୍ମୀ କହିଲା—ଥାଉ ସେକଥା, ମୋ କଥା କହେ । ମୋ ବିଷୟରେ ଗୋଟାଏ କିମ୍ବୁତ କିମାକାର ଧାରଣା ହେଇଯାଇଛି ଏଠି । କିଏ କହୁଛି ମୁଁ ପାରଳାର, କିଏ କହୁଛି ବସ୍ତରର, କିଏ କହୁଛି ଆହୁରି ଦୂର ଇଷ୍ଟ୍ ଗୋଦାବରୀର । ହେଲେ ତମେ କ’ଣ ବିଶ୍ୱାସ କରିବ ଆକାୟା, ମୁଁ ଖାଣ୍ଟି ଓଡ଼ିଆଣୀ । ମୋ ଘର ସମ୍ବଲପୁରର ସେଇ ପାହାଡ଼ତଳି ଗାଁରେ । ମୋ ବାପା ଶ୍ରୀ ମାନସରଂଜନ ପ୍ରତିହାରୀ ।

 

ତରୁ ଟିକିଏ ଚାହିଁଲା । କହିଲା—ଅବଶ୍ୟ ମୋର ଜୀବନ କାନ ଦି’ଟା, କିନ୍ତୁ ମୁଣ୍ଡ ଗୋଟାଏ ।

 

ତା’ ମାନେ ?

 

ମାନେ ଗୋଟାଏ କାନରେ ଆଜି ଶୁଣିଲି ମାନସରଂଜନ ପ୍ରତିହାରୀଙ୍କ ଝିଅ ଆଉ ଆର କାନରେ ସେଦିନ ଗାଡ଼ିରେ ଶୁଣିଥିଲି ପି. ଭି. ନରସିଂହରାଓଙ୍କ ଝିଅ । କୋଉଟା ଠିକ୍ କୋଉଟା ଭୁଲ୍; କୋଉଟା ରହିବ କୋଉଟା କଟିଯିବ; ସୁବ୍‍ବାରାଓ ଭଳି ଓକିଲ ବି କହି ପାରିବ ନାହିଁ, ମୁଁ ତ ତୁଚ୍ଛ ।

 

ରାଜଲକ୍ଷ୍ମୀ ଫେଁ ଫେଁ ହସି ଉଠିଲା । କହିଲା—ତମେ କିଛି ଭାବି ପାରୁନା ?

 

ବହୁତ ଭାବିଛି । ମଝିରେ ଫାଦା ରହିଲା । ସେପଟେ ତେଲେଙ୍ଗାଣୀ, ଏପଟେ ଓଡ଼ିଆଣୀ; ସେପଟେ ପାରଳାର ଲୋକ, ଏପଟେ ସୁଦୂର ସମ୍ବଲପୁରର; ସେପଟେ ପି. ଭି. ନରସିଂ ରାଓଙ୍କ କନ୍ୟା, ଏପଟେ ମାନସ ପ୍ରତିହାରୀଙ୍କ ଦୁହିତା; ସେପଟେ ବୋଝେ ସୁନା ଅଳଙ୍କାର, ଜୁଡ଼ାରେ ଫୁଲ, ଏପଟେ ଢାଲିଆ ଖୋସା, ପାଉଁଝଲ୍, ଆଞ୍ଚଲଦିଆ ଶାଢ଼ୀ, ଅଥଚ ଲୋକଟା ଜଣେ–ଜଣେ–ରାଜଲକ୍ଷ୍ମୀ ! ସେ ମଣିଷ ନା ମାୟା ନା ଭୂତପ୍ରେତ ନା ସେ ପାରିର ଲୋକ କ’ଣ ମୁଁ ବୁଝିବି ? ରାଜଲକ୍ଷ୍ମୀ ଯଦି ପ୍ରକୃତରେ ଲକ୍ଷ୍ମୀ ହୁଅନ୍ତା ଆଉ ମୁଁ ହୁଅନ୍ତି ଜଗନ୍ନାଥ, ତା’ହେଲେ କହନ୍ତି–ସ୍ମାରଂ ସ୍ମାରଂ ସ୍ୱଗୃହ ଚରିତଂ ଦାରୁଭୂତୋ ମୁରାରି ।

 

ରାଜଲକ୍ଷ୍ମୀ କିର୍ କିର୍ ହସି କହିଲା—ଶୁଣ ତେବେ ଜଗନ୍ନାଥ, କରେ ମୁହିଁ ସନ୍ଦେହ ମୋଚନ । କହେ ତେବେ କଥା ଆଜି ଦେବତାଙ୍କ ଭଳି । ବିଷମ ସେ ପରିସ୍ଥିତି, ପ୍ରହେଳିକା ସରସ–ଅଭାବିତ ଆଚମ୍ବିତ ଗୁରୁତର ପ୍ରଶ୍ନର ସମାଧା ।

 

ତରୁ ହସି ଉଠିଲା । କହିଲା—ହେ ହେ ଏମିତି କ’ଣ କହୁଛୁ ? ଏ କି ଭାଷା ? .....ରାଜଲକ୍ଷ୍ମୀର କୁଆଡ଼େ କାନ ନାହିଁ । ସେ କହି ଚାଲିଛି—ପ୍ରହେଳିକା ନୁହେଁ ମୋର ପାରଳାରେ ଅବସ୍ଥାନ କେବେ । ପ୍ରହେଳିକା ସିନା ଖାଲି ଖାଣ୍ଟି ଓଡ଼ିଆର ଘରେ ଦିନରାତି ତେଲୁଗୁ ଚଳନ । ମାନସରଂଜନ ମୋର ପୂଜନୀୟ ପିତା, ନରସିଂହରାଓ କିନ୍ତୁ ବନ୍ଦନୀୟ ଅତି, ମଉଷା ସେ ମୋର । ଜନ୍ମି ଥିଲି ଶୈଳକୋଳେ ଝରଣାର ତୀରେ, ଯୁଥ ଯୁଥ ବନପୁଷ୍ପ ଝରେ ଯହିଁ ପ୍ରଭାତ ଶିଶିରେ, ଯହିଁ ଯାଏ ଚିଲାମାରି ବନର ହରିଣ ମନ ଆନନ୍ଦରେ ଗାଇ ମତୁଆଲା ଗୀତ । ଦୈବଯୋଗେ କିନ୍ତୁ ସେ ବନୁ ମୁଁ ଗଲି ଅପସରି । ପିତା ମୋର ଟେକିଦେଲେ ମଉଷାଙ୍କ ହାତେ । ମଉଷା ମୋ ଭାଗ୍ୟବାନ ଅତି, ଭାଗ୍ୟହୀନ ମାତ୍ର ଏକ ସନ୍ତାନର ହେତୁ, ଅହରହ ଝରୁଥିଲା ଅଶ୍ରୁ । ସେହି ଦିନୁ ହେଲି ମୁହିଁ ତୈଲିଙ୍ଗ କିଶୋରୀ, ଅଲିଅଳ ସୁକୁମାରୀ ରାଜାର ନନ୍ଦିନୀ । ଡେଇଁ ଡେଇଁ ନାଚି ନାଚି ଆରମ୍ଭିଲ କଥା—ଅକଟି ଓ ରୁଣ୍ଡୁ ମୁଡ଼ୁ ନାଲୁଗୁ ଆଇଦୁ, କୁରୁଚ କୁରୁଚ ଆମ୍ମା କାଲକୁଟେସ୍ଥାନୁ ।

 

ହୁଁ ଏଡ଼େ ଚାଲାଖି ? କାଲକେଟୁସ୍ଥାନୁ ? ଦେଖି ଦେଖି ତୋ’ କାନଟା—ତରୁ ହସି ହସି ଧଇଲା ରାଜଲକ୍ଷ୍ମୀର କାନ । କହିଲା—ତୁ କାଲକୁଟେସ୍ଥାନୁ ଗଲେ ମୁଁ ଏ କାନ ଦି’ଟା ଛିଣ୍ଡେଇ ନଇକି ଫିଙ୍ଗିଦେବି । ତେଲସିନା ?

 

ରାଜଲକ୍ଷ୍ମୀ ହସି ହସି ଗଡ଼ିଗଲା । ନଦୀ ହେଇ ପଡ଼ିଲା ତା’ କୋଳରେ ।

 

ତରୁ କହିଲା—ତୋ’ ନାଟକ ଥାଉଲୋ, କଥାଟା ସଫା ସଫା କହନା, ନରସିଂହରାଓ ତୋତେ ଝିଅ କରି ନେଲେ ନା ?

 

ହଁ ନେଲେତ । ସେ ଥିଲେ ନିଃସନ୍ତାନ । କୂଳ ରକ୍ଷା କରିବାକୁ ସେ ପୁଅ ଚାହୁଁ ଥିଲେ । କିନ୍ତୁ ବାପାଙ୍କର ସେତେବେଳେ ପୁଅ ନଥିଲେ । ତେଣୁ ବଡ଼ ଝିଅକୁ....

 

ଆଚ୍ଛା ର’ ର’, ତୁ ତ ପାରଳାଖେମୁଣ୍ଡି ଗଲୁ, ଆଉ ସେ ଦିନ ପୁଣି ସମ୍ବଲପୁରରେ ଥିଲୁ କେମିତି ?

 

ଝିଅ ହେଇ ଗଲି ବୋଲି ଆଉ ଯେ ବାପାଙ୍କ ଘରକୁ ଭୁଲରେ ଦିନେ ଆସିବି ନାହିଁ, ୟା’ର ତ କିଛି ମାନେ ନାହିଁ । ହଠାତ୍ ଗୋଟାଏ ଟେଲିଗ୍ରାମ୍ ପାଇଁ ଆସିଥିଲି, ଆଉ ଯୋଉ ଦିନ ମୁଁ ଆସିଲି, ଅଜଗବି ସେଇଦିନ ହେଲା ଡକେଇତି ।

 

ସତେ ? —ତରୁ ଗମ୍ଭୀର ହେଇଗଲା । ଟିକିଏ ଚିନ୍ତିତ ହେଇ ଚାହିଁଲା । ତା’ପରେ ପୁଣି ମୁହଁର ଭାବ ବଦଳେଇ ହସି ହସି କହିଲା—କିନ୍ତୁ ଲକ୍ଷ୍ମି, ତୁ ତ ଓଡ଼ିଆଣୀ ଭଳି ମୋଟେ ଦିଶୁନାଉଁ ।

 

ରାଜଲକ୍ଷ୍ମୀ କହିଲା—ଦୁଃଖ ସେଇଠି । ଓଡ଼ିଆଣୀ ହେଲେ ବି ସବୁଦିନେ ମଉଷାଙ୍କ ଘରେ ରହି ରହି ବେଶଭୂଷା, କଥାବାର୍ତ୍ତା, ଚାଲିଚଳନ ସବୁ ମୋର ବଦଳି ଗଲାଣି । ମୁଁ ବି ହେଇଗଲିଣି ପୂରାପୂରି ତେଲେଙ୍ଗାଣୀ ।

 

ସତେ ? —ତରୁ ହସିଉଠିଲା । କୋଳରେ ଚାପି ଧରି କହିଲା—ବେଶ୍, ତୁ ଆଉ ଦୁଃଖକରନା, ଆଜିଠୁଁ ମୁଁ ଘିଅ ଦୀପ ବସାଉଛି । ତୁ ଯେମିତି ଓଡ଼ିଆଣୀରୁ ତେଲେଙ୍ଗାଣୀ ହେଇଛୁ, ଠାକୁରେ କରନ୍ତୁ, ବର୍ଷେ ନ ପୁରୁଣୁ ଠିକ୍ ସେମିତି ତେଲେଙ୍ଗାଣୀରୁ ହୋ ବଙ୍ଗାଳୁଣୀ—ବଙ୍ଗାଳୁଣୀ !

 

ଆକାୟା !! ପୁଣି ? ବେଶ୍ ମୁଁ ଯାଉଛି ଚାଲି ।

 

ହଁ ଚଞ୍ଚଳ ଚାଲିଯିବାକୁ ହବ, ନଇଲେ ତ ଅନେକ ଅସୁବିଧା । ଦିନ ହେଇଯିବ, ପକ୍ଷୀ ଡାକି ଦେବ, ସୁନାର ଆଲୁଅ ବିଛେଇ ହେଇଯିବ ଧରାରେ । ତା’ ପରେ ଘରୁ ଉଠି ବାହାରକୁ ଯିବାକୁ ଯୋଉ ଲାଜ ଲାଗିବ ।

 

ରାଜଲକ୍ଷ୍ମୀ ଚିଡ଼ି ଉଠି କହିଲା—ତୁ ଏ ସବୁ କ’ଣ କହୁଛୁ ?

 

ହଁ ସେତେବେଳେ କ’ଣ ଗୋଟାଏ ଶବ୍ଦ ଶୁଣି ନିଦ ଭାଙ୍ଗିଯିବ । ହଠାତ୍ ଉଠି ବାହାରିଯିବାକୁ କିନ୍ତୁ ସାହସ ହବନି । ମୁହଁ ଫଣ ଫଣ କରି କହିବ—

 

‘ଆମେକେ ଜାଗିୟେ ଦିଲେନା କେନ ?

 

ଆମି ଏ ଆକୁଲ୍ କବରୀ ଆବୋରୀ କେମନି ଚଲିବ ଘରେ ?’

 

ଇସ୍ ଆକାୟା ! ଆକାୟା ! ବେଶ୍, ଆଉ ଯଦି ଦିନେ ଦିନେ ତମ ସାଙ୍ଗରେ କଥା କହେ, ମୋ ନାଁ ରାଜଲକ୍ଷ୍ମୀ ନୁହେଁ—କହି କହି ଛାଟିପିଟି ହେଇ ପଳେଇଗଲା ସେ । ତରୁ ଧରିବାକୁ ଚେଷ୍ଟାକଲା, କିନ୍ତୁ ପାରିଲାନାହିଁ ।

 

–ତେର–

 

ସୂର୍ଯ୍ୟ ଅସ୍ତ ଯାଇଛି । ଦିନର ଆଲୁଅ ଲିଭି ଲିଭି ଆସୁଛି ଧରାରୁ । ଛୋଟ ଗୋଟିଏ କେନାଲ ବନ୍ଧ । ଆଗରେ ଗହୀର, ଧାନ କିଆରୀ । ଧାନକିଆରୀ ସେପଟେ ବହୁଦୂରରେ ତାଳବଣ, ଆମ୍ବ ପୋଲାଙ୍ଗ ବର ଖଜୁରୀର ଗହଳ ଗଛ । ଆକାଶ ଆଉ ପୃଥିବୀକି ପେଟରେ ପୂରେଇ ଛନ୍ଦାଛନ୍ଦି ହେଇ ମିଶାମିଶି ହେଇ କୋଳାକୋଳି ହେଇ ଗଛ ଲମ୍ବିଯାଇଛି ଏପଟରୁ ସେପଟେ, ସେପଟରୁ ଏପଟ । ଆଖି ପାଉନାହିଁ । ଅନ୍ଧାର ହେଇ ଆସିଲାଣି । ଆକାଶରେ ତାରା ଫୁଟିଲାଣି ଏକ, ଦୁଇ, ତିନ୍, ଚାରି । ହେଇ ତାଳବଣ ସେପଟୁ, ନେଳିଆ ଗଛର ମଥାନ ଉପରୁ ଚକ୍ ଚକ୍ ଦିଶୁଛି ଆଲୁଅ—ଗୋଟିଏ ଆଲୁଅ, କଟକର ଆଲୁଅ, ଅସ୍ପଷ୍ଟ ମଲୁଅ । କେନାଲ ବନ୍ଧରେ ବସି ସେଇ ସୁଦୂର ଆଲୁଅକୁ ଗୋଟିଏ ଧ୍ୟାନରେ ଚାହିଁଥିଲେ ପରାଶର । ଚଉଦିଗ ନୀରବ, ନିର୍ଜନ, ନିକାଞ୍ଚନ ।

 

ସେଦିନର କଥା । ଅଭିନୟ ଦେଖି ଯାଇଥିଲେ ପରାଶର, ଯେଉଁଠି ହିନ୍ଦୁ ବାଳିକା ‘ଶାନ୍ତି’ ତା’ ପ୍ରିୟତମ ମୁସଲମାନ ଭାଇଟି ପାଇଁ ବିକଳରେ ଚିତ୍କାର ଛାଡ଼ିଥିଲା—‘ମୋବାରକ୍–ମୋ ଭାଇ, ମୋବାରକ୍—ମୋ ଭାଇ, ମୋବାରକ୍—ମୋ ଭାଇ’ । ତାଙ୍କ ଜୀବନ ସହିତ ସେ କଥାର କିଛି ସଂପର୍କ ନାହିଁ । ତଥାପି କାହିଁକି ଘନ ଘନ ମନେପଡ଼ିଛି ସେକଥା । ଦେହ ଥରିଉଠୁଛି । ପ୍ରାଣ ହେଉଛି ଆକୁଳିତ—ଆନ୍ଦୋଳିତ ! ମୁହଁରେ ନ କହିଲେ ବି ମନ ଭିତରେ ଅନ୍ତର ଭିତରେ ଜଣଙ୍କର ପ୍ରାଣ ଠିକ୍ ଏମିତି କହୁଥିଲା–‘ପରାଶର—ମୋଭାଇ, ପରାଶର—ମୋ ଭାଇ, ପରାଶର—ମୋ ଭାଇ’ । ଆଜି ସେ କାହିଁ ? କାହିଁ ? କାହିଁ ଆଜି ସେ ଭାଇ ଭଉଣୀ—ଅଲିଅଳି, ସୁକୁମାରୀ, ବନର ଗଉରୀ, ଆଶ୍ରମର ଶକୁନ୍ତଳା ?

 

ଦ୍ୱାପରରେ ପ୍ରଭାସଯଜ୍ଞ କରିଥିଲେ ଦ୍ୱାରକାଧିପତି ଶ୍ରୀକୃଷ୍ନ । ତାଙ୍କର କଠୋର ଆଦେଶ—ସମସ୍ତଙ୍କୁ ନିମନ୍ତ୍ରଣ କେବଳ ଗୋପି ଗୋପାଳଙ୍କୁ ଛାଡ଼ି । ଗୋପପୁରକୁ ନାରଦ ଯାଇ ବି ପାରିବେ ନାହିଁ । ଗଲେ ଏ ପ୍ରଶ୍ନ ଉଠାଇବେ ନାହିଁ କସ୍ମିନ୍ କାଳେ । କାରଣ ଗୋପୀ ଗୋପାଳ ଦୋଷୀ । କ’ଣ ତାଙ୍କର ଦୋଷ କେବଳ କୃଷ୍ଣ ହିଁ ଜାଣନ୍ତି । ଅଶୋକ, ଭେଙ୍କ୍‍ଟାୟା, ବଚନସିଂ, ଡକ୍ଟର ସାହାଣୀ, ରାଜଲକ୍ଷ୍ମୀ ସମସ୍ତେ ଯିବେ, କେବଳ ଯିବ ନାହିଁ ଜଣେ—ପରାଶର, ପରାଶର । କ’ଣ ତା’ର ଦୋଷ, କେଉଁଠି ତା’ର ଚରମ ଅପରାଧ, କେବଳ ଜାଣେ ଜଣେ—ଜଣେ, ସେହି ଜଣଙ୍କ କଥା ଆଜି ଘନଘନ ମନେପଡ଼ୁଛି ପରାଶରଙ୍କର । ଯଶୋମତୀ ଆଜି କହ୍ନେଇ ପାଇଁ ସର ଲବଣୀ ଟିକିଏ ହାତରେ ଧରି ବିକଳରେ ଚିତ୍କାର ଛାଡ଼ିଛି—ଆ’ରେ କାହ୍ନୁ, ଲବଣୀ ଟିକିଏ ଖାଇଯା’-। କିନ୍ତୁ କାହିଁ କାହ୍ନୁ ? କାହିଁ କାହ୍ନୁ ? ନିଷ୍ଠୁର କାହ୍ନୁ ଆଜି ହଜି ଯାଇଛି ଅନନ୍ତ ନୀଳିମା କୋଳରେ-

 

ପରାଶର ଭାବି ପାରନ୍ତି ନାହିଁ ଏମିତି ହୁଏ କେମିତି । ଯିଏ ଦଣ୍ଡେ ନ ଦେଖିଲେ ବାୟାଣି ହୋଇଯାଏ, ଯିଏ ଦିନରାତି ସକାଳ ସଞ୍ଜ ଯାଉଁଣୁ ଆସୁଣୁ ଭାଇଭାଇ ଡାକି ଅଥୟ କରେ, ଯିଏ ଭାଇକି ଦେଖିବା ପାଇଁ ଭାଇ କଥା ଶୁଣିବା ପାଇଁ ଛୁଆ ଛାଡ଼ି ବିଲେଇ ଭଳି ଓଲେଇ ହେଇ ପଳେଇ ଆସେ ଦିନକୁ ଶହେ ଥର, ସିଏ. କେମିତି ଭାଇକି ଏକୁଟିଆ ପକେଇ ଦେଇ, ଭାଇକି ଚରମ ଅପମାନ ଦେଇ, ଭାଇ ଛାତିରେ ଗୋଇଠାମାରି ଚାଲି ଯାଇଛି ଆଜି ଲକ୍ଷ ଯୁଣ ଦୂରକୁ ? ଦୁନିଆରେ ସମସ୍ତେ ଯାହା କହୁଥିଲେ, ଶେଷରେ ସିଏ ବି ସେଇଆ କହିଲା ? ସିଏ ବି ଭାବେ ଭାଇ ମଦ ଖାଏ ? ଭାଇ ପଶୁ ? ଭାଇ ନରକର କୀଟ ??

 

କାଲି ଖବରକାଗଜରେ ବାହାରିଛି—‘ଜି.ଉଦୟଗିରିରେ ପୂତ ଅନୁଷ୍ଠାନ କୁଷ୍ଣାଶ୍ରମ ସ୍ଥାପନ । ତରୁଲତା ରାୟଙ୍କର ଉଦାର ମାନବିକତା ଓ ବିପୁଳ ତ୍ୟାଗ । ନିଜ ବ୍ୟୟରେ କୋଡ଼ିଏଟି ରୋଗୀ ରହିବା ଭଳି ଗୃହ ନିର୍ମାଣ ଆରମ୍ଭ । ତରୁଦେବୀ ସାରା ଜୀବନ କୁଷ୍ଠ ସେବାରେ ନିଜକୁ ନିୟୋଜିତ କରିବେ ।’ ପରାଶରଙ୍କର ଛାତି ଆଜି ଫାଟି ପଡ଼ୁଥାନ୍ତା । ସ୍ୱହସ୍ତରୋପିତ ବୃକ୍ଷ ପୁଷ୍ପିତ ଆଉ ଫଳିତ ହେଲେ କାହା ପ୍ରାଣ ଉଦବେଳ ହୁଏନା ? କାହା ନୟନରୁ ବହି ନଯାଏ ଆନନ୍ଦରେ ଧାରଧାର ଅଶ୍ରୁ ?

 

କିନ୍ତୁ ପରାଶରଙ୍କର ଆଖିରେ ଆଜି ଅଶ୍ରୁ ନାହିଁ । ତାଙ୍କ ପଲକ ଆଜି ସ୍ଥିର । ସେ ସ୍ପଷ୍ଟ ଦେଖିପାରୁଛନ୍ତି କେମିତି କାହିଁକି କୋଉ ପରିସ୍ଥିତିରେ ଏ କୁଷ୍ଠାଶ୍ରମ ସ୍ଥାପନ ଓ କାହିଁକି ତରୁ ସାରା ଜୀବନ ଉତ୍ସର୍ଗ କରିଛି କୁଷ୍ଠ ସେବାରେ । ସେ ଅପସରି ଯାଇଛି । ଲୋକେ ଜାଣିବାକୁ ସେ ନିନ୍ଦା ଆଉ କଳଙ୍କର ଡରରେ ଚାଲି ଯାଇଛି । ଅଶୋକ, ଅରୁଣା, ସାହାଣି, ରାଜଲକ୍ଷ୍ମୀ ଜାଣିବାକୁ ସେ ଦୁନିଆ ଉପରେ ଅଭିମାନ କରି ବରି ନେଇଛି ଏ କାରାବାସ । କିନ୍ତୁ ପରାଶର ଜାଣେ ଏ ସବୁ ମିଛ–ସବୁ ମିଛ । ସେ ଯାଇଛି, ନ ଯାଇ ରହି ପାରିବ ନାହିଁ ବୋଲି । କାରଣ ଅନ୍ତରରେ ତା’ର ଭରି ଯାଇଛି ଘୃଣା ! —ଭାଇ ପ୍ରତି ଘୃଣା, ଅବିଶ୍ୱାସ, ସନ୍ଦେହ !! ଇସ୍ ପରାଶର ଭାବି ପାରେ ନାହିଁ–ତରୁର ସନ୍ଦେହ ! ତରୁ—ତା’ର ପ୍ରାଣର ପ୍ରତିମା, ନୟନର ଜ୍ୟୋତି, ସ୍ୱପ୍ନର ଧନ—ତା’ର ପୁଣି ସନ୍ଦେହ ! ଘୃଣା ! ପରାଶର ଆଜି ଅସ୍ପୃଶ୍ୟ, ପରାଶର ଘୃଣ୍ୟ, ପରାଶର କୁଷ୍ଠ ରୋଗୀଠାରୁ ହୀନ-!! ଭଗବାନ !

 

ଠାଇ ଠାଇ ମୁଣ୍ଡ ବୁଲେଇଦେଲା ପରାଶରଙ୍କର । ସବୁଜ ଘାସ ଉପରେ ସେ ମୁଣ୍ଡ ରଖି ଶୋଇପଡ଼ିଲେ । କିନ୍ତୁ ଶୋଇ ହେଲାନି । ଉଠି ଠିଆ ହେଲେ । ପଦଚାରଣା କଲେ ଭୂଇଁରେ । ଘନ ଘନ ଝିଙ୍କିଲେ ମୁଣ୍ଡ ବାଳ । —ନା ସେ ଭୁଲ୍ କରୁଛନ୍ତି, ଭୁଲ କରୁଛନ୍ତି ନିଶ୍ଚୟ । ତରୁ କେବେ ତାଙ୍କୁ ଘୃଣା କରିପାରେନା । ପରାଶର ଆଉ ତରୁ କେବେ ଅଭିନ୍ନ ନଥିଲେ । ପରାଶର ପିଣ୍ଡ, ତରୁ ଆତ୍ମା; ପରାଶର ମରୁ, ତରୁ ଅନ୍ତଃସଲୀଳା ଫଲଗୁ । ତରୁକୁ କାଢ଼ିନେଲେ ପରାଶରର ଅସ୍ତିତ୍ୱ ହିଁ ନାହିଁ । ତରୁ ତା’ର ଧନ ମନ, ଜୀବନ ଯୌବନ, ଇହକାଳ ପରକାଳ, ସୁଖ ଶାନ୍ତ, ଆଶାଭରସା, ପ୍ରେମ ପ୍ରୀତି—ସବୁ । ତରୁକୁ ସେ ଭଲ ପାଇଥିଲେ କେଉଁ ଏକ—ବସନ୍ତ ନିଶୀର ଅବଗୁଣ୍ଠନ ତଳେ । ଆଉ ସେହିଦିନୁ ସେ ତାକୁ ସାଇତି ରଖିଛନ୍ତି ଅନ୍ତରର ଗୋପନତମ କୋଣରେ, ଆଖି ଲୁହରେ ଧୋଇ ଦେଇଛନ୍ତି ତା’ ପାଦ, ତା’ କଅଁଳ ମୁହଁକୁ ଚାହିଁ ଚାହିଁ ପରାଶର ହେଇଛନ୍ତି ବିଭୋର, ବିହ୍ୱଳ । ଆଉ ସେଇ ତରୁ—ସେଇ ତରୁ କରିବ ତାଙ୍କୁ ଘୃଣା ? ତାଙ୍କୁ ସନ୍ଦେହ ? ନା, ନା, ନା । ସୃଷ୍ଟି ପ୍ରଳୟ ହେଲେ ବି ସେ ତ’ ବିଶ୍ୱାସ କରିବେ ନାହିଁ ।

 

କିନ୍ତୁ ? କିନ୍ତୁ ଏ କ’ଣ ହେଲା ? ସେ ଚାଲିଗଲା କାହିଁକି ? କେମିତି ଚାଲିଗଲା ? ଯିବା ଆଗରୁ ତା’ଙ୍କୁ ପଦଟିଏ କହିଲା ନାଇଁ । ଥରଟିଏ ଡାକିଲା ନାଇଁ ଭାଇ ବୋଲି । ହେଇ ସେ ଦିନ—ମଉଷା ଆସିଥିଲେ—ତରୁର ବାପା । ତରୁକୁ ବାପଘର ରାଇଜକୁ ନେଇ ଯିବାକୁ । ତରୁ ଆସି ଘଣ୍ଟା ଘଣ୍ଟା ଧରି ଠିଆ ହେଇଥିଲା ପରାଶରଙ୍କ ଆଗରେ । ଜୟନ୍ତ ପଠାଇଥିଲା ପରାଶରକୁ ପ୍ରଣାମ କରିଯିବାକୁ । ତରୁର କିନ୍ତୁ ପ୍ରଣାମ କରିବାକୁ ମନେ ନାହିଁ । ସେ ଖାଲି ଠିଆ ହେଇଛି—ହେଇଛି । କଥା ନାଇଁ, ବାର୍ତ୍ତା ନାଇଁ, ଉଁ ନାଇଁ, ଚୁ ନାଇଁ—ଖାଲି ପାଷାଣ ପ୍ରତିମା ଭଳି କାନ୍ଥକୁ ଆଉଜି ରହିଯାଇଛି ସିଏ । ଭୂଇଁ ଉପରେ ଆଖି ସ୍ଥିର, ମନ ଯାଇଁ କୋଉଠି କୋଉ ଅନ୍ତରାଳରେ ଭଗବାନ ହିଁ ଜାଣନ୍ତି ।

 

ଆଉ ଦିନେ—ପରାଶରଙ୍କର ଏଇ ମାଟି କାଦୁଅର ଗାଁକୁ ଆସିଥାଏ ତରୁ । ସେଇ ବୋଧେ ପ୍ରଥମ ଆସିବା । ତରୁର ଭାରୀ ଇଛା ଭାଇ ପାଖରେ ବସିବ, ଭାଇ ସାଙ୍ଗରେ ଏକା ଥାଳିରେ ବସି ଭାତ ଖାଇବ । ସେ ମନକଥା ଖୋଲି କହିଲା ଅରୁଣାକୁ । ଅରୁଣା ହସିଲା ! ହସି ହସି ଆସି କହିଲା ପରାଶରଙ୍କୁ । କିନ୍ତୁ ଇଏ କେମିତି ହେବ ? ସହଜେ ଗାଁ, ସେଥିରେ ପୁଣି ସ୍ତ୍ରୀ, ଜଣେ ଯୁବତୀ ଝିଅ, ଲକ୍ଷ୍ମୀ ପ୍ରତିମା ଭଳି ରୂପ, ସିଏ କେମିତି ଖାଇବ ଜଣେ ଯୁବକ ପୁଅ ସାଙ୍ଗରେ–ଏକା ଥାଳିରେ ? ଏକା ବାସନରେ ? ପରାଶର ବାରଣ କଲେ । କହିଲେ—ନିଆଁ ସାଙ୍ଗରେ ଖେଳନାହିଁ । ...ମାଷ୍ଟର ଲୋକକିନା, ସବୁବେଳେ ତାଙ୍କର ଉପଦେଶ । କିନ୍ତୁ ସେହି ଉପଦେଶ ଗୋଟିଏ ସୁକୁମାରୀ ବାଳିକାର ଫୁଲ କଅଁଳ ମନରେ ଯେ କି ହୁତାଶନ ଜାଳି ଦେବ ତା’ ସେ କ’ଣ ଜାଣନ୍ତି ! ଅରୁଣା ବାଢ଼ିଦେଲା । ପରାଶର ଖାଇବସିଲେ ଭାତ—ଏକ, ଦୁଇ, ତିନ୍, ଚାରି, ପଞ୍ଚମ ଗୁଣ୍ଡା ଉଠେଇଛନ୍ତି, ମାଛ ଖଣ୍ଡେରୁ ଅଧେ ଥାଳିଆରେ ଅଧେ ପାଟିରେ, କବାଟ କୋଣରୁ ଦୁମ୍ ଦୁମ୍‍ ହେଇ ବାହାରିଆସିଲା ଝିଅଟା—ଟିକିଏ ଲାଜ ନାଇଁ, ସଂକୋଚ ନାଇଁ, ମୁଣ୍ଡରେ ଓଢ଼ଣା ନାଇଁ, ଆଖିରେ ଖାଲି ଦର ଦର ଲୁହ । କୋହ ଉପରେ କୋହ ଉଠୁଛି, ଗୋଟାଏ ଯାବତ ଛୁଆଭଳି କଇଁ କଇଁ ହେଇ ଆସି ବସିଗଲା ଆଗରେ । କିଛି ନ କହି ସେଇ ଡାଲିଗୋଳା ଭାତ, ମାଛ ଖଣ୍ଡକ, ଶାଗ, ଆଳୁ, ବଡ଼ିସବୁ ନେଇ ଥୋଇଲା ପାଟିରେ । ପରାଶରଙ୍କ ହାତରୁ ଗୁଣ୍ଡା ଖସିପଡ଼ିଲା-। ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ।

 

ସେହିଦିନୁ ଗୋଟିଏ ଦିନ ନାଇଁ, ଗୋଟିଏ ଓଳି ନାଇଁ, ଯୋଉଦିନ ତରୁ ତାଙ୍କ ସାଙ୍ଗରେ ନ ଖାଇଛି । ତରୁକୁ ନିଜ ହାତରେ ଡାଲି ଭାତ ଗୋଳେଇ ନଦେଲେ, ତରୁକୁ ମାଛରୁ କଣ୍ଟା କାଢ଼ି ଖୋଇ ନଦେଲେ ପରାଶରଙ୍କ ପାଟିକି ଅନ୍ନ ରୁଚେନାହିଁ । ତରୁକୁ ମଧ୍ୟ ଦିନଟିଏ ଖାଇବାକୁ ନ ଡାକିଲେ ସେ ଭାଉଜ ପିଠିରେ ଆସି ଦୁଲ୍ କଷେ ବିଧା—ମଲୁନାଉଁ, ମତେ ଡାକିଲୁ ନାଇଁ କାହିଁକି ମ’ ? ଏଡ଼େ ପେଟି, ସବୁଯାକ ମାଉଁସ ତରକାରୀ ତୁ ଏକା ଏକା ଖାଇଲୁ ? ....ଅରୁଣା ହସେ । କହେ—ନା, ମୁଁ ଆଉ ଖାଉଛି କୋଉଠି ? ତମେ ଭାଇ ଭଉଣୀଙ୍କ ପେଟକୁ ତ ସବୁ ନିଅଣ୍ଟ । ମୋ ବେଳକୁ ତ ଖାଲି କଣ୍ଟା ନଇଲେ ଡାଲିପାଣି । ...ତରୁ କହେ—ବେଶ୍, ଭଲହେଇଛି । ତୁ ମର, ମର, ଭାଉଜ, ଆମେ ଭାଇ ଭଉଣୀ ଏଠି ରଜାହବୁ ।

 

ବେଶୀ ବେଶୀ ହସେ ଅରୁଣା । କହେ—ଖାଲି ରଜା କାହିଁକିଲୋ, ଜଣେ ରଜା ହୁଅ, ଆଉ ଜଣେ ହୁଅ ରାଣୀ । .... ଦବିବାର ଝିଅ ନୁହେଁ ତରୁ । ଠୋସ୍ ଠୋସ୍ ଉତ୍ତର ଦିଏ—ହଁ, ମୁଁ ରାଣୀ ହେବି, ତୁ ଆଗ ଗଲୁ ଏଠୁ, ତୁ ଆଗଗଲୁ ଏଠୁ ଚନ୍ଦରକାଣୀ, ପିତେଇଶୁଣୀ, ଖଣ୍ଡିକରଣୀ, ଘୋଡ଼ା ଦୋଅଣି...ହସି ହସି ପେଟ ଫାଟେ ଅରୁଣାର । ନୋତରା କୋତରା ହେଇ ଗଡ଼ିପଡ଼େ । ତରୁ ତା’ ପିଠିଉପରେ ନାଉ ହେଇ ତା’ ପିଠିରୁ ଫାଳେ କାମୁଡ଼ି କାମୁଡ଼ି କହେ—ତୁ ମର, ମର, ମର ।

 

ପରାଶର ଆଶ୍ଚର୍ଯ୍ୟ ହେଇ ଚାହାଁନ୍ତି । ପ୍ରିୟଲୋକଙ୍କୁ ତମେ ନ କହି ତୁ କହିଲେ ମହୋଦଧି କେମିତି ଉଛୁଳି ଉଠେ, ପରାଶର ମର୍ମେ ମର୍ମେ ଅନୁଭବ କରନ୍ତି । ମନେହୁଏ ତରୁ ଯେମିତି ଏକ ଅଝଟ ଅଲିଅଳ ଟିକି ଛୁଆ ଆଉ ଅରୁଣା ଯେମିତି ତା’ର ବୋଉ ! ବୋଉ !!

 

ସେଇ ତରୁ—ସେଇ ତରୁ ଆଜି ଚାଲିଯାଇଛି ଦୂରକୁ । ପଦଟିଏ କଥା ନ କହି, ଦେଖା ନଦେଇ, ଖବର ନ ପଠେଇ ଲୁଚି ଲୁଚି ଚୋରଙ୍କ ଭଳି ଚାଲି ଯାଇଛି ସିଏ । କେମିତି ସିଏ ଗଲା ? କେମିତି ସିଏ ଯାଇ ପାରିଲା ? ଖାଲି ‘ଚାଲିଯିବ’ ଏଇ କଥାଟି ଯିଏ ମୁହଁରେ କହି ପାରେନା, ଦିନ ଗୋଟାଏ ଦୂରେଇଗଲେ ଯା’ ଛାତି ଫାଟିଯାଏ, ଆଖି ଫଟେଇ ବହି ଆସେ ପାଣି, ସେ ସତେସତେ ଆଜି ଚାଲିଗଲା କେମିତି ? କେମିତି ? କୋଉ ଅଭିମାନରେ ? କୋଉ ରାଗରେ ? କୋଉ ଦୁଃଖରେ ? ସେ କ’ଣ ସତେସତେ ଭାବିଲା—ଭାଇ ତା’ର ନାହିଁ, ଭାଇ ତା’ର ମରି ଯାଇଛି ! ମରି ଯାଇଛି !! ଆଃ !

 

ପରାଶର ପୁଣି ଭୂଇଁରେ ବସି ପଡ଼ିଲେ । ପୁଣି ମୁଣ୍ଡ ଚକ୍‍କର ଖାଇଗଲା । ଆଗରେ ଜଳୁଥିଲା ସେଇ ଆଲୁଅଟି—କଟକ ରେଳ—ଷ୍ଟେସନର ଆଲୁଅ, ଦୂର ଦିଗ୍‍ବଳୟ କୋଳରେ ଘନ ଅନ୍ଧାର ଭିତରେ ଟିପ୍‍ଟିପ୍‍ ହେଇ ଜଳୁଥିଲା ସେ । ପରାଶର ହୃଦୟ ଭିତରକୁ ଚାହିଁଲେ—ଠିକ୍ ସେମିତି, ଅବିକଳ ସେମିତି ଆଲୁଅଟିଏ ଜଳୁଛି । ସେ କାହିଁ କେତେ ଲକ୍ଷ କୋଟି ଯୁଣରେ ତା’ର ଠିକ୍ ଠିକଣା ନାହିଁ । ତଥାପି ଆଲୁଅ ଜଳୁଛି । ସେ ବୁଝିଲେଣି, ସେ ନିଶ୍ଚିତ ଭାବେ ଜାଣିଲେଣି ଆଲୁଅଟି ତାଙ୍କୁ ଘୃଣା କରୁଛି—ତୀବ୍ର ଘୃଣା କରୁଛି । ଠିକ୍ ଯେମିତି ଆମେ ଘୃଣା କରୁ ବେଶ୍ୟାକୁ, ମଦୁଆକୁ, ଲମ୍ପଟକୁ । ତା’ ନହେଲେ ସେ ଏପରି ନାଟକୀୟ ରୀତିରେ ତାଙ୍କୁ ଛାଡ଼ି ଯାଇ ନଥାନ୍ତା । ସେ ଅନ୍ତତଃ ଗଲାବେଳେ କହିଥାନ୍ତା— ‘ଭାଇ’ ତମେ ଭାଇ ହେବାକୁ ଅଯୋଗ୍ୟ । ତମେ ମଲ ନାଇଁ, ଆହୁରି ବଞ୍ଚିଲ ମୁହଁ ଦେଖାଇବାକୁ ।’ ଏତିକି କହିଥିଲେ ବି ପରାଶର କେତେ ଶାନ୍ତି ପାଇଥାନ୍ତେ । ସେ ଅନ୍ତତଃ ବୁଝିଥାନ୍ତେ ତରୁ ତାଙ୍କର ଆପଣାର, ପର ନୁହେଁ । ତରୁ ତାଙ୍କୁ ଭଲ ପାଏ, ତା’ନହେଲେ ଗାଳି ଦିଅନ୍ତା କାହିଁକି ? ଆଉ ଭଲ ପାଏ ବି ନିବିଡ଼ଭାବେ, ନହେଲେ ଗାଳିଟା ଏଡ଼େ ଟାଣ ଏଡ଼େ ମର୍ମଦାହୀ ହୁଅନ୍ତା କେମିତି ? କିନ୍ତୁ ତରୁ କିଛି କହିଲା ନାଇଁ । ଚାଲିଗଲା । ଚାଲିଗଲା ।

 

ଚାଲିଗଲା ? କିନ୍ତୁ....କିନ୍ତୁ ହଠାତ୍ ଏ କ’ଣ ? ଏ କ’ଣ ? ଗୋଟାଏ ନୂଆ ଭାବନା ଆସୁଛି ମନକୁ । Take things Sulspecie—ae—–ternitatis. ହଁତ, ଠିକ୍ ତ, ତାଙ୍କର ଦାର୍ଶନିକ ମନ ପୁଣି ଘାଉଁରି ଖାଇଲା । ପୁଣି ଉଠି ଠିଆ ହେଲେ । କହିଲେ—ହଁ, ତା’ତ ଠିକ୍ । ସେ ଏମିତି ପିଲାଙ୍କ ଭଳି ଭାବୁଛନ୍ତି କ’ଣ ? ଖାଲି ତାଙ୍କରି ସ୍ୱାର୍ଥ ଦୃଷ୍ଟିରୁ ସେ ବିଚାର କରୁଛନ୍ତି । ତରୁ ଚାଲିଗଲା । ତାଙ୍କର କଷ୍ଟ ହେଲା । ସେଇଥିପାଇଁ ସେ ଭାବୁଛନ୍ତି ତରୁ ନିଷ୍ଠୁର, ପାଷାଣ, ପଥର, ନାରୀର ହୃଦୟ ଶିଳାଠୁଁ କଠିନ, ଲକ୍ଷେ ପୁରୁଷ ତା’ ପାଇଁ କାନ୍ଦିକାନ୍ଦି ଆତ୍ମହତ୍ୟା କଲେ ବି ତା’ ହୃଦୟ ତରଳେ ନାହିଁ । କିନ୍ତୁ ସେ ତ ଭାବୁ ନାହାନ୍ତି ତରୁ ତା’ଙ୍କୁ କେଉଁ ଦୃଷ୍ଟିରେ ନେଇଥିବ । ସେ ତ ଭାବୁ ନାହାନ୍ତି ଏଇ ବ୍ୟଥାର ପାରାବାର ତଳେ କି ପ୍ରଚ୍ଛନ୍ନ କଲ୍ୟାଣ ନିହିତ ଅଛି-। ଆଉ ହେଲା ବା ତରୁ ତାଙ୍କୁ ଘୃଣା କରି ଚାଲି ଯାଇଛି । ଯାଉ । ସେଥିପାଇଁ ସେ ମଥା ପିଟି ମରିବେ କାହିଁକି ? ସେ ତରୁକୁ ଭଲ ପାଇଥିଲେ । ତରୁ ତାଙ୍କୁ ଭଲ ପାଇଲା କି ନାହିଁ ଏକଥା ଦେଖିବାର ତ ପ୍ରଶ୍ନ ନାହିଁ । ତାଙ୍କ ଭଲପାଇବା କ’ଣ ଏତେ ନିକୃଷ୍ଟ, ନୀଚ ଯେ ସେ ଦାନ ବଦଳରେ ପ୍ରତିଦାନ ଆଶା କରିବେ ? ଭଲପାଇବାଟା କ’ଣ ଗୋଟାଏ ବ୍ୟବସାୟ ? ତା’ଛଡ଼ା ଯଦି ସେ ତରୁକୁ ଭଲ ପାଆନ୍ତି, ତରୁକୁ ଯାହା ଭଲ ଲାଗିଲା, ତା’ କ’ଣ ସେ କରିବାକୁ ଦେବେନି ! ତରୁକୁ ଯଦି ଭଲଲାଗେ ପରାଶର ଛାତିରେ ପଦାଘାତ କରିବାକୁ, ତରୁକୁ ଯଦି ଭଲ ଲାଗେ ପରାଶରକୁ ଘୃଣା କରିବାକୁ, ତରୁକୁ ଯଦି ଭଲଲାଗେ ପରାଶର ଛାତିରେ ପଦାଘାତ କରିବାକୁ, ତରୁକୁ ଯଦି ଭଲ ଲାଗେ ପରାଶର ଆଖିରୁ ସାରାଜୀବନ ଅହରହ ରକ୍ତ ଝରେଇବାକୁ, ସେ ତା’ କରୁ-। କ୍ଷତି କ’ଣ ? କ୍ଷତି କ’ଣ ? ତରୁକୁ ଯଦି ସେ ଭଲ ପାଆନ୍ତି, ଏତିକି କ’ଣ ସେ କ୍ଷମା ଦେବେନି-? ଯିଏ ଯାହାକୁ ଭଲ ପାଏ, ସିଏ ତା’ର ଘୃଣାକୁ କ’ଣ ହସିହସି ସହି ଯାଏନା ?

 

ପୁଣି ଆହୁରି ଗଭୀରଭାବେ ଚିନ୍ତା କଲେ, ‘କାତବ କାନ୍ତା କାସ୍ତେ ପୁତ୍ର ।’ କିଏ କାହାର-? ସ୍ତ୍ରୀ ପୁତ୍ର, ଭାଇବନ୍ଧୁ, ଆତ୍ମୀୟ ସ୍ୱଜନ, ପ୍ରିୟ ପରିଜନ କେହି ତ ନିଜର ନୁହଁନ୍ତି । ଖରା କଟେଇବା ପାଇଁ ଗଛ ଡାଳରେ କେତେ ଚଢ଼େଇ ଏକାଠି ହୁଅନ୍ତା । କିଚିରିମିଚିରି ଶବଦରେ କାନ ଅତଡ଼ା ପକାନ୍ତି ଘଡ଼ିଏ । ହେଲେ ସେଇ ଘଡ଼ିଏ ମାତ୍ର । ତା’ପରେ କିଏ ଯେ କୁଆଡ଼େ ଯାଆନ୍ତି ସାରା ଜୀବନରେ ଆଉ ଭାସି ଆସନ୍ତି ଜଙ୍ଗଲରୁ । ଘଡ଼ିକ ପାଇଁ ସେମାନେ ଏକାଠି ହୁଅନ୍ତି । ପରସ୍ପରକୁ ଖୋଜ କରି କରି ଚୁମା ଦେଇ ଦେଇ ବହି ଯାଆନ୍ତି ନଇ ସୁଅରେ । ଭଉଁରି ଆସେ । ସେମାନେ ଭଉଁରୀରେ ପଡ଼ନ୍ତି । ପୁଣି ହୁଅନ୍ତି ଅଲଗା ଅଲଗା । କିଏ କୁଆଡ଼େ କୋଉ ରସାତଳକୁ ଯାଏ, ତା’ର ଇୟତ୍ତା ନଥାଏ । ଏ ଦୁନିଆ ଏଇଆ । ଏଠି କିଏ କାହା କଥା ବୁଝେ ? କିଏ କାହା କଥା ପଚାରେ-? କିଏ କାହାର ? ରାଜର୍ଷି ଜନକ ସେଥିପାଇଁ ନିର୍ଲିପ୍ତ କଣ୍ଠରେ ଗାଇଥିଲେ–’ମିଥିଳାୟାଂ ପ୍ରଦୀପ୍ତାୟାଂ ନ ମେ ଲାଭୋ ନ ମେ କ୍ଷତି’ । ତେବେ ଦାର୍ଶନିକ ପରାଶର ତରୁ କଥା ଏତେ ଭାବିବେ କାହିଁକି ? କାହିଁକି ?

 

ଗାଁ ଝିଅ କୁସୁମ । ଫ୍ରକ୍ ପିନ୍ଧି ଝୁମ୍ପୁରି ବାଳ ଝୁଲେଇ ଫକ୍ ଫକ୍ ଡେଇଁ ଯାଏ ପଢ଼ିବାକୁ । କାଲି ଚାଟଶାଳୀରୁ ଫେରି ଅରୁଣା ଆଗରେ ଗୋଟିଏ ଭଜନ ଗାଉଥିଲା—

 

‘ନିଜ ଦୁଃଖେ ନୟନୁ ମୋ ନଗଳୁ ଲୋତକ,

ପର ପାଇଁ କାନ୍ଦି ହେଉ ଜୀବନ ସାର୍ଥକ ।’

 

ପରାଶର ସ୍ତବ୍‍ଧ ହେଇ ରହିଗଲେ । ସତେ, ନିଜ ପାଇଁ କେତେ ଭାବୁଛନ୍ତି ସିଏ । ନିଜର ସ୍ୱାର୍ଥ, ନିଜର ଭଲପାଇବା, ନିଜର ଦୁଃଖ, ନିଜର ବ୍ୟଥା, ସବୁ ନିଜର । ନିଜ ଅଙ୍ଗୁଳିରେ କଣ୍ଟାଟିଏ ବାଜିଗଲେ ଛାତିରେ ଶେଳବିଦ୍ଧ ହେଲା ଭଳି ଲାଗୁଛି । କିନ୍ତୁ କାହିଁ ପର ପାଇଁ ସେ କେବେ ଚିନ୍ତା କରିଛନ୍ତି ? ପର ପାଇଁ କେବେ କାନ୍ଦି ଉଠିଛି ତାଙ୍କ ଜୀବନ ? ସେ ଖାଲି ଉପଦେଶ ଦେଇଛନ୍ତି–ଜୀବନ କରୁଛି ସଫଳ, ତୋୟ ଦାନେ ତୋଷି ତୀରବାସୀ ସକଳ’ । କିନ୍ତୁ ନିଜେ କେବେ ସଫଳ କରିଛନ୍ତି ଜୀବନକୁ ? ନିଜେ କେବେ ମା’ ବସୁନ୍ଧରା ଭଳି ଅକୁଣ୍ଠିତ ଚିତ୍ତରେ ସ୍ତନ୍ୟ ଦେଇ ପାଳିଛନ୍ତି ଅସହାୟ ନିଃସହାୟ ଦୁର୍ବଳ ମାନବ ଶିଶୁକୁ ??

 

ପରାଶର ଆଉ ଭାବି ପାରିଲେ ନାହିଁ । ଲଜ୍ଜାରେ, କ୍ଷୋଭରେ, ଅନୁଶୋଚନାରେ ତାଙ୍କ ପ୍ରାଣ ଛିନ୍ନବିଚ୍ଛିନ୍ନ ହେବାକୁ ଲାଗିଲା । ଛି ଛି, ସେ କେଉଁ ମଧ୍ୟଯୁଗକୁ ଫେରି ଯାଇଛନ୍ତି । ଦୁନିଆର ଲକ୍ଷ କୋଟି ଜନତା ଦୁଃଖ ଦୈନ୍ୟ କଷାଘାତରେ ନିଷ୍ପେଷିତ ହେଉଥିଲା । ସେତଳ ସେ ଯାଇ ପ୍ରଣତି ବାଢ଼ିଛନ୍ତି ଜଣଙ୍କ ଚରଣରେ ! ଜଣେ ନାରୀର ଚରଣରେ !! ଜଡ଼ଭରତ ଭଳି ସେ ନିଜକୁ ଭୁଲି, ଆତ୍ମାକୁ ଭୁଲି, ପରମାତ୍ମାକୁ ଭୁଲି ମଜ୍ଜିଛନ୍ତି ଗୋଟାଏ ସାମାନ୍ୟ ମୃଗଶାବକର ପ୍ରେମରେ ! ‘ରତ୍ନା’ କହିଥିଲା—ତମେ ଫେରିଯାଅ । ‘ଚିନ୍ତା’ କହିଥିଲା—ଏ ବିପଦସଙ୍କୁଳ ମେଘ ଅନ୍ଧାର ଝଡ଼ ରାତିରେ ତମେ କାହିଁକି ଆସିଲ ? ଶବ ଉପରେ ନଦୀ ସନ୍ତରଣ କରି, ସର୍ପ ଲାଞ୍ଜଧରି କୋଠା ଉପରକୁ ଉଠି, ତମେ ଏଠିକି ଯାହା ଆସିଲ ହେ ବିଲ୍ୱମଙ୍ଗଳ, ଏଇ ନିଷ୍ଠା ଏଇ ପ୍ରେମର ଶତାଂଶରୁ ଏକାଂଶ ବିଭୁପଦରେ ଉତ୍ସର୍ଗ କରିଥିଲେ ତମେ ଯାଇଁ ବୈକୁଣ୍ଠରେ ବସିଥାନ୍ତି । ପରାଶର ସବୁ ଜାଣନ୍ତି । ସେ ପଣ୍ଡିତ, ସେ ଚିନ୍ତାଶୀଳ, ସେ ରାସନାଲ । ସାମାନ୍ୟ ନାରୀ ପାଇଁ ସେ ଆଉ ଅନ୍ଧ ହେଇ ପାରିବେ ନାହିଁ । ସେ ଆଉ ବଳି ଦେଇ ପାରିବେ ନାହିଁ ନିଜ ବିବେକକୁ । ଜଣକୁ ଛାଡ଼ି ସେ ଗଣଙ୍କ ସେବାରେ ହଜିଯିବେ । ସେ ନିଜକୁ ହଜେଇଦେବେ କଳାରେ, କାବ୍ୟରେ, ଶିଳ୍ପରେ, ସଙ୍ଗୀତରେ । ସେ ଜାଣନ୍ତି ସବ୍ଳିମେସନ୍‍ର ଅର୍ଥ କ’ଣ, ସେ ଜାଣନ୍ତି କେମିତି ସବ୍ଳିମେସନ୍ କରି ପୃଥିବୀରେ ଶ୍ରେଷ୍ଠ କଳାକାର, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ଦାର୍ଶନିକ ହେବାକୁ ହୁଏ ।

 

ପରାଶର କେନାଲ ବନ୍ଧ ଛାଡ଼ି ଧୀରେ ଧୀରେ ଘର ଆଡ଼କୁ ଆଗେଇଲେ । ଘରେ ଆସି ପହଞ୍ଚିଛନ୍ତି କି ନାହିଁ ଅରୁଣା ଚିତ୍କାର କରି ଉଠିଲା—ଶୁଣୁଛ, ଶୁଣୁଛ, ତରୁ ଚିଠି ଦେଇଛି ।

 

ଆଁ, ତରୁର ଚିଠି !! —ପରାଶର ମର୍ତ୍ତ୍ୟରୁ ଯେମିତି ଏକ ମୁହୂର୍ତ୍ତରେ ଉଠିଗଲେ ସ୍ୱର୍ଗକୁ । ଆପାଦମସ୍ତକ କମ୍ପି ଉଠିଲା । କୁଆଡ଼େ ଚଦର ପଡ଼ଲା, କୁଆଡ଼େ ଚପଲ ପଡ଼ିଲା, ସେ ଚପଳ ଶିଶୁ ଭଳି ଏକା ନିଃଶ୍ୱାସକେ ଧାଇଁଗଲେ ଘର ଭିତରକୁ । —କାହିଁ ? କାହିଁ ? କାହିଁ ଚିଠି ?

 

ହଁ, ତରୁର ଚିଠି, ନୀଳ ଲଫାଫା । ମୁକ୍ତା ଭଳି ଗୋଲ ଗୋଲ ଅକ୍ଷର—‘ପରାଶର ମିଶ୍ର’ ପରାଶରଙ୍କ ଆଖିରୁ ପ୍ରଥମେ ଧାର ଧାର ହେଇ ଲୋତକ ବହିଗଲା—ଆନନ୍ଦର ଲୋତକ, ପ୍ରେମର ଲୋତକ । ସାରା ଦେହରୁ ବହି ଆସିଲା ଝାଳ । ଚିଠିଟି ଚିରିବାକୁ ହାତ ଗଲା ନାହିଁ । ହାତ ଘନଘନ ଥରିବାକୁ ଲାଗିଲା । ତାଙ୍କର ମନେ ପଡ଼ିଲା, କବି ଅଭିମନ୍ୟୁଙ୍କ ରସାଳ ସଙ୍ଗୀତ—

 

‘ଲେଖୁ ଲେଖୁ ଚିତ୍ରଲାକ୍ଷା କମ

ଲେଖିଲେ ତହିଁରେ ନିଜ ନାମ

ଥରକୁ ଥର ଥରିଲା ତାଙ୍କ କର....’

 

ଠିକ୍ ସେମିତି—ଠିକ୍ ସେମିତି ପରାଶରଙ୍କ ହାତ ବାରବାର ବାରବାର ଥରିବାକୁ ଲାଗିଲା । ସାରା ଅଙ୍ଗରେ ଖେଳିଗଲା କମ୍ପନ ଶିହରଣ—ବେପଥୁ । ସେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ସେ ଆଉ ଚିଠି ଖୋଲି ପାରିଲେ ନାହିଁ । ଚିଠିଟିକି ହାତରେ ଧରି ଧୀରେ ଧୀରେ ବାହାରି ଆସିଲେ ବାହାରକୁ ।

 

ଏଇ ଚିଠି—ଏଇ ଚିଠିକି ସେ ଚାହିଁ ରହିଛନ୍ତି ଦୀର୍ଘ ପନ୍ଦର ଦିନ ହେଲା । ଗ୍ରୀଷ୍ମାବକାଶ ପାଇଁ କଲେଜ ବନ୍ଦ ଅଛି । କଲେଜ ବନ୍ଦ ହେଲେ ବି ପରାଶର କେବେ ଗାଁକୁ ଆସନ୍ତି ନାହିଁ । କିନ୍ତୁ ଏଥରକ କଟକର ସେଇ ଏକମହଲା କୋଠା, ସେଇ ମହାନଦୀ, କୋମଳ କିଶଳୟ ସବୁ ଯେମିତି ତାଙ୍କୁ ବିଷ ଭଳି ଲାଗୁଛି । କହ୍ନେଇ ନଥିଲେ ଗୋପ ଆଉ ଅରୁଣାକୁ ନେଇ ଲୁହ ଆଖିରେ ଫେରି ଆସିଛନ୍ତି ଗାଁକୁ । ଆଉ ସେହିଦିନୁ ଆଖିରେ ଆଖିଏ ଲୁହ ଭରି ଚାତକ ପକ୍ଷୀ ଭଳି ବିକଳ ହେଇ, ଅଥିର ହେଇ, ଆକୁଳ ହେଇ ସବୁଦିନେ ଚାହିଁ ରହିଛନ୍ତି ଡାକକୁ । ଏତେଦିନେ ଆକାଶରେ ଉଠିଛି ଜଳଧର, ଅମ୍ବୁଜ, ବାରିବାହ । ବର୍ଷାର ଅମୃତଧାରାରେ ବର୍ତ୍ତମାନ ପ୍ଳାବି ଦେବ ରୁକ୍ଷ ଧରାକୁ । ଧରା ଶୀତଳ ହେବ, ଶ୍ୟାମଳ ହେବ । ପ୍ରାଣ ହେବ ଶାନ୍ତ, କୋମଳ, ଥିର ।

 

ପରାଶର ଚିଠିଟିକୁ ମୁହଁ ଉପରେ ରଖି, ଆଖି ଉପରେ ଚାପି ଧରି ଝର୍ ଝର୍ ଲୁହ ଢାଳି ଦେଲେ, କହିଲେ—ତରୁ, ତରୁ, ତମେ ଅଛ ତରୁ ? ତମେ ଏ ଅଯୋଗ୍ୟ ଭାଇକି ଭୁଲି ନାହଁ ?

 

ପରାଶର ପୁଣି ଘରଭିତରକୁ ପଶିଲେ । ମନ ଉଦବେଳ, ପ୍ରାଣ ଅସ୍ଥିର, ଆଖି ଚଞ୍ଚଳ । ସେ ଆଉ ମୁହୂର୍ତ୍ତେ ଧୈର୍ଯ୍ୟ ଧରି ପାରୁ ନାହାନ୍ତି । ଚେୟାରଟା ଟାଣି ଆଣି ଟେବୁଲ୍ ଲ୍ୟାମ୍ପ ତେଜି ଦେଇ ଲଫାଫାର ଡାହାଣ ପାଖ ଅତି ସନ୍ତର୍ପଣରେ ଅତି କମ୍ପିତ କରରେ ଧୀରେ ଧୀରେ ଚିରିଲେ । ସବୁଜ କାଗଜ, କମନୀୟ ଲିପି, ସୁରଭିତ ମଳୟର ମହକ । କିନ୍ତୁ...କିନ୍ତୁ...କିନ୍ତୁ... ଆଃ ।

 

ଆଃ ପରାଶର ! ପରାଶର ! ଧୈର୍ଯ୍ୟ ଧର ପରାଶର । ଏଇ ଦୁନିଆ । ଦୁନିଆ ଏଇଆ । ଏଠି ଖାଲି ଲୁହ ! ଖାଲି ଲୁହ ! ଖାଲି ରକ୍ତର ଝରଣା !! ....ତରୁ ଚିଠି ଲେଖିଛି । କିନ୍ତୁ ଅରୁଣା ପାଖକୁ । ପରାଶର ପାଖକୁ ଧାଡ଼ିଟିଏ ବି ନାହିଁ !! ଦୀର୍ଘ ଚାରି ପୃଷ୍ଠା ଭିତରେ କୋଉଠି ଭୁଲରେ ହେଲେ ଭାଇ ନାଁ ଉଚ୍ଚାରଣ କରିନାହିଁ !!!

 

ଚିଠି—ଚିଠି—ଅମ୍ବୁଜ, ବାରିଦ, ବାରିବାହ !!

 

ପରାଶର ଚିଠିଟା ଫିଙ୍ଗିଦେଇ ପଲଙ୍କ ଉପରେ ଆସି ଦୁଲକିନା କଚାଡ଼ି ପଡ଼ିଲେ । ଚିତ୍କାର ଛାଡ଼ିଲେ—ତରୁ ! ତରୁ ! ତରୁ !

 

ଅରୁଣା ଆର ଘରେ ରୋଷେଇ କରୁଥିଲା । ଚିଠି ନା ଚିଠି । ଆସିଛି ନା ଆସିଛି । ପରାଶର ଭଳି ଏତେ କଥା ଚିନ୍ତା କରିବାକୁ, ରଙ୍ଗ ଦେବାକୁ, ସ୍ୱପ୍ନ ଦେଖିବାକୁ, ଅଶ୍ରୁ ଢାଳିବାକୁ ତାକୁ ବେଳ ନାହିଁ । ତରୁ ତା’ର ଖୁବ୍ ପ୍ରିୟ—ଅନ୍ତରଙ୍ଗ । ହେଲେ ସେଇ ତରୁ ପାଖରେ ଥିଲା ପର୍ଯ୍ୟନ୍ତ । ତରୁଠାରୁ ଦୂରେଇ ଆସିଲେ ସେ ତା’ର ଘରଦ୍ୱାର, ଟଙ୍କା ପଇସା, ରାନୁ ସାଙ୍ଗରେ ଖେଳ ନେଇ ବ୍ୟସ୍ତ । ପରାଶର ଭଳି ଘଣ୍ଟା ଘଣ୍ଟା ନିର୍ଜନରେ ବସି, ଚିନ୍ତା କରି, ଆକାଶକୁ ଚାହିଁ, ଟୋପାଏ ଅଶ୍ରୁକୁ ଚିନ୍ତାର ସଂଘର୍ଷରେ ସାଗରରେ ପରିଣତ କରିବାକୁ ସେ ଜାଣି ନାହିଁ । କିନ୍ତୁ...କିନ୍ତୁ ହଠାତ୍ ଏ କ’ଣ ହେଲା ? ଆର ଘରେ ଚିତ୍କାର କରି ଉଠିଲେ କାହିଁକି ସ୍ୱାମୀ ? ତା’ ଡାଲି ବଘରା ଅଧା ରହିଲା । ସେ ସବୁ ଫୋପାଡ଼ି ଫୁପୁଡ଼ି ଦେଇ ଧାଇଁ ଆସିଲା ସ୍ୱାମୀ ପାଖକୁ ।

 

ଏଁ, ଏଁ, କ’ଣ ହେଲା ତମର ?

 

ପ୍ରଳାପ—ପ୍ରଳାପ ଖାଲି । ଅରୁଣାକୁ କୁଣ୍ଢେଇ ଧରି ଖାଲି ପ୍ରଳାପ କରିବାକୁ ଲାଗିଲେ ପରାଶର ।

 

ଚିଠି ? ହଁ ମୋର ଚିଠି । ମୋ’ରି ଚିଠି ଅରୁଣା । ଦେଖୁନା କେଡ଼େ ସୁନ୍ଦର ଚିଠି ଲେଖିଛି ତରୁ—ଭାଇ, ତମେ ଗଲାଦିନୁ ମତେ ବିଶ୍ୱବ୍ରହ୍ମାଣ୍ଡ ଅନ୍ଧାର ଦିଶୁଛି । ତମେ କ’ଣ କିମିଆ ଜାଣ ଭାଇ ? ତମେ ମୋ ମନକୁ ଚୋରି କରି ପର ଲଗେଇ ଉଡ଼େଇ ନେଲ କିଆଁ ? ....ଅରୁଣା ! ଅରୁଣା ! ହଁ ତରୁ ଚିଠି ଲେଖିଛି । ଆଉ ଶୁଣ—ଭାଇ, ତମକୁ ଛାଡ଼ି ମନ କାହିଁକି ମୋଟେ ଇଚ୍ଛା ହେଉନି । ହେଇ, ସେ ତେଲେଙ୍ଗାଣୀ ଝିଅଟା ଆସି ଗପ ଯୋଡ଼ି ବସିଲାଣି । ହେଲେ ମୋ ମନ ମୋଟେ ଲାଗୁନି ଘରେ । ମନ ଖାଲି ହେଇଛି ଏ ଘରଦୁଆର ଛାଡ଼ି, ଏ ଲାଜ ସଙ୍କୋଚ ଛାଡ଼ି ଧାଇଁଯିବାକୁ ତମରି ଘରକୁ—ତମରି ପାଖକୁ—ତମ ସାଙ୍ଗରେ ବସି ଗପକରିବାକୁ । ମୁଁ ଜାଣେ ତମେ ମୋ ମୁହଁକୁ ନ ଚାହିଁଲେ ରହିପାରିବ ନାହିଁ ।

 

ଅରୁଣା ? ଅରୁଣା ? ଶୁଣୁଛ ? ଶୁଣିପାରୁଛ ? ଠିକ୍ ଏଇଆ ଲେଖି ନାଇଁ ସିଏ ?

 

....ଭାଇ, ଭାଉଜକୁ କହିବ ତା’ ହାତର ବନ୍ଧାକୋବି ଡାଲମା ମତେ ଭାରୀ ଭଲ ଲାଗେ-। ଏଥରକ ଗଲେ ମତେ ଯେମିତି ରାନ୍ଧି ଦବ ସିଏ । ଆଉ ନାଉ ତରକାରୀ । ଆଉ ଆମ୍ବିଳା ପଖାଳ-। ଆଉ ଭାଇମ, ଏଥରକ ଭାଉଜ ବାପଘରୁ ଯୋଉ ମିଠା ଆଣି ନଥିଲା, ଭାଉଜ ମତେ ଜମାରୁ ଚାରିଟା ଦେଲା । ଏଣିକି ମୁଁ ତମ ସାଙ୍ଗରେ ମିଠା ଖାଇବି । ମୁଁ ଗଣି ଗଣି ଖାଇବି ଦଶଟା ମିଠା....

 

ଅରୁଣା ! ଅରୁଣା ! ଅରୁଣା ! ତମେ ଅଛ ଅରୁଣା ? ତମେ ମିଠା ଆଣନା, ଏଇ ଯେ ତରୁ ଆସିଛି ଖାଇବ । ଆରେ ମୋ ଛୁଆ ଭଉଣୀଟା ଅଳି କରୁଛି । ତା’କୁ ଆଉ ଗୋଟାଏ ମିଠା ଦବନି ?

 

....ଆଛା କହିଲ ଭାଇ, ରାନୁ ବଡ଼ ନା ମୁଁ ବଡ଼ ? ଭାଉଜ ରାନୁକୁ ଦବ ଅଧଗ୍ଲାସ୍ ଦୁଧ ପିଇବାକୁ ଆଉ ମତେ ଦବ ସେଇ ଅଧଗ୍ଲାସ୍ । କାହିଁକି ମୁଁ ଅଧଗ୍ଲାସ୍ ପିଇବି ? ମୁଁ କ’ଣ ପର ହେଇଛି ? ମୁଁ କ’ଣ କୁଣିଆ ? ଭାଇ ପରା ମୋତେ ମା’ ଡାକନ୍ତି । ମୁଁ ପରା ତାଙ୍କ ଝିଅ । ମୁଁ ଅଲବତ୍ ବେଶୀ ପିଇବି । ମୁଁ ସେଦିନ ସବୁଯାକ ଦୁଧ ଏକାଠି କରି ରାନୁକୁ କାଖେଇ କାଖେଇ ପେଇ ଦେଲି । ଟିଣ ଡବା ଖୋଲି ବାହାର କଲି ମୁଢ଼ି । ଯୋଉ ଉଷୁମ ଉଷୁମ୍ ଗରମ ମୁଢ଼ି । ପୁଳାଏ ପିଆଜ କାଟି ସୋରିଷ ତେଲ ଗୋଳେଇ ମା’ସୁ ମା’ସୁ ମା’ସୁ ମା’ସୁ ଚୋବେଇ ଗଲି । ଆଉ ଭାଉଜକୁ ଦେଖେ କିଏ ? ମୋ ଉପରେ ତ ନିଆଁ । ଭଲାରେ ଭଲା ମୁଁ କାହିଁକି ମୁଢ଼ି ଖାଇଲି-। ପ୍ରଫେସର ମାଇପ କିନା, ତା’କୁ ଲାଜ ମାଡ଼ିଗଲା । କିନ୍ତୁ ଅସଲ କଥା କ’ଣ ଜାଣ ଭାଇ-? ମୁଁ ତ ସବୁ ଖାଇଦେଲି । ତମେ ଯେତେବେଳେ କଲେଜ ଯିବ, ସିଏ ଆଉ ଲୁଚେଇ ଲୁଚେଇ ଗିଳିବ କ’ଣ-? କମ୍ ଟାଉକୀ ଟୁପୁସିମୁହୀଁ କି ! ......

 

ଅରୁଣା ! ଅରୁଣା ! ଶୁଣୁଛ ? ଶୁଣିପାରୁଛ ତରୁର ଚିଠି ? କେତେ ଚିଠି ତରୁ ଲେଖିଛି । ଗଲା ତିନିବର୍ଷ ଧରି କେତେ ସ୍ନେହ, କେତେ ପ୍ରେମ, କେତେ ଅଳି, କେତେ ଅଝଟ । ଭାଉଜ ବିରୁଦ୍ଧରେ କେତେ ଅଭିଯୋଗ, ଭାଇ ପାଖରେ କେତେ ମାଗୁଣି—ଖଟା ଆମ୍ବ, ପିଜୁଳି, ବରକୋଳି, ଏଣ୍ଡୁରି ପିଠା, ପରଟା, ଶାଗଭଜା, ବାଟଣ ଚଡ଼ଚଡ଼ି, ଅଣ୍ଡା ତରକାରୀ—କେତେ କେତେ । ଚିଠି ପଢ଼ିଲେ ହସି ହସି ପେଟ ଫାଟେ, କାନ୍ଦି କାନ୍ଦି ଆଖି ପୋଡ଼େ, ତରୁ ଆସି ରକ୍ତ ମାଂସ ଦେହ ଧରି ଠିଆ ହୁଏ ଆଗରେ । ହସେ, ଖେଳେ, ନାଚେ, କୁଦେ । ଭାଇ ପାଦରେ ମୁଣ୍ଡ ପିଟେ, ଭାଉଜ ପିଠିରେ ନାଉ ହେଇ ସେମିତି ପିଠି କାମୁଡ଼ି କାମୁଡ଼ି କହେ—ମର, ମର, ମର ।

 

ସେହି ତରୁ—ସେହି ତରୁ ଆଜି ଲେଖିଛି ଚିଠି ? ସେ ଚିଠି ଆଉ ଚିଠି ?? ଚିଠିରେ ଧାଡ଼ିଏ ବି ଲେଖିନି ଭାଇ କଥା, ପଦେ ବି କହିନି ଭାଇ କଥା । ଭାଇକି ପ୍ରଣାମଟିଏ ବି ଜଣାଇ ନାଇଁ । ଭାଇ ମଲାଗଲା ପଚାରି ବି ନାଇଁ । ଓଃ ଭଗବାନ ! ଭଗବାନ ! ତମେ ନିଷ୍ଠୁର, ନିର୍ବ୍ଦୟ, ପାଷାଣ, ପଥର । ତମେ ମୋତେ ମାରିଦିଅ । ମାରିଦିଅ ପ୍ରଭୋ ! ଓଃ ତରୁ ! ତରୁ ! ତରୁ ! —ଭୋ ଭୋ କାନ୍ଦି ଗଡ଼ି ପଡ଼ିଲେ ପରାଶର । ଧ୍ୟାନଧାରଣା, ଜ୍ଞାନବିବେକ, ବୁଦ୍ଧିବୋଧି, ଚେତାଚଇତନ ସବୁ ଗଲା ଚୁଲୀକି । ଖାଲି ଲୁହ—ଲୁହ, ଲୁହର ସମୁଦ୍ର, ଲୁହର ପାରାବାର, ଲୁହର ପ୍ରଶାନ୍ତ ମହାସାଗର !

 

ସବ୍ଳିମେସନ୍ !!

 

ଏଇ ଟିକକ ଆଗରୁପରାଶର କହୁଥିଲେ ସବ୍ଳିମେସନ୍ କରିବେ !!!

 

–ଚଉଦ–

 

ଜି.ଉଦୟଗିରି, ଏକ ଅଳସ ଅପରାହ୍ନ । ତରୁ ଓ ରାଜଲକ୍ଷ୍ମୀ ବସି କଥା ହେଉଥିଲେ ।

 

.....ହଁ ଶୁଣ୍, ସେଇଠୁ କ’ଣ ହେଲାନା, ଭୋକରେ ମୋର କରଡ଼ି ଜଳୁଥାଏ । ସକାଳୁ ଆସି ସଞ୍ଜ ହେଲା । ସୂର୍ଯ୍ୟ ଦେବତା ମା’ କୋଳରେ ବୁଡ଼ିଲେ । ଏତେବେଳଯାଏ ପାଣି ଟୋପାଏ ମୁହଁରେ ଦେଇନି । ଆଜି କାଷ୍ଠା ଉପାସ ।

 

କାଷ୍ଠା ? —ରାଜଲକ୍ଷ୍ମୀ ପଚାରିଲା ।

 

ହବନି ? ଧବଳେଶ୍ୱରଙ୍କ ଓଷା ପରା । ବଡ଼ ପ୍ରତିଜ୍ଞା ଦିଅଁ, ଡାକିଲେ ଓ କରନ୍ତି । କଳା ବଳଦ ଧଳା କରିଥିଲେ ।

 

ଆଉ ସେଇଥିପାଇଁ ତୁ ଉପାସ ରହି ରହି ଧଳା ଦେହକୁ କଳା କରିଦେଲୁନା ?

 

ନା, କଳା କାହିଁକି ? ସଞ୍ଜବେଳକୁ ଭୋଗରାଗ କରି ପ୍ରସାଦ ପାଇବା କଥା । ମୁଁ କଦଳୀ, କମଳା, ଅଙ୍ଗୁର, ନାସ୍ପାତି, ଅମୃତଭଣ୍ଡା ନାନା ଫଳ ବଜାରରୁ ମଗେଇଥିଲି । ସବୁ ଚିକ୍‍କଣ କରି ଧୋଇ ଛଡ଼େଇ କାଟିକୁଟି ଗୋଟିଏ ବଡ଼ ଥାଳିରେ ସଜାଇ ରଖିଲି । ଖାଲି ବ୍ରାହ୍ମଣ ଆସିଲେ ଦିଅଁଙ୍କୁ ସମର୍ପଣ କରିବା କଥା । କିନ୍ତୁ ଚାହିଁ ଚାହିଁ ଆମ ବ୍ରାହ୍ମଣ ଆସିଲେ ନାହିଁ । ଭୋକରେ ମୋର ହଂସା ଉଡ଼ିଲା ।’

 

ତା’ ପରେ ? —ରାଜଲକ୍ଷ୍ମୀ ଉଦବେଗ ହେଇ ପଚାରିଲା ।

 

ତା’ ପରେ ଦିନେ କାଳେ ନାହିଁ, ସେଦିନ ଅଜଗବି ସଞ୍ଜବେଳେ ଆସି ପହଞ୍ଚିଲେ ଭାଇ ।

 

ଭାଇ ? ପରାଶର ?

 

ହଁ, ହଠାତ୍ ରିକ୍ସାରୁ ଓହ୍ଲେଇ ଆସି ଡ୍ରଇଂ ରୁମରେ ବସିଲେ । ତାଙ୍କ ସାଙ୍ଗରେ ତାଙ୍କର ଆଉ ଦି’ଜଣ ବନ୍ଧୁ ଆସିଥାଆନ୍ତି ।

 

ତା’ପରେ ତୁ ପରାଶରଙ୍କୁ ପରାଶର ମିଶ୍ର ବନେଇଲୁ, ନା ?

 

ହଁ ଠିକ୍ ସେଇଆ । ଭୋରେ ମୋ ଆତ୍ମା ଛଟପଟ ହେଉଥାଏ । ମୁଁ ଆଉ ଦଣ୍ଡେ ମଠ କରି ପାରିଲି ନାହିଁ । ତାଙ୍କ ପାଖ ଘରେ ଭୋଗ ଥାଳିଟା ସଜେଇ ରଖି ଚୁପି ଚୁପି କହିଲି—ଭାଇ ! ଏ ଭୋଗଟା ଟିକିଏ କରିଦିଅନ୍ତ । ..... ସିଏ କ’ଣ ବୁଝିଲେ କେଜାଣି, କହିଲେ—ହଁ ହଁ, ମୁଁ ଯାଉଛି-। ତୁ ଆଗ ଯାଆନି ଘରଭିତରୁ ଦି’ଟା ଟଙ୍କା ଆଣି ରିକ୍ସାବାଲାଙ୍କୁ ଦେ’ । .....ମୁଁ ଟଙ୍କା ଆଣିବା ପାଇଁ ଦୋମହଲା ଉପରକୁ ଉଠିଗଲି ।

 

ତା’ପରେ ?

 

ତା’ପରେ ତେଣୁ ଆସି ଯା’ ଦେଖିଲି ମୋ ଭୋକ ଶୋଷ ସବୁ କୁଆଡ଼େ ଉଡ଼ିଗଲା । ଭୋଗଥାଳି ଗୋଟା ଛାଆଁ ଯାଇ ତାଙ୍କ ଟେବୁଲ ଉପରେ । ଆରାମରେ ତିନି ବନ୍ଧୁ ବସି ଖାଉଛନ୍ତି । ଭାଇ କହୁଛନ୍ତି—ତରୁଟା ଆମର ସବୁଦିନେ ଏଇଆ । ଥାଳିରେ ଥାଳିଏ ନଦେଲେ ସେ ଭାଇକି କେବେ ଖାଇବାକୁ ଦବନି ।

 

ଆଁ....ଆଁ......ଆଁ, ଭାଇଟା ତୋ’ର ମଣିଷ ନା ଭୂତ ? ମୋଟେ ଭୋଗ ନ କରି......

 

ଆଉ ଭୋଗକାହିଁ ? ଭୋଗ ତ ତାଙ୍କ ପାଟିରେ । ହେଲେ କ୍ଷତି କ’ଣ ? ସେମିତି ମହେଶ ଖାଇଥାନ୍ତେ, ଏମିତି ନହେଲେ ଖାଇଲେ ଭୋଳା ମହେଶ....

 

ଭୋଳା ମହେଶ ନା ତା’ ମୁଣ୍ଡ ?—ରାଜଲକ୍ଷ୍ମୀ ଚିଡ଼ି ଉଠିଲା—ଏମିତିଆ ଲୋକକୁ ତୁ ଭାଇ ବୋଲି କହୁଛୁ ? ମୁଁ ତ ହେଇଥିଲେ ଅଣ୍ଟାରେ କାନି ଗୁଡ଼େଇ ଛାଞ୍ଚୁଣି ଧରି ଖାଲି ଠୋ ଠୋ ଠୋ....

 

ତରୁ ଧରିଲା ରାଜଲକ୍ଷ୍ମୀର କାନ—ସତେ, ମୋ ଭାଇକି ଏମିତି କହୁଛୁ ? ଆଉ ତୋ ପିଠିରେ ଯେତେବେଳେ ବସିବ ଏମିତି ଠୋ ଠୋ ଠୋ ଠୋ.....ତରୁ କଷିଲା ଦି’ ଚାରିଟା ବିଧା ।

 

ରାଜଲକ୍ଷ୍ମୀ କହିଲା—ସତେଲୋ ମିଣିପିଟାର ଏଡ଼ିକି ହୁଣ୍ଡା । କିଏ ଭୋଗ, କିଏ ଭୋଗ ନୁହେଁ ଏତିକି ଜାଣି ପାରୁନାହିଁ ।

ଅରୁଣା ଭାଉଜ ତ ଏମିତି ଦିନେ ଶୋଇଥିବ, ତାକୁ ନେଇ ମଶାଣିରେ ପକେଇ ଦେଇ ଆସିବ ଇଏ । କହିବ ଏଇଟା ମରିଗଲାଣି.....

 

ତରୁ କିର୍ କିର୍ ହେଇ ହସି ଉଠିଲା । ରାଜଲକ୍ଷ୍ମୀ ଗମ୍ଭୀର ହେଇ କହିଲା—ତୁ ହସୁଛୁ ? ମୋର ତ ପ୍ରାଣେ ଡର, ମୁଁ ତାଙ୍କର ମାଇପ ହେଇଥିଲେନା ଖାଲି ଦିନରାତି ଚବିଶ ଘଣ୍ଟା କହୁଥାଆନ୍ତି ମୁଁ ବଞ୍ଚିଛି, ମୁଁ ବଞ୍ଚିଛି, ମୁଁ ବଞ୍ଚିଛି ।

 

ତୋ ମୁଣ୍ଡ ! ତୋ ମୁଣ୍ଡ ! ତୋ ମୁଣ୍ଡ ! —ତରୁ ଆହୁରି କଷିଲା ବିଧା । ତରୁ ଓ ରାଜଲକ୍ଷ୍ମୀ ଆହୁରି ଜୋରେ କିର୍ କିର୍ ହସି ଉଠିଲେ । ଫେଁ ଫେଁ ହସି ଉଠିଲେ । ଘରର ଛାତ ଯେମିତି ଓଲଟି ପଡ଼ିଲା ସେ ହସରେ ।

 

ହସର ଲହର କମିଲା ଅନେକ ବେଳ ପରେ । ରାଜଲକ୍ଷ୍ମୀ ଧରିଲା ତରୁର ହାତ—ଆଚ୍ଛା ଆକାୟା, କଥା ନହସରେ ମୁଁ ଭୁଲି ଯାଉଛି । କହିବୁ ଦେଖି ତୁ ଏ ଧବଳେଶ୍ୱର ଉପାସ କରୁ କିଆଁ ?

 

କହିଲି ପରା—ସେ ବଡ଼ ପ୍ରତିଜ୍ଞା ଦିଅଁ । କଳା ବଳଦକୁ ଧଳା କରିଥିଲେ ।

 

ହେଲେ ତୋ’ର ସେଥିରେ ଯା’ଏ କେତେ ଆସେ କେତେ ? ତୁ କରୁ କୋଉ ଦୁଃଖରେ-?

 

ସେଇ କଳାକୁ ଧଳା କରିବାପାଇଁ—

 

ମାନେ ?

 

ମାନେ......ତୁ କିଛି ବୁଝୁନା ?

 

ନା, ତୋ’ର ଏ ବାରମାସରେ ତେର ଉପାସ, ନିଷ୍ଠା, କାଷ୍ଠା, ହବିଷାନ୍ନ, ପୂଜା—ଏସବୁ ଯାହା ନିର୍ଦ୍ଦେଶରେ ମୁଁ ଜାଣେ, କିନ୍ତୁ କାହା ଉଦ୍ଦେଶ୍ୟରେ ଜାଣେନା ତ ।

 

ତରୁ ହସିଲା । କହିଲା—କାହା ନିର୍ଦ୍ଦେଶରେ କହନି ?

 

ରାଜଲକ୍ଷ୍ମୀ କୋମଳ କଣ୍ଠରେ କହିଲା–ପରାଶର ।

 

ସତେ ? ଆଉ କାହା ଉଦ୍ଦେଶ୍ୟରେ ଜାଣୁନା ?

 

ନା ।

 

ଆଚ୍ଛା ଲକ୍ଷ୍ମୀ ! ନିମ ଗଛରେ ସାପ ରହେ ?

 

ସାପ ?

 

‘ପରିମଳମୟ ମଳୟାନିଳ, ବହିବାରୁ ଉପବନ ମଞ୍ଜୁଳା ।’ ମଳୟର ପରଶ ପାଇ ନିମ ଗଛ ଯଦି ଚନ୍ଦନ ପାଲଟିଲା ଲୋ, ତା’ କୋଳରେ ସାପ ରହିଲା କେମିତି ? କେମିତି ?

 

କ’ଣ ତୁ ଏ ସବୁ କହୁଛୁ ?

 

ମୁଁ କହୁଛି ନା ତୁ କହୁଛୁ ?

 

ମୁଁ ?? —ଆଶ୍ଚର୍ଯ୍ୟହେଇ ରାଜଲକ୍ଷ୍ମୀ ଚାହିଁଲା ।

 

କହିଲୁ ପରା ପରାଶର, ପରାଶର ମଳୟ । ପରାଶର ପୂର୍ଣ୍ଣମୀର ଜ୍ୟୋତ୍ସ୍ନା । ପରାଶର ଆଦ୍ୟ ଆଷାଢ଼ର ବାରିଧାରା । ପରାଶରର ପରଶରେ ଶୁଖିଲା କାଠରେ ସଂଚାର ହୁଏ ଜୀବନ । ତୁ କହୁଛୁ, ଆହୁରି ବି ମୋର ବହୁ ଅନ୍ତରଙ୍ଗ କହିଛନ୍ତି । ପରାଶର ହିଁ ମୋତେ ଆଶ୍ରମକୁ ଘେନି ଯାଇଛି-। ପରାଶର ଲାଗି ମୁଁ ଆଜି କଣ୍ୱ ଆଶ୍ରମରେ ଏକ ସାମାନ୍ୟ ପରିଚାରିକା ‘ଅନୁସୂୟା’ ।

 

ରାଜଲକ୍ଷ୍ମୀ ବି ଗମ୍ଭୀର ହେଇ କହିଲା—ଆକାୟା, ତୁ ପୁଣି କଥା ଭାଙ୍ଗି ଓଲଟି ଆସିଲୁ । ହେଲେ ତୁ ଖାଲି ଗୋଟାଏ ପାଖ କହୁଛୁ, ଶିବଙ୍କ ଜଟାରେ ଗଙ୍ଗା ଥିବାରୁ ପବିତ୍ର କି ଗଙ୍ଗାଙ୍କ କଅଁଳ ପରଶରେ ଶିବ ସ୍ୱଚ୍ଛ ଓ ଅମଳିନ, ଭିନ୍ନ ଲୋକ ଭିନ୍ନ ମତ ଦେବେ ।

 

ତରୁ ପୁଣି ହସିଲା କହିଲା—ସତେ, ଏଡ଼େ କଥା । ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ ସଖା ମନେ କରି ‘ହେ କୃଷ୍ଣ, ହେ ଯାଦବ, ହେ ସଖେତି’ କହିଛନ୍ତି ବୋଲି ଅର୍ଜ୍ଜୁନଙ୍କ ପାଇଁ ଶ୍ରୀକୃଷ୍ଣ ସୁନ୍ଦର ଆଉ ରୀପ୍ତିମନ୍ତ ଏଇଆ ତୁ କହିଲେ ଆମ ରାନୁ ତ ଶୁଣି ହସିବ, ମୋ କଥା କିଏ ପଚାରେ ।

 

ଆଚ୍ଛା ହେଲା, ଆପାତତଃ ତୋ’ରି କଥା ମାନୁଛି, କିନ୍ତୁ କ’, ତୋ’ର ଏ ଉପାସ କାହିଁକି-?

 

ସେଇଆ କହୁଛି ପରା, ଫଗୁଣର ପବନ ପାଇ ନିମ ଯଦି ଚନ୍ଦନ ପାଲଟିଲା, ତା’ ପାଖରେ ସାପ ରହିଲା କେମିତି ? କାହିଁକି ? କା’ର ଅଭିଶାପରେ ?

 

ପୁଣି ସେଇ କଥା ?

 

ତୁ ପଚାରୁଛୁ, ଆଉ ମୁଁ ପଚାରିଲେ ଦୋଷ ହେଲା, ଆଚ୍ଛା ରାଜ, ତୁ କହିଲୁ, ମୁଁ ସବୁଦିନ ଏମିତି ବାହାରେ ବାହାରେ ବୁଲୁଛି ବୋଲି ତୁ କ’ଣ ଭାବୁ ମୋ ଆଖିରେ ଲୁହ ନାଇଁ ? ମୋ ଛାତି ଫାଟି ପଡ଼େନା ? ମୋ କଲିଜା ଛିଡ଼ି ପଡ଼େନା ଟିକି ଟିକି ହେଇ—ଟିକି ଟିକି ହେଇ ?

 

ଏ ତୁ କ’ଣ କହୁଛୁ ଆକାୟା ?

 

ଜଣେ ସାପ ଭଳି ଗୋଟାକ ପରେ ଗୋଟିଏ ଦଂଶନ କରି ଚାଲିବ—ଶଶୀ, ଚପଳା, ନୀହାର, ସ୍ୱର୍ଣ୍ଣ, ମୁକ୍ତା, ସଂଧ୍ୟା.....

 

ଆକାୟା !!

 

ଠାକୁରେ କ’ଣ ମୋ ଡାକ ଶୁଣିବେ ନାଇଁ ? ଶୁଣିବେ ନାଇଁ ରାଜ ? ମୁଁ କ’ଣ ଅପରାଧ କରିଛିଲୋ ମୋ ସଂସାର ଏମିତି ଜଳି ପୋଡ଼ି ପାଉଁଶ ହେଇଯିବ ? ମୋ ସ୍ୱାମୀ ଏମିତି ମଦ ଖାଇ, ମାତାଲ ହେଇ, ବାରଦୁଆରେ ପଡ଼ି ପଡ଼ି....ରାଜ !! —ତରୁ କାନ୍ଦି ଉଠିଲା ।

 

ରାଜଲକ୍ଷ୍ମୀ କ’ଣ କହିବ ହଠାତ୍‍ କିଛି ଭାବି ପାରିଲା ନାହିଁ । ମୂକ ହେଇ ଚାହିଁ ରହିଲା ଖାଲି । କେତେବେଳକେ—କହିଲା—ଆଶ୍ଚର୍ଯ୍ୟ, ଅଦ୍‍ଭୁତ ତୁ ଆକାୟା, ଦିନେ ଭୁଲରେ ହେଲେ ତୋ’ ମୁହଁରୁ ସ୍ୱାମୀ ନାଁ ଶୁଣି ନାହିଁ, ଅଥଚ ସ୍ୱାମୀ ପାଇଁ ଭିତରେ ତୋ’ର ଏତେ ଶ୍ରଦ୍ଧା, ଭକ୍ତି, ଅଶ୍ରୁ !

 

ସ୍ୱାମୀ ପାଇଁ ମୋର ଚିରଦିନ ଈର୍ଷା, କ୍ରୋଧ, ଘୃଣା ଥିଲା, ଅଥଚ ଏ ପ୍ରୀତି ଆଉ ଅଶ୍ରୁ ଦେଲେ ସେ ନିଜେ—ନିଜେ ।

 

ନିଜେ ? କେମିତି ?

 

ଦିନରାତି ଚବିଶ ଘଣ୍ଟା ଯିଏ ମଦରେ ବୁଡ଼ି ରହେ, ଯିଏ ଗଣ୍ଡା ଗଣ୍ଡା ନାରୀ ଆଣି ମୋ’ରି ଛାତି ଉପରେ ଥେଇ ଥେଇ ହେଇ ନାଚେ, ତା’ ହୃଦୟ ଏଡ଼େ ଉଦାର, ମହତ, ସ୍ନେହ ପ୍ରବଣ ଜାଣି ନଥିଲି ତ ।

 

ମତେ କ୍ଷମା କରିବୁ ଆକାୟା, ଏ ତୋ’ର ଅତିରଞ୍ଜନ—ନିଚ୍ଛକ ଭାବପ୍ରବଣତା ।

 

ମୋର ବି ଠିକ୍‍ ପ୍ରଥମେ ସେମିତି ମନେ ହେଉଥିଲା । ମୁଁ ବୁଝି ପାରି ନଥିଲି ଶୁଖିଲା ଟାଙ୍ଗର ତଳେ ଏଡ଼େ କୋମଳ ଝରି ଅଛି ।

 

ନା, ତୁ ଦୁଃଖିତ ହୋ ପଛେ, ମୁଁ ମାନିବି ନାହିଁ ।

 

ମୁଁ ବି ମାନୁ ନଥିଲି, କିନ୍ତୁ ମନାଇବାର ଲୋକ ଜଣେ ସବୁ ଅନ୍ଧାର ଭିତରେ ଯିଏ ସଂଧାନ ପାଏ ଆଲୋକର—ଖତ ଗଦାରେ ଯିଏ ଆବିଷ୍କାର କରେ ପଦ୍ମ ।

 

କିଏ ? ପରାଶର ?

 

ହଁ, ସିଏ ସତ୍ୟର ପୂଜାରୀ—ମଙ୍ଗଳର ପୂଜାରୀ । ମଶାଣିର ଧୂଳି ପାଉଁଶ ଭିତରେ ସିଏ ଦେଖନ୍ତି ଫୁଲ—କଅଁଳ ଫୁଲ । ସିଏ କହିଲେ—ତୁ ବୁଝିବୁ ମା’, ଜୟନ୍ତ କଳା ହେଇପାରେନା । ଜୟନ୍ତ ତୁଷାର ଭଳି ଧଳା, ଜୟନ୍ତ ଗଙ୍ଗଶିଉଳି ଫୁଲ ଭଳି ଧୋବା ଫର ଫର—ମହକରେ ଫାଟିପଡ଼ୁଛି । ଆଉ କଥା ଆଉ ଏତିକି ବୁଝ, ଯିଏ ନିଜ ପ୍ରିୟତମା ପତ୍ନୀକୁ ଅନ୍ୟ ପୁରୁଷ ସାଙ୍ଗରେ ଏପରି କ୍ଷୀର ନୀର ଭାବେ ମିଶିବାକୁ ଦିଏ, ଯିଏ ଦିନ ଦିନ ଧରି, ରାତି ରାତି ଧରି, ମାସ ମାସ ଧରି ନିଜ ସ୍ତ୍ରୀକୁ ଅକୁଣ୍ଠିତ ଚିତ୍ତରେ ଛାଡ଼ିଦିଏ ଅନ୍ୟ ତରୁଣ ସାଙ୍ଗରେ ବସିବାକୁ, ହସିବାକୁ, ଖାଇବାକୁ, ଶହ ଶହ ମାଇଲ ବୁଲିଯିବାକୁ, ସିଏ ଯେ କି ମଣିଷ—ତା’ ହୃଦୟ ଯେ କି ବିଶାଳ, କି ପ୍ରଶସ୍ତ, କି ମାଗ୍ନାନିମସ୍, ତା’ କେବେ କଳ୍ପନା କରିଛୁ ମା ? କଳ୍ପନା କରିଛୁ ?

 

ରାଜଲକ୍ଷ୍ମୀ ସ୍ଥିର ନେତ୍ରରେ ଚାହିଁଲା । କିଛି କହିଲାନାହିଁ ।

 

ଯୁକ୍ତି କରି ହୁଏତ ଏହା ଖଣ୍ଡନ କରାଯାଇପାରେ, କିନ୍ତୁ ହୃଦୟର ସହିତ ଯଦି କଥାଟା ବିଚାର କରିବୁ, ଦେଖିବୁ, ଧୂ ଧୂ ସାହାରା ମରୁଭୂଇଁର ରୁକ୍ଷ ବୁକୁ ତଳେ କାହିଁ କେଉଁ ଗହନ ଅନ୍ତରାଳରେ ଯେ ଗୋଟାଏ କ୍ଷୀଣଧାରା କୁଳୁ କୁଳୁ ହେଇ ବହିଯାଉଛି, ତା’ ସହଜରେ ଅସ୍ୱୀକାର କରି ହେବନି ।

 

ରାଜଲକ୍ଷ୍ମୀ ହସିଲା ।

 

ହସୁଲୁ ଯେ, ଅବିଶ୍ୱାସ ହେଉଛି ?

 

ରାଜଲକ୍ଷ୍ମୀ କହିଲା—ନା ଅବିଶ୍ୱାସ ନୁହେଁ, ଅପସନ୍ଦ । ମତେ କ୍ଷମାକର ଆକାୟା, ଗୋଟିଏ କଥା କହିବି, ଯା’ପାଇଁ ତୋର ଏତେ ପ୍ରୀତି ଆଉ କୋମଳତା, ତା’ ପାଇଁ ସତେ ସତେ ତୁ କ’ଣ କରିଛୁ ? ତା’କୁ ତ ଦିନେହେଲେ ପଚାରିନାହୁଁ ?

 

ତରୁ ହେଲା ଗମ୍ଭୀର, ଥିର । ଟିକିଏ ଉଦାସ ଗଳାରେ କହିଲା—ଯିଏ ନ ହେବ, ତା’ ପାଇଁ ମୁଣ୍ଡ ପିଟି ଲାଭ କ’ଣ ? ପଥରରେ ମୁଣ୍ଡ ପିଟିଲେ ଖାଲି ରକ୍ତ ଝରିବା ସାର ହେବ, ପାଣି ତ ଝରିବ ନାହିଁ । ମରିଷ ହାତରେ ଯେତିକି ହବାକଥା, ତୁ କ’ଣ ଭାବୁଛୁ, ମୁଁ ସେତକ କରିନାହିଁ ? କରି କରି ବହୁବାର ରକ୍ତ ଢାଳିଛି ଆଖିରୁ—ମାସ ମାସ ଧରି, ବର୍ଷ ବର୍ଷ ଧରି । କିନ୍ତୁ ସବୁ ପଣ୍ଡ, ସବୁ ବିଫଳ, ସବୁ ନିଷ୍ଫଳ । ଶେଷରେ ନିରସ୍ତ ହେଇ, ପରାସ୍ତ ହେଇ, ଫେରିଆସିଛି ମୁଁ । ସବୁ ସମର୍ପି ଦେଇଛି ସେଇ ସର୍ବକଲ୍ୟାଣମୟ ସର୍ବମଙ୍ଗଳମୟ ବିଭୁଙ୍କ ଚରଣରେ । ସେହି ତାଙ୍କୁ ରଖନ୍ତୁ, ମାରନ୍ତୁ, ଯାହା ତାଙ୍କ ଇଚ୍ଛା—ଯାହା ତାଙ୍କ ଇଚ୍ଛା—ତରୁ ଆଖିରେ ଧାର ଧାର ଲୁହ ।

 

ରାଜଲକ୍ଷ୍ମୀ ନିଜର ନିର୍ବୋଧ ପ୍ରଶ୍ନ ପାଇଁ ଲଜ୍ଜିତ ହେଲା । ମୁହଁ ଟେକ ଚାହିଁବାକୁ ସାହସ ହେଲାନି ।

 

ଅନେକ କ୍ଷଣ ନୀରବରେ କଟିଲା । ରାଜଲକ୍ଷ୍ମୀ ତରୁର ଲୁହ ପୋଛି କଥା ବଦଳେଇ କହିଲା—ଆଉ ଠିକ୍‍ ସେମିତି କ’ଣ ଠାକୁରଙ୍କୁ ତୁ ସମର୍ପିଦେଲୁ ପରାଶରଙ୍କୁ ?

ପରାଶର ? —ବିକଳ ଆଖିରେ ତରୁ ଚାହିଁଲା

ପରାଶରପାଇଁ ତୋ’ର ଗଦ୍‍ ଗଦ୍‍ ହେଇ ଆସେ ଅଶ୍ରୁ । ସକାଳେ ସଞ୍ଜେ ତୁ ଘଣ୍ଟାଏ ଓଳଗି ହେଉ ପରାଶରର ମଙ୍ଗଳ କାମନା କରି, ମନେନାଇଁ ? କାହିଁ ଆଜି ତ ତା’ କଥା ମୋଟେ ଭାବୁ ନାହିଁ । ତା’କୁ ଛାଡ଼ି ତୁ ଆଜି ନିଶ୍ଚିନ୍ତରେ ବସିଛୁ ଏଠି । ଟିକିଏ ବ୍ୟଥା ନାଇଁ, ବ୍ୟାକୁଳତା ନାଇଁ, ଦୀର୍ଘଶ୍ୱାସ ନାଇଁ ।

ତରୁ ଆଖିରୁ ବେଶୀ ବହିଲା ଲୁହ । କିଛି କହିଲା ନାହିଁ !

ରାଜଲକ୍ଷ୍ମୀ କହିଚାଲିଛି—ମୁଁ ଭୁଲ୍‍ କହିଲି ? ପରାଶର ତୋ’ର ପ୍ରିୟ ନୁହେଁ ? ପରାଶର ତୋ’ର ନୟନର ମଣି ନୁହେଁ ? ନୁହେ ତୋ’ର ସ୍ୱପ୍ନର ଧନ ?

ତରୁ ଚିତ୍କାର ଛାଡ଼ିଲା—ନା ନା, ପରାଶର ନୁହେଁ, ପରାଶର ନୁହେଁ । ପରାଶର ପାଇଁ ମୁଁ ଭାବିବି କାହିଁକି ? ପରାଶର ମୋର କିଏ ? କ’ଣ ? କେତେଦିନର ଚିହ୍ନା ? ପରାଶର ମୋର ଜ୍ଞାତି ନା କୁଟୁମ୍ବ ନା ଭାଇ ନା ବନ୍ଧୁ ?

ଆଶ୍ଚର୍ଯ୍ୟ ହେଇ ରାଜଲକ୍ଷ୍ମୀ ଚାହିଁଲା—ଏଁ ଆକାୟା, ତୁ ୟା’ କହୁଛୁ ?

ନା ପରାଶର ମୋର କେହିନୁହେଁ, କିଛିନୁହେଁ । ମୁଁ ଖାଲି ମରୀଚିକାକୁ ଜଳ ମନେକରି ତା’ ପଛେ ପଛେ ଧାଇଁଥିଲି । ଫଳରେ କଲବଲ ହେଇ ମରିନାହିଁ ସାର ହେଲା । ମରୀଚିକା ଜଳ ନୁହେଁ, ଜଳ ହେଇପାରେନା ।

କିନ୍ତୁ ଏଇ ବର୍ତ୍ତମାନ କହିଲୁ ଯେ ପରାଶର ମଳୟ, ଜ୍ୟୋତ୍ସ୍ନା, ଆକାଶରେ ମେଘ ?

ପରାଶର ସ୍ୱର୍ଗର ଦେବତା ହେଉ, ସେଥିରେ ମୋର ଯାଏ କେତେ, ଆସେ କେତେ । ପରାଶର ସାଙ୍ଗେ ସଂପର୍କ ରଖିବାକୁ ମୁଁ ଅଯୋଗ୍ୟ, ଅଧମ । ମୋର ନୈତିକତା ନାଇଁ, ହୃଦୟ ନାଇଁ, ପ୍ରେମ ନାଇଁ, ମୋର ଚରିତ୍ର କଳଙ୍କିତ ହେଇ ଯାଇଛି, କଳୁଷିତ ହେଇ ଯାଇଛି, କଳା ହେଇଯାଇଛି । ପରାଶର ମୋତେ ପଚାରିବେ କାହିଁକି ? କାହିଁକି ? ଆକାଶର ସୂର୍ଯ୍ୟ କ’ଣ ମାଟିର ପ୍ରଦୀପକୁ କେବେ ପଚାରେ ? ପଚାରେ କେବେ ? ମୁଁ କାହିଁକି ସେ ଉଚ୍ଚ ଆଶା କରିବି ? ମୁଁ ହଜିଯିବି, ଲୁଚିଯିବି, ଲିଭିଯିବି, ମୋର ସୂର୍ଯ୍ୟ ଲୋଡ଼ା ନାହିଁ । ମୋର ଲୋଡ଼ା ମରଣ— ମରଣ....

କହି କହି ଧୀରେ ଧୀରେ ଉଠି ଚାଲିଗଲା ତରୁ । ଆଖିରେ ଆକାଶର ଅସରାଏ ବର୍ଷା । ରାଜଲକ୍ଷ୍ମୀ ନିର୍ବୋଧ ଭଳି ଖାଲି ଚାହିଁଲା; କିଛି ବୁଝିଲାନାହିଁ ।

ତା’ ପରେ ପରେ ଘର ଭିତରକୁ ପଶି ଆସିଲେ ଯିଏ, ସିଏ ଜଣେ ସ୍ୱପ୍ନ ପ୍ରବଣ ତରୁଣ ରାଜକୁମାର । ଆସୁ ଆସୁ ଆରମ୍ଭ କରିଦେଲେ—ଏଇ ଦେଖ, ଆକାଶର ତାରା ଏ, ତାରା ଏ, ଆଜି ତା’ର ଗତି । ଆଜି ତା’ର ପକ୍ଷୀରାଜ ଘୋଡ଼ା ଖାଲି ଛୁଟି ଚାଲିଛି ଅନନ୍ତ ଆକାଶ କୋଳକୁ । ତା’ ପରେ ସ୍ୱପ୍ନପୁରୀ, ସ୍ୱପ୍ନାଲୋକ, ସ୍ୱପ୍ନର ଦିଗନ୍ତହଜା ବନଭୂଇଁ । ଆଖି ଆଗରେ ଭାସିଯାଉଛି କେତେ ମେଘମାଳା, ହେମମାଳା, ପ୍ରେମମାଳା, ମଣିମାଳା; ସେପଟୁ ଭାସିଆସୁଛନ୍ତି ଚପଳା, କମଳା, ପ୍ରମିଳା, ସୁଶୀଳା, ଶକୁନ୍ତଳା....

ରାଜଲକ୍ଷ୍ମୀ କିର୍‍ କିର୍‍ ହେଇ ହସିଉଠିଲା । କହିଲା—ପାଗଳ ନା ମୁଣ୍ଡ ଖରାପ ? ଆପଣଙ୍କୁ କିଏ ଚିଡ଼ିଆଖାନାକୁ ନଉନାହିଁ ?

 

ନା, ‘ସ୍ୱପ୍ନ ! ଜାଗରଣେ ଦେଖେ ଆଜି ସ୍ୱପ୍ନ !

 

ଝିଲ୍ଲୀ ଝଙ୍କାରିତ ସୁକୋମଳ ବାଲୁଶଯ୍ୟାବାହୀ

 

ଶୁଭ୍ର ଏକ ନିର୍ଝରିଣୀତଟେ........’

 

ରାଜଲକ୍ଷ୍ମୀ ବେଶୀ ବେଶୀ ହସିଲା—ବାବ୍‍ବା, ଇଏତ ଏକାବେଳକେ କେଦାର । ଗୌରୀ ପାଇଁ ମୁଣ୍ଡ ପିଟି ଆତ୍ମହତ୍ୟା ନ କଲେ ରକ୍ଷା ।

 

ତରୁଣ କହିଲା—ନା, ଏ ପରିହାସର ବସ୍ତୁ ନୁହେଁ, ଏ ସୁନ୍ଦରର ଆରାଧନା । ଆଜି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀଙ୍କ ଚରଣରେ ପୁଷ୍ପର ଅଞ୍ଜଳି । ଆଜି ମର୍ତ୍ତ୍ୟକୁ ଓହ୍ଲେଇ ଆସିଛନ୍ତି ସ୍ୱର୍ଗର ଅପରୂପା ଅପ୍‍ସରୀ ଉର୍ବଶୀ ।

 

ସତେ ? ଉର୍ବଶୀ ଆସିଛନ୍ତି ଆମରି ଏଇ ଜି. ଉଦୟଗିରିକି ? କୋଉଠି—କୋଉଠି ପଡ଼ିଛି ତାଙ୍କ ଉଡ଼ାଜାହାଜ ?

 

କଥା ପ୍ରତି ତରୁଣର ଦୃଷ୍ଟି ନାଇଁ, ଅକଥାରେ ତା’ର ବେଶୀ ମନ । ସେ ଅଭିନୟ ଭଙ୍ଗୀରେ କହି ଚାଲିଛି—ଆସ ପୁରବାଳାଗଣ, ଆସ ସର୍ବେ, ଦିଅ ହୁଳହୁଳି । କର ଗୋ ବନ୍ଦନା । ଏଇ ନିଅ ପୁଷ୍ପମାଲ୍ୟ, ଏଇ ପୁଣି କର୍ପୂରର ମାଳା, ଆଉ ଏଇ ଧୂପ ଦୀପ ଅଗୁରୁ ଚନ୍ଦନ.....

 

ରାଜଲକ୍ଷ୍ମୀ ପୁଣି ହସିଲା । ଅଭିନୟ ସ୍ୱର ଅନୁକରଣ କରି କହିଲା—କ୍ଷୁଦ୍ର ଏକ ନାଗରିକା ମୁହିଁ । ଆସିଅଛି କରିବି ବନ୍ଦନ । କହିଲା—କ୍ଷୁଦ୍ର ଏକ ନାଗରିକା ମୁହିଁ । ଆସିଅଛି କରିବି ବନ୍ଦନ । କିନ୍ତୁ କାହିଁ ? କାହିଁ ତବ ପ୍ରିୟତମା ? କାହିଁ ତବ ଉର୍ବଶୀ ସୁନ୍ଦରୀ ?

 

ଦେଖିନାହିଁ, ଜାଣିନାହିଁ, ଚିହ୍ନିନାହିଁ ଉର୍ବଶୀକି ତମେ ? କଣ୍ଠେ ଯା’ର ମଣିମାଳା, ଚରଣେ ନୂପୁର, ବକ୍ଷେ ଶୋହେ ଝୀନ ଉତ୍ତରୀୟ । କର୍ଣ୍ଣତଟେ ରାଜେ ଯା’ର କନକ କୁଣ୍ଡଳ, କୃଷ୍ଣ କେଶ କବରୀରେ ରାଶି ରାଶି ପୁଷ୍ପ–ଶୁଭ୍ର ଶିରା ସତେଜ ସୁନ୍ଦର, ଦେଖିନାହିଁ ଯେବେ, ଆସ, ଆସ ତେବେ ମାନିନିଗୋ ମୋର, ଦେଖିଯାଅ ମୋର ପ୍ରିୟା, ପ୍ରିୟତମା, ମୋ ହୃଦୟରାଣୀ, ମୋ ହୃଦଚନ୍ଦନ ସେ ଯେ ମୋ ରଙ୍କପସରା, ଅପାଶୋରାନିଧି । ଦେଖୁଛ ? ଦେଖୁଛ କିଛି ? ଏଇ ତା’ର ସୁନ୍ଦର ଲପନ, ଏଇ ତା’ର ଭୀରୁ ଭୁରୁ, ଚପଳନୟନ, ସୁକୋମଳ କମନୀୟ ଗଣ୍ଡ.....କହୁଁ କହୁଁ ରାଜଲକ୍ଷ୍ମୀର କଅଁଳ ଗାଲ ଖବ୍‍ ଜୋରେ ଚିପିଦେଲା ତରୁଣୀ । ରାଜଲକ୍ଷ୍ମୀ ଫେଁ ଫେଁ ହସି ଚିତ୍କାର ଛାଡ଼ିଲା—କଲ୍ୟାଣ ବାବୁ ! .....କଲ୍ୟାଣ ଫେଁ ଫେଁ ହସି ଚେୟାର୍‍ ଉପରେ ବସିପଡ଼ିଲା । ହସ କୋଳାହଳରେ କ୍ଷଣକପାଇଁ ଘର ଫାଟିଲା ।

 

ରାଜଲକ୍ଷ୍ମୀ କହିଲା—ମୁଁ ଆଶ୍ଚର୍ଯ୍ୟ ହେଉଛି ମଦ ଖାଇଲେ ମଣିଷ କ’ଣ ନ ହୁଏ ।

 

ମଦ ?

 

ବୋତଲର ମଦ କଥା କହୁନି, ପ୍ରେମର ମଦ କଥା କହୁଛି ? କାଲି ସକାଳର ଲାଜକୁଳା ତରୁଣ ଆପଣ । କାନ କାଟିଲେ ବଚନ ବାହାରେନାହିଁ । ନାରୀ ଜଣେ ଦେଖିଲେ ଦଶହାତ ଦୂରକୁ ବାଟ ଭାଙ୍ଗି ଚାଲିଯାଆନ୍ତି । ଅଥଚ ଆଜି ଆପଣଙ୍କର ହେଲା କ’ଣ ? ଆପଣ ଏପରି ପାଗଳ ହେଲେ କିପରି ? ଅନ୍ଧ ହେଲେ କିପରି ?

 

କଲ୍ୟାଣ କହିଲା—ହଁ ମୁଁ ବି ସେଇଆ ପଚାରୁଛି, କୁହ, ମୁଁ ପାଗଳ ହେଲି କିପରି ? ଅନ୍ଧ ହେଲି କିପରି ? ମୋତେ ଅନ୍ଧ କଲା କିଏ ? କିଏ ସେଥିପାଇଁ ଦାୟୀ ? କିଏ ଏଡ଼େ ବଦ୍‍ମାସ୍, ପାଜି, ସଇତାନ ?

 

Unknown

ରାଜଲକ୍ଷ୍ମୀ କିର୍‍ କିର୍‍ ହେଇ ହସିଲା । କହିଲା—ଲାଜମାଡ଼ୁନି, ଚୋରି କରି ଆହୁରି ବାହାଦୁରି ! ନିଆଁ ଦେଖୁ ଦେଖୁ ପତଙ୍ଗଭଳି ଆସି ଉପରେ ପଡ଼ୁଛ, ଆଉ ଦୋଷ ହେଲା ନିଆଁର ?

 

ନା ନିଆଁର ନୁହେଁ, ଦୋଷ ପତଙ୍ଗର । ଖାଲି ଏତିକି, ପତଙ୍ଗ ମାଟିର ପଡ଼ିଲେ, ପତରରେ ପଡ଼ିଲେ ମରୁନାଇଁ, ଖାଲି ନିଆଁଧାସ ବାଜୁ ବାଜୁ ମରୁଛି । ପତଙ୍ଗର ଗଠନରେ କୋଉଠି ମସ୍ତ ଏକ୍‍ ଭୁଲ୍‍ କରିଛନ୍ତି ବ୍ରହ୍ମା !

 

ବ୍ରହ୍ମା ! —ରାଜଲକ୍ଷ୍ମୀ ପୁଣି ହସିଲା । କହିଲା—ବ୍ରହ୍ମାଙ୍କର ଭୁଲ୍ ଅଛି କି ନାହିଁ ଜାଣେନା, କିନ୍ତୁ ମଣିଷର ଯେ ଭୁଲ୍ ଅଛି, ଏହା ଦିବାଲୋକ ଭଳି ସତ୍ୟ । ତା’ ନ ହେଲେ ଆକାୟାର ଆଖି ଆଗରେ.....

 

ଆକାୟା ? ମାନେ ବୋଉଦି ?? —କଲ୍ୟାଣ ସ୍ୱର୍ଗରୁ ଯେମିତି ଆସି କଚାଡ଼ି ହେଇ ପଡ଼ିଲା ମାଟିରେ ।

 

ହଁ ହଁ ବୋଉଦି । ବୋଉଦି ଗଲେ ଏ ଦୁଆରବାଟେ, ଆପଣ ପଶିଲେ ସେ ଦୁଆରେ । ଗୋଟାଏ ସେକେଣ୍ଡ୍‍ ବି ବ୍ୟବଧାନ ହବନି । ଆଉ ପଶୁ ପଶୁ ଆପଣଙ୍କର ଅଭିନୟ ଆରମ୍ଭ—‘ଆଜି ତା’ର ତାରାଏ ତାରାଏ ଗତି......’

 

ଇସ୍‍ ଭଗବାନ, ବୋଉଦି କ’ଣ ଭାବିଥିବେ । ମୋ ମୁଣ୍ଡ ଛିଡ଼ି ପଡ଼ିବ ଲଜ୍ଜାରେ ।

 

ନା, ବୋଉଦି କିଛି ଭାବି ନଥିବେ, ଦୁଆରବନ୍ଧରୁ ଚାରିଖୋଜ ବି ସେ ଯାଇ ନଥିବେ, ଯେତେବେଳେ ଆପଣ ପହଞ୍ଚିଲେ ପଞ୍ଚମରେ—‘ଝିଲ୍ଲୀ ଝଙ୍କାରିତ ସୁକୋମଳ.....’

 

ଇସ୍‍ ଭଗବାନ ! ଭଗବାନ ! ଏ କ’ଣ ହେଲା ? .....ରାଜଲକ୍ଷ୍ମୀ ଉପରେ ରାଗିଗଲା କଲ୍ୟାଣ—ତମେ ପ୍ରକୃତରେ ବଦ୍‍ମାସ୍‍ ଲୋକ । ତମେ ମୋତେ ହଲେଇ ଦେଲନି କିଆଁ ?

 

ରାଜଲକ୍ଷ୍ମୀ ହସିଲା । କହିଲା—ଷ୍ଟେସନ ପାଖ ହେଇ ନଥିଲେ ‘ପୁରୀ ଏକ୍‍ସପ୍ରେସ୍’କୁ ହଲେଇ ଦେଲେ ଖାଲି ନିଜେ ମୋଡ଼ିମାଡ଼ି ମାଂସପିଣ୍ଡୁଳାଏ ହେଇଯିବା ସିନା ।

 

ତମ ମୁଣ୍ଡ କଥା । ତମକୁ ତ ଶୁଣିବାକୁ ଭଲ ଲାଗୁଥିଲା କହିବ, ଏ ବାଜେକଥା କାହିଁକି କହୁଛ ? କମ୍‍ ବଦ୍‍ମାସ୍‍ ଏ ମାଇକିନିଆ ଜାତି ।

 

ହଁ ଭାରୀ ବଦ୍‍ମାସ୍ । ମତେ ତ ଭଲ ଲାଗୁଥିଲା । ଆଉ ମୋ ଚାହି ବେଶୀ ଭଲ ଲାଗୁଥିଲା ଆପଣଙ୍କ ବୋଉଦିଙ୍କି । କାରଣ ବୋଉଦି ଏ ଘର ଛାଡ଼ିଲାବେଳେ କଇଁ କଇଁ ହେଇ କାନ୍ଦୁଥିଲେ ଆଉ ଆପଣଙ୍କ କଥା ଶୁଣି ବୋଧେ ହସିଲେ ।

 

ଆଁ, ବୋଉଦି କାନ୍ଦୁଥିଲେ ?

 

ହଁ ପିଲାଙ୍କଭଳି ବିକଳ ହେଇ କଇଁ କଇଁ ହେଇ କାନ୍ଦୁଥିଲେ ।

 

କିନ୍ତୁ କାହିଁକି ? କାହିଁକି କାନ୍ଦୁଥିଲେ ବୋଉଦି ? କ’ଣ ହେଇଛି ତାଙ୍କର ? କିଏ ତାଙ୍କୁ କ’ଣ କହିଛି ? ତମେ କ’ଣ କହିଛ ? କୁହ । କୁହ ।

 

ରାଜଲକ୍ଷ୍ମୀ ପୁଣି ହସିଲା । କହିଲା—ହଁ ମୁଁ କହିଛି କଲ୍ୟାଣ ବାବୁଙ୍କର ମୋ ପ୍ରତି ଏଇ ଅଯାଚିତ ପ୍ରେମ.....

 

ନା ପରିହାସର କଥା ନୁହେଁ, କୁହ କାହିଁକି ତାଙ୍କ ଆଖିରେ ଲୁହ ? ମାଛ କାହାରି ନଖାଇ ସବୁରି ବଇରୀ । କାହିଁକି ? କୋଉଥିପାଇଁ ?

 

ସମସ୍ତେ ତା’କୁ ଖାଇବେ, ଏଇଥିପାଇଁ, ଆଉ କ’ଣ ? ଏ ସାରା ଦୁନିଆ ତ ଚାହେଁ ଆକାୟାକୁ କେଳେଇକାଟି ଖାଇବାକୁ । ଆଉ ଯାହାପାଇଁ ଏ ଖାଇବା—ଏ ନିନ୍ଦା, ଅପବାଦ, ଦୁର୍ନାମ, ସିଏ ବି ନିଜେ ତାକୁ ବାଦ ଦବନି । ସିଏ ନିଜେ ବି ତା’ ରକ୍ତ ଝୁଣିବ ।

 

ତା’ମାନେ ?

 

ମାନେ ପରିଷ୍କାର । ପରାଶର ନିଜେ ଆଜି ଆକାୟାର ଶତ୍ରୁ । ପରାଶର ଶତ୍ରୁ ?? ତମେ ସ୍ୱପ୍ନ ଦେଖୁନାହଁ ତ ?

 

ମତେ ବି ସେମିତି ବେଳେ ବେଳେ ସ୍ୱପ୍ନ ଭଳି ଲାଗେ, କିନ୍ତୁ କଥା ସତ । ପରାଶରଙ୍କର ଚରମ ଉଦାସୀନତା ଆକାୟା ପ୍ରାଣରେ ଦାରୁଣ ଆଘାତ ଦେଇଛି ।

 

ହାଃ, ହାଃ, ହାଃ, ହାଃ, ହାଃ, ହାଃ, ଉଦାସୀନତା ! ଉଦାସୀନତା କାହାର ? ପରାଶରଙ୍କର ନା ବୋଉଦିଙ୍କର ? ଧନ୍ୟ ତମ ନାରୀ ଜାତି । ନିଜେ ପରମ ଅପରାଧ କରି ଆହୁରି ଅନ୍ୟ ଉପରେ ଅଭିମାନ ! ହାଃ, ହାଃ, ହାଃ; ହାଃ, ହାଃ, ହାଃ,—କଲ୍ୟାଣ ଖାଲି ଠୋ ଠୋ ହସି ଘର ଫଟେଇଲା ।

 

ଆଶ୍ଚର୍ଯ୍ୟ ହେଲା ରାଜଲକ୍ଷ୍ମୀ । କହିଲା—କିନ୍ତୁ କାହିଁ, ଆମେ ତ ଆସିବା ଦୁଇମାସ ହେଲା, ଚିଠି ଖଣ୍ଡିଏ ଲେଖିଲେ ନାହିଁ ପରାଶର ।

 

ଚିଠି କେଇଖଣ୍ଡ ଲେଖିଛନ୍ତି ବୋଉଦି ? ଆସନ୍ତୁ ଆଜି ବୋଉଦି । ଆଜି ଯଦି ମୁଁ ଝଟାପଟା କଜିଆ ନ ଲଗେଇଛି । ଆ’ରେ ଚାଲୁଣୀ କହୁଛି ଛୁଞ୍ଚିକି !

 

ଏଁ !! —ଆହୁରି ଆଶ୍ଚର୍ଯ୍ୟ ହେଲା ରାଜଲକ୍ଷ୍ମୀ । କହିଲା—ଆପଣ ଏକଥା କହୁଛନ୍ତି ? ସେ ଯେ ଆପଣଙ୍କର ବୋଉଦି !

 

ସେଇଥିପାଇଁ ତ କହୁଛି । ବୋଉଦି ବୋଲି ତ କହୁଛି । ଆଉ କିଏ ହେଇଥିଲେ ମୁଁ କାହିଁକି ପାଟି ଫିଟାନ୍ତି । ମୁଁ ଜାଣେ ସେ ଫୁଲ ଭଳି କୋମଳ, ଶୁଭ୍ର, ପବିତ୍ର । ତାଙ୍କ ଭିତରେ ଟିକିଏ ମଳି ମୁଁ ଦେଖିବି ନାହିଁ—ଦେଖି ପାରିବି ନାହିଁ ।

 

ସ୍ଥିର ହେଇ ରାଜଲକ୍ଷ୍ମୀ ଚାହିଁଲା—ଆଶ୍ଚର୍ଯ୍ୟ ପରାଶର । ମୁଁ କିନ୍ତୁ ପରାଶର ଆଉ ତରୁ ଦେବୀଙ୍କି ଯୋଉଦିନ ପ୍ରଥମେ ଦେଖିଥିଲି, ଭାବିଥିଲି ସେମାନେ ସମାଜରେ ଏକ ମୂର୍ତ୍ତିମନ୍ତ କଳଙ୍କ-!

 

ଆଉ ମୁଁ ତମକୁ ଯୋଉଦିନ ପ୍ରଥମେ ଦେଖିଥିଲି କ’ଣ ଭାବିଥିଲି ଜାଣ ? ଭାବିଥିଲି–‘ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ’ ।

 

ରାଜଲକ୍ଷ୍ମୀ ହସି ଉଠିଲା । କହିଲା ତା ଅର୍ଥ ?

 

ଅର୍ଥ ରାମଚନ୍ଦ୍ରଙ୍କର ଳକ୍ଷ୍ମଣଙ୍କ ପାଖକୁ ଚିଠି । ଠିକ୍‍ ସେମିତି ପରାଶରଙ୍କର ତମକୁ ମୋ ପାଖକୁ ପ୍ରେରଣ ।

 

ତା’ ମାନେ ମୁଁ ସୂର୍ପଣଖା, ନା ?

 

ନା, ତମେ ସୂର୍ପଣଖା ନୁହଁ କି ପରାଶର ରାମଚନ୍ଦ୍ର ନୁହଁନ୍ତି । ତମକୁ ଖାଲି ସୀତା ଠାକୁରାଣୀ ତରୁଦେବୀ ଧରିଆଣିଥିଲେ ତାଙ୍କ ଦେବର କଲ୍ୟାଣଙ୍କ ସହ....

 

ଇସ୍, କି ଅଭଦ୍ର ଆପଣ ।

 

ନା ଭୟ କରିବାର କିଛି ନାହିଁ । ମୁଁ ରାମଚନ୍ଦ୍ରଙ୍କର ପ୍ରଥମ ଆଦେଶ ମୋଟେ ମାନୁନାହିଁ । ମୁଁ ନାକର ଶିରା ବା ସୌନ୍ଦର୍ଯ୍ୟକୁ କେବେ ଦାନ କି ଛେଦନ କରିବିନାହିଁ । ବରଂ ଦ୍ୱିତୀୟ ପାଦ ପାଳି ତମକୁ ପ୍ରେମରେ ଆଲିଙ୍ଗନ କରି ଏ କାନନସାରା ବିହାର........

 

ଇସ୍‍ ଭଗବାନ୍, କି ଅସଭ୍ୟ । ଛି ଛି, କିଏ ଯଦି ଶୁଣିବ କ’ଣ ଭାବିବ ?

 

ଭାବିବ ତମେ ଯାହା ଭାବୁଥିଲ ବୋଉଦି ଆଉ ପରାଶରଙ୍କୁ ।

 

ସତରେ ଏତେ ସ୍ନେହ, ଏତେ ପ୍ରେମ, ଏତେ ଉଦାରତା ବିଶ୍ୱାସ କରି ହୁଏନା । ଗଳ୍ପ ଉପନ୍ୟାସ ପଢ଼ିଲାପରି ଲାଗେ । ପରାଶରଙ୍କର ଅନାବିଳ ପ୍ରେମ, ତରୁ ଦେବୀଙ୍କର ପଦ୍ମଫୁଲର ପବିତ୍ରତା ଆଉ ଜୟନ୍ତଙ୍କର ଏଡ଼େ ବିଶାଳ, ବିସ୍ତୀର୍ଣ୍ଣ, ପ୍ରଶସ୍ତ ହୃଦୟ......ପ୍ରାଣ ମୁଗ୍‍ଧ ହେଇଯାଏ । ଏ କଳୁଷିତ ଧରାରେ ଏତେ କ’ଣ ସମ୍ଭବ ?

 

ତଥାପି ତମେ ଭାବିଲ ମୂର୍ତ୍ତିମନ୍ତ କଳଙ୍କ !

 

ଏକା ମୁଁ କାହିଁକି, ଏକଥା ଯିଏ ଶୁଣିବ, ସିଏ ବି ଅବିଶ୍ୱାସ କରିବ, ସିଏ ବି ଭାବିବ କଳଙ୍କ । ଗୋଟାଏ କଥା ମତେ ଏବେ ବି ଅପସନ୍ଦ ଲାଗେ–ଟିକି ଝିଅ ରାନୁ ଯଦି ପରାଶରଙ୍କୁ ଡାକେ ବାବା ଆଉ ତରୁଙ୍କୁ ଡାକେ ମା’, ତେବେ ତରୁ ପରାଶରଙ୍କର କ’ଣ ହେଲେ ? ଭଉଣୀ ନା ଆଉ କିଛି ?

 

ନା ଆଉ କିଛି । ଯେମିତି ମୋ ମନରେ ଆସେ ଯୋଉ ସୂର୍ପଣେଖା ଦିନେ ଦଣ୍ଡକାରଣ୍ୟରେ ଦେଖା ଦେଇ ତା’ ପରେ ଉଡ଼ି ଉଡ଼ି ଆସି ଦେଖାଦିଅନ୍ତି ଉତ୍ତର କୋଶଳରେ ସିଏ ରାକ୍ଷାସୁଣୀ ନା ପିଶାଚୀ, ଯୋଗିନୀ, ଡାକିନୀ, ଚଣ୍ଡୀ !

 

ରାଜଲକ୍ଷ୍ମୀ ହସିଉଠିଲା । କହିଲା—ତାହା କଥା କହୁଛନ୍ତି ଆପଣ ।

 

ଯାହାକଥା କହୁଛି ସିଏ ଠିକ୍‍ ବୁଝୁଥିବ । ରାନୁର ମା’ ଡାକ ଯେମିତି ରହସ୍ୟମୟ, ପାରଳାରୁ ପାର୍ବତୀପୁରମ୍ ଯାଉଥିବା ଆନ୍ଧ୍ର ଲଳନା ଆଖିପିଛୁଳାକେ ଆସି ସମ୍ବଲପୁରରେ କଞ୍ଚା ଓଡ଼ିଆଣୀ ହେବା ଠିକ୍‍ ସେମିତି—ସେମିତି ରହସ୍ୟଘେରା । ପୁଣି ଓଡ଼ିଆଣୀ ହେଇ ବିକଟ ଗର୍ଜନ କରି ଯୁଦ୍ଧ କରି ଲହ ଲହ ଜିହ୍ୱା ବିସ୍ତାର କରି ରକ୍ତ ପିଇବା....ମାଆଗୋ ! ମା’ କାଳି ! କରାଳି ! ଚଣ୍ଡୀ ! ନୃମୁଣ୍ଡୀ ମାଳିନୀ !

 

ରାଜଲକ୍ଷ୍ମୀ ଫେଁ ଫେଁ ହସିଲା । ଠୋ ଠୋ ହସି ଗଡ଼ିଗଲା । କହିଲା—ତଥାପି ସେଇ ନୃମୁଣ୍ଡମାଳିନୀଙ୍କ ହାତରେ ମୁଣ୍ଡ ସମର୍ପିଦେବାକୁ ଏବେ ବି ଲୋକ ପାଗଳ । ଏବେ ବି ତାଙ୍କପାଇଁ ଭାସିଆସୁଛି ଧୂପ, ଦୀପ, ଗନ୍ଧ ଗୋରଚନା ।

 

ସେ ଖାଲି ଭୟରେ, ଭକ୍ତି ମୋଟେ ନାହିଁ । ତା’ ନହେଲେ ଏତେଦିନ ଏକାଠି ରହି ଯିଏ ବୁଝିଲା ନାଇଁ ରାନୁ କିଏ, ରାନୁ ତରୁଦେବୀଙ୍କର କ’ଣ, ସିଏତ ଦେବୀ ନୁହେଁ, ମାନିବୀ ନୁହେଁ, କିନ୍ନରୀ ନୁହେଁ, ସିଏ ଏକ ଗଣ୍ଡ ଭୈରବ ! ଗଣ୍ଡ ଭୈରବ !!

 

ରାଜଲକ୍ଷ୍ମୀ ପୁଣି କିର୍‍ କିର୍‍ ହସିଲା । କହିଲା—ସତରେ ମୁଁ ଆଜିଯାଏ ବୁଝିପାରିଲି ନାହିଁ । ଆକାୟାକୁ ପଚାରିବାକୁ ବି ସାହସ ହୁଏନା । ରାନୁ କିଏ ? ରାନୁ ସତେ କାହାଝିଅ ?

 

ରାନୁ ପରାଶରଙ୍କ ଝିଅ ଓ ତରୁ ଦେବୀଙ୍କ ଝିଅ ବି ।

 

ଆଉ ପରାଶର ତରୁ ଭାଇ ଭଉଣୀ ।

 

ହଁ ଭାଇ ଭଉଣୀ, ଆଉ କିଛିନୁହେଁ ।

 

ତରୁ ହସି ହସି କହିଲା—ତା’ ହେଲେ ତ ମୁଁ ଏକା ଗଣ୍ଡଭୈରବ ନୁହେଁ, ଆହୁରି ବି ଗଜମୂର୍ଖ ଏଠି ଅଛନ୍ତି ।

 

ନା ଗଜ ନାହାନ୍ତି କି ମୂର୍ଖ ନାହାଁନ୍ତି, ଖାଲି ଗଣ୍ଡ, ଗଣ୍ଡ । ଏତିକି ରହସ୍ୟ ତମେ ଭେଦି କରି ପାରିଲ ନାହିଁ ? ରାନୁ ପରାଶର ଓ ଅରୁଣାଙ୍କର ଏକମାତ୍ର ଅଲିଅଳି ପ୍ରତିମା–ନୟନର ଧନ ।

 

କିନ୍ତୁ ସେ ଯେ ତରୁ ଦେବୀଙ୍କି ମା’ ବୋଲି ଡାକେ ?

 

ଅତି ଗେହ୍ଲାରେ ଅତି ଅଲିଅଳିରେ ପରାଶର ତରୁଙ୍କୁ ଡାକନ୍ତି ମା’ ଆଉ କଟିଛୁଆ ରାନୁ ତାଙ୍କ ଦେଖାଦେଖି କୁନି ପାଟିରେ ଖନ ଖନ ହେଇ ତରୁଙ୍କୁ ଡାକେ ମା’ ଆଉ ଅରୁଣାଙ୍କୁ ଡାକେ ଅରୁ ମା’ ।

 

ସତେ ?

 

ଖାଲି ରାନୁ ମା’ ବୋଲି ଡାକେନାହିଁ, ତରୁ ମଧ୍ୟ ସଦାବେଳେ ତା’କୁ ଛାତି ଭିତରେ ପୂରେଇଥାନ୍ତି । ଅରୁଣା ଟିକିଏ ଅଳସେଇ । ରାନୁ ସବୁବେଳେ ଥାଏ ତରୁ କୋଳରେ । ତରୁ ତାକୁ ଘସିମାଜି ଚିକ୍‍କଣ କରନ୍ତି । ଦୁଧ ପେଇ ଦିଅନ୍ତି, ସର ଖୋଇ ଦିଅନ୍ତି, ଲହୁଣି ଖୋଇ ଦିଅନ୍ତି । ଦିନକୁ ସତରଥର ସିଲ୍‍କ୍‍ ଜାମା, ନାଇଲନ୍‍ ଫ୍ରକ ପିନ୍ଧେଇ ତା’କୁ କରନ୍ତି କଣ୍ଢେଇ ଭଳି ଚକ୍‍ ଚକ୍, ଫୁଲଭଳି ଛନ୍ ଛନ୍‍ ।

 

କିନ୍ତୁ ତରୁ ତ ଜନନୀ ନୁହଁନ୍ତି, ଏତେ ସ୍ନେହ.......

 

ସେଇ ତ ଆଶ୍ଚର୍ଯ୍ୟ, ଯଶୋଦା ଜନନୀ ନୁହନ୍ତି । କିନ୍ତୁ ଶତ ଆକୁଳିତ ହେଲେବି କ୍ଷୀର ସ୍ରବେ ନାହିଁ ଦେବକୀଙ୍କ ସ୍ତନରୁ, କ୍ଷୀର ସ୍ରବେ ଯଶୋଦାଙ୍କ ସ୍ତନରୁ । ଯୋଉଠି ସ୍ନେହ, ପ୍ରେମ, ଭଲ ପାଇବାର ଅସରନ୍ତି ମନ୍ଦାକିନୀଧାରା, ସେଇଠି ଜନନୀ—ସେଇଠି ସ୍ୱର୍ଗର ଅମୃତ ।

 

କିନ୍ତୁ କାହିଁ ? କ୍ଷୀର ଯଦି ସ୍ରବିଲା କହ୍ନେଇ ନାହିଁ ? କହ୍ନେଇ ସିନା ଯଶୋଦାଙ୍କୁ ଛାଡ଼ି ଚାଲି ଯାଇଥିଲା, ଏଠି ଯେ ଯଶୋଦା ଛାଡ଼ି ଚାଲି ଆସିଲେ । ଆଜି ଆକାୟା ରାନୁକୁ ପଚାରେ ନାହିଁ, ଅରୁଣାକୁ ପଚାରେ ନାହିଁ, ପରାଶର ମଲେ କି ରହିଲେ ଖବର ବି ଟିକେ ରଖେ ନାହିଁ । ଆଜି ଆକାୟାର କ’ଣ ହେଲା ? କ’ଣ ହେଇଛି ତା’ର ? ଆପଣ ଠିକ୍‍ କହିଛନ୍ତି—ପରାଶର ଆକାୟାକୁ ଉପେକ୍ଷା କରି ନାହାନ୍ତି, ଆକାୟା କରିଛି ପରାଶରଙ୍କୁ ଉପେକ୍ଷା, ପରାଶରଙ୍କୁ ଘୃଣା—ଘୃଣା ।

 

ଆଁ !!! ଲକ୍ଷ୍ମୀ !!! –ଘର ଭିତରକୁ ପଶି ଆସୁ ଆସୁ ଏରୁଣ୍ଡି ବନ୍ଧରେ ଅଟକି ଗଲା ତରୁ–ହଁ, ହଁ, ଘୃଣା, ପରାଶରକୁ ଘୃଣା କରିଛି ଆକାୟା । ଆଃ...ଅଟକି ଗଲା ପୁଣି । ପୁଣି ବଜ୍ର ଗମ୍ଭୀର କଣ୍ଠରେ କହିଲା—ହଁ, ଆଜି ମୋର କେତେ ଗର୍ବ, କେତେ ଅହଙ୍କାର, କେତେ ଅଭିମାନ । ଆଜି ମୁଁ ବଡ଼ ହେଉଛି । ଖବରକାଗଜର ପୃଷ୍ଠା ପୃଷ୍ଠାରେ ବ୍ୟାପିଯାଇଛି ମୋର ପ୍ରଶଂସା । ମୁଖ୍ୟମନ୍ତ୍ରୀ ମତେ ଚିଠି ଲେଖିଛନ୍ତି । ଆମେରିକାନ୍‍ ମିଶନ୍‍ର ଫାଦର୍‍ ଉଇଲିୟମ୍‍ ମୋର କାମର ଭୂରି ଭୂରି ପ୍ରଶଂସା କରି ମତେ ଆଶୀର୍ବାଦ କରିଛନ୍ତି, କୁଷ୍ଠାଶ୍ରମର ନିରଳସ ନିଷ୍ଠାପର ସେବିକା ହିସାବରେ ମୋତେ ତୁଳନା କରିଛନ୍ତି କୁମାରୀ ଫ୍ଳରେସନ୍‍ ନାଇଟିଙ୍ଗେଲ୍‍ଙ୍କ ସହିତ । ମୁଁ ଆଜି ବିରାଟ, ମୁଁ ଆଜି ପ୍ରଶସ୍ତ, ମୁଁ ଆଜି ଲେଡି ଅଫ୍‍ଦି’ ଲ୍ୟାମ୍ଫ୍ । ପରାଶର ଛୋଟ, କ୍ଷୁଦ୍ର, ନଗଣ୍ୟ । ପରାଶର ସାମାନ୍ୟ ମାଟିର ଜୀବ, ପରାଶର ଏକ ପିପୀଲିକା । ପରାଶର ଘୃଣ୍ୟ ! ଘୃଣ୍ୟ ! ଆଃ—ତରୁ ଭେଁ କିନି କାନ୍ଦି ଉଠିଲା-। ଗଡ଼ି ପଡ଼ିଲା ଭୂଇଁରେ, ତା’ ପଛେ ପଛେ ଆସୁଥିଲେ ଡକ୍ଟର ସାହାଣୀ, ଫାଦର୍‍ ଉଇଲିୟମ୍-। ସେମାନେ ଧାଇଁ ଆସିଲେ ପାଖକୁ । କଳ୍ୟାଣ, ରାଜଲକ୍ଷ୍ମୀ ଆସି କୁଣ୍ଢେଇ ଧରିଲେ । କ’ଣ ହେଲା ? କ’ଣ ହେଲା ? କ’ଣ ହେଲା ତରୁ ଦେବୀଙ୍କର ? ତରୁଦେବି ! ତରୁଦେବି ! ଫାଦର୍‍ ଚିତ୍କାର ଛାଡ଼ିଲେ ।

 

......ନା, ତମେ ଜାଣନା ଫାଦର୍, ମଣିଷ ଜାତିକି ତମେ ଖାଲି ଭଲ ପାଇ ଜାଣ, ଘୃଣା କରି ଜାଣନା । ଘୃଣା କରିବାରେ ଯେ କି ଆନନ୍ଦ ! ....ପରାଶର ! ପରାଶର ! ତମେ ମୋର ଯଥେଷ୍ଟ କ୍ଷତି କରିଛ । ତମରି ଲାଗି ମୋ ଦୁର୍ନାମ ରଟି ଯାଇଛି ଚଉଦିଗରେ । ମୁଁ ମୁହଁ ଦେଖେଇ ପାରୁ ନାହିଁ । ତମର ପୁଣି ଅହଙ୍କାର, ତମେ ମୋତେ ବଡ଼ କରିଥିଲ ? କି ବଡ଼ କରିଥିଲ ତମେ ? ହେଇ ଦେଖ ମୁଁ ଆଜି କେତେ ଉଚ୍ଚରେ । ତମେ ମୋତେ କରିଥିଲ ସାମାନ୍ୟ ଭଉଣୀ, ମୁଁ କିନ୍ତୁ ଆଜି ଜନନୀ । କେତୋଟି କୁଷ୍ଠରୋଗୀଙ୍କର ମୁଁ ଆଜି ଜନନୀ, ମା, ବୋଉ । ମୋ କଥା ରେଡିଓରେ ଶୁଣୁଥିବ । ମୋ ବିଷୟ ନେଇ ଅନନ୍ତ ପଟ୍ଟନାୟକ କବିତା ଲେଖିବେ । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ମୋ ନାଁ । ମୁଁ କେତେ ବଡ଼ । କେତେ ବଡ଼ । ତମେ କେମିତି ଆଶା କରୁଛ ମୁଁ ଚିଠି ଲେଖିବି ? କଥା କହିବି ? ମୁଁ ତମକୁ ପଚାରିବି ? ତମେ କିଏ ? ତମେ ମୋର କ’ଣ ? ତମପାଇଁ ସ୍ନେହ ତ ନାହିଁ, ସହାନୁଭୁତି ବି ନାହିଁ, ଦୟା ବି ନାହିଁ, ତମେ ଯାଅ । ତମେ ବିଦାୟ ନିଅ ଏଠୁଁ । ତମେ ବିଦାୟ ନିଅ ଏ ପୃଥିବୀରୁ । .....—ଓଃ ଭଗବାନ ! ଭଗବାନ ! ଇସ୍, ମୁଁ କ’ଣ କହୁଛି ? କ’ଣ କହୁଛି ? ମୋତେ କ’ଣ କୁହାଉଛ ପ୍ରଭୋ ? ଓଃ ଭାଇ ! ଭାଇ ! ପରାଶର—ମୋ ଭାଇ ! ପରାଶର—ମୋ ଭାଇ ! ପରାଶର—ମୋ ଭାଇ ! ଆଃ !!! —ତରୁ କାନ୍ଦି କାନ୍ଦି ଲୁହ ସିଙ୍ଘାଣି ଏକାକାର ହେଇ ଲୋଟି ପଡ଼ିଲା ଭୂଇଁରେ । କଲ୍ୟାଣ, ରାଜଲକ୍ଷ୍ମୀ, ସାହାଣୀ, ଫାଦର୍‍ ଉଇଲିୟମ୍‍ ମୁହଁ ଆଉଁସି ଆଉଁସି କଅଁଳ କଣ୍ଠରେ ଡାକିଲେ—ମା’ !

 

ତରୁର କୋହ ଯେମିତି ଦଶ ଗୁଣ ବଢ଼ିଗଲା । ସେ ଭୋ ଭୋ କାନ୍ଦି କହିଲା—ନା, ମତେ ସବୁ ଡାକିବେ, ମା ଡାକିବେ ନାହିଁ । ମା’ ଡାକନ୍ତି କେବଳ ମତେ ଜଣେ,—ଜଣେ, ସେ ମୋ ଭାଇ—ଭାଇ । ଓଃ, କି ଅପରାଧ ମୁଁ କରିଥିଲି ଭାଇ, ତମେ ମୋତେ ଚିଠି ଲେଖିବନାଇଁ ? ଲେଖିବ ନାଇଁ ? ତମେ କ’ଣ ଚାହଁ ମୁଁ ଏମିତି କାନ୍ଦି କାନ୍ଦି ମରିବି ? ମରିବି ? ଓଃ, ଭାଇ ! ଭାଇ ! ଭାଇ ! —ତରୁ ଢୁ ଢୁ ଢୁ ଢୁ ମୁଣ୍ଡ ପିଟିଦେଲା । ସମସ୍ତେ ଅବାକ୍ ହେଇ ଚାହିଁ ରହିଥିଲେ ।

 

–ପନ୍ଦର–

 

କଲିକତାର ‘ଫିରପୋ’ ହୋଟେଲରେ ଏକ ନିର୍ଜନ କଠୋରୀରେ ବସିଥିଲା । ଆଗରେ ମଦ ବୋତଲ, ସୋଢ଼ା, ମାଂସପ୍ଲେଟ୍ । ମୁହଁରେ ଅନବରତ ସିଗାରେଟ୍ । ଗୋଟିଏ ପିଆନୋରେ ଧୀରେ ଧୀରେ ଅଙ୍ଗୁଳି ଚାଳନା କରୁଥିଲେ ସିଏ । ଧରିଥିଲା ଗୋଟିଏ ଇଂଲିସ୍ ଟିଉନିଂ । ହଠାତ୍‍ କ’ଣ ହେଲା ପିଆନୋକୁ ଥୋଇଦେଲା ଟେବୁଲ୍ ଉପରେ । ସିଗାରେଟ୍‍ ଫିଙ୍ଗିଦେଲା ଦୂରକୁ । ଚେୟାର୍‍ଟା ଠେଲି ଦେଇ ଆସି ଠିଆ ହେଲା ଝରକା ପାଖରେ । ଶୂନ୍ୟ ଆକାଶକୁ ନିର୍ମିମେଷ ନୟନରେ ଚାହିଁ ରହିଲା । ଅନେକ ବେଳ ଯାଏ ଚାହିଁଥିଲା ସିଏ, ତା’ପରେ ହଠାତ୍‍ କହି ଉଠିଲା—ନା, No, Not at all. ନୟନରୁ ନୀର ପୋଛିବା ଲୋକ ଜୟନ୍ତ ନୁହେଁ । ତରୁ ଯାଉ, ରାଜଲକ୍ଷ୍ମୀ ଯାଉ, ସୃଷ୍ଟି ଧ୍ୱଂସ ହେଉ, ଜୟନ୍ତ ଅଟଳ—ଅଟଳ ନାରୀ ଭଳି ସେ ଲୋତକ ବର୍ଷଣ କରି ଜାଣେନା-

 

‘ଜାଣେନା ? ବେଶ୍, ଲୋତକ ବର୍ଷଣ ନହେଲେ ରକ୍ତ ବର୍ଷଣ ହେଉ’—କହି କହି ହସି ହସି ଘର ଭିତରେ ପଶିଲା ପାରୁଲ୍ । ମଥାରେ କୁଙ୍କୁମ, ଓଠରେ ଲିପ୍‍ଷ୍ଟିକ୍, ମୁହଁରେ ପାଉଡ଼ର, ରୁଜ୍, କେଶରେ ଏସେନ୍‍ସ ଗନ୍ଧ । ପାରଲ୍‍ ଭଦ୍ରଘରର ଝିଅ । ପାରୁଲ୍‍ ଜୟନ୍ତର ରାତିର ସାଥୀ ।

 

ଜୟନ୍ତ ଦୃଷ୍ଟି ଫେରେଇଲା । ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁଲା ପାରୁଲ୍‍କୁ । କହିଲା—ହଁ, ତା’ଛଡ଼ା ମୋର ଅନ୍ୟ ଗତି ନାହିଁ । ରକ୍ତରେ ସ୍ନାନ କରି ସୁନ୍ଦର ଦିଶିବ ଆଜି ଜୟନ୍ତ ରାୟ ।

 

କିନ୍ତୁ ମୋର କ’ଣ ମନେ ହେଉଛି ଜାଣ ରାୟ, ତମେ ଯେମିତି ଦୁର୍ବଳ, ହୁଏତ ଶେଷ ପର୍ଯ୍ୟନ୍ତ ଶପଥରେ ସ୍ଥିର ରହି ପାରିବ ନାହିଁ ।

 

ମୁଁ ଦୁର୍ବଳ ? —ପାରୁଲ୍‍ର ବାହାଟାକୁ ଖୁବଜୋରେ ଧରି ହଲେଇ ଦେଲା ଜୟନ୍ତ ।

 

ପାରୁଲ୍‍ ଚିତ୍କାର ଛାଡ଼ିଲା—ଆଃ କାଟୁଛି ମ, ମୁଁ ଏ ଦୁର୍ବଳତା କଥା କହୁ ନାହଁ । ଗୋଟାଏ କାହିଁକି ଦଶଟା ନାରୀ ଅକ୍ଳେଶରେ ହତ୍ୟା କରି ପାରିବ । କିନ୍ତୁ ଯିଏ ତମର ଶରବ୍ୟ, ସିଏ ଅଛି ଯାହା ପାଖରେ ତା’ରି ପାଖରେ ତମେ ଶିଶୁ ଭଳି ଦୁର୍ବଳ ।

 

ନା, ମଣିଷ desperate ହେଲେ ସବୁ କିଛି କରିପାରେ । ବାର ବରଷର ଗୋଟାଏ ଲଙ୍ଗଳା କେଉଟଛୁଆ ବି ରୋକଠୋକ୍‍ ଜବାବ ଦେଇପାରେ ରକ୍ତମୁଖା ଫଉଜ ଆଗରେ । ତା’ଛଡ଼ା ସମ୍ମୁଖକୁ ତ ମୁଁ ଯାଉ ନାହିଁ, ଭୟ କାହିଁକି ? ପଛଆଡ଼ୁ ଯାଇଁ ଜବାହାରଲାଲ୍‍ଙ୍କୁ ବି ହତ୍ୟା କରିବା କଷ୍ଟ ନୁହେଁ ।

 

କିନ୍ତୁ ରାୟ, ତା’ ଦ୍ୱାରା ତମ ଚରିତ୍ର କେତେ ଦୁର୍ବଳ ହେଇଯିବ ଭାବିଛ ? ତରୁ ଓ ପରାଶର ଶୁଣିଲେ କ’ଣ କହିବେ ? ତମେ ଏମିତି ପଛଆଡ଼ୁ ଲୁଚି ଲୁଚି ଚୋର ଭଳି, ଭୀରୁ ଭଳି, ନାରୀ ଭଳି....

 

ପାରୁଲ୍ !! –ଚିତ୍କାର ଛାଡ଼ିଲା ଜୟନ୍ତ—ବନ୍ଦ କର ପାରୁଲ୍, ମୁଁ କିଛି ଶୁଣିବି ନାହିଁ, ଶୁଣି ପାରିବି ନାହିଁ । ମୁଁ ହତ୍ୟା କରିବି । ହତ୍ୟା କରିବି । ହତ୍ୟାହିଁ ମୋର ଲକ୍ଷ । ସାରା ସୃଷ୍ଟି ଯାହା କହୁ ଯାହା ଭାବୁ ପଛେ ।

 

କର, କ୍ଷତି ନାହିଁ । ଏଇ କଲିକତା ମହାନଗରୀର ଛାତି ଉପରେ ପ୍ରତି ରାତିରେ କେତେ ହତ୍ୟାକାଣ୍ଡ ଘଟି ଯାଉଛି । ଗୁପ୍ତ ପ୍ରଣୟ ପାଇଁ ହତ୍ୟା, ବ୍ୟର୍ଥ ପ୍ରେମ ପାଇଁ ହତ୍ୟା, ଧନ ଲୁଣ୍ଠନ ପାଇଁ ହତ୍ୟା, ଶିଶୁ ହତ୍ୟା, ନାରୀ ହତ୍ୟା, ତରୁଣୀ ହତ୍ୟା, ବୃଦ୍ଧ ହତ୍ୟା—ହତ୍ୟାର ବିଭୀଷିକା ଚାଲିଛି ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷେତ୍ରରେ, ପ୍ରତି ହୋଟେଲରେ, ପ୍ରତି ଷ୍ଟ୍ରିଟରେ, ପ୍ରତି ଫୁଟ୍‍ପାଥରେ । ରକ୍ତରେ ରଞିତ ହେଉଛି ଧରଣୀ । କଲେଜ ଛାତ୍ର ହତ୍ୟା କରୁଛି, ବ୍ୟାଙ୍କ୍‍ ମ୍ୟାନେଜର ହତ୍ୟା କରୁଛି । ହତ୍ୟା କରୁଛି ସିନେମା ଅଭିନେତା, ହତ୍ୟା କରୁଛି ପଶ୍ଚିମବଙ୍ଗର ଲକ୍ଷପତି ବଣିକ ଆଉ ତମେ ଯେତେବେଳେ ରାଜାର ପୁତ୍ର, ରାଜାର ସନ୍ତାନ, ତମେ ସେମାନଙ୍କ ସଙ୍ଗେ ସମାସ୍କନ୍ଧ ହେଇ ହତ୍ୟା ନକଲେ ତମ ଗର୍ବ ଗୌରବର ଜୟତକ୍‍କା ବାଜି ଉଠିବ କେମିତି ?

 

ପାରୁଲ୍ !!

 

ହତ୍ୟା କରି ଅନେକ ବଡ଼ଲୋକ ହେଇଛନ୍ତି ମୁଁ ଜାଣେ । ହତ୍ୟା କରି ଅନେକ ଉଦ୍ଧତା ନାରୀକି ଶାସ୍ତି ଦେଇଛନ୍ତି ମୁଁ ଜାଣେ । ହତ୍ୟା କରି ଅନେକ ବଂଶର ମାନମର୍ଯ୍ୟାଦା ବୃଦ୍ଧି କରିଛନ୍ତି ମୁଁ ଜାଣେ । କିନ୍ତୁ ସତ କହିବି ରାୟ, ସତ କହିବି ? ହତ୍ୟା କରି କିଏ ପରାଶର ଭଳି ମହତ ହେଇଛି ମୁଁ କହି ପାରିବି ନାହିଁ; କହି ପାରିବି ନାହିଁ ।

 

ପାରୁଲ୍ !!

 

ତମେ ଭଲପାଅ ରାଜଲକ୍ଷ୍ମୀକି, ପରାଶର ଭଲପାଏ ତରୁକୁ । ରାଜଳକ୍ଷ୍ମୀ ଅପସରି ଯାଇଛି । ତରୁ ବି ଅପସରି ଯାଇଛି । କିନ୍ତୁ ଦେଖ ତରୁ ପାଇ ଆଜି ପରାଶର ଆଖିରେ ଅଶ୍ରୁର ବନ୍ୟା ଆଉ ରାଜଲକ୍ଷ୍ମୀ ପାଇଁ ତମ ଆଖିରେ ଅଗ୍ନିର ଲାଭା । କୁହ କିଏ ବଶ ହେବ ? କିଏ ତରଳି ଯିବ ? କିଏ ପ୍ରେମରେ ଅନ୍ଧ ହେଇ ଧାଇଁ ଆସିବ କୋଳକୁ ? ତରୁ ନା ରାଜଲକ୍ଷ୍ମୀ ??

 

ଆଃ ପାରୁଲ୍, ବନ୍ଦ କର ତମେ । ଏ ନୀତିବାକ୍ୟ ମୋତେ ଶୁଣାଅ ନାହିଁ, ମୁଁ ଦୁର୍ବଳ ନୁହେଁ । ମୁଁ କାପୁରୁଷ ଭଳି ଅଶ୍ରୁ ବିସର୍ଜନ କରି ପାରିବି ନାହିଁ ।

 

ଅଶ୍ରୁ ବିସର୍ଜନ କରନ୍ତି ସେହିମାନେ ଯାହାଙ୍କର ନୈତିକତା ଅତି ଉଚ୍ଚକୋଟୀର, ଯାହାଙ୍କର ପ୍ରେମ ସ୍ୱର୍ଗୀୟ । ଆଉ ଯୋଉମାନେ ଅନ୍ତରରେ ଦୁର୍ବଳ, ଯାହାଙ୍କ ପାଖରେ ପ୍ରେମର ଲେଶ୍‍ମାତ୍ର ନାହିଁ, ଖାଲି କଳୁଷିତ ପ୍ରେମର ବିକାର, ସେହିମାନେ ମୁହୂର୍ତ୍ତକେ ଧାଇଁ ଯାଆନ୍ତି ପ୍ରେମିକାର ବକ୍ଷରେ ଛୁରି ବିଦ୍ଧ କରି......

 

ପାରୁଲ୍, Stop I say. Don’t take me a child. Don’t teach me Ethics. ମୁଁ ଜାଣେ କିଏ କ’ଣ । ଗୋଟାଏ ନାରୀ ମୁହଁରୁ ସାର୍ଟିଫିକେଟ ନବାକୁ ମୁଁ ଚାହେଁ ନାହିଁ ।

 

ହଁ, ଖାଲି ନାରୀ ନୁହେଁ ତ, ଗୋଟାଏ ବାରବନିତା ମୁହଁରୁ । ନା, ସେ ସାର୍ଟିଫିକେଟ୍‍ ଦରକାର ନାହିଁ । କିନ୍ତୁ ହତ୍ୟା କଲାବେଳେ ହାତ ଯେମିତି ନଥରେ, ଏତିକି ଯେମିତି ମନେଥାଏ । ଆଉ ମନେ ପକେଇବ ନାହିଁ ସେତେବେଳେ ତରୁ କଥା କାରଣ ତରୁ ତମର ବିବାହିତା ପତ୍ନୀ । ତମ ପତ୍ନୀ ପର ପୁରୁଷ ପାଖରେ ଠିଆହୋଇ ପାଇଲା ଭକ୍ତି, ଶ୍ରଦ୍ଧା, ସମ୍ମାନ, ପ୍ରମାଣ ଆଉ ଅନ୍ୟର ଝିଅଟିଏ ତମ ପାଖକୁ ଆସି ପାଇଲା ଶାଣୁଆ ଛୁରି, ରକ୍ତରେ ଚିତା, ରକ୍ତରେ ସ୍ନାନ, ରକ୍ତରେ ଅବଗାହନ....

 

ପାରୁଲ୍ !!

 

ନା’ ତଫାତ୍ କିଛି ନାହିଁ । ତମ ପତ୍ନୀକି ପରାଶର ମା’ ବୋଲି ଡାକନ୍ତି । ଅବୋଧ ଶିଶୁ ଭଳି ନିଜକୁ ଆଣି ଟେକି ଦିଅନ୍ତି ତା’ ହାତରେ, ଆଉ ତମେ ରାଜଲକ୍ଷ୍ମୀକି ମାଇପ ବୋଲି ଡାକ । ନିଜେ ଜବରଦସ୍ତି ଟେକି ଆଣ ତା’କୁ ହାତକୁ । ତା’ ତଣ୍ଟି କଣା କରି କଅଁ କଅଁ କରି ପିଇଯାଅ ରକ୍ତ-!!

 

ପାରୁଲ୍ !! ତମେ ଚାଲିଯାଅ ଏଠୁ । ଚାଲିଯାଅ ଏଠୁ କହୁଛି । ମୁଁ ଜାଣେ ତମର ଉଦ୍ଦେଶ୍ୟ କ’ଣ । ମହାଦେବର ଖାଇ ସହଦେବର ଗାଇବ ତମେ । ନାରୀ ଜାତି ମାତ୍ରେ ହିଁ ନିମକହାରାମ ।

 

ନା; ତମେ ନାରୀ ଦେଖି ନାହଁ । ନାରୀ ଯେ ତମ ପାଇଁ ଜୀବନ ଦେଇଦେବ ତା’ ଅନ୍ୟ କୋଉଠି ନ ଦେଖିଲେ ଅନ୍ତତଃ ଘରକୁ ଫେରିଯାଅ ଦେଖିବ । ରାଜଲକ୍ଷ୍ମୀ ତମକୁ ଘୃଣା କରୁଛି, ତମ ଛାଇ ପଡ଼ିଲା ମାତ୍ରେ ଚିତ୍କାର କରି ଉଠୁଛି ଆଉ ତମରି ସ୍ତ୍ରୀ ତରୁ ପୂଜା କରୁଛି ପରାଶରକୁ—ପୁଷ୍ପାଞ୍ଜଳି ଢାଳୁଛି ଚରଣରେ । କାରଣ କ’ଣ ଜାଣ ? ପରାଶର ହିମାଳୟ ଭଳି ବିଶାଳ । ପରାଶର ଚାହେଁ ତରୁକୁ ସନ୍ୟାସିନୀ କରିବ । ଆଉ ତମେ ? ତମେ କ’ଣ ଚାହଁ ? ତମେ ଚାହଁ ରାଜଲକ୍ଷ୍ମୀ କରିବ......କରିବ ବାରବିଳାସିନୀ, ବେ-ଶ୍ୟା !!

 

ପାରୁଲ !!

 

ହଁ ବେଶ୍ୟା । ବେଶ୍ୟା । ଆଉ ସେହି ବେଶ୍ୟା ନହେଲେ, ତମ ଅଙ୍କଶାୟିନୀ ନହେଲେ, ତମ ହାତକୁ ମଦ ବୋତଲ ଟେକି ନଦେଲେ, ତମ ଆଗରେ ନଗ୍ନ ହେଇ ବକ୍ଷ ଦେଖେଇ ନୃତ୍ୟ ନକଲେ ତମେ କରିବ ହତ୍ୟା ! ହତ୍ୟା ! ତମେ କଂସେଇ ଭଳି ଭୁଜାଲି ଧରି ଧାଇଁଯିବ ତାକୁ କଚ୍‍ କଚ୍‍ କରି କାଟି ଦବାକୁ—କାଟି ଦବାକୁ !

 

ପାରୁଲ୍ ! ପାରୁଲ୍ ! Get out, get out from here bloody damn swine.

 

ହଁ ଯାଉଛି । କିନ୍ତୁ ଯିବା ଆଗରୁ କହୁଛି ତମେ ଭଲକରି ଭାବ, ତମେ ରାଜଲକ୍ଷ୍ମୀକି ହତ୍ୟା କରୁଛ କାହିଁକି ? କି ମହତ୍ ଉଦ୍ଦେଶ୍ୟରେ ? କି ବିରାଟ ପରିକଳ୍ପନା ନେଇ ? ମନେରଖ ଆଖିରୁ ଲୁହ ଢାଳି ଢାଳି ପରାଶର ହବ ଦେବତା ଆଉ ଅନ୍ୟର ରକ୍ତ ବୁହେଇ, ରକ୍ତ ପିଇ, ରକ୍ତ ଖାଇ ତମେ ହେବ ରାକ୍ଷସ—ରାକ୍ଷସ । A strange Contrast—a human gcd and a fiend ! —a fiend !

 

I will be a Demon. I will be a villain. I will be a serpent with a hissing sound. Get out, get out you rogue, bastard.

 

ପାରୁଲ୍‍ ଧିରେ ଧୀରେ ତଳକୁ ଓହ୍ଲେଇ ଯାଇଥିଲା, ଜୟନ୍ତ ସେମିତି ଚିତ୍କାର ଛାଡ଼ିଥାଏ–ଏତେ ଦୁର ! ଏତେ ସ୍ପର୍ଦ୍ଧା ! ଏତେ ଔଦ୍ଧତ୍ୟ ! ମୋ’ରି ଧନ ଖାଇ ମୋ ମୁହଁରେ ଜବାବ୍ । ନିଜେ ପଢ଼ିବ କଲେଜରେ । ଭଉଣୀ ଯିବ ସ୍କୁଲକୁ । ବୁଢ଼ାବାପ ରୋଗଶେଯରେ । ସାରା ପରିବାରର ଖର୍ଚ୍ଚ ଯୋଗେଇବି ମୁଁ, ଆଉ ସିଏ ପୁଣି ମୋ ମୁହଁରେ ମୋ ଆଗରେ କହିବ—a fiend ! a fiend-! ମୋ ଜୋତା ପୋଛିବା ଲୋକ ସିଏ ଚଢ଼ିବ ମୋ ମୁଣ୍ଡରେ ! ମୋ ମୁହଁରେ ପକେଇବ ଥୁ ଥୁ ଛେପ !! ଇସ୍‍ ପାରୁଲ୍ ! ପାରୁଲ୍ ! ଶୁଣିଯାଅ ପାରୁଲ୍, ଫେରିଆସ ପାରୁଲ୍, ତମ କୃତଜ୍ଞୟତାର ପୁରସ୍କାର ନେଇଯାଅ । ରାଜଲକ୍ଷ୍ମୀର ମୁଣ୍ଡ ଦଳିବା ଆଗରୁ ଆସ, ତମ ମୁଣ୍ଡଟା ଆଗ ମୁଁ ଦଳିମାଡ଼ି ଚୁନ୍‍ଚୁନା କରିଦିଏ । କାହିଁ ? କାହିଁ ମୋ ହଣ୍ଟର୍ ? ଆଜି ତମ ପିଠିରୁ ଯଦି ମୁଁ ପରସ୍ତ ଚୋପା ଛଡ଼େଇ ନ ଦେଇଛି—ଗୁଳିଖିଆ ବାଘ ଭଳି ଝପଟି ଯାଉଥିଲା ଜୟନ୍ତ, ଟେବଲରେ ବୁଟ୍‍ ବାଜିଲା ଖୁବଜୋରେ । ଗ୍ଲାସ୍, ବୋତଲ, ପ୍ଲେଟ୍, ପିଆନୋ ଝନ୍‍ଝନ୍‍ ହୋଇ ତଳେ ବିଞ୍ଚି ହେଇ ପଡ଼ିଲା-। ଜୟନ୍ତ ଆହୁରି ଜୋରେ ଆହୁରି ଜୋରେ ଗୋଇଠା ମାରିଲା ବୋତଲକୁ, ପିଆନୋକୁ–get out, get out, get out–ଝପ୍‍ଝପ୍‍ କରି ଓହ୍ଲେଇ ଯାଉଥିଲା ସିଢ଼ିରେ । ହଠାତ୍ ଆଖି ପଡ଼ିଗଲା ପାଦତଳର ଗୋଟାଏ ଲଫାଫା ଉପରେ । ଲଫାଫାରେ ତରୁର ଅକ୍ଷର–‘ଶ୍ରୀମତୀ ପାରୁଲ୍’.......ଆଁ !!! —ଅନ୍ଧାର ହେଇଗଲା ଚଉଦିଗ । ଜୟନ୍ତ ବସିପଡ଼ିଲା ।

 

ତରୁ ଲେଖିଛି ପାରୁଲ ପାଖକୁ ଚିଠି । ତରତରରେ ଚାଲି ଯାଉଁ ଯାଉଁ ବୋଧେ ପାରୁଲ୍‍ ହାତରୁ ଖସି ପଡ଼ିଛି—

 

ପାରୁଲରେ,

 

ଭିକାରୁଣୀକି ଦିଦି ଡାକି ତୁ ଚିଠି ଲେଖିଛୁ, ମୁଁ ନିଜକୁ ଧନ୍ୟ ମଣୁଛି । ହଁ, ତୁ ମୋର କଅଁଳ ଛୁଆ ଭଉଣୀଟିଏ । ତୋ ଅଳି ଆରଦୋଳି ମୁଁ ନିଶ୍ଚେ ସହିବି । ତୋତେ ଦେଖିଲେ ମୋ ପେଟ ପୂରି ଉଠିବ ଲୋ ବିଶ୍ୱାସ କର । ତୋ’ ଭୁଲ୍‍ କଥା ଲେଖିଛୁ । ତୋତେ ସିନା ମୁଁ ଚିହ୍ନି ନାହିଁ । ମୋ ସ୍ୱାମୀଙ୍କି ଚିହ୍ନିଛି । ଗୋଟିଏ ଚପଳ କୋମଳ ହରିଣୀ ଶିଶୁକୁ ଧରିବା ପାଇଁ କେତେ ରକମର ଫାଶ, ଫନ୍ଦା, ପନ୍ଥା, ଉପାୟ ଯେ ନିର୍ମମ ବ୍ୟାଧ କରିପାରେ ମୁଁ ଜାଣେ । ତୋ ଦୋଷ ଦେବା ଭଳି ଅପଗଣ୍ଡ ମୁଁ ନୁହେଁ । ଈଶ୍ୱରଙ୍କୁ ଡାକୁଛି । ଆଶା ରଖିଛି ବ୍ୟାଧ ଫେରିବ । ତୋ’ ଭଳି ବହୁ ହରିଣୀ ଶିଶୁ ମୁକ୍ତ ହେବେ ।

 

ତୋର ଏ ମାସର ଟଙ୍କା ପଠାଇବାରେ ଟିକିଏ ବିଳମ୍ବ ହେଲା । କାଲି T. M. O. କରି ପଠାଇ ଦେବି ।

 

ତୋର

ଭିକାରୁଣୀ ଦିଦି

ତରୁ

 

ସତେ ?? —ଚିତ୍କାର କରି ଉଠିଲା ଜୟନ୍ତ । ଫାଇଁ ଫାଇଁ ଗର୍ଜନ କରିବାକୁ ଲାଗିଲା । ଆପାଦମସ୍ତକ କମ୍ପି ଉଠିଲା ତା’ର । ଚିଠିଟାକୁ କୁଟ୍‍କୁଟା କରି ଚିରି ପଚାଶ ଥର ଦଳି ଦେଲା ବୁଟରେ । କହିଲା—ତରୁ ତା’ ହେଲେ ବଦଳି ଯାଇଛି । ତରୁ ତା’ ହେଲେ ପଦେ ପଦେ ଠିଆ ହେଉଛି ମୋ ଆଗରେ । ତରୁ ହେଇଛି ମୋର କାଳକଣ୍ଟକ । ଗୋଟାଏ ରାଜଲକ୍ଷ୍ମୀକି ରଖି ସେ ସନ୍ତୁଷ୍ଟ ନୁହେଁ, ସେ ମୋର ସମସ୍ତଙ୍କୁ ନେଇ ଯିବାକୁ ଚାହେଁ । ସେ ମୋତେ କାଙ୍ଗାଳ କରି ଦେବାକୁ ଚାହେଁ । ସେ ଚାହେଁ ମୋତେ ଗୋଟାଏ ଫୁଲକୁ ଧରି ମୁହଁ ମାଡ଼ି ମାଟି କାମୁଡ଼ି ସରାଜୀବନ ପଡ଼ି ରହିବାକୁ । ଇସ୍ ଏତେ ଚକ୍ରାନ୍ତ, ଏତେ ଷଡ଼ଯନ୍ତ୍ର, ଏତେ ଛଳନା । ତରୁ ଟଙ୍କା ପଠାଏ ପାରୁଲ୍‍ ପାଖକୁ ? ପାରୁଲ୍‍ ପାଖକୁ ? ସେଇଥିପାଇଁ ପାରୁଲ୍ ଆର ମାସର ଟଙ୍କା ନେଲା ନାହିଁ । ଆଉ ସେଇଥିପାଇଁ ତା’ର ଏତେ ଔଦ୍ଧତ୍ୟ, ଏତେ ଗର୍ବ, ମୋ ମୁଣ୍ଡ ଉପରେ ଚଢ଼ି ଚାଲିଗଲା । ଇସ୍ !!

 

ମୁଣ୍ଡବାଳ ଝିଙ୍କି ଝିଙ୍କି ଗୋଟାଏ ଚେୟାର ଉପରେ ଲଥ୍‍କିନା ବସି ପଡ଼ିଲା ଜୟନ୍ତ । ବିଶ୍ୱ ବ୍ରହ୍ମାଣ୍ଡ ଯେମିତି ଜଳି ଯାଉଛି ଆଗରେ । ରାଜଲକ୍ଷ୍ମୀ ତା’କୁ ଗୋଇଠା ମାରି ଚାଲିଗଲା । ପାରୁଲ୍‍ ଚାଲିଗଲା ମୁଣ୍ଡରେ ଚଢ଼ି । ତରୁ କଲା ତା’ ବିରୁଦ୍ଧରେ ଷଡ଼ଯନ୍ତ୍ର । ସମସ୍ତେ ଯେମିତି ଏକାଠି ହେଇ ତା’ ତଣ୍ଟି ଚିପି ଦେବାକୁ ଚାହୁଁଛନ୍ତି । ସମସ୍ତେ କରୁଛନ୍ତି ଟିଟ୍‍ଟିକାର । ସେ ପରାଜିତ, ସେ ପରାସ୍ତ, ସେ ଘୃଣ୍ୟ । ଆଃ—ଜୟନ୍ତ ଚେୟାର୍‍ଟା ଠେଲି ଦେଇ ଚଟ୍‍କିନି ଠିଆ ହେଇପଡ଼ିଲା । ଜୋତା ମସ୍‍ମସ୍‍ କରି ଚାଲିଗଲା ଘରର ଏ ପାଖରୁ ସେ ପାଖ, ସେ ପାଖରୁ ଏ ପାଖ । କହିଲା—ନା, ନା, ନା, ଜୟନ୍ତ ପରାଜୟ ଜାଣେନା, ଜୟନ୍ତ ପରାଜୟ ସ୍ୱୀକାର କରିବ ନାହିଁ । ସିଂହ ମରି ଜାଣେ, ସିଂହ ମୁଣ୍ଡ ନୁଆଇଁ ଶରଣ ପଶି ଜାଣେନା । ମୁଁ ଭୀରୁ ନୁହେଁ, ମୁଁ ଦୁର୍ବଳ ନୁହେଁ, ମୁଁ କାପୁରୁଷ ନୁହେଁ, ମୁଁ ନାରୀ ନୁହେଁ, ମୁଁ ପରାଶର ଭଳି କାନ୍ଦିପାରିବି ନାହିଁ, କାନ୍ଦିପାରିବି ନାହିଁ ଗୋଟାଏ ସାମାନ୍ୟ ସ୍ତ୍ରୀ ପାଇଁ ! ଲକ୍ଷେ ବାଳିକା ମୋ ଗୋଡ଼ ତଳେ ମୁଣ୍ଡ ଗଡ଼ାଇ ଦେଇଛନ୍ତି, ମୋ ପାଦର ଧୂଳି ଚାଟିଛନ୍ତି, ଆଉ ମୁଁ ଯିବି ଗୋଟାଏ ବାଳିକା ପାଖକୁ ? ମୁଁ କ୍ଷମାଭିକ୍ଷା ମାଗିବି ଗୋଟାଏ ଅର୍ବାଚୀନା ନଗଣ୍ୟ ନାରୀର ? ମୁଁ ଦିନ ରାତି ବସି ଅଶ୍ରୁ ଢାଳିବି ଗୋଟାଏ ପାଦ ତଳର ଗୋଡ଼ ଘଷା ଚାକରାଣୀ ପାଇଁ ?? ନା ନା, ମୁଁ ଏଡ଼େ ହୀନବୀର୍ଯ୍ୟ ନୁହେଁ, ମୁଁ ଅଧମ ନୁହେଁ, ମୁଁ ମାଇଚିଆ ନୁହେଁ । ସାତପୁରୁଷର ଖାନ୍‍ଦାନୀ ମୁହଁରେ କାଳିମା ବୋଳି ମୁଁ ଖସି ଯାଇ ପାରିବି ନାହିଁ ଏତେ ନୀଚ, ହୀନ, ଘୃଣ୍ୟ ସ୍ତରକୁ ।

 

.......ତରୁ ମୋ ବିରୁଦ୍ଧରେ ଚକ୍ରାନ୍ତ କରିଛି । ତରୁ ଛଡ଼େଇ ନେବାକୁ ଚାହିଁଛି ବାଘ ମୁହଁରୁ ଆହାର । ବେଶ୍‍ ମୋ ପଥ ପରିଷ୍କାର ହେଇଗଲା । ମୋର ସବୁ ଡର ଭୟ ନିର୍ମୂଳ ହେଇଗଲା ଆଜି । ମୋର ଆଉ କାହାକୁ ଡର ? କାହିଁକି ଡର ? ଭଗବାନ ମୁଁ ମାନେନା, ଧର୍ମ ମୁଁ ମାନେନା; ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ—କୋଉଥିରେ ବିଶ୍ୱାସ ନାହିଁ ମୋର । ଖାଲି ଜଣେ, ଜଣକୁ ମୋର ଭୟ ଥିଲା । ଜଣଙ୍କର ନୀରବ ଆଖି, କରୁଣ ଆଖି, ଆଖି ପତାର ଟଳମଳ ଲୁହ ମୋର ସବୁ ଦମ୍ଭ, ସବୁ ସାହସକୁ ପାଣି କରି ଦିଏ । ରକ୍ତ ମୁଖା ବାଘ ହେଇଯାଏ ଘଡ଼ିକରେ ମଲା ମୂଷା, ଆଉ ଆଜି ସେ ଯେତେବେଳେ ନାହିଁ, ସେ ଯେତେବେଳେ ଲୁହଆଖି ବଦଳରେ ରକ୍ତଆଖି ଦେଖେଇ ଆକ୍ରମଣ କରିବାକୁ ଆସୁଛି, ସେତେବେଳେ ଆଉ ଡର କାହିଁକି ? ମୋତେ ପ୍ରତି ଆକ୍ରମଣ ଆସେ । ରକ୍ତରେ ରକ୍ତ ମିଶେଇବାକୁ ମୋ ରକ୍ତ ଟକ୍‍ମକ୍‍ ହେଇ ଫୁଟି ଆସିଛି ଜୀବନସାରା । ମୁଁ ତରୁ ପାଖରେ କୃତଜ୍ଞ ଯେ ସେ ମୋ ବାଟ ପରିଷ୍କାର କରି ଦେଲା । ଏତେ ଦିନ ମୋତେ ସୁଯୋଗ ମିଳିଲା—ସୁବର୍ଣ୍ଣ ସୁଯୋଗ, ମାହେନ୍ଦ୍ର ସୁଯୋଗ । ଆଜି ସେଇ ଗର୍ବିଣୀ ବାଳିକାର କେଶ ଧରି ପାଂଚାଳୀକି ଦୁଃଶାସନ ଘଂଚାଳିଲା ଭଳି ଟାଣି ଆଣିବାର ସୁଯୋଗ ମିଳିଛି, ଉଲଗ୍ନ କରିବାର ସୁଯୋଗ ମିଳିଛି, ଉପଭୋଗ କରିବାର ସୁଯୋଗ ମିଳିଛି, ମୁଁ ଦେଖିବି, ସୃଷ୍ଟିରେ କିଏ ଅଛି ତା’କୁ ଛଡ଼େଇ ନେବ ମୋ ହାତରୁ । ମୁକ୍ତା ଆସୁ, ପାରୁଲ୍ ଆସୁ, ପରାଶର ଆସୁ, ତରୁ ଆସୁ—ଯିଏ ଆସି ବାଧା ଦବ, ଯିଏ ଆସି ଠିଆ ହବ ମୋ ଆଗରେ, ଏଇ ରାଇଫଲ୍‍ର ଗୁଳିରେ ମୁଁ ଗୋଟି ଗୋଟି ସମସ୍ତଙ୍କ ଛାତିରୁ କଲିଜା ଉପାଡ଼ି ଆଣିବି । ତା’ପରେ ରାଜଲକ୍ଷ୍ମୀ–ରାଜଲକ୍ଷ୍ମୀ–ରାଜଲକ୍ଷ୍ମୀର ଉନ୍ନତ ବକ୍ଷରେ ପାଆଁଇକିନା ଗଳିଯିବ ଛୁରି–ପିଚ୍‍ ପିଚ୍‍ ପିଚ ପିଚ୍‍ ହେଇ ରକ୍ତ ଉଠିବ ଉପରକୁ–ଠିକ୍‍ ଯେମିତି ଉଠେ ଛିନ୍ନମସ୍ତାର କବନ୍ଧରୁ–ସାଆଁଇ ସାଆଁଇ, ସର୍‍ର୍‍ ସର୍‍ର୍‍, ପିଚ୍‍ପିଚ୍‍ ରକ୍ତ–ରକ୍ତ–ରକ୍ତ । ଚାରିଆଡ଼େ ଖାଲି ରକ୍ତର ତାଣ୍ଡବ, ରକ୍ତର ନୃତ୍ୟ, ସବୁ ରକ୍ତ ଭିତରେ ମୋର ହେବ ବ୍ରତ ଉଦ୍‍ଯାପନ । ମୁଁ ହେବି ବିଜୟୀ । ମୁଁ ହେବି ବୀର, ମୁଁ ହେବି Hero, ମୁଁ ହେବି a terror to the country. ହାଃ, ହାଃ, ହାଃ; ହାଃ, ହାଃ ହାଃ; ହାଃ, ହାଃ, ହାଃ ।

 

–ଷୋଳ–

 

.....ଆଜି ମୋର ବ୍ରତ ଉଦ୍‍ଯାପନ । ମାଳାରେ ଗୋଟିଏ ନୂଆ ଫୁଲ ଆଜି ମୋର ଗୁନ୍ଥା ହେଲା । ଭଲ ହେଲା । ସୁନ୍ଦର ହେଲା । ମାଳା ମୋର ଛାତି ଉପରେ ଆଜି ସୁଶୋଭନ ଦିଶିଲା । ହାଃ, ହାଃ, ହାଃ; ହାଃ, ହାଃ, ହାଃ । ଜୟନ୍ତ କହୁଥିଲା ସେଇ କଥା, ମାନଗୋବିନ୍ଦ କହୁଥିଲା ସେଇ କଥା, ପାର ଅପା କହୁଥିଲା ସେଇ କଥା, ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଲା । ସମସ୍ତେ ମିଳି ତା’କୁ ଛଡ଼େଇ ନେଲେ । ଛଡ଼େଇ ନେଇ ପାରିଲେ । ଓଃ......ନିଅ, ନିଅ ତା’କୁ । ମୁଁ ଆଉ ତା’ ପାଇଁ ଜମ୍ମା କାନ୍ଦିବି ନାଇଁ । ମତେ ତମେ ସବୁ ସନ୍ଦେହ କରୁଥିଲ ନା ? ମୁଁ ଚରିତ୍ର ହୀନ ?? ହଁ ହଁ ମୁଁ ଚରିତ୍ର ହୀନ । ଭଗବାନ ଜାଣିନ୍ତି ମୁଁ ଚରିତ୍ର ହୀନ !!! ହାଃ, ହାଃ, ହାଃ; ହାଃ, ହାଃ, ହାଃ......

 

ପ୍ରଳାପ । ପ୍ରଳାପ ଖଲି । ଗାଁରେ ଘାସ ଉପରେ ବସି, ମାଟି ଉପରେ ବସି ଦିନରାତି ଖାଲି ପ୍ରଳାପ କରୁଥିଲେ ପରାଶର । ପାଖରେ ମୂକ ହେଇ ବସିଥିଲା ଅରୁଣା । ଚାରିଆଡ଼େ ଅନ୍ଧାର-। ତରୁକୁ ତିନିଖଣ୍ଡ ଚିଠି ଦେଲାଣି, ଉତ୍ତର ନାହିଁ, ସେ କ’ଣ କହି ପାଗଳ ସ୍ୱାମୀକୁ ସାନ୍ତ୍ୱନା ଦେବ ବୁଝି ପାରୁନି ।

 

.....ମାଳା ଆଜି ମୋର ପୂର୍ଣ୍ଣ । ରୀତା, ଧୀରା, ରେଖା, ପାରଅପା, ସୁଷିଭାଇ, ଅଶ୍ୱନୀ ସମସ୍ତେ ଯାଇଥିଲେ । ସମସ୍ତେ ଖୋଳି ଦେଇଥିଲା ମୋ ଛାତିରେ ଗୋଟିଏ ଗହଡ଼ା ଗାର । ହସ ମୁହଁରେ ମୁଁ ସଭିଙ୍କ ପାଖକୁ ଯାଇଥିଲି, ଆଉ ଫେରି ଆସିଥିଲି ଲୁହ ଆଖିରେ, ସବୁଠେଇଁ ଖାଲି ଘୃଣା, ଅଭିଶାପ, ଲାଞ୍ଛନା, ଥୁ ଥୁ ଛେପ !! ଇସ୍.....

 

‘ଏସନ ହତଭାଗା ନଥିଲା କାହିଁ କେବେ ହବନି

ଯହିଁ ସେ ହାତ ପାତେ

ଫେରଇ ପଦାଘାତେ

ମରଣ ହେଲା ଶେଷେ ପାବନୀ ।’

 

ବେଶ୍, ବେଶ୍, ସମସ୍ତେ ଗଲେ, ତମେ ଆଉ ରହନ୍ତ କାହିଁକି ? ତମେ ଆଉ ରହିବ କାହିଁକି ? ଯାଅ, ଯାଅ । ମାଳା ଆଜି ମୋର—ପୂର୍ଣ୍ଣ ହେଉ, ଛାତି ଆଜି ମୋର ଫାଟି ଯାଉ, ଆଖି ଆଜି ମୋର ଅନ୍ଧ ହେଇ ଯାଉ, ଆଃ, ତରୁ, ତରୁ, ତମକୁ ଆଜି ମୁଁ ଗୁନ୍ଥି ଦେଉଛି ରୀତା, ଧୀରା, ରେଖା ସହିତ ! ଓଃ ଭଗବାନ !

 

ଅରୁଣାର ଆବେଦନ, ଅରୁଣାର କରୁଣ ଲୋତକ ସବୁ ବୃଥା । ମହାନଦୀର ପ୍ରବଳ ବନ୍ୟା ସମ୍ମୁଖରେ ବାଲି ବନ୍ଧ—କି ସାମାନ୍ୟ ! କି ତୁଚ୍ଛ ! ତଥାପି ଅରୁଣା ତୁଣ୍ଡ ଖୋଲିଲା—ତମେ ତରୁକୁ ଯେତେ ହୃଦୟହୀନ ଭାବ, ସେ ତା’ ନୁହେଁ । ତମ ଆଖିର ଅଶ୍ରୁ ତା’ ଛାତିରେ ନିଶ୍ଚେ ପାରାବାର ସୃଷ୍ଟି କରିବ । ଗାଈର ହମ୍ବା ରାବ ଶୁଣିଲେ ବାଛୁରୀ କ’ଣ କେବେ ଦୂରରେ ରହିପାରେ-? ଦେଖିବ, ସେ ନିଶ୍ଚେ ଦିନେ ନା ଦିନେ ଧାଇଁ ଆସିବ ତମ କୋଳକୁ ।

 

ନା, ସେ ଆସିବ ନାଇଁ ମୁଁ ଜାଣେ । ମତେ ଏକା ଏକା ଚାଲିବାକୁ ହବ ଏ ଦୀର୍ଘ ପଥ । ମୁଁ ତା’ ଠାରୁ କ’ଣ ଚାହିଁଥିଲି ? ଟଙ୍କାପଇସା ? ଧନରତ୍ନ ? ନିଧିସମ୍ପତ୍ତି ? ତା’ ସ୍ନେହ ପ୍ରେମର ଅସରନ୍ତି ଭଣ୍ଡାର ? ତା’ ଜୀବନର ଶ୍ରେଷ୍ଠ ସମ୍ପଦ—ପ୍ରୀତିର ପୁଷ୍ପ ?? ନା’ତ, ନା’ ତ । ମୁଁ କେବେ ଏତେ କୃତଘ୍ନ ହେଇ ନଥାନ୍ତି । ମୁଁ କେବେ ତା’ ତଣ୍ଟି କାଟି ନଥାନ୍ତି ରକ୍ତମୁଖା ଡକେଇତ ଭଳି । ଖାଲି ଟିକିଏ ସ୍ନେହ, ଟିକିଏ ଆହାପଦ, କଅଁଳ କଥା, ମିଠା କଥା, ଓଠର ଟିକିଏ ହସ, ଗୋଟିଏ ଭାଇ ଡାକ, ଚନ୍ଦ୍ରର ସାମାନ୍ୟ ଟିକିଏ ଚନ୍ଦ୍ରିକା—ବିନ୍ଦୁଏ, ଗୋଟିଏ ବିନ୍ଦୁର ଲକ୍ଷେ ଭାଗରୁ ଭାଗେ—ଏତିକି, କେବଳ ଏତିକି, ସେତିକି ସେ ଦେଲାନାହିଁ । ଚାଲିଗଲା । ଚାଲିଗଲା । ପାଷାଣି, ମୋତେ ଆଜି ଏ ଧୂ ଧୂ ଖରାରେ ଏକୁଟିଆ ବସେଇ ଦେଇ ଚାଲିଗଲା ସେ । ଓଃ !

 

‘ଟାଣ ଖରା ସରୁବାଲି ଉପରେ ସୂରୁଯ ଗୋ

ତଳେ ଖାଲି ନିଛାଟିଆ ବାଟ,

କେତେ ମୁଁ ଚାଲିବଇଁ ଚାଲି ମୁଁ ନପାରେ ଗୋ

ତମେ ବସି ଦେଖୁଅଛ ହଟ ।’

 

ଅରୁଣା କହିଲା—ନା, ଶୁଣ, ପାଗଳ ହୁଅନାଇଁ, ବ୍ୟସ୍ତ ହୁଅନାଇଁ । ସେ ଫେରିବ, ନିଶ୍ଚୟ ଫେରିବ ।

 

ପରାଶର ଆଖିରେ ଝର୍‍ ଝର୍‍ ଲୁହ । କହିଲେ—

 

‘ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନିଭାଇ

ଅକ୍ରୂର ଆସିଛି ତାଙ୍କୁ ଧରି ନେବାପାଇଁ,

ରାଜା ପରଜା ସହିତ

ସଜ ହୋଇଥାଅ କାଲି ଚଳିବା ପ୍ରଭାତେ ।’

 

କୃଷ୍ଣ ଆଉ ଫେରନ୍ତା ନାଇଁରେ ଫେରନ୍ତା ନାଇଁ । ଯିଏ ଯାଏ ସିଏ କ’ଣ ଆଉ ଫେରେ-? ଫେରିଲା ତମର ଧୀରା ଭାଉଜ ? ଫେରିଲା ତମର ସୁଶିଭାଇ ? ରେଖା ପରା ଲେଖିଲା–‘ମୁଁ ତମକୁ ଘୃଣା କରିଛି, କରୁଛି, କରୁଥିବି ମଧ୍ୟ ।’ ଫେରିବା କଥା ଆଉ କହନାହିଁ । ଯଶୋମତୀ ପରା ସେଇଥିପାଇଁ କହିଥିଲା—

 

‘ଗଲାପୁତ୍ର ବାହୁଡ଼ି ନଇଲା ଲୋ କୋଇଲି ।’

 

ଅରୁଣା କହିଲା—ତଥାପି ଧୈର୍ଯ୍ୟ ତ ଧରିବ, ବୃଥାରେ ବ୍ୟସ୍ତ ବିକଳ ହେଇ ମୁଣ୍ଡ ପିଟି ଲାଭ କ’ଣ ? ସବୁଦିନେ ଜହ୍ନରାତି ରହେନାଇଁ, ଅନ୍ଧାର ଆସେ । କିନ୍ତୁ ତା’ ବୋଲି ଯେ ପୁଣି ଜହ୍ନରାତି ନଆସିବ—ନଡ଼ିଆ ବାଉଁଗାର ମଥାନ ଉପରେ ହାବେଳି ଛୁଟେଇ ଚନ୍ଦ୍ର ନ ଉଠିବ, ୟା’ତ ନୁହେଁ । ପୁଣି ତରୁ ଆସିବ । ପୁଣି ସେଇ ହସ, ଖେଳ, ନାଚ, ଆନନ୍ଦ ସବୁ ଛୁଟିବ ଏଇ ମାଟି ଅଗଣାରେ । ସବୁଜ ବୃକ୍ଷରେ ଫାଟିପଡ଼ିବ ପୁଣି ସହସ୍ର କଦମ୍ବ ।

 

କଦମ୍ବ ? ନା ନା, କଦମ୍ବ ନାଇଁ । ରୋମାଞ୍ଚ ନାଇଁ । ଆକାଶର କଳାହାଣ୍ଡିଆ ମେଘ ଯେତେବେଳେ ଭୂଇଁରେ ଆସି ଲୋଟିପଡ଼େ—ମୂଷଳ ଧାରାରେ ଢାଳିଦିଏ ଜଳ, ଦିଗଭାଗ ଅନ୍ଧାର ହେଇଯାଏ—ସେତେବେଳେ ସିନା ରୋମାଞ୍ଚ ଆସେ, ଶୀତ୍‍କାର ଛୁଟେ, କଦମ୍ବ ଫୁଟେ, ଗଛ ଭାଙ୍ଗିପଡ଼େ ଲକ୍ଷ କୋଟି କଦମ୍ବ ଫୁଲରେ । ନଇଲେ କଦମ୍ବ କାହିଁ ? ଜ୍ୟୈଷ୍ଠ ମାସର ଧୂ ଧୂ ଖରାରେ କୁଆଡ଼ୁ କଦମ୍ବ ଆସିବ ଅରୁଣା ? କୁଆଡ଼ୁ କଦମ୍ବ ଆସିବ ? —ପରାଶର ଅରୁଣାକୁ କୁଣ୍ଢେଇ ଧରିଲେ—ନା, ମତେ ଆଉ ତମେ ପିଲାଙ୍କ ଭଳି ଉପଦେଶ ଦିଅ ନାଇଁ । ମୁଁ ଜାଣେ ସେ ଆଉ ଆସିବନାଇଁ—ଆସିବନାଇଁ ।

 

....ତମେ ସେଦିନ କହୁଥିଲ ନା ତା’କୁ ଆଗରେ ବସେଇ ମା’ ମା’ ଡାକି କବିତା ଲେଖିବାକୁ ? ତମେ ଆଜି ଭାରୀ ଖୁସୀହେବ ଯେ ମୋ ମା’ ଡାକ ଶୁଣିବାକୁ ଆଉ ସେ ନାହିଁ—ନାହିଁ; ମୋ ସାଙ୍ଗରେ ଗୋଟିଏ ଥାଳିରେ ବସି ଭାତ ଖାଇବାକୁ, ମାଛ ଖାଇବାକୁ, ଦହି ଖାଇବାକୁ, ଆଚାର ଖାଇବାକୁ ସେ ଆଉ ଆସିବ ନାହିଁ; ମୋତେ ଭାଇ ଭାଇ ଡାକି ସେ ଆଉ ଭାଉଜ କଥା ପଚାରିବି ନାହିଁ, ମୋ ପାଖରେ ବସି ହସି ହସି ଘଣ୍ଟା ଧରି ସେ ମୋତେ ଆଉ କଥା କହିବ ନାହିଁ; ମୋତେ ଚିଠି ଲେଖିଲେ ପଚାଶ ଥର ଭାଇ ଭାଇ ଲେଖି ଚିଠି ପୂର୍ଣ୍ଣ କରି ଦେବ ନାହିଁ ! ମୁଁ ମୁଣ୍ଡ ଫଟେଇ ଡାକ୍ତରଖାନାରେ ପଡ଼ିଲେ ସେ ଆଉ କଇଁ କଇଁ ହେଇ କାନ୍ଦିବ ନାଇଁ—କାନ୍ଦିବ ନାଇଁ । ମନେ ଅଛି ତମର ଅରୁଣା ? ମନେଅଛି ନା ତମର ସେଦିନର କଥା—ଯୋଉଦିନ ମୋ ମୁଣ୍ଡର ରକ୍ତ ଦେଖି ଭୋ ଭୋ କାନ୍ଦିଥିଲା ତରୁ—ଭୋ ଭୋ କାନ୍ଦିଥିଲା । ଓଃ, କି କରୁଣ ସେଇ ମୁହଁ, କି କରୁଣ ସେ ଆଖିପତା ତା’ର ଗରିବ, ନିଃସ୍ୱ, ଦରିଦ୍ର ଭାଇକି ?

 

ଅରୁଣା କହିଲା—ନା, କେହି ଭୁଲିପାରେନା । ତମେ ଖାଲି ଭାବପ୍ରବଣ ବୋଲି ଏତେ କଥା ଭାବିଯାଉଛ । ସେ ଏହାର ବିନ୍ଦୁବିସର୍ଗ ଭାବି ନଥିବ । କାଲି ସକାଳେ ସିଏ ଆସି ପୁଣି ହସି ହସି ଲୋଟିଯିବ ତମ ପାଦ ଉପରେ....

 

ନା ନା ନା ନା, ସେ ଭୁଲ୍ କେବେ କରନାଇଁ । ଫାଟିଯିବା କାଚ ଆଉ ଭାଙ୍ଗିଯିବା ମନ କେବେ ଯୋଡ଼ି ହୁଏନାଇଁ ! ହୁଏତ ତା’ର ରକ୍ତମାଂସର ଦେହ ଫେରିଆସି ପାରେ, କିନ୍ତୁ ତରୁ କାହିଁ-? କାହିଁ ତା’ର ଖିଲ୍‍ ଖିଲ୍‍ ହସ ? କାହିଁ ତା’ର ଅଝଟିଆ ପିଲାଳିଆ ଡାକ—ଭାଇ ! ଭାଇ ! ଭାଇ-! ...ନା, ସେ ଆଉ ନାହିଁ, ସେ ଆଉ ଆସିବନାହିଁ । ରୋଗରେ ମୁଁ ଛଟପଟ ହେଇ ବିଛଣାରେ ପଡ଼ିଥିଲେ ସେ ଆଉ ଘଣ୍ଟା ଘଣ୍ଟା ଧରି ଜଗିବସିବ ନାଇଁ ପାଖରେ; ଟିକିଏ ମୁହଁ ଶୁଖିଗଲେ ସେ ଆଉ ଆସି ପଚାରିବ ନାଇଁ—ତମେ ରାଗିଚ ଭାଇ ? ପିଜୁଳିଗଛ ମୂଳେ ଘଣ୍ଟା ଘଣ୍ଟା ଠିଆ ହୋଇ ସବୁ ନିନ୍ଦା ଅପବାଦ ମୁଣ୍ଡରେ ମୁଣ୍ଡେଇ ସେ ଆଉ ହସି ହସି ଗପ କରିବ ନାଇଁ ଭାଇ ସାଙ୍ଗରେ; ସେ ଆଉ ଭାଉଜ ପାଖରେ ଆସି ଅଳି କରିବ ନାଇଁ ବନ୍ଧାକୋବି ଡାଲମା ଖାଇବାକୁ, ବାସୀ ପଖାଳ ଖାଇବାକୁ, ମୁଢ଼ି ପିଆଜ ଚୋବେଇବାକୁ; ଘର ମୋର ଆଣ୍ଠିଏ ହେଇ ପଡ଼ିଥିଲେ ସେ ଆଉ ନିଜ ହାତରେ ପହଁରା ଧରି ଓଳେଇବ ନାଇଁ ସାତଥର; ଭାଉଜ ଗାଁକୁ ଚାଲିଗଲେ ସେ ଆଉ ଶରଧାରେ ଆସି ଭାଇପାଇଁ ରାନ୍ଧିଦବନି ଭାତ ତରକାରୀ; ଭାଇର ନୂଆ ବହି ବାହାରିଲେ ସେ ଆଉ ଆନନ୍ଦରେ ନାଚିଯିବନି ପରସ୍ତେ; ସେ ଆଉ ଚଉରାମୂଳେ ସଂଜ ଦେଇ ଭାଇର ମଙ୍ଗଳ ହେଉ ବୋଲି ଠାକୁରଙ୍କୁ ଜଣାଇବ ନାହିଁ; ସେ ଆଉ ଭାଇ ଘଣ୍ଟି ପିନ୍ଧି, ଭାଇ ପ୍ୟାଣ୍ଟ ପିନ୍ଧ ପ୍ରଫେସର ସାଜ୍ଜିବ ନାହିଁ; ସେ ଆଉ ଭାଇ କଥା ଶୁଣିବାକୁ, ଭାଇ ହସ ଦେଖିବାକୁ କଲିକାଲିଆ ହେଇ ଧାଇଁ ଆସିବନି ଘରୁ, ଆସି ଛୁଆଙ୍କଭଳି ଅଝଟ ଲଗେଇବ ନାଇଁ—ଚାଲ ଭାଇ ସିନେମା ଯିବା, ଚାଲ ଭାଇ ଆଜି ନଇକୂଳକୁ ଯିବା ବଢ଼ି ଦେଖିବାକୁ, ଚାଲ ଆଜି ଗୋଟାଏ ଫଟୋ ଉଠାଯାଉ । ଏ ଚେପେଟାନାକୀ ଭାଉଜକୁ ଆମ ସାଙ୍ଗରେ ମୋଟେ ରଖିବା ନାଇଁ ଭାଇ । ଆମେ ଦୁହେଁତ ଗୋରାତକ୍‍ତକ୍‍ ଭାଇଭଉଣୀ । ଆଉ ଏ ଭାଉଜଟା କାଳୀ, କୋତରି, ଅସନି । ମତେ ଯିଏ ପଚାରେ ନା ଭାଇ, ମୁଁ କହେ ଏଇଟା ଆମ ଘରେ ଚାକରାଣୀ ! ଚାକରାଣୀ !! ....ତା’ପରେ ଠୋ ଠୋ ଠୋ ଠୋ ହସ । ହସି ହସି ଗଡ଼ିଯିବ ସେ—ଧୂଳିରେ ଲୋଟିଯିବ ପରସ୍ତେ । ମନେଅଛି ? ମନେଅଛି ଅରୁଣା ? ମନେପଡ଼େ ସେ ଦୁଷ୍ଟ ବାଳିକାର ଅଳି, ଆରଦୋଳି, କାନମୋଡ଼ା, ଠୋ ଠୋ ମାଡ଼ ? ଆଃ, ତରୁ, ତରୁ, ଭାଇସିନା ତମର ମରିଯାଇଛି, ଭାଉଜ ବଂଚିଛି ଯେ । ଆଉ କ’ଣ ଭାଉଜ ପାଖକୁ ଆସିବନାଇଁ ? ଆଉ କ’ଣ ଭାଉଜ କାନ ମୋଡ଼ିବ ନାଇଁ ? ଆଉ କ’ଣ ଭାଉଜ ପିଠିରେ ନାଉ ହେଇ ପିଠି କାମୁଡ଼ି କାମୁଡ଼ି କହିବ ନାଇଁ—ତୁ ମର, ମର, ମର, ....ଆଃ ।

 

ପରାଶର ଭୋ ଭୋ କାନ୍ଦି ଉଠିଲେ । ଅରୁଣା ବି କୋହ ଚାପି ପାରିଲା ନାହିଁ । କାନ୍ଦି କାନ୍ଦି କହିଲା—ତମେ ପାଗଳ ହୋଇଯିବ । ତରୁପାଇଁ ତମ ମୁଣ୍ଡ ଫାଟିପଡ଼ିବ ଚିନ୍ତାରେ । ନା ମୁଁ ଆଜି ଟେଲିଗ୍ରାମ୍ କରୁଛି, ତରୁ କାଲି ଆସି ନିଶ୍ଚେ ପହଞ୍ଚିବ ।

 

ପରାଶର କହିଲେ—ନା, ସିଏ ଯାଉ । ଯିଏ ଯିବ, ତା’କୁ ମୁଁ ଧରି ରହିବି ନାହିଁ । ମୋ ଆଖିରୁ ଲୁହ ବୋହିବ ବୋଲି ତା’ ବାଟରେ ତ ମୁଁ ଆଉ କଣ୍ଟା ପୋତିବି ନାହିଁ । ହଁ ମା, ତୁ ଯା’ । ତୁ ଯିବା ଆଗରୁ ତୋତେ ଗୋଟିଏ ଉପହାର ଦିଏଁ, ତୋ ଚଲାବାଟରେ କେତେ ଧୂଳି ପଡ଼ିଛି ମା’ । ମୋ ଆଖିରେ ଆଜି ଯେତେ ଲୁହ ଅଛି, ସବୁ ଆଜି ବୋହିଯାଉ । ସବୁ ଲୁହ ଆଜି ତୋ’ ବାଟର ଧୂଳି ଉପରେ ବିଛେଇ ହଉ । କଠିନ ରାସ୍ତା ତୋର ନରମ ହଉ ମା’ । ତୋ’ କୋମଳ ପାଦକୁ ବହୁତ ବାଧିବ ଯେ । ତୋତେ ଉପହାର ଦେବି । କ’ଣ ଉପହାର ଦେବି ? ମୁଁ ଆଜି ଏତେ ଗରିବ ଯେ ଖାଇବାକୁ ମୁଠିଏ ପାଉନି, ମୋର ଚାରିଆଡ଼େ ଆଜି ଧୂ ଧୂ ଜଳୁଛି ।

 

.......ତଥାପି ମୁଁ ଦେବି । ତୋତେ ନ ଦେଇ ମୁଁ ରହି ପାରିବି ନାହିଁ । ଏତେବଡ଼ ବିଶାଳ ବରଗଛର ଛାଇ ତୁ । ତୋ’ରି ମୂଳରେ ବସି ମୁଁ କେତେ ଖରା ବିତେଇଛି । ତୋତେ କିଛି ନଦେଇ ଚାଲିଗଲେ ମୁଁ କୃତଘ୍ନ ହେବିନାଇଁ ? ତୋତେ—ତୋତେ ଗୋଟିଏ ନିକୁଛ ଦରବ ଦଉଛି—ଅତି ନିକୁଛ, ଗୋଟିଏ ନୁଖୁରା ସଞ୍ଜ । ସଞ୍ଜ ଆଉ ସକାଳେ ତୋ ପାଇଁ ଗୋଟିଏ ସଞ୍ଜବତୀ ଜାଳି ଦେବି ମା’ । ମୁଁ ପାପୀ, ମୋ ଅନ୍ତର କଳୁଷିତ । ମୋ ପୂଜା ଠାକୁରେ ଘେନିବେ କି ନାଇଁ ଜାଣେନା । ତଥାପି ମୁଁ ସଞ୍ଜଟିଏ ଜାଳିଦେବି ମା’ । ତୋର ମଙ୍ଗଳ ମନାସିବି ବଂଚିଥିଲାଯାଏ ।

 

...ତୁ ଯା’, ଯା’ ମା’ । ତୋତେ ଦିନେ ବିଦାୟ ଦେବାକୁ ହବ ଭାବି ନଥିଲି । ଭାଗ୍ୟର ବିଡ଼ମ୍ବନା, ତୁ ଆଜି ଚାଲିଯିବୁ ଆଉ ହବ ଭାବି ନଥିଲି । ଭାଗ୍ୟର ବିଡ଼ମ୍ବନା, ତୁ ଆଜି ଚାଲିଯିବୁ ଆଉ ମୁଁ ଏଠି ପଡ଼ିରହିବି ଗୋଟାଏ ଥୁଣ୍ଟା ଗଛ ଭଳି । ହଉ, ତୁ ଯା’ ମା’ । ଯା’, ମୁଁ କାନ୍ଦିବି ନାଇଁ, ମୋଟେ କାନ୍ଦିବି ନାଇଁ । ମୋ ମା’କୁ ପାଲିଙ୍କିରେ ବସେଇ ହେଇ ଆସି ମୁଁ ଆଜି କିର୍‍ କିର୍‍ ହେଇ ହସିବି—କିର୍‍ କିର୍‍ ହେଇ ହସିବି । ହାଃ, ହାଃ, ହାଃ; ହାଃ, ହାଃ, ହାଃ ।

ପରାଶର ଖୁବ୍ ଜୋରେ ଖୁବ୍‍ ଜୋରେ କଇଁ କଇଁ ହେଇ କାନ୍ଦିଲେ । ଅରୁଣା ଧରିଲା ପରାଶରଙ୍କ ହାତ—ଛି, ଛୁଆଙ୍କଭଳି ହୁଅନାଇଁ । ଲୋକେ ଶୁଣିଲେ କ’ଣ କହିବେ ? ହେଇ ତମ୍ଭ କାନ୍ଦ ଶୁଣି ରାନୁ ଉଠିଲାଣି । ରାତି ଅନେକ ହେଲାଣି । ଚାଲ, ଟିକିଏ କ’ଣ ମୁହଁରେ ଦିଅ । କାଲିଠଉଁ ଯେ କିଛି ଖାଇନାହିଁ—ବହୁ କଷ୍ଟରେ ବହୁ ଆକୁଳ ବିକଳ ହେଇ ଶେଷରେ ପରାଶରଙ୍କୁ ଉଠେଇଲା ଅରୁଣା । ଗୋଟିଏ ହାତରେ ରାନୁକୁ କାଖେଇ ଆର ହାତରେ ସ୍ୱାମୀଙ୍କୁ ଧରି ଧୀରେ ଧୀରେ ନେଲା ରୋଷଘରକୁ ।

କେତେ ରାଣନିୟମ ପକେଇ କାନ୍ଦି କାଟି ପରାଶରଙ୍କୁ ରାଜିକଲା । ହାତ ଧୋଇବାକୁ । ପରାଶର ଆସନରେ ବସିଲେ, ରାନୁ ବସିଲା ପରାଶରଙ୍କ କୋଳରେ । ଅରୁଣା ବାଢ଼ିଦେଲା ଭାତ, ବୁଟ ଡାଲି, ଚୁଙ୍ଗୁଡ଼ିମାଛର କାଲିଆ, ଆଳୁ ପୋସ୍ତ, କଖାରୁଫୁଲ ଭଜା, ଛତୁ ରାଇତା ଆଉ ଶେଷରେ ବାସନା ଚାଉଳର ଥାଳିଥାଏ ପାୟସ୍ । ଥାଳିକି ଦେଖୁ ଦେଖୁ ପରାଶରଙ୍କୁ ଆଖିରୁ ଲୁହ ବୋହି ଆସିଲା । କହିଲେ—ଅରୁଣା, ଅରୁଣା, ତମେ ଏ ଚୁଙ୍ଗୁଡ଼ି ମାଛର କାଲିଆ କରିଛ—କାହିଁକି ? କାହାପାଇଁ ? କିଏ ଖାଇବ ? ଆଉ ଏ ପାୟସ୍‍ ? ଏତେ ସୁନ୍ଦର ପାୟସ୍ । ମହକରେ ଘର ଫାଟିପଡ଼ୁଛି, ପେଟ ପୂରିଉଠୁଛି । ଆଃ ଅରୁଣା, ତମେ ମୋତେ କନ୍ଦେଇବାକୁ କ’ଣ ଭଲପାଅ ? କାହିଁକି ? କାହିଁକି କରିଛ ଏତେ ଚିଜ ? କିଏ ଖାଇବ ? କିଏ ଖାଇବ ? ଯଶୋମତୀ କ’ଣ କହିଥିଲେ ଅରୁଣା ?

‘କୋଇଲିଲୋ ଖଣ୍ଡକ୍ଷୀର ଦେବି ମୁଁ କାହାକୁ ?

ଖାଇବାର ପୁତ୍ର ଗଲା ମଥୁରା ପୁରକୁ ଲୋ

କୋଇଲି’ ।

କାହିଁ ? ଖାଇବାର ଲୋକ କାହିଁ ? ଯିଏ ଚୁଙ୍ଗୁଡ଼ିମାଛ ଦେଖୁ ଦେଖୁ ଚୁଙ୍ଗୁଡ଼ି ଭଳି ଛଟ ଛଟ ଡେଇଁଯାଏ ଆନନ୍ଦରେ, ଯିଏ ହାଣ୍ଡିକଯାକ ପାୟସ ଟେକିଆଣେ ଅଲଁଠା ଥାଳି ପାଖକୁ, କହେ–ଭାଉଜମ, ତମ ଯଶ ଏମିତି ପାୟସ୍‍ ଭଳି ଧଳା । ତୁମେ ବଡ଼ ହୁଅ, ଆଉ ପାୟସଯାକ ଆମେ ସବୁ ଖାଉ.....କହୁଁ କହୁଁ ହାଣ୍ଡିରୁ ଅଧେ ଖାଇଯାଏ ପାୟାସ୍, ଥାଳିଆରୁ ଖାଇବାକୁ ତର ସହେ ନାହିଁ-। ସେ କାହିଁ ? କାହିଁ ? କାହିଁ ତରୁ ? କାହିଁ ମୋର ଅଲିଅଳି ମା’ ? ମା’ ? ମା’ ?

ମା’ ମା’ ଡାକ ଶୁଣି ରାନୁ କାନ୍ଦିଉଠିଲା । କହିଲା—ବାବା, ମା’ କାଇଁ ? ମା’ କାଇଁ ? ମା’ କନ ଆମକୁ ଛାଲି ଚାଲିଗଲା ବାବା ? ମା’ କ’ନ ଆଉ ଆଛିବ ନାଇଁ ? ମା’ କ’ନ ମତେ କାଖ କଲିବନାଇଁ ବାବା ?

ନା’ରେ ମା’ ତୋର ବଡ଼ଲୋକ ହେଲାଣି । ନେତା ହେଲାଣି । ମା’ ତୋତେ ଆଉ ପଚାରିବ କାହିଁକି ? ମା’ ତୋର ଆଉ ଏ ଗରିବ ବାବା, ବଲମା’କୁ ପଚାରିବ ନାଇଁ—ପଚାରିବ ନାଇଁ ।

ନାଇଁ ବାବା, ତମେ ମା’କୁ ଆନ । ତମେ ମା’କୁ ଗାଲି ଦେଇଛ, ନଇଲେ ତ ମା’ ମତେ ଛାଲି କୁଆଲେ ଯାଏ ନାହିଁ ।

 

ହଁ ହଁ, ମୁଁ ଗାଳି ଦେଇଛି । ଗାଳି ଦେଇଛି ମା’କୁ । ସେଇଥିପାଇଁ ସେ ଅଭିମାନ କରି ଚାଲି ଯାଇଛି । ମୁଁ ଆଉ ଯେତେ ଡାକିଲେ ସେ ଆସୁ ନାହିଁ । ହଉ, ତୁ ଖା’ ରାନୁ । ମୁଁ ତୋ ପାଇଁ ଗୋଟାଏ ନୂଆ ମା’ ଆଣି ଦେବି ।

 

ନାଇଁ ମୋ ମା’କୁ ଆନ । ମୋର ନୂଆ ମା’ ଦଲକାଲ ନାଇଁ, ମୋ ମା’ମେତି କିଏ ଅବ-?

 

ପରାଶର ପୁଣି ବିକଳ ହେଇ ଉଠିଲେ—ଅରୁଣା ! ଅରୁଣା ! ଶୁଣୁଚ ଅରୁଣା ? ଏଡ଼େ ଟିକିଏ ଝିଅ ରାନୁ ବି ଖୋଜୁଛି ମା’କୁ । ପିଞ୍ଜରାର ଶାରୀ ବି ଖୋଜୁଛି ମା’କୁ । ମା’ ମୋର କେଡ଼େ ଅଲିଅଳୀ, କେତେ ସ୍ନେହୀ, କେତେ ହସକୁଡ଼ୀ, କେତେ ଖଳଖଳ । କାହିଁ ମୋର ମା’ ? କାହିଁ ମୋର ମା ? କିଏ ଖାଇବ ଚୁଙ୍ଗୁଡ଼ିମାଛ ? କିଏ ଖାଇବ ଏ ଛତୁ ରାଇତା ? କିଏ ଖାଇବ ଏ ଦେବତା—ଭୋଗ ପାୟସ ? କିଏ ଡାକିବ ଭାଇ ! ଭାଇ ! ଭାଇ ! କାହିଁ ? କାହିଁ ? କୁଆଡ଼େ ଗଲା ସିଏ ? କୁଆଡ଼େ ଗଲା ? ଆଉ କ’ଣ ସିଏ ଆସିବ ନାଇଁ ? ଆସିବ ନାଇଁ ? ଆସିବ ନାଇଁ ? ଓଃ ତରୁ ! ତରୁ ! ତରୁ !

 

‘ମୁଁ ଆସିଛି । ମୁଁ ଆସିଛି । ମୁଁ ଫେରି ଆସିଛି । ଭାଇ ! ଭାଇ ! ଭାଇ !’ ...କାନ୍ଦି କାନ୍ଦି ଚିତ୍କାର କରି କରି ଗଗନପବନ ଫଟେଇ ଝଡ଼ ବେଗରେ ଧାଇଁ ଆସିଲା ତରୁ । ଭାଇ ପାଦ ଧରି ଲୋଟି ପଡ଼ିଲା ଭୁଇଁରେ—ମୁଁ ଆସିଛି, ମୁଁ ଆସିଛି ଭାଇ । ମୁଁ ତମ ପାଦ ତଳକୁ ଫେରି ଆସିଛି ଆଜି । ତମ ଅଲିଅଳ ଭଉଣୀ ତମକୁ ଛାଡ଼ି କ’ଣ ରହିପାରେ ! ତମେ କାନ୍ଦ ନାଇଁ ଭାଇ । କାନ୍ଦ ନାଇଁ । ମୁଁ ଆଉ କେବେ ତମକୁ ଛାଡ଼ି ଯିବି ନାଇଁ । କେବେ ଯିବି ନାଇଁ । ମୁଁ ତମରି ପାଖରେ ବସି ଗୀତ ବୋଲିବି, ଫୁଲ ତୋଳିବି, ଠାକୁରଙ୍କ ପୂଜା କରିବି । ମୁଁ ତମରି ସାଙ୍ଗରେ ଖାଇବି । ତମରି ହାତରୁ ମାଛ ଖାଇବି, ଭାତ ଖାଇବି, ଦୁଧ ଖାଇବି । କୁହ, ମତେ ସେମିତି ଖାଇବାକୁ ଦବ ? ଦବ-? ଭାଇ ! ଭାଇ ! ତମେ କଥା କହୁନା ଭାଇ ? ତମେ କ’ଣ ଏ ଅଲିଅଳ ଭଉଣୀକି କ୍ଷମା ଦବନି-? କ୍ଷମା ଦବନି ? —ତରୁ ବେଶୀ ବେଶୀ କାନ୍ଦ ପାଦ ଉପରେ ଖାଲି ମୁଣ୍ଡ ପିଟିଲା । ପରାଶରଙ୍କ ପିଣ୍ଡରୁ କୋହ ଉପରେ କୋହ ଉଠୁଥିଲା । ଆଖି ଫୁଟେଇ ବହି ଯାଉଥିଲା ଝର । ଦିଗଭାଗ ସବୁ ଅନ୍ଧାର ଦିଶୁଥିଲା ତା’ଙ୍କୁ । ସେ କିଛି କହିଲେ ନାହିଁ । କହି ପାରିଲେ ନାହିଁ । ଖାଲି ବେଶୀ ବେଶୀ କାନ୍ଦିବାକୁ ଲାଗିଲେ । ଖାଲି ଗୋଟିଏ ପଦ ବାରମ୍ବାର ତାଙ୍କ ତୁଣ୍ଡରୁ ବାହାରିଲା—ତରୁ ! ତରୁ-! ତରୁ !

 

ମଟରରୁ ଓହ୍ଲାଇ ପଛରେ ଆସି ଠିଆ ହେଲେ ରାଜଲକ୍ଷ୍ମୀ, କଲ୍ୟାଣ, ଡକ୍ଟର ସାହାଣୀ, ଫାଦର୍ ଉଇଲିୟମ୍ । ସମସ୍ତେ ମୂକ, ନୀରବ, ସ୍ଥାଣୁ । କାହାରି ମୁହଁରେ ପଦଟିଏ କଥା ନାଇଁ, ଆଖିରେ ଖାଲି ଦର ଦର ଲୁହ ।

 

ତରୁର ଟିକିଏ ଲାଜ ନାଇଁ, ସଙ୍କୋଚ ନାଇଁ । ରାନୁକୁ କୋଳକୁ ଟାଣି ଆଣି ତା’ ମୁହଁରେ ଥାପି ଦେଲା ସହସ୍ର ଚୁମା । ରାନୁ ତା’ କୋଳରେ ମୁହଁ ଗୁଞ୍ଜି, ତା’ ଛାତି ଉପରେ ମୁଣ୍ଡ ପିଟି ବାରମ୍ବାର କହୁଥାଏ—ତୁ କାଇଁକି ଚାଲିଗଲୁ ମା’ ? ତୁ କାଇଁକି ଚାଲିଗଲୁ ? ମୁଁ ଆଉ ଅରୁମା’ ପାଖରେ ମୋତେ ରଇବି ନାଇଁ । ତୁ ମତେ ନେଇଯିବୁ, ନେଇଯିବୁ । ....ହଁ ହଁ, ତୋତେ ନେଇଯିବି, ନେଇଯିବି—କାନ୍ଦି କାନ୍ଦି ତା’ ସୁନା ମୁହଁରେ ଆହୁରି ଚୁମା, ଆହୁରି ଚୁମା ଦେବାକୁ ଲାଗିଲା ତରୁ । ତାକୁ ଚାପି ଧରିଲା ଛାତି ଉପରେ ।

 

ଅରୁଣା ଖାଲି ସ୍ତମ୍ଭୀଭୂତ ହେଇ ଠିଆ ହେଇଥାଏ । ଅରୁଣା ଉପରେ ଆଖି ପଡ଼ିଲା ତରୁର । ଉଠିଯାଇ ତା’କୁ ଗୋଟିପଣେ କୁଣ୍ଢେଇ ଧରିଲା ତରୁ—ମରିନଉଁ, ମରିନଉଁ ତୁ ଭାଉଜ ? ତୁ କାହିଁକି ବଞ୍ଚିଥିଲୁ ମ’ ? ଭାଇ କାନ୍ଦିକାଟି ଏତେ ସଶ ହେଲେ, ସୁନାଦେହ କଳାକାଠ ପଡ଼ିଲା । ତୁ କ’ଣ କରୁଥିଲୁ ? ତୁ ଗୋଟିଏ ଟେଲିଗ୍ରାମ କରି ପାରିଲୁ ନାଇଁ ମୋ ପାଖକୁ ? ତରୁ କାନ୍ଦିକାନ୍ଦି ଲୋଟିଗଲା ତା’ କୋଳରେ ।

 

ପୁଣି କ’ଣ ଭାବିଲା । ଗୋଟାଏ ମୁହୂର୍ତ୍ତରେ ତା’କୁ ଛାଡ଼ି ଲଠକିନି ବସି ପଡ଼ିଲା—ଆରେ ଆରେ ତମେ ବସିଛ ? ତମେ ଖାଇବନି ଭାଇ ? ଓ ଚୁଙ୍ଗୁଡ଼ିମାଛ ? ଚୁଙ୍ଗୁଡ଼ିମାଛ ଦେଖିଲେ ତମର ଖାଇବାକୁ ମନ ହୁଏନା, ନା ? ମନେ ପଡ଼େ ତରୁ ? ବେଶ୍, ମୁଁ ତ ଆସିଛି । ତରୁ ତ ଫେରି ଆସିଛି ପାଖକୁ । ଆଉ କାହିଁକି ? ଖାଅ, ଖାଅ, ଆରେ ପାୟସ୍ କରିଛି ଭାଉଜ ? ସମ୍ବଲପୁରୀ ଚାଉଳରେ ପାୟସ୍ ? କି ବାସନା, କି ଖୁସବେଇ । ଆରେ ମତେ କହିନି ତ ଭାଉଜ ? ଖାଅ, ଖାଅ ଭାଇ, ମୋ ରାଣ, ମୋ ମୁଣ୍ଡ ଖାଅ । ଖାଅ । ଆଚ୍ଛା ଭାଇ, ଗୋଟିଏ କଥା କହିବି, ତମେ ସବୁଦିନେ ମତେ ଖୋଇଦିଅନା ? ଦୁଧ ଭାତ ଗୋଳେଇ, ମାଛ ଭାତ ଗୋଳେଇ ପାଟିକି ଦିଅ ପହିଲି ଗୁଣ୍ଡା । ଆଜି, ହାତ ଯୋଡ଼ୁଛି, ଗୋଡ଼ ଧରୁଛି ଭାଇ ମୋତେ ଅନୁମତି ଦିଅ, ଅନୁମତି ଦିଅ, ଆଜି ତମକୁ...ତମକୁ...—ତରୁ ଝୋଳ ଗୋଳେଇ ମାଛ ପହିଲି ଗୁଣ୍ଡାଟି ଉଠେଇଲା ପରାଶରଙ୍କ ପାଟିକି–ନା, ନାହିଁ କରନି, ମନା କରନି, ମୁଁ ପରା ତମର ଭଉଣୀ ? ମୁଁ ପରା ତମର ମା’ ? ତମେ ମୋର କଅଁଳା ଶିଶୁପୁଅ । ତମେ ଅବାଧ୍ୟ ହୁଅ ନାଇଁ । ଅମାନିଆ ହୁଅ ନାଇଁ । ମୁଁ ତମକୁ ଶାସନ କରିବି । ନିଅ, ନିଅ, ନିଅ—

 

ପରାଶର ଆଁ କଲେ । ପହିଲି ଗୁଣ୍ଡାଟି ଖାଇଲେ । ତା’ ପରେ ଆଉ ଗୁଣ୍ଡାଏ । ଆଉ ଗୁଣ୍ଡାଏ । ଆଉ ଗୋଟାଏ ମାଛ । ଆଉ ଟିକିଏ ଆଳୁପୋସ୍ତ । ଆଉ ଟିକିଏ ପାୟସ । ଆଉ ଖଣ୍ଡେ ପାମ୍ପଡ଼ । ଆଖିରୁ ଝର୍ ଝର୍ ଲୁହ ବହି ଯାଉଥାଏ । ଆଖି ବୁଜି କରୁଣ କଣ୍ଠରେ ଗାଇଲେ—

 

କରି କରାଉ ପ୍ରଭୁ ନିମିତ୍ତ ଆନ ସବୁ

ତୁ ଜାଣୁ ତୋହରି ମହିମା

 

ଏତେ ଲୁହ ଭିତରେ ବି ତରୁ ହସି ଉଠିଲା । କହିଲା—ଖାଇ ସାର । ପରେ ଗୀତ ଗାଇବ ।

 

ନା, ତୁ ର’ମା, ମୁଁ ଯଥେଷ୍ଟ ଖାଇଲିଣି । ଆଉ ଖାଇବି ନାଇଁ । ଆଉ ଯୁଗ ଯୁଗ ଧରି ଖାଇବା ମୋର ଦରକାର ପଡ଼ିବ ନାଇଁ, ର’ମା ମୁଁ ଗୋଟିଏ ଭଜନ ଗାଏ—

 

‘ଜଗନ୍ନାଥ ହୋ’, କିଛି ମାଗୁନାହିଁ ମୁଁ ତୋତେ,

ଧନ ମାଗୁନାହିଁ, ଜନ ମାଗୁନାହିଁ, ଶରଧାବାଲିରୁ ମାଗୁଛି ହାତେ,

ଜଗନ୍ନାଥ ହୋ ।’

 

ହଉ ହଉ ଗାଇବ ଯେ, ଭାତଟା ଆଗ ଖାଇସାର । ରାତିସାରା ବସି ଗାଉଥିବ । ଦେ’ ଭାଉଜ କ୍ଷୀର ଦେ’ । ଆରେ ପାଚିଲା କଦଳୀ ଆଣିନଉଁ ? ଦୁଧରେ ଆଉ କ’ଣ ଚକଟି ଭାତ ଖାଇବ ?

 

ନା, ମୁଁ ଆଉ କିଛି ଖାଇବି ନାଇଁ । କିଛି ମୋର ଲୋଡ଼ା ନାହିଁ—

 

‘ଜୀବନ ପାତ୍ର ମୋ ଭରିଛି କେତେମତେ

ନ ଦେଲ ବୋଲି କିଛି କହିବି କିହେ ଆଉ,

ଜୀବନ ପ୍ରିୟତମ ହରିଛ ମୋ ଭରମ

ତରଣୀ ମୋର ତବ ସାଗରେ ବହିଯାଉ ।’

 

ଭକ୍ତ ବିହ୍ୱଳ ହେଇ ପଡ଼ିଥିଲେ ଅରୁଣସ୍ତମ୍ଭ ପାଖରେ । ସମସ୍ତେ ପଥର ପ୍ରତିମା ଭଳି ଚାହିଁରହିଲେ ।

 

–ସତର–

 

ପରଦିନ ସଞ୍ଜ ସାତ । ଝଡ଼ ଥମି ଯାଇଛି । ପୃଥିବୀ ଆଜି ଶାନ୍ତ, ସ୍ଥିର । ସାମାନ୍ୟ ପତ୍ରଟିଏ ବି ହଲୁନାହିଁ । ସମସ୍ତେ ଫେରି ଯାଇଛନ୍ତି କଟକ । ପରାଶରଙ୍କର ସେଇ ଚିର ପରିଚିତ ଏକମହଲା କୋଠାଟି ଉପରେ ଆଜି ବସିଛି ଏକ ପ୍ରୀତିମିଳନ । ଆଜିର ମୁଖ୍ୟ ଅତିଥି ଫାଦର୍ ଉଇଲିୟମ୍ । ତାଙ୍କ ଛଡ଼ା ସତରଞ୍ଜି ଉପରେ ବସିଛନ୍ତି ପରାଶର, ସାହାଣି, କଲ୍ୟାଣ; ଭେଙ୍କଟାୟା, ବଚନ ସିଂ, ରାଜଲକ୍ଷ୍ମୀ, ତରୁ, ଅରୁଣା । ସମସ୍ତଙ୍କ ମୁହଁରେ ନିର୍ମଳ ହସ, ସୁନ୍ଦର ହସ, ଶାନ୍ତି ପ୍ରୀତି ଓ ମୈତ୍ରୀର ଅମୃତ ଝରିପଡ଼ୁଛି ସତେକି ।

 

ଉଇଲିୟମଙ୍କ ବେକରେ ଗୋଟିଏ ଛୋଟ ଫୁଲହାର ନେଇ ଲମ୍ବେଇ ଦେଲା ରାନୁ । କହିଲା—ପଠାନ ଅଜା, .....ଉଇଲିୟମ୍ ହସି ହସି ତା’କୁ କୋଳକୁ ନେଲେ । ତା’ ମୁହଁରେ ଧୋବଫରଫର ଦାଢ଼ି ଘଷି ଘଷି କହିଲେ—ହଁ ହଁ ମୁଁ ପଠାଣ । ପଠାଣ ବେକରେ ତୁ ବରଣମାଳା ଦେଲୁ । ଏଣିକି ହେଲୁ ତୁ ପଠଉଣୀ ! ....ରାନୁ ଛାଟିପିଟି ହେଇ ପଳେଇଆସିଲା । ଆସି ମୁହଁ ଲୁଚେଇଲା ତରୁ ଛାତିରେ । ଉଇଲିୟମ୍ ହସି ହସି କହିଲେ—କି’ରେ ତରୁ, ମତେ ଜୋଇଁ କରିବୁ ନାଇଁ ? .....ତରୁ ହସିଲା; କହିଲା—ହଁ କରିବି ଯେ.....

 

‘ତେବେ ଆଉ ଡର କ’ଣ ? ଓ ଏଇ ଚିନ୍ତା—ସେ ଶାଶୁଘରକୁ ଯିବାବେଳକୁ ମୁଁ ଶ୍ୱଶୁରଘରକୁ ଯାଇଥିବି—ଏଇତ ?’ ......ସମସ୍ତେ କିର୍ କିର୍ ହେଇ ହସି ଉଠିଲେ ।

 

ଟିକିଏ ପରେ–ଡକ୍ଟର ସାହାଣି ଗମ୍ଭୀର ହେଇ କହିଲେ—ମୋତେ ତା’ହେଲେ ଛୁଟି ଦିଅନ୍ତୁ ତରୁଦେବୀ ! ଦୁଇମାସ ହେଇଗଲା । ମୋର ଛୁଟି ପୂରି ଆସିଲା । ଏଣିକି ମୋତେ କାମରେ ଯୋଗଦେବାକୁ ହେବ । ଭେଙ୍କଟାୟା କହିଲା—ମୋର ବି ଗ୍ରୀଷ୍ମଛୁଟି ଶେଷ ହେବାକୁ ଯାଉଛି । ମୋତେ ଫେରିଯିବାକୁ ହେବ ତିରୂପତି । ମୁଁ ତରୁଦେବୀଙ୍କ ଅମାୟିକ ସ୍ନେହ ଓ ଆଶୀର୍ବାଦ ଭୁଲିପାରିବି ନାହିଁ । ରାଜଲକ୍ଷ୍ମୀ କହିଲା—ମୋତେ କହିବାକୁ ଡରମାଡ଼ୁଛି, ଅକାୟା ରାଗିବ । କିନ୍ତୁ ମତେ ବି ତ ଯିବାକୁ ପଡ଼ିବ । ମୋ ବାପା, ମା’, ବୁଢ଼ାବାପା, ଛୋଟ ଭାଇ ଭଉଣୀ ମତେ ନଦେଖି ଅଥିର ହେଉଥିବେ । ଅବଶ୍ୟ ଆକାୟା ମାସକୁ ମାସ ତାଙ୍କ ପାଖକୁ ଶହେଟଙ୍କା....

 

ଇସ୍ ଲକ୍ଷ୍ମି ! ଲକ୍ଷ୍ମି ! ରାଜ ! ତୁ ଚାଲି ଯା’ । ତୁ ବର୍ତ୍ତମାନ ଗଲୁ । ତୁ ଆଗ ଗଲୁ ଏଠୁଁ । ତରୁ ଉଠିଯାଇଁ ଧଇଲା ରାଜଲକ୍ଷ୍ମୀର ହାତ । ....ନା ତୁ ଯା’ ତୋ’ ରହିବାପାଇଁ ଏଠି କେହି କାନ୍ଦୁନାହିଁ-। .....ରାଜଲକ୍ଷ୍ମୀ କଥାର ମର୍ମ ବୁଝିଲା । କହିଲା—ନା ମୋର ଭୁଲ୍ ହେଲା ଆକାୟା-। ତୋ’ର ଶତ ବାରଣ ସତ୍ତ୍ୱେ ମୁଁ ଖୋଲି ଦେଲି କଥାଟା । ତରୁ ଦୃଷ୍ଟି ଫେରେଇଲା ଅନ୍ୟଆଡ଼େ । କହିଲା–ଆଚ୍ଛା ଭେଙ୍କଟାୟା ବାବୁ, ମତେ ଆଘାତ ଦେବାକୁ ଆପଣଙ୍କୁ କ’ଣ ଭଲଲାଗେ ? ମୁଁ କରିଛି ଆପଣଙ୍କୁ ଆଶୀର୍ବାଦ ? କେବେ ? କୋଉଦିନ ? କେତେବେଳେ ? ଆପଣ କାହିଁକି ଏପରି କଥା କହନ୍ତି ? ଆଉ କାହାକୁ ଜଳେଇ ମାରିବାକୁ କ’ଣ ପାଆନ୍ତି ନାହିଁ ? ....ଟିକିଏ ଭୀତ ଜଡ଼ିତ କଣ୍ଠରେ ଭେଙ୍କଟାୟା କହିଲା—ଆପଣ ରାଗିବେ ମୁଁ ଜାଣେ । ଆପଣଙ୍କ ମନରେ କଷ୍ଟ ହେବ ତା’ବି ମୁଁ ଜାଣେ । କିନ୍ତୁ ମୁଁ କେମିତି ଏତେ କୃତଘ୍ନ ହେବି କୁହନ୍ତୁ ? ନା ଏନାଗାରୁ (ବାପା) ମରିଗଲା ପରେ ଯେତେବେଳେ ମୁଁ ନିଃସ୍ୱ ନିଃସମ୍ବଳ ହେଇ ବସିଥିଲି, ଘରେ ଦି’ ଓଳି ଦି’ମୁଠା ଖାଇବାର ସଂସ୍ଥା ନଥିଲା, ସେତେବେଳେ ଆପଣ...ଆପଣ....

 

ଇସ୍ ଭେଙ୍କଟାୟା ବାବୁ ! ଆପଣଙ୍କୁ ହାତ ଯୋଡ଼ୁଛି....

 

ଆପଣଙ୍କର ପାଦ ଧରିବାକୁ ଇଚ୍ଛା ହୁଏ ମୋର । ଆପଣଙ୍କର ହୃଦୟ କି ବିଶାଳ, କି ବିରାଟ । ପର ଆପଣା, ତେଲୁଗୁ ଓଡ଼ିଆ କିଛି ବିଚାର ନକରି ଖାଲି କଲ୍ୟାଣଠଉଁ ଶୁଣୁଶୁଣୁ ଶହଶହ ଟଙ୍କା ବଢ଼େଇ ଦେଇଥିଲେ ହାତକୁ । ମୋତେ ଏମ୍. ଏ. ପଢ଼ିବାକୁ ବାଧ୍ୟ କରି ପଠେଇଥିଲେ ତିରୁପତି ।

 

ଆଃ ଭଗବାନ, ଏ କ’ଣ ଶୁଣଉଛ ? ମୋତେ ବଧିର କରିଦିଅ ପ୍ରଭୋ ବଧିର କରିଦିଅ–ତରୁ ଦି’ କାନରେ ହାତ ଦେଇ ବନ୍ଦ କଲା । —ନା ନା ମୋର ବିରାଟ ହେବା ଦରକାର ନାହିଁ, ବିଶାଳ ହେବା ଦରକାର ନାହିଁ । ଆପଣମାନେ ଯାଆନ୍ତୁ, ଯାଆନ୍ତୁ । ଭଗବାନ ! ମୋତେ ନିସ୍ୱଃ ଭିକାରୁଣୀ କରିଦିଅ-। ମୋତେ ପୋଖରୀ ତୁଠର ପଥର କରିଦିଅ, ଘରଓଳା ଝାଟୁଆ କରିଦିଅ । ମୋତେ ଛୋଟ କରିଦିଅ ପ୍ରଭୋ ! ଛୋଟ କରିଦିଅ ।

 

ସମସ୍ତେ ଆଶ୍ଚର୍ଯ୍ୟ ହେଇ ଚାହିଁଲେ । ଉଇଲିୟମଙ୍କ ଆଖିରେ ଢଳଢଳ ହେଲା ଜଳବିନ୍ଦୁ-। ଭେଙ୍କ୍‍ଟାୟା ଆଉ କ’ଣ କହି ଆସୁଥିଲା, ପରାଶର ତୁଣ୍ଡ ଖୋଲିଲେ—ଥାଉ, ସେ ଏ ଯୁଗର ମଣିଷ ନୁହେଁ । ଆପଣ ତା’କୁ ମନଇଚ୍ଛା ଗାଳିଦିଅନ୍ତୁ, ସିଏ ହସି ହସି ସହିଯିବ । କିନ୍ତୁ ଏଇ ପ୍ରଶଂସାରେ ତା ଛାତି ଫାଟିଯାଏ, ରୁନ୍ଧି ହୋଇଯାଏ ନିଶ୍ୱାସ । ସିଏ ସାଧାରଣ ଝିଅ ନୁହେଁ, ସିଏ ଏକ ବନଚାରିଣୀ ତପସ୍ୱିନୀ !

 

ଭାଇ !! —ଚିତ୍କାର କରି ଉଠିଲା ତରୁ—ତମେ ସମସ୍ତେ କ’ଣ ଷଡ଼ଯନ୍ତ୍ର କରିଚ ମୋତେ କନ୍ଦେଇବାକୁ ? କାହିଁକି, ମୁଁ ତମର କ’ଣ କରିଛି ? ମତେ ପ୍ରଶଂସା ନକରିବାକୁ କହି ତମେ ନିଜେ ଯଦି....... ଓଃ ନା ନା, ଆଉ ଏଠି ରହିବାର ନୁହେଁ, ରହିବାର ନୁହେଁ—ତରୁ ଉଠି ରାନୁକୁ କାଖେଇ ଦପ୍ ଦପ୍ ହେଇ ତଳକୁ ଚାଲିଗଲା ।

 

ଅରୁଣା ଆଉ ସମ୍ଭାଳି ହେଇ ପାରିଲା ନାହିଁ । କିର୍‍ କିର୍‍ ହେଇ ହସି ଉଠିଲା । କହିଲା–ମତେ ସମସ୍ତେ କ୍ଷମା କରିବେ, ମୋର ଗୋଟିଏ କଥା ମନେ ପଡ଼ୁଛି । ବିଲାତରେ ପବ୍ଲିକ୍ ସର୍ଭିସ୍ କମିସନରେ ଥରେ ଜଣେ ଚେୟାରମ୍ୟାନ୍ ଥିଲେ । ସେ ଭାରୀ ସଚ୍ଚୋଟ ଓ କଡ଼ାଲୋକ-। ତାଙ୍କୁ କୌଣସି ମତେ ପ୍ରଭାବିତ କରିବାକୁ ଚେଷ୍ଟା କଲେ ବା ଗୋଛାଏ ସାର୍ଟିଫିକେଟ୍ ଆଣି ତାଙ୍କ ଆଗରେ ଥୋଇଲେ ସେ ଭାରୀ ଅସନ୍ତୁଷ୍ଟ ହୁଅନ୍ତି; କାରଣ ସେ ଜାଣନ୍ତି ଚାକିରି ପାଇଁ ଆସିଥିବା ତରୁଣ ତରୁଣୀମାନେ ଯେତେ ସାର୍ଟିଫିକେଟ୍ ବା ଟେଷ୍ଟିମନିଆଲ୍ ଆଣନ୍ତି ସେଥିରୁ ଶହେରୁ ଅନେଶତ ଡାହାମିଛ । ଏମାନେ ଖାଲି ଖୋସାମତ କରି ଧରାଧରି କରି ସେସବୁ ହାସଲ କରିଥାନ୍ତି-। ତେଣୁ ସେ ତାହା ଆଦୌ ବିଶ୍ୱାସ କରନ୍ତି ନାହିଁ, ଥରେ ପବ୍ଲିକ୍ ସର୍ଭିସ୍ କମିଶନ୍ ବସିଥାଏ-। ଚେୟାରମ୍ୟାନ୍ ଆସନରେ ବସିଥାଆନ୍ତି । ଜଣେ ଚାକିରିପ୍ରାର୍ଥୀ ଯୁବକଆସି ସମ୍ମୁଖରେ ଠିଆ ହେଲେ । ତାଙ୍କର ଖଣ୍ଡିଏ ବୋଲି ଟେଷ୍ଟମନିଆଲ୍ ନ ଥାଏ । ସେ ଠୁଙ୍ଗା ଠୁଙ୍ଗା ! ଜଣେ ମେମ୍ବର ପ୍ରଶ୍ନ କଲେ—ତମର ଗୁଣ ଓ ଚରିତ୍ରକୁ ପ୍ରକାଶ କଲାଭଳି ସାର୍ଟିଫିକେଟ୍ କାହିଁ ? ଯୁବକ ପ୍ରଶାନ୍ତ କଣ୍ଠରେ କହିଲେ—ମୁଁ ଜାଣେ ପବ୍ଲିକ୍ ସର୍ଭିସ୍ କମିସନର ବର୍ତ୍ତମାନର ଚେୟାରମ୍ୟାନ୍ ଜଣେ ସାଧୁ ସଚ୍ଚୋଟ, ନିରପେକ୍ଷ, ନ୍ୟାୟପରାୟଣ ଲୋକ, କୌଣସି ସାର୍ଟିଫିକେଟ୍ ଦେଖି ଭୁଲିଯିବା ଲୋକ ସେ ନୁହଁନ୍ତି । ଯଦି ଚାକିରି ପାଇଁ ମୋର ଯୋଗ୍ୟତା ନାହିଁ ବୋଲି ସେ ନିଜେ ବିବେଚନା କରନ୍ତି, ତା’ହେଲେ ତାଙ୍କର ବିଚାରହିଁ ଯଥେଷ୍ଟ—ସମ୍ମାନଯୋଗ୍ୟ । ଅପରର ସାର୍ଟିଫିକେଟ୍ ଦେଖେଇ ମୁଁ ତା ବଦଳେଇବାକୁ ଯିବି ନାହିଁ । ...ଯୁବକ ଆଶ୍ଚର୍ଯ୍ୟ ହେଉଛି ବିଲାତରେ ଏତେବଡ଼ ସଚ୍ଚୋଟ ଚେୟାରମ୍ୟାନ୍ ଯୋଉ କୌଶଳ ବୁଝିପାରିଲେ ନାହିଁ, ଶାଗପଖାଳ—ଖାଇ ସାମାନ୍ୟ ଓଡ଼ିଆଣୀ ଝିଅ ତରୁ ତା’ ବୁଝିଲା କେମିତି ?

 

ପରାଶର ହସରେ, କହିଲେ—ତମେ କ’ଣ ବିଶ୍ୱାସ କରୁଛ ଏଠି ବି ସେମିତି କୌଶଳ ଥିଲା ।

 

ନା କୌଶଳ ମୋଟେ ନଥିଲା, ନିଚ୍ଛକ ସରଳତା । ହେଲେ ଏ ସେଇ ‘ମନିଗୁଡ଼ା’ ର କ୍ୟାନାରୀ ବନ୍ଧୁଙ୍କ ଇଂରେଜୀ କହିବା ଭଳି ହେଇଗଲା ।

 

ପରାଶର ଆହୁରି ଜୋରେ ହସିଲେ ।

 

ମନେ ଅଛି ନା ତମର, ସେଦିନ କେ. ଟି. ଅରୁଣାଚଳମ୍ କଥା ପ୍ରସଙ୍ଗରେ କହୁ କହୁ କହି ପକାଇଲେ—ଯାଃ, ସେ ପଦେ Correct English କହି ପାରୁନାହିଁ, He do not Know English at all !!

 

ଉପସ୍ଥିତ ସମସ୍ତେ ଠୋ ଠୋ ହସିଉଠିଲେ । ତରୁ ଚା’ ଟ୍ରେ ଧରି ଉପରକୁ ଉଠି ଆସୁଥିଲା । ଶେଷ କଥା କେଇପଦ ତା’ କାନରେ ବୋଧେ ପଡ଼ିଛି । ସେ ବି ସିଆଡ଼ୁ ଫେଁ ଫେଁ ହସିଉଠିଲା । ହସ କୋଳାହଳରେ କ୍ଷଣକାଳ ଫାଟିପଡ଼ିଲା ସ୍ଥାନଟି ।

 

ଅରୁଣା କହିଲା—ମତେ କ୍ଷମାକଲେ ଆଉ ଗୋଟିଏ କଥା କହିବି ।

 

ତରୁ କହିଲା—ନା, ଆମେ କ୍ଷମା କରିବୁନାଇଁ; ତୋ’ର ଆଉ ଗୋଟିଏ କଥା କହିବା ଦରକାର ନାହିଁ । ତୁ ଆଗ ଗଲୁ ତେଣେ ପଲଉ କ’ଣ ହେଲା ଦେଖିବୁ । ପୁଝାରୀର ପୁରି ଆମ ସାଙ୍ଗରେ ବସି ଗପ ।

 

ମୁଁ ପୁଝାରୀ ନୁହେଁ ଲୋ ପୂଜାରିଣୀ ।

 

ପୂଜାରିଣୀ ??

 

ପୂଝାରୀର ସ୍ତ୍ରୀଲିଙ୍ଗ—

 

ସତେ ? ପୂଝାରୀର ସ୍ତ୍ରୀଲିଙ୍ଗ ପୂଜାରିଣୀ ?? ମରୁନଉଁ ଲୋ—ହସି ହସି ଗଡ଼ିଗଲା ତରୁ । ସମସ୍ତେ ବି ହସୁଥାଆନ୍ତି । ଅରୁଣା କହିଲା—ନାଇଁ ର’ ର’, କଥାଟା ମନେ ପଡ଼ିଛି ଯେତେବେଳେ ନ କହିଲେ ଛାତି ଫାଟିଯିବ । ଭୁଲଟା ଯେମିତି ବେଳେବେଳେ ନିଜ ଅଜାଣତାରେ କହି ହେଇଯାଏ—ଯେମିତି ଭୁଲ୍ କଲେ ତୋ’ ଭାଇ, ଯେମିତି କଲେ କେ. ଟି. ଅରୁଣାଚଳମ୍—ଜାଣି ଜାଣି ମଧ୍ୟ ଭୁଲଟା ସେମିତି ବେଳେବେଳେ ତୁଣ୍ଡରୁ ବାହାରେ । ଆଉ ଭୁଲ୍ ବୋଲି ପଚାଶ ଥର ଜାଣିଲେ ବି କ’ଣ ଠିକ୍ ହବ, ହଠାତ୍ କହି ହୁଏ ନାହିଁ । ଏଥର ଗାଁରେ ବସି ବସି ପାଲା ଦେଖିଥିଲି । ଗାୟକ ଆଉ ପାଳିଆ ଭୀମ ଆଉ ଦୁଃଶାସନର ଅଭିନୟ କରୁଥିଲେ । ଭୀମ କହୁଛି–କି’ରେ ଦୁଃଶା, ତୁ କ’ଣ ପଳଉଛୁ ? ...ଦୁଃଶା ଉତ୍ତର ଦେଉଛି—ପଳେଇବି ନାଇଁ ଆଉ କ’ଣ ଡରିବି-??

 

ସମସ୍ତେ ହସିଲେ । କହିଲେ—ତା’ମାନେ ?

 

ମାନେ ଆପଣ ବିଚାର କରନ୍ତୁ । ଏ ସାମାନ୍ୟ ଏକ ଫାଲାସିରେ କୋଉଠି ଭୁଲ୍‍ ରହୁଛି । ସେ ଡରି କରି ପଳେଇ ଯାଉଛି ନା ପଳେଇବାକୁ ଡରୁ ନାହିଁ ? ଏଥିରେ ତା’ ବୀରତ୍ୱ ଅଛି ନା ଭୀରୁତା ପ୍ରକାଶ ପାଉଛି ?

 

ସମସ୍ତେ ଗମ୍ଭୀର ହେଇ ଚାହିଁଲେ । ତରୁ କହିଲା—ହଉ ହଉ, ତୋ’ ବାହାଦୁରି ସେତିକି ଥାଉ । ତୁ ଆଗ ଗଲୁ ଏଠୁ । ଆଗ ଯା’ ।

 

ଯାଉଛି ମ’ । ଯିବିନାଇଁ ଆଉ କ’ଣ ଡରିବି ? —ଅରୁଣା ହସି ହସି ତଳକୁ ଓହ୍ଲେଇଗଲା, ସମସ୍ତେ ପୁଣି ଖଳଖଳ ହେଇ ହସି ଉଠିଲେ ।

 

ହସର ଲହର କମିଲା ଅନେକ ବେଳ ପରେ । ପୁଣି ହେଲା ବାୟୁମଣ୍ଡଳ ଶାନ୍ତ, ଗମ୍ଭୀର-। ପରାଶର କରଯୋଡ଼ି ବିନୀତ କଣ୍ଠରେ କହିଲେ—କ୍ଷମା କରିବେ ଫାଦର୍, ପିଲାଳିଆ କଥାରେ ବହୁ ସମୟ ବିତିଗଲା, ଆପଣଙ୍କର ବଚନାମୃତ ପାନ କରିପାରିଲୁ ନାହିଁ । ଏବେ କୁହନ୍ତୁ ଆପଣଙ୍କ ଚରଣସେବା କରିବାରୁ ଆମକୁ ବଞ୍ଚିତ କରିବେ ନାଇଁ ତ ?

 

ଉଇଲିୟମ୍ ସ୍ମିତ ହସ ହସିଲେ । କହିଲେ—ତରୁ ଠାରୁ ତମ ବିଷୟରେ ବହୁତ ଶୁଣିଛି ବାବା । ତମ ଆଦର୍ଶ ତା’କୁ ତନ୍ମୟ କରିବା ଲୋଡ଼ା ନାହିଁ । ତମେ ସେଇ କୁଷ୍ଠରୋଗୀ କେଇଟିଙ୍କର ସେବା କର ବାବା—ତମେ, ତରୁ, ଅରୁଣା ।

 

ପରାଶର କହିଲେ—ଆପଣଙ୍କର ଚରଣ ଛୁଇଁ ଶପଥ କରୁଛୁ, ଜୀବନ ଥିଲାଯାଏ ସେଇ ପବିତ୍ର କାମରେ ମନପ୍ରାଣ ଢାଳି ଦେବୁ । ଆପଣଙ୍କ ଭଳି ଏଡ଼େ ଆକାଶଚୁମ୍ବୀ ମହୀରୁହ ଆମେ ହୋଇପାରିବୁ ନାହିଁ, ହେଲେ ସାମାନ୍ୟ ଘାସହେଇ ଯେତିକି ଟିକିଏ ପାରିବୁ, ସେତିକି କରିବୁ-। ଆଶୀର୍ବାଦ କରନ୍ତୁ ।

 

ଆଶୀର୍ବାଦ—ଅନନ୍ତ ଆଶୀଷର ଧାରା କେବଳ ଝରେ ବିଭୂଙ୍କ ପାଦପଦ୍ମରୁ । ତମର ପ୍ରାଣ ଲାଖି ରହିଛି ତାଙ୍କରି ଚରଣରେ । ମଙ୍ଗଳ ଛଡ଼ା ଅମଙ୍ଗଳ ତମର କେବେ ହବ ନାଇଁ ବାବା ।

 

ଡକ୍ଟର ସାହାଣି ଉଠି ଠିଆହେଲେ । କହିଲେ Where angels fear to tread, fools rush in ଯଦି ଅନୁମତି ଦିଅନ୍ତି, ଆଲୋଚନାରେ ଟିକିଏ ଭାଗ ନିଅନ୍ତି ।

 

ତରୁ କହିଲା—କୁହନ୍ତୁନା, ଏତେ ଫର୍ମାଲିଟି କାହିଁକି ?

 

ମୁଁ ଅବଶ୍ୟ ନିଜେ ଯାଇଁ କୁଷ୍ଠସେବା କରିଛି, କିନ୍ତୁ ତରୁଦେବୀ ଆଉ ପରାଶରଙ୍କର ଜି. ଉଦୟଗିରି ଯାଇଁ କୁଷ୍ଠସେବା କରିବା, ମୋର ମନେହୁଏ, ଇଏ ଯେମିତି ରେଭେନ୍‍ସା କଲେଜର ପ୍ରିନ୍‍ସପାଲ ଚାକିରିରୁ ରିଜାଇନ୍ କରି ଗୋଟିଏ ନିପଟ ଗାଁଗହଳିରେ ଚାଟଶାଳୀଟିଏ ଖୋଲିବା ସଙ୍ଗେ ସମାନ ।

 

ପରାଶର ହସିଲେ । କହିଲେ—ବାବା, ଗୋଟାଏ ମସ୍ତବଡ଼ ପାଳଗଦା ଉପରେ ତରୁ ପରାଶରଙ୍କୁ ବସେଇ ତୁ ତ ଉଞ୍ଚ କଲୁଣିରେ । ଦେଖି ହୁସିଆର । ଆଉ ବେଶୀ ଉଞ୍ଚା କରନା, ମୁଣ୍ଡ ଘାଉଁରେଇ ଦବ, ମୁହଁମାଡ଼ି ଆସି ତଳେ ପଡ଼ିବେ ।

 

ନାଇଁ ମୁଁ ଯା’ କହିଛି ଭୁଲ କହିନାଇଁ । ଫାଦର୍ ଉଇଲିୟମ୍ ବୋଧେ ମୋ କଥାର ସତ୍ୟତା ବୁଝିବେ ।

 

ଉଇଲିୟମ୍ କହିଲେ—ନା ଭୁଲ କହିନା ବାବା, ତରୁ ପରାଶରଙ୍କର ସେହିଭଳି ବଳିଷ୍ଠ ବ୍ୟକ୍ତିତ୍ୱ । କିନ୍ତୁ ରୋଗୀ ସେବାରେ ବ୍ୟକ୍ତିତ୍ୱ ବଢ଼େ ବାବା, କମେ ନାହିଁ ତ ।

 

କିନ୍ତୁ ଯେଉଁ କାମ କମ୍ପାଉଣ୍ଡର ଦ୍ୱାରା ହେବ, ସେଥଇପାଇଁ ବଡ଼ ବଡ଼ ସିଭିଲ୍ ସର୍ଜନ ଲାଗିବେ, ଇଏ କେମିତି କଥା ?

 

ପରାଶର ପୁଣି ହସିଲେ । କହିଲେ—କିଏ କମ୍ପାଉଣ୍ଡର କିଏ ସିଭିଲ୍ ସର୍ଜନ ତୁ ବୁଝିପାରିବୁ ନାଇଁ ସାହାଣି । ଜଣେ ଦର୍ଶକ ଅଧ୍ୟାପକ ଆଉ ଜଣେ ପ୍ରଗତିଶୀଳ ଉଚ୍ଚଶିକ୍ଷିତା ନାରୀ ଯାଇଁ ନିଜ ହାତରେ କୁଷ୍ଠରୋଗୀଙ୍କ ସେବା କରିବେ, ଏଇଆ ତୁ ଅପସନ୍ଦ କରୁଛୁ ତ ? ଆଚ୍ଛା ତୁ ଆଶ୍ଚର୍ଯ୍ୟ ମହାଶୟଙ୍କ ନାଁ ଶୁଣିଛୁ ? ଶୁଣିଛୁ ଦୀନବନ୍ଧୁ ଆଣ୍ଡ୍ରୁଜଙ୍କ ନାଁ ? ଶୁଣିଛୁ ବିନୋବା’ଙ୍କ ନାଁ ? ଶୁଣିଛୁ ମୋହନଦାସ କରମଚାନ୍ଦ୍ ଗାନ୍ଧୀଙ୍କ ନାଁ ? ତାଙ୍କ ନିକଟରେ ତରୁ ପରାଶର କି ତୁଚ୍ଛ, କି ନଗଣ୍ୟ, କି କୀଟ, କି ପତଙ୍ଗ ? ସେମାନେ ଯଦି ସତୁରି ବରଷରେ ଅଶୀବରଷରେ ଥୁରୁଥୁରୁ ହେଇ ବାଡ଼ି ଖଣ୍ଡିକରେ ଭରାଦେଇ ଶହ ଶହ ମାଇଲ ପାଦରେ ଚାଲନ୍ତି—ଚାଲି ଚାଲି ଯାଇ ମିଶନ୍ତି ଲୋକଙ୍କ ସହିତ, କୋଳ କରନ୍ତି ଜନତାକୁ, ତରୁ ପରାଶର ଟିକିଏ ଯାଇଁ ରୋଗୀସେବା କଲେ କ’ଣ ସେଇଠୁ ସୃଷ୍ଟି ପ୍ରଳୟ ହେଇଗଲାରେ ?

 

ତୁ ଖାଲି ଆଦର୍ଶ କହୁଛୁ, ବାସ୍ତବତାକୁ ଆସୁନାହୁଁ । ତୁ ସିଭିଲ୍ ସର୍ଜନ ନ ହେଇପାରୁ, ହେଇପାରୁ ଗୋଟିଏ କମ୍ପାଉଣ୍ଡର ବା ବେହେରା, କିନ୍ତୁ ତୁ କଟକ ଛାଡ଼ି ଯାଇଁ ଜି. ଉଦୟଗିରିରେ ବସିଲେ ସେଥିରେ ଲାଭଟା କ’ଣ ହେବ ଶୁଣେ ?

 

ତୋ’ କଥା ବୁଝୁଛି । ଆମର ଅବଶ୍ୟ ସୁବିଧା ନାଇଁ, ଅବସର ନାଇଁ ସଦାବେଳେ ସେଠି ଯାଇଁ ବସିବାକୁ, କିନ୍ତୁ ବସିଲେ ଲାଭ ଯେ ନାଇଁ ସେ କଥା କହିନାଇଁ । ମହାତ୍ମା ମହାପୁରୁଷମାନେ ଗାଁ ଗାଁରେ ଜନସାଧାରଣଙ୍କ ଭିତରେ ବିଚ୍ଛୁରିତ ହେଇଯାଏ, କୁଷ୍ଠରୋଗୀ ପାଖରେ ବସିଲେ ଗୋଟିଏ ପବିତ୍ରତା, ନିର୍ମଳତା, ଏକ ଉଚ୍ଚ ଆଧ୍ୟାତ୍ମିକ ଭାବ ଆଉ ପରକାଳର ଚିନ୍ତା ସେମିତି ମନକୁ ଥିର କରିଦିଏ । ମନର ସବୁ ମଳିଧୂଳି, ପାପତାପ, କଳୁଷ, ଅହଙ୍କାର ପୋଡ଼ିଯାଏ ଆସ୍ତେ ଆସ୍ତେ । ମନ ହୁଏ ଶୁଦ୍ଧ ସୁବର୍ଣ୍ଣ ଭଳି ରସାଣିତ ଚକ୍ ଚକ୍ ।

 

ତା’ଛଡ଼ା ବାବା—ଫାଦର ଉଇଲିୟମ୍ କହିଲେ—ମନ ଯେତେ ଯେତେ ହୃଦୟଙ୍ଗମ କରେ ସଂସାରର ଅଳୀକତା, ଅସାରତା, ସେତେ ସେତେ ମଜ୍ଜିଯାଏ ବିଭୁ ପଦାରବିନ୍ଦରେ । ଏ ସଂସାର ଛାଡ଼ି, ଏ ମାୟା ଛାଡ଼ି ମନ ଉଡ଼ିଯାଏ ଅନନ୍ତ ବିଶ୍ୱର ପଥରେ । ଜାଣତ ବାବା ଆମେ ପ୍ରବାସରେ ଅଛେଇଁ । ଆମର ଏ ପାନ୍ଥଶାଳା—a sojourn ଆମକୁ ତ ପୁଣି ଏ ଦି’ଦିନର ବନ୍ଧନ ତୁଟେଇ ନିଜ ଘରକୁ ବାହୁଡ଼ି ଯିବାକୁ ପଡ଼ିବ ।

 

ଡକ୍ଟର ସାହାଣି କହିଲେ—ମତେ ମାଫ କରିବେ ଆଜ୍ଞା, ଆପଣଙ୍କର ଏ ଦୁରୁହ ଆଧ୍ୟାତ୍ମିକ ତତ୍ତ୍ୱ ମୁଁ ହଠାତ୍ ବୁଝିପାରେନାହିଁ । ଆମର ଭାଇ ବନ୍ଧୁ, ପଡ଼ିଶା ପ୍ରିୟଜନ, ଆତ୍ମୀୟସ୍ୱଜନ ସମସ୍ତେ ରୋଗରେ ଶୋକରେ ଦୁଃଖରେ ଘାଣ୍ଟି ହେଉଛନ୍ତି । ସମସ୍ତଙ୍କୁ ଛାଡ଼ି ଆମେ ଆପଣା ସୁଖରେ ଆପଣା ସୁଆର୍ଥୀ ହେଇ ଫେରିଯିବା ଭଗବାନଙ୍କ ପାଖକୁ ଇଏ କେମିତି କଥା ? ନଦୀସାଗରରେ ପଡ଼ିଲେ ତ ଆଉ ଜନମାନବର ହିତ କରିପାରି ନାଇଁ, ସେଇଠି ତା’ ମରଣ—ମରଣ !

 

ତରୁ ହସିଉଠିଲା । କହିଲା—ରୁହନ୍ତୁ, ରୁହନ୍ତୁ, ଆପଣ ଏକାବେଳକେ ଜୀବନର ମୂଳ ଲକ୍ଷ୍ୟ ପାଶୋରି ଦେଉଛନ୍ତି । ନଦୀ ସାଗରରେ ଝାସଦେଲେ ତା’ର ମୃତ୍ୟୁ ହୁଏନାଇଁ ତ, ସେ ପାଏ ଅପରିସୀମ ଶାନ୍ତି ଆଉ ତୃପ୍ତି । ବିଶାଳ ଅମ୍ବୁଧର ଉଲ୍ଲୋଳ କଲ୍ଲୋଳରେ କ୍ଷୁଦ୍ର ତଟିନୀ ହୁଏ ତନ୍ମୟ, ବିଭୋର, ଉନ୍ମୋଦ, ଅନ୍ଧ ।

 

ତଥାପି ମୁଁ କହିବି ସେମାନେ ପଳାୟନ—ପନ୍ଥୀ । ଜୀବନକୁ ଭୟକରି, ସଂସାରକୁ ଭୟକରି ସେମାନେ ଆଶ୍ରୟ ନିଅନ୍ତି ବନପର୍ବତର ଅନ୍ତରାଳରେ । ଆପଣ ବିଶାଳ ଅମ୍ବୁଧର କଥା କହୁଛନ୍ତି, ମୁଁ କହିବି ଏଇ କ୍ଷୁଦ୍ର ବସୁନ୍ଧରାର କଥା । ଯେତେବେଳେ ଏହାର ଲକ୍ଷ ଲକ୍ଷ ଲୋକ ଭୋକଉପାସରେ, ଦୁଃଖ—ଯନ୍ତ୍ରଣାରେ, ମାଟିକାଦୁଅରେ, କୋଇଲା ଖଣିର ଅନ୍ଧକାରରେ, ଲୁହା କାରଖାନାର ଲାଭା ଉପରେ, ଅନ୍ଧାରିଆ ଜେଲ୍‍ର ସେଲ୍‍ ଭିତରେ, ନିର୍ମମ ଚାବୁକ୍‍ ତଳେ, ବନ୍ଧୁକର ସଙ୍ଗୀନ୍‍ମୁନ ତଳେ, ଗଡ଼ଜାତି ରାଜାଙ୍କ ମନମୁଖୀ ଅତ୍ୟାଚାର ତଳେ କଲବଲହେଇ, ଛଟପଟ ହେଇ ହେଇ ରକ୍ତବାନ୍ତି କରି କରି ମରନ୍ତି, ସେତେବେଳେ ଜଣେ ମହାତ୍ମା ମହାପୁରୁଷ ହେଇ ସଂସାର ଛାଡ଼ି ହିମାଳୟର ଗିରିକନ୍ଦରରେ ଯାଇ ତପସ୍ୟାମଗ୍ନ ହେବା ଆଉ ମଗ୍ନ ହେବା କେବଳ ନିଜର ମୁକ୍ତପାଇଁ, ନିଜର ସ୍ୱାର୍ଥପାଇଁ, ନିଜର କୈବଲ୍ୟ ଆଶାରେ, ଏହା କେତେ ଦୂର ସମିଚୀନ, ଯୁକ୍ତିଯୁକ୍ତ, ଯଥାର୍ଥ, ଆପଣମାନେ କୁହନ୍ତୁ, ମୁଁ ତ ତୁଚ୍ଛ ।

 

ଫାଦର ଉଇଲିୟମ୍ ଉଠିଆସି କୁଣ୍ଢେଇ ପକେଇଲେ ସାହାଣିକୁ—ହଁ ବାବା, ତମେ ଠିକ୍ କହିଚ, ମୁଁ ଭୁଲ୍ କହିଥିଲି । ଭଗବାନ ପର୍ବତରେ ନାହାଁନ୍ତି, ଅଛନ୍ତି ଏଇ ରୋଗୀ ଶୋଷୀ ଭୋକୀ, ନିରନ୍ନ, ଦଳିତ କଙ୍କାଳ ମଣିଷ ଜାତି ଭିତରେ । Abu Ben Adhemଙ୍କ କଥା ପଢ଼ିଛ ବାବା । ମୁଁ ବୁଢ଼ା ହେଲିଣି । ସବୁ ଭୁଲି ଯାଉଛି ।

 

ପରାଶର ଆଶ୍ଚର୍ଯ୍ୟ ହେଇ ଚାହିଁଲେ । ଗଦ୍ ଗଦ୍ କଣ୍ଠରେ କହିଲେ—ତୋତେ ତ ଚିହ୍ନିପାରିଲି ନାଇଁରେ ସାହାଣି, ମଣିଷ ପାଇଁ ତୋର ଏତେ ଶ୍ରଦ୍ଧା, ଏତେ ପ୍ରେମ, ଏତେ ଅଶ୍ରୁ, ଅଥଚ ଗୋଟିଏ ରୋଗୀର ସେବା କରି ବାହାରିଲେ ତୋ’ର ହଜାର ପ୍ରକାର ଆପତ୍ତି; ଗୋଟିଏ ଅସହାୟ ବାଳକର ପିଠି ଆଉଁସିଦେଲେ ମୁହଁରେ ଟିକିଏ ହସ ଫୁଟେଇଲେ ତୋର ହେଉଛି ଗାତ୍ରଦାହ । ତୁ କହୁଛୁ ସେ ଓଡ଼ିଆ, ସେ ବଙ୍ଗାଳି, ସେ ତେଲେଙ୍ଗା ସେ ମୁସଲମାନ !

 

ସାହାଣି କହିଲେ—ପୁଣି ଥରେ କରଯୋଡ଼ି କହୁଛି, ମୋତେ ଭୁଲ୍ ବୁଝିବୁ ନାହିଁ । ମୋର କାହାରି ପ୍ରତି ବିଦ୍ୱେଷ ନାହିଁ କି ଅହେତୁକ ପ୍ରୀତି ନାହିଁ । ବ୍ୟକ୍ତିଗତ ଭାବରେ ମୋର ଅସଂଖ୍ୟ ତେଲୁଗୁ ବନ୍ଧୁ ଅଛନ୍ତି । ଏଇ ଭେଙ୍କଟାୟା, କଲ୍ୟାଣ, ବଚନସିଂଙ୍କ ସହିତ ମୁଁ ପ୍ରାଣ ଖୋଲି ମିଶିଛି । ସେମାନେ ମୋର ପରମ ଘନିଷ୍ଠ ବନ୍ଧୁ । ନିଜ ଆତ୍ମୀୟଠାରୁ ବି ଆହୁରି ପ୍ରିୟ ।

 

ଏବେ ତାହେଲେ ତୁ ବୁଝୁଛୁ ତୋର ସେଦିନର କଥା କେତେ ଅସାର ଆଉ ଯୁକ୍ତିହୀନ ।

 

ହଁ ନ ବୁଝୁଛି ଏମିତି ନୁହେଁ । ବ୍ୟକ୍ତଗତ ଭାବରେ କାହାରି ପ୍ରତି କାହାରି ତିକ୍ତତା ରହିବା ଉଚିତ ନୁହେଁ । ତଥାପି ମୁଁ ଭାବେ ଯିଏ ଦୁର୍ବଳ, ଯିଏ ନିଃସହାୟ, ନିଃସମ୍ବଳ, ସିଏ ସମସ୍ତଙ୍କର ସହାନୁଭୂତି ପାଇବା ଉଚିତ ଏବଂ ସେହି ହିସାବରେ ଓଡ଼ିଆ ଜାତିର ଦାବୀ ସର୍ବଦୌ ବିଚାରଯୋଗ୍ୟ ଏବଂ ଜଣେ ଓଡ଼ିଆ ଯଦି ଓଡ଼ିଆଠାରୁ ପ୍ରଥମେ ସ୍ନେହ ଓ ସହାନୁଭୂତି ଆଶା କଲା, ତା’କୁ ସଂପୂର୍ଣ୍ଣ କହି ହସି ଉଡ଼େଇଦେବା ଉଚିତ ନୁହେଁ ।

 

ବୃଦ୍ଧ ବଚସି ଏତେବେଳେ ତୁଣ୍ଡ ଖୋଲିଲେ—ଡାକ୍ତରବାବୁ ଏକଦମ୍ ସଚ୍ଚା ବାତ୍ ବୋଲତେହେଁ । ଆପ୍ ଲୋଗ୍ ସିର୍ଫ ଆଦର୍ଶକା ପିଛେ ପିଛେ ଘୁମ୍ ଘୁମ୍ କର୍ ଦୁନିଆଭର୍ ଲୋଗକୋ ଗୋଦ୍ କର୍ ଦେତେହେଁ । ଲେକିନ୍ ଆପ୍‍କା ଘର୍ ମେ ଆପ୍‍କା ନିଜ୍ ଭା’ଇ ଅଉର୍ ବହେନକୋ ଯେ ଖାନା ନୈ ମିଲତା, ବଚ୍ଚାଲୋକ୍ ମୂରୁଶ୍ ହୋକର୍ ରାସ୍ତାପର୍ ଘୁମତେ ହେଁ, ୟେ ଆପକୋ ନୈ ପଡ଼ତେ । ଆପ୍ କା ଆଦର୍ଶ ବଡ଼ାହୈ, ଭାଇ ବଡ଼ାନୈ ।

 

ସାହାଣି କହିଲେ—ପୁନରାବୃତ୍ତି ଦୋଷରେ ମୁଁ ଦୋଷୀ ହେବି, ତଥାପି କହିବି, ସାରା ଅଙ୍ଗର ସ୍ୱାସ୍ଥ୍ୟ ଯେପରି ସୁନ୍ଦର ଓ ନିରାମୟ ହୁଏ, ତା’ ଦେଖିବା ମୋର ଅବଶ୍ୟ କର୍ତ୍ତବ୍ୟ ଓ ନିଶ୍ଚୟ କର୍ତ୍ତବ୍ୟ, କିନ୍ତୁ ମୋ ବାମ ପାଦର ଜଙ୍ଘରେ ଯଦି ଗୋଟିଏ ବଥ ଉଠେ ଏବଂ ତା’ ସାଙ୍ଘାତିକ ହେଇ ଆସ୍ତେ ଆସ୍ତେ ପାଚିଯାଏ, ତା’ ପ୍ରତି ବିଶେଷ ଦୃଷ୍ଟି ଦେବା, ପ୍ରଥମ ଦୃଷ୍ଟି ଦେବା କ’ଣ ମୋର ଉଚିତ ନୁହେଁ ? ଏବଂ ମୁଁ ଯଦି ସରଳ ଓ ନିଷ୍କପଟ ପ୍ରାଣରେ ପ୍ରଥମେ ସେହି ପାଦଟିର ଯତ୍ନ ନିଏ ଓ ବଥଟିକୁ ଶୁଖାଇବାକୁ ଚେଷ୍ଟାକରେ, ତା’ହେଲେ ଆପଣମାନେ କେମିତି କହିବେ ମୁଁ ସଂକୀର୍ଣ୍ଣ, ସ୍ୱାର୍ଥପର, Provincial, Communal, Parochial ??

 

ପରାଶର ସ୍ତବ୍‍ଧ ହେଇ ଘଡ଼ିଏ ରହିଗଲେ । କହିଲେ—ନା, ତୁ ଠିକ୍ କହୁଛୁ । ତୋ’ କଥା ଅକ୍ଷରେ ଅକ୍ଷରେ ସତ୍ୟ । ଗୋଟିଏ ପ୍ରତ୍ୟଙ୍ଗକୁ ଅଚଳ କରି, ସେଫ୍‍ଟିକ୍ କରି ସାରା ଅଙ୍ଗର ଉନ୍ନତି କରିବାକୁ ଯିବା ବାସ୍ତବିକ ହାସ୍ୟାସ୍ପଦ ।

 

ସାହାଣି ଉତ୍ସାହିତ ହେଇ କହିଲେ—ସେଇଥିପାଇଁ କବିଚନ୍ଦ୍ର ଗାଇଥିଲେ—

 

‘‘ଥୋକେ କହୁଛନ୍ତି ଭାରତୀୟ କହ ଓଡ଼ିଆ ତ ସଂକୀର୍ଣ୍ଣତା,

ମୂରୁଖ ମୁଁ ତାଙ୍କୁ ପଚାରୁଛି କହ ମଥା ନଥାଇଁ କି ମଥାବ୍ୟଥା

ମୋ ସଜମଉଜମଲ୍ଲୀ ।’’

 

ପରାଶର କହିଲେ—ନା, ତୋ’ କଥାରେ ଦ୍ୱିରୁକ୍ତି କରିବାର କିଛି ନାହିଁ । କିନ୍ତୁ ତୁ ଲକ୍ଷ୍ୟ କରିଛୁ କି ନାହିଁ ତରୁ ଆଉ ମୁଁ ଅବଶ୍ୟ ଭାରତର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କ ସାଙ୍ଗରେ ମିଶିବାକୁ ଚେଷ୍ଟା କରିଛୁ, କିନ୍ତୁ ତା’ ବୋଲି ନିଜ ମା’ ପେଟର ଭାଇଙ୍କି କେବେ ହତାଦର କରିଛୁ ବୋଲି ତ ମନେହୁଏ ନାହିଁ । କାରଣ ଯେତେ ବଙ୍ଗଳା, ହିନ୍ଦି, ଆସାମୀୟା କହିଲେ ବି ଓଡ଼ିଆ ଆମର ମାଆର ଭାଷା, ଉତ୍କଳଜନନୀ ଆମର ମା’ । ତାଆରି କୋଳରେ ଆମେ ଜନ୍ମ ହେଇଛେ, ତାଆରି କୋଳରେ ମାଟି ନେବା ।

Unknown

 

ପରାଶର !! —ଆଶ୍ଚର୍ଯ୍ୟ ହେଇ ସାହାଣି ଚାହିଁଲେ ।

 

ହଁ, ମତେ ବିଶ୍ୱାସ କର । ଯୋଉ ଜନନୀର ବନ୍ଦନା ଗାଇ କାନ୍ତକବି ହେଇ ଉଠିଲେ ବିହ୍ୱଳ—

 

‘‘ବନ୍ଦେ ଉତ୍କଳ ଜନନୀ !

ଗୁରୁ ହାସ୍ୟମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ !

ପୂତ ପୟୋଧି ବିଧୌତ ଶରୀରା

ତାଳ ତମାଳ ସୁଶୋଭିତ ତୀରା

ଶୁଭ୍ର ତଟିନୀ କୂଳ ଶୀକର ସମୀରା

ଜନନୀ ଜନନୀ ଜନନୀ !’’

 

ସେହି ଜନନୀକି ଆମେ କେବେ ପାଶୋରି ଦେଇ ପାରିବା ? ପାରିବାରେ ସାହାଣି ? ଆମେ ହେଇପାରିବା ଏଡ଼େ କୃତଘ୍ନ ? ଏଡ଼େ ପାଷଣ୍ଡ ?

 

ପରାଶର ! ଏ ତୁ କ’ଣ କହୁଛୁ ପରାଶର ?

 

ଯାହା କହୁଛି ଅନ୍ତରର କଥା । ତୋ ପରି ମୁଁ ଦି ପ୍ରାଣ ଦେଇ ଭଲପାଏ ଉତ୍କଳକୁ, ଉତ୍କଳୀୟଙ୍କୁ । ତଫାତ ଏତିକି, ତୁ ଚାହୁଁ ସେଇଠି ଅଟକିଯିବାକୁ, ମୁଁ ଚାହେଁ ଗୋଟିଏ ପାହାଚ ଉପରକୁ ଉଠିବାକୁ । ଅବଶ୍ୟ ସେଥିରେ ମୁଁ କେତେଦୂର କୃତକାର୍ଯ୍ୟ ହେଇଛି କହି ପାରିବିନାହିଁ ।

 

କ’ଣ ସେ ପାହାଚ ?

 

ମୁଁ ଚାହେଁ ମା’କୁ ତ ଭଲ ପାଇବି, ସାବତ ମା’କୁ ଘୃଣା କରିବି ନାହିଁ । ତା’କଲେ ମୋ ଭଲପାଇବା କଳୁଷିତ ହେଇଯିବ ଏବଂ ମୋ ମା’ ମୋତେ ଭଲକରି ଛେଚିପିଟି ଗଢ଼ି ନାଇଁ ବୋଲି ଲୋକେ ମୋ ମା’ର ନିନ୍ଦା କରିବେ । ଦୁଇଟି ଛୋଟିଆ କଥା କହିବି । ତରୁ କୁଷ୍ଠାଶ୍ରମ ଖୋଲିଛି ଜି. ଉଦୟଗିରିରେ । ଓଡ଼ିଆଙ୍କୁ ଭଲ ପାଇବୁ ବୋଲି ତୁ କ’ଣ ଭାବୁଛୁ ସେଥିରେ କେବଳ ଓଡ଼ିଆ ରୋଗୀ ରଖିବୁ ? ତେଲୁଗୁ ରୋଗୀ ରଖିବୁ ନାହିଁ । ତାମିଲ୍ ରୋଗୀଙ୍କି ସ୍ଥାନ ଦେବୁ ନାହିଁ ?

 

ନା, ରୋଗ ପାଖରେ ସମସ୍ତେ ସମାନ ?

 

ନା, ମୁଁ କହେ, ନ୍ୟାୟ ପାଖରେ ସମସ୍ତେ ସମାନ । ଖାଲି ଜଣେ ଓଡ଼ିଆ ହେଲା ବୋଲି ଯେ ଭଲ ଲୋକ ହେବ, ଆଉ ବଙ୍ଗାଳିଟିଏ, ସିନ୍ଧଟିଏ, ଗୁଜୁରାଟୀଟିଏ ଭଲଲୋକ ହେବନାହିଁ, ୟା’ର କିଛି ମାନେ ନାହିଁ । ସବୁ ଭେଦ ଆଉ ସଂକୀର୍ଣ୍ଣତାରୁ ଉପରକୁ ଉଠି ମଣିଷ କେଡ଼େ ମହାନୁଭବ ହେଇପାରେ, ଗୋଟିଏ ଉଦାହରଣ ଦେଖ୍ ।

 

୧୯୦୯ କି ୧୦ । ରେଭେନ୍‍ସା କଲେଜରେ ସବୁ ପ୍ରଫେସର ବଙ୍ଗାଳି । ପିଲାବି ପ୍ରାୟ ବଙ୍ଗାଳି । ଅଳ୍ପ କେଇଜଣ ଓଡ଼ିଆ । ସେତେବେଳେ କଟକର ପ୍ରସିଦ୍ଧି ଥିଲା ହଇଜା ପାଇଁ । ପ୍ରତିବର୍ଷ ପ୍ରତି ଗଳିକନ୍ଦିରେ ସାହିସାହିରେ ହଇଜାଲାଗି ଶହ ଶହ ଲୋକ ପଦା ହେଇ ଯାଉଥିଲେ । ଥରେ କେଶରପୁର ଅଞ୍ଚଳରେ ଭୀଷଣ ହଇଜା ଲାଗିଲା । ପୋକମାଛି ଭଳି ଲୋକ ମଲେ । ଜଣେ ପ୍ରଫେସର ଥିଲେ ହେମଚନ୍ଦ୍ର ସରକାର । ତୋ’ ଭାଷାରେ ସେଇ ବଙ୍ଗାଳୀ ପ୍ରଫେସର—ଅଣଓଡ଼ିଆ, ବିଦେଶୀ, ରକ୍ତଶୋଷା ପ୍ରଫେସର ଦଳେ ଛାତ୍ରଙ୍କୁ ଧରି ବାହାରିଲେ ରୋଗୀ ସେବା କରି । ଗୋଟିଏ ଗରିବ ପଠାଣ ଘରେ ପଶି ହଇଜା ରୋଗୀର ଆଞ୍ଜୁଳା ଆଞ୍ଜୁଳା ମଇଳା ନିଜ ହାତରେ ସଫା କରୁଛନ୍ତି, ଏତିକିବେଳେ ଘରୁ ଖବର ଆସିଲା, ତାଙ୍କ ଝିଅକୁ ହଇଜା, ତିନିଟା ଝାଡ଼ା ହୋଇଗଲାଣି । ବେହୋସ୍ । ଅବସ୍ଥା ସାଂଘାତିକ । ତାଙ୍କର ପୁଅ ନଥିଲା । ବୁଢ଼ାଦିନରେ ସେଇ ଗୋଟିଏ ବୋଲି ଝିଅ—ଗୋଟିଏ ମାତ୍ର । ବୁଢ଼ା ଗୁମ୍‍ମାରି ଗୋଟିଏ ମିନିଟ୍ ଭାବିଲେ । ତା’ପରେ ସାମାନ୍ୟ ହସି କହିଲେ—ଆଚ୍ଛା’, ତୋମରା ସେଖାନେ ଦେଖୋଗିଏ, ଆମି ଏଇଖାନେ ଦେଖ୍‍ଚି’’ । ଲୋକ ଫେରିଗଲେ । ଅଧଘଣ୍ଟାକ ପରେ ଖବର ଆସିଲା—ଝିଅ ମରିଛି !!

 

ଆ’ ପରାଶର !!

 

ସେ ଉତ୍କଳମଣି ନୁହଁନ୍ତି, ସେ ଓଡ଼ିଆ ନୁହଁନ୍ତି, ତାଙ୍କ କଥା ଖବରକାଗଜ କହିନାହିଁ, ଆମ ସାହିତ୍ୟ ରଖିନାହିଁ, କାରଣ ସେ ବଙ୍ଗାଳି । ସେ ବିଦେଶୀୟ । ତେଣୁ ଘୃଣ୍ୟ ! ଘୃଣ୍ୟ !

 

ଆଃ ଥାଉ ପରାଶର, ସେଇଠି ବନ୍ଦ କର ।

 

ଆମର ଦୁର୍ଭାଗ୍ୟ ଯେ ଆମେ କେବଳ ନୀଚସ୍ତରର ବଙ୍ଗାଳିଙ୍କ ସାଙ୍ଗରେ ମିଶିଛେ, ତେଲୁଗୁଙ୍କ ସାଙ୍ଗରେ ମିଶିଛେ । ଅଧ୍ୟାପକ ବିପିନବିହାରୀ ରାୟଙ୍କ ନାଁ ତୁ ଶୁଣିନାହୁଁ, ସାରା ଜୀବନର ସଞ୍ଚିତ ଅର୍ଥ ସେ ଶହ ଶହ ଗରିବ ଓଡ଼ିଆ ଛାତ୍ରଙ୍କ ହାତରେ ଦେଇ ନିଜେ କାଙ୍ଗାଳ ହେଇଗଲେ—ଓଡ଼ିଶାରେ ଗଢ଼ିଗଲେ କେତୋଟି ଅତ୍ୟୁଜ୍ଜ୍ୱଳ ରତ୍ନ । ଆଉ ରାମଶଙ୍କର ରାୟ, ଗୌରୀଶଙ୍କର ରାୟ, ରାଧାନାଥ ରାୟ, ମଧୁସୂଦନ ରାଓ, ଜୀବରାମ କଲ୍ୟାଣଜୀ, ଈଶ୍ୱରଲାଲ ବ୍ୟାସ, ଠକ୍କରବାପା, ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି ଏମାନେ କେହି ଓଡ଼ିଆ ନୁହଁନ୍ତି, କିନ୍ତୁ ଓଡ଼ିଶା ପାଇଁ, ଓଡ଼ିଆଙ୍କ ପାଇଁ ତାଙ୍କର କି ଗଭୀର ଶ୍ରଦ୍ଧା, ପ୍ରୀତି, ସାଧନା, ନିଷ୍ଠା, ତତ୍ପରତା ! ତା’ଛଡ଼ା ଗୋଟାଏ ବଡ଼କଥା ତୁ ଭୁଲି ଯାଉଛୁ, ଥରେ ଓଡ଼ିଶାର ସୀମା ଟପି ଭାରତର ବିଶାଳ ବକ୍ଷରେ ନିଜକୁ ହଜାଇଦେଲେ ଆମେ କେତେ ଯୋଗୀ, ଋଷି, ସିଦ୍ଧସାଧୁଙ୍କ ଚରଣତଳେ ବସିବାର ସୁଯୋଗ ପାଉଁ, ସେମାନେ ଆମର ହେଇଯାନ୍ତି, ଆମେ ତାଙ୍କର ଭାଇବନ୍ଦୁ କୁଟୁମ୍ୱ ହେଇଯାଉ ଜାଣୁ ? ଅଶୋକ, ବୁଦ୍ଧ, ନାନକ, ଶଙ୍କରାଚାର୍ଯ୍ୟ, ରାମକୃଷ୍ଣ, ତୁଳସୀଦାସ, ଗାନ୍ଧୀ, ଜହରଲାଲ, ରବୀନ୍ଦ୍ରନାଥ, ରାଧାକୃଷ୍ଣନ୍, ସି. ଭି. ରମଣ, ଶ୍ରୀ ଅରବିନ୍ଦ କେତେ—କେତେ । ଓଡ଼ିଶାର ବାହାରକୁ ଯାଇଁ ଭାରତ ଆମର ଜନନୀ ବୋଲି କହିଲେ ସିନା ଏମାନଙ୍କୁ ପାଇବା, ଓଡ଼ିଶା ଭିତରେ ଖାଲି ଆଖିବୁଜି ରହିଲେ ଏମାନେ କାହାନ୍ତି ? ଆଉ ଏମାନଙ୍କୁ ଛାଡ଼ି ଆମେ କେଡ଼େ ସଂକୀର୍ଣ୍ଣ, ସଙ୍କୁଚିତ, ସୀମିତ !

 

ଏତେବେଳେ ତରୁ ତୁଣ୍ଡ ଖୋଲିଲା—ଖାଲି ମଣିଷ ନୁହେଁ ଭାଇ, ଗଛଲତା ପାଣିପବନ କାଠପତର ବି ଆମର ଲୋଡ଼ା । ଗଙ୍ଗା, ଗୋଦାବରୀ, ଯମୁନା, ନଗାଧିରାଜ ହିମାଳୟ, କନ୍ୟାକୁମାରୀ, କାସ୍ପିୟାନ୍‍ ହ୍ରଦ, ହରପ୍‍ପା, ମହେଞ୍ଜୋଦାରୁ, ଅଜନ୍ତା ଗୁହା, ରାଜସ୍ଥାନର କ୍ଷୁଦ୍ର ସ୍ରୋତସ୍ୱତୀ ସିପ୍ରା, ଦକ୍ଷିଣର ରାମଗିରି ପର୍ବତ, ବିକ୍ରମାଦିତ୍ୟଙ୍କ ବକ୍ରିଶ ସିଂହାସନ, କୁରୁକ୍ଷେତ୍ର ଯୁଦ୍ଧଭୂଇଁ, ପଞ୍ଜାବର ଜାଲିଆନାଓ୍ୟାଲାବାଗ୍, କ୍ଷୁଦ୍ର ପୋରବନ୍ଦର, ରାଜଘାଟ, ନେପାଳର କପିଳାବସ୍ତୁ ନଗରୀ, ବିହାରର ଚମ୍ପାରଣ—କୋଉଟା, କୋଉଟା ଆମର ଦରକାର ନୁହେଁ ? କୋଉଟା ନୁହେଁ ଆମର ତୀର୍ଥଭୂଇଁ ? କୋଉଟାର ପ୍ରତି ରେଣୁଏ ରେଣୁଏ, ପ୍ରତି ବିନ୍ଦୁଏ ବିନ୍ଦୁଏ, ଭରି ରହିନାହିଁ ଆମ କଳା କୃତି, ସଂସ୍କୃତି, ସଭ୍ୟତା, ପରମ୍ପରା ??

 

ସାହାଣି କଣ ଉତ୍ତର ଦେବେ କିଛି ଭାବିପାରିଲେ ନାହିଁ । ନିର୍ବୋଧଙ୍କ ଭଳି ଖାଲି ଚାହିଁଲେ । ପରାଶର କହିଲେ—ଇଏ ବି ଗୋଟିଏ ପାହାଚ । ତରୁ ଆଉ ମୁଁ ବହୁତ ଗଳଦ୍‍ଘର୍ମ ହେଇ, ରକ୍ତାକ୍ତ ହେଇ ଚେଷ୍ଟା କରିଛୁ ଏ ପାହାଚ ଉପରକୁ ଉଠିବାକୁ । ବୋଧେ ପାରିନାହୁଁ । ଆଣ୍ଠୁଗଣ୍ଠି ଛିଡ଼ିଛି । ଆଉ ୟା ଉପରେ ଯୋଉ ପାହାଚ, ସେଠିକି ଉଠିବାର ସ୍ୱପ୍ନ ବି ଆମେ ଏଯାଏ ଦେଖିନାଉଁ । ହେଇ ଆଗରେ ବସିଛନ୍ତି ଫାଦର୍‍ଉଇଲିୟମ୍ । ଚାଷି ଟଲ୍‍ଷ୍ଟୟଙ୍କ ଭଳି ଚେହେରା, ଗୁରୁ ନାନକଙ୍କ ଭଳି ଚାହେରା । ସେମିତି ପାଚିଲା ଝୋଟଦାଢ଼ି । ସେମିତି ପ୍ରଶାନ୍ତ ମୁଖମଣ୍ଡଳ । ହସର ଅମୃତ ଝରୁଛି । ଦିବ୍ୟକାନ୍ତି ଝଟକୁଛି ଅଙ୍ଗରୁ । ସେଇ କେବଳ ଉଠିଛନ୍ତି ସେ ଉଚ୍ଚତମ ସୋପାନକୁ, ଯୋଉଠି ବସିଲେ ଆଉ ଓଡ଼ିଆ ଅଣଓଡ଼ିଆ, ଭାରତୀୟ ଅଣଭାରତୀୟ, ଇଂରେଜୀ ଅଣଇଂରେଜୀ କୌଣସି ପ୍ରଭେଦ ରହେନାହିଁ । ଜାତି ଧର୍ମ ବର୍ଣ୍ଣ ଗୋଷ୍ଠୀ ସୀମା—ସରହଦ ନିର୍ବିଶେଷରେ ବ୍ରାଜିଲ ଲୋକ, କଙ୍ଗୋ ଅଧିବାସୀ, ଆଫ୍ରିକାର ନିଗ୍ରୋ, ନିଉୟର୍କର ହାଇଲି କଲଚର୍ଡ ଫିଲୋସଫର୍, ଆରବର ଅଶିକ୍ଷିତ କୁସଂସ୍କାରାଚ୍ଛନ୍ନ ଦାଢ଼ିଆ ପଠାଣଟିଏ, ସାଇବିରିଆର ଏସ୍‍କିମୋ ବା ସୁନ୍ଦରଗଡ଼ର ଘନଜଙ୍ଗଲର ଭୂୟାଁ, କୋହ୍ଲ, ମୁଣ୍ଡା—ସମସ୍ତେ, ସମସ୍ତେ ସମାନ ହେଇଯାଆନ୍ତି, ସମସ୍ତେ କେବଳ ଗୋଟିଏ—ଗୋଟିଏ ମଣିଷ ଜାତି । ସମସ୍ତେ ଏକ—ଅଭିନ୍ନ—ଅବିଚ୍ଛିନ୍ନ । କେହି ବଡ଼ ନୁହେଁ କେହି ସାନ ନୁହେଁ, କେହି ପଣ୍ଡିତ ନୁହେଁ କେହି ମୂର୍ଖ ନୁହେଁ, କେହି ସଭ୍ୟ ନୁହେଁ କେହି ଅସଭ୍ୟ ନୁହେଁ । ସମସ୍ତେ ଏକ ଭଗବାନଙ୍କର ସନ୍ତାନ । ସମସ୍ତେ ଏକ ମା’ର ପୁଅ । ସମସ୍ତେ ଗୋଟିଏ ମା’ର ଥନରୁ କ୍ଷୀର ଖାଇଛନ୍ତି, ଗୋଟିଏ ବାପ ମୁହଁରୁ ଚୁମା ଖାଇଛନ୍ତି । ସେ ମା’ ମାଟିର ମା’—ଧରିତ୍ରୀ । ସେ ବାପ ବିଶାଳ ବିପୁଳ ନୀଳ ଆକାଶ—ଅନ୍ତରୀକ୍ଷ ! ...

 

...ତୁ ଯୋଉ ମଣିଷର ଦୁଃଖ ଯନ୍ତ୍ରଣା କଥା କହୁଥିଲ, ଯାହାଙ୍କ ପାଇଁ ତୋ’ ହୃଦୟରେ ଏତେ ଦରଦ ଆଉ କୋମଳତା, ସିଏ ଖାଲି ଓଡ଼ିଶାର ଓଡ଼ିଆ ଲୋକ ନୁହେଁରେ ସିଏ ଏଇ ମଣିଷ–ସମଗ୍ର ମାନବଜାତି, ଯାହାଙ୍କର ସେବା କରିବା ପାଇଁ, ଲୁହ ପୋଛିବା ପାଇଁ ହଜାର ହଜାର ମାଇଲ ଦୂର ଆମେରିକାରୁ ଆସି କୋରାପୁଟର ଅଝାଡ଼ ଜଙ୍ଗଲରେ ପଦେ ପଦେ ପିଷ୍ଟ ହେଉଛନ୍ତି ଫାହର୍‍ ଉଇଲିୟମ୍ । ଭୋକ ଉପାସରେ ପେଟ ଜଳୁଛି, ଦୁଃଖ କଷ୍ଟରେ ପିଠି ଫାଟୁଛି, ତଥାପି ହସ ହସ ମୁହଁରେ କୋଳ କରୁଛନ୍ତି ପରଜାଙ୍କୁ, ଗଦବାଙ୍କୁ, ମୁଣ୍ଡାଙ୍କୁ, ଜଆଙ୍ଗକୁ । ତାଙ୍କରି ମେଳରେ ବସି ମହୁଲ, ଟାଙ୍କୁ, ବଇଙ୍ଗାଆଳୁ, ସରଗୀଫଳ ଖାଉଛନ୍ତି ଆଉ ଧୀରେ ଧୀରେ ପିଠି ଆଉଁସୁଛନ୍ତି ତାଙ୍କର–ତାଙ୍କ କୁଷ୍ଠରୋଗୀଙ୍କ ସେବା କରୁଛନ୍ତି, ଇୟସ୍‍ ରୋଗୀଙ୍କ ଥଲଥଲ ଘା’ ଧୋଉଛନ୍ତି ନିଜ ହାତରେ ।

 

ଫାଦର୍‍ ଆଉ ସ୍ଥିର ହୋଇପାରିଲେ ନାହିଁ । କହିଲେ—ଏ ତମର ଅନ୍ୟାୟ ବାବା, ତମେ ଅତିରଞ୍ଜନ କରୁଛ ।

ପରାଶର କହିଲେ—ମୋଟେ ନୁହେଁ । ବରଂ ଏତେବଡ଼ ଗୌରୀଶଙ୍କର ଶୃଙ୍ଗକୁ ଚାହିଁଲାବେଳକୁ ମୋ ଠେକା ଖସିପଡ଼ୁଛି, ମୁଣ୍ଡ ଥିର ହେଇପାରୁନି, ବର୍ଣ୍ଣନା କରିବି କ’ଣ ? ଏଇ ଉଦାରତା, ଏଇ ଶ୍ରେଷ୍ଠ ମାନବିକତା ମୁଁ ଦେଖିଥିଲି ସ୍ୱର୍ଗୀୟା ଅନିବେସାନ୍ତଙ୍କଠାରେ, ଦେଖିଥଲି ଆଣ୍ଡୃଜା ସାହେବଙ୍କ ପାଖରେ, ଦେଖିଥିଲି କୁଷ୍ଠରୋଗୀ ସେବକ ଫାଦର୍‍ ଡାମିଏନ୍‍ଙ୍କ ପାଖରେ, ଦେଖିଥିଲି ସିଷ୍ଟର୍ନିବେଦିତାଙ୍କ ନିକଟରେ, ଆଉ ଦେଖିଥିଲି କ୍ରିମିୟା ଯୁଦ୍ଧରେ କୁମାରୀ ଫ୍ଲରେନସ୍ ନାଇଟିଙ୍ଗେଲ୍‍ଙ୍କଠାରେ । ଜାତିର ଜନକ ବାପୁଙ୍କ ଭିତରେ ଓତଃପ୍ରୋତ ହେଇଥିଲା ଏଇ ସାର୍ବଜନୀନ ପ୍ରେମ ଓ ମହାନୁଭବତା, ତା’ ନହେଲେ ୧୯୪୭ ଭାଗ ବଣ୍ଟନବେଳେ ସେ ଜିଦ୍‍ ଧରି ବସି ନଥାନ୍ତେ ପାକିସ୍ଥାନକୁ କୋଟି କୋଟି ଟଙ୍କା ଦେଇଦେବାକୁ । ଏଇ ପ୍ରେମର ତରଙ୍ଗ ଖେଳିଥିଲା ପୁଣି ମହାଭାରତରେ ଗାନ୍ଧିଜୀଙ୍କ ଅନ୍ତରରେ, ଯେତେବେଳେ ସେ ନିଜର ପୁତ୍ର କୁରୁକୁଳଶ୍ରେଷ୍ଠ ଦୁର୍ଯ୍ୟୋଧନର ମୁହଁକୁ ନ ଚାହିଁ ଧର୍ମକୁ, ସତ୍ୟକୁ, ନ୍ୟାୟକୁ ଆଗରେ ରଖି ଉଦାତ୍ତ କଣ୍ଠରେ କହିଥିଲେ—

‘‘ଯାଅ ବୀର ରଣେ ଧରଣୀ ବକ୍ଷୁ ପାପରାଶି ହେଉ କ୍ଷୟ,

ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ ।’’

ସାହାଣି ପ୍ରଫୁଲ ମୁହଁରେ ଚାହିଁଲେ । କହିଲେ—ମୁଁ ପଛେ ପରାସ୍ତ ହୁଏ, ତୋତେ କିନ୍ତୁ ଧନ୍ୟବାଦ ଦେବାକୁ ହେବ, ଆଶ୍ଚର୍ଯ୍ୟ ତୁ ପରାଶର । ଗୋଟିଏ ମୁହୂର୍ତ୍ତରେ ତୁ କେତେ କଥା ଚିନ୍ତାକରିପାରୁଛୁ ?

କଥା ? କାହିଁ ? କଥାତ ମୁଁ ମୋଟେ କହିନାହିଁ । ଏ ପର୍ଯ୍ୟନ୍ତ ଖାଲି କହୁଥିଲି ଅକଥା ।

ଅକଥା ??

ହଁ, ତତଲା ପାଣିରେ ଘରପୋଡ଼ି ହୁଏନାହିଁ, ଘର ପୋଡ଼ିବାକୁ ନିଆଁ ଲୋଡ଼ା । ଇଏ ଖାଲି ଅକଥା—କେଇଟି ପାହାଚ । ବାଇଶି ପାହାଚର ସର୍ବନିମ୍ନ ପାବଛ କେଇଟି । ଇଏ କର୍ମଯୋଗ । ତା’ପରେ ଧ୍ୟାନଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ, ପ୍ରେମଯୋଗ ସବୁ ପାହାଚ ଶେଷ ହେଲେ ଯାଇଁ ଜଗମୋହନ—ଶଙ୍ଖ ମଲମଲ ଚଟାଣ ତା’ପରେ ଗରୁଡ଼ସ୍ତମ୍ଭ, ତା’ପରେ ହୋ ହୋ ଘୋ ଘୋ, ତା’ପରେ ସ୍ତବ, ସ୍ତୋତ୍ର, ମନ୍ତ୍ର, ଭଜନ, ଜଣାଣ—‘ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ’, ‘ଜଗନ୍ନାଥ ସ୍ୱାମୀ ନୟନପଥଗାମୀ’, ତା’ପରେ ? ତା’ପରେ ଯାଇଁ ଚନ୍ଦନ ଅର୍ଗଳି, ବେତମାଡ଼ । ସେଠୁଁ ବି ଆହୁରି ଦୂର—ଆହୁରି ଦୂର ସିଂହାସନ—ରତ୍ନ ସିଂହାସନରେ ଯାଇଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବିଜେ ! ଦେଖୁଛୁ ? ବୁଝୁଛୁ ? ଭାବୁଛୁ ? କେତେ ଦୂର, କେତେ ଦୂର, କେତେ ଅନନ୍ତ ପଥ । କିନ୍ତୁ ଏଇ ପଥ ଅତିକ୍ରମ କରି ନ ଗଲେ—ଆସ୍ତେ ଆସ୍ତେ ଶୁଦ୍ଧ ପୂତ ନିର୍ମଳ ଖଳ ଖଳ ହେଇ ଏଇ ଗୋଟିକପରେ ଗୋଟିଏ ପାହାଚ ପାରି ନହେଲେ ଜଗନ୍ନାଥ ମିଳିବେ ନାହିଁ, କୈବଲ୍ୟ ମିଳିବ ନାହିଁ, ନିର୍ମାଲ୍ୟ ମିଳିବ ନାହିଁ, ମୁକ୍ତି ମିଳିବ ନାହିଁ, ପ୍ରେମ ମିଳିବ ନାହିଁ, ରସ ମିଳିବ ନାହିଁ, ସିନ୍ଧୁଗର୍ଜନ ମିଳିବ ନାହିଁ, ଆଉ ସିନ୍ଧୁ ମଜ୍ଜନର ସ୍ୱାଦ ବି ମିଳିବ ନାହିଁ । ଜୀବନଟା ହେଇଯିବ ଖାଲି ଗୋଟାଏ ପୂତିଗନ୍ଧମୟ ପଲ୍ୱଳ, ଯୋଉଠି ସାଲୁବାଲୁ ହେବେ ଖାଲି ଲାଙ୍ଗୁଡ଼ା ପୋକ !

ସାହାଣି ପୁଣି ସ୍ତମ୍ଭୀତ ହେଇ ଚାହିଁଲେ । ପରାଶର ସେମିତି କହି ଚାଲିଛନ୍ତି—ତୁ ବୁଝିପାରିଲୁ ନାହିଁ ବୋଲି ଫାଦର୍‍ ଉଇଲିୟମ୍ ଅଟକି ଗଲେ । ଫେରେଇ ନେଲେ ତାଙ୍କ କଥା । ଆଚ୍ଛା ତୁ କହିଲୁ ଆମ ଗାଁରେ ଏଲ. ପି. ସ୍କୁଲଟିଏ ତିଆରି ହେଉଛି । ଲୋକଙ୍କର ସହଯୋଗ ନାହିଁ ବୋଲି କାନ୍ଥ ଦିଆ ହେଇପାରୁନାହିଁ । ମୁଁ ଯଦି କହେ ଜହରଲାଲ ପ୍ରଧାନମନ୍ତ୍ରୀ ହେଇ ଦିଲ୍ଲୀରେ ଆରାମରେ ବସିଛନ୍ତି । ସେ ଯେବେ ଆମ ଗାଁକୁ ଆସି ଆମ ସ୍କୁଲର କାନ୍ଥ ନ ଦିଅନ୍ତି, ତା’ହେଲେ ଜହରଲାଲଙ୍କ ଦେଶସେବା ହେଲା କ’ଣ ? ସେ ପ୍ରଧାନମନ୍ତ୍ରୀ ହେଇଥିଲେ କେତେ ନଥିଲେ କେତେ ? ...ତା’ହେଲେ କହ ତୁ ମତେ କ’ଣ ଭାବିବୁ ? ତୋ ଯୁକ୍ତି ଠିକ୍ ଏଇଆ—ଠିକ୍ ଏଇଆ, ତୋ ମଣିଷ ପୁଣି ଷ୍କାଣ୍ଡି ନେଭିଆର ଲୋକ ନୁହେଁ, ନାଗାସାକିର ଲୋକ ନୁହେଁ, ତେରଟି ଜିଲ୍ଲା ବିଶିଷ୍ଟ ଏଇ କ୍ଷୁଦ୍ର ଓଡ଼ିଶାର ଲୋକ । ୟାଙ୍କରି ଭିତରେ ସୀମାବଦ୍ଧ ନ ହେଇ ଟିକିଏ ଉପରକୁ ଉଠି ଭଗବାନଙ୍କୁ ପ୍ରାର୍ଥନା କଲେ ତୁ ଭାବୁ ସୃଷ୍ଟି ପ୍ରଳୟ ହେଇଯିବ, ଧ୍ୱଂସ ହେଇଯିବ । ବାବ୍‍ବା, ଧନ୍ୟ ତୋ ବୁଦ୍ଧି ! ତୋ କଥା ଶୁଣି ତରୁ ବି ହସୁଥିବ, ରାଜଲକ୍ଷ୍ମୀ ଭେଙ୍କଟାୟା, କଲ୍ୟାଣ ବି ହସୁଥିବେ, ଫାଦର୍‍ଙ୍କ କଥା କ’ଣ କହିବି ?

 

ସାହାଣି କହିଲେ—ନା ତୁ ମୋତେ ଭୁଲ୍‍ ବୁଝିଲୁ । ଭାଇ ବନ୍ଧୁଙ୍କ ଦୁଃଖରେ ଅଧୀର ହେବା କ’ଣ ଅନ୍ୟାୟ ?

 

ପରାଶର କହିଲେ—ନା, କଥାଟା ଠିକ୍‍ ତା ନୁହେଁ, ତୋର ଧାରଣା ଭାଇବନ୍ଧୁଙ୍କ ଦୁଃଖରେ ଅଧୀର ହେବା ଆଉ ଈଶ୍ୱରଙ୍କୁ ଡାକିବା ଦୁଇଟା ପରସ୍ପର ବିରୋଧୀ କଥା । ଈଶ୍ୱର ଆରାଧନା ଯେମିତି ଗୋଟାଏ ବଡ଼ ଆପଣା ସୁଆର୍ଥୀ କର୍ମ ଆଉ ଆରାଧନା ନ କରିବା ଗୋଟାଏ ବଡ଼ ପରାର୍ଥ । କିନ୍ତୁ ଜାଣୁ ସାହାଣି, ଏଇ ଯୋଉ ପାହାଚ କେଇଟି କଥା କହିଲି ତା’ ଉପରକୁ ଗଲେ ଦେଖିବୁ, ସେଠି ଓଡ଼ିଆ, ଭାରତୀୟ, ଗ୍ରୀସିୟ, ନିଉଜିଲାଣ୍ଡିୟର ତ ପ୍ରଶ୍ନ ନାହିଁ, ସମଗ୍ର ମାନବଜାତିକି କୋଳ କରି ବି ସେଠି ସନ୍ତୁଷ୍ଟ ହେଉନାହିଁ ଆତ୍ମା । ପଶୁପକ୍ଷୀ, କୀଟ ପତଙ୍ଗ, ତରୁତୃଣ, ଆକାଶପବନ, ଜଳସ୍ଥଳ, ଗ୍ରହ, ଉପଗ୍ରହ, ଚନ୍ଦ୍ରତାରକା, ସୂର୍ଯ୍ୟ ଧୂମକେତୁ—ବିଶ୍ୱର ପ୍ରତି ଅଣୁପରମାଣୁ ସବୁରି ଭିତରେ ବାଜି ଯାଉଛି ଆତ୍ମା, ସବୁରି ଭିତରେ ସେ ଉପଲବ୍‍ଧି କରୁଛି ଏକ ଅନନ୍ତ ସତ୍ତା—ଏକ ମଙ୍ଗଳମୟ ଭଗବାନଙ୍କର କୋମଳ ସ୍ପର୍ଶ । ସେ ନିଜକୁ କାହାରିଠାରୁ ଅଲଗା କରିପାରୁନାହିଁ । ଯେମିତି ସେ ସବୁଥିରେ ଅଛି, ସବୁ ଅଛି ତା’ରି ଭିତରେ, ତା’ ଭିତରର କିଏ ଜଣେ ଅନ୍ୟ ଭିତରର କିଏ ଜଣେ ସାଥିରେ ଆତ୍ମୀୟତା କରୁଛି, କୁଟୁମ୍ୱିତ କରୁଛି, ଅନ୍ୟର ଦୁଃଖ ଦେଖୁ ଦେଖୁ ତା’ ଆଖି ଫାଟି ପଡ଼ୁଛି । ସେ ବୁଝିପାରୁନାହିଁ ସେ ଦୁଃଖ ଅନ୍ୟର ନା ତା’ ନିଜର । ତା’ ନିଜର ସତ୍ତା ରହୁନାହିଁ । ସବୁରି ଭିତରେ ସେ ନିଜକୁ ବିଛେଇ ଦଉଛି, ବିସ୍ତାରିତ କରିଦେଉଛି, ବିସ୍ତୃତ ହେଇଯାଉଛି ଆଉ ନିଜ ଭିତରେ ଦେଖୁଛି ବିଶ୍ୱରୂପ—ବିଶ୍ୱର ଅକଳନ ଦୁଃଖ ଶୋକ ରୋଗ ଅଶ୍ରୁ, ସ୍ନେହ ପ୍ରୀତି ହାସ୍ୟ କୋଳାହାଳ, ଅନ୍ୟାୟ ଅବିଚାର ହିଂସା ଦ୍ୱେଷ ରୋଷ ସବୁ ଫୁଟି ଉଠୁଛି ନିଜ ଚିତ୍ତ ଫଳକରେ । ତେଣିକି ତା’ ଭିତରେ ଆଉ ବିଶ୍ୱ ଭିତରେ କିଛି ଭେଦ ନାହିଁ, ବିଭେଦ ନାହିଁ, ପ୍ରଭେଦ ନାହିଁ, ତେଣିକି ସେ ଯାହା ପ୍ରାର୍ଥନା କରୁଛି ନିଜ ପାଇଁ, ତା’ ଫଳୁଛି ବିଶ୍ୱର ହିତରେ; ଯାହା ପ୍ରାର୍ଥନା କରୁଛି ବିଶ୍ୱପାଇଁ, ତା’ର କଲ୍ୟାଣ ବର୍ଷୁଛି ନିଜ ଉପରେ, କାରଣ ବିଶ୍ୱ ଆଉ ସିଏ, ସିଏ ଆଉ ବିଶ୍ୱ—ଏକ, ଅଭିନ୍ନ, କୋଳାକୋଳି, ଗୋଳାଗୋଳି, ମିଶାମିଶି—ଠିକ୍‍ ଯେମିତି ନୀରରେ କ୍ଷୀର, କ୍ଷୀରରେ ନୀର, ବାୟୁରେ ଗନ୍ଧ, ଗନ୍ଧରେ ବାୟୁ, କାହାରି ନିଜର ଅଲଗା ସତ୍ତା ନାହିଁ ।

 

...ଶ୍ରୀ ଅରବିନ୍ଦ, ବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ରମଣ ମହର୍ଷି, ରାମକୃଷ୍ଣ ପରମହଂସ, ତୁକାରାମ, ନିଗମାନନ୍ଦ, ମହାତ୍ମା ଯୀଶୁ, ମହାପୁରୁଷ ମହମ୍ମଦ, ହିମାଳୟର ଅସଂଖ୍ୟ ଅଗଣିତ ସିଦ୍ଧ ସାଧକ, ପ୍ରାଚୀନଭାରତର ଆର୍ଯ୍ୟଋଷି କପିଳ, କଣାଦ, ଦଧିଚି, ପାତଞ୍ଜଳି—ସମସ୍ତେ ଉଠିଥିଲେ ଏଇ ସ୍ତରକୁ । ସମସ୍ତଙ୍କ ଆଖିରେ ଜଗତ ବ୍ରହ୍ମମୟ, ବ୍ରହ୍ମହିଁ ଜଗତ । ତେଣୁ ନିଜ ଭିତରେ ଆଉ ପର ଭିତରେ ସେ କେବଳ ବ୍ରହ୍ମଛଡ଼ା ଆଉ କିଛି ଦେଖୁ ନଥିଲେ । ତାଙ୍କର ପ୍ରାର୍ଥନା କେବଳ ବ୍ରହ୍ମ ପାଇଁ ଆଉ ସେହି ବ୍ରହ୍ମ ଭିତରେ ସଚରାଚର ବିଶ୍ୱର କଲ୍ୟାଣ ପାଇଁ । ସେଇଥିପାଇଁ ନିଜର ଅସ୍ଥି ଦାନ କଲାବେଳେ ଦଧିଚି ମୁହୂର୍ତ୍ତକ ପାଇଁ ଭାବି ନଥିଲେ ତାଙ୍କର ଦୁଃଖ ହେବ କି କଷ୍ଟ ହେବ । କ୍ରୁଶରେ ବିଦ୍ଧ ହେଇ ରକ୍ତାକ୍ତ କଳେବର ହେଲେବି ଆର୍ତ୍ତନାଦ କରି ନଥିଲେ ପ୍ରଭୁ ଯୀଶୁ କି ଅଭିଶାପ ଦେଇ ନଥିଲେ କାହାକୁ, ପରନ୍ତୁ ସହାସ୍ୟ ବଦନରେ ବିନୀତ କଣ୍ଠରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ‘‘Father ! they know not what they do. Forgive them’’

 

ପରାଶର ! ପରାଶର ! —ଆସନରୁ ଉଠିଆସିଲେ ଫାଦର୍‍ ଉଇଲିୟମ୍—ତମେ କେତେ ବଡ଼ ପରାଶର, ମୁଁ କଳ୍ପନା କରିପାରୁନାହିଁ ।

 

ପରାଶର କହି ଚାଲିଛନ୍ତି—ଫୁଲର ଗନ୍ଧ ଯେପରି ସାର୍ବଜନୀନ, ପ୍ରାବୃଟର ବାରିଧାରା ଯେପରି ସର୍ବସ୍ପର୍ଶୀ, ମହାତ୍ମା ମହାପୁରୁଷ ମହାମାନବଙ୍କର ବାଣୀ, ନିଷ୍ଠା, ସାଧନା, ପ୍ରାର୍ଥନା ସେମିତି ସାରା ବିଶ୍ୱର କଲ୍ୟାଣକାରୀ, ତାଙ୍କର ଆଶୀଷ ପାଇଲେ ପାଷାଣର ପଦ୍ମ ଫୁଟେ, ଅକାଳରେ ବର୍ଷା ଝରେ, ଧୂଳିର ଧରଣୀ ହେଇଯାଏ ସ୍ୱର୍ଗର ନନ୍ଦନକାନନ । ପ୍ରମାଣ ଋଷ୍ୟଶୃଙ୍ଗ, ପ୍ରମାଣ ଭଗବାନ ବୁଦ୍ଧ, ପ୍ରମାଣ ହୁମାୟୁନଙ୍କ ରୋଗଶଯ୍ୟାରେ ପ୍ରାର୍ଥନାରତ ରାଜର୍ଷି ବାବର । କି ଉଦାର, କି ମହତ, କି ବିଶାଳ, କି ଆକାଶଚୁମ୍ୱୀ ହୃଦୟ !

 

ତାଙ୍କଠାରୁ ତମ ହୃଦୟ ବି କମ୍ ଆକାଶଚୁମ୍ୱୀ ନୁହେଁ ବାବା—ଫାଦର୍‍ ଉଇଲିୟମ୍‍ ଗୋଟିପଣେ କୁଣ୍ଢେଇ ଧରିଲେ ପରାଶରଙ୍କୁ । ଘନଘନ ଚୁମ୍ୱନ କଲେ ତାଙ୍କ ମଥାରେ । କହିଲେ–କସ୍ତରୀମୃଗ ଭଳି ତମେ ବନସ୍ତସାରା ଘୁରିବୁଲୁଛ ଗନ୍ଧ ଖୋଜି ଖୋଜି । କିନ୍ତୁ ଗନ୍ଧ ଯେ ତମରି ନାଭିକମଳରେ—ଅନ୍ତଃସ୍ଥଳରେ ଫାଟି ପଡ଼ୁଛି—ଦିଗଭାଗ ପରିପୂର୍ଣ୍ଣ କରିଦେଉଛି, ତମେ ବୁଝିପାରୁନା । ତମେ ଦେବତାଙ୍କୁ ଖୋଜି ଯାଉଛ, କିନ୍ତୁ ତମ ହୃଦକନ୍ଦରରେ ଦେବତାର ମଙ୍ଗଳ ଶଙ୍ଖ ଯେ କେବଠୁଁ ବାଜିଉଠିଲାଣି ତମେ ଜାଣିନା । ମୁଁ ସ୍ପଷ୍ଟ ଦେଖୁଛି, ପରିଷ୍କାର ଦେଖି ପାରୁଛି, ତମେ ଖାଲି ବାବର ନୁହଁ, ତମେ ଯୀଶୁ, ତମେ ମହମ୍ମଦ, ତମେ ବୁଦ୍ଧ, ତମେ ନାନକ, ତମେ ଶ୍ରୀକୃଷ୍ଣ-!! ....କହୁଁ କହୁଁ ବୃଦ୍ଧ ଉଇଲିୟମ୍‍ ନଇଁପଡ଼ି ପରାଶରଙ୍କ ପାଦ ଉପରେ ମୁଣ୍ଡ ପିଟିଦେଲେ । ସମସ୍ତେ ହୋ କିନା ଉଠିଲେ—ହାଁ ହାଁ, କ’ଣ କଲେ ? କ’ଣ କଲେ ? .....ପରାଶର ଭୋ ଭୋ କାନ୍ଦି ଉଠିଲେ, ତରୁ କଇଁକଇଁ କାନ୍ଦିଲା । ସମସ୍ତେ ଆଣ୍ଠୁମାଡ଼ି ଫାଦର୍‍ଙ୍କୁ ପ୍ରଣାମ କରୁଥିଲେ । ଫାଦର କରଯୋଡ଼ି ବାରଣ କଲେ । ସେ ନିଜେ ବି ସମସ୍ତଙ୍କ ମେଳରେ ଆଣ୍ଠୁ ମାଡ଼ି ବସିଲେ । ଅରୁଣା ପାଟି ଶୁଣି ଧାଇଁ ଆସିଥିଲା । ତା’ ଆଖିରେ ବି ଭରିଲା ଲୁହ । ସେ ବି ଆଣ୍ଠୁମାଡ଼ି ବସିଲା । ଲୁହ ବିଗଳିତ କଣ୍ଠରେ ସମସ୍ତେ ଏକ ତାନରେ ଗାଇଲେ—

 

‘‘ଆମାର ମାଥା ନତ କରେ ଦାଓହେ ତୋମାର୍

ଚରନଧୂଲାର ତଲେ,

ସକଲ ଅହଙ୍କାର ହେ ଆମାର୍

ଡୋବାଓ ଚୋଖେର ଜଲେ’’,

 

–ଅଠର–

 

ଅମାବାସ୍ୟା । କିଟିକିଟିଆ ଅନ୍ଧାରରେ ଆକାଶ ଫାଟୁଛି, ଢୁ ଢୁ ଗାଳୁଛି ମେଘ । ପବନ କହୁଛି ଘରଦ୍ୱାର ଗଛବୁରୁଛ ସବୁ ଆଣି ମିଶେଇଦବ ମାଟିରେ । ବଡ଼ବଡ଼ ଡାଳସବୁ ରଡ଼ରଡ଼ ହେଇ ଛିଡ଼ି ପଡ଼ୁଛି ଗଛରୁ । ଘଡ଼ଘଡ଼ ଶବଦରେ କାନ ଅତଡ଼ା ପଡ଼ୁଛି । ଯେମିତି ଆଜି ସୃଷ୍ଟି ପ୍ରଳୟ ହେଇଯିବ ।

 

କଳା ଜୋତା, ସମଗ୍ର ଦେହରେ କଳା ପୋଷାକ, ମୁହଁରେ ତ୍ରିପଣ୍ଡ କଳା, ହାତଯାକ କଳା ବଲବଲ, ମୁଣ୍ଡରେ କଳାଟୋପି ଖାଲି ଧଳା ଭିତରେ ଅଣ୍ଟା ଭିତରେ ଲୁଚା ଗୋଟାଏ ମସ୍ତବଡ଼ ଚିକ୍‍ଚିକିଆ ଧଳା ଛୁରା । ଖାଲି ଚକ୍‍କିନା ମାରିଦେଲେ ପଚ୍‍କିନା କଟିଯିବ ଦଶଟା ମୁଣ୍ଡ । ଝଡ଼ବେଗରେ ଜୟନ୍ତ ଛୁଟି ଯାଉଛି । ପାଦରେ ପ୍ରଭଞ୍ଜନ, ଆଖିରେ ଅଗ୍ନି, ମୁହଁରେ ପେଶାଚିକ ହସ, ବିକଟ ଗର୍ଜନ—ଜୟନ୍ତ ଛୁଟି ଚାଲିଛି ନରକକୁ । ଆକାଶରୁ ବଜ୍ର ଛିଡ଼ିଛି । ଇନ୍ଦ୍ରରଜା ହୁଙ୍କାର ଛାଡ଼ି ଚାରି ଦିଗକୁ ପେଶି ଦେଇଛି ଚାରିମେଘ—ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ, ପୁଷ୍କର । ଆଜି ପୃଥ୍ୱୀ ପ୍ରଳୟ—ପ୍ରଳୟ ।

 

ବୀର ବିକ୍ରମସିଂହ ମହେନ୍ଦ୍ରନାରାୟଣ ରାୟଙ୍କ ପୁଅ ଯାହା କହେ ତା’ କରେ । ତା’ କଥାହିଁ କଥା । ତେଣିକି ମୁକ୍ତା ମରୁ, ତରୁ ମରୁ, ପାରୁଲ୍‍ ମରୁ, ଯାଚ୍ଛା ତା’ ହଉ ପଛେ । ସିଏ ଚାହେଁ ରାଜଲକ୍ଷ୍ମୀ—ରାଜଲକ୍ଷ୍ମୀର ଜୀଅନ୍ତା ମୁଣ୍ଡ ନଇଲେ ମଲାମୁଣ୍ଡ !! ହାଃ, ହାଃ, ହାଃ; ହାଃ, ହାଃ, ହାଃ—ଜୟନ୍ତ ଛୁଟିଛି ।

 

ତଥାପି ଜୟନ୍ତ ମୁକ୍ତ ନୁହେଁ । ଜୟନ୍ତ ମୁହଁରେ ଅନେକ ଭଡ଼ଭଡ଼ କଥା; ଭିତରେ କିନ୍ତୁ ଭୟଙ୍କର ଝଡ଼—ଭୀଷଣ ଝଡ଼—ଏଇ ବାହାର ଝଡ଼ଠଉଁ ଆହୁରି ବିକଟ, ଆହୁରି ପ୍ରଳୟଙ୍କରୀ । ସେଇଥିପାଇଁ ତା’ ଗତି ବେଳେବେଳେ ମନ୍ଥର ହେଇଯାଉଛି, ବେଳେବେଳେ ସ୍ତବ୍‍ଧ ହେଇ ଠିଆ ହେଇ ଯାଉଛି ଏକାବେଳକେ । ଖୁବ୍‍ ଜୋରେ ହାତ ଦେଇ କାନ ବନ୍ଦ କରୁଛି, କିନ୍ତୁ କଥା ଆସୁଛି ମର୍ମସ୍ଥଳରୁ । ହୃଦୟରେ ବାଜୁଛି ଟାଆଁଇ ଟାଆଁଇ, ଟାଆଁଇ ଟାଆଁଇ, ତା’ ମୁଣ୍ଡ ଫାଟିଯାଉଛି, ଆଖିରୁ ଜୁଳୁଜୁଳିଆ ପୋକ ବାହାରି ପଡ଼ୁଛି—

 

...ହଁ ସେ ମଣିଷ ମାରିଛି—ଦଶଦଶଟା ଲୋକଙ୍କର ରକ୍ତ ପିଇଛି ଢକଢକ କରି । କିନ୍ତୁ କୁହ ଏଥିପାଇଁ ଦାୟୀ କିଏ ? କିଏ ତା’କୁ ବାଧ୍ୟକଲା ତା’ କରିବାକୁ ? ତା’ର ଗରଜ ଥିଲା ନା ଏଥିରେ ଗରଜ ଥିଲା ତମର—ଜୟନ୍ତ ରାୟଙ୍କର ? ଲୋକ ମାରିଲା କିଏ ? ସିଏ ନା ତମେ ? କିଏ ତାକୁ ବାଧ୍ୟକଲା ନିଆଁ ଜାଳିବାକୁ ? ମଣିଷ ମାରିବାକୁ ? ସୃଷ୍ଟି ସଂହାର କରିବାକୁ ? କିଏ ? କିଏ ? କିଏ ?’

 

...‘କିନ୍ତୁ ରାୟ, ତା’ଦ୍ୱାରା ତମ ଚରିତ୍ର କେତେ ଦୁର୍ବଳ ହେଇଯିବ ଭାବିଛ ? ତରୁ ଓ ପରାଶର ଶୁଣିଲେ କ’ଣ କହିବେ ? ତମେ ଏମିତି ପଛଆଡ଼ୁ ଲୁଚିଲୁଚି ଚୋରଭଳି, ଭୀରୁ ଭଳି, ନାରୀଭଳି...’

 

ଆଃ—ଜୟନ୍ତ ଯାହା ଯାଉଥିଲା ସେଇଠି ଲଠକିନି ବସିପଡ଼ିଲା । —ନା ନା, ସେ ନାରୀ ନୁହେଁ, ସେ ନାରୀ ନୁହେଁ, ସେ ନାରୀ ହେବାକୁ ଭୟଙ୍କର ଘୃଣାକରେ । ନହେଉ ପଛେ ହତ୍ୟା, ନହେଉ ପଛେ ଆଜି ରକ୍ତରେ ସ୍ନାନ; ସେ କେବେ ଖସିଯିବନି ଏତେ ହୀନ ନୀଚ, ଅଧମ ସ୍ତରକୁ ।

 

କାନରେ ପୁଣି ଶୁଭିଲା—‘କୁହ କୋଉଟା ମୁଁ ବିଶ୍ୱାସ କରିବି ? ବଂର ଗୋଟିଏ କଥାରେ ମୋର ପୂର୍ଣ୍ଣ ବିଶ୍ୱାସ, ଖଣ୍ଡାୟତ ତମେ, ପାଇକ ପିଲା । ଗୋଟିଏ କଥା ଅଛିନା—ମାଇପ ଆଗରେ ପାଇକ ପଣ, କଥାଟି ବାସ୍ତବରେ ସତ....

 

ଏଁ ମୁକ୍ତା ! ନା, ପୋଡ଼ିଯାଉଁ ମୋର ମାନ, ପୋଡ଼ିଯାଉ ମୋର ସମ୍ମାନ । ମୁଁ ଖଣ୍ଡାୟତ ପିଲା । ମୁଁ ଖଣ୍ଡା ଧରି ଖେଳେ, ମୁଁ ରକ୍ତରେ କୁଳୁକୁଞ୍ଚା କରେ, ଲଙ୍ଘା ତରବାରୀ ଧରି ମୁଁ ଶତ୍ରୁ ଉପରକୁ ଝାମ୍ପଦିଏ ଯମଭଳି । ମୁଁ ଏ ଅପମାନ ସହିବି ନାହିଁ, ସହି ପାରିବି ନାହିଁ । ଯୋଉ ଉପାୟରେ ହେଉ, ଯୋଉ ପନ୍ଥାରେ ହେଉ ମୁଁ ତାକୁ ହତ୍ୟା କରିବି, କରିବି, କରିବି—ସେ ଉଠିପଡ଼ି ପୁଣି ଛୁଟିଗଲା ଜୋରେ—

 

ପୁଣି ଦୂରରୁ ଶୁଭିଲା—

 

.....‘ହତ୍ୟା କରି ଅନେକ ବଡ଼ଲୋକ ହେଇଛନ୍ତି ମୁଁ ଜାଣେ, ହତ୍ୟା କରି ଅନେକ ଉଦ୍ଧତା ନାରୀକି ଶାସ୍ତି ଦେଇଛନ୍ତି ମୁଁ ଜାଣେ, ହତ୍ୟା କରି ଅନେକ ବଂଶର ମାନମର୍ଯ୍ୟାଦା ବୃଦ୍ଧି କରିଛନ୍ତି ମୁଁ ଜାଣେ; କିନ୍ତୁ ସତ କହିବି ରାୟ, ସତ କହିବି ! ହତ୍ୟାକରି କିଏ ପରାଶର ଭଳି ମହତ ହେଇଛି ମୁଁ କହିପାରିବି ନାହିଁ, କହିପାରିବି ନାହିଁ । ’

 

Get out, get out ପରାଶର । ପରାଶର—an effeminate emotional dunce ! ପରାଶର କେବେ କେବେ ଭଲ ପାଇଛି କେଉଁ ଝିଅକୁ ? ପରାଶର କେବେ ପ୍ରେମରେ ଆଲିଙ୍ଗନ କରିଛି କୋଉ ସୁନ୍ଦରୀ ତରୁଣୀକି ?

 

....‘ପରାଶର ହିମାଳୟ ଭଳି ବିଶାଳ, ପରାଶର ଆକାଶ ଭଳି ଅନନ୍ତ, ସାଗର ଭଳି ଅତଳଗର୍ଭ । ପରାଶର ଭଲ ପାଇଛନ୍ତି ତରୁକୁ—ତମ ପତ୍ନୀକୁ । ତରୁକୁ ସେ କରିଛନ୍ତି ସନ୍ୟାସିନୀ, ତରୁ ଚରଣରେ ଢାଳି ଦେଇଛନ୍ତି ଅନ୍ତରର ଭକ୍ତି, ଶ୍ରଦ୍ଧା, ସମ୍ମାନ, ପ୍ରଣାମ । ଆଉ ତମେ ? ତମେ କ’ଣ କରିଛ ? ଝିଅଟିଏ ଦେଖିଲାମାତ୍ରେ ତମେ ଆଁ କରି ଧାଇଁଯାଇଛ ତାକୁ ଗିଳିଦେବାକୁ । ସେ ଟିକିଏ ଘୁଞ୍ଚିଗଲେ ତା’ ଛାତିରେ ବସେଇଛ ଶାଣୁଆ ଛୁରି ! ତା’ପରେ ରକ୍ତରେ ଚିତା, ରକ୍ତରେ ସ୍ନାନ, ରକ୍ତରେ ଅବଗାହନ !

 

ଆଃ ପାରୁଲ !! —ଜୟନ୍ତ ଖୁବଜୋରେ ମୁଣ୍ଡଟା ଚିପିଧରିଲା । ଘନଘନ ଝିଙ୍କିଲା ମୁଣ୍ଡର ବାଳ । ପୁଣି ଅଟକିଗଲା ଗୋଟାଏ ଗଛକୁ ଧରି ।

 

....‘ନା ତଫାତ୍‍ କିଛିନାହିଁ । ତମ ପତ୍ନୀକି ପରାଶର ମା’ ବୋଲି ଡାକନ୍ତି । ଅବୋଧ ଶିଶୁ ଭଳି ନିଜକୁ ଆଣି ଟେକି ଦିଅନ୍ତି ତା’ ହାତରେ ଆଉ ତମେ ରାଜଲକ୍ଷ୍ମୀକି ମାଇପ ବୋଲି ଡାକ । ନିଜେ ଜବରଦସ୍ତି ଟେକିଆଣ ତା’କୁ ହାତକୁ । ତା’ ତଣ୍ଟି କଣାକରି କଅଁକଅଁ କରି ପିଇଯାଅ ରକ୍ତ !

 

ଓଃ ବନ୍ଦକର । ବନ୍ଦକର ପାରୁଲ୍ ! ନା ନା, ନା, ନା, ମୁଁ ଆଉ ଶୁଣିପାରିବି ନାହିଁ, ଶୁଣିପାରିବି ନାହିଁ । ମୋ ମୁଣ୍ଡ ଫାଟିଯାଉଛି । ମୁଁ ଏଡ଼େ ଛୋଟ । ଓଃ

 

....‘କ’ଣ ଦୋଷ ? କ’ଣ ଦୋଷ ରାଜଲକ୍ଷ୍ମୀର ? ପାରଳାରେ ସେ ତମକୁ ଗାଳିଦେଲା, ସେଇଟା ତା’ ଦୋଷ ? ସମ୍ୱଲପୁରରେ ସେ ନିଆଁ ଲଗାଇ ପୋଡ଼ିଦେଲା ଦଶଟା ଲୋକ, ସେଇଟା ତା’ ଦୋଷ ? ତମେ ଶହ ଶହ ଟଙ୍କା ଦେଲ ମାନସରଞ୍ଜନକୁ, ସେଇଟା ତା’ ଦୋଷ ? ତମେ ନିଜ ସ୍ତ୍ରୀ ନାଁରେ ନିଜେ କଳଙ୍କର ଡିବିଡିବି ନାଗରା ପିଟିଲ, ସେଇଟା ତା’ ଦୋଷ ? କୋଉଟା, କୋଉଟା ତା’ ଦୋଷ ? ଓଡ଼ିଆ ଘରର ଗୋଟାଏ ଅଭିଆଡ଼ୀ ଝିଅ ସରଳା ଝିଅ କୋମଳା ଝିଅ ତମ କୋଳକୁ ଡେଇଁପଡ଼ି ତମ ଆଲିଙ୍ଗନ ଭିତରେ ତା’ ଜୀବନର ଶ୍ରେଷ୍ଠ ସମ୍ପତ୍ତି ସତୀତ୍ୱଟିକୁ ଦଳିମାଡ଼ି, ମୋଡ଼ିମକଚି ଧୂଳିଲୁଣ୍ଠିତ କରି ଦେଲା ନାହିଁ ବୋଲି ସେଇଆ ହେଲା ତା’ ଦୋଷ ? ଦୋଷ ?

 

ଓଃ ନା ନା, କିଛି ତା’ର ଦୋଷ ନୁହେଁ, କିଛି ତା’ର ଦୋଷ ନୁହେଁ ସବୁ ଦୋଷ ମୋର—ମୋର ।

 

......ନା ତମ ଦୋଷ ନୁହେଁ । ତମେ ଚାହିଁଥିଲ, ତାକୁ ପ୍ରେମିକା କରିବାକୁ । ଆଦରଣୀୟା କରିବାକୁ, ଅଙ୍କଶାୟିନୀ କରିବାକୁ, ବାରବିଳାସିନୀ କରିବାକୁ, ବେଶ୍ୟା କରିବାକୁ...

 

ଓଃ, ନା, ନା, ନା ......

 

... ହଁ, ହଁ, ହଁ, ବେଶ୍ୟା । ବେଶ୍ୟା । ତମେ ଚାହିଁଥିଲ ତା’କୁ ବେଶ୍ୟା କରିବ । ଆଉ ସେ ବେଶ୍ୟା ନହେଲେ, ତମ ଅଙ୍କଶାୟିନୀ ନହେଲେ, ତମ ହାତକୁ ମଦ ବୋତଲ ଟେକି ନଦେଲେ, ତମ ଆଗରେ ନଗ୍ନହେଇ ବକ୍ଷ ଦେଖେଇ ନୃତ୍ୟ ନକଲେ ତମ ମନସାଧ ମେଣ୍ଟିବ ନାହିଁ । ତମେ କରିବ ତାକୁ ହତ୍ୟା, ହତ୍ୟା । ତମେ କଂସେଇଭଳି ଭୁଜାଲ ଧରି ଧାଇଁଯିବ ତାକୁ କଚ୍‍ କଚ୍‍ କରି କାଟିଦବାକୁ......

 

ଓଃ ନା ନା, ମୁଁ ପାରିବି ନାହିଁ । ପାରିବି ନାହିଁ, ମୁଁ କଚ୍‍ କଚ୍‍ କରି କାଟିପାରିବି ନାହିଁ କାହାକୁ । ମୁଁ ଫେରିଯିବି—ଫେରିଯିବି ।

 

ଦାଉଁକିନା ଗୋଟାଏ ଲଟାବିଜୁଳି ଖେଳିଗଲା ଆକାଶରେ । ମଡ଼ମଡ଼ ହେଇ ଗୋଟାଏ ବଜ୍ର ଛିଡ଼ି ପଡ଼ିଲା । ସବୁ ହେଲା ପୁଣି ଓଲଟ ପାଲଟ । ଆକାଶ ଆସିଲା ପୃଥିବୀକି, ପୃଥିବୀ ଗଲା ଆକାଶକୁ । ଆକାଶରୁ ଯେମିତି ଗର୍ଜନ ଶୁଭିଲା—

 

ତମେ ଭୀରୁ, ଦୁର୍ବଳ, ତମେ କାପୁରୁଷ, ତମେ ନାରୀ ! ରାଜଲକ୍ଷ୍ମୀ ତମକୁ ପାଂଶଲୋକଙ୍କ ଆଗରେ କହିଲା—କୁକୁର; କୁକୁର; ପାରୁଲ୍‍ ତମରି ଖାଇ ତମ ଅଇଁଠା ପତ୍ର ଚାଟି ଶେଷରେ ତମ ମୁହଁକୁ ଫିଙ୍ଗିଲା ଜୋତା, ତମ ମୁହଁକୁ ପକେଇଲା ଥୁ ଥୁ ଛେପ, କହିଲା–a fiend a fiend; ଆଉ ତରୁ ତମ ଆଦରଣୀୟା ଧାର୍ମିକା ପ୍ରିୟପତ୍ନୀ ତମ ବିରୁଦ୍ଧରେ କଲା ଷଢ଼ଯନ୍ତ୍ର, ତମକୁ କହିଲା ନିର୍ମମ ବ୍ୟାଧ । ତଥାପି ତମେ ନୀରବ, ତଥାପି ତମେ ନିସ୍ତେଜ । ବଦ୍‍ମାସକୁ ସୟତାନ୍‍କୁ ଦଣ୍ଡ ଦେଲାବେଳେ ସୟତାନ୍‍ରତ କଷ୍ଟ ହେବ ନିଶ୍ଚୟ । ଶତ୍ରୁସୈନ୍ୟକୁ ଗୁଳି କଲାବେଳେ ତା’ର କ’ଣ କଷ୍ଟ ହୁଏ ନାହିଁ ? ଆଉ ସେହି ଶତ୍ରୁର ରକ୍ତ ଦେଖି ତମେ କ’ଣ ଫେରିଆସିବ ? ଏଇ ଖଣ୍ଡାୟତର ଧର୍ମ ? ଏଇ ଖଣ୍ଡାୟତର କର୍ମ ? ଖଣ୍ଡାୟତ ରକ୍ତ ଦେଖି ଡରିଯାଏ ? ଠିକ୍—ଠିକ୍‍ ରହିଛ ତମେ—ତମେ ପ୍ରକୃତରେ ବୀର ବିକ୍ରମସିଂହ ମହେନ୍ଦ୍ରନାରାୟଣ ରାୟର ପୁଅ ନୁହଁ, ତମେ ହାଡ଼ିଆଘାସିର ପୁଅ, ଘୀସିର ପୁଅ !!

 

ଆଃ, ଆଃ, ମୁଁ କ’ଣ ଶୁଣୁଛି ? କ’ଣ ଶୁଣୁଛି ? ନା, ନା, ନା—ରକ୍ତ, ରକ୍ତ, ତମେ ଉତ୍ତପ୍ତ ହୁଅ ରକ୍ତ, ତମେ ଉଦ୍ଦାମ ହୁଅ । ଆସ ବିଦ୍ୟୁତ୍, ଆସ ବଜ୍ର, ଆସ ଝଞ୍ଜା, ମୋ ରକ୍ତରେ ପ୍ରବେଶ କର, ମୋ ରକ୍ତରେ ଅଗ୍ନି ସଂଯୋଗ କରିଦିଅ, ମୋ ରକ୍ତରେ ଦାବାନଳ ଜାଳିଦିଅ—ହୁ ହୁ କରି, ଧୁ ଧୁ କରି, ସୁ ସୁ କରି—ମୁଁ ଛୁଟିଯାଏ, ମୁଁ ମାଡ଼ିଯାଏ, ମୁଁ ପୋଡ଼ିଦିଏ, ମୁଁ ଜାଳିଦିଏ, ମୁଁ ଧ୍ୱଂସ କରିଦିଏ, ମୁଁ ଯେତେବେଳେ ପ୍ରତିଜ୍ଞା କରିଛି, ମୋ ପ୍ରତିଜ୍ଞା ମୁଁ ରକ୍ଷାକରେ । ତେଣିକି ମୁଁ ମରେ, ମୁଁ ବଞ୍ଚେ, ମୁଁ ନରକକୁ ଯାଏ ପଛେ—ଯାହା ଠିଆ ହେଇଯାଇଥିଲା ଜୟନ୍ତ, ପୁଣି ଗୋଟାଏ ହୁଙ୍କାର ଛାଡ଼ି ଭୀମବେଗରେ ଛୁଟିଗଲା ଆଗକୁ ।

 

ଦୂରରୁ ଶୁଭୁଛି ଅଶରୀରୀ ବାଣୀ—

 

‘ସୁନ୍ଦର ମାନବ ଭାଇ ଅସୁନ୍ଦର ହୁଅ ନାହିଁ,

ବୃଥା ଦମ୍ଭ, ଗର୍ବ, ଅଭିମାନ ତେଜ ଦୁଇଦିନ ପାଇଁ

ସୂର୍ଯ୍ୟ ସମ ଦୀପ୍ତ ହୁଅ, ଶଶୀ ସମ ଶାନ୍ତ

ସ୍ନେହ ଦିଅ ବିତରି ଜଗତଜନେ କର ଦାନ୍ତ ।’

 

ଏଁ !! ଜୟନ୍ତ ଅଟକିଗଲା । ଚାରିଆଡ଼କୁ ଚାହିଁଲା । କିଏ କହୁଛି ? କୋଉଠୁଁ ଆସୁଛି ଏ ଅମୃତମୟ ବାଣୀ ?

 

ପୁଣି ଶୁଭିଲା—

 

“Peace and good will, good will and peace

Peace and good will to all mankind’’

 

ଏଁ !!!

 

ପୁଣି ଶୁଭୁଛି ବୃଦ୍ଧାର ଆକୁଳ ମିନତି—କୁହ ରାଜଚକ୍ରବର୍ତ୍ତୀ ରାଜ ରାଜେଶ୍ୱର ସମ୍ରାଟ ଅଶୋକ, ମୋର ଏକୋଇର ବଳାକୁ ଯେ ହତ୍ୟା କଲ କଳିଙ୍ଗ ଯୁଦ୍ଧରେ, ତା’କୁ ତମେ ଫେରାଇ ଦେଇ ପାରିବ ? ପାରିବ ? ପାରିବ ?

 

ଓଁ, ଧର୍ମଂ ଶରଣଂ ଗଚ୍ଛାମି

ସଂଘଂ ଶରଣଂ ଗଚ୍ଛାମି

ବୁଦ୍ଧଂ ଶରଣଂ ଗଚ୍ଛାମି ।

 

ଓଃ ଭଗବାନ !!! ଜୟନ୍ତ ବସିପଡ଼ିଲା । ଏତେଦିନେ ଏତେ ବର୍ଷ ପରେ ଜୟନ୍ତ ତୁଣ୍ଡରୁ ଭଗବାନ ଶବ୍ଦ ବାହାରିଲା । ଭଗବାନଙ୍କୁ ସେ ଏତେଦିନ କହିଆସିଥିଲା—a Scoundrel--an idle brain’s invention, କିନ୍ତୁ ଆଜି କ’ଣ ହେଉଛି ? କାହିଁକି ସେ ଏତେ ଦୁର୍ବଳ ହେଇଯାଉଛି ? ଆଜି କାହିଁକି ଆପଣାଛାଏଁ ତୁଣ୍ଡକୁ ଆସୁଛି ଭଗବାନ ! ... ମନେପଡ଼ିଲା ଅନେକ ବର୍ଷତଳେ ସେ ତରୁ ସାଙ୍ଗରେ ଥରେ ପରାଶର ଘରକୁ ଯାଇଥିଲା । ସେଦିନ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କର ବାଳଗୋପାଳ ମୂର୍ତ୍ତିଟିଏ ଖଟୁଲି ଉପରେ ରଖି ନାନା ଫୁଲରେ ସଜେଇ, ଧୂପ ଦୀପ ଝୁଣା ଗୁଗୁଳରେ ପୂଜା କରୁଥିଲେ ପରାଶର । ଶଙ୍ଖ ହୁଳହୁଳିରେ ଘର କମ୍ପୁଥିଲା, ତରୁ ବସି ବସି ପଢ଼ୁଥିଲା ହରିବଂଶରୁ ଶ୍ରୀକୃଷ୍ଣଙ୍କର ଜନ୍ମ ।

 

ଜୟନ୍ତ ବାହାରେ ଆରାମଚେୟାରରେ ବସି ବସି ଜୋତା ଠକ୍‍ଠକ୍‍ କରି ଚରୁଟ୍‍ ଖାଉଥିଲା । ହଠାତ୍‍ କ’ଣ ହେଲା, ପରାଶର ଯେତେବେଳେ ବିହ୍ୱଳ ହେଇ, ତନ୍ମୟ ହେଇ ନାଚି ନାଚି ଗାଇଲେ—

 

‘ନାଚ ନାଚ, ନାଚ, ନାଚ,

ନାଚ ନନ୍ଦକିଶୋର କହ୍ନେଇ

ନାଚ ମୋହନ ବେଣୁ ବଜାଇ,’

 

ସେତେବେଳେ କେଜାଣି କାହିଁକି ଜୟନ୍ତ ହାତରୁ ଚିରୁଟ୍‍ ଖସିପଡ଼ିଲା, ଜୋତା ଠକ୍‍ଠକ୍‍ ବନ୍ଦ ହେଇଯାଇଥିଲା ଆପଣାଛାଏଁ । ଘୃଣାକ୍ଷରରେ ସେ ଦିନେ କେବେ କୃଷ୍ଣମୂର୍ତ୍ତିକି ଚାହିଁ ନାହିଁ । କହେ—Nonsense, a childish play ସେ ଦିନ କିନ୍ତୁ କଟମଟ କରି ଚାହିଁଥିଲା ସେ ମୂର୍ତ୍ତିକି । କହିଥିଲା—What ? Has a toy a life ??

 

ସେହି ଟୟ୍‍ ସେହି ଟୟ୍‍ ଆଜି ରକ୍ତମାଂସର ଦେହଧରି ଠିଆ ହେଇଛି । ତା’ ଆଗରେ । ତାକୁ ଯେମିତି କହୁଛି—ଅବୋଧ ଶିଶୁ, ଅଜ୍ଞାନ ଶିଶୁ ଫେରିଯାଅ । ପ୍ରେମ—ପ୍ରେମ—ଅନନ୍ତ ପ୍ରେମରେ କୋଳକର ବିଶ୍ୱକୁ, ବିଶ୍ୱ ତମର ପଦ ଲେହନ କରିବ ।

 

ଠିକ୍‍ ଠିକ୍‍ ସେହିକଥା କହିଥିଲା ପାରୁଲ୍—

 

......‘ମନେରଖ ଆଖିରୁ ଲୁହ ଢାଳିଢାଳି ପରାଶର ହବ ଦେବତା ଆଉ ଅନ୍ୟର ରକ୍ତ ପିଇ ରକ୍ତ ଖାଇ ତମେ ହେବ ରାକ୍ଷସ—ରାକ୍ଷସ !

 

...‘ତମେ ଭଲପାଅ ରାଜଲକ୍ଷ୍ମୀକି, ପରାଶର ଭଳପାଏ ତରୁକୁ । ରାଜଲକ୍ଷ୍ମୀ ଅପସରିଯାଇଛି, ତରୁ ବି ଅପସରି ଯାଇଛି । କିନ୍ତୁ ଦେଖ, ତରୁପାଇଁ ପରାଶର ଆଖିରେ ଅଶ୍ରୁର ବନ୍ୟା ଆଉ ରାଜଲକ୍ଷ୍ମୀ ପାଇଁ ତମ ଆଖିରେ ଅଗ୍ନିର ଲାଭା । କୁହ କିଏ ବଶ ହେବ ? କିଏ ତରଳିଯିବ ? କିଏ ପ୍ରେମରେ ଅନ୍ଧ ହେଇ ଧାଇଁଆସିବ କୋଳକୁ ? ତରୁ ନା ରାଜଲକ୍ଷ୍ମୀ ??’

 

ପ୍ରେମ ? ହଁ ପ୍ରେମରେ ଆତଯାତ ହୁଏ ସୃଷ୍ଟି । ପ୍ରେମରେ ବର୍ଷା ଝରେ ଆକାଶରୁ । ପ୍ରେମରେ ପତ୍ର କଅଁଳେ ଗଛରେ । ପ୍ରେମରେ ଫଣା ଟେକି ନୃତ୍ୟକରେ ବିଷଧର ସର୍ପ । ଆଉ ପ୍ରେମରେ କ’ଣ ବଶ ହେବ ନାହିଁ ରାଜଲକ୍ଷ୍ମୀ ? ରାଜଲକ୍ଷ୍ମୀ ବଶ ହେବକାହିଁ ଅନ୍ତରର ଅଶ୍ରୁରେ ? ଅଶ୍ରୁରେ ତା’ହେଲେ ଦୁର୍ବଳତା କାହିଁ ? ହୀନତା କାହିଁ ? ଅଶ୍ରୁରେ ଯେ ଅନନ୍ତ ସ୍ନେହ—ଅସରନ୍ତି ପ୍ରେମର ଧାରା ।

 

ଜୟନ୍ତ ଦୃଢ଼ ହେଇ ଠିଆହେଲା । ତା’ ପାଦ ଯେମିତି ଏତେବେଳେ ଦୃଢ଼ ହେଇଛି ଧରଣୀରେ । ଆଉ ହଲ୍‍ ନାହିଁ, ଢଲ୍‍ ନାହିଁ । ଆଉ ବୁଡ଼ିଯିବାର ଭୟ ନାହିଁ, ଓଲଟି ପଡ଼ିବାର ଆଶଙ୍କା ନାହିଁ । ତା’ର ମନେପଡ଼ିଲା ସେଦିନ ଜନ୍ମାଷ୍ଟମୀ ରାତିରେ ଫେରିଲାବେଳେ ତରୁ କହୁଥିଲା ଗପ—ଏମିତି ମେଘ ଅନ୍ଧାର ରାତି । ବର୍ଷା, ଝଡ଼, ବିଜୁଳି ଘଡ଼ଘଡ଼ିରେ ସୃଷ୍ଟି ଫାଟୁଛି । କଅଁଳିଆ କୁନି ପୁଅଟିକି ଖଟୁଲିରେ ରଖି ବୁଢ଼ା ଉଗ୍ରସେନ ନସର ପସର ହେଇ ଛୁଟିଥିଲା ମଥୁରାରୁ ଗୋପପୁର । ଯମୁନା ଦି’କୂଳ ଖାଉଛି । ସୁ ସୁ ହେଇ ଗର୍ଜନ ଛାଡ଼ିଛି । ଉଗ୍ରସେନ ପ୍ରେମରେ ଜରଜର ହେଇ ଲୁହ ଝରଝର ଆଖିରେ ଡାକ ଛାଡ଼ିଲା—ହେ କୃଷ୍ଣ ଯମୁନା ଶୁଖିଗଲା । ଅଥଳ ପାଣିହେଲା ଆଣ୍ଠୁଏ, ବଳା ଗଣ୍ଠିଏ । ... ଆଉଥରେ—ଦ୍ୱାରକାରେ କୃଷ୍ଣ ହେଇଥିଲେ ବୁଢ଼ା ଆଉ ଯଶୋଦା ହେଇଥିଲେ ଆହୁରି ନେଙ୍କେଡ଼ି ବୁଢ଼ୀ । ଦେବକୀ ଯଶୋଦା କଳି କଲେ କୃଷ୍ଣ କାହାର ପୁଅ । ଯଶୋମତୀ ପ୍ରେମରେ ଗଦ୍‍ଗଦ୍‍ ହୋଇ ଉଚ୍ଛ୍ୱସିତ କଣ୍ଠରେ କହିଲେ—କାହ୍ନୁ ମୋ ପୁଅ, ମୋ ପୁଅ । କୃଷ୍ଣ କହିଲେ—ଯା’ ସ୍ତନରୁ କ୍ଷୀର ସ୍ରବିବ ମୁଁ ତାଆରି ପୁଅ । ଯଶୋମତୀ ପ୍ରେମରେ ବିହ୍ୱଳ ହେଇ, ତନ୍ମୟ ହେଇ, ଉନ୍ମାନ ହେଇ ଗାଇଲେ—

 

‘‘ନିଧନ ସଙ୍ଖାଳି ମୋର ଦରିଦ୍ର ପସରା

ଅନ୍ଧର ଲଉଡ଼ି ବାବୁ ହୃଦରତ୍ନ ହାରା ମୋ, କଳା ମାଣିକରେ ।

ମୋ ଜୀବ ଜୀବନ ତୁହି ନୟନ ପ୍ରତିମା

ତୋତେ କି ପାଶୋରୀ ହେବ ମୋର ସୁଖସୀମା କଳାମାଣିକରେ ।’’

 

ଆଉ ସଙ୍ଗେ ସଙ୍ଗେ ଝର ଝର ହେଇ ମା’ ଥନରୁ ବୋହିପଡ଼ିଲା କ୍ଷୀର ! କ୍ଷୀର ! ଅମୃତ-!

 

ଆଜି ଯେମିତି ଅମୃତ ଝରୁଛି ଆକାଶରୁ । ଆଜି ଯେମିତି ପ୍ରେମର ଶଙ୍ଖ ବାଜୁଛି ଆକାଶରେ । ଆଜି ଯେମିତି ମଳୟର ହିଲ୍ଲୋଳ ପହଁରି ଆସୁଛି ଚନ୍ଦନର ଗନ୍ଧ ନେଇ । ଆଜି ଜୟନ୍ତ ନୂତନ ଜନ୍ମ ପାଇଛି । ଆଜି ଜୟନ୍ତ ମୁକ୍ତ ।

 

ହଁ ସେ ବୀରବିକ୍ରମସିଂହ ମହେନ୍ଦ୍ରନାରାୟଣ ରାୟର ପୁଅ । କିନ୍ତୁ ତା’ ବୋଲି ସେ ଜଣକୁ ଅନ୍ୟାୟରେ ଅବିଚାରରେ ବୃଥାରେ ବିନା ଦୋଷରେ ବିନା ଅପରାଧରେ ହତ୍ୟା କରିବ କାହିଁକି ? ହତ୍ୟା କରି ଲାଭ ବା କ’ଣ ? ହତ୍ୟା କଲେ ସେ ପାଇବ କ’ଣ ? ଗୋଟାଏ ମଲାଦେହ–ମଲାମଣିଷ–ମୁର୍‍ଦାର୍‍ । ମୁର୍‍ଦାର୍‍ ତ ଆଉ ତାକୁ ପ୍ରେମ କରିବ ନାହିଁ, ତାକୁ ସ୍ନେହରେ ଡାକିବ ନାହିଁ–ଜୟନ୍ତ ବୋଲି । ଜୟନ୍ତ ତା’ଠଉଁ ପାଇବ ନାହିଁ ଟିକିଏ ମିଠା ହସ, କଅଁଳ ହସ, ମୁଲାଏମ୍‍ ହସ ଯୋଉଟା ପ୍ରେମ, ଯୋଉଟା ସ୍ୱର୍ଗ, ଯୋଉଟା ଅମୃତ । ତା’ହେଲେ ମିଛରେ ସେ କଂସେଇ ହବ କାହିଁଳି ? ଖଣ୍ତାୟତ ହେବା ଆଉ କଂସେଇ ହବା ଭିତରେ ତ ଆକାଶପାତାଳ ତଫାତ୍ ।

 

ତରୁ ଆଉ ପରାଶର—ଦୁହିଁଙ୍କ ଭିତରେ କେତେ ପ୍ରେମ, କେତେ ଅସରନ୍ତି ଫଲ୍‍ଗୁ । ପରାଶର ଡାକେ ମା’ । ମା’ ଢାଳେ ଭାଇ ପଦରେ ଆଭୂମ ପ୍ରଣାମ, ପୁଷ୍ପାଞ୍ଜଳି, ପ୍ରୀତିର ଅର୍ଘ୍ୟ । କାହିଁ ଭୟ ? କାହିଁ ବିଦ୍ୱେଷ ? କାହିଁ ଘୃଣା ? ତରୁ ତ କେବେ ଭାଇକି ଭୟକରି ପଳେଇ ଯାଉନି । ବରଂ ଟିକିଏ ଗଲେ ଫାଟିଯାଉଛି ଛାତି । କଅଁଳା ବାଛୁରୀ ଭଳି ହମ୍ୱାରଡ଼ି କରି ଛୁଟିଆସୁଛି ଭାଇ କୋଳକୁ । ଆଉ କ’ଣ କରୁଛି ରାଜଲକ୍ଷ୍ମୀ ? ଜୟନ୍ତର ଛାଇ ପଡ଼ିଲେ ଘୃଣାରେ ତା’ ଆପାଦମସ୍ତକ କମ୍ପିଉଠୁଛି । ଜୟନ୍ତକୁ ସେ ଭାବୁଛି ଗୋଟାଏ ବିଷଧର ନାଗସାପ, ଯିଏ ସବୁବେଳେ ଫଣାଟେକି ଉତ୍‍କର୍ଣ୍ଣ ହେଇ ରହିଛି ପାଇଲା ମାତ୍ରେହିଁ ଦଂଶନ କରିବ । ସେ ଭାବୁଛି ଜୟନ୍ତ ଯେମିତି ଗୋଟାଏ ନରରାକ୍ଷସ । ମଣିଷ ଖାଇବା ଯେମିତି ତା’ର ପ୍ରକୃତି । ରାଜଲକ୍ଷ୍ମୀକି ପାଇଲା ମାତ୍ରେ ରାଡ଼ୁ ମାଡ଼ୁ ଚୋବେଇଯିବ । ଇସ୍ ଏଇଥିରେ ପାଇବ ସେ ରାଜଲକ୍ଷ୍ମୀକି ? ଏଇଥିରେ ପାଇବ ନାରୀକି ? ନାରୀ ଆସେ ଛୁରାରେ ? ନାରୀର ହୃଦୟ କିଣାଯାଏ ରକ୍ତର ଆଞ୍ଜୁଳା ଦେଇ ??

 

ଜଣେ ଜଣକୁ ଭଲପାଏ କାହିଁକି ? ତା’ଠାରେ କୌଣସି ‘ଭଲଗୁଣ’ ପାଏ ବୋଲିତ ? ତରୁ ଦେଖେ ପରାଶର ତୁହିନ ଧବଳ ଗିରିଶୃଙ୍ଗ । ଟିକିଏ ମଳିନାହିଁ, ଧୂଳିନାହିଁ, କଳୁଷ ନାହିଁ, କାଳିମା ନାହିଁ । ସ୍ନେହ ପ୍ରେମର ଜୀବନ୍ତ ପ୍ରତିମୂର୍ତ୍ତି, ତ୍ୟାଗ ନିଷ୍ଠାର ଚଳନ୍ତି ପ୍ରତିମା, ପବିତ୍ରତାର ପୂଜ୍ୟ ଯୁଧିଷ୍ଠିର, ପୂଜ୍ୟ ଭୀଷ୍ମ, କାହିଁକି ସେ ଜୀବନଟା ଅଜାଡ଼ି ନ ଦେବ ତା ଚରଣରେ ? ଆଉ ଜୟନ୍ତ ? ଜୟନ୍ତ କ’ଣ ? ଜୟନ୍ତର କ’ଣ ଅଛି ? କ’ଣ ଦେଖି ଆସିବ ରାଜଲକ୍ଷ୍ମୀ ? —ଜୟନ୍ତର ମଦ ବୋତଲ ? ଜୟନ୍ତର ବନ୍ଧୁକ ? ଜୟନ୍ତର ଛୁରା ? ଜୟନ୍ତର ପାଟି ଭିତରୁ ମଦ, ଚୁରୁଟ୍‍ର ଭକ୍‍ଭକ୍‍ ଗନ୍ଧ ?

 

ଇସ୍‍ ଘୃଣାରେ ତା’ ଦେହ ଶିହରି ଉଠିଲା । ସେ କ’ଣ ସତେ ? ସେ ମଣିଷ ? ସେ ଭଗବାନଙ୍କର ସନ୍ତାନ ? ସେ ଅମୃତର ସନ୍ତାନ ? ତାକୁହିଁ ଦେଖି କ’ଣ ଆର୍ଯ୍ୟଋଷି ଗାଇଥିଲେ—

 

‘ମନୁଷ୍ୟ ଦେହେ ଦିବ୍ୟଜ୍ଞାନ

ଦେଖି ସନ୍ତୋଷ ଭଗବାନ ।’

 

ଛି, ଛି, ଛି, ଜୟନ୍ତ ଆଉ ଭାବି ପାରିଲା ନାହିଁ । ଆଉ ମୁହୂର୍ତ୍ତେ ଚିନ୍ତା କରି ପାରିଲା ନାହିଁ-। ସେହି କଳା ପୋଷାକ, କଳା ଟୋପି, କଳା ମୁହଁ, କଳା ହାତ ହେଇ ସେ କଳାଭୂତ ଭଳି ହୁ ହୁ ଛୁଟିଲା ରାସ୍ତାରେ । ନା, ତା’ର ଆତ୍ମା ତ କଳା । ସେ ଆଉ କଳା ପୋଷାକ ବଦଳେଇବ କାହିଁକି-? ଜୟନ୍ତ ଧାଇଁଛି । ଯେମିତି ଧାଇଁଥିଲା ଆଗଭଳି ସେମିତି ଛୁଟିଛି ଜୋରରେ । ଅଣ୍ଟାରେ ସେହି ଛୁରା-। ସେ ଯାଉଥିଲା ହତ୍ୟା କରିବାକୁ । ବର୍ତ୍ତମାନ ଯାଉଛି ବି ହତ୍ୟା କରିବାକୁ । କିଛି ତଫାତ୍‍ ନାହିଁ-। ତଫାତ୍‍ ନାହିଁ ।

 

ସେଦିନ ହେଇଥିଲା ଚିତଉ ଅମାବାସ୍ୟା । ନଡ଼ିଆ ଚାଉଳ ବାଟି ଭାରି ସୁନ୍ଦର ଚିତଉ କରେ ଅରୁଣା । ଆଉ ସୁନ୍ଦର ଚିତଉକୁ ସୁନ୍ଦର ବଂଧୁ ବି ଲୋଡ଼ା ଖାଇବାକୁ । ନହେଲେ ତ ପରାଶର ମୋଟେ ପାଟିରେ ଦେବେନି । ସେଇଥିପାଇଁ ତରୁ ଆଉ ରାଜଲକ୍ଷ୍ମୀ ଥିଲେ ସେଦିନ ଅରୁଣା ଘରେ । ଚାରିଜଣ ବସି ଗୋଟିଏ ଥାଳିରୁ ହସି ହସି ଗପ କରି କରି ଥଟା ପରିହାସ କରି ଖାଇଥିଲେ ପିଠା । ତା’ ପରେ ପାନ ଗୁଆ ଲବଙ୍ଗ ଅଳେଇଚ ଖାଇ ଆହୁରି ଗପ କରୁଥିଲେ ଅନେକ ବେଳଯାଏ । କେତେବେଳେ ପରାଶର ଉଠିଯାଇଁ ଆରଘରେ ଶୋଇଲେ । ତିନୋଟି ତରୁଣୀ ଗୋଟିଏ ସଉପ ମଶିଣାରେ ଗୋଟିଏ ତକିଆରେ ମୁଣ୍ତ ଦେଇ ଛନ୍ଦାଛନ୍ଦି ହୋଇ ଖୁନ୍ଦାଖୁନ୍ଦି ହେଇ ଶୋଇଲେ ଏ ଘରେ । ନିଦର ନା ସାଙ୍ଗିଆ ନାହିଁ ରାଜ୍ୟଯାକର ଗପ । ଟୁପୁ ଟୁପୁ, ଫୁସୁ ଫୁସୁ, ଫେଁ ଫେଁ ହସ, କିର୍‍କିର୍‍ ହସ, ଘର ଦୁଲ୍‍ଦୁଲ୍‍ କମ୍ପୁଛି ।

 

ତରୁ କହିଲା—ଭାଉଜମ’, ଆଜି ଯେମିତିକା ପାଗ ହେଇଛିନା, ଏ ରାଜଲକ୍ଷ୍ମୀଟା ଯଦି ବାହା ହେଇଥାଆନ୍ତା.....

 

ଆକାୟା ! ସେମିତି କହିବୁତ ଏଇ ଅନ୍ଧାରରେ ଉଠି ପଳେଇବି ।

 

ଯିବୁ, ଯାଃ’, କିନ୍ତୁ ସିଏତ ହଷ୍ଟେଲରେ ଥିବ......

 

ଆରେ ଆକାୟା—ତା’କୁ କୁଣ୍ଢେଇ ପକେଇ ରାଜଲକ୍ଷ୍ମୀ ତା’ ପିଠିରେ ମାଇଲା ଦୁଲ୍‍ଦୁଲ୍‍ ବିଧା ।

 

ଅରୁଣା କହିଲା—କିଲୋ ତରୁ, କଲ୍ୟାଣକୁ ତ ଦେଇଦଉଛୁ ଏ ନାଲଟୁହୁଟୁହୁ ଆମ୍ବ, ଜୟନ୍ତ କେମିତି ରହିବ ? ଜୟନ୍ତ ଯେ ତା’ ପାଇଁ ଝୁରି ଝୁରି କଣ୍ଟା ହେଲାଣି ।

 

ରାଜଲକ୍ଷ୍ମୀ କିର୍‍ କିରକିର୍‍ ହୋଇ ହସିଉଠିଲା । ତରୁ ହସି ହସି ଗଡ଼ିଗଲା । ଅରୁଣା ଚଢ଼ିଗଲା ଗୋଟାପଣେ ତା’ ଉପରେ । କହିଲା—ଦେଖି ଦେଖି ସେ ଗାଲଟା । କୋଉ ଗାଲଟା ସିଏ କାମୁଡ଼େ, ମୁଁ ଆଜି ଯଦି ସେ ଗାଲଟାକୁ କାମୁଡ଼ି କଇଁଥା ବାଇଗଣ ନକରି ଦେଇଛି.....

 

ଥାଉଲୋ ଥାଉ, ମୋ ଗାଲ କାହିଁକି କାମୁଡ଼ିବୁ ? ଭାଇକି କହିଦେବି ଯେ ତୋ’ କାନଟା ଉଡ଼େଇ ଫୋପାଡ଼ି ଦେବେ ।

 

ସତେଲୋ ତରୁ, ତୁ କାହିଁକି ଏମିତି ଉଛୁଳୁଛୁ ?

 

ମରିବି ପରା ।

 

ଆକାୟା !! —ରାଜଲକ୍ଷ୍ମୀ ଧରିପକେଇଲା ତରୁର ହାତ । ମୁହଁ ହେଲା ଗମ୍ଭୀର ।

 

ତରୁ ଫେଁକିନା ହସିଉଠିଲା । କହିଲା—ମୁଁ ମରୁନାହିଁ ମ, କୋଉ ଯମ ମତେ ନେବ ? ....ଟିକିଏ ରହି ଗମ୍ଭୀର ହେଇ କହିଲା—ଭାଉଜମ, ମୁଁ କାଲି ରାତିରେ ଗୋଟାଏ ସପନ ଦେଖିଛି, ଆମର ଏ ସ୍ନେହ ସରାଗ ଆଉ ବେଶୀ ଦିନ ରହୁନାହିଁ । କିଏ ଯେମିତି ଗୋଟାଏ ଆସି ଆମ ଭିତରେ ଜାଳି ଦଉଛି ନିଆଁ । ଜଣକୁ ହାଣି ଦଉଛି ଖଣ୍ତାରେ । ଆଃ ଭାଉଜ ! —ତରୁ ଗୋଟାପଣେ ଚିର୍‍ଚିର୍‍ ହୋଇ ଉଠି କୁଣ୍ଢେଇ ପକେଇଲା ଅରୁଣାକୁ । ଅରୁଣା ବି କୁଣ୍ଢେଇଧରି ଚିତ୍କାର ଛାଡ଼ିଲା—ତରୁ ! ତରୁ ! ଆମେ ଚେଇଁଛୁ ଯେ । .....ରାଜଲକ୍ଷ୍ମୀ ଡାକିଲା—ଆକାୟା ! ଆକାୟା !

 

ତରୁ କହିଲା—ହଁ ଆମେ ଚେଇଁଛେ । କିନ୍ତୁ କେଜାଣି କାହିଁକି ମତେ ଭାରୀ ଡର ମାଡ଼ୁଛି ଭାଉଜ । ମୁଁ ସଫା ଦେଖି ପାରୁଛି ରାହୁ ଭଳି ସେ ମାଡ଼ି ଆସୁଛି । ତା’ ହାତରେ ଗୋଟାଏ ମସ୍ତ ଛୁରା । ସେ ନିଶ୍ଚେ ଆମକୁ ହାଣିଦବ, ହାଣିଦବ ।

 

କବାଟ ହେଲା ଦୁଲ ଦୁଲ୍, ଦୁଲ୍‍ ଦୁଲ୍ । ତରୁଣ ସ୍ୱପ୍ନ ଚଟ୍‍କିନି ଭାଙ୍ଗିଗଲା । ରାଜଲକ୍ଷ୍ମୀ ତା’କୁ କୁଣ୍ଢେଇ ଧରିଥାଏ । ଅରୁଣା କ’ଣ କରିବ କିଛି ଭାବି ପାରୁ ନଥାଏ । କବାଟରେ ପୁଣି ଜୋରେ ଲାଗିଲା ଧକ୍‍କା—ଦୁଲ୍‍ ଦୁଲ୍ । ତରୁ ଉଠି ବସିଲା । ଚିତ୍କାର ଛାଡ଼ିଲା—କିଏସେ ? କିଏସେ ? ଭାଇ ! ଭାଇ !

 

ପରାଶର ଧଡ଼ପଡ଼ ହେଇ ଉଠି ବସିଲେ—କ’ଣ ମା’ ?

 

କିଏ ଗୋଟାଏ ଧକ୍‍କା ମାରୁଛି କବାଟରେ ।

 

ପରାଶର ଟର୍ଚ୍ଚ ଟିପି ବାହାରି ଆସିଲେ ବାହାରକୁ । ବାହାର କବାଟରେ ଖୁବ୍‍ ଜୋରେ ପୁଣି ଧକ୍‍କା ଲାଗିଲା । ପରାଶର ଡାକିଲେ—କିଏସେ ? କିଏସେ ?

 

ମୁଁ ଜୟନ୍ତ ।

 

ଜୟନ୍ତ ??

 

ହଠାତ୍‍ ବିଶ୍ୱାସ କରି ପାରିଲା ନାହିଁ ତରୁ । ରାଜଲକ୍ଷ୍ମୀ, ଅରୁଣା ସାହସ କଲେନି କବାଟ ଖୋଲିବାକୁ । ପରାଶର କହିଲା—ଯିଏ ହଉ, ଆମେ ଯଦି କାହାର ଅମଙ୍ଗଳ କରିଥିବା, ଭଗବାନ୍ ଆମକୁ ଦଣ୍ତ ଦେବେ । ଡର କାହିଁକି ? କବାଟ ଖୋଲାଯାଉ ।

 

ତରୁ ଧରି ପକେଇଲା ହାତ—ରୁହ ଭାଇ, ମୋର କାହିଁକି ଆଜି ସାହସ ହଉନାହିଁ କବାଟ ଖୋଲିବାକୁ ।

 

ନା, ଆମେ କାହାରି ଅନିଷ୍ଟ କରିନାହୁଁ । ତଥାପି ଯଦି ଭଗବାନ ଆମକୁ ଦଣ୍ତ ଦେବେ ଦିଅନ୍ତୁ—

 

ପରାଶର ଆଗେଇ ଯାଉଥିଲେ ଖୋଲିବାକୁ, ତରୁ କହିଲା—ନା, ନା, ତା’ ମୁଁ କରେଇ ଦେବିନାହିଁ । ତା’ ଆଗରୁ ମୁଁ ଚିତ୍କାର କରିବି । ...ଘରଭିତରୁ ଖୁବ୍‍ ଜୋରେ ଚିତ୍କାର ଛାଡ଼ିଲା ତରୁ—ଚୋର, ଚୋର, ଧାଇଁଆସ, ଧାଇଁଆସ । ...ପଡ଼ିଶାଘର ଜଣେ ଡି. ଏସ୍. ପି., ଆର ପାଖରେ ଜଣେ ଶିକ୍ଷକ, ବ୍ୟବସାୟୀ, ସାହିଲୋକ । ପାଟି ଶୁଣି ସମସ୍ତେ ହୋ ହୋ ହେଇ ଉଠିଆସିଲେ । ବାହାରେ ଆଠ ଦଶଜଣ ଲୋକଙ୍କର ପଦ ଶଦ୍ଦ ଶୁଣାଗଲା । ତା’ ପରେ ଧସ୍ତାଧସ୍ତା, ମାଡ଼, ଠୋ ଠୋ ଚଟକଣା ଦୁଲ୍‍ ଦୁଲ୍‍ ଠେଙ୍ଗା । ତରୁ ଯାଇଁ ଖୋଲିଦେଲା କବାଟ । ପରାଶର ଟର୍ଚ୍ଚ ମାରିଲେ—ଆଃ, ଗୋଟାଏ କଳାଭୂତ । ତରୁ ଏକଦମ୍‍ ବେଚେତ୍ ହେଇ ପଡ଼ିଯିବା ଉପରେ । ଆଉଥରେ ଟର୍ଚ୍ଚ ମାରିଲେ ପରାଶର । ଆଲୁଅଟା ଏଥରକ ଠିକ୍‍ ମୁହଁ ଉପରେ ପଡ଼ିଲା—ଆଁ ଜୟନ୍ତ ? ସତରେ ଜୟନ୍ତ ? ଲୋକେ ଛାଡ଼ି ଅଲଗା ହେଇଗଲେ । ତଟସ୍ଥ ହେଇ ଚାହିଁରହିଲା ତରୁ । —ଜୟନ୍ତ ! ତା’ ସ୍ୱାମୀ ଜୟନ୍ତ ! ତ୍ରିପଣ୍ତ କଳା ଜୟନ୍ତ !! ଡକେଇତ ଜୟନ୍ତ !! ଓଃ ଭଗବାନ ! —ତରୁକୁ ଅନ୍ଧାର ଦିଶିଲା ଚଉଦିଗ । ସେ କଚାଡ଼ି ହେଇ ପଡ଼ିଲା ।

 

ଜୟନ୍ତର ଅବସ୍ଥା ସାଂଘାତିକ । ବାଁ ପାଖ ମୁଣ୍ତ ଫାଟିଯାଇଛି ଏକାବେଳକେ । ରକ୍ତ ଝର ଝର ହେଇ ଝରି ପଡ଼ୁଥାଏ । ଦେହ, ହାତ, ମୁହଁ, ମୁଣ୍ତ ରକ୍ତ ଜୁଡ଼ୁ ବୁଡ଼ୁ । ପାଟିରୁ କଥା ବାହାରୁ ନାହିଁ-। ମୁଣ୍ତର ରକ୍ତ ଧାର ଧାର ହେଇ ଆସି ପାଟିରେ ପଶୁଛି । ତଥାପି ଜୟନ୍ତ ଧୀର, ନିଶ୍ଚଳ, ଥିର-। ଭିତର ବାହାର ସବୁ ଆଜି ଥିର । ଟିକିଏ ବି କମ୍ପନ ନାହିଁ । ଅନ୍ୟ ବେଳ ହୋଇଥିଲେ ଅନ୍ତତଃ ଦି’ଅଣ୍ତାକୁ ସେ କଚ୍‍ କଚ୍‍ କରି ହାଣିଥାନ୍ତା । କିନ୍ତୁ ଆଜି ସେ ମୂଷା । ମୂଷା । ପଦଟିଏ ବଚନ ବାହାରିନାହିଁ ତୁଣ୍ତରୁ । ମୁଣ୍ତରୁ ରକ୍ତ ଆସି ଖାଲି ଧାର ଧାର ପାଟିରେ ପଶୁଛି । ଘଡ଼ିକେ ହାଲହୁଲୋଳି ପଡ଼ିଗଲା-। ତରୁ, ଅରୁଣା, ରାଜଲକ୍ଷ୍ମୀ ଏକାବେଳେ ଭୋ’କିନି କାନ୍ଦିଉଠିଲେ । ତରୁ ଭୋଭୋ କାନ୍ଦି ଧାଇଁଗଲା ରକ୍ତ ପୋଛି ଦବାକୁ ।

 

ସେ ରକ୍ତାକ୍ତ ମୂର୍ତ୍ତି ଚିତ୍କାର କରି ଉଠିଲା—ନା, ନା, ନା, ମତେ ଛୁ’ନା, ମତେ ଛୁ’ନା ତରୁ-। ମୁଁ ଆସିଛି ହତ୍ୟା କରିବାକୁ । ହତ୍ୟା । କରିବାକୁ । ଖାଲି ଏହି କଳା ପୋଷାକ ଦେଖୁଛୁକି-? ୟା’ତଳେ ବି ଧଳା ଅଛି । —ସାଆଁଇକିନା ବାହାର କରିଦେଲା ଛୁରାଟାକୁ । ଚାଉଁକିନା ଚମକିପଡ଼ି ଲୋକେ ଦଶହାତ ଦୂରକୁ ଘୁଞ୍ଚିଗଲେ । —ନା, ଡରିବାର ଆଉ କିଛି ନାହିଁ । ମୁଁ ଆସିଥିଲି ହତ୍ୟା କରିବାକୁ । କିନ୍ତୁ ପାରିଲି ନାହିଁ । ମୋଦ୍ୱାରା ହେଇ ପାରିଲା ନାହିଁ ସେ କାମ । ଆଃ .....ସେ ହଠାତ୍‍ ରହିଗଲା । କହି ପାରିଲାନି ବୋଧେ । ଛୁରାଟାକୁ ପିଙ୍ଗିଦେଲା ଦୂରକୁ । ରକ୍ତ ଧାର ଧାର ବହିଯାଉଥାଏ, ଘୁଷୁରି ଘୁଷୁରି ବହୁ କଷ୍ଟରେ ଟିକିଏ ଆଗକୁ ଗଲା । ଯାଇଁ ଲମ୍ବହେଇ ପଡ଼ିଗଲା ରାଜଲକ୍ଷ୍ମୀର ପାଦ ଉପରେ । ପାଦ ଦୁଇଟାକୁ ଧରି ଢୁ’ ଢୁ’ ପିଟିଦେଲା ମୁଣ୍ତ !!

 

ଆଃ, ଭଗବାନ !! —ସମସ୍ତେ ସ୍ତବ୍‍ଧ ହେଇ ରହିଗଲେ । ସମସ୍ତଙ୍କ ଆଖିରୁ ଧାର ଧାର ହେଇ ଲୁହ ବହିପଡ଼ିଲା ! ରାଜଲକ୍ଷ୍ମୀ ତା’କୁ ତଳୁ ଉଠଉଥିଲା, କିନ୍ତୁ ଅସମ୍ଭବ । ସେ ଉଠିବ ନାହିଁ । ସେ ପାଗଳ ଭଳି, ଉନ୍ମାଦ ଭଳି, ଉଦ୍‍ଭ୍ରାନ୍ତ ଭଳି କହି ଚାଲିଥାଏ—ମୁଁ ଇ ଟେଲିଗ୍ରାମ୍‍ କରି ତମକୁ ପାରଳାରୁ ଅଣେଇଥିଲି, ମୁଁ ଇ ସମ୍ବଲପୁର ପଠେଇଥିଲି ଦଶ ଦଶଟା ଗୁଣ୍ତା, ମୁଁ ଇ ତମକୁ ପାଇବା ପାଇଁ ତରୁ ନାମରେ ରଟେଇଥିଲି କଳଙ୍କ, ଆଉ ଆଜି ମୁଁ ଇ ଆସୁଥିଲି ତମକୁ ହତ୍ୟା କରିବାକୁ—ତମକୁ କଚ୍‍ କଚ୍‍ କରି କାଟିଦବାକୁ । ରାଜଲକ୍ଷ୍ମୀ ! ରାଜଲକ୍ଷ୍ମୀ ! ରାଜଲକ୍ଷ୍ମୀ ! ତମେ ମୋତେ କ୍ଷମା କରନାହିଁ, କ୍ଷମା କରନାହିଁ । ଏଇ ଛୁରାରେ ତମେ ମୋତେ ହତ୍ୟା କର । ମୋ ଛାତି ଭିତରୁ ମୋ ଫୁଲ କଲିଜା ଓପାଡ଼ିଆଣ, ଟାଣିଆଣ, ଦୁହିଁଆଣ । ଆଃ, ଆଃ, ଆଃ...ଛାତିଟାକୁ ଖୁବ୍‍ ଜୋରେ ଜାବୁଡ଼ି ଧରି ସେ ଗଡ଼ିପଡ଼ିଲା । ନିର୍ଘାତିଆ ପାହାର ବସି ବସି ଦି’ ବାହାର ହାଡ଼ ତ ଭାଙ୍ଗିଯାଇଥାଏ, ରାତିରେ ବୋଧେ ପାହାର ବସିଥାଏ ଚଉରସ । ଛାତିତଳର ଫୁଲ କଲିଜା ବୋଧେ ସତକୁ ସତ ଦୁହିଁହେଇ ଆସୁଥାଏ ସହସ୍ର ଖଣ୍ତ ହେଇ । ଏଣେ ରାଜଲକ୍ଷ୍ମୀ ପାଦରେ ଏତେ ଜୋରରେ ମୁଣ୍ତ ପିଟିବା ଫଳରେ ଫଟା ମୁଣ୍ତର ରକ୍ତ ଯାହା ଟିକିଏ ଟିକିଏ ବୋହୁଥିଲା, ଏକାବେଳକେ ପଚା ପାଣିକଖାରୁ ଭଳି ଗଳ ଗଳ ହେଇ ଗଳିପଡ଼ିଲା । ତରୁ ଅନ୍ଧ ହେଇ ଗଗନ ଫଟେଇ କିଳିକିଳା ରଡ଼ି ଛାଡ଼ିଲା—ହା ଭଗବାନ !

 

ଭଗବାନ ତା’ ଡାକ ଶୁଣିଲେ କି ନାହିଁ କେଜାଣି କିନ୍ତୁ ଶୁଣିଲା ଜୟନ୍ତ । ତରୁ ତା’କୁ ଗୋଟାପଣେ ଛାତି ଉପରେ କୁଣ୍ଢେଇ ଧରିଥାଏ । ଜୟନ୍ତ କ’ଣ ଭାବିଲା ସେହି ରକ୍ତ ବଲବଲ ହାତରେ ଗୋଟାଏ ଠାଇକିନା ଚଟକଣା କଷିଦେଲା ତରୁକୁ । ଅତି କ୍ଷୀଣ କଣ୍ଠରେ କହିଲା—ତୁଇ ତୁଇ ରାଷସୀ । ତୁଇ ମୋତେ ବାଧା ଦେଲୁନାଇଁ ପହିଲୁ । ତୁଇ ମୋତେ ନେଇଯାଇଛୁ ଏ ନରକପୁରୀକୁ । ତୁଇ ଦେଇଛୁ ମୋ ତଣ୍ଟିରେ ଖୁର !! ଆଃ....ଘନଘନ ଘନଘନ ଚୁମା ଦେଲା ତରୁ ଗାଲରେ । କହିଲା—ତରୁ ! ତରୁ ! ତରୁ ! ତୋତେ ଛାଡ଼ି ମୁଁ ଚାଲିଯାଉଛି ତରୁ । ତୋତେ କିନ୍ତୁ ଅପାତ୍ରରେ ଦେଇଯାଉନି । ପରାଶର ଦେବତା । ଆଃ ତରୁ ! ତରୁ ! ତରୁ ! ଆଃ...ଆଃ....ଠକକିନି ଜୟନ୍ତ ଖସିପଡ଼ିଲା । ଅନ୍ଧାର, କିଟିକିଟି ଅନ୍ଧାର । ତା’ ପରେ ଖାଲି କଳା ବଲବଲ ଅନ୍ଧାର । ପେଚା ଡାକୁଥିଲା । ପେଚା ଡାକୁଥିଲା ତରୁକୁ—ଆ’, ଆ’, ଆ’ । ତରୁ ଲୋଟିପଡ଼ି ଘନଘନ ଚୁମା ଦେଉଥିଲା ଜୟନ୍ତ ଗାଲରେ, ଚୁମା ଦେଉଥିଲା ରକ୍ତ ସର ସର ମୁର୍‍ଦାର୍‍ର ମୁହଁ ଉପରେ, ପାଟି ଉପରେ, ନାକ ଉପରେ, ଗାଲ ଉପରେ, କାନ ଉପରେ । କହୁଥିଲା—ଜୟନ୍ତ ! ଜୟନ୍ତ ! ଜୟନ୍ତ !

 

–ଊଣେଇଶ–

 

ନାରୀକି ଚିହ୍ନିବା ପାଇଁ ଯଦି ସ୍ୱୟଂ ବ୍ରହ୍ମା ଅବତରଣ କରନ୍ତି ଧରଣୀରେ ଏବଂ ଏକ ଗଭୀର ଗବେଷଣା କରନ୍ତି ଜୀବନସାରା, ତଥାପି ତା’ର ଲକ୍ଷେ ଭାଗରୁ ଭାଗେ ବି ସେ ଚିହ୍ନି ପାରିବେ ନାହିଁ । ନାରୀ ଯେ କେତେବେଳେ କ’ଣ କହେ, କେତେବେଳେ କ’ଣ କରେ, କେତେବେଳେ କା’ କଥା ଭାବେ, କେତେବେଳେ କା’ ପାଇଁ ଅଶ୍ରୁ ମୋଚନ କରେ ତା’ ଜାଣିବା ପାଇଁ ପୃଥିବୀର ବହୁ ଶ୍ରେଷ୍ଟ ମନୀଷୀଙ୍କୁ ଯୁଗ ଯୁଗ ଲାଗିଯାଇଛି । ତା’ର କାଣିଚାଏ ଜାଣି ପାରି ନାହାଁନ୍ତି । ବରଂ ଅନ୍ଧ ହାତୀ ଦେଖିଲାଭଳି କେତେବେଳେ କହିଛନ୍ତି ଛଳନାମୟୀ, କେତେବେଳେ କହିଛନ୍ତି ରହସ୍ୟମୟୀ, କେତେବେଳେ କହିଛନ୍ତି—Inscrutable are the ways of women’s heart. ଏ କେବଳ ପରାଜୟ—ଚରମ ପରାଜୟର ବାଣୀ ଛଡ଼ା ଆଉ କିଛି ହେଇପାରେନା । ଆଜି ଠିକ୍‍ ସେହିକଥା ଫଳିଲା ଅକ୍ଷରେ ଅକ୍ଷରେ । ଆଜି ମଣିଷର ସବୁ ବିଦ୍ୟା, ବୁଦ୍ଧି, ବିବେକ, ଅଶ୍ରୁ କାତର ପ୍ରାର୍ଥନା ଅତି ନିର୍ମମଭାବେ ପରାଜୟ ସ୍ୱୀକାର କଲା ଗୋଟିଏ ତରୁଣୀର ନୀରବ ଚାହାଁଣୀ ତଳେ ।

 

ଆଶ୍ଚର୍ଯ୍ୟ, ଅଦ୍‍ଭୁତ, କଳ୍ପନାତୀତ ଏ ନାରୀ । ଶତ କଳ୍ପନାତୀତ ତା’ର ଚିନ୍ତା, ତା’ର ମନ, ତା’ର ହୃଦୟର ନିବିଡ଼ ଉଚ୍ଛ୍ୱାସ । ବିବାହ ଦିବସଠାରୁ ଆଜିକି ପାଞ୍ଚବର୍ଷ କଟିଗଲା । କେବଳ କେତୋଟି ବ୍ରତ, ଉପାସ, ନିଷ୍ଠା, କାଷ୍ଠା ଛଡ଼ା ତରୁ ଭୁଲରେ ଦିନେ ଜୟନ୍ତର ନାଁ ପର୍ଯ୍ୟନ୍ତ ଧରିନାହିଁ, ଜୟନ୍ତ ବିଷୟ ଆଲୋଚନା କରିନାହିଁ, ଜୟନ୍ତର ଫଟୋ ଆଗରେ ମଥା ନୋଇଁ ଠିଆ ହୋଇନାହିଁ, ଜୟନ୍ତ ସାଙ୍ଗରେ ହସଖୁସୀ ହେଇ ପ୍ରେମାଳାପ କରିନାହିଁ । ବରଂ ଜୟନ୍ତର ଛାଇ ପଡ଼ିଲେ ଯେମିତି ତା’ ସର୍ବାଙ୍ଗ ଶରୀର ଥରିଉଠିଛି ଭୟରେ, ଲଜ୍ଜାରେ, ଅନୁଶୋଚନାରେ । ଜୟନ୍ତର ହାତ ଧରି ଯେମିତି ସେ ଜୀବନରେ ମସ୍ତ ଏକ ଭୁଲ୍‍ କରିଛି । ପରାଶର, ଫାଦର୍‍ ଉଇଲିୟମ୍, ଡକ୍ଟର ସାହାଣି, କଲ୍ୟାଣ ଆଦିଙ୍କ ମେଳରେ ଥିଲାବେଳେ ଭୁଲରେ କେବେ ଜୟନ୍ତର କଥା ପଡ଼ିଗଲେ ତା’ ମୁହଁ ସଙ୍ଗେ ସଙ୍ଗେ କଳା ପଡ଼ିଯାଇଛି—ଯେମିତି ପୋଷେ କଳାପାଣି ଚାହୁଁ ଚାହୁଁ ନିଗିଡ଼ି ପଡ଼ିଛି ସେ ସଜ କନିଅର ମୁହଁରୁ । ଏପରି ଏକ ଅଯୋଗ୍ୟ, ଅପଦାର୍ଥ, ମଦ୍ୟପ, ଲମ୍ପଟ, ଚରିତ୍ରହୀନ ପାଇଁ ତା’ ଅନ୍ତରରେ ଯେ ତୀବ୍ର ଘୃଣା ଏବଂ ପରାଶର, ଫାଦର୍‍ ଉଇଲିୟମଙ୍କ ଭଳି ସାଧୁ, ସନ୍ଥ, ଦେବତାଙ୍କ ପାଖରେ ଜୟନ୍ତ ଯେ ଗୋଟାଏ moral leper, ଗୋଟାଏ debauch ଗୋଟାଏ ବିଷ୍ଠାଭୋଗୀ ଘୃଣ୍ୟ ଶୂକର ଏଇଆ ଯେମିତି ପ୍ରତି ପଦେ ପଦେ ପ୍ରମାଣିତ ହେଇଛି ତା’ ଭାବ, ଭଙ୍ଗୀ, କଥା ଓ କର୍ମକଳାପରୁ । ପରାଶର ସାଙ୍ଗରେ ସେ ଘଣ୍ଟା ଘଣ୍ଟା ଧରି, ଦିନ ଦିନ ଧରି, ମାସ ମାସ ଧରି ମିଶିଛି, ବସିଛି, ହସିଛି, ଦୂର ବିଦେଶ ଯାଇଛି ଭ୍ରମଣରେ, ଅଥଚ ଜୟନ୍ତକୁ ଦିନେ ଆଡ଼ଆଖିରେ ଚାହିଁ ନାହିଁ । ଜି. ଉଦୟଗିରିରୁ ସେ ପାଗଳିନୀ ହେଇ, ଉନ୍ମାଦିନୀ ହେଇ, ଅନ୍ଧୁଣୀ ହେଇ ଛୁଟିଆସିଛି ପରାଶର ପାଖକୁ । ଆସି ଲୋଟିଯାଇଛି ପରାଶରର ଚରଣତଳେ, ପରାଶରକୁ ଆପଣା ହାତରେ ଖୁଆଇ ଦେଇଛି ଭଗିନୀଭଳି, ଜନନୀ ଭଳି, କେତେ ସ୍ନେହରେ, ଶ୍ରଦ୍ଧାରେ, ପ୍ରୀତିରେ, ଆନନ୍ଦର ଅଶ୍ରୁପ୍ରବାହ ଭିତରେ, ଅଥଚ ଜି. ଉଦୟଗିରି ଗଲାବେଳେ ଜୟନ୍ତକୁ ସାମାନ୍ୟ କଥା ପଦିଏ କହିନାହିଁ, ଫେରି ମଧ୍ୟ ତୁଣ୍ତ ଖୋଲିନାହିଁ ଭୁଲରେ ।

 

ସେଇ ତରୁ—ସେଇ ଉଦାସୀନା ତରୁ, ସେଇ ଚିରକାଳ ଘୃଣା କରି ଆସିଥିବା, ଉପେକ୍ଷା କରି ଆସିଥିବା ତରୁର ଆଗି କ’ଣ ହେଲା, ଆଜି ଯେମିତି ସେ ଜୟନ୍ତକୁ ଆବିଷ୍କାର କରିଛି–ଆବିଷ୍କାର କରିଛି ଜୟନ୍ତର ମରଣ ପରେ ।

 

ମରଣ ପରେ କ’ଣ ମଣିଷ ବଞ୍ଚେ ? ମଲାମଣିଷ କ’ଣ କଥାକହେ ? ମଲାମଣିଷ କ’ଣ ଫେରିଆସେ ? ମଲାମଣିଷ କ’ଣ ହାତଠାରି ଡାକେ ? ତରୁକୁ ଯେମିତି ଆଜି ହାତଠାରି ଡାକୁଛି ଜୟନ୍ତ । ତରୁ ସାଙ୍ଗରେ ଯେମିତି କଥା କହୁଛି ଦିନ ରାତି ସକାଳ ସଂଜ ଚବିଶିଘଣ୍ଟା । ଦିଗଦିଗନ୍ତରେ ଯେମିତି ଆଜି ଜୟନ୍ତ ପରିବ୍ୟାପ୍ତ ହେଇଯାଇଛି । ଆକାଶର ନୀଳିମାରେ, ପୁଷ୍ପର ସୁରଭିରେ, ଧରଣୀର ସବୁଜିମାରେ, ଚଲାପଥର ଧୂଳିକଣିକାରେ, ପତ୍ରର ମର୍ମରରେ, ଝିଲ୍ଲୀର ଝଙ୍କାରରେ—କୋଉଥିରେ, କୋଉଥିରେ ନାଇଁ ଜୟନ୍ତ ? କିଏ ଆଜି କହୁନାହିଁ ଜୟନ୍ତର କଥା, ଜୟନ୍ତର ରୂପ, ଜୟନ୍ତର ଭଙ୍ଗୀ, ଜୟନ୍ତର ଠାଣି ? ତରୁ ଆଖି ଟେକି ଖାଲି ଚାହିଁଛି, କାନ ଡେରି ଖାଲି ଶଣୁଛି । ଚାରିଆଡ଼େ ଜୟନ୍ତ, ଜୟନ୍ତ, ଜୟନ୍ତ ।

 

ମଲା ପୂର୍ବରୁ ସେ ଜୟନ୍ତକୁ କୋଳରେ ପୂରେଇ ବସିଥିଲା । ଲୋକେ ବହୁ ଆଗରୁ ଜୟନ୍ତକୁ ତା’ଠୁଁ ଛଡ଼େଇ ନେଇ ମଶାଣିରେ ପୋଡ଼ି ପାଉଁଶ କରି ସାରିଲେଣି । କେତେ ଦିନ, କେତେ ସପ୍ତାହ, କେତେ ମାସ ବିତିଗଲାଣି । ତଥାପି ଯେମିତି ମନେହେଉଛି ତରୁ ଏବେ ବି ଜୟନ୍ତକୁ ଠିକ୍‍ ସେମିତି କୋଳରେ ଧରି ବସିଛି । ଗୋଟିଏ ଆଖିରେ, ଅପଲକ ଆଖିରେ ଚାହିଁରହିଛି ଜୟନ୍ତର ମୁହଁକୁ । ଟିକିଏ ହଲ୍‍ ନାହିଁ ଚଲ୍‍ ନାହିଁ, କଥା ନାହିଁ ବାର୍ତ୍ତା ନାହିଁ, ଅଶ୍ରୁ ନାହିଁ ଦୀର୍ଘଶ୍ୱାସ ନାହିଁ, ଖାଲି ଚାହିଁଛି—ଚାହିଁଛି । ନିର୍ବୋଧ ଭଳି, ମୂର୍ଖଭଳି, ପାଗଳ ଭଳି ଖାଲି ଘଣ୍ଟା ଘଣ୍ଟା ଧରି ଚାହିଁରହିଛି ଆକାଶକୁ, ଶୂନ୍ୟକୁ, ସୁଦୂର ଚକ୍ରବାଳକୁ ।

 

ଏଇ କ’ଣ ମଣିଷ ? ଏଇ କ’ଣ ନାରୀ ? ଏଇ କ’ଣ ଚପଳା ବାଳିକା ତରୁ ? କାହିଁ ସେ ହସ ? କାହିଁ ସେ କଥା ? କାହିଁ ସେ ବନଝରଣା ଭଳି ଛଳ ଛଳ କଳ କଳ ଗତି ? କାହିଁ ସେ ବନହରିଣୀ ଭଳି ଫକ୍‍ ଫକ୍‍ ଡିଆଁ ? କାହିଁ ସେ ଚଞ୍ଚଳତା ? କାହିଁ ସେ କର୍ମତତ୍ପରତା ? କାହିଁ ସେ ପ୍ରେମ ପ୍ରୀତିର ଉଲ୍ଲୋଳ କଲ୍ଲୋଳ ? କାହିଁ ସେ ଖଳ ଖଳ ହସର କୂଳଉଛୁଳା ଅମୃତ ? ତରୁ—ତରୁ—ତରୁ କାହିଁ ? ତରୁ କ’ଣ ବଞ୍ଚିଛି ?

 

ତରୁ ମରିଥିଲା ଜୟନ୍ତ ମରଣର ଠିକ୍‍ ପରେ ପରେ । ତରୁର ମାଟି ଦେହଟା, ମଲା ଦେହଟା ଖାଲି ପଡ଼ିରହିଥିଲା ସିନା, ତରୁଣ ଆଉ ଜୀବନ ନଥିଲେ, ପ୍ରାଣ ନଥିଲା, ସ୍ପନ୍ଦନ ନଥିଲା, ଅଶ୍ରୁ ନଥିଲା । ତରୁ ବଂଚିଥିଲା ମରି ପାରୁ ନଥିଲା ବୋଲି, ମରିଥିଲା ବଂଚିବାର ଆଉ ସ୍ୱାଦ ନଥିଲା ବୋଲି ।

 

ପରାଶର ପାଇଁ ତରୁର ଏତେ ଭକ୍ତି, ଏତେ ପ୍ରୀତି, ଏତେ କୋମଳତା, ପରାଶର ପାଇଁ ତରୁ ମୁଣ୍ତ ପିଟିଦିଏ, ପରାଶରକୁ ନ ଦେଖିଲେ ତରୁ ଅନ୍ଧୁଣୀ ହେଇଯାଏ, ବାୟାଣୀ ହେଇଯାଏ, ଭାଇ ଭାଇ ଡାକି ଆକାଶ ପବନ କମ୍ପେଇଦିଏ । ଆଜି ସେଇ ପରାଶର ଅଛି, ପରାଶର ଆଖିରେ ସେଇ ଅଶ୍ରୁର ବନ୍ୟା ଅଛି, ପରାଶର ଛାତି ସେମିତି ଫାଟିଯାଉଛି ଦୁଃଖରେ, ବ୍ୟଥାରେ, ବେଦନାରେ, ଅଥଚ ତରୁ ନାହିଁ ! ତରୁ ଖାଲି ଜଳ ଜଳ ଚାହିଁଛି । ସବୁ ଦେଖୁଛି, କିଛି ବୁଝିପାରୁନି, ଜାଣିପାରୁନି, ଅନୁଭବ କରିପାରୁନି । ପରାଶର କହି କହି, କାନ୍ଦ କାନ୍ଦି, ଅନୁନୟ କରି କରି, ଉପହାସ ରହି ରହି ବ୍ୟତିବ୍ୟସ୍ତ ହେଇଗଲେଣି । ତରୁର ଉଁ ନାଇଁ କି ଚୁଁ ନାଇଁ, ହଲ ନାଇଁ କି ଚଲ୍ ନାଇଁ । ସେ ଖାଲି ବସିଛି ବସିଛି । ବଲ ବଲ ଚାହିଁଛି ଖାଲି ପଥର ପ୍ରତିମା ଭଳି ।

 

ରାଜଲକ୍ଷ୍ମୀ, ଅଚୁଣା, କଲ୍ୟାଣ, ଡକ୍ଟର ସାହାଣି କହି କହି ଥକିଗଲେଣି, ବିରକ୍ତ ହେଲେଣି, ରାଗିଲେଣି, ତଥାପି ‘ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ୍‍’ । ଜୀଅନ୍ତା ଗଛର ପତ୍ର ସିନା କଅଁଳିବ, ଛନ ଛନ ହେଇ ଉଠିବ, ଶୁଖିଲା କାଠ ଛନ ଛନ ହବ କେମିତି-? ଶୁଖିଲା କାଠ ଭିତରେ ଜୀବନର କଳ୍ପନା କରିବା ଖାଲି ନିର୍ବୋଧତା ସିନା ।

 

ଫାଦର ଉଇଲିୟମ୍‍ ରାତାରାତି ଧରି ବୁଝେଇ ସୁଝେଇ ଫାଟି ଫୁଟି ଗଲେ । କହିଲେ–ସବୁ ମାୟା, ସବୁ ମିଛ, ସବୁ ଭ୍ରାନ୍ତି, କେହି କାହାର ନୁହଁନ୍ତି । କାହାରି ପାଇଁ ଶୋକ କରିବା ଉଚିତ ନୁହେଁ । ଆତ୍ମା ଆମର । ଗୀତାର ଶ୍ଳୋକ—

 

ଅବ୍ୟକ୍ତାଦୀନ ଭୂତାନି ବ୍ୟକ୍ତମଧ୍ୟାନି ଭାରତ

ଅବ୍ୟକ୍ତ ନିଧନାନ୍ୟୋବ ତନ୍ତ୍ର କା ପରିଦେବନା ।

 

ସବୁ ହେଲା, ସବୁ ବୁଝେଇଲେ, ସବୁ କାନେ କାନେ କହିଲେ ଫାଦର । କିନ୍ତୁ ହାୟଃ, ଯୋଉ ଗଛର ଚେର ଉପୁଡ଼ି ଯାଇଛି, ଯୋଉ ଗଛ ସେ ଶୋଷୁ ନାଇଁ ମାଟିରୁ, ସେ ଗଛରେ ହଜାର ମଳୟ ବାଜିଲେ ଆଉ ଜୀବନ ସଂଚାର ହେବ କେମିତି ?

 

ତରୁ ସବୁ ଶୁଣିଲା, କିଛି ଶୁଣିଲାନାହିଁ । ସବୁ ଦେଖିଲା, କିଛି ଦେଖିଲା ନାହିଁ । ସବୁ ଆଗରେ ରହିଲେ, କେହି ମନେପଡ଼ିଲେ ନାହିଁ । ଆଉ ମନେପଡ଼ିଲେ ନାହିଁ ପରାଶର, ମନେପଡ଼ିଲେ ନାହିଁ ଫାଦର୍‍ ଉଇଲିୟମ୍, ମନେପଡ଼ିଲା ନାହିଁ ରାଜଲକ୍ଷ୍ମୀ, ମନେପଡ଼ିଲା ନାହିଁ ଉଦୟଗିରିର କୁଷ୍ଠରୋଗୀ । ସେ ଖାଲି ବସିଛି ତ ବସିଛି, ଚାହିଁଛି ତ ଚାହିଁଛି । ଖାଇବାକୁ ମନ ନାହିଁ, ପିନ୍ଧିବାକୁ ମନ ନାହିଁ, ଉଠିବାକୁ ମନ ନାହିଁ । ଖାଲି ଶୂନ୍ୟ ଆକାଶକୁ ନୀରବ ଆଖିରେ ଚାହିଁଛି, ଚାହିଁଛି, ଚାହିଁଛି ।

 

ଖାଲି ଚାହିଁ ରହିଲେ ଦୁନିଆ ଚଳେନା, ଡଙ୍ଗା ଅଟକି ଯାଏ ବାଲିଚଡ଼ାରେ । ତରୁ ଏମିତି ପାଗଳିନୀ ହେଲାଦିନୁ ପରାଶର ଅର୍ଦ୍ଧ ପାଗଳ ହୋଇ ଯାଇଛନ୍ତି । ସହଜେ ସେ ଅତି ଭାବପ୍ରବଣ, କୋମଳ, ତହିଁରେ ପୁଣି ତରୁର ଏ ଚରମ ଉଦାସୀନତା ତା’ଙ୍କ ପ୍ରାଣରେ କଠୋର ଆଘାତ ଦେଇଛି-। ବେଳେ ବେଳେ ସେ ପିଲାଙ୍କଭଳି କଇଁ କଇଁ କାନ୍ଦିଛନ୍ତି, ବେଳେ ବେଳେ ଭଗବାନଙ୍କୁ ଅଭିଶାପ ଦେଇଛନ୍ତି ତରୁକୁ ଏମିତି ପଙ୍ଗୁ କରିଦେବାକୁ । କିନ୍ତୁ ସବୁବେଳେ ପ୍ରାୟ ଅନ୍ୟମନସ୍କ ରହିଛନ୍ତି-। ନିଜର କର୍ତ୍ତବ୍ୟ ନିର୍ଦ୍ଧାରଣ କରି ପାରି ନାହାଁନ୍ତି ।

 

ହଠାତ୍ ଏକ ଜରୁରି ଟେଲିଗ୍ରାମ୍‍ ପାଇ ଫାଦର୍‍ ଉଇଲିୟମ୍‍ ଫେରି ଯାଇଛନ୍ତି ନିଜ କର୍ମଭୂମି କୋରାପୁଟର ମାଳ ଅଞ୍ଚଳକୁ । ପି. ଭି. ନରସିଂରାଓଙ୍କ ଦେହ ଅସୁସ୍ଥ ଥିବାରୁ ରାଜଲକ୍ଷ୍ମୀ ଯାଇଛି ପାରଳା । ଡକ୍ଟର ସାହାଣିଙ୍କ ଛୁଟି ସହଜେ ପୂରି ଆସିଛି । ସେ ବାଧ୍ୟ ହେଇ ଫେରିଛନ୍ତି ଭାଇଜାଗ । ଭେଙ୍କ୍‍ଟାୟାର କଲେଜ ଖୋଲିଛି । ତେଣୁ ସେ ତିରୁପତି ନ ଯାଇଁ ଉପାୟ ନାହିଁ ।

 

ଦୁର୍ଯୋଗ ଯେତେବେଳେ ଆସେ ଏମିତି ଏକାବେଳକେ ଜାକିଜୁକି ହେଇ ଆସେ । ସମସ୍ତେ ଗଲେ । ବାକି ଯିଏ ରହିଲେ ନଥିଲା ଭଳି । ତରୁ ମୁକ, ଜଡ଼, ଅଥର୍ବ; ପରାଶର ନିର୍ବୋଧ, ଅର୍ଦ୍ଧପାଗଳ; କଲ୍ୟାଣ ଅବଶ୍ୟ ବେଳେ ବେଳେ ଆସି ବସୁଛି ବୋଉଦୀଙ୍କ ଚରଣତଳେ, ବୋଉଦୀଙ୍କ ମୁହଁକୁ ବଲ ବଲ ଚାହିଁ ଡବ ଡବ ଲୁହ ଢାଳୁଛି ଆଖିରୁ, କିନ୍ତୁ ସବୁବେଳେ ସେ ରହିପାରୁନି, ତା’ ଫାଇନାଲ୍‍ ପରୀକ୍ଷା ମୁଣ୍ତଉପରେ । ମୁଣ୍ତଉପରେ ଯେମିତି ପାହାର ପଡ଼ୁଛି ଦାଉଁ ଦାଉଁ । ବାକି ରହିଲା ଅରୁଣା—ଅସହାୟା, ନିଃସହାୟା, ଅବଳା ଅରୁଣା, ଯିଏ ଭାତ ରାନ୍ଧେ, ବିଛଣା କରେ, ତେଲ ଲୁଣର ହିସାବ ରଖେ; ଯିଏ ବୁଝେନା ଦେଶ, ଜାତି, ପରଂପରା; ଯିଏ ବୁଝେନା ସାହିତ୍ୟ, ସଂସ୍କୃତି, ସେବା, ତ୍ୟାଗ, ଆତ୍ମୋତ୍ସର୍ଗ । ଏତେ ବଡ଼ ବଡ଼ କଥା ନେଇ ସେ କେବେ ମୁଣ୍ତ ଖେଳେଇ ନାହିଁ । ଖେଳେଇବା ଦରକାର ପଡ଼ିନାହିଁ । କିନ୍ତୁ ବର୍ତ୍ତମାନ ସେ କ’ଣ କରିବ ? କୁଆଡ଼େ ଯିବ । କେମିତି ସମାଧାନ କରିବ ଏ ଦାରୁଣ ସମସ୍ୟା ?

 

ତରୁକୁ ସେ ପ୍ରାଣ ଦେଇ ଭଲପାଏ । ତରୁକୁ ବଂଚେଇବା ତା’ର ଏକ ବଡ଼ କର୍ତ୍ତବ୍ୟ । ନିଜର ଭାବପ୍ରବଣ ସ୍ୱାମୀର ହାତଧରି ଏ ଗଭୀର ଗର୍ଭରୁ ନ ଉଠେଇଲେ ହୁଏତ ସେ ଚିରଦିନ ପାଇଁ ପାଗଳ ହୋଇଯିବେ । ପୁଣି ସର୍ବୋପରି ଜି. ଉଦୟଗିରିର କୋଡ଼ିଏଟି ଦୁସ୍ଥ ଦଳିତ, ଅର୍ଦ୍ଧମୃତ କୁଷ୍ଠରୋଗୀ,—ସେମାନଙ୍କୁ ନ ଚାହିଁଲେ ହୁଏତ ରୋଗ ହୁ ହୁ ବଢ଼ିଯିବ । ହୁଏତ ଗୋଟିକପରେ ଗୋଟିଏ ଶେଷ ନିଶ୍ୱାସ ଛାଡ଼ିବେ ରୋଗ ଦାଉରେ କଲବଲ ହେଇ ହେଇ । ଅରୁଣା କ’ଣ କରିବ-? କଣ କରିବ ? କ’ଣ କରିପାରେ ସେ ଏ ବିଷମ ପରିସ୍ଥିତିରେ ?

 

ହଠାତ୍‍- ହଠାତ୍‍ ଗୋଟାଏ ବୁଦ୍ଧି ଖେଳିଗଲା ଅରୁଣା ମୁଣ୍ତରେ । ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼ିଗଲେ ଏମିତି ବୋଧେ ଅନହୂତି ଗୋଟାଏ ଗୋଟାଏ ବୁଦ୍ଧି ଦିଶିଯାଏ । ସେ ଭାବିଲା ଯଦି ପରାଶର ଗୋଟାଏ ଲମ୍ବା ଛୁଟି ନିଅନ୍ତି ଓ ସେ ତରୁ ଓ ପରାଶର ଉଭୟଙ୍କୁ ଧରି କେତେମାସ ପାଇଁ ଚାଲିଯାଏ ଜି. ଉଦୟଗିରି ତା’ହେଲେ ହୁଏତ ସବୁ ସମସ୍ୟାର ସମାଧାନ ହୋଇଯିବ । ସେ ନିଜେ କଷ୍ଟେମଷ୍ଟେ ପ୍ରାଣପଣେ ସେବା କରିବ କୁଷ୍ଠରୋଗୀ କେଇଟିଙ୍କର । ନୂତନ ବାତାବରଣରେ ରହିଲେ ଏବଂ ଆପଣାର ଅତି ପ୍ରିୟ କୁଷ୍ଠାଶ୍ରମ ଓ କୁଷ୍ଠରୋଗୀମାନଙ୍କୁ ନିତିପ୍ରତି ଦେଖିଲେ, ତରୁର ହୁଏତ ପରିବର୍ତ୍ତନ ଆସିବ—ନିଜର ଦୁଃଖ ଭୁଲି ସେ ଧାଇଁବ ଅନ୍ୟର ଦୁଃଖ ଉପଶମ କରିବାକୁ । ଆଉ ତରୁର ଟିକିଏ ପରିବର୍ତ୍ତନ ହେଲେ, ଟିକିଏ ସେ ମୁଣ୍ତଟେକି ଚାହିଁଲେ, କଥା କହିଲେ ଅର୍ଦ୍ଧପାଗଳ ସ୍ୱାମୀ ଆପେ ଆପେ ପ୍ରକୃତିସ୍ଥ ହୋଇଯିବେ । ତା’ପରେ ସବୁ ଆସି ପଡ଼ିଯିବ ନିତ୍ୟନୈମିତ୍ତିକ ଶଗଡ଼ଗୁଳାରେ ।

 

ଅରୁଣା ଟିକିଏ ଆଶ୍ୱସ୍ତିରେ ନିଶ୍ନାସ ମାରିଲା । ସାମାନ୍ୟ ଟିକିଏ ହସ ଖେଳିଲା ମୁହଁରେ-। ସେହିଦିନ ପରାଶରଙ୍କ ଆଗରେ ପ୍ରସ୍ତାବ ହେଲା ଛୁଟିକଥା, ପରାଶର ହଠାତ୍‍ ଚାରିମାସର ଲମ୍ବା ଛୁଟି ନେବାକୁ ଟିକିଏ ଇତସ୍ତତଃ ହେଉଥିଲେ । କିନ୍ତୁ ତରୁକୁ ଫେରି ପାଇବାର ଆଶା ସବୁ ପଥ ପରିଷ୍କାର କରିଦେଲା । ସେ ରାଜିହେଲେ । ଛୁଟିନେଲେ । ଆଉ ତରୁକୁ ରାଜି କରେଇବାରତ ପ୍ରଶ୍ନ ଉଠୁନାହିଁ । କାଠ ଖଣ୍ତକୁ ଯୋଉଠି ରଖ, ଯୋଉଠିକି ନିଅ, ଫିଙ୍ଗିଦିଅ, କାଠ ସେଥିରେ ହଁ କରେ ନାହିଁ । ନାହିଁ କରେ ନାହିଁ, କିଛି କରେ ନାହିଁ । ସେହିଦିନ ମାଡ୍ରାସ୍‍ ମେଲରେ ଷ୍ଟାର୍ଟ କଲେ ଅରୁଣା, ତରୁ, ପରାଶର, ରାନୁ । ଘରେ ରହିଲା କଲ୍ୟାଣ ସେନ । ଆଗରେ ତା’ର ଫାଇନାଲ ପରୀକ୍ଷା....-। ବୃଦ୍ଧ ବଚନସିଂ ସମସ୍ତଙ୍କ ବାରଣ ସତ୍ୱେ ଅଶ୍ରୁପୂର୍ଣ୍ଣ ନୟନରେ ତରୁ ସାଥିରେ ବାହାରିଲେ । ତରୁକୁ ଛାଡ଼ି ସେ ମରି ବି ପାରିବେ ନାହିଁ, ବଞ୍ଚି ଦୂରରେ ରହିବା ତ ପ୍ରଶ୍ନ ଉଠୁନାହିଁ ।

 

–କୋଡ଼ିଏ–

 

ମଣିଷ ଆଉ ଦେବତା, ଦୃଷ୍ଟ ଆଉ ଅଦୃଷ୍ଟ, କର୍ମ ଆଉ ବିଧି ଭିତରେ ପାର୍ଥକ୍ୟ ଏତେ ବେଶୀ ଯେ ମନୁଷ୍ୟର କ୍ଷୁଦ୍ରବୁଦ୍ଧି ତା’ର କଳ୍ପନା ବି କରିପାରେ ନାହିଁ । ମଣିଷ ଭାବେ ମଳୟକୁ ଧରିବ, ଚନ୍ଦ୍ରକୁ ଆଣିବ, ସ୍ୱର୍ଗକୁ ନିଶୁଣି ବାନ୍ଧିବ, କିନ୍ତୁ କରେ କେତେ ? କେତେ ସେ କରିପାରେ ?

 

‘ମୟୈବୈତେ ନିହତାଃ ପୂର୍ବମେବ,

ନିମିତ୍ତ ମାତ୍ରଂ ଭବ ସବ୍ୟସାଚିନ୍’ ।

 

ମଣିଷ ଖାଲି ନିମିତ୍ତ ମାତ୍ର । ଆଉ ଜଣେ କରେ, କରାଏ, ସାରା ସୃଷ୍ଟି ଚଳାଏ ସିଏ । ମଣିଷ ଖାଲି ଗୋଟାଏ Instrument, ଗୋଟାଏ ନିମିତ୍ତ । ତା’ ଭୁଲି ଯେତେବେଳେ ମଣିଷ ଭାବେ ମୁଁ କଲି, ମୁଁ କରୁଛି, ମୁଁ କରିବି, ସେତେବେଳେ ଆସେ ତା’ର ଚରମ ବ୍ୟର୍ଥତା ।

 

ଅରୁଣା ଆସିଥିଲା ନିଜେ ରୋଗୀ ସେବା କରିବ, ରୋଗୀଙ୍କି ଦେଖି ପରିବର୍ତ୍ତନ ହେବ ତରୁର, ଆଉ ତରୁକୁ ଦେଖି ପ୍ରକୃତିସ୍ଥ ହେବେ ଭାବପ୍ରବଣ ସ୍ୱାମୀ ପରାଶର । କିନ୍ତୁ ହେଲା କ’ଣ ? ତରୁର ଟିକିଏ ବି ପରିବର୍ତ୍ତନ ହେଲାନି । ରୋଗୀ ମରୁ କି ବଞ୍ଚୁ, ପରାଶର ଧ୍ୱଂସ ହେଇଯାଉ, ସାରା ସୃଷ୍ଟି ଧ୍ୱଂସ ହେଇଯାଉ ପଛେ ତରୁ ଯେମିତି ସେମିତି । ‘ମିଥିଳାୟାଂ ପ୍ରଦୀପ୍ତାୟାଂ ନ ମେ ଲାଭୋ ନ ମେ କ୍ଷତି’ । ସେ ଯେମିତି ଏକ ମହାଯୋଗୀ ପାଲଟିଯାଇଛି । ସେ ଯେମିତି ଏକ ଧ୍ୟାନରେ ବସିଛି ଅନନ୍ତକାଳ ପାଇଁ । ଟିକିଏ ଉଁ ନାଇଁ ଚୁଁ ନାଇଁ, କଥାନାଇଁ ଭାଷାନାଇଁ, ନୀରବ, ନିଶ୍ଚଳ, ଥିର । ଆଉ ପରାଶର ? ବେଳୁବେଳ ପରାଶରଙ୍କ ପାଗଳାମି ବଢ଼ୁଛି । ରୋଗୀ କଥା ଦିନେ ଭୁଲରେ ସେ ଭାବୁ ନାହଁନ୍ତି । ଅରୁଣାକୁ ଥରେ ଆଡ଼ ଆଖିରେ ଚାହୁଁ ନାହାଁନ୍ତି । ରାନୁକୁ ବି ଥରେ ସ୍ନେହକରି ନଉ ନାହାଁନ୍ତି କୋଳକୁ । ଖାଲି ତରୁ ମୁହଁକୁ ଚାହିଁ ବସିରହୁଛନ୍ତି ଘଣ୍ଟା ଘଣ୍ଟା କାଳ, ନୀରବରେ ଲୋତକ ଝରିଯାଉଛି । ତରୁ ଭଳି ସେ ବି ହେଇଆସୁଛନ୍ତି କ୍ରମେ ମୂକ । କିନ୍ତୁ...କିନ୍ତୁ ପରିବର୍ତ୍ତନ ହେଇଛି ଅରୁଣାର । ବିରାଟ ପରିବର୍ତ୍ତନ ହେଇଛି । ହୁ ହୁ ହେଇ ଜଳିଉଠିଛି ନିଆଁ । ଧୂ ଧୂ ହେଇ ଛିଡ଼ିପଡ଼ିଛି ବଜ୍ର । ଆକାଶ ଅବନୀ ଧ୍ୱସ୍ତ ବିଧ୍ୱସ୍ତ ହେଇଯାଇଛି । କୁଷ୍ଠସେବା କରିବାକୁ ଆସିଥିଲା ସିଏ । କୁଷ୍ଠସେବା କରି କରି, କୁଷ୍ଠ ମେଳରେ ରହି ରହି କୁଷ୍ଠବାୟୁ ସେବନ କରି କରି ଶେଷରେ ଅରୁଣା ଦେହରେ ଦେଖାଦେଇଛି କୁଷ୍ଠ ! ଗଳିତ କୁଷ୍ଠ !! ଆ !!!

 

ମଣିଷ ଆଉ ଦେବତା, ଦୃଷ୍ଟ ଆଉ ଅଦୃଷ୍ଟ ଭିତରେ କି ପାର୍ଥକ୍ୟ !

 

ଯୋଉଦିନ ପ୍ରଥମ କରି କୁଷ୍ଠ ଦେଖାଗଲା ଅରୁଣା ଦେହରେ ସେଦିନ କୁମ୍ଭକର୍ଣ୍ଣର ନିଦ୍ରା ଟିକିଏ ଭାଙ୍ଗିଲା । ଅଳସ ଭାଙ୍ଗି କଡ଼ ଲେଉଟେଇଲେ ପରାଶର । କହିଲେ—ଆଃ, ଅରୁଣା ! ତରୁର କିନ୍ତୁ କିଛିହିଁ ପରିବର୍ତ୍ତନ ନାହିଁ । ସେ ଯେମିତି ବୁଝିପାରିଲା ନାହିଁ । କୁଷ୍ଠ କ’ଣ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ମଣିଷର କ’ଣ ହୁଏ, ଅରୁଣା କେମିତି କୁଷ୍ଠରୋଗୀ ହେଇ ଦିନୁଦିନ ଘୃଣାର ପାତ୍ର ହେଇଯିବ ସଭିଙ୍କର । ଯଥା ପୂର୍ବଂ ତଥା ପରଂ । ଯେମିତି ଥିଲା ସେମିତି ରହିଲା । ଜୟନ୍ତ ମଲାପରେ ସେ କେତେଦିନ ଖାଇବା ପିଇବା ଏକ ପ୍ରକାର ଛାଡ଼ି ଦେଇଥିଲା । ପରାଶର, ରାଜଲକ୍ଷ୍ମୀ, ଅରୁଣା, କଲ୍ୟାଣ କହି କହି ଫାଟିଫୁଟିଗଲେ । ରାଜଲକ୍ଷ୍ମୀ ରାଣ ନିୟମ ପକେଇ ଗୋଡ଼ଧରି, ମୁଣ୍ତପିଟି, କହି କହି ନୟାନ୍ତ ହେଲା—ଦୁଧଭାତ ଗୋଳେଇ ପାଟି ପାଖରେ ନେଇ ଧରିବସିଲା ଘଣ୍ଟା ଘଣ୍ଟାକାଳ, ତଥାପି ହେଲାନି । ସେଇ ଗୋଟିଏ ଶଦ୍ଦ—ନା । ଜଳସ୍ପର୍ଶ ସେ କରିବ ନାହିଁ । କିନ୍ତୁ ସମସ୍ତଙ୍କୁ ଏଡ଼ିଦେଲା ସିନା, ପଞ୍ଚସ୍ତରି ବର୍ଷର ବୃଦ୍ଧ ସର୍ଦାର ବଚନସିଂଙ୍କ କୋରଡ଼ ଆଖି, ନେନ୍ଦେରା ଆଖି, ଆଖିର ଲୋତକକୁ ସେ ଏଡ଼ିପାରିଲା ନାହିଁ ।

 

ପାଞ୍ଚଦିନ କାଳ ସେ ଖାଇ ନଥିଲା । ଆଉ ପାଞ୍ଚଦିନ କାଳ ତୁଣ୍ତରେ ଜଳ ଦେଇ ନଥିଲେ ବଚନସିଂ । ତରୁ ଆଉ ସହି ପାରିଲା ନାହିଁ । ଭୋ ଭୋ କାନ୍ଦି ଉଠିଲା । ଆଉ ସେମିତି ଭୋ ଭୋ କାନ୍ଦି ବଚନସିଂ ଧାଇଁଗଲେ ପାଖକୁ, ଆଉ ମୁହଁ ଆଉସି, ମୁଣ୍ତ ଆଉଁସି ତରୁ ତୁଣ୍ତରେ ଖୁଆଇଦେଲେ ଖୋସାଏ କମଳା, ଗୋଟିଏ କଦଳୀ, ଟୋପିଏ ଦୁଧ । ସେହିଦିନୁ—ସେହିଦିନୁ ବୃଦ୍ଧ ସର୍ଦାର ତା’କୁ କେବେ କରଛଡ଼ା କରନ୍ତି ନାହିଁ । ଦୁଇଓଳି ନିଜ ହାତରେ କେତେ ସ୍ନେହରେ କେତେ ସରାଗରେ ଖୁଆଇ ଦିଅନ୍ତି, ମୁହଁ ଧୋଇ ଦିଅନ୍ତି, କପାଳ ଆଉଁସି ଦିଅନ୍ତି । ସବୁ କିନ୍ତୁ ନୀରବରେ । ତରୁ ପଦିଏ ବି କଥା କହେନା, କୃତଜ୍ଞତା ପ୍ରକାଶ କରେନା, ଖାଲି ଗୋଟିଏ ମେସିନ୍‍ ଭଳି ଉଠେ, ଖାଏ, ପୁଣି ଯାଇଁ ଗୋଟିଏ ଥାନରେ ବସେ, ପୁଣି ଚାହେଁ ଶୂନ୍ୟକୁ । କିନ୍ତୁ ଆଜି କ’ଣ ହେଲା, ଆଜି ସୂର୍ଯ୍ୟ କେଉଁ ଦିଗରେ ଉଇଁଥିଲା, ଆଜି ଖାଇଲାବେଳେ ଗୋଟାଏ ଶଦ୍ଦ ବାହାରିଲା ତୁଣ୍ତରୁ—ରାନୁ ।

 

ରାନୁ ? ରାନୁ କିଏ ? ରାନୁକୁ କାହିଁକି ଖୋଜୁଛି ତରୁ ? ଜୟନ୍ତ ଯିବାର ପାଞ୍ଚମାସ ହୋଇଗଲାଣି । ପାଞ୍ଚମାସରେ ଥରେ ହେଲେ ସେ ରାନୁକୁ ଖୋଜିନାହିଁ । ରାନୁ କଥା ଭାବିନାହିଁ, ରାନୁକୁ ଦେଖିବାକୁ ଚାହିଁନାହିଁ । ବରଂ କେହି ରାନୁକୁ ନେଇ ଯଦି ଜବରଦସ୍ତି ତା’ କୋଳରେ ବସେଇଦେଇଛି, ସେ କଇଁ କଇଁ ହେଇ କାନ୍ଦିଉଠିଛି ରାନୁକୁ ଧରି । କଥାନାହିଁ, ବାର୍ତ୍ତାନାହିଁ, ଆଗର ସେ ଗେଲ କରିବା ନାହିଁ, ଚୁମା ଦେବା ନାହିଁ । ଖାଲି ରାନୁକୁ ଧରି ସେ କାନ୍ଦିଛି—କାନ୍ଦିଛି । ତା’ର ବେଶୀ ଦୁଃଖ ହେଉଛି ଦେଖି ଲୋକେ ସେଥିରୁ ନିବର୍ତ୍ତିଛନ୍ତି । ଆଉ ରାନୁକୁ ତା’ ପାଖକୁ ନେଇନାହାଁନ୍ତି । ରାନୁ ମଧ୍ୟ ମା’ର ଏ ଅଲଗା ଅଲଗା ଢଙ୍ଗ ଦେଖି ଭରସି ଆଉ ତା’ ପାଖକୁ ଯାଇନାଇଁ ।

 

କିନ୍ତୁ ଆଜି ଏ କ’ଣ ହେଲା ? ଅରୁଣାର ଖବର ଶୁଣି ସେ ଅରୁଣାକୁ ଡାକିଲା ନାହିଁ ପାଖକୁ । ଲୋତକପୂର୍ଣ୍ଣ ଆଖିରେ ଯାଇଁ ଠିଆ ହେଲାନି ପରାଶର ପାଖରେ । ଆଶ୍ୱାସନା ଦେଲାନାଇଁ ପଦେ, ଅଥଚ ଖାଲି ଗୋଟିଏ ପଦ କହିଲା—ପଦଟିଏ ମାତ୍ର—ରାନୁ !

 

କାହିଁକି ରାନୁକୁ କ’ଣ ସେ ଭଲପାଏ ? ରାନୁ କ’ଣ ଏତେ ପ୍ରିୟ ? ରାନୁକୁ କ’ଣ ସେ ଭୁଲି ନାହିଁ ଏତେ ଘନଘଟା ଦୁର୍ଦ୍ଦିନ ଭିତରେ । ରାନୁ ପାଖକୁ ଆସିଲା । ରାନୁକୁ କୋଳକୁ ଟେକି ନେଇ ମୁହଁରେ ମୁହଁ ରଖି ଝରଝର ଲୁହ ଢାଳିଦେଲା ତରୁ । ଯେମିତି ସିଏ ଭୁଲ୍‍ କରିଛି । ଯେମିତି ସିଏ ଅପରାଧ କରିଛି । ଏତେଦିନ ତା’କୁ କୋଳକୁ ନ ନେଇ, ଚୁମା ନଦେଇ ଯେମିତି ଏକ ମସ୍ତଦୋଷ କରିଛି ସିଏ । ଜଳ ଜଳ କରି ଖାଲି ରାନୁ ମୁହଁକୁ ସେ ଚାହିଁଲା । ବାର ବାର ବୋକ ଦେଲା ତା’ ଟିକି ଗାଲରେ । ଛାତି ଭିତରେ ଜଡ଼େଇ ଧରି ବେଶୀ ବେଶୀ କାନ୍ଦିବାକୁ ଲାଗିଲା ।

 

ପାଖରେ ଠିଆ ହେଇଥିଲେ ଅରୁଣା, ପରାଶର, ବଚନସିଂ । ବଚନସିଂ ଲୋତକ ସମ୍ୱରଣ କରିପାରିଲେ ନାହିଁ । ଅରୁଣା କିନ୍ତୁ ହସିଦେଲା । ଶାରୀରିକ ବେଦନା ଅପେକ୍ଷା ମାନସିକ ବ୍ୟଥାରେ ଅରୁଣା କେତେଦିନ ହେଲା ଜଳୁଥିଲା । ବାଘ ନବାଠଉଁ ଘୋଷରା ବେଶୀ ବାଧେ, କୁଷ୍ଠରୋଗରେ ଦେହରେ ଯନ୍ତ୍ରଣା ନହୁଏ ଯେତିକି ମନରେ ହୁଏ ତା’ର ଲକ୍ଷେଗୁଣ ଅଧିକ । ମନ ଏକାବେଳକେ ସହସ୍ର ଖଣ୍ତ ହେଇ ଭାଙ୍ଗିପଡ଼େ । ମନେହୁଏ ଯେମିତି ସିଏ ନର୍ଦ୍ଦମାର ସାଲୁବାଲୁ ପୋକଠଉଁ ଆହୁରି ହୀନ, ଆହୁରି ଘୃଣା । ଅରୁଣା ସେହି ଅବସ୍ଥାରେ ପହଞ୍ଚି ସାରିଥିଲା, କିନ୍ତୁ ଆଜି ତରୁ କୋଳରେ ରାନୁକୁ ଦେଖି ତା’ର କ’ଣ ହେଲା, ଗୋଟାଏ ଅପୂର୍ବ ଶିହରଣ ଖେଳିଗଲା ସାରା ଅଙ୍ଗରେ । ସେ ହସିଉଠିଲା । ମନ ପୂରେଇ ହସିଉଠିଲା । ସେ ଯେମିତି ଆଜି ମୁକ୍ତ—ମୁକ୍ତ !

 

ପରାଶରଙ୍କର କିନ୍ତୁ କୁଆଡ଼ିକି ଦୃଷ୍ଟିନାହିଁ । ସେ ଅରୁଣାର ହସ ଦେଖିପାରିଲେ ନାହିଁ, ତରୁର ଅଶ୍ରୁ ଦେଖିପାରିଲେ ନାହିଁ । ଅରୁଣାର ରୋଗ ଜାଣିବାବେଳୁ ତାଙ୍କର ସବୁ ପାଗଳାମି ଛାଡ଼ିଯାଇଛି । ତାଙ୍କୁ ଯେମିତି ଗୋଟାଏ ବ୍ରହ୍ମଚାପୁଡ଼ା ମାରିଛି କିଏ ? ପୃଥିବୀ ଆଜି ଓଲଟ ପାଲଟ ହେଇଯାଇଛି । ସେ ତରୁକୁ ଛାଡ଼ି ଲୁହ ଛଳ ଛଳ ଆଖିରେ ଧାଇଁ ଆସିଛନ୍ତି ଅରୁଣା ପାଖକୁ ।

 

ଅରୁଣା—ଦୁଃଖିନୀ ଅରୁଣା, ହୀନିମାନୀ ଅରୁଣା, ଅବହେଳିତା ଅରୁଣା, ଉପେକ୍ଷିତା ଅରୁଣା, ପରିତ୍ୟକ୍ତା ଅରୁଣା—ଅରୁଣା ପ୍ରତି ଏତେଦିନେ ଆଖି ଫେରିଛି ପରାଶରଙ୍କର । ଜୀବନସାରା ସେ ତା’କୁ ପଚାରିନାହିଁ, ତା’ ମୁହଁରେ ହାତ ଆଉଁସି ଦେଇ ନାହାଁନ୍ତି, ତା’ ହୃଦୟର ତରଙ୍ଗ କାନ ପାରି ଶୁଣି ନାହାଁନ୍ତି, ତା’କୁ ମଥା ଉପରେ ଟେକିଧରି ଗଢ଼ିନାହାଁନ୍ତି ପ୍ରେମର କୋଣାର୍କ, ତରୁକୁ ଦେଇଛନ୍ତି ରାଜରାଣୀର, ଆସନ, ତାକୁ ଚାକରାଣୀର ଆସନ ବି ଦେଇନାହାଁନ୍ତି, ସେହି ଅରୁଣା—ସେହି ଅରୁଣା କଥା ମନେପଡ଼ିଛି ଆଜି ପରାଶରଙ୍କର । ମନେପଡ଼ିଛି ଯେତେବେଳେ ଅରୁଣା ମୁହଁରେ ଥଲ ଥଲ ଘା’ !!

 

ଆଃ, ଅରୁଣା ! ଅରୁଣା ! ତମେ କୁଆଡେ ଗଲ ଅରୁଣା ? ତମେ କୋଉଠି ଅଛ ଅରୁଣା-? ମୁଁ ତମପାଇଁ କ’ଣ କରିଛି ଅରୁଣା ? ତମେ କ’ଣ ମତେ କ୍ଷମା ଦେବ ଅରୁଣା ? ଦିନ ରାତି ପରାଶର ଖାଲି ଅରୁଣା ଅରୁଣା ହେଇ କାନ୍ଦିବାକୁ ଲାଗିଲେ । ରୋଗୀ ଗଲେ କୁଆଡ଼େ, ତରୁ ଗଲା କୁଆଡ଼େ, ରାନୁ ଗଲା କୋଉ ସାତତାଳ ପଙ୍କରେ, ଆଖିରେ ଖାଲି ଦିଶିଲା ଗୋଟିଏ ଛବି—ଅରୁଣା, ତୁଣ୍ତରୁ ବାହାରିଲା ଗୋଟିଏ ପଦ—ଅରୁଣା, ଜଳ ସ୍ଥଳ ବନଗିରି କାନନ କାନ୍ତାର ସବୁଆଡ଼େ ଭାସିଲା ଖାଲି ଗୋଟିଏ ଚିତ୍ର—ଅରୁଣା ।

 

ଜୀବନସାରା ସେ ତା’ ପ୍ରତି ଯେତେ ଅନ୍ୟାୟ କରିଛନ୍ତି, ଅବିଚାର କରିଛନ୍ତି ସବୁ ଗୋଟି ଗୋଟି ମନେପଡ଼ିଲା । ଏଇ ଉଦୟଗିରି ଆସି ମଧ୍ୟ ସେ ତା’ଆଡ଼କୁ ଟିକିଏ ଦୃଷ୍ଟି ଦେଇନାହାଁନ୍ତି । ଟିକିଏ ଚାହିଁଥିଲେ ହୁଏତ ସେ ଆଜି ଏତେ ସରି ହେଇ ନଥାନ୍ତା । ତରୁର ଅବହେଳା ଯୋଗୁଁ ଜୟନ୍ତ ମଲା, ଆଉ ପରାଶରର ଅବହେଳା ଯୋଗୁଁ ଆଜି ଅରୁଣା ମରିବ । ଅରୁଣା ସଢ଼ି ପଚି ମିଳେଇଯିବ-! ଆଃ—ପରାଶର ଆଉ ଭାବିପାରନ୍ତି ନାହିଁ, ଚାହିଁ—ପାରନ୍ତି ନାହିଁ । ଅନୁତାପର ତୁଷାନଳରେ ପଳ ପଳ ହେଇ ଦଗ୍‍ଧ ହୁଅନ୍ତି ଖାଲି । ଅରୁଣାର ଶତ ବାରଣ ସତ୍ତ୍ୱେ ଦିନ ରାତି ତାକୁ ଆବୋରି ବସନ୍ତ, ତା’ ଘା’ ଧୋଇ ଦିଅନ୍ତି, ତା’କୁ ଧରି ଛୁଆଙ୍କଭଳି କଇଁ କଇଁ କାନ୍ଦନ୍ତି ।

 

ବିଷମ ଏ ପରିସ୍ଥିତି । ବିଷମ ଏ ସମସ୍ୟା । ଅରୁଣା ଯେତେ ବୁଝେଇଲା ପରାଶର ଟିକିଏ ବି ବୁଝିଲେ ନାହିଁ । ତା’କୁ ଛାଡ଼ି ଟିକିଏ ବି ଘୁଞ୍ଚିଲେ ନାହିଁ ଦୂରକୁ । ଅରୁଣା କହିଲା—ଏଇ ତମର ଦେଶସେବା ? ମାନବସେବା ? ରୋଗୀସେବା ? କୋଡ଼ିଏଟି ରୋଗୀ ତେଣେ ଠକ୍‍ ଠକ୍‍ ମରୁଛନ୍ତି, ତା’ଙ୍କୁ ଥରେ ଘୃଣାକ୍ଷରେ ଚାହୁଁନା, ଆଉ ସବୁବେଳେ ବସିରହିଛ ମୋ’ରି ପାଖରେ । ଘର ଛାଡ଼ି ପରର ସେବା କରିବା ଯେ ଉଦାର ମାନବିକତା ୟା’ତ ତମେ ବହୁବାର କହିଛ ।

 

ପରାଶର କିଛି ଜବାବ ଦେଲେନାହିଁ, ଖାଲି ବେଶୀ ବେଶୀ କାନ୍ଦିଲେ ।

 

ଅରୁଣା କହିଲା—ମାନୁଛି ମୁଁ ତମର ସ୍ତ୍ରୀ, ମୋ ପ୍ରତି ତମର କର୍ତ୍ତବ୍ୟ ଅଛି । ତଥାପି ସେହି ଅସହାୟ, ଅସମର୍ଥ, ଅର୍ଦ୍ଧମୃତ ରୋଗୀ କେଇଟିଙ୍କ ପାଇଁ ତମର କ’ଣ କିଛି କରିବାର ନାହିଁ ? ତମେ ସେଦିନ ଡକ୍ଟର ସାହାଣିଙ୍କି କହୁଥିଲ ହେମଚନ୍ଦ୍ର ସରକାରଙ୍କ କଥା, ତମେ କହୁଥିଲ ଉତ୍କଳମଣି ଗୋପବନ୍ଧୁଙ୍କ କଥା, ତମେ କହୁଥିଲ—କର୍ତ୍ତବ୍ୟ ନିକଟରେ ପିତା ମାତା, ଭାଇ ଭଉଣୀ, ସ୍ତ୍ରୀ କନ୍ୟା କାହାରି ସ୍ଥାନ ନାହିଁ । କ’ଣ ତମର କର୍ତ୍ତବ୍ୟ ? କିଏ ବଡ଼—ଜଣେ ନା ପଣେ ? ଘର ନା ବାହାର ? ବାରଶ’ ବଢ଼େଇରେ ଦାୟ ନା ପୁଅରେ ଦାୟ ??

 

ତଥାପି ପରାଶର ନୀରବ । ପରାଶର କିଂକର୍ତ୍ତବ୍ୟ ବିମୂଢ଼ । ପରାଶର କ’ଣ କହିବେ କ’ଣ କରିବେ କିଛି ସ୍ଥିର କରି ପାରୁନାହାଁନ୍ତି । ପ୍ରାଣାଧିକ ପତ୍ନୀର ମୁହଁକୁ ଚାହିଁଲେ ଲୁହ ଫାଟି ପଡ଼ୁଛି ।

 

ଅରୁଣା ପୁଣି କହିଲା—ତମେ କହିଥିଲ ଦେହ ପାଇଁ ଶୋକ କରିବା ଉଚିତ ନୁହେଁ ।

 

‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍‍ଣାତି ନରୋଽପରାଣି ।

ତଥା ଶରୀରାଣି ବିହାୟ ଜୀର୍ଣ୍ଣା

ନ୍ୟନ୍ୟାନି ସଂଯାତି ନବାନି ଦେହୀ ।’

 

ତମେ ବିଜ୍ଞ, ତମେ ପଣ୍ତିତ, ତମେ ଦାର୍ଶନିକ । କୁହ ଖଣ୍ତିଏ ପୁରୁଣା ଲୁଗା ପାଇଁ, ଚିରା ଦରବା ପାଇଁ କ’ଣ ଶୋକ କରିବା ଉଚିତ ? ଉଚିତ ?

 

ପରାଶର ଆଉ ସ୍ଥିର ହୋଇ ପାରିଲେ ନାହିଁ । କହିଲେ—ମୁଁ ସବୁ ବୁଝିଛି, ସବୁ ବୁଝିଛି ଅରୁଣା କିନ୍ତୁ ମୁଁ କ’ଣ କରିବି ? କୁଆଡ଼େ ଯିବି ? କାହା ପାଖରେ ଛାଡ଼ି ଦେଇଯିବି ତମକୁ ? ତରୁ କରିଛି ଅଜ୍ଞାତବାସ । ଯେତେ ମୁଣ୍ତ ଫଟେଇ, ରକ୍ତ ଝରେଇ ଡାକିଲେ ବି ଶୁଣୁନାହିଁ । ଆଉ ତମେ ଶୋଇଛ ଶରଶଯ୍ୟାରେ । ସାରା ଅଙ୍ଗରେ ତୀକ୍ଷ୍‍ଣଶର ଫୁଟିଗଲାଣି । ଧାର ଧାର ହେଇ ଝରିଆସିଲାଣି ରକ୍ତ । କେମିତି—କେମିତି ମୁଁ ତମକୁ ଛାଡ଼ିଯିବି ? କାହାପାଖରେ ଛାଡ଼ିଯିବି ? ନିଜର ପ୍ରିୟତମା ପତ୍ନୀକି ଦାଣ୍ତଧୂଳିରେ ବସେଇ ଦେଇ ମୁଁ ଯାଇଁ ଅନ୍ୟର କି ସେବା କରିବି । କି ନାଁ କରିବି ? କି ଗୌରବ ଅର୍ଜିବି ? କି ସମ୍ମାନର ଅଧିକାରୀ ହେବି ? ନା, ମୋର ସମ୍ମାନ ଲୋଡ଼ାନାହିଁ, ପ୍ରଶଂସା ଲୋଡ଼ାନାହିଁ, ଖ୍ୟାତି ଲୋଡ଼ାନାହିଁ, ପ୍ରତିପତ୍ତି ଲୋଡ଼ାନାହିଁ, ମୋର ଲୋଡ଼ା ଖାଲି ତମେ—ତମେ—ତମେ । ତମରି ମୁହଁ ଆଉଁସି ଆଉଁସି ଏଇଠି ମୋ ଦିନ ସରିଯାଉ, ମୋ ପାପର ପ୍ରାୟଶ୍ଚିତ୍ତ ହେଉ, ତମରି ଆଗରେ ଏଇଠି ହଉ ମୋ ମରଣ । ମରଣ !

 

ଆଃ—ଅରୁଣା ଦୁଇହାତ କାନରେ ଦେଇ ବନ୍ଦକଲା । ପାଗଳ ସ୍ୱାମୀକୁ ଆଉ କ’ଣ କହି ସେ ବୁଝେଇବ ଭାବି ପାରିଲା ନାହିଁ । ରୋଗ ଦିନକୁ ଦିନ ବଢ଼ିବାକୁ ଲାଗିଲା । ସବୁ ପ୍ରତିକାର ସତ୍ତ୍ୱେ ବଣନିଆଁ ଭଳି ରୋଗ ଚରିଗଲା ଦେହସାରା । ବରହମ୍‍ପୁରରୁ ବଡ଼ ଡାକ୍ତର ଆସିଲେ, ଔଷଧ ଆସିଲା, ଇଂଜେକ୍‍ସନ୍ ଆସିଲା, ଡକ୍ଟର ସାହାଣି ଆସିଲେ ଭାଇଜାଗ୍‍ରୁ । କିନ୍ତୁ ସବୁ ବୃଥା, ବିଫଳ, ନିଷ୍ଫଳ । ରୋଗୀମାନଙ୍କୁ ଛାଡ଼ି କଟକକୁ ଆସିବାକୁ ଅରୁଣା କୌଣସିମତେ ରାଜି ହେଲା ନାହିଁ । ରୋଗୀମାନଙ୍କ ରୋଗ ବଢ଼ିଲା କି କମିଲା କେଜାଣି ଶୁଶ୍ରୁଷାକାରିଣୀର ରୋଗ ହୁ ହୁ ହେଇ ବଢ଼ିବାକୁ ଲାଗିଲା । ଶେଷରେ ସେ ଆଉ ଚଳପ୍ରଚଳ ହେଇ ପାରିଲା ନାହିଁ । ଗୋଟିଏ ଘରେ ଗୋଟିଏ ଖଟରେ ସେ ଶୋଇରହିଲା ଦିନରାତି । କୁଷ୍ଠ ଧରିଲା ବିକଟ ରୂପ, କରାଳ ରୂପ, ନଗ୍ନ ରୂପ । ଭଗବାନ ପରୀକ୍ଷା କଲାବେଳେ ଏମିତି କରନ୍ତି ବୋଧେ, ରୋଗିଣୀର ହାତଗୋଡ଼ର ଆଙ୍ଗୁଠି କ୍ରମେ କ୍ରମେ କେନା କନା ହେଇ ଛିଡ଼ିପଡ଼ିଲା । ସାରା ଦେହରେ ଭଡ଼ଭଡ଼ ହେଲା ପୂଜ ଆଉ ରକ୍ତ ! ଇସ୍ !!

 

କିନ୍ତୁ ନା, ସେତିକିରେ ଶେଷ ହେଲାନି । ସେତିକିରେ ଶେଷ ହେଲେ ଭଗବାନଙ୍କର ବଡ଼ ପଣିଆ ଜଣାପଡ଼ିଥାନ୍ତା କେମିତି ? ପରାଶର ନିର୍ବିକାର ଚିତ୍ତରେ ରୋଗୀସେବା କରୁଥିଲେ । ଘା’ ଧୋଉଥିଲେ, ପୂଜ କାଢ଼ୁଥିଲେ, ଔଷଧ ଦେଉଥିଲେ । ଦିନେ ସକାଳେ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସନ୍ଧିରୁ ତୁଳା ଖଣ୍ତିକରେ ପୂଜ କାଢ଼ୁଛନ୍ତି । ହଠାତ୍‍ କ’ଣ ହେଲା ....ହଠାତ୍‍ ସେ କିନିକିନା ସନ୍ଧି ଭିତରୁ ବାହାରି ଆସିଲେ ଦି’ଅଣ୍ତା ଭଳି ଏଡ଼େ ଏଡ଼େ ପୋକ !!! ଆଃ, ଭଗବାନ୍ !!

 

ପରାଶର ଦାଉଁକିନା ଚମକି ପଡ଼ିଲେ । ଅରୁଣା ଫଟ୍‍କିନା ଉଠିପଡ଼ି ଆଙ୍ଗୁଠି ଆଡ଼େ ଥରେ ଚାହିଁଦେଲା । ପ୍ରଥମେ ଶିହରି ଉଠିଲା । କିନ୍ତୁ ସେ ମୁହୂର୍ତ୍ତେ—ମୁହୂର୍ତ୍ତେ ମାତ୍ର । ତା’ପରେ ହେଲା ଦୃଢ, ନିଶ୍ଚଳ, ସ୍ଥିର । ଆଖିବୁଜି ଖଟ ଉପରେ ଶୋଇପଡ଼ିଲା । ଅରୁଣା ବୁଝିପାରିଲା ସେ ଖାଲି ନିଜେ ମରୁନାହିଁ, ମରଣର ବୀଜ ପରାଶରର ପ୍ରତି ଶିରା ପ୍ରଶିରାରେ ବୁଣିବୁଣି ଯାଉଛି । ସେ ଯେମିତି ନିଜ ପାଟିରେ ନିଜ ଦାନ୍ତରେ କଣା କରିଦେଉଛି ପରାଶରର ତଣ୍ଟି, ଆଉ ଢକଢକ କରି ପିଇଯାଉଛି ପରାଶରର ତତଲା ରକ୍ତ !! ଆଃ !

 

ସେହି ଦିନର ରାତି ହେଲା, ରାତି ପାହିଲା । ଉଷାର ଅରୁଣ ଆଲୋକରେ ଦେଖାଗଲା ଆଶ୍ରମ ପାଖ ଏକ ଆମ୍ବଗଛ ଡାହିରେ ଗୋଟିଏ ବଡ଼ ଦଉଡିରେ ଝୁଲିପଡ଼ିଛି ଅରୁଣା !! ଜିଭ ବାହାରି ପଡ଼ିଛି, ରକ୍ତ ବାନ୍ତି ହେଇପଡ଼ିଛି । ମୁହଁ ହେଇଛି କଳା ଅଙ୍ଗାର । ପଣତ କାନିରେ ଖଣ୍ତିଏ ଚିଠିଥିଲା ପରାଶର ପାଖକୁ ଦୁଇଟି ଧାଡ଼ି ତରୁ କୋଳରେ ରାନୁ ମୋର ସୁଖରେ ରହିବ । ତମକୁ ବି ଅପାତ୍ରରେ ଛାଡ଼ିଯାଉନି । ତରୁ ସନ୍ନ୍ୟାସିନୀ । ତରୁ ବୈକୁଣ୍ଠ—ତୁଳସୀ । ତରୁ ତମକୁ ଘେନିଯିବ ଅମରଧାମକୁ ।

 

–ଏକୋଇଶ–

 

ଗୋଟିଏ ଧକ୍‍କା ପରେ ଆଉ ଗୋଟିଏ ଧକ୍‍କା ଆସିଛି । ତରୁ ମର୍ମାହତ ହେଇ ଖାଲି ଚାହିଁଛି ଶୂନ୍ୟକୁ । ରକ୍ତ ନିଗାଡ଼ିଛି ଆଖିରୁ । କିଛି କହିନାହିଁ ।

 

କୁଷ୍ଠାଶ୍ରମ ଭାଙ୍ଗିପଡ଼ିଛି । ଏତେବଡ଼ ସ୍ୱପ୍ନ, କଳ୍ପନା, ଆଦର୍ଶ ନିଷ୍ଠା ଅଭାବରୁ, ଯତ୍ନ ଅଭାବରୁ ଭାଙ୍ଗି ଧୂଳିସାତ୍ ହେଇଯାଇଛି । ତରୁ ଓ ପରାଶର ଖାଲି ଜଳଜଳ କରି ଚାହିଁଛନ୍ତି । କିଛି କରିନାହାନ୍ତି, କରିପାରିନାହାଁନ୍ତି । ଶେଷରେ ଶୂନ୍ୟ ହସ୍ତରେ, ରକ୍ତ ହୃଦୟରେ ଫେରି ଆସିଛନ୍ତି କଟକ ।

 

ଦୁଃଖ, ଅଶ୍ରୁର ରିହ ଭିତରେ ପୁଣି ଦୁଇମାସ ବିତିଛି । ବୁକୁ ତଳର ଘା’ ନ ଶୁଖିଲେ ବି ମଳିନ ପଡ଼ିଆସିଛି ଟିକିଏ । କାଳ ସର୍ବଗ୍ରାସୀ । କାଳ ମଣିଷକୁ ତ ଖାଏ, ମଣିଷ ପାଇଁ ଯୋଉ ବ୍ୟଥା, ଅଶ୍ରୁ, ହୁତାଶ, ଦୀର୍ଘଶ୍ୱାସ ତା’କୁ ବି ଖାଇଯାଏ ଆସ୍ତେ ଆସ୍ତେ । ଶେଷରେ ଦିନ ଆସେ, ଯେତେବେଳେ ମୂର୍ତ୍ତି ତ ହଜେ, ସ୍ମୃତି ଟିକିକ ବି ଚିରକାଳ ପାଇଁ ହଜିଯାଏ ଗନ୍ତାଘରରୁ । ୟା’ଠାରୁ ବଳି ଟ୍ରାଜେଡି କ’ଣ ଥାଇପାରେ ?

 

ସେହି ମହାକାଳ ଚରଣରେ ବାରବାର ପ୍ରଣାମ କରିଆସିଛି ତରୁ—ମୋର ସବୁ ନିଅ, ସମସ୍ତ ମୋର ଯାଆନ୍ତୁ, ସମସ୍ତେ ମରିହଜି ମାଟି ହେଇଯାଆନ୍ତୁ ପଛେ, ଏଇ ଅଶ୍ରୁ ଟିକିକ—ଅଶ୍ରୁ ଟିକିକ ନିଅନାଇଁ ପ୍ରଭୋ । ମୋତେ କାଙ୍ଗାଳ କରିଦିଅ, କଙ୍କାଳ କରିଦିଅ, ନିସ୍ୱ କରିଦିଅ, ଦରିଦ୍ର କରିଦିଅ, ଦୀନଦୁଃଖୀ କରିଦିଅ, ମୁଁ ସବୁ ସହିବି । ଖାଲି ଏଇ ଟିକିକ—ଏଇ ଟିକିକ ନିଅନାଇଁ ପ୍ରଭୋ । ମୋତେ ଅଶ୍ରୁଦିଅ, ଆଘାତ ଦିଅ, ହୁତାଶନ ଦିଅ, ମୋତେ ବଞ୍ଚେଇ ରଖ ପ୍ରଭୋ । ମୋତେ ଶଖିଲା ଟାଙ୍ଗରା ଭୂଇଁ କରି ସୁଖ ଐଶ୍ୱର୍ଯ୍ୟରେ ଠକ୍‍ଠକ୍‍ ମାରିଦିଅନା ।

 

ଠାକୁରେ ବୋଧେ ତା’ ଡାକ ଶୁଣିଛନ୍ତି । ସେ ବଞ୍ଚିଛି । ଅନ୍ତତଃ ଆଜିଯାଏ ବଞ୍ଚିରହିଛି, ଭବିଷ୍ୟତରେ ଯାହା ହେଉ ପଛେ । କିନ୍ତୁ ଏଇ ବଞ୍ଚିବା ପାଇଁ ତା’କୁ ଯେ କେତେ ବାଧାବିଘ୍ନର ଭିତର ଦେଇ ଯିବାକୁ ପଡ଼ୁଛି, ତା’ କେବଳ ଭଗବାନହିଁ ଜାଣନ୍ତି । ଦୁନିଆ ଲୋକଙ୍କର ଯେମିତି ତା’ ଉପରେ ଅହନ୍ତା । ପୁଣି ଯୋଉମାନେ ତା’କୁ ବେଶୀ ଭଲ ପାଆନ୍ତି ସେହିମାନେ ତା’ର ବଡ଼ ଶତ୍ରୁ । ସେହିମାନେ ଚାହାଁନ୍ତି ତା’ ତଣ୍ଟି ଚିପି ମାରିଦେବାକୁ !! ଏଇ ହେଉଛି ଦୁନିଆର ବୈଚିତ୍ର । ଲୋକେ ଚାହାଁନ୍ତି ତା’କୁ ଉପଦେଶ ଦେବାକୁ । କିନ୍ତୁ ସିଏ ଚାହେଁ କ’ଣ ? ସିଏ ଚାହେଁ ବୋଧେ ଠିକ୍ ଓଲଟା-

 

ମଣିଷ ଯାହାକୁ ଅନ୍ତର ଦେଇ ଭଲପାଏ, ତା’ର ହଠାତ୍ ଅବସାନ ହୋଇଗଲେ, ସାରା ବିଶ୍ୱ ତା’କୁ ଅନ୍ଧାର ଦିଶେ ଏବଂ ସାରା ବିଶ୍ୱରୁ ବିଦାୟ ନେଇ କେବଳ ତା’ରି ଚିନ୍ତା, ତା’ରି ସ୍ମୃତିରେ ସେ ବୁଡ଼ିରହିବାକୁ ଚାହେଁ ଅତି ନିବିଡ଼ ଭାବରେ, ଘନିଷ୍ଠ ଭାବରେ । ସେତେବେଳେ ବାହାର ଲୋକଙ୍କ ଉପଦେଶ, ବାହାର ଲୋକଙ୍କ ଆଶ୍ୱାସନା ଖାଲି ବିରକ୍ତିକର ଲାଗେନା, ବିଷପରି ଚରିଯାଏ ଦେହରେ । ସ୍ତ୍ରୀ ମଲାବେଳେ, ସ୍ୱାମୀ ମଲାବେଳେ, ପ୍ରେମିକା ମଲାବେଳେ, ପ୍ରେମିକ ମଲାବେଳେ ଯାଇଁ ଉପଦେଶ ଦେବା ଚରମ ନିର୍ବୋଧତା ଛଡ଼ା ଆଉ କ’ଣ ହେଇପାରେ ?

 

ଠିକ୍ ସେଇଆ ଘଟିଥିଲା ତରୁ ଜୀବନରେ । ଜୟନ୍ତ ତା’ର ଏତେ ପ୍ରିୟ, ଏତେ ଆପଣାର, ଏତେ ଆତ୍ମାର, ଏତେ ହୃଦୟର ନିବିଡ଼ ଆଶ୍ଳେଷରେ ଛନ୍ଦା ଯେ ସେ ଚାହୁଁଥିଲା ପ୍ରତିଟି ମୁହୂର୍ତ୍ତ ତା’ରି ଚିନ୍ତାରେ ଗଭୀରଭାବେ ନିମଗ୍ନ ରହିବାକୁ । ତା’ ପାଖରେ ବସିବ, ତା’ ସାଙ୍ଗରେ କଥା କହିବ, ତାକୁ ଆଲିଙ୍ଗନ କରିବ, ତା’ ମୁହଁକୁ ଅହରହ ଚାହିଁ ଚାହିଁ ଆକଣ୍ଠ ପାନ କରିବ ତା’ ରୂପ, ଶୋଭା, ସୁଷମା, ସୌନ୍ଦର୍ଯ୍ୟ, ସେଠି ପରାଶରେ ସ୍ଥାନ ନାହିଁ, ଦୁନିଆର ସ୍ଥାନ ନାହିଁ, ସ୍ୱୟଂ ଭଗବାନଙ୍କର ବି ସ୍ଥାନ ନାହିଁ । ସେଠି ଉପଦେଶ ଦେବା, ସାନ୍ତ୍ୱନା ଦେବା, କଥା କହି ମନ ଭୁଲେଇବାକୁ ଚେଷ୍ଟା କରିବା ଖାଲି ନିର୍ବୋଧତା, ଧୃଷ୍ଟତା ।

 

ପରାଶର ଏତେ ଗହନ ତତ୍ତ୍ୱ ବୁଝୁନଥିଲେ, ବୁଝିପାରୁନଥିଲେ । ପରାଶର ଖାଲି ଭାବୁଥିଲେ ପଛକଥା । ପଛର ସେଇ ଅଲିଅଳି, ଛନଛନି, ବନହରିଣୀ ତରୁ କଥା । କିନ୍ତୁ ସେ ତରୁ ଯେ ଜୟନ୍ତ ସଙ୍ଗେ ସଙ୍ଗେ ମରିଯାଇଛି, ତା’ ପରାଣର ଭଳି ଭାବପ୍ରବଣ; ଏକ ଦେଶଦର୍ଶୀ ଲୋକ ବୁଝିବେ କେମିତି ?

 

ତରୁ ଓ ଜୟନ୍ତ ଭିତରେ ସମ୍ପର୍କ ହଠାତ୍‍ ବୁଝି ହୁଏନାହିଁ । ବାହାରେ ଶୁଖିଲେ ଠକ୍‍ଠକ୍, କିନ୍ତୁ ଭିତରେ ଯେ ଏକ ଅନନ୍ତ ଅନ୍ତଃସଲିଳା ଫଲ୍‍ଗୁ ବହିଯାଉଛି, ତା’ ନିରେଖି ନ ଚାହିଁଲେ କେମିତି ବୁଝି ହେବ ? ତରୁ ଜାଣେ ଜୟନ୍ତର ହୃଦୟ ବିଶାଳ, ବିସ୍ତୀର୍ଣ୍ଣ, ପ୍ରଶସ୍ତ । ଜୟନ୍ତର ପ୍ରେମ ବିଶ୍ୱଜନୀନ । ଗୋଟିଏ ନାରୀ ଭିତରେ ତା’ ସୀମିତ ହେଇପାରେନା; ହେଇପାରିବ ନାହିଁ । ସେ ଚାହେଁ ଲକ୍ଷେ ନାରୀଙ୍କ ଭିତରେ ନିଜକୁ ହଜେଇ ଦେବ । ଲକ୍ଷେ ନାରୀ ପାଇ ବି ସେ ବେଳେବେଳେ ଅତୃପ୍ତ । ଏଭଳି ସ୍ୱାମୀକୁ ଗୋଟିଏ ନାରୀ ପାଖରେ ବାନ୍ଧି ରଖିବା ଭଳି ହୀନତା ଓ ସଂକୀର୍ଣ୍ଣତା ତରୁର ନାହିଁ । ତେଣୁ ଜୟନ୍ତ ଏତେ ଝିଅଙ୍କ ସାଙ୍ଗରେ ମିଶିଲେ ବି ଦିନେହେଲେ ତରୁର ସେଥିପାଇଁ ଈର୍ଷା ହୋଇନାହିଁ । ଈର୍ଷା ହୋଇନାହିଁ କାରଣ ସେ ତା’କୁ ଭଲପାଏ—ପ୍ରାଣଦେଇ ଭଲପାଏ । ଆଉ ଯିଏ ଯାହାକୁ ଭଲପାଏ, ତା’କୁ ଯାହା—ଭଲ ଲାଗେ, ତା’ ଦେବା ତ ୟା’ର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ତାହାହିଁ ତ ପ୍ରେମ । ଜୟନ୍ତ ପାଇଁ ଅସରନ୍ତି ପ୍ରେମର ଧାରା ନଥିଲେ ତରୁ ଏ ସୁଯୋଗ ଦିଅନ୍ତା କିପରି ? ଏତେ କଥା ସହନ୍ତା କିପରି ?

ଅବଶ୍ୟ ସେ ବେଳେବେଳେ ଦୁଃଖ କରିଛି, କାନ୍ଦିଛି, କିନ୍ତୁ କେବେ ବାଧା ଦେଇନି । ତରୁ ପ୍ରତି ଜୟନ୍ତର ଯେ ପ୍ରେମ, ଯେ ଶ୍ରଦ୍ଧା, ଯେ ଭୟ ତରୁ ଥରେ ବାଧା ଦେଇଥିଲେ—ଥରେ ଅନଶନ କରି, ଦୃଢ଼ ହେଇ, ଅଟଳ ହେଇ ବସିଥିଲେ ଜୟନ୍ତର ସବୁ ରସିକତା ଭଙ୍ଗାଘର ଭଳି ମଡ଼ ମଡ଼ ହେଇ ଭୁଷୁଡ଼ି ପଡ଼ିଥାନ୍ତା, କିନ୍ତୁ ତରୁ କେବେ ତା’ କରିନି, କାରଣ ତା’ ଜୟନ୍ତ ପ୍ରାଣରେ ତୀବ୍ର ଆଘାତ ଦେବ—ଉପରେ କିଛି ନ କହିଲେ ବି ଜୟନ୍ତର ପ୍ରାଣ ଭିତରେ ଭିତରେ ଗୁମୁରି ଗୁମୁରି କାନ୍ଦିବ । ତରୁ କେବେ ଏତେ ନୀଚ ସ୍ତରକୁ ଯାଇପାରିବ ନାହିଁ । ନିଜେ ପଛେ କାନ୍ଦି କାନ୍ଦି ମରିବ, ଜୟନ୍ତକୁ କେବେ ସେ କଷ୍ଟ ଦବନି—ଦବନି ।

ଜାୟାର ଆସନରୁ ସେ ବୋଧେ ଜନନୀର ଆସନକୁ ଉଠିଯାଇଛି । ଜୟନ୍ତକୁ ଯାହା ଭଲ ଲାଗିଛି ସେ ତା’ର ସୁଯୋଗ ଦେଇଛି । ନିଜେ ପାନ କରିଛି ଆକଣ୍ଠ ହଳାହଳ, ନିଜେ ସହିଛି ସବୁ ମର୍ମଦାହ, ସବୁ ଦାବଦାହ, ଜୟନ୍ତ ମୁହଁରେ ଫୁଟେଇଛି ଅଫୁରନ୍ତ ହସ ।

ଅଥଚ ଏତେ ଉଦାରତା । ଏତେ ବିଶାଳତା । ଏତେ ପ୍ରେମର ପରିଣାମ କ’ଣ ଏଇଆ-? ତରୁର ଆଶାଥିଲା ଜୟନ୍ତ ଦିନେ ଫେରିବ, ଫେରିଆସିବ ତା’ କୋଳକୁ । ଏତେ ଭୋଗ ପରେ ଆସିବ ଦିନେ ତ୍ୟାଗ—ଚରମ ତ୍ୟାଗ । ତା’ପରେ ସେ ହେବ ଶୁଭ୍ର, ସୁନ୍ଦର, ଶାନ୍ତ, ଶୁଚିବନ୍ତ-। ସେ ପାଇବ ସନ୍ନ୍ୟାସୀର ଜୀବନ । ତା’ ଘର ହେଇଯିବ ସ୍ୱର୍ଗ । କିନ୍ତୁ ହେଲା କ’ଣ-? ହେଇଛି କ’ଣ ଆଜି-? ସ୍ୱର୍ଗ ବଦଳରେ ଆଜି ଶ୍ମଶାନ ! କରାଳ, ବିକଟ, ବିଭତ୍ସ, ପୁତିଗନ୍ଧମୟ ଶ୍ମଶାନ-! ଆଃ–ତରୁ ଆଉ ଭାବି ପାରେନା । ମୁଣ୍ତ ଝାଇଁଝାଇଁ କରିଉଠେ ।

କିଏ ଜାଣିଥିଲା ଜୟନ୍ତ ଏତେଶୀଘ୍ର ତା’ ତଣ୍ଟିରେ ଖୁରଦେଇ ଖସି ଚାଲିଯିବ । କିଏ ଜାଣିଥିଲା ଭଗବାନ ଏଡ଼େ ନିର୍ଦ୍ଦୟ, ନିଷ୍ଠୁର, ପଥର । କିଏ ଜାଣିଥିଲା କାଳ ଏତେଶୀଘ୍ର ଲିଭେଇଦେବ ତା’ ମଥାରୁ ସିନ୍ଦୁର, ଓହ୍ଲେଇ ନେବ ତା’ ହାତରୁ କାଚ ! ସେ ଆଜି ବିଧବା ! ବିଧବା-! ଯୋଉ ବିଧବାର ମୁହଁ ଚାହିଁଲେ ଅମଙ୍ଗଳ, ଯୋଉ ବିଧବା ସାରା ସୃଷ୍ଟିରେ ନିରାଶ୍ରୟ, ନିଃସ୍ୱ, ନିସମ୍ବଳ, ଯୋଉ ବିଧବା ସଭିଙ୍କର ଦୟାର ପାତ୍ର, କରୁଣାର ପାତ୍ର, ଘୃଣାର ପାତ୍ର । ଇସ୍ !!

ଭଗବାନ ! ତରୁ ଶେଷରେ ବିଧବାହିଁ ହେଲା !! ତରୁ ହେଲା ଭିକାରୁଣୀ, କାଙ୍ଗାଳିନୀ, କଳଙ୍କିନୀ !! ଏତେ ସ୍ନେହରେ, ଏତେ ପ୍ରେମରେ, ଏତେ ଉଦାର ହେଇ ସ୍ୱାମୀଙ୍କୁ ସେ ଛାଡ଼ିଦେଇଥିଲା ରାଜପଥରେ, ଶେଷରେ ତା’ ଫଳ ମିଳିଲା ଏଇଆ ? ଏଇ ନିନ୍ଦା ? ଏଇ କଳଙ୍କ-? ସ୍ୱାମୀ ତା’ର ମରିବା ଆଗରୁ ଠା’ଇ ଠା’ଇ ଚଟକଣା କଷି କହିଲେ–ତୁଇ, ତୁଇ ରାକ୍ଷସୀ-। ତୁଇ ମୋତେ ବାଧା ଦେଲୁ ନାହିଁ ପହିଲୁ । ତୋ’ରିଲାଗି ମୁଁ ଆଜି ମରୁଛି, ମରୁଛି ।’

ଆଃ....ଆଃ....ଭଗବାନ ! ତରୁ ଛାତି ଫାଟିଯାଉଛି, ତରୁ ଆଖି ଅନ୍ଧ ହେଇଯାଉଛି, ତରୁ ପାଟିବାଟେ ରକ୍ତ ବାହାରି ଆସୁଛି । ଏଡ଼େ କଥା, ଏଡ଼େ କଥା ସ୍ୱାମୀ କହିଲେ କହିପାରିଲେ ? ତା’ରିଲାଗି—ତା’ରିଲାଗି ସେ ମଲେ ?? ଆଃ !

ତରୁ–ତରୁ–ତରୁ ଦାୟୀ ଜୟନ୍ତର ମରଣ ପାଇଁ ?? ତରୁ ରାକ୍ଷସୀ ? ତରୁ ତା’ ତଣ୍ଟିରେ ଦେଇଛି ଖୁର ??

ଓଃ ! ଓଃ ! ଓଃ ! ତରୁ ଆଉ ଭାବି ପାରେନାହିଁ । ତରୁ ଖାଲି ଭୋ ଭୋ ହେଇ କାନ୍ଦେ ।

 

ତଥାପି ହଉପଛେ ନିନ୍ଦା, ହଉପଛେ କଳଙ୍କ, ମୁଣ୍ତ ପଛେ ଛିଡ଼ିପଡ଼ୁ ଲଜ୍ଜାରେ, ମନ ପଛେ ଜଳିଯାଉ ହୁ ହୁ ହେଇ, ତଥାପି—ତଥାପି ସିଏ ଯଦି ଥାଆନ୍ତେ ! ସିଏ ଯଦି ରୁଗ୍‍ଣ ହେଇ, ଅକ୍ଷମ ହେଇ, ଅସମର୍ଥ ହେଇ, ଅପଦାର୍ଥ ହେଇ ଖାଲି ପଡ଼ିରହିଥାନ୍ତେ ବିଛଣାରେ ! ଖାଲି ଥରେ ଡାକିଥାନ୍ତେ ତରୁ ବୋଲି, ଥରେ ଚାହିଁଥାନ୍ତେ ମୁହଁକୁ—ମୁହଁକୁ ! ଆଃ ଜୟନ୍ତ !

 

ଜୟନ୍ତ ଚାଲିଗଲା, ଜୟନ୍ତ ହଜିଗଲା, ଜୟନ୍ତ ମରିଗଲା, ଜୟନ୍ତ ଅନ୍ଧ କରି ଦେଇଗଲା ତରୁକୁ ।

 

ହିମାଳୟର ତୁଙ୍ଗ ଗିରିଶୃଙ୍ଗକୁ ଚାହିଁ ଚାହିଁ ପଥିକ ବାଟଚାଲେ । ଚାଲୁ ଚାଲୁ କେତେ ନାଚେ, କୁଦେ, ଡିଆଁମାରେ, କେତେ ସ୍ୱପ୍ନ ଦେଖେ, କେତେ ତାଳିମାରେ, କେତେ ଖଳ ଖଳ ହସି ଆକାଶ ଫଟାଏ । କିନ୍ତୁ ଆଖିଥାଏ ଅହରହ ଶୃଙ୍ଗ ଉପରେ । ଶୃଙ୍ଗ ଅପସରି ଗଲେ, ଆଶା ତୁଟିଗଲେ, ଆଲୋକ ଲିଭିଗଲେ ପଥିକ ହୁଏ ଅନ୍ଧ ! ଅନ୍ଧ ! ଚାରିଆଡ଼େ ଖାଲି କଳା କିଟି କିଟି ଅନ୍ଧାର !

 

ଜୟନ୍ତ ଯେତେଦିନ ଥିଲା, ସେତେଦିନ ତରୁ ଆନନ୍ଦରେ ଏଣେତେଣେ ବୁଲୁଥିଲା, ଏତେ ଲୋକଙ୍କ ସାଙ୍ଗରେ ମିଶୁଥିଲା, ଏତେ କାମ କରୁଥିଲା, ଏତେ ହସି ହସି ଲୋଟି ଯାଉଥିଲା ଧରଣୀରେ । କାରଣ ଖୁଣ୍ଟ ଟାଣ ଥିଲା, ମନ ସ୍ଥିର ଥିଲା, ଲକ୍ଷ୍ୟ ଦୃଢ଼ଥିଲା । ପରାଶର ତା’ର ସେତେବେଳେ ଥିଲା ପୂଜ୍ୟ, ବର୍ତ୍ତମାନ ବି ପୂଜ୍ୟ—ପୂଜନୀୟ, ବନ୍ଦନୀୟ । କିନ୍ତୁ ଯେତେବେଳେ ବି ସେ ପର ନିଜର ନୁହଁନ୍ତି, ଆପଣାର ନୁହଁନ୍ତି । ଜୟନ୍ତହିଁ କେବଳ ତା’ର ଆପଣାର, ତା’ର ଆତ୍ମାର, ତା’ର ପ୍ରାଣର, ତା’ର କୋଟି କୋଟି ଜନ୍ମର ସାଥୀ । ଜୟନ୍ତ ତା’ର ଗିରିଶୃଙ୍ଗ, ଜୟନ୍ତ ତା’ର ଆଲୋକ—ବର୍ତ୍ତିକା, ଜୟନ୍ତ ତା’ର ଧ୍ରୁବତାରା, ଜୟନ୍ତ ତା’ର ନୀଳଚକ୍ରର ପତାକା । ଜୟନ୍ତ ବିନା ତା’ର ଜୀବନ କେତେ ନିସ୍ୱ, କେତେ ଦରିଦ୍ର । ଜୟନ୍ତ ବିନା ସାରା ସୃଷ୍ଟିରେ ତା’ର କେହି ନାହିଁ, କିଛି ନାହିଁ, ଆଶାନାହିଁ, ଭରସା ନାହିଁ, ଇହକାଳ ନାହିଁ, ପରକାଳ ନାହିଁ, ସ୍ୱର୍ଗ ନାହିଁ, ମର୍ତ୍ତ୍ୟ ନାହିଁ, କିଛିନାହିଁ, କିଛିନାହିଁ । ସବୁ ଆଜି ତା’ର ଶେଷ, ଶୂନ୍ୟ, ଅନ୍ଧାର, ପ୍ରଳୟ !!

 

ଏତେକଥା—ଏତେକଥା ବୁଝୁଥିଲେ ପରାଶର ? ଦାର୍ଶନିକ ପରାଶର ? ଭୋଳା ମହେଶ ପରାଶର ? ନା, ନା, ମୋଟେ ନୁହେଁ । ଅରୁଣାର ମରଣ ପରେ ପରାଶର ବଡ଼ ମ୍ରିୟମାଣ ହେଇପଡ଼ିଥିଲେ । ଜି. ଉଦୟଗିରିରୁ ଫେରି ସେ ପ୍ରଥମେ ପ୍ରଥମେ ବଡ଼ ନୀରବ ରହୁଥିଲେ । ଅରୁଣାର ଫଟୋ ଦେଖିଲେ କଇଁକଇଁ କାନ୍ଦି ଉଠୁଥିଲେ । ଅରୁଣାର ଲୁଗା, ଅରୁଣାର ବହି, ଅରୁଣାର, ଘରକରଣା ଚିଜ ଉପରେ ଆଖି ପଡ଼ିଗଲେ ସଙ୍ଗେ ସଙ୍ଗେ ଆଖି ସଜଳ ହେଇଉଠୁଥିଲା, ବିଶେଷତଃ ରାନୁକୁ ଦେଖିଲାମାତ୍ରେ ସେ କୌଣସିମତେ ଲୋତକ ସମ୍ବରଣ କରିପାରୁ ନଥିଲେ । କିନ୍ତୁ ଆଶ୍ଚର୍ଯ୍ୟ, ଏ ଭାବ ବେଶୀଦିନ ରହିଲା ନାହିଁ । ଭିତରର ଘା’ ଯେମିତି ଅତି ଚଞ୍ଚଳ ଶୁଖି ଆସିଲା । ମାସେ ଗଲା, ଦେଢ଼ମାସ ଗଲା, ଦୁଇମାସବେଳକୁ ଘା’ ଯେମିତି ପୂରାପରି ଶୁଖିଗଲା । ଅରୁଣାର ନିର୍ଜୀବ ଫଟୋ ଆଉ ତାଙ୍କୁ ବାନ୍ଧି ରଖିପାରିଲା ନାହିଁ, ରକ୍ତମାଂସର ଜୀବନ୍ତ ତରୁ ଯେମିତି ତାଙ୍କୁ ନୀରବରେ ହାତଠାରି ଡାକିଲା ।

 

କଟକ ଫେରିଲା ପରେ ତରୁ ଆଉ ପରାଶରଙ୍କ ଘରେ ପାଦ ଦେଇନି । ବରଂ ପରାଶର ରହିଛନ୍ତି ତରୁର ଘରେ । ପରାଶରଙ୍କ ଆଖି ତରୁ ଉପରେ ଅହରହ ନିର୍ଦ୍ଧିଷ୍ଟ । ତରୁର କିନ୍ତୁ ଆଉ ପରାଶର ଉପରେ ମମତା ନାହିଁ । ଦୁନିଆ ଉପରେ ମମତା ନାହିଁ, ଜୀବନ ଉପରେ ମମତା ନାହିଁ, ସେଇ କଅଁଳିଆ ଛୁଆ, ଟିକିଛୁଆ ରାନୁ ଉପରେ ବି ମମତା ନାହିଁ । ଜୟନ୍ତ ଥିଲାବେଳେ ସେ ଛୁଆଟିକି କେତେ ସ୍ନେହ କରୁଥିଲା, ଚୁମା ଦେଉଥିଲା, କେତେ ମାସ ମାସ କାଳ କୋଳରେ ଧରି ବିଦେଶ ଭ୍ରମଣରେ ଯାଉଥିଲା । ଆଉ ସେ ଦିନ ଜି. ଉଦୟଗିରିରେ ତା’କୁ ଯେମିତି ଟେକି ନେଇଥିଲା କୋଳକୁ, ଯେମିତି ଝର ଝର କାନ୍ଦି ଅଜସ୍ର ଚୁମା ଥାପି ଦେଇଥିଲା ମୁହଁରେ, ଲୋକେ ଭାବୁଥିଲେ ତା’ର ପୂର୍ବ ସ୍ନେହ ପୁଣି ଫେରିଆସିବ । କିନ୍ତୁ କାହିଁ ସେ ସ୍ନେହର ତ କାଣିଚାଏ ବି ନାହିଁ-। ଖାଲି ଗୋଟିଏ ମା’ଛେଉଣ୍ତ ଛୁଆ ଉପରେ ଯାହା ଟିକିଏ ଦୟା, ଯାହା ଟିକିଏ କରୁଣା, ସହାନୁଭୂତି, ନଚେତ୍‍ ସ୍ନେହ ନାହିଁ, ଶ୍ରଦ୍ଧା ନାହିଁ, ପ୍ରୀତି ନାହିଁ, ଅଶ୍ରୁ ନାହିଁ କିଛିନାହିଁ । ବରଂ ଅନ୍ୟ ପକ୍ଷରେ ଛୁଆଟିକି ଦେଖିଲେ କେଜାଣି କାହିଁକି ବେଳେବେଳେ ଛାତି ଥରିଉଠୁଛି । ମୁହଁ ହେଇଯାଉଛି ବିବର୍ଣ୍ଣ । ରାନୁ ଡାକେ ମା’ । ଦିନରାତି, ସକାଳ ସଞ୍ଜ ମା’ ମା’ ଡାକି ଘର କମ୍ପାଏ-। ଆଉ ଯେତେଥର ସେ ମା’ ଡାକ ଶୁଣେ, ସେତେଥର ତା’ ଛାତି ଫଟେଇ ଯେମିତି ଉଠିଆସେ ଦୀର୍ଘଶ୍ୱାସ । ମା’ ମା’ ମା’.....ସେ ମା’ ହେଇନାହିଁ, ହେଲାନାହିଁ, ହେଇପାରିଲା ନାହିଁ । ନାରୀର ଶ୍ରେଷ୍ଠ ଦାନ ସନ୍ତାନ ତା’ କୋଳ ମଣ୍ତନ କଲାନାହିଁ । ଆଃ, ଆଃ.....

ତଥାପି ରାନୁ ମା’ ଡାକେ, ରାନୁ ତା’ ଛାତିରେ ଗୋଇଠା ମାରେ, ରାନୁ ତା’ ପିଠିରେ ନଦି ହୁଏ, ରାନୁ ତା’ ମୁଣ୍ତବାଳ ଧରି ଝିଙ୍କେ—ମା’ ମା’; ମା’, ମା’, ପଦରେ ଏତେ ମିଠା କିଏ ବୋଳି ଦେଇଛି ? ମା’ ପଦରେ କିଏ ଦେଇଛି କାଉଁରୀ ମନ୍ତ୍ର ? ମା’ ଡାକ ଶୁଣି ମା’ର କ୍ଷୀର ସତେକି ସ୍ରବିଆସେ—ସାରା ଅଙ୍ଗ ସର୍‍ସରେଇ ଉଠେ । ତା’କୁ ଗୋଟିପଣେ ଛାତି ଭିତରେ ଜାକିଧରି; ତା’ କୁନି ମୁହଁରେ ଲକ୍ଷେ ଚୁମା ଦେଇ ତରୁ ଡାକେ—ରାନୁରେ ! ରାନୁରେ ! ରାନୁ ତା’ ଟିକି ହାତରେ ମା’ର ମୁହଁ ଆଉଁସି ଆଉଁସି କହେ—ମା’, ତୁ କାନ୍ଦୁଛୁ ? ତୁ ପରା ମୋ ମା’ । ମା’ ବେଶୀ ବେଶୀ କାନ୍ଦିଉଠେ, ଭେଁ ଭେଁ କାନ୍ଦିଉଠେ । .....ସେ ମା’ ହେଇନାହିଁ, ହେଲାନାହିଁ, ହେଇପାରିଲା ନାହିଁ । ଆଃ, ଆଃ....

ପରାଶର କ’ଣ ଏତେକଥା ବୁଝନ୍ତି ? ବୁଝନ୍ତି ? ପରାଶର ଭାବନ୍ତି ତରୁ ରାନୁକୁ ଧରି କାନ୍ଦୁଛି, ରାନୁ ସାଙ୍ଗରେ କଥା କହୁଛି, ବେଳେବେଳେ ମୁରୁକି ହସ ହସୁଛି, ତରୁର ବୋଧେ ପରିବର୍ତ୍ତନ ହେଲାଣି, ତରୁ ଭୁଲିଗଲାଣି ଜୟନ୍ତ ମରଣର ସେ ଦୁର୍ବିସହ ଦୁଃଖ । ପରାଶର ଭାବନ୍ତି ଅରୁଣା ମରଣା ଦୁଇମାସ ପରେ ଯଦି ତା’ ସ୍ମୃତି ଧୀରେ ଧୀରେ ମଉଳି ଆସିଲା; ଜୟନ୍ତ ମରଣର ସାତମାସ ପରେ ତା’ ସ୍ମୃତି ପୂରାପରି ଲିଭି ନ ଯିବ କିଆଁ ? ପରାଶର ଭାବନ୍ତି ଜୀଅଁନ୍ତା ମଣିଷକୁ ଧରିରଖିବା ପାଇଁ ଜୀଅଁନ୍ତା ମନ ଲୋଡ଼ା—ଜୀଅନ୍ତା ମଣିଷର କଥା, ଭଙ୍ଗୀ, ଚାହାଁଣୀ, ଖଳଖଳ ହସ, ଛନଛନ ମୁହଁ ଲୋଡ଼ା, ଏ ସମାଧି, ସ୍ମୃତି, ଫଟୋ ଫୁଲମାଳା ତୁଚ୍ଛ ! ତୁଚ୍ଛ !

ତା’ଛଡ଼ା ତରୁ ? ତରୁ ତ ଚିରକାଳ ଥିଲା ପରାଶରଙ୍କର । କେତେଦିନ—କେତେକାଳ ଯାଇଛି ସେ ଜୟନ୍ତ ପାଖକୁ ? ଅବଶ୍ୟ ଜୟନ୍ତ ତା’ର ସ୍ୱାମୀ । ଜୟନ୍ତ ପାଇଁ ଦୁଃଖହେବା ସ୍ୱାଭାବିକ୍-। ଉଚିତ୍‍ ବି । କିନ୍ତୁ ଜୟନ୍ତ ପାଇଁ କ’ଣ ତା’ର ଏତେ ଆକର୍ଷଣ ଥିଲା ଯା’ଥିଲା ପରାଶର ପ୍ରତି-? ପରାଶରକୁ ଦିନେ ନଦେଖିଲେ ସେ ପାଗଳିନୀ ହେଇଯାଉଥିଲା । ଆଉ ଜୟନ୍ତର ନାଁ ପର୍ଯ୍ୟନ୍ତ ଧରୁ ନଥିଲା ମାସ ମାସ ଧରି ବିତିଗଲେ ବି । ସେଇ ପରାଶରକୁ କ’ଣ ସେ ଭୁଲିପାରେ-? ତ୍ୟାଗ କରିପାରେ ? ପୋଛିଦେଇପାରେ ମାନସପଟରୁ ? ନା, ନା, ନା । ପରାଶର ଭାବନ୍ତି–ନା, ତା’ କେବେ ହେଇ ନପାରେ । ଦୁଃଖର ରିହ କଟିଗଲେ ତରୁ ଫେରିବ, ନିଶ୍ଚୟ ଫେରିବ । ପୁଣି ଭାଇ ଭାଇ ଡାକି କଳଗୁଞ୍ଜନରେ ତା’ ଘର ପୂର୍ଣ୍ଣ କରିଦେବ ।

ତେଣୁ ତରୁ ବିରକ୍ତ ହେଲେବି, ଯେତେ ଉଦାସୀନ ରହିଲେ ବି ପରାଶର ତରୁ ପାଖରେ ଯାଇଁ ବସନ୍ତି, ବେଳେବେଳେ ନୀରବ ରହନ୍ତି । ବେଳେବେଳେ ଘଣ୍ଟା ଘଣ୍ଟା ଧରି ବାଢ଼ି ବସନ୍ତି ଉପଦେଶ—ଅମୂଲ୍ୟ ଉପଦେଶ । ତରୁ ରାମ କି ବିଷ୍ଣୁ ପାଟି ଫିଟାଏ ନାହିଁ । ପରାଶର ମନକୁମନ କହି ଚାଲିଥାଆନ୍ତି ।

ପରାଶର କହନ୍ତି—କେତେଦିନ—କେତେଦିନ ଆଉ ଏମିତି ଶୋକାକୁଳା ସନ୍ନ୍ୟାସିନୀ ହେଇ ରହିବୁ ତରୁ ? ସଂସାରକୁ ଫେରିଆ’ । ଜୀବନ କେତେ ବଡ଼ । ଜୀବନରେ କେତେ କାମ । ଜୀବନରେ କେତେ ଗୁରୁଦାୟିତ୍ୱ । ଚିରକାଳ ଏମିତି ଶ୍ମଶାନରେ ବସିରହିଲେ ଜୀବନ କେମିତି ପରିପୂର୍ଣ୍ଣ ହେବ ? ଜୀବନକୁ ଉଜାଡ଼ି ଦେ’ନା । ଜୀବନକୁ ଲୋକହିତରେ ଅଜାଡ଼ି ଦେ’—ଅଜାଡ଼ି ଦେ’ ।

ପରାଶର ନିଜେ ଅଜାଡ଼ି ଦେଇପାରିଲେ ନାହିଁ ଜୀବନ । କୁଷ୍ଠାଶ୍ରମ ଭାଙ୍ଗିଗଲା, ଅଥଚ ତରୁକୁ ଉପଦେଶ ଦେଉଛନ୍ତି ଜୀବନକୁ ଅଜାଡ଼ି ଦେ’ !

ପରାଶର ପୁଣି କହନ୍ତି—ଜୀବନ ଅନନ୍ତ । ଯୋଉ ଫୁଲଟି ଆଜି ମଉଳି ଭୂଇଁରେ ଝଡ଼ିପଡ଼ିଲା, ସେ ଯେ କାଲି ସକାଳେ ଯାଇ ଅନ୍ୟ ଏକ ବୃନ୍ତରେ କଳିକା ରୂପ ଧରିବ, ତୁ ତ ଜାଣୁନାହିଁ । ଆତ୍ମା ଅଜର, ଅମର । ଆତ୍ମା କ’ଣ ମରିପାରେ ?

‘‘Life is real, life is earnest

And the grave is not its goal,

Dust thou art to dust returnest

Was not spoken of the soul.’’

କିନ୍ତୁ ବୃଥା, ନିଷ୍ଫଳ, ଅନ୍ଧ ଆଗରେ ଦର୍ପଣ । ଜୀବନରେ ବେଳେବେଳେ ଏମିତି ମୁହୂର୍ତ୍ତ ଆସେ, ଯେତେବେଳେ ଏ ଆତ୍ମା, ଅନନ୍ତତା, ଅଖଣ୍ତତା ବିଷଭଳି ଲାଗେ, ମଲାମଣିଷର ହାଡ଼ ଖଣ୍ତିଏ, ପାଉଁଶ ଟିକିଏ ଆଣି ଛାତି ଉପରେ ନିବିଡ଼ ଭାବେ ଜାକି ଧରି ଅନନ୍ତ କାଳପାଇଁ ଶୋଇଯିବାକୁ ଇଚ୍ଛା ହୁଏ । ଦାର୍ଶନିକ ପରାଶର ସେ କଥା ଜାଣିନାହାଁନ୍ତି । ତେଣୁ ଏ ବାଚାଳତା । ତରୁ ମୂକ, ପଥର ।

ଦିନେ—ସଞ୍ଜ ହେଇଛି । ସେ ଦିନ ପୂର୍ଣ୍ଣିମା । ଆକାଶ ନିର୍ମଳ । ବିଶାଳ ବିପୁଳ ନୀଳ ଗଗନରେ ମେଘର ସତ୍ତା ବି ନାହିଁ । ହେନାଫୁଲ ଫାଟିପଡ଼ିଛି ବାଡ଼ିରେ । ଆକାଶ ପରିପୂର୍ଣ୍ଣ କରି ଉଠିଆସିଛି ପୂର୍ଣ୍ଣମୀର ଚନ୍ଦ୍ର ।

ନିଜ ଘରର ଦୋ’ମହଲା ଛାତ ଉପରେ ଏକାକିନୀ ବସିଥିଲା ତରୁ । ରାନୁକୁ ଧରି ବୃଦ୍ଧ ବଚନସିଂ ଯାଇଛନ୍ତି ନଈକୂଳ ଆଡ଼େ ବୁଲି । ଚାକରବାକର ତଳେ କାମଧନ୍ଦାରେ ବ୍ୟସ୍ତ । ଉପର ନିର୍ଜନ ଶୂନ୍ୟ । ନୀରବରେ ଶୂନ୍ୟ ଆକାଶକୁ ଚାହିଁ ଚାହିଁ ତରୁ କେତେ ସମୟ ବସିଥିଲା ଜଣାନାହିଁ । ପାହାଚ ଉପରେ ପଦ ଶଦ୍ଦ ଶୁଣାଗଲା, କୋଠା ଉପରେ ପାଦଦେଲେ ପରାଶର । ଆସି ଟିକିଏ ଦୂରରେ ସଉପ ଖଣ୍ତିକରେ ବସିଲେ । ସେ ବି ନୀରବ, ମୂକ । କାହାରି ତୁଣ୍ତରେ କଥା ନାହିଁ । ବହୁ ସମୟ ସେମିତି ଚୁପ୍‍ଚାପ୍‍ ବିତିଲା ।

ଗଛ ଡାଳରେ କୋଉଠି ଗୋଟାଏ ପେଚା ରାଉରାଉ ହେଇ ବୋବଉଥିଲା । ବଡ଼ ଭୟଙ୍କର ଲାଗୁଥିଲା, କରୁଣ ଲାଗୁଥିଲା । ଏତେ ଆଲୋକ ଭିତରେ ପେଚା କ’ଣ ଥାଇପାରେ ? ପରାଶରଙ୍କ ମନ ଆଜି ଭଲନାହିଁ । କେଜାଣି କାହିଁକି ମନଟା ଆଜି ବଡ଼ ଉଦାସ ଉଦାସ ଲାଗୁଛି, ଶୂନ୍ୟ ଲାଗୁଛି । କେତେଦିନ ଆଉ ଆଉ ଏମିତି କଟିବ ? ଏକ ଅବୋଧ ଶିଶୁ ଭଳି ପରାଶର ଆରମ୍ଭ କଲେ—ଆଉ ତ ସ୍ଥିର ହେଇପାରୁନି ତରୁ ! ତୋତେ ହରେଇ, ତୋ’ଠାରୁ ଦୂରରେ ରହି, ତୋ ସହିତ କଥା ନ କହି, ତୋ’ ସୁନା ମୁହଁକୁ ନ ଚାହିଁ କେମିତି—କେମିତି ଆଉ ରହିବ ? କେତେଦିନ ରହିବ ? କେତେ ଦିନ ଧୈର୍ଯ୍ୟ ଧରିବି ? ଖାଲି ଯେ ତୋ’ ପଦ୍ମଫୁଲର ମୁହଁ ଅଙ୍ଗାର ପଡ଼ିଲାଣି, ତା’ ନୁହେଁ, ମୋ ହୃଦୟକୁ ଚାହାଁ, ତା’ ବି ଧୀରେ ଧୀରେ ଅଙ୍ଗାର ପଡ଼ି ଆସିଲାଣି । ତୋତେ ନ ପାଇଲେ ତା’ ଯେ ଦିନେ ପାଉଁଶ ହେଇଯିବ, ଏତିକି କ’ଣ ତୁ ବୁଝିବୁ ନାହିଁ ତରୁ ?

ତରୁ ନୀରବ, ନୀରବ, ପଦଟିଏ ବଚନ ନାହିଁ ।

ପରାଶର କହିଲେ—କଟିଛୁଆ ରାନୁ ତୋ’ର ଆତ୍ମା, ତୋ’ର ପ୍ରାଣ । ଅରୁଣା ଅବଶ୍ୟ ତାକୁ ଜନ୍ମ ଦେଇଛି । କିନ୍ତୁ ସେ ପିଲାଟିକାଳରୁ ତୋ’ରି ଛାତିରେ, ତୋ’ରି କୋଳରେ, ତୋ’ରି ବୁକୁ ଭିତରେ ଯେମିତି ପଶିଯାଇଛି—ଯେମିତି ନାଚି, କୁଦି, ଡେଇଁ ତୋତେ ଅଥୟ କରିଛି, ଅସ୍ଥିର କରିଛି, ସେଥିରେ ତା’କୁ ପରବୋଲି ତ ତୁ କହି ପାରିବୁ ନାହିଁ । ବରଂ ସେ ତୋତେ ମା’ ମା’ ଡାକି ପାଇଛି ସ୍ୱର୍ଗ, ଆଉ ତୁ ତାକୁ ଛାତିରେ ଧରି ହେଇଛୁ ମା’, ଜନନୀ, ଜନ୍ମଦାୟିନୀ.....

ଆଃ !! —ଗୋଟାଏ ଗଭୀର ଦୀର୍ଘଶ୍ୱାସ ଯେମିତି ତରୁର ମର୍ମସ୍ଥଳ ଭେଦି ବାହାରି ଆସିଲା । ଅସ୍ଥିମଜ୍ଜା ଦୋହଲି ଗଲା ସତେକି । ସେ ମୁହଁ ବୁଲାଇଲା ।

ପରାଶର ଲକ୍ଷ୍ୟ କଲେ ତା’ ମୁହଁର ଭାବ । କହିଲେ—ତୁ କାନ୍ଦିବୁ ମୁଁ ଜାଣେ । ତା’ ପାଇଁ ତୋ ପ୍ରାଣ ଶତଖଣ୍ତ ହେଇ ବିଚ୍ଛିନ୍ନ ହେଇଯିବ, କାରଣ ତୁ ମା’, ମା’ । ଅରୁଣା ଗର୍ଭଧାରିଣୀ, କିନ୍ତୁ ଅରୁଣାର ଗର୍ଭବେଦନା କ’ଣ ଏତେ ବେଶୀ ହେଇଥିବ, ଯା’ ହୁଏ ତରୁର ? ତରୁର ? ତା’କୁ କୋଳରେ ଧରିଲେ ତରୁର ଛାତି ଯେ ଫାଟିପଡ଼େ, ତରୁର ସାରା ଅଙ୍ଗ ଯେ ସର୍‍ସରେଇ ଉଠେ ଜନନୀର ଗୌରବରେ, ମାତୃତ୍ୱର ଗୌରବରେ, ନାରୀତ୍ୱର ଗୌରବରେ....

ଆଃ !! ଆଃ !! —ଭୋ’କିନା କାନ୍ଦିଉଠିଲା ତରୁ । ପଦଟିଏ ଉତ୍ତର ଦେଲାନାହିଁ । ଆକାଶକୁ ଚାହିଁ ଖାଲି ବେଶୀ ବେଶୀ କାନ୍ଦିବାକୁ ଲାଗିଲା । .....ସେ ମା’ ହେଇ ନାଇଁ, ହେଲା ନାଇଁ, ହେଇ ପାରିଲା ନାଇଁ । ନାରୀର ଶ୍ରେଷ୍ଠ ଦାନ ସନ୍ତାନ ତା’ କୋଳ ମଣ୍ତଳ କଲାନାଇଁ । ଆଃ !! ଆଃ-!!

ପରାଶର ନିର୍ବୋଧ, ପରାଶର ଭାବପ୍ରବଣ, ପରାଶର ବାଚାଳ । ସେ ଏତେକଥା ବୁଝନ୍ତିନାହିଁ, ବୁଝନ୍ତିନାହିଁ । ସେ ପୁଣି କହିଲେ—ଅରୁଣା ଗଲା ପରେ ତୁ ତାକୁ କୋଳକୁ ଟେକି ନେଇଛୁ, ତା’ ମୁହଁ ଉପରେ ଥାପି ଦେଇଛୁ ସହସ୍ର ଚୁମା, ତା’ ଯେ ମୋତେ କେତେ ଶାନ୍ତି ଦେଇଛି, ଶୀତଳତା ଦେଇଛି, ମୋ ହୃଦୟରେ କି ଚନ୍ଦନ ବୋଳିଦେଇଛି । ତୁ ବୁଝିପାରିବୁ ନାହିଁ । ତା’ କଥା ମୁଁ ଭୁଲିଯାଇଛି । ଖାଲି ତା’ କଥା ନୁହେଁତ, ଅରୁଣାକୁ ବି ଭୁଲିଛି, ଆଗରେ ଦେଖିଛି ତୋତେ, ତୋତେ—ଏକ କରୁଣାମୟୀ, କଲ୍ୟାଣମୟୀ, ମଙ୍ଗଳମୟୀ, ଆନନ୍ଦମୟୀ ନାରୀ, ଯିଏ ମୋର ଅଧିଷ୍ଠାତ୍ରୀ ଦେବୀ, ଯିଏ ମୋର କଣ୍ଠର ମାଳା, ଯିଏ ମୋର ହୃଦୟର ଭୂଷଣ, ଯିଏ ମୋର ସ୍ୱପ୍ନର ଧନ.....

ପରାଶର ଟିକିଏ ଅଟକିଗଲେ ତରୁଆଡ଼େ ଚାହିଁଲେ । ତରୁର କିଛି ପରିବର୍ତ୍ତନ ନାହିଁ । ସେମିତି ଶୂନ୍ୟ ଆକାଶକୁ ଚାହିଁଛି । ଚାହିଁଛି । ଆଖିରୁ ବହିଯାଉଛି ଧାର ଧାର ଲୁହ ।

ପରାଶର ପୁଣି କହିଲେ—ଖାଲି ଏଇ ଜନ୍ମର ନୁହେଁ, ଆମ ଦୁହିଁଙ୍କର ସଂପର୍କ ଜନ୍ମ ଜନ୍ମର । ତୋତେ କ’ଣ ମୁଁ ଭୁଲିପାରେ ? ବରଂ ତୋତେ ମୁଣ୍ତ ଉପରେ ରଖିବାକୁ ଚାହେଁ ମୁଁ । ତୁ ମୋର କେତେ ସ୍ନେହର ଧନ, ଆଦରର ଧନ, ଅଲିଅଳର ଧନ; ତୁ ମୋର ଗୋଷ୍ଠଚନ୍ଦ୍ରମା, ତୁ ମୋର କୁଞ୍ଜବନର ବେଣୁ, ତୁ ମୋର ବୃନ୍ଦାବନର ଫୁଲ୍ଲକଦମ୍ବ ।

ତରୁର କଇଁ ଯେମିତି କ୍ରମେ କ୍ରମେ କମିଆସୁଛି । ଆଉ ଯେମିତି ଲୋତକ ନାହିଁ ଆଖିରେ । ସେ ଲୁହ ପୋଛି ଅପଲକ ଆଖିରେ ପରାଶରଙ୍କ ଆଡ଼େ ଚାହିଁଛି । ପରାଶର ସାହସ ପାଉଛନ୍ତି । ସାହସ ପାଉଛନ୍ତି ଆହୁରି ବେଶୀ ବେଶୀ ବାଚାଳ ହେବାକୁ ।

ନିର୍ବୋଧ ପରାଶର । ମୂର୍ଖ ପରାଶର । ପଶୁ ପରାଶର । ନାରୀର ମନ ବୁଝିବାଭଳି ବୁଦ୍ଧି ପରାଶରଙ୍କର ନାହିଁ । ନାରୀକୁ ଆନନ୍ଦ ଦେବାକୁ ଯାଇଁ ସେ ଯେ ଚରମ ଆଘାତ ଦିଅନ୍ତି, ତା’ ସେ ଜାଣନ୍ତି ନାହିଁ । ସେ ଖାଲି ପାଠ ପଢ଼ିଛନ୍ତି ଯେ ମଣିଷ ସାଧନାବଳରେ ଦେବତା ହେଇପାରେ, କିନ୍ତୁ ମଣିଷ ଯେ ସୁବିଧା ପାଇଲେ ଗୋଟିଏ ମୁହୂର୍ତ୍ତରେ ପଶୁ ସ୍ତରକୁ ଖସି ଆସିପାରେ, ଚଣ୍ତାଳ ହେଇପାରେ, ତା ସେ ଜାଣନ୍ତି ନାହିଁ । ମଣିଷ ଅବସ୍ଥାର ଦାସ, ମଣିଷ ରକ୍ତ ମାଂସର ଦାସ, ମଣିଷ ଜିଅନ୍ତା ଦେହର ଦାସ ମଣିଷ ଟକ୍‍ମକ୍‍ ଫୁଟା ରକ୍ତର ତୁଚ୍ଛ କିଙ୍କର । ମଣିଷ ପଡ଼ିଯାଏ, ମଣିଷ ପଶୁ ହୋଇଯାଏ, ହୀନ ହେଇଯାଏ, ଘୃଣ୍ୟ ହେଇଯାଏ, କୁକୁର ହେଇଯାଏ, ତା’ ପରାଶର ଜାଣନ୍ତି ନାହିଁ, ଜାଣନ୍ତି ନାହିଁ । ହାୟ ! ପ୍ରରାଶର ! ଯୋଗୀ ପରାଶର, ସାଧୁ ପରାଶର, ନିରୀହ ପରାଶର, ଜ୍ଞାନପାଗଳ ପରାଶର ! ତମ ପାଇଁ ଏ ଦୁନିଆ ନୁହେଁ, ଏଠି ଭାବପ୍ରବଣତାର ସ୍ଥାନ ନାହିଁ, ଏଠି ଆହୁରି ଧୈର୍ଯ୍ୟ ଲୋଡ଼ା, ସାଧନା ଲୋଡ଼ା, ସଂଯମ ଲୋଡ଼ା, ତ୍ୟାଗ ଲୋଡ଼ା । ତମେ—a failure, failure, ପରାଶର ! ପରାଶର ! ଆହା, ଆହା, ପରାଶର ! ...

ପରାଶର ଆହୁରି ଉଦବେଳ ହେଇ, ଉନ୍ମାଦ ହେଇ କହିଲେ—ତୋ ତ ମୁଁ କେମିତି—କେମିତି ଦେଖିଛି ? ଅପ୍‍ସରୀ ମୁଁ ଦେଖିନାହିଁ । କିନ୍ତୁ ଅପ୍‍ସରୀ କ’ଣ ଏଡ଼େ ସୁନ୍ଦର ହେଇଥିବ ? ଏଡ଼େ କୋମଳ ହେଇଥିବ ? ଏଡ଼େ ଗୁଣର ହେଇଥିବ ? ଫୁଲଭଳି ଏଡ଼େ କିର୍‍କିର୍‍ ହସ ଥିବ ତା’ ମୁହଁରେ ? ବଚନରୁ ଏମିତି ଅମୃତ ଝରୁଥିବ ? ଚାଲିଗଲେ ଏମିତି ଦାମିନୀ ପ୍ରସରି ଯାଉଥିବ ? ତରୁ ! ତରୁ ! ଧନ ମୋର । ସ୍ୱପ୍ନ ମୋର ! ପ୍ରାଣ ମୋର ! କହ, କହ ତୋତେ କ’ଣ ମୁଁ ଭଲ ପାଇନାହିଁ ? ଭଲ ପାଇନାହିଁ ? ତୋ’ ଚରଣରେ ଢାଳି ଦେଇନାହିଁ ଜୀବନର ସବୁ ଅର୍ଘ୍ୟ, ସବୁ ପ୍ରୀତି, ସବୁ ପୂଜା, ସବୁ ପୁଷ୍ପାଞ୍ଜଳି ? ଜୟନ୍ତ ଯାଇଛି, ସମସ୍ତେ ଯିବେ । ‘‘ଜାତସଂହିଧ୍ରୁବୋ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟଚ ।’’ କିନ୍ତୁ ଯେତେଦିନ ଆମେ ଅଛେ, ସେତେଦିନ କ’ଣ ଖାଲି ଏମିତି କାନ୍ଦିକାନ୍ଦି, ଝୁରିଝୁରି, ଜଳିଜଳି ମରୁଥିବା ? ‘‘Unborn to-morrow, dead yesterday, Why fret about them, if to–day is sweet ? ’’ ତେଣୁ ଯେତେଦିନ ଆମେ ରହିଛେ, ସେତେଦିନ କ’ଣ ଆମେ ସୁଖରେ ରହିବା ନାହିଁ ? ଶାନ୍ତିରେ ରହିବା ନାହିଁ ? ପ୍ରେମରେ ରହିବା ନାହିଁ ? ଆନନ୍ଦରେ ରହିବା ନାହିଁ ? ଅବଶ୍ୟ ଜୟନ୍ତ ବୀର, ଜୟନ୍ତ ଯୋଗ୍ୟ, ଜୟନ୍ତ ବୁଦ୍ଧିମାନ । ଜୟନ୍ତ ସୁପୁରୁଷ । ଜୟନ୍ତ ଭଳି କେହି ହେଇପାରିବେ ନାହିଁ । ତଥାପି....ତଥାପି ତରୁ.....ତଥାପି ଯଦି ତୁ ଚାହିଁବୁ, କିୟଦଂଶରେ ଜୟନ୍ତର ସ୍ଥାନ ପୁରଣ କରିବା ପାଇଁ ଲୋକ କ’ଣ ଏ ଦୁନିଆରେ ନାହାଁନ୍ତି ? ତୁ କ’ଣ ଭାବୁ ପରାଶର ଏଡ଼େ ଅଯୋଗ୍ୟ ? ଏଡ଼େ ଅପଦାର୍ଥ ? ତୁ ଫେରିଆ, ଫେରିଆ ତରୁ । ଏ ଦୀନହୀନ ପରାଶର କୋଳକୁ ତୁ ଫେରିଆ, ତୁ ଯେ ଚିରଦିନ ପରାଶରର, ପରାଶରର । ତୋ ବିନା ପରାଶର ଯେ ବଞ୍ଚିପାରିବ ନାହିଁ । ତୋ’ ଚରଣରେ ଯେ ଆଜି ପରାଶର କାତର କଣ୍ଠରେ ପ୍ରେମଭିକ୍ଷୁ ! ତରୁ ! ତରୁ ! ତରୁ !

ଆହା, ଆହା ପରାଶର ! ତମେ ଏକଥା କହିପାରିଲ ? କହିପାରିଲ ତମ ଗୈରିକବସନା, ସନ୍ୟାସିନୀ ଭଉଣୀ ତରୁକୁ ?? ଆହା ! ଆହା !

ତରୁ ବାଘୁଣୀ ଭଳି ଭାଉଁକିନା ଗର୍ଜନ ଛାଡ଼ିଲା ଖାଲି ଗୋଟାଏ । ପରାଶର ପ୍ରେମରେ ପାଗଳ ହେଇ ତାକୁ ଧରିପକଉଥିଲେ, ଗୋଟାଏ ସୃଷ୍ଟି-ଫଟା ହୁଙ୍କାର ଛାଡ଼ି ପରାଶରକୁ ଖିନ୍‍ଭିନ୍‍ କରି ବନ୍ଧନ ଛିଣ୍ତେଇ ଡେଇଁପଡ଼ିଲା ତରୁ । ଅନ୍ଧ ହେଇ ଛୁଟିଗଲା ଏ କୋଣରୁ ସେ କୋଣ, ସେ କୋଣରୁ ଏ କୋଣ । ଗୋଟାଏ କୋଣରେ ପୁଳାଏ କୋଇଲା ଜମା ହେଇଥିଲା, ତା’ ପାଖରେ ପଡ଼ିଥିଲା ଗେଟାଏ କୋଇଲା ଭଙ୍ଗା ହାତୁଡ଼ି । ଧରି ଛୁଟିଆସିଲା ପରାଶର ପାଖକୁ । ପରାଶର ଚିତ୍କାର ଛାଡ଼ିଥାଆନ୍ତି—ତରୁ ! ତରୁ ! ....ଆଉ ଶୁଣିବାକୁ ବେଳକାହିଁ ? ତରୁ ଗର୍ଜନ କରି ଉଠିଲା–କ’ଣ ? ତମେ ଏ କଥା କହିଲ ? କହିପାରିଲ ? ତମେ ଜାଣନା ତରୁ କିଏ ? .....ଢା’ଇ, ଢା’ଇ, ଢା’ଇ, ଢା’ଇ, ଢା’ଇ, ପିଟିଲା ହାତୁଡ଼ି । ଠିକ୍‍ ମୁଣ୍ତ ଉପରେ, ମୁଣ୍ତ ଉପରେ, ତାଳୁ ଉପରେ ମୁହଁ ଉପରେ, ନାକ ଉପରେ, ଆଖି ଉପରେ, ଛାଡ଼ି ଉପରେ—ଝର୍‍ଝର୍‍ ଗଳ୍‍ଗଳ୍‍, ଭୁଷ୍‍ଭୁଷ୍‍ ରକ୍ତ ଓଜାଡ଼ି ହେଇ ପଡ଼ିଲା । ଚିତ୍‍ପଟାଙ୍ଗ ହେଇ ପଡ଼ିଲେ ପରାଶର । ରକ୍ତ ଛତରଛାଉଳ ହେଇଗଲା, ମାଂସ ଛତରଛାଉଳ ହେଇଗଲା । ଦହି ଅଜାଡ଼ି ହେଇପଡ଼ିଲା । ଆଖି ଫୁଟିଗଲା । ହାଡ଼ ଚୁନ୍‍ଚୁନା ହେଇଗଲା । ଦି’ଟା ପାହାରରେ ଶେଷ । ‘ମା’ଲୋ’ କହିବାକୁ ବି ବେଳ ମିଳିଲା ନାହିଁ । ତଥାପି ତରୁ ପିଟିପିଟି ଚାଲିଛି । ଢୁ’ ଢୁ’ ପିଟୁଛି ହାତୁଡ଼ି । ତା’ ଦେହ ହାତ, ମୁଣ୍ତ ସବୁ ରକ୍ତସିନାନ ହେଇଗଲାଣି-। ଲୁଗା ହେଇଗଲାଣି ରକ୍ତ ଜୁଡ଼ୁବୁଡ଼ୁ । ପାଟି ଭିତରେ ପଶିଲାଣି ରକ୍ତ । ଯେମିତି ମନେହେଉଛି, ପ୍ରଚଣ୍ତ ମଶାଣି ଭିତରେ କାଳୀ ରକ୍ତମୁଖା ହେଇ ରକ୍ତ ପିଇଯାଉଛନ୍ତି ସଡ଼ସଡ଼ କରି, ସଡ଼ସଡ଼ କରି, ସଡ଼ସଡ଼ କରି ।

ଆହା ! ଆହା ! ପରାଶର !

Image